Unknown

 

 

 

 

 

 

 

 

 

 

 

ମନ ହରିଣୀ କାନ୍ଦେ ବିଦେଶ ବାହୁଡ଼ା
ଖସଡ଼ା ପଥରେ

ଶୁକଦେବ ସାହୁ

 

କୌଶଲ୍ୟା ଦେବୀ

 

୧୯୭୨ ମସିହା ସେପ୍ଟେମ୍ବର ତେର ତାରିଖ । ବର୍ଷା ଓ ତୋଫାନ ଭାରାକ୍ରାନ୍ତ ସେଇ ଅଶାନ୍ତ ସକାଳ । ବନ୍ୟାଜଳ ଉଛୁଳିତ ଅମାନିଆ କାଠଯୋଡ଼ି ନଦୀକୁ ତୁମେ ସ୍ନାନ କରିବାକୁ ଯାଇ ଆଉ ଫେରି ଆସିଲ ନାହିଁ । ଦିନ ପରେ ଦିନ, ମାସ, ବର୍ଷ ବିତିଗଲାଣି । କାଠଯୋଡ଼ିର ଚଳଚଞ୍ଚଳ ପ୍ରବାହରେ କେତେ ସ୍ରୋତ ବହିଗଲାଣି । ସେଇ ସ୍ରୋତର ଧକ୍କା ବେଳେ ବେଳେ ଆମମାନଙ୍କ ହୃଦୟର କୂଳ ଲଂଘି ଦେବନାରେ ଆଖି ଅଶ୍ରୁସିକ୍ତ କରୁଛି । ଆମେ ତୁମକୁ ଖୋଜୁଛୁ ଥରେ ନୁହେଁ–ବାରବାର । କାଠଯୋଡ଼ିର ଉତ୍ତଳ ତରଙ୍ଗମାଳା ଭିତରେ ତୁମେ କିନ୍ତୁ ଚିରଦିନ ପାଇଁ ହଜିଗଲ । ଅସ୍ତିତ୍ୱକୁ ମଧ୍ୟ ଧରାଇ ଦେଲ ନାହିଁ କିମ୍ବା ନଦୀ ପରି ଥରେ ହେଲେ ପଛକୁ ଫେରି ଚାହିଁଲ ନାହିଁ ।

 

ଏକ ସଂଭ୍ରାନ୍ତ ପରିବାରର ବଧୂ ରୂପେ ଏଇ ଖାନନଗର ମାଟିରେ ତୁମେ ପାଦ ଦେଇଥିଲ । ଜୀବନର କାନ୍ତ–କମନୀୟ ଦିନଗୁଡ଼ିକ ଅତିକ୍ରମ କରି ସଂସାରକୁ ସୁନ୍ଦର କରି ଗଢ଼ିବାର ନିଜକୁ ତିଳତିଳ କରି କ୍ଷୟ କରୁଥିଲ । ଜୀବନ ଜଞ୍ଜାଳରେ କେଉଁଠି କ୍ଳାନ୍ତି ଅବସାଦ ଲାଗି ଥାଇପାରେ–ତା’ ବୋଲି କ’ଣ ସଂସାର ପ୍ରତି ଅଭିମାନ କରି ବସିଲ ?

 

ଜୀବନ କେବଳ ବେଦନା–ସଂସାର ଦୁଃଖରେ ପୂର୍ଣ୍ଣ କିନ୍ତୁ ଦୁଃଖରୁ ମୁକ୍ତିର ଉପାୟ ! ମୃତ୍ୟୁର କିଛିଦିନ ପୂର୍ବରୁ ଆଲୋକର ସ୍ପର୍ଶ ଯେପରି ତୁମେ ପାଇଥିଲ । ସେହି ଆଲୋକର ସଙ୍କେତରେ କାଠଯୋଡ଼ିର ବିପୁଳ ଜଳରାଶି ଭିତରେ ଦେଖିପାରିଲ ଏକ ଅପୂର୍ବ ଜ୍ୟୋତି ଓ ମନୋରମ ପ୍ରଶାନ୍ତି । ସେଥିପାଇଁ ସକଳ ବନ୍ଧନ ଛିନ୍ନ କରି ନିଭୃତରେ ଏକାକୀ ସେଠାକୁ ଚାଲିଗଲ-। ନଦୀ ପରି ଶେଷରେ ଗଭୀରତା’ ଭିତରେ ହଜିଗଲ ।

 

କିନ୍ତୁ ତୁମେ ଯେ କଥା ଦେଇଥିଲ–ଫେରି ଆସିବ ବୋଲି । କଥା କଥାରେ ହିଁ ରହିଗଲା-। ନୀଡ଼ହଜା ଆହତ ପକ୍ଷିଣୀଟି ଫେରି ଆସିଲା ନାହିଁ ଯେଉଁଠି ଛାଡ଼ି ଯାଇଛି, ହୃଦୟର ଆଉ ଗୋଟିଏ ଅଂଶ ।

 

ତୁମ ଜୀବନର ଉଦୟ ଓ ଅସ୍ତରାଗ ଭିତରେ ମୁଁ ଦେଖୁଛି ଅନେକ ଜୀବନର ଚିତ୍ର । ସେଥିପାଇଁ ତୁମ ବିୟୋଗରେ ଏକ ସୁଗଭୀର ବେଦନାର ତୀବ୍ର ଅନୁଭୂତି ବ୍ୟକ୍ତିଗତ ଭାବେ ମୋର ମନକୁ ଅବଶ କରିପକାଇଛି । ଆଜି ମନେ ହେଉଛି ଜୀବନଟା ବିତିଯାଉଛି ଗତାନୁଗତିକ ଉଦାସୀନ, ମୂଲ୍ୟହୀନ ଭାବରେ । ଜୀବନ ଶେଷ ହୋଇ ଆସୁଛି । କିନ୍ତୁ ଏପରି କିଛି ପାଇପାରୁ ନାହୁଁ ଯାହା ମୂଲ୍ୟବାନ, ପଥର ପାଥେୟ–ଯାହା ସଞ୍ଚୟ କରିବାର ଯୋଗ୍ୟ । ଅଜଣାରେ କେବେ ଅମା ଅନ୍ଧାକାର ଘୋଟି ଆସିବ–ତାପରେ ଆଉ ଚିହ୍ନବର୍ଣ୍ଣ ବି ଦିଶିବ ନାହିଁ ।

 

କାଠଯୋଡ଼ି ବନ୍ଧ ଉପରକୁ ଉଠିଲେ ତୁମର ଅତି ପ୍ରିୟ ସେଇ ନିରୋଳା ତୁଠ, ଯେଉଁଠି ତୁମର କାମନା, ବାସନା, ବେଦନା, ସ୍ଵପ୍ନ ସବୁକିଛି ଏକ ହୋଇ ନଦୀର ଜଳ ସହିତ ଅଂଶୀଭୂତ ହୋଇଗଲା–ସେଇଠିକି ଆଖି ଆପେ ଆପେ ଟାଣି ହୋଇଯାଏ । ସେଇ ତୁଠକୁ ଲାଗି ଯେଉଁ ଗଛଟା ଛିଡ଼ା ହୋଇଛି–ତା’ର ପତ୍ରରେ ଲିଭି ଯାଇଥିବା ଦିନଗୁଡ଼ିକର ସ୍କୃତି ସତେ ଯେପରି ସଜୀବ ହୋଇଉଠେ । ଆଲୋକର ସ୍ପର୍ଶରେ ନଦୀର ନୀଳ ଦରପଣରେ ତୁମରି ଅମଳିନ ଛବି ଉଦ୍ଭାସିତ ହୋଇ ଉଠେ । ଶୁଣିବାକୁ ମିଳେ ନଦୀର କୁଳୁକୁଳୁ ଧ୍ଵନି ଭିତରେ ତୁମରି ପରିଚିତ କଣ୍ଠର ସ୍ଵର । ଶାନ୍ତ ଶୀତଳ ଲହରୀ ପରି ଆସି ଆଜି ବି ତୁମେ ଦେଇଯାଉଛ ଅତୀତର ଦିନଗୁଡ଼ିକ ପରି ସେଇ ଚଟାଣ ତୁଠରେ ସ୍ନେହ ଓ ମମତାର ସ୍ପର୍ଶ ।

 

ଏତେ ପାଖରେ ଅଛ । ତେବେ କ’ଣ ଆମକୁ ଭୁଲିପାରି ନାହିଁ ?

 

ତଥାପି ଦୁର୍ବଳ ମନ ବୁଝେ ନାହିଁ । ବେଦନାର ଧୂଳିକଣା ଆଜି ବି ବୀଣା, ରେଣୁ, ହଳଧର, ନାଲୁ, ଧିନି, ମୁନି ସମସ୍ତଙ୍କ ଆଖିରେ ଭରିଦିଏ ତୁମରି ଅଭାବରେ ବିନ୍ଦୁ ବିନ୍ଦୁ ଲୋତକର ବାରି । ସେ ଲୁହ ତୁମେ ଆସି ଅଜଣାରେ ପୋଛିଦିଅ ମମତାଭରା ସ୍ନେହ ଓ ମଧୁରତାର ସ୍ପର୍ଶରେ । ହୃଦୟ ହୃଦୟ ନିବିଡ଼ତାରେ ଭରିଦିଅ ଶାନ୍ତି ଓ ସାନ୍ତ୍ଵନା । ପ୍ରଭାତର ଶାନ୍ତ, ସୁଶୀତଳ ସମୀରଣ ପରି ଅଲକ୍ଷିତରେ ସମସ୍ତଙ୍କୁ ସ୍ପର୍ଶକରି ଦେଇଯାଅ ଅବ୍ୟକ୍ତ ପୁଲକ ଓ ପରିପୂର୍ଣ୍ଣତା’ ।

 

‘ମନହରିଣୀ କାନ୍ଦେ’, ‘ବିଦେଶ ବାହୁଡ଼ା’, ‘ଖସଡ଼ା ପଥରେ’ ଅଭିନବ ପରିପାଟିରେ ଆଜି ପ୍ରକାଶିତ ହେବା ଅବକାଶରେ ତୁମରି ସ୍ମୃତି ପ୍ରତି ଜଣାଉଛି ଗଭୀର ଶ୍ରଦ୍ଧାଞ୍ଜଳି ।

 

ମେ ପଚିଶ, ୧୯୭୪

 

କବିତା’ ଭବନ, ଯୋବ୍ରା, କଟକ–୩

ଶୁକଦେବ ସାହୁ

☆☆☆

 

୧୯୫୧ରେ ‘ଖସଡ଼ା ପଥରେ’, ୧୯୫୨ରେ ‘ବିଦେଶ ବାହୁଡ଼ା’ ଓ ୧୯୫୩ରେ ‘ମନହରିଣୀ କାନ୍ଦେ’ ପ୍ରଥମେ ପ୍ରକାଶ ପାଇଥିଲା । ପାଠକ ମହଲରେ ସମାଦୃତ ହୋଇ ବହିଗୁଡ଼ିକ ଶୀଘ୍ର ଶେଷ ହୋଇଯାଉଥିଲା । ଏହାପରେ ୧୯୫୭ରେ ‘ବିଦେଶ ବାହୁଡ଼ା’ ଓ ୧୯୫୮ରେ ‘ମନହରିଣୀ କାନ୍ଦେ’ ଦ୍ଵିତୀୟଥର ପ୍ରକାଶ ପାଇଥିଲା; କିନ୍ତୁ ‘ଖସଡ଼ା ପଥରେ’ ଏ ସୁଗୋଗ ପାଇନାହିଁ । ୧୯୬୨ ମସିହାରୁ ବହିଗୁଡ଼ିକ ବଜାରରୁ ପ୍ରାୟ ଶେଷ ହୋଇଯାଇଛି । ଆଜି ୧୯୭୪ ମସିହା–ଏହି ଦୀର୍ଘ ବ୍ୟବଧାନ ଭିତରେ ବହିଗୁଡ଼ିକ ନାନା କାରଣରୁ ପୁନଃମୁଦ୍ରଣ ସମ୍ଭବପର ହୋଇ ନାହିଁ ।

 

ଅତୀତରେ ଲେଖକର ‘ମନହରିଣୀ କାନ୍ଦେ’ ଯେଉଁ ପ୍ରିୟ ପାଠକ ପାଠିକାମାନଙ୍କର ହୃଦୟ ମନକୁ ସ୍ପର୍ଶକରି ବେଦନାସିକ୍ତ କରିଥିଲା, ସେମାନେ ଆଜି ବି ଉପନ୍ୟାସର ନାୟିକା କାନ୍ତିକୁ ଭୁଲିପାରିନାହାନ୍ତି । ସେହି ପ୍ରିୟ ପାଠକ ପାଠିକାମାନେ ‘ମନହରିଣୀ କାନ୍ଦେ’ ଉପନ୍ୟାସକୁ ନୂତନ ରୂପରେ ଦେଖିବା ପାଇଁ ସବୁବେଳେ ଆଗ୍ରହ ପ୍ରକାଶ କରିଆସିଛନ୍ତି । ସେହିମାନଙ୍କ ଉତ୍ସାହ ଓ ପ୍ରେରଣା ମୋତେ ‘ମନହରିଣୀ କାନ୍ଦେ’ ସହିତ ‘ବିଦେଶ ବାହୁଡ଼ା’, ‘ଖସଡ଼ା ପଥରେ’ ତିନୋଟି ଉପନ୍ୟାସକୁ ଏକତ୍ରିତ କରିଦେବାକୁ ପରୋକ୍ଷରେ ଇଙ୍ଗିତ ଦେଇଛି । ଆଶା ପୂର୍ବପରି ମୋର ପୁରାତନ ଓ ନୂତନ ପାଠକ ପାଠିକାମାନେ କାନ୍ତିକୁ ସ୍ନେହ କରୁଣାରୁ ବଞ୍ଚିତ କରିବେ ନାହିଁ ।

 

ଲେଖକ

☆☆☆

 

ମନହରିଣୀ କାନ୍ଦେ

 

ରତିଲୋ ଦେଖ୍ନି ଏ ଗୋଲାପ ଫୁଲଟି କେଡ଼େ ସୁନ୍ଦର ହେଇଚି । ୟାର ପାଖୁଡ଼ା ପାଖୁଡ଼ାରେ ଫୁଟି ଉଠିଚି କିମିତି ଯଉବନର ଉଛୁଳା ହସ । କଅଁଳ ଛନ ଛନ ରୂପଟି ସତେ କେଡ଼େ ଚିକ୍କଣ ହେଇଚି ମ !

 

ରତି ପରଜାପତି ପରି ଡେଇଁ ଡେଇଁ ମୋ କତିକି ଲାଗି ଆସିଲା । କହିଲା, ସତେ ମ କାନ୍ତିଅପା, ଠିକ୍ ତମରି ପରି । ତମେ କିମିତି ଯଉବନର ପହିଲି ପାହାଚରେ ଗୋଡ଼ ଦେଉ ଦେଉ ରୂପ ଲାବଣ୍ୟରେ ଝଲସି ଉଠୁଚି । ଯଉବନ ମଳୟ ଦେହ ମନରେ ପରଶିଗଲେ ଦୁନିଆରେ ସମସ୍ତେ ସିମିତି ଦେଖାଯାନ୍ତି । ଫୁଲଟା ବା କାହିଁକି ସୁନ୍ଦର ଦେଖା ନଯିବ । ଫୁଲ ପ୍ରତି ଯଦି ତମର ଅହନ୍ତା ହେଉଚି, ଛିଣ୍ଡାଇ ଫୋପାଡ଼ି ଦଉନା ।

 

ଅଭିମାନରେ ମୁହଁଟାକୁ ଫୁଲାଇ ପକାଇ କହିଲି, ଏଇଥିପାଇଁ ତୋ’ ସାଙ୍ଗରେ କଥା କହିବାକୁ ମୋର ମନ ହୁଏନା ! ଯୋଉ କଥା କହିଲେ ତୁ ତା’ର ଆଗପଛ ନବୁଝି ଖାଲି ଓଲଟା ଅର୍ଥ କରିବୁ । ମୁଁ କ’ଣ କହିଲି ଫୁଲପ୍ରତି ମୋର ଅହନ୍ତା ହେଉଚି ?

 

ରତି ହସି ହସି ମୋ ହାତ ଧରି କହିଲା–କାନ୍ତି ଅପା, ତମେ ଚିଡ଼ିଲେ ମୋତେ କାହିଁକି ଭାରି ଭଲ ଲାଗେ । ଚିଡ଼ୁନା, ଭଲକରି ଚିଡ଼ । କଥା ନ କହିଲେ ମୁଁ କ’ଣ ଭାସିଯିବି । ଆଉ କେଇଟା ଦିନ ଗଲେ ମୋତେ ଛାଡ଼ି କୁଆଡ଼େ ଚାଲିଯିବ । ସେତେବେଳେ ତାଙ୍କୁ ରାତିଦିନ କଥା କହିବ ଯେ ସୁନ୍ଦର ମାନିବ–ମୋତେ ନ କୁହ !

 

ରତି କଥାପଦକରେ ମନରେ ଅଭିମାନ ଫାଟିଗଲା । ଭାରି ହସ ମାଡ଼ିଲା । ହସି ହସି କହିଲି–ରତି, ତୋତେ ଆଉ କଥାରେ ପାରିଲି ନାହିଁ । କା’ କପାଳରେ କୁଆ ଉଡ଼ୁଛି କେଜାଣି, ତୋ’ମିତି ରଣଚଣ୍ଡୀ ଗଳାରେ ବରଣମାଳ ଦେଉଚି ।

 

ରତି ହସି ହସି କହିଲା–ଆଚ୍ଛା କାନ୍ତି ଅପା, ବଗିଚାରେ ଏତେ ଫୁଲ ଥାଉ ଥାଉ ତମର କାହିଁକି ସେଇ ମଉନ ମୁହଁ ଗୋଲାପ ଫୁଲଟା ଉପରେ ଆଖି ପଡ଼ିଲା, ଯାକୁ ତୋଳିବାକୁ ଗଲେ ହାତରେ ବାଜେ କଣ୍ଟା । ମୋତେ କାହିଁକି ତମ ଏଇ ଗୋଲାପ ଫୁଲଠାରୁ ଆମ ବାଡ଼ିତଳ ଜଙ୍ଗଲର କାନଶିରୀ ଫୁଲ ଭଲ ଦେଖାଯାଏ । ନାହିଁ ରୂପରେ ମୋହ, ନାହିଁ ହସରେ ମାଦକତା–ଯେପରି ଦୁନିଆରେ ସେମାନେ ଅଲୋଡ଼ା, ଆଖୋଜା । ତଥାପି ସେଇଆକୁ ଦେଖିଲେ କାହିଁକି ହୃଦୟ ଅଜାଣରେ ଟାଣିହେଇଯାଏ । ମନଟା ସେହ୍ନରେ ନଇଁପଡ଼େ । ଆଉ ତମ ଏଇ ଗୋଲାପ ଫୁଲଟାକୁ ଦେଖିଲେ ମୋର ଭାରି ରାଗ ହୁଏ । ମନ ହୁଏ ପାଦରେ ଦଳିଦେବାକୁ । ମଣିଷ ଭିତରେ ଯେଉଁଠି ଛୋଟ ବଡ଼ର ବ୍ୟବଧାନ କମି କମି ଆସୁଛି–ସେଠି ଫୁଲ ଭିତରେ ରହିବ କାହିଁକି ?

 

ହସି ହସି କହିଲି–ରତି, ମଣିଷ ଓ ଫୁଲର ବ୍ୟବଧାନ ଭିତରେ ଢେର ପ୍ରଭେଦ । ମଣିଷ ମଣିଷର ଶୋଷୁଚି ରକ୍ତ । ମଣିଷର ମେରୁଦଣ୍ଡ ଉପରେ ସେଇ ମଣିଷର ଚାରୁ ଅଟ୍ଟାଳିକା ମୁଣ୍ଡ ଟେକୁଚି ଉପରକୁ ସେଇଠୁ ଆସୁଚି ଛୋଟ ବଡ଼ର ବ୍ୟବଧାନ । କିନ୍ତୁ ଫୁଲ ଭିତରେ ତା’ ନାହିଁ । ସମସ୍ତେ ସମାନ । ନିଜ ନିଜର ଗୁଣ ନେଇ କିଏ ବଡ଼ କିଏ ସାନ । କିଏ ଆଦର ପାଏ ଜଗତରେ, କିଏ ଲୋକ ଲୋଚନର ଆଗୋଚରରେ ମଉଳି ମଉଳି ଝଡ଼ିଯାଏ ।

 

ରତି କହିଲା, ତମେ ଯା’ କୁହ କାନ୍ତିଅପା, ମୋର କିନ୍ତୁ ତମ ଗୋଲାପ ଫୁଲ ଉପରେ ଭାରି ରାଗ ।

 

ରତି କଥା ଶୁଣି କହିଲି, ହଉ ତୋର ଯଦି ତା’ ପ୍ରତି ଏତେ ଅହନ୍ତା ତେବେ ଛିଣ୍ଡାଇ ଆସୁଚି । ଫୁଲଟାକୁ ଛିଣ୍ଡାଇ ଆଣି ରତି ଜୁଡ଼ା ଦେହରେ ଖୋସିଦେଲି । କହିଲି, ଦେଖିଲ ରତି କେଡ଼େ ସୁନ୍ଦର ମାନୁଚି ।

 

ରତି କହିଲା, ଛି କାନ୍ତିଅପା, ଫୁଲଟା ଫୋପାଡ଼ି ଦିଅ । ଦେଖିଲ ସେ କୋଠାରୁ କିଏ ଜଣେ ଆମର ଆଡ଼େ ଚାହିଁ ରହିଚି ଏକ ଦୃଷ୍ଟିରେ । ପଚାରିଲି, ରତି ଏ ପୁରୁଣା କୋଠାରେ ଏ ନୂଆଲୋକଟି କିଏ ମ ! ଏଇତ ଏଠି ଆଗରୁ ନଥିଲେ ।

 

ରତି କହିଲା, ସେ କୋଠାରେ ଯିଏ ଆଗରୁ ଥିଲେ, ସେମାନେ ଚାଲିଯିବାରୁ କାଲି ଇଏ ଆସି ବୋଧେ ନୂଆ ହେଇ ଭଡ଼ା ନେଇଚନ୍ତି । ଏ ପୁରୁଷ ଜାତିଟା ଏଡ଼ିକି ବେହିଆ ନା, ନିରୋଳା ପାଇଲେ ଇମିତି ମଟମଟ କରି ଅନାନ୍ତି ।

 

କହିଲି, ଜଣେ ଲୋକ ଖରାପ ହେଲା ବୋଲି କ’ଣ ପୁରୁଷ ଜାତିଟା ହେଲା ଖରାପ । କେହି କାହାରିକୁ ଆଉ କ’ଣ ଅନାନ୍ତେ ନାହିଁ ?

 

ରତି କହିଲା–କାନ୍ତିଅପା, ପୁରୁଷ ଜାତି ପ୍ରତି ତମର କାହିଁକି ଭାରି ଦରଦ । ହଉ ଏବେ ତମ ମନ ଯଦି ହେଉଚି, ଏଇଠି ଛିଡ଼ା ହେଇଥାଅ । ସେ ତମକୁ ଚାହୁଁଥାନ୍ତୁ, ତମେ ତାଙ୍କୁ ଚାହୁଁଥାଅ-। ମୁଁ କିନ୍ତୁ ଏଠି ଆଉ ଦଣ୍ଡେ ରହିବ ନାହିଁ । ବାପା ଦେଖିଲେ ଗାଳିଦେବେ, ଯାଉଚି ।

 

ରତି ଦଉଡ଼ି ପକାଇଲା । ଏକୁଟିଆ ବଗିଚା ଭିତରେ ରହିବାକୁ ମୋତେ ଖରାପ ଲାଗିଲା । ସେତେବେଳକୁ ଚାରିଆଡ଼େ ସକାଳର ସୁନା କିରଣ ଜୁଆର ପରି ମାଡ଼ି ଆସୁଥାଏ । କୁଆଡେ଼ ଥିଲା ଦମକା ପବନ ବି ସେତିକିବେଳେ ବାଦ ସାଧିଲା ମୋ ସାଙ୍ଗରେ । ଲୁଗା ସଜାଡ଼ି ରତି ପଛେ ପଛେ ପଳାଇ ଆସିଲି ।

 

ରତି ମୋର ସାନ ଭଉଣୀ । ମୋଠୁ ଚାରିବରଷ ସାନ । ଆମ ଦି’ ଝିଅଙ୍କ ଛଡ଼ା ବାପାଙ୍କର ଆଉ କେହି ନାହାନ୍ତି । ସେଇଥିପାଇଁ ବାପା ବୋଉଙ୍କର ଆମେ ଦିହେଁ ଅତି ଅଲିଅଳ । ବାପା ମୋର କଟକର ନାମଜାଦା ଓକିଲ । ଯଶ ସଙ୍ଗେ ସଙ୍ଗେ ଧନ ମଧ୍ୟ କମେଇଚନ୍ତି ପ୍ରଚୁର । କଟକର ଓଡ଼ିଆ ବଜାରରେ ଜାଗାଖଣ୍ଡେ କିଣି ସୁନ୍ଦର ବଗିଚାଟିଏ କରିଚନ୍ତି । ନିତି ସଞ୍ଜ ସକାଳେ ଆମ ଦି’ ଭଉଣୀଙ୍କର କିଛି ସମୟ ଏହି ବଗିଚାରେ ତଟେ । ବାପା ବି କୋର୍ଟରୁ ଫେରି ଏହି ବଗିଚା ଭିତରେ ପକ୍କା ଚାନ୍ଦିନୀ ଉପରେ ନିଜର ଅବଶ ଦେହଟାକୁ ଜଡ଼ାଇ ସଞ୍ଜ ସମୀରଣରେ ସବୁ କ୍ଳାନ୍ତି, ଅବସାଦ ଭୁଲିଯାନ୍ତି ।

 

ଘରକୁ ପଳାଇ ଆସିବାରୁ ରତି କହିଲା, କାନ୍ତିଅପା, ସେ ଲୋକଟା କାହିଁକି ଆମକୁ ଇମିତି ଅନାଉଥିଲା । ଦେଖାହେଲେ ତାଙ୍କୁ ପଚାରି କହିବି, ତମେ ଏଡ଼ିକି ଅଭଦ୍ର । ଆମକୁ ଟିକିଏ ବଗିଚାରେ ହସିଖେଳି ଦେଲନାହିଁ ।

 

ହସି ହସି କହିଲି, ଛି ରତି, ସେ ମନରେ କ’ଣ ଭାବିବେ । ତୁ ଯେମିତି ଡବଡ଼ବି, କ’ଣ ନାହିଁ କ’ଣ କହିବୁ । ଭଦ୍ରଲୋକ ବିଚରା ଲାଜରେ ମୁହଁ ଟେକିପାରିବେ ନାହିଁ । ରତି କହିଲା, କାନ୍ତିଅପା ସେ ଭଦ୍ରଲୋକ ପ୍ରତି ତମର କାହିଁକି ଭାରି ଦୟା । ମନେ ମନେ କ’ଣ ତାଙ୍କୁ......

 

ଚିଡ଼ିଉଠି ରତିକି ମାରିବାକୁ ହାତ ଉଞ୍ଚେଇଲି । ରତି ହସି ହସି ଦଉଡ଼ି ପଳାଇଲା । ଘରେ ଆସି ଖଟ ଉପରେ ଶୋଇ ଶୋଇ ମୋର ଅଧାପଢ଼ା ନଭେଲଟାକୁ ସାରିବାରେ ଲାଗିପଡ଼ିଲି-। ସେତିକିବେଳେ ଝରକା ଦେଇ ପବନଟା ଆସି ମୋ’ ବହିର ପୃଷ୍ଠା ସାଙ୍ଗରେ ଖେଳିବାକୁ ବସିଲା-। ବିରକ୍ତିରେ ଝରକାଟା ବନ୍ଦ କରିଦେଇ ପୁଣି ପଢ଼ିବସିଲି ।

 

ତା’ ଆରଦିନ । ସଞ୍ଜ ହେଉ ହେଉ ଅନ୍ଧାରର ବୁକୁଚିରି ଫୁଟିଉଠିଲା ଜହ୍ନମାମୁଁର କଅଁଳ ହସ । ହେନାଫୁଲ ଗନ୍ଧ ଚୋରିକରି ସଞ୍ଜୁଆ ସମୀର ଆମଘର ଭିତରେ ସାଇତି ରଖୁଥିଲା । ରୂପକଥାର ଉଆସ ପରି ଜୋଚ୍ଛନା ପରଶରେ ଆମ ଦୋତାଲା କୋଠାଟା ହସିଉଠିଲା ।

 

ଛାତ ଉପରେ ମନଖୁସିରେ ବୁଲି ବୁଲି ଗୁଣୁ ଗୁଣୁ କି ଗୀତ ଗାଉଚି । ରତି ଡାକିଲା, କାନ୍ତିଅପା ! କହିଲି, କ’ଣ କିଲୋ ରତି । ମୁଁ ଏଇଠି ଅଛି–ଆ । ରତି ଦଉଡ଼ି ଦଉଡ଼ି ଆସି କହିଲା, କାନ୍ତିଅପା ଶୁଣିବ, ଗୋଟିଏ ମଜାର କଥା । ପଚାରିଲି କ’ଣ କହୁନୁ ।

 

ସେହି ଯୋଉ ବାବୁ ମ–ଯିଏ ଆମକୁ କାଲି କଣେଇ କଣେଇ ଚାହୁଁଥିଲେ ।

 

ହଁ, କ’ଣ ହେଲା ସେଇଠୁ......

 

ସେଇ ବାବୁ ଆଜି ମତେ ଡାକିଲେ । ଯାଉନଥିଲି, ପୁଣି କ’ଣ ମନକୁ ଭାବି ଗଲି । ମୋ’ ହାତଧରି ଘରକୁ ଟାଣିନେଇ ପଚାରିଲେ ତମ ନାଁ କ’ଣ...ତମ ବାପାଙ୍କ ନାଁ କ’ଣ–କ’ଣ କରନ୍ତି । ଏଠି ତମର ଆଉ କିଏ ଅଛନ୍ତି । ସବୁ ଗୋଟି ଗୋଟି କରି କୁହ–ନଇଲେ ଛାଡ଼ିବି ନାହିଁ ।

 

କହିଲି, ମୋ ନାଁ ରତି । ବାପାଙ୍କ ନାଁ ସୁଶୀଲକୁମାର ପଟ୍ଟନାୟକ । ବାପା ଏଠି ଓକିଲାତି କରନ୍ତି । ଏଇ ଯୋଉ କୋଠାଟା–ବାପା ଏବେ ତିଆରି କରିଛନ୍ତି । ଆମ ଘରେ ବୋଉ, ବାପା, ଚାକର ଦୋ’ଟି ଛଡ଼ା ଆଉ କେହି ନାହାନ୍ତି ।

 

ସେ ମୋ’ କଥା ଶୁଣି ପଚାରିଲେ, କାଲି ଯିଏ ତମ ସାଙ୍ଗରେ ବଗିଚାରେ ବୁଲୁଥିଲେ ସେ କିଏ ? ସେ ତମର କ’ଣ ହୁଅନ୍ତି ?

 

ହସି ହସି କହିଲି, ଏଇ କଥା ଜାଣିବା ପାଇଁ ବୋଧେ ମୋତେ ଡାକିଥିଲ । ବେଶ୍ ତ, ଏ କଥା ନ ପଚାରି ବୁଲେଇ ବୁଲେଇ କ’ଣ ଏତେ ପଚାରୁଚ । ଇମିତି ପଚାରିଲେ ମୁଁ କ’ଣ ଆଉ ଜାଣିପାରିବି ନାହିଁ । ଭାରି ଚାଲାକ୍ ନାଁ !

 

ବାବୁଙ୍କ ମୁହଁଟା ଲାଜରେ ଝାଉଁଳି ପଡ଼ିଲା । କହିଲେ, ଭାରି ଦୁଷ୍ଟ ତମେ ରତି । ମୁଁ କହିଲି, ବା’ରେ ତମେ ପଚାରିବ ସେ କିଏ, ସେ ପଚାରିବେ ରତି, ସେ ବାବୁଟି କିଏ ? ମୋର କି ଦରକାର ଏତେ ଚିହ୍ନା ପରିଚୟ କରାଇବା ।

 

ବାବୁଙ୍କ ସରମବୋଳା ମୁହଁରେ ହସଟିକେ ଉଇଁ ଆସିଲା । ସେତିକିବେଳେ ତାଙ୍କ ମା’ ଆସି ପହଞ୍ଚିଲେ । ମୋତେ ଦେଖି କିମିତି ଚିହ୍ନିଲେ କେଜାଣି ହସି ହସି କୋଳକୁ ଟାଣିନେଲେ । କେତେ କଥା ପଚାରିଲେ । ମୁଁ ମଧ୍ୟ ତାଙ୍କୁ କେତେକଥା ପଚାରି ବୁଝିଲି । ଶେଷରେ ଖାଇବାକୁ ଜଳଖିଆ ଆଣି ଦେଲେ । ଖାଉ ନଥିଲି । ଅରୁଣବାବୁ ମୋ ପାଟିରେ ଜୋର କରି କ୍ଷୀରମୋହନ ଗୋଟେ ପୂରାଇଦେଲେ । ଖାଇ ସାରି ଛୁ...... ।

 

ଆସିଲାବେଳେ ସେ କହିଲେ, କାହିଁ ତାଙ୍କ ନାଁ କ’ଣ–ସେ ତମର କ’ଣ ହୁଅନ୍ତି କିଛି କହିଲ ନାହିଁ ।

 

କହିଲି, ବାଃରେ ଗୋଟେ କ୍ଷୀରମୋହନ ଖୋଇ ମୋ’ଠୁ ଏତେବଡ଼ କଥାଟା ଅସୁଲ କରିବ ବୋଲି ଭାବିଚ । ସେ ମୋ’ କତିରେ ପଟିବ ନାହିଁ । ଯାଉଚି, ଏତିକି କହି ଛୁ.... ।

 

ପଗରିଲି, ବାବୁଙ୍କ ନାଁ କ’ଣ ? ଏଠି କ’ଣ କରନ୍ତି !

 

ତାଙ୍କ ନାଁ ଅରୁଣ କୁମାର ଦାସ । ଏଠି ରେଲୱେ ଅଫିସରେ କାମ କରନ୍ତି । ଘର କେଉଁ ସୁଦୂର ମଫସଲରେ । ବାବୁଟି ବି.ଏ. ପାଶ୍ ।

 

ତାଙ୍କ ସ୍ତ୍ରୀ କେଉଁଠି ?

 

ରତି ଟିକିଏ ଗୁମ୍ ମାରି କହିଲା, ବୁଝି ନାହିଁ ଅପା ! ଆଚ୍ଛା କାଲି ତାଙ୍କଠୁ ବୁଝିଆସି କହିବି ।

 

କହିଲି, ଛିଃ ଏଇକଥା କ’ଣ ପଚାରନ୍ତି । ସେ କ’ଣ ମନରେ ଭାବିବେ ।

 

ଭାବନ୍ତୁ ମୁଁ ନିଶ୍ଚେ କହିବି ଅପା ପଚାରୁଥିଲେ ଆପଣଙ୍କ ସ୍ତ୍ରୀଙ୍କି କାହିଁକି ସାଙ୍ଗରେ ଆଣି ନାହାନ୍ତି ।

 

କହିଲି, ଛିଃ ପଚାରୁଥିଲି ବୋଲି କହିବୁ ନାହିଁ । ଆଉ ଅରୁଣବାବୁଙ୍କୁ କାହିଁକି ପଚାରିବୁ, କଥାଛଳରେ ତା’ଙ୍କ ମା’ଙ୍କଠାରୁ ବୁଝିଆସିବୁ ।

 

ରତିକହିଲା–କାନ୍ତିଅପା, ଅରୁଣବାବୁଙ୍କର ତମରି ଉପରେ କାହିଁକି ଏତେ ସ୍ନେହ । ତମରି ନାଁ, ତମରି କଥା ଶୁଣିବାକୁ ତାଙ୍କର କାହିଁକି ଭାରି ଆଗ୍ରହ ।

 

କହିଲି, ଏମିତି କେତେ ଅଜଣା ଅଶୁଣାରେ ନିଜର ହୋଇଉଠନ୍ତି । ତାଙ୍କ ମନଟାକୁ ସିନା ସହଜରେ ବୁଝିହୁଏ–କିନ୍ତୁ ହୃଦୟଟାକୁ ସହଜରେ ଚିହ୍ନି ହୁଏ ନାହିଁ ।

 

ତେବେ ତ ଏମିତିକା ଲୋକଙ୍କଠାରୁ ଦୂରେଇ ରହିବାକୁ ହେବ । ମୁଁ ଆଉ ଅରୁଣବାବୁଙ୍କ ଘରକୁ ଯିବି ନାହିଁ ।

 

ସ୍ନେହ, ଶରଧାର ମଣିଷ ଚାକର ଲୋ ରତି । ଇଚ୍ଛା ନଥିଲେ ବି ମଣିଷ ବାନ୍ଧି ହୋଇପଡ଼େ । କାହିଁ କେତେ ଦୂରରେ ଅରୁଣବାବୁ ଆଉ ଆମେ । ସମୟର ସୁଅରେ କୁଟାଖିଅ ପରି ଭାସି ଭାସି ମିଶିଥାଇ ଘଡ଼ିକ ପାଇଁ । ପୁଣି ବି ଦିନେ ଉଜାଣି ବତାସରେ ଅଲଗା ହେଇଯିବା–ପୁଣି ଯେଝା ବାଟଧରି ଚାଲିବା ।

 

ସେପାଖ କୋଠାରୁ ବୋଉ ଡାକିଲା, ରତି ! ରତି ! ରତି ଉଠି ପଳାଇଲା । ଆମର କଥା ରହିଲା ସେଇଠି ଅଟକି । ଥିରି ଥିରି ପବନ ସେତେବେଳକୁ ଗଛ, ଲତା, ନଈ, ନାଳ ଚାରିଆଡ଼େ ଜୋଚ୍ଛନା ପାଉଡ଼ର ବୁଣିଦେଉଥିଲା । ଅସ୍ପଷ୍ଟ ଗଛ ଗହଳିରୁ ବେଳେବେଳେ କାଉଟା ବିଳିବିଳେଇ ଉଠୁଥିଲା । ଏକୁଟିଆଟା କୋଠା ଉପରେ ବସି ବସି ସରଗଶଶୀର ସରାଗିଆ ମୁହଁଟାକୁ ଚାହୁଁ ଚାହୁଁ କେତେବେଳେ ଜୋଚ୍ଛନାର ପୀୟୂଷମିଶା ଶୀତଳ ଶେଯ ଉପରେ ଶୋଇ ପଡ଼ିଚି–ଜାଣେନା । ରତି ଆସି ଡାକିଲା–ଅପା ! ଅପା ! କେତେ ରାତି ହେଲାଣି, ଉଠ ଖାଇବ ଚାଲ । ନିଦରୁ ଉଠି ଆଖି ମଳି ମଳି ଧୀରେ ଧୀରେ ତଳକୁ ଗଡ଼ିଲି ।

 

ଦି’ ଦିନ ପରେ । ସେଦିନ ନିଛାଟିଆ ଦି’ପହରେ ବୋଉ ସାଙ୍ଗରେ କିଏ କଥାଭାଷା ହେଉଥାଏ । ଅପରିଚିତ ଗଳା । ସ୍ୱର ବାରି ମୁଁ ସେଇ ଘର ଭିତରକୁ ପଶିଗଲି । ଦେଖିଲି ବୋଉ ସାଙ୍ଗରେ ଆଉ ଗୋଟିଏ କିଏ ବୁଢ଼ୀ ହସି ହସି ସୁଖ ଦୁଃଖର କାହାଣୀ ମେଲି ଦେଇଚି । ବୟସ ନଇଁ ପଡ଼ିଲେ ବି ମୁହଁରୁ ଯୌବନର କାନ୍ତି ଟିକକ ଲିଭି ନାହିଁ । ଆଖିରେ ମାତୃସୁଲଭ ଅମୃତମିଶା ଚାହାଣି, ଆଉ ଓଠରୁ ସରାଗିଆ ହସଟିକ ଝଟକି ଉଠୁଚି ।

 

ବୋଉ କହିଲା, କାନ୍ତି ! ମାଉସୀଙ୍କୁ ପ୍ରଣାମ କର । ମୁଁ ପ୍ରଣାମ କରିବାକୁ ଯାଉ ଯାଉ ମାଉସୀ ମୋତେ କୋଳକୁ ଟାଣିନେଇ କହିଲେ, ଥାଉ’ ମା ସେଇ କ’ଣ ହେଲା ନାହିଁ ।

 

ବୋଉ କହିଲା–କାନ୍ତି ! ମାଉସୀଙ୍କ ପାଇଁ ପାନ ଆଣ । ପାନ ଦି’ଖଣ୍ଡ ଭାଙ୍ଗି ମାଉସୀଙ୍କ ହାତକୁ ଦେଲି । ବୋଉ କହିଲା, କାନ୍ତି, ୟାଙ୍କର ପୁଅ ଅରୁଣବାବୁ ଆମ କୋଠା କର ବସା ନୂଆ ହେଇ ଭଡ଼ା ନେଇଚନ୍ତି । ଅରୁଣବାବୁ ଦଶଟାରେ ଅଫିସକୁ ଯାଆନ୍ତି ଯେ ଫେରୁ ଫେରୁ ଦିନ ପାଞ୍ଚଟା । ମାଉସୀଙ୍କି ଏକୁଟିଆ ଘରେ ଭଲ ନ ଲାଗିବାରୁ ଆଜି ଟିକେ ଅପରୂବ ହେଇ ଆମ ଘରେ ପାଦ ପକେଇଚନ୍ତି ।

 

ମାଉସୀ କହିଲେ, କାନ୍ତି ! ତମେ ତ ପଢ଼ାପଢ଼ି ଛାଡ଼ି ଘରେ ଅଛ । ଆମ ଘରଆଡ଼େ ଟିକେ ଏଣିକି ବୁଲିଯିବ। ଏକୁଟିଆଟା ମୋତେ ମୋଟେ ଭଲ ଲାଗୁନାହିଁ ।

 

ହସି ହସି କହିଲି, ହଉ ମାଉସୀ ଯିବି । ନିଇତି ଖାଇବାକୁ ରଖିଥିବ । ଖାଲି ଖାଲି ଫେରିବି ନାହିଁ ।

 

ମାଉସୀ କହିଲେ, ଗରିବଘର ପଖାଳ ଭାତ ଶାଗ କ’ଣ ତୁମକୁ ରୁଚିବ । କ୍ଷୀରି, ପୁରି ଦେବାକୁ ତ ଆମର ଶକ୍ତି ନାହିଁ ।

 

କହିଲି, ମାଉସୀ ଖାଇବାକୁ ଦବାକୁ ପଡ଼ିବ ବୋଲି ନଇଁ ପଡ଼ିଲେ କ’ଣ ମୁଁ ଛାଡ଼ିଦେବି । ତମ ଖାଇବା ପତରରୁ ପରା ଛଡ଼ାଇ ଖାଇବି ।

 

ବୋଉଙ୍କ ସହିତ କେତେ ସୁଖଦୁଃଖ ପରେ ମାଉସୀ ଉଠିଲେ । କହିଲେ, ଯାଉଛି କାନ୍ତି–ଆଜି ସଞ୍ଜକୁ ଆମ ଘରକୁ ଯିବ । ମୁଣ୍ଡ ହଲାଇ ସମ୍ମତି ଜଣାଇଲି ।

 

ସରଗଲଗା ଦୂର ତାଳବଣ ମଥାନ ଉପରେ ଗୋଧୂଳିର ଆଲୁଅଟିକ ଫିକା ପଡ଼ିଆସିଲା । ବିହଙ୍ଗମର ଶେଷ କୋଳାହଳରେ ଦିବସର ମଉଚ୍ଛବ ବଢ଼ି ଆସିଲା । ଦିଗ୍‍-ବଳୟ ତଳୁ ଧୀରେ ଧୀରେ ଅନ୍ଧାର ଜମି ଜମି ଆସିଲା । ଘଡ଼ିକ ପରେ ଜୋଚ୍ଛନାର ଫୁଲଝରି ମାରି ଏପାରି ଆକାଶରେ ଉଇଁଲା ତୋରା ଜହ୍ନମାମୁଁ । ସେପାରି ରାଇଜରେ ଅନ୍ଧାରରାଣୀ ସରମରେ ଓଢ଼ଣା ଟାଣି ମୁହଁ ଲୁଚାଇଲା । ସଞ୍ଜ ହେଉଁ ନ ହେଉଁଣୁ ଆମ ବାଡ଼ିପଟ ହେନାଫୁଲ ଗନ୍ଧରେ ଘର ବାହାରେ ମହକି ଉଠିଲା ।

 

ବୋଉ କହିଲା–କାନ୍ତି ! ମାଉସୀ ଏତେ କରି କହିଥିଲେ, ଯା’ ତାଙ୍କ ଘରଆଡ଼େ ଟିକେ ବୁଲି ଆସିବୁ । ଇଚ୍ଛାଥିଲେ ବି ଲାଜରେ ଯାହା ନ ଯାଇଥାନ୍ତି, ତହିଁରେ ପୁଣି ବୋଉଙ୍କ ତାଡ଼ନା ପାଇ ଆସିବାକୁ ବାଧ୍ୟ ହେଲି । ରତି ନ ଥାଏ ଘରେ । ଏକୁଟିଆ ଆସିବାକୁ ମାଡ଼ି ମାଡ଼ି ପଡ଼ୁଥାଏ । ତଥାପି ମନର ସଙ୍କୋଚଟିକ ଦୂରକୁ ଠେଲି ମାଉସୀଙ୍କ ଘରେ ପାଦ ଦେଲି ।

 

ମାଉସୀ ରୋଷେଇରେ ଲାଗିଥାନ୍ତି । ମୁଁ ଚୁପ୍ ଚୁପ୍ ଯାଇ ତାଙ୍କ ପଛରେ ଛିଡ଼ାହେଲି । କହିଲି, ମାଉସୀ ବୁଢ଼ୀଦିନେ ରୋଷେଇ କରୁଛନ୍ତି କାହିଁକି, ବୋହୁକୁ କ’ଣ ଆଣି ନାହାନ୍ତି ।

 

ମାଉସୀ ପଛକୁ ଚାହିଁ ଚାହିଁ ହସି ହସି କହିଲେ–ସେ ଭାଗ୍ୟ ମୋର କୋଉଠି ଯୁଟୁଚିଲୋ ମା’ !

 

କାହିଁକି, ପୁଅକୁ କ’ଣ ବାହାକରି ନାହାନ୍ତି !

 

ନାଁଲୋ ମା’ ! ତମପରି ମନଲାଖି ଝିଅ କେଉଁଠି ମିଳୁଚି ଯେ ପୁଅକୁ ବାହା କରିବି ।

 

ମାଉସୀଙ୍କ କଥା ଶୁଣି ମୋତେ ଭାରି ଲାଜ ମାଡ଼ିଲା । ଆଉ କିଛି ପଚାରିବାକୁ ସାହସ ନଥିଲା ।

 

ମାଉସୀ ସତରଞ୍ଜିଟା ଆଣି ଦୁଆରେ ବିଛାଇଦେଇ କହିଲେ, କାନ୍ତି, ବସ । ମୁଁ ବସି ବସି ତାଙ୍କ ସାଙ୍ଗରେ ସୁଖ ଦୁଃଖ ହେଲି । କଥା ମଝିରେ ପଚାରିଲି, ମାଉସୀ ତମର ଆଉ କିଏ ଅଛନ୍ତି ?

 

ମାଉସୀ କହିଲେ–ନାଲୋ ମା ! ମୋର ଆଉ କେହି ନାହାନ୍ତି । ସମସ୍ତେ ବାଟ କାଟିଛନ୍ତି ଆରପାରିକି । ଖାଲି ମୋର ହିନିମାନୀ ଜୀବନଟା ବଞ୍ଚିରହିଛି ଅରୁଣ ପାଇଁ.. । ଶେଷ ପାହାଚରେ ତା’ର ସୁଖଶାନ୍ତି ଟିକେ ଦେଖିଲେ ମନର ସବୁ ଆଶାତକ ପୂରଣ ହେବ । ଶେଷକଥାଗୁଡ଼ା ତାଙ୍କର ବେଦନାରେ ବତୁରି ଯାଇଥିଲା । ସେତିକିବେଳେ କିଏ ଜଣେ ଘର ଭିତରକୁ ପଶି ଆସିଲେ ।

 

ମୁଁ ଲାଜରେ ଉଠି ଛିଡ଼ାହେଲି । ମାଉସୀ କହିଲେ, ଅରୁଣକୁ ଦେଖି ଲାଜ କରୁଚି କି କାନ୍ତି !

 

କହିଲି, ନା ମାଉସୀ ରାତି ହେଲାଣି–ଯାଉଚି ।

 

ମାଉସୀ କହିଲେ, ଆଉ ଟିକିଏ ବସ–ଯିବ ତ ! କୋଉ ଅରମା ବଣ ଭିତରେ ରହିଚି ଯେ ରାତି ହେଲେ ଡର ଲାଗିବ ।

 

କ’ଣ କରିବି–ବାଧ୍ୟହୋଇ ବସିଲି । ମୋତେ ଚିହ୍ନାଇଦେଇ ମାଉସୀ କହିଲେ, ଏ ହେଉଚି ସୁଶୀଲବାବୁଙ୍କ ବଡ଼ଝିଅ କାନ୍ତି । ତାଙ୍କ ଘରକୁ ଖରାବେଳେ ଯାଇ କହିଆସିଥିଲି ବୋଲି ଆଜି ଆମ ଘରଆଡ଼େ ବୁଲି ଆସିଚି । ଭାରି ଗୁଣର । ବଡ଼ ଲୋକର ଝିଅ ବୋଲି ଟିକିଏ ହେଲେ ଗର୍ବ ନାହିଁ ।

 

ଅରୁଣବାବୁ ମୁରୁକି ହସି ମୋ ଆଡ଼କୁ ଚାହିଁଲେ । ମୁଁ ଅନ୍ୟମନସ୍କ ଥିଲା ପରି ମୁହଁ ବୁଲାଇଦେଲି । ମାଉସୀ କ’ଣ ଚୁପ୍ଚୁପ୍ ଅରୁଣବାବୁଙ୍କୁ କହିଲେ । ମୁଁ ମାଉସୀଙ୍କ ଚୁପି ଚୁପି ଭାଷାରୁ ବୁଝିନେଲି ମୋତେ ବୋଧହୁଏ ଚର୍ଚ୍ଚା କରାଯିବାର ଉଦ୍ୟମ ହେଉଚି ।

 

ଟିକିଏ ପରେ ଅରୁଣବାବୁ ଗୁଡ଼ାଏ ଜଳଖିଆ ଧରି ଆସିଲେ । ମାଉସୀ ଗୋଟାଏ ଥାଳିରେ ସବୁ ଅଜାଡ଼ି ମୋତେ ଡାକିଲେ । କହିଲି, ମାଉସୀ, ଇମିତି ମୋତେ ହଇରାଣ କଲେ ଆଉ ଦିନେ ଆସିବି ନାହିଁ । ମାଉସୀ କହିଲେ, ହଇରାଣ ନୁହେଁ ମ କାନ୍ତି । ନୂଆ ହେଇ ଯେତେବେଳେ ଆମ ଘରେ ପାଦ ଦେଇଚ, କିଛି ନ ଖୋଇ ମୁଁ କ’ଣ ଛାଡ଼ିବି । ଆସ । ହାତଧରି ଟାଣିନେଲେ ସେ ।

 

ଖାଇ ବସିଲି । ମାଉସୀ ପାଖରେ ବସି ଏଇଟା ଖା, ସେଇଟା ଖା ତାଗିଦ କଲେ । ଅରୁଣବାବୁ ଟିକିଏ ଦୁରରେ ଛଡ଼ାହୋଇ ଚାହିଁଥାନ୍ତି । ଲାଜ ମାଡ଼ୁଥାଏ । ନ ଖାଇଲେ ମାଉସୀ ରାଣ ପକାଉଥାନ୍ତି । ଖାଉ ଖାଉ ସବୁ ଖାଇଦେଲି । ଅରୁଣବାବୁ ହସି ହସି କହିଲେ, କାନ୍ତି । ସବୁ ଖାଇଲ ମୋତେ ଟିକେ ଡାକିଲ ନାହିଁ ।

 

ଲାଜରେ କିଛି କହିଲି ନାହିଁ । ଉଠି ହାତଧୋଇ ମାଉସୀଙ୍କୁ କହି ଘରକୁ ବାହାରିଲି । ଅରୁଣବାବୁ କହିଲେ, ପାନ ଖାଇବ କାନ୍ତି । କିଛି ନ କହି ହସି ହସି ଚାଲି ଆସିଲି ।

 

ମଝିରେ ଚାରୋଟି ଦିନ ଫୁଲପରି ଫୁଟି ଝଡ଼ିଯାଇଚି । ମାଉସୀଙ୍କ ଘରଆଡ଼େ ଯିବି ଯିବି ହେଇ ଯାଇପାରିନି । ଅରୁଣବାବୁଙ୍କ ହସ ହସ ମୁହଁ ଆଖି ଆଗରେ ନାଚି ଉଠୁଚି । ମାଉସୀଙ୍କ କଅଁଳ ବଚନ ସତେ ଯେପରି କାନପାଖରେ ବାଜି ଉଠୁଚି । କିନ୍ତୁ ଯିବାକୁ ମନ ବଳିଲେ ବି ପାଦ ଚଳୁନାହିଁ । ଅଜଣା ଲାଜ ସଙ୍କୋଚ ମନରେ ସବୁ ବଳ, ସାହସକୁ ଦୁରକୁ ତଡ଼ି ଦେଉଚି ।

 

ଗୋଧୂଳିର ରଙ୍ଗ ଚାଲିଚା ଉପରେ ସେଦିନ ଦିପ୍ରହରର ଥିର ପବନଟା କୁଣିଆ ହୋଇ ଆସିଥାଏ । ସେଥିପାଇଁ ଆମ ବାରି ବଗିଚାରେ ସଜଫୁଟା ଫୁଲ ସୁକୁମାରୀ ଆଡ଼ରୁଷା ଦେଇ ଫୁଟିଉଠିଥାଏ । କୁଆଡ଼େ ଥିଲା ରତି, ଦଉଡ଼ି ଆସି ମୋ କତିରେ ଛିଡ଼ାହେଲା । କହିଲି, ରତି ! ଚାଲ ଅରୁଣବାବୁଙ୍କ ଘରଆଡ଼ୁ ଟିକେ ବୁଲିଆସିବା । ଏଇ ନିଛାଟିଆ ଦିପ୍ରହରଟାରେ ବସି ବସି ଭାରି ଚିଡ଼ି ମାଡ଼ିଲାଣି ।

 

ରତି କହିଲା, କାନ୍ତିଅପା ! ତମେ ଯା–ମୁଁ ଯିବିନି । ଅନେକ ପଢ଼ାପଢ଼ି ବାକି ଅଛି । କାଲି ଯାଇଥିଲି, ଅରୁଣବାବୁଙ୍କ ଦେହ ଭଲ ନଥିଲା । ମାଉସୀ ଭାରି ବ୍ୟସ୍ତ ହେଉଥିଲେ ।

 

ପଚାରିଲି, କ’ଣ ହୋଇଚି ।

 

କ’ଣ ହେବ–ସାମାନ୍ୟ ଟିକେ ଜର ।

 

ଅରୁଣବାବୁଙ୍କ ଦେହ ଖରାପ ଥିବା ଶୁଣି କେଜାଣି ମନଟା ବିଷାଦରେ ଉଠିଲା । ଦି’ଦଣ୍ଡର ପରିଚୟ–ଦି’ପଦ କଥା । ତଥାପି ମନଟା କାହିଁକି ତାଙ୍କରି ଆଡ଼କୁ ଟାଣିହୋଇ ଆସିଲା ।

 

ରତି ପଢ଼ିବାକୁ ଚାଲିଗଲା । ଘରେ ଆଉ ମନଟା ମୋର ଲାଗିଲା ନାହିଁ । ସଞ୍ଜ ହେବାକୁ ଆଉ ବେଶି ଡେରି ନଥାଏ । ଆନ୍ଧାରରେ ଧୀରେ ଧୀରେ ସହରର ଧାଡ଼ି ଧାଡ଼ି କୋଠା ଓ ଦୂର ଗଛଗହଳି ମୁହଁ ଲୁଚାଇଲେଣି ।

 

ବୋଉକୁ କହି ମାଉସୀଙ୍କ ଘରଆଡ଼େ ଆସିଲି । ଦେଖିଲି ଅରୁଣବାବୁଙ୍କୁ ଭାରି ଜର । ମାଉସୀ ଜଗି ବସିଛନ୍ତି । ମୋତେ ଦେଖି ମାଉସୀ କହିଲେ, ମା’ ଅରୁକୁ କାଲିଠୁ ଆଜି ବେଶି ଜର । ଟିକିଏ ଆଗରୁ ଡାକ୍ତର ଆସି ଔଷଧ ଦେଇଯାଇଚି ।

 

କହିଲି, ମାଉସୀ ମୁଁ ଜାଣି ନ ଥିଲି–ରତିଠୁ ଆଜି ଶୁଣିଲି ।

 

ମାଉସୀ କହିଲେ, କାନ୍ତି ! ଅରୁ କତିରେ ଟିକିଏ ବସ । ମୁଁ ଟିକିଏ ସାଗୁ କରି ଆଣେ । ସେ ଚାଳିଗଲେ । ମୁଁ ତାଙ୍କ ମୁଣ୍ଡ ଉପରକୁ ଲାଗି ଖଟ ଉପରେ ବସିଲି । ଦି’ଦିନ ଜରରେ ସେ ବଡ଼ ଦୁର୍ବଳ ଦେଖାଯାଉଥାନ୍ତି । ମୋ ଆଡ଼କୁ କରୁଣ ଦୃଷ୍ଟିରେ ଥରେ ଚାହିଁ ଆଖି ବୁଜିଲେ । ତାଙ୍କ ଦେହରେ ହାତ ମାରି ଦେଖିଲି ତାତି ବଡ଼ ଜୋର । ସେ କର ନେଉଟାଇଲେ । ପୁଣି ଚିତ୍ ହୋଇ ଡାକିଲେ, ବୋଉ ବୋଉ ! ଓଃ ମୁଣ୍ଡ ବିନ୍ଧୁଚି ଭାରି କଷ୍ଟ ।

 

ମନେ ମନେ ଭାରି ହସ ମାଡ଼ିଲା । ଏଡ଼ିକି ଲାଜକୁଳା ପୁଣି ଅରୁଣବାବୁ । କହିଲି, ପାଖରେ ବସିଥିବା ଲୋକକୁ ନକହି ବୋଉକୁ କାହିଁକି ଡାକୁଚନ୍ତି । ମୁଁ ମୁଣ୍ଡ ଚିପିଦେଲେ ଆପଣଙ୍କର କ’ଣ ଆପତ୍ତି ଅଛି ।

 

ମଳିନ ବେଦନାତୁର ମୁହଁ ତାଙ୍କର ଟିକିଏ ପରିତୃପ୍ତିର ଉଜଳି ଉଠିଲା । ମୋ ଆଡ଼କୁ ଚାହିଁଲେ ସତୃଷ୍ଣ ନୟନରେ । ମୁଁ ତାଙ୍କ ମୁଣ୍ଡ ଚିପିଦେବାକୁ ଲାଗିଲି । ଆରାମ ଲାଗିବାରୁ ସେ ଟିକିଏ ଘାଲି ପାରିଲେ ।

 

ମାଉସୀ ସାଗୁ କରି ଆଣିଲେ । କହିଲେ, ସାଗୁ ଏଇଠି ରହିଲା କାନ୍ତି ! ଅରୁ ଉଠିଲେ ଖାଇବାକୁ ଦେବା । ମୁଁ ଯାଉଚି ଗଣ୍ଡାଏ ଫୁଟାଏଁ । କାଲିଠୁ ମା’ ଅରୁ ଚିନ୍ତାରେ ମୋ ପେଟକୁ ଦାନା ଯାଇନାହିଁ । ମାଉସୀ ରୋଷେଇ କରିବାକୁ ଚାଲିଗଲେ ।

 

ଟିକିଏ ପରେ ତାଙ୍କ ଦେହରୁ ତାତି କମି ଆସିଲା । ଝାଳ ବୋହିଲା । ଦେହରୁ ତାଙ୍କର ଝାଳ ପୋଛିଦେଲି । ହାତଟା କେଜାଣି, କାହିଁକି ଥରିଉଠୁଥାଏ, କିଛି ବୁଝିପାରିଲି ନାହିଁ । ସେ କର ଲେଉଟାଇ ମୋତେ ଚାହିଁଲେ । କହିଲି, ଉଠି ସାଗୁ ଟିକେ ପିଇ ଦିଅନ୍ତୁ । ସେ ଭଲ ପିଲାଟି ପରି ଉଠିବସିଲେ । ମୁଁ ସାଗୁ ଥାଳିଆଟା ତାଙ୍କ ହାତକୁ ଦେଲି । ଟିକିଏ ପିଇ ସେ ଆଉ ପିଇବାକୁ ମନାକଲେ । କହିଲି, ପିଇ ଦିଅନ୍ତୁ–ନଚେତ୍ ଶରୀର ଅନାହାରରେ ଦୁର୍ବଳ ହେଇ ପଡ଼ିବ ଯେ । ସେ ମୋ ଆଡ଼କୁ ଉଦାସଭରା ଆଖିରେ ଚାହିଁ ସାଗୁତକ ପିଇଦେଲେ । କହିଲି ଏଥର ଶୋଇପଡ଼ନ୍ତୁ । ସେ ଶୋଇଲେ–ମୁଁ ଚାଦରଟା ତାଙ୍କ ଉପରେ ଘୋଡ଼ାଇ ଦେଇ ମାଉସୀ କତିକି ଚାଲି ଆସିଲି ।

 

ରାତି ସେତେବେଳକୁ ନଅଟା ଉପରେ ବାପାଙ୍କ ଭୟରେ ଆଉ ବେଶି ଡେରିଯାକେ ରହିବାକୁ ମନ ହେଲା ନାହିଁ । ମାଉସୀଙ୍କି କହି ଚାଲି ଆସିଲି । ମାଉସୀ କହିଲେ ନିଇତି ଟିକେ ଆସୁଥିବ କାନ୍ତି !

 

ତା’ ଆରଦିନ ସକାଳ । ବୋଉ ପଚାରିଲା, ଅରୁଣବାବୁଙ୍କ ଦେହ କିମିତି ଅଛି ? କହିଲି, ବେଶି ଜର ଥିଲା । ଅରୁଣବାବୁଙ୍କ ଦେହ ଭଲ ନ ହେବାଯାଏ ନିଇତି ଘରକୁ ଯିବାକୁ ମାଉସୀ ବରାବର କରି କହିଚନ୍ତି । ବୋଉ କହିଲା, ମଝିରେ ମଝିରେ ଟିକେ ଯାଇ ମୁହଁମାରି ଆସୁଥିବୁ । ବୁଢ଼ୀଟି ଏକଲା । ଭାରି ଭଲ ମଣିଷ । ଦେଖିଲେ ମନଟା ଆପେ ଆପେ ତାଙ୍କରି କତିକି ଟାଣି ହୋଇଯାଏ ।

 

ଆମ ଘରକୁ ଅରୁଣବାବୁଙ୍କ ବସାଟା ଲାଗିଚି । ଦାଣ୍ଡବାଟ ଛଡ଼ା ତାଙ୍କ ବସାକୁ ଯିବାକୁ ବାଡ଼ିପାଟେ ବି ଆଉ ଗୋଟାଏ ବାଟ ଅଛି । ଅରୁଣବାବୁଙ୍କ ଘରୁ ଫେରି କାଲି ରାତିରେ କାହିଁକି ଭଲ ଭାବରେ ନିଦ ହେଲା ନାହିଁ । ଅରୁଣ ବାବୁଙ୍କ ଦରମଉଳା ମୁହଁ ସବୁବେଳେ ଆଖି ଆଗରେ ଭାସି ଉଠିଲା । ସପନରେ ବି ଦେଖିଲି ସେ ମୋତେ ଖୋଜୁଛନ୍ତି । କହୁଛନ୍ତି, କାନ୍ତି ! ଏକଲା ଛାଡ଼ି ଚାଲିଗଲ, ନିଦଟା ଇମିତି କେତେ ଥର ଭାଙ୍ଗିଚି । ସପନମିଶା ଚାହାଣିରେ ତାଙ୍କୁ ମୁଁ କେତେଥର ଖୋଜିବି । କିନ୍ତୁ ଘର ଭିତରେ ସେଇ ବହଳ ଅନ୍ଧାର ଭିତରେ ସେ ଲୁଚି ଲୁଚି ମୋତେ ଧରା ଦେଇ ନାହାନ୍ତି । ସାରା ରାତି ସେ ସପନ ରୂପରେ ଆସି ମୋ ସାଙ୍ଗରେ ଖେଳିଚନ୍ତି ଖାଲି ଲୁଚକାଳି ।

 

ପାହାନ୍ତି ପବନ ଆଖିରେ ଯେତେବେଳେ ତା’ର ଶୀତଳ ପରଶ ଦେଇଗଲା–ଅନାଇଲା ରାତି ପାହିଲା ତ । ଝରକା ଦେଇ ସକାଳର ଆଲୁଅ ଟିକିଏ ଆସି ମୋ ଖଟ ଉପରେ ପଡ଼ି ଆଖି ମିଟିକା ମାରୁଚି । ଆଉ ଅଳସ ନକରି ନିଦରୁ ଉଠିଲି ।

 

ସକାଳୁ ମାଉସୀଙ୍କ ଘରକୁ ଯିବାକୁ ମନ କରୁଚି; କିନ୍ତୁ ଯାଇପାରୁ ନାହିଁ । କାଳେ ବୋଉ କ’ଣ ଭାବିବେ । ଯେତେବେଳେ ବୋଉଙ୍କଠାରୁ ଜବାବ ପାଇଲି ଆଉ ମୋର ଡର ସଙ୍କୋଚ ରହିଲା ନାହିଁ । ବାଡ଼ିପଟ ବାଟେ ତାଙ୍କ ଘରକୁ ଆସିଲି ।

 

ମାଉସୀ ଘର କାମରେ ଲାଗିଚନ୍ତି । ଅରୁଣବାବୁ ଶୋଇଚନ୍ତି । ଜର ଆଜି କମ୍ ଅଛି । ମୋତେ ଦେଖି କହିଲେ, କାନ୍ତି ଛିଡ଼ାହେଲ କାହିଁକି ବସ । ମୁଁ ଚେୟାରଟା ଟାଣି ବସିପଡ଼ିଲି । ସେ ମୋ ଆଡ଼କୁ ମୁଗ୍ଧ ଆଖିରେ ଅନାଇଲେ । ଲାଜ ମାଡ଼ିଲା । ତାଙ୍କଆଡ଼କୁ ନ ଚାହିଁ ତଳକୁ ମୁହଁ ପୋତିଲି । ହଠାତ୍ ସେ ଖଟ ଉପରୁ ଉଠି ବାହାରକୁ ଆସୁ ଆସୁ ଘର ଭିତରେ ବାନ୍ତିକରି ପକାଇଲେ । ମୁଁ ଉଠିଯାଇ ପାଣି ଆଣି ଦେଲି । ସେ ମୁହଁଧୋଇ ଖଟ ଉପରେ ବସିଲେ ।

 

ଘର ଭିତରେ ବାନ୍ତିଗୁଡ଼ାକ ଉପରେ ମାଛି ସବୁ ଭଣ ଭଣ ହେଲେ । ମୁଁ ଉଠି ପାଣି ନେଇ ଧୋଇଦେବାକୁ ଗଲି । ଅରୁଣବାବୁ କହିଲେ, ସେ କ’ଣ ହେଉଚି କାନ୍ତି । ମୁଁ ତାଙ୍କ କଥା ନଶୁଣି ଧୋଇବାକୁ ଆରମ୍ଭ କଲି । ସେ ଉଠିଆସି ମୋ ହାତଟା ଧରିପକାଇ କହିଲେ, ଛିଃ ଏ ତମ କାମ ନୁହେଁ । ବୋଉ ଆସି ଉଠାଇଦେବେ, ଥାଉ । ମୁଁ ହସି ହସି କହିଲି, କାହିଁକି, ମୁଁ ଉଠାଇଲେ କ’ଣ କିଛି ଦୋଷ ଅଛି ।

 

ମାଉସୀ ଆସି ପହଞ୍ଚିଲେ । ଅରୁଣବାବୁ ମୋ ହାତ ଛାଡ଼ିଦେଇ କହିଲେ, ଦେଖିଲୁ ବୋଉ, ମନକୁ ମନ କିପରି ମୋ ବାନ୍ତିଗୁଡ଼ା ସଫା କରିବାରେ ଲାଗିଚି । ଯେତେ ବାରଣ କଲେ ମୋଟେ ମାନୁନାହିଁ । କହିଲି କାହିଁକି ମାଉସୀ, ତମେ ତ ପୁଣି ଉଠାଇଥାନ୍ତ–ତମ କାମଟିକୁ ମୁଁ କରିଦେଲେ କିଛି କ୍ଷତି ଅଛି ! ମାଉସୀଙ୍କ ମୁହଁ ଆନନ୍ଦରେ ଉଲୁସି ଉଠିଲା । ହସି ହସି କୋଳକୁ ଟାଣିନେଇ କହିଲେ, କାନ୍ତି, ଏଇଠି ହେଇଚି ଭଗବାନଙ୍କର ଭୁଲ । ତୋତେ ଆମରି ପରି ଗରିବ ଘରେ ପରା ଜନମ ଦେଇ ନାହାନ୍ତି ।

 

ମାଉସୀ ମୋ ହାତରୁ ପାଣିନୋଟା, ଝାଡ଼ୁଟା ଛଡ଼ାଇନେଇ ଘର ଭିତରଟି ସଫା କରିଦେଲେ । କହିଲେ, କାନ୍ତି ତମକୁ ମୁଁ କ’ଣ ଏଇ କାମ କରିବାକୁ ଡାକି ଆସିଥିଲା । କହିଲି, ମାଉସୀ, ତମେ ମୋତେ ପର ବୋଲି ଭାବି, ଯଦି ଆପଣାର ପରି ଭାବୁଥାନ୍ତ ତେବେ କ’ଣ ଇମିତି ମୋତେ ଦୂରେଇ ଦୂରେଇ ରଖନ୍ତ !

 

ମାଉସୀ ହସିଲେ । କହିଲେ, ପାଗଳ ଝିଅଟା ତୁ । ଅରୁଣବାବୁ ସରାଗ ମଉଳା ଓଠରେ ହସ ଟିକେ ହସି କହିଲେ, ତମରି କଥା ହେଲା ଏବେ କାନ୍ତି । ତମେ ଆମଠୁ କେତେ ଦୂରରେ–ସହରରେ ସରଗମିସା ସାତତାଲା କୋଠାରେ ତମର ଜନମ । ଆଉ ଆମେ କେତେ ତଳେ । ପଲ୍ଲୀ–ଗାଁରେ ଭୂଇଁ କାମୁଡ଼ି ହାମୁଡ଼େଇ ପଡ଼ିଥିବା ସନ୍ତସନ୍ତିଆ ମାଟିଘରେ ଆମର ଜନମ । ବଡ଼ଘର ଝିଅ ତମେ । ତମେ କ’ଣ ଆମ ପରି ଗରିବଙ୍କ ନିତିଦିନିଆ ସୁଖରେ ଭାଗ ନେଇପାରିବ !

 

ହସି ହସି କହିଲି, ଭୁଲ ବୁଝିଚନ୍ତି ଅରୁଣବାବୁ । ଥରେ ଯଦି ଅନ୍ତର ଦେଇ ତାକୁ ବୁଝିବାକୁ ସ୍ନେହ, ସେବା, ଦୟା ସବୁଥିରେ ଦି’ଗୁଣ ଆଗେଇ ଯିବେ । ଅରୁଣବାବୁ ମୋ କଥାର ଆଉ ଉତ୍ତର ନ ଦେଇ ମୃଦୁ ହସିଲେ ।

 

ମୁଁ ଉଠିଲି । ମାଉସୀ କହିଲେ–ସଞ୍ଜକୁ ଆସିବ କାନ୍ତି ।

 

ଘରେ ପହଞ୍ଚିଲା ବେଳକୁ ରତି ହସି ହସି ପଚାରିଲା, ଅପା କୁଆଡେ଼ ଯାଇଥିଲା । କହିଲି, କୁଆଡ଼େ ଯିବି–ଏଇଠି ଥିଲି । ରାତି କହିଲା, ଅପା ମୁଁ ଜଣେ ଯେ କୁଆଡ଼େ କହ ତ ? ସେ ହସି ହସି ପଚାରି ହେଉଛୁ କାହିଁକି । ସେ ହସି ହସି କହିଲା, ଆଚ୍ଛା ଅପା, ଅରୁଣବାବୁ ଆମର ତ କେହି ନୁହେଁ । ତଥାପି ତାଙ୍କ ଦେହ ଖରାପ ଶୁଣି ତମ ମୁହଁରୁ ସେ ଦିନ ହସ ଲିଭିଗଲା । ସେ ନ ଡାକିଲେ ବି ତମେ ବଳେ ବଳେ ତାଙ୍କ କତିକି ନିତି ଛୁଟିଯାଅ କାହିଁକି ?

 

କହିଲି, ରାତି ବୟସର ସୁଅରେ ଜୀବନ–ନଉକା ଚହଲି ଚହଲି ଭାସି ଚାଲିଥାଏ ମନ ପବନରେ । କେତେବେଳେ କୋଉ କୂଳକୁ ଆଉଜି ପଡ଼େ–କେହି କହିପାରେନା । ସମୟ ଆସିଲେ ତୁ ପୁଣି ଦିନେ ବୁଝିବୁ । ତୁ ବି ଦିନେ କାର ଅଯାଚିତ ସ୍ନେହ ଟିକେ ମାଗିନେବୁ । ଏଇ ସରଗର ଉଡ଼ା ଚଢ଼େଇ ବି ଦିନେ ମଣିଷ ହାତରେ ଧରାଦେଇ ତା’ର ସ୍ନେହ ଟିକେ ଯାଚିଦିଏ । ମଣିଷ କ’ଣ ତା’ର ପ୍ରତିଦାନ କିଛି ଦିଏନା !

 

ରତି କହିଲା, ଅପା, ତମର ଏଇ ବଡ଼ ବଡ଼ କଥା ବୁଝିବାକୁ ମୁଣ୍ଡରେ ମୋର ମସଲା ନାହିଁ । ଆଚ୍ଛା ଚାଲିବଟି ମୋତେ ସେ ଗୀତଟା ଲେଖିଦେବ । ଆମ ସ୍କୁଲର ଭେରାଇଟି ସୋକୁ ସେ ଗୀତଟା ମୋର ନିହାତି ଦରକାର ।

 

ମୋ ହାତଧରି ସେ ଟାଣି ଟାଣି ନେଇଗଲା ।

 

କୁଆଡ଼େ ଥିଲା ସରଗର ସଜଫୁଟା ସୁଷମା ଫୁଲଟି ଝଡ଼ାଇଦେଇ ବହି ଆସିଲା ଦମକା ପବନ । ଅଦିନିଆ କଳା ବଉଦ ସେତିକିବେଳେ ଘୋଟି ଆସିଲା । ଟିକିଏ ପରେ ଆମ ସେପାଖ କୋଠା ଟିଣଛାତ ଉପରେ କିଏ ରଣଝଣ ବାଜା ବଜାଇଲା । ଆମ ଦୁଆର ପାଣିସୁଅ ଉପରେ ସରଗ ରାଇଜର ବିଜୁଳି କନିଆ ଆସି ଆଲୁଅ ଲହଡ଼ି ଖେଳେଇ ଦେଇଗଲା–ଥରେ ନୁହେଁ ବାର ବାର ।

 

କେତେ କରି ମାଉସୀ କହିଥିଲେ ସଞ୍ଜକୁ ଯିବାକୁ । କିନ୍ତୁ କୁଆଡ଼େ ଥିଲା ଏ ଅଦିନିଆ ମେଘଟା ମନର ସରାଗ ଭାଙ୍ଗିଦେଇ ଘର ଭିତରେ ବାନ୍ଧି ରଖିଲା । ଅରୁଣବାବୁଙ୍କ କଥା ଭାବି ଭାବି ରାତିଟା କଟିଗଲା ।

 

ତା’ ଆରଦିନ ଛାଇନେଉଟା ବେଳେ ମାଉସୀଙ୍କ ଘରଆଡ଼େ ଆସିଲି ଅରୁଣବାବୁ ଖଟ ଉପରେ ଶୋଇଥାନ୍ତି । ପଚାରିଲି–ଦେହ କିପରି ଅଛି ।

 

ଭଲ ଅଛି । ଆଜି ଜର ମୋଟେ ନାହିଁ ।

 

ମାଉସୀ କାହାନ୍ତି ?

 

ବୋଉ ତ ତମ ଘରଆଡ଼େ ଟିକିଏ ଆଗରୁ ଗଲେ । ଦେଖା ହୋଇନାହିଁ......

 

ନାଁ, ସେ ବୋଧେ ଦାଣ୍ଡବାଟେ ଯାଇଚନ୍ତି, ମୁଁ ବାଡ଼ିପଟେ ଆସିଲି । ଯାଉଚି–ମାଉସୀ ତ ନାହାନ୍ତି, ଏକୁଟିଆ ବସିବି କ’ଣ ।

 

ସେ ହସି ହସି କହିଲେ, ମୁଁ ତ ତମ ପାଖରେ ଅଛି । ଏକୁଟିଆ କିପରି ହେଲ । ମୋ ସାଙ୍ଗରେ ପଦେଅଧେ ସୁଖଦୁଃଖ ହେଲେ କ’ଣ ତମ ମନରେ ବାଧା ଆସିବ କାନ୍ତି !

 

କହିଲି, ମୋ ମନରେ ବାଧା ଆସିବ ନାହିଁ ଯେ, ବଡ଼ଲୋକ ଝିଅ ସାଙ୍ଗରେ କଥା କହିଲେ କାଳେ ଆପଣଙ୍କ ଗଉରବଟିକ ତଳେ ପଡ଼ିଯିବ, ସେଇଥିପାଇଁ ଏକୁଟିଆ ଏଠି କାଠଖୁଣ୍ଟପରି ବସି ରହିବା ଅପେକ୍ଷା ଚାଲିଯିବା ଭଲ ।

 

ସେ ହସି ହସି କହିଲେ, ମୋତେ ତୁମେ ଭୁଲ ବୁଝନା କାନ୍ତି, ମୋ ଜୀବନର ଅନୁଭୂତିରୁ ମୁଁ ଜାଣେ ବଡ଼ଲୋକ ଘରର ପୁଅଝିଅଙ୍କ ମନ ଓ ହୃଦୟ ଭିନ୍ନ ଉପାଦାନରେ ଗଢ଼ା । ସେମାନେ ଗରିବଙ୍କୁ ଗୋଟାଏ କାଠ ପିତୁଳା ପରି ନଚେଇ ନଚେଇ ଦି’ ଦଣ୍ଡ ପାଇଁ ଭଲପାଇ ପୁଣି ଫୋପାଡ଼ି ଦିଅନ୍ତି । ସେଇଥିପାଇଁ ସେମାନଙ୍କଠାରୁ ମୁଁ ସବୁବେଳେ ଦୂରେଇ ରହେ । ଗରିବ ଯଦି ତାକୁ ଜୀବନ ଦେଇ ଭୁଲରେ ଥରେ ଭଲପାଇ ବସେ, ତେବେ ସେ ପୁଣି ନିଜେ ତଳକୁ ଖସିପଡ଼େ । ଆଉ ଚିରଦିନ ପାଇଁ ପାଏ ଅବଶୋଷର ନିଆଁରେ ମନ–ସନ୍ତୁଳା ଦାଗ ।

 

କହିଲି, ସ୍ନେହ ନିକିତିରେ ଗରିବ ବଡ଼ଲୋକ ସମାନ, ତଥାପି ଧନ ଆଉ ଆଭିଜାତ୍ୟର ମୋହରେ ବି ବେଳେ ବେଳେ ବଡ଼ଲୋକ ତା’ର ବଡ଼େଇ ଦେଖେଇ ଗରିବଠାରୁ ଦୂରକୁ ଘୁଞ୍ଚି ଆସନ୍ତି । କିନ୍ତୁ ସମସ୍ତେ କ’ଣ ସମାନ । ସମସ୍ତଙ୍କର ମନ ପ୍ରାଣ ତ ଗୋଟାଏ ଉପାଦାନରେ ଗଢ଼ା ନୁହେଁ । ଯିଏ ଆପଣଙ୍କ ଅନ୍ତରର କୋମଳ ତନ୍ତ୍ରୀରେ ଦେଇଚି ଆଘାତ–ସେ କଦାପି ତା’ ଜୀବନରେ କଳ୍ପିତ ଶାନ୍ତିଟିକ ପାଇବ ନାହିଁ । ନିଶ୍ଚୟ ଦିନେ ନା ଦିନେ ତା’ର ଆଶା ଆକାଂକ୍ଷାର ହେବ ପରାଜୟ । ସେତେବେଳେ ସେ ଅତୀତର କୁହୁଡ଼ି ଉହାଡ଼ରୁ ଖୋଜି ବସିବ ତା’ର ସେଇ ଅତି ଆପଣାର ଦିନଗୁଡ଼ିକୁ ।

 

ସେ ହସି ହସି କହିଲେ, କ’ଣ ହେବ ଖୋଜି । ଦଣ୍ଡକରେ ଜୀବନର ନିରାଟ ସତକଥାକୁ ଯିଏ ମିଥ୍ୟାର ଆବରଣ ତଳେ ଘୋଡ଼ାଇ ପକାଇ ସାରା ଜୀବନ ପାଇଁ କନ୍ଦେଇ ଦେଇଗଲା–ଆଉ ତା’ରି ସ୍ମୃତିକୁ ଲୋଡ଼ି ବସିଲେ ଯାଏ କେତେ ଆସେ କେତେ ।

 

କହିଲି, ତଥାପି ନିଜର ଭୁଲଟାକୁ ସଜାଡ଼ିବା କ’ଣ ସୁନ୍ଦର ନୁହେଁ ।

 

ସେ କହିଲେ, ଜାଣି ଜାଣି ନିଜର ଭୁଲରେ ସେ ଜଣଙ୍କ ମନରେ ଯୋଉ ଆଘାତ ଦେଇଚି ଓ ସେହି ଆଘାତ ଦେବା ଫଳରେ ନିଜ ମନରେ ଯୋଉ ପରାଶଟିକ ଲାଗିଚି, ସେଇଆକୁ ସେ ସାରା ଜୀବନରେ କ’ଣ ଲିଭାଇ ପାରିବ । ଆଉ ଏତେବଡ଼ ଭୁଲ ଜୀବନରେ କ’ଣ ସୁଧାରି ହୁଏ ?

 

ଜଣକୁ ସୁଧାରି ନପାରିଲେ ତ ନିଜକୁ ସୁଧାରି ପାରିବ । ଆଉ ତା’ରି ଭିତରେ ଅପରର ଦୁଃଖ ଟିକେ ଲାଘବ କରିବା ପାଇଁ ଆକୁଳ ନିବେଦନ ଢାଳିଦେବ ଅଦେଖା ଦେବତାର ଚରଣ ତଳେ–ଅଶ୍ରୁର ଫୁଲେ ଫୁଲେ ଜୀବନର ଅର୍ଘ୍ୟ ସଜାଡ଼ି ।

 

ସେ ହସି ହସି କହିଲେ, କାନ୍ତି, ତମର ଆଦର୍ଶ ବଡ଼ ମହତ । କିନ୍ତୁ କାହିଁ ମୋ ଜୀବନ ଭିତରେ ତମପରି ଝିଅ ତ ଗୋଟିଏ ଦେଖିବାକୁ ପାଇଲି ନାହିଁ ।

 

ତାଙ୍କ ମୁହଁରୁ ପ୍ରଶଂସାଟିକ ଶୁଣି ଲାଜରେ ମୁହଁଟା ତଳକୁ ନଇଁ ପଡ଼ିଲା । ପରକ୍ଷଣରେ ମୁହଁ ଉଠାଇ ଅନାଇଲି, ସେ ମୋତେ ଚାହିଁଛନ୍ତି କି ଏକ ଆବେଗଭରା ଚାହାଣିରେ । ଆଖି ଦି’ଟା ବାର ବାର ଅଜଣାରେ ତାଙ୍କରି ଆଡ଼କୁ ଟାଣି ହେଇଗଲା ।

 

ସେତିକିବେଳେ ମାଉସୀ ଆସି ପହଞ୍ଚିଲେ । କହିଲେ କାନ୍ତି, ତମେ ଆସି ଏଠି । ମୁଁ ତମ ଘରେ ଖୋଜୁଚି । ହଉ, ତମେ ଅରୁ ସାଙ୍ଗରେ ବସି ଗପ କର, ମୁଁ ଯାଇ ସଞ୍ଜ ଦି’ଟା ବଳିଦିଏ । ବେଳ ତ ଗଲାଣି । କହିଲି, ନାଁ ମାଉସୀ, ମୁଁ ଯାଉଚି, ବାପା ଆସି ସଞ୍ଜବେଳେ ଖୋଜିବେ ।

 

ଘର ଭିତରୁ ବାହାରି ଆସି ଦେଖେ, ଗୋଧୂଳିର ମଉଳା ଆଲୁଆଟିକ ଦୂର ଗଛଗହଳି ପତର ସନ୍ଧିରେ ଲୁଚି ଯାଉଛି । ଆଉ ସରଗ ରାଇଜର ଦଳ ଦଳ ଚଢ଼େଇଗୁଡ଼ା ତା’ରି ଉପରେ ବସି ଜୀବନର ଆଲୁଅ ଅନ୍ଧାର ଛବିଦେଖୁ ଦେଖୁ ମେଲିଦେଇଚନ୍ତି କରୁଣ ମଧୁର ଗୀତ । ପକ୍ଷୀର କାକଳିରେ ଆଉ ସଞ୍ଜ ପବନର ମୃଦୁ କୋମଳ ସ୍ନିଗ୍ଧ ପରଶରେ ଧରଣୀରାଣୀ ସତେ ଯେପରି ପାଇଛି ତା’ ଜୀବନର ଚିରବାଞ୍ଛିତ ଶାନ୍ତି ଟିକକ ।

 

ମାଉସୀ କହିଲେ, ଯିବ ତ କାନ୍ତି, ଆଉ ଟିକିଏ ବସ । ତମକୁ କତିରେ ପାଇଲେ ଜୀବନର ସବୁ ଜଞ୍ଜାଳ ଭିତରେ କାହିଁକି ଆଶାର ଆଲୁଅଟିକ ମୋତେ ଆତ୍ମହରା କରିଦିଏ । ଭାବେ ତମେ ଯଦି ମୋ ପାଖେ ପାଖେ ସବୁଦିନେ ରୁହନ୍ତ...କିନ୍ତୁ ଏତେବଡ଼ ସୌଭାଗ୍ୟ କ’ଣ ମୋ ଭାଗ୍ୟରେ ଅଛି । ଶେଷ କଥା ପଦକରେ ତାଙ୍କ ଆଖି ଲୁହରେ ନଇଁ ଆସିଥିଲା ।

 

କହିଲି, ମାଉସୀ ସ୍ନେହ ମମତାରେ କାହିଁକି ଇମିତି ବାନ୍ଧି ରଖୁଚ । ଘରକୁ ଗଲେ କୋଉଠି ମନ ଲାଗୁ ନାହିଁ । ଖାଲି ସବୁବେଳେ ମନ–ହରିଣୀ ମୋର ଛୁଟି ଆସୁଚି ଜୀବନର ଘନ ଜଙ୍ଗଲ ଭିତରେ ତମରି କତିକି ଟିକିଏ ଶାନ୍ତିରେ ରାହା ପାଇବାକୁ ।

 

ମାଉସୀ କହିଲେ, ଦେବତାର ମାୟା ଲୋ କାନ୍ତି, ତା’ନହେଲେ ତମ କତିରେ ଆମେ ବସା ବାନ୍ଧିଥାନ୍ତୁ କାହିଁକି । ଆଉ ତମେ ବି ଆମକୁ ଦେଖୁ ଦେଖୁ ଏତେ ଆପଣାର କରନ୍ତ କାହିଁକି । ସବୁ ତାଙ୍କରି ମାୟା–ମଣିଷ ଖାଲି ତା’ରି ଭିତରେ ଆପେ ଆପେ ଆସି ବାନ୍ଧି ହେଉଛି । ଏତିକି କହି ମାଉସୀ ସଞ୍ଜ ବଳି ବସିଲେ ।

 

କହିଲି ମୋତେ ଦିଅ, ମୁଁ ସଞ୍ଜ ବଳି ଦେଉଚି–ତମେ ଯାଅ ଚୁଲି ଲଗାଇବ ।

 

ମାଉସୀ ହସି ହସି ଉଠିଗଲେ । ମୁଁ ସଞ୍ଜ ବଳି ଚଉରା କତିରେ ଥୋଇ ଘର ଭିତରେ ଜାଳିଦେବାକୁ ଗଲି । ଦେଖିଲି, ଅରୁଣବାବୁ ଶୋଇଚନ୍ତି । ଡାକିଲି, ଉଠନ୍ତୁ ସଞ୍ଜବେଳଟାରେ ଶୋଇଛନ୍ତି କାହିଁକି ? ସେ ଉଠି ପଚାରିଲେ, ତମେ କ’ଣ କାନ୍ତି ! କହିଲି, ହଁ ମୁଁ–ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ସଞ୍ଜବତୀ ଜାଳିଦେଇ ଅନାଇଲି ତଥାପି ତାଙ୍କ ମୁହଁରୁ ବିସ୍ମୟର ଛାଇ ଅପସରି ଯାଇ ନାହିଁ ।

 

ମାଉସୀଙ୍କୁ ଯାଇ କହିଲି, ଏଥର ମୋତେ ଛୁଟି ଦିଅ । ମାଉସୀ ହସି ହସି କହିଲେ, ସାରା ଜୀବନରେ ତମକୁ କ’ଣ ମୁଁ ଛୁଟି ଦେଇପାରିବି କାନ୍ତି–ଖାଲି ଦେବି ଟିକେ ଅବକାଶ । ହଉ ଯାଅ । ଚାଲି ଆସିଲି । ଆସିଲାବେଳେ ମାଉସୀଙ୍କର ସ୍ନେହମିଶା କଥାଗୁଡ଼ା କାହିଁକି ମନ ଭିତରେ ଘାଲି ପାରୁଥାଏ ।

 

ଘରେ ପହଞ୍ଚିଲା କ୍ଷଣି ବାପା ଦେଖି ପଚାରିଲେ, କାନ୍ତି କୁଆଡ଼େ ଯାଇଥିଲୁ । ଉତ୍ତର ଦେବାକୁ କଣ୍ଠରୁ ମୋର ଭାଷା ଫେରିଲା ନାହିଁ । ଟିକିଏ ଗୁମ୍ ଖାଇଲା ପରି ମୋତେ ଛିଡ଼ାହେବା ଦେଖି ପୁଣି ପଚାରିଲେ, ମୁହଁରୁ କଥା ବାହାରୁନି କି ? ସେତେବେଳେ ବୋଉ ଆସି ପଚାରିଲେ, ତାକୁ କ’ଣ ଏତେ ପଚାରୁଚ । ବାପା ଟିକିଏ ବିରକ୍ତ ହେଲାପରି କହିଲେ, ସଞ୍ଜବେଳେ କାନ୍ତି କୁଆଡ଼େ ଯାଇଥିଲା ଯେ ପଚାରିବାରୁ ପାଟିରୁ କଥା ବାହାରୁ ନାହିଁ । ବୋଉ ହସି ହସି କହିଲା, ଏଇଆକୁ ଏତେ ତାଗିଦା, ଆମ କୋଠା କରରେ ଯିଏ ନୂଆ ହେଇ ଆସି ରହିଚନ୍ତି, ତାଙ୍କରି ଘରକୁ ଯାଇଥିବ ।

 

ବାପା କହିଲେ, କାହିଁକି, ଅଜଣା ଅଶୁଣା ଲୋକଙ୍କ ଘରକୁ ଏତେ ଯିବା ଆସିବା ହେଉଚି । ବୋଉ ହସି ହସି କହିଲା, ତମେ ଜାଣିନା । ଅରୁଣବାବୁଙ୍କ ମା’ ଭାରି ଭଲ ମଣିଷ । ଦଣ୍ତକେ ତମକୁ ସେ ପୁଅ ପରି କରିନେବେ । କେତେ ଥର ଆମ ଘରଆଡ଼େ ଆସିଲେଣି । କାନ୍ତିକି ସେ ଝିଅ ପରି ଦେଖନ୍ତି । ବୁଢ଼ୀଟି ଘରେ ଏକଲା–କାନ୍ତିକି ଟିକିଏ ପଠାଇବାକୁ କେତେ କରି ମୋତେ କହିଥିଲେ ବୋଲି ମୁଁ ଯିବାକୁ ସାହସ ଦେଇଚି । ସେ କ’ଣ ଆଉ ନିଜ ମନକୁ ଯାଇଚି । ବୋଉ କଥାପଦକ ଶୁଣି ବାପା ଆଉ କିଛି କହିଲେ ନାହିଁ । ମୁଁ ସୁନାପିଲାଟି ପରି ଧୀରେ ଧୀରେ ଦୋତାଲା ଉପରକୁ ଚାଲି ଆସିଲି ।

 

ବାପାଙ୍କ ଡରରେ ଚାରିଦିନ ଆଉ ଅରୁଣବାବୁଙ୍କ ଘରକୁ ଯାଇ ନାହିଁ । କାଳେ ମୋତେ ସେ ସନ୍ଦେହ ଦୃଷ୍ଟିରେ ଦେଖିବେ, ଏଇ ଡରରେ ନିଜ ଘରଛଡ଼ା ଏଇ କେଇଦିନ ପଦାକୁ ବାହାରି ନାହିଁ । ଅନ୍ତର ଭିତରୁ ଅରୁଣବାବୁଙ୍କ ସରାଗଭରା ଛବିଟି ବରାବର ଉଙ୍କିମାରି ମୋତେ ଦେଖାଦେଇଚି । କିନ୍ତୁ ସପନରେ ଧରାଦେଇ ଜାଗରଣରେ ସେ ମୋତେ କରିଚନ୍ତି କରଛଡ଼ା ।

 

ସେଦିନ ଖରାବେଳେ । ଅରୁଣବାବୁଙ୍କ ସ୍ମୃତିରେ ମନଟା ଘାରି ହେଲା । ଆଉ ନିଜକୁ ଆୟତ୍ତ କରିପାରିଲି ନାହିଁ । ମାଉସୀଙ୍କ ସ୍ନେହ ଶରଧାଟିକ ମୋତେ ତାଙ୍କ କତିକି ଟାଣି ଆଣିଲା ।

 

ଆସି ଦେଖେ ମାଉସୀ ବସି ପାନ ଭାଙ୍ଗୁଚନ୍ତି । ଅରୁଣବାବୁ ଅଫିସକୁ ଯାଇଛନ୍ତି । ମାଉସୀ ମୋତେ ଦେଖି ପଚାରିଲେ, କାନ୍ତି ତମର କାହିଁକି ଏ କେତେ ଦିନ ହେଲା ଦେଖା ନାହିଁ । ମାଉସୀଙ୍କୁ ପର କରିଦେଲଣି ନା କ’ଣ ?

 

ହସି ହସି କହିଲି, ନା ମାଉସୀ ତମକୁ ମୁଁ କ’ଣ ପର କରିପାରିବି । ଓଲଟି ତମେ ମୋତେ ଦିନେ ପରକରି ଚାଲିଯିବ । ମାଉସୀ କହିଲେ, କାନ୍ତି, ତମକୁ ଦେଖିଲେ କେଜାଣି କାହିଁକି ଗୋଟାଏ ଅଜଣା ଆଶା ମୋତେ ପାଗଳ କରିଦିଏ । କିନ୍ତୁ ଆକାଶ କୁସୁମକୁ ଆଶା କରି କ’ଣ ହେବ । ଜୀବନର ବଳବୟସ ଧୀରେ ଧୀରେ ହଟିଯାଉଚି–ମନଭରା ପୁଲକଟିକ ପାଇବି ପାଇବି ବୋଲି ଚାହିଁ ବସିଚି । କାହିଁ କିଛି ତ ହେଉ ନାହିଁ । ଅରୁ ମୋର ପାଗଳାମି ଛାଡ଼ୁ ନାହିଁ । ଖାଲି ସବୁଦିନେ ମୋତେ କନ୍ଦାଇ କନ୍ଦାଇ ମାରୁଚି ।

 

ମାଉସୀଙ୍କ କଥା କିଛି ବୁଝିପାରିଲି ନାହିଁ । ପଚାରିଲି, ଅରୁଣବାବୁ କ’ଣ ପାଗଳାମି କରୁଚନ୍ତି !

 

ମାଉସୀ କହିଲେ, ତମେ ଦେଖୁଛ କାନ୍ତି, ମୁଁ ଆଉ ଘରଧନ୍ଦାକୁ ପାରୁନାହିଁ । କେତେ କରି ଅରୁକୁ କହିଲି, ଅରୁ ବହାସାହା ହେଇ ମୋତେ ଛୁଟି ଦେ । ମୁଁ ତମର ଲୀଳା ଦେଖି ଟିକିଏ ଶାନ୍ତିରେ ଦିନ କାଟେ । ତଥାପି ତା’ ମନ ଟଳୁ ନାହିଁ । ସେଇ ଗୋଟାଏ କଥା–ଦିନ କ’ଣ ମା’ ଚାଲିଯାଉଚି । ମୋର ଏତେ ଅନୁନୟ ବିନତିରେ ତା’ର ପାଷାଣ ଚିତ୍ତ ଟିକିଏ ଟଳୁ ନାହିଁ । କହୁ କହୁ ମାଉସୀଙ୍କ ଆଖି କ’ଣରେ ଲୁହ ଟିକିଏ ଜକେଇ ଆସିଲା ।

 

କହିଲି, ମାଉସୀ ଦୁଃଖ କାହିଁକି କରୁଛନ୍ତି । ବେଳ ଆସିବ ପୁଣି ତାଙ୍କରି ଅବୁଝା ମନ ଘର ଧରିବ । କେତେ ଦିନ ସେ ଜୀବନର ସୁଖ ସରସତାକୁ ଉପର ମନରେ ଆଡ଼େଇ ଆଡ଼େଇ ଚାଲିବେ ।

 

ମାଉସୀ କହିଲେ, ସେ ହେଲାବେଳକୁ ମୁଁ ମା’ ମାଟିରେ ମିଶିଥିବି । ଚମ ଧୁଡ଼ୁ ଧୁଡ଼ୁ ହାଡ଼ଖଣ୍ଡ ନେଇ ମୁଁ ମା’ ଆଉ କେତେଦିନ ବଞ୍ଚିବି । ଅନ୍ତର ଭିତରୁ ତାଙ୍କର ଗୋଟିଏ ଦୀର୍ଘଶ୍ୱାସ ବାହାରି ଶୂନ୍ୟରେ ମିଳାଇଗଲା । କଥା ବଦଳେଇ ପୁଣି କହିଲେ, ଆଚ୍ଛା କାନ୍ତି, ତୁ ଟିକିଏ ଅରୁକୁ ଆମର ବୁଝାଇ କହିଲେ ହେବନି ! ନିଶ୍ଚୟ ତୋ’ କଥା ରଖିବ । କି ତା’ ମନରେ ଆଉ କିଛି ଅଭିଳାଷ ଅଛି ଇଙ୍ଗିତରେ ତୁ କ’ଣ ବୁଝିପାରିବୁନି । ମୁଁ ସିନା ବୁଢ଼ୀ ଲୋକ ବୁଝିପାରୁ ନାହିଁ ।

 

ମାଉସୀଙ୍କ ମନ ରଖିବାକୁ କହିଲି, ହଉ ମାଉସୀ କହିବି ।

 

ପାନ ଭାଙ୍ଗିସାରି ମାଉସୀ କହିଲେ, କାନ୍ତି ତମେ ବସ । ମୁଁ ଅରୁଣ ଟେବୁଲ ଉପର ବହିପତ୍ରଗୁଡ଼ା ସଜାଡ଼ି ଦିଏ । କେତେଦିନ ହେଲା ଖେଳା ମେଳା ହେଇ ପଡ଼ିଚି ।

 

ମୁଁ କହିଲି, ନା ମାଉସୀ, ତମେ ଶୋଇ ଶୋଇ ଆରାମ କର, ମୁଁ ସଜାଡ଼ି ଦେଉଚି । ମାଉସୀ କହିଲେ, ନା କାନ୍ତି ! ଅରୁ ଜାଣିଲେ ମୋ ଉପରେ ବିରକ୍ତ ହେବ । ତମେ ଆସିଚ ଏଠି ହସିଖେଳି ଯିବାକୁ ନା ଏଇ କାମ କରିବାକୁ । ନା, ତମକୁ ମୁଁ ତା’ କରାଇଦେବି ନାହିଁ । ମାଉସୀ ଉଠି ବହିପତ୍ର ସଜାଡ଼ିଲେ ।

 

କହିଲି, ମାଉସୀ, ତମେ ମୋର ମାଉସୀ ନୁହଁ ମା’–ମୁଁ ତମର ଝିଅ । ଝିଅ ବସି ଥାଉ ଥାଉ ମା’ କାମ କରିବ...ୟା କ’ଣ କୋଉଠି ହୁଏ । ମୋତେ ତମେ କାମ କରିବାକୁ ଦିଅ । ମୋ ନଥିଲା ବେଳେ ଯା’ କରିବ । ହସି ହସି ତାଙ୍କ ହାତରୁ ବହିପତ୍ର ଛଡ଼ାଇ ଆଣିଲି ।

 

ମାଉସୀଙ୍କ ମୁହଁ ଗୋଟାଏ ଅଜଣା ଆନନ୍ଦରେ ଝଟକି ଉଠିଲା । ସେ ହସି ହସି ଦୂରକୁ ଘୁଞ୍ଚିଗଲେ । ମୁଁ ଟେବୁଲଟା ସଜାଡ଼ି ସାରି ଖଟ ଉପର ବିଛଣାଟା ଉଠାଇ ଭଲକରି ଝାଡ଼ି ପାରିଦେଲି । ତା’ ଉପରେ ବିଛଣା ଚଦରଟା ବିଛାଇ କହିଲି, ମାଉସୀ, ଦେଖିଲ ସବୁ ଠିକ୍ ହେଲା ତ !

 

ମାଉସୀ ମୋତେ କୋଳକୁ ଟାଣିନେଇ କହିଲେ, କାନ୍ତି ତମେ କାହିଁକି ଏତେ ମାୟା ଲଗାଉଚ ! ହସି ହସି କହିଲି, ତମେ ସ୍ନେହ ଦେଇ ପାଖକୁ ଡାକି ଆଣୁଚ । ମାୟାଜାଲରେ ପକାଇ ମୋତେ ବାନ୍ଧି ରଖୁଚ । ମୋର ଆଉ ଶକ୍ତି କାହିଁ ତମର ସ୍ନେହର ବନ୍ଧନ କାଟିବାକୁ ।

 

ତା’ ପରେ କେତେ ସୁଖ ଦୁଃଖ ହେଇ ମାଉସୀଙ୍କଠାରୁ ବିଦାୟ ନେଲି । ଅରୁଣବାବୁ ସେତେବେଳଯାଏ ଫେରିନଥାନ୍ତି । ମନ ହେଉଥାଏ ଆଉ ଦଣ୍ଡେ ରହି ଅରୁଣବାବୁଙ୍କ ଚିକ୍କଣ ଶାନ୍ତ ପୁଲକମଖା ଛବିଟିକୁ ଥରେ ଦେଖି ଯିବାକୁ । ଘରକିନ୍ତୁ ଏଠିକି ମୋ ଆସିବା ଘରେ କେହି ଜାଣି ନଥାନ୍ତି । ସେଇ ଡରରେ ଚଞ୍ଚଳ ପଳାଇ ଆସିଲି ।

 

ତା’ ଆରଦିନ । ସଞ୍ଜ ହେଉଣୁ ବାପା କୁଆଡ଼େ ବାହାରକୁ ଚାଲିଗଲେ । ବୋଉକୁ କହି ଅରୁଣବାବୁଙ୍କ ଘରଆଡ଼େ ଚାଲିଆସିଲି । ସେତେବେଳକୁ ଦୂର କୋଠା ସେପଟ ଗହଳିଆ ଗଛସନ୍ଧିରୁ ଉଠି ଆସୁଥିବା ଜହ୍ନର ସ୍ନିଗ୍ଧ କିରଣତକ ଛାଣିହେଇ ରାସ୍ତା ଉପରେ ପଡ଼ୁଥାଏ ।

 

ମାଉସୀ ଦୁଆରେ ରୋଷେଇରେ ଲାଗିଥା’ନ୍ତି । ଅରୁଣବାବୁ ଖଟ ଉପରେ ଶୋଇ ଶୋଇ କ’ଣ ଗୋଟାଏ ବହି ପଢ଼ୁଥା’ନ୍ତି । ଘର ଭିତରକୁ ମୁଁ ପଶିଗଲାରୁ ସେ ଶବଦ ବାରି ଅନାଇଲେ । ମୋତେ ଦେଖି ଉଠିପଡ଼ି କହିଲେ, ବହୁତ ଦିନ ପରେ କ’ଣ କାନ୍ତି !

 

କହିଲି, କାହିଁକି ନ ଆସିଲେ କ’ଣ କେବେ ଦିନେ ଖୋଜିବାକୁ ଯାଇଚନ୍ତି !

 

ମନେ ମନେ ତମକୁ ମୁଁ କେତେବାର ଖୋଜିଚି ତା’ ତମେ ଜାଣିବ କିପରି ?

 

କାହିଁକି ଖୋଜୁଚନ୍ତି । ମୁଁ ବା ଆପଣଙ୍କର କି ଦରକାରରେ ଆସିବି ।

 

ଅଦରକାରରେ କ’ଣ ଖୋଜା ଯାଏନା । ସ୍ନେହ ସରାଗ ଖାଲି କ’ଣ ଦରକାରରେ ଚୁମ୍ୱକ ପରି ଟାଣି ନିଏ ।

 

ଆପଣ ପରା ବଡ଼ଘର ଝିଅଙ୍କୁ ଭିନ୍ନ ଆଖିରେ ଦେଖନ୍ତି, ସେଠି ସ୍ନେହ ସରାଗର ଆକର୍ଷଣ ଆସିବ କୋଉଠୁ !

 

ସେ ହସି ହସି କହିଲେ, ଆସିବାଟା ତ ଅସ୍ୱାଭାବିକ ନୁହେଁ । ଆଉ ଦୃଷ୍ଟିକୋଣ ଯଦି ବଦଳି ଯାଇଥାଏ......

 

ତେବେ ସେ ଆମର ସୌଭାଗ୍ୟ ଅରୁଣବାବୁ । ଛାଡ଼ନ୍ତୁ ସେ କଥା । ଆପଣଙ୍କଠାରେ ମୋର ଗୋଟାଏ ଜରୁରୀ କଥାବାର୍ତ୍ତା ଅଛି । ଆପଣ ମୋ ପ୍ରଶ୍ନର ଉତ୍ତର ଦେବାକୁ ବର୍ତ୍ତମାନ ପ୍ରସ୍ତୁତ ଅଛନ୍ତି ତ !

 

ମୋ ମୁହଁରୁ ଏହି କଥା ପଦକ ଶୁଣି ଅରୁଣବାବୁ ଟିକିଏ ଆଶ୍ଚର୍ଯ୍ୟ ହେଲାପରି ଚାହିଁ ରହିଲେ ।

 

କହିଲି, କ’ଣ ନୀରବ ରହିଲେ ଯେ ?

 

ସେ ମୁରୁକି ହସି କହିଲେ, କ’ଣ କହନା ।

 

ମୁଁ ହସି ହସି କହିଲି, ମାଉସୀ କାନ୍ଦୁଚନ୍ତି । ତାଙ୍କର ବଳ ବୟସ ହଟିଲାଣି । ଆଉ ବା କେଇଦିନ । ଆପଣ ବାହାସାହା ହେଲେ ସେ ଟିକିଏ ଶାନ୍ତିରେ ନିଶ୍ୱାସ ମାରିବେ । ଆପଣଙ୍କ ଏଥିରେ ମତ କ’ଣ ଜଣାଇବାକୁ କୁଣ୍ଠାବୋଧ କରିବେ ନାହିଁ ।

 

ସେ ମୃଦୁ ମୃଦୁ ହସିଲେ । କହିଲେ, ତମର ପ୍ରଶ୍ନ ବଡ଼ ଜଟିଳ କାନ୍ତି । ଉତ୍ତର ଦେବା ସମୟସାପେକ୍ଷ ।

 

କହିଲି, ହଉ ତେବେ ଆପଣଙ୍କୁ ସାତଦିନ ସମୟ ଦିଆଗଲା । ଆପଣ ଏ ବିଷୟରେ ଶେଷ ସିଦ୍ଧାନ୍ତ କରି ଉତ୍ତର ଦେବେ । ଯାଉଚି ।

 

ସେ କହିଲେ, ଏତେ ଚଞ୍ଚଳ କ’ଣ ଉଠିଲଣି । ବସ ଏକୁଟିଆଟା ଘରେ କ’ଣ କରିବ ।

 

କହିଲି, ନାହିଁ ଅରୁଣବାବୁ ଆଜି ଟିକିଏ ଘରେ କାମ ଅଛି । ଯାଉଚି, ପୁଣି କାଲି ଆସିବି-। ଉଠିଲି ।

 

ସେ ଅଭିମାନ କରି କହିଲେ, ତମକୁ ଜୋର କରି ଅଟକାଇବାର ଅଧିକାର ତ ମୋର ନାହିଁ । ଯିବ ତ ଯାଅ । ଗରିବ ବୋଲି ନିଇତି ଯେପରି ଏଇ ସରାଗ କଣିକାରୁ ଊଣା ନ କର ।

 

ହସି ହସି କହି ଆସିଲି, ହଉ ହେଲା । କିନ୍ତୁ ଆପଣ ଯେପରି ମାୟା ମମତାର ବନ୍ଧନଟି କାଟି ନ ଦିଅନ୍ତି । ଆପଣଙ୍କ ବାଟରେ ଯାଉ ଯାଉ କୋଉ ଅଜଣା ପଥିକକୁ ସାଥିକରି ପୁଣି ଯେପରି ତାକୁ ବାଟବଣା କରି ନ ଦିଅନ୍ତି ।

ରାତିରେ ଶୋଇଲାବେଳେ ଅରୁଣବାବୁଙ୍କ କଥା ମନ ଭିତରେ ଗୁରେଇ ତୁରେଇ ହେଉଥାଏ । ତାଙ୍କ ଅଭିମାନଭରା କଥାପଦକ ମୋ ପ୍ରତି ଆଜି ନୂଆ । କାହିଁ କେବେ ତ ଏପରି କୁହନ୍ତି ନାହିଁ । ତାଙ୍କୁ ମୁଁ ଆପଣାର କରି ଧରିବାକୁ ଗଲେ ସେ ଦୂରରେ ଯାଆନ୍ତି । ଧରାଛୁଆଁ ଦିଅନ୍ତି ନାହିଁ କିନ୍ତୁ ଆଜି ତାଙ୍କର ଏତେ ପରିବର୍ତ୍ତନ କାହିଁକି ? କିଛି ଭାବି ଠିକ୍ କରିପାରିଲି ନାହିଁ । ଭାବିଲି, ତେବେ ସେ କ’ଣ ମୋତେ ଅନ୍ତର ଭିତରେ ସ୍ନେହ କରନ୍ତି । ଭାବନାର ଆଲୋକ ଅନ୍ଧାର ଭିତରେ ମନଟା ମୋର ଜୀବନର ଛବି ଆଙ୍କୁ ଆଙ୍କୁ କେତେବେଳେ ନିଦ ଆସି ଆଖିରେ ବସା ବାନ୍ଧିଚି ଜାଣେ ନାହିଁ ।

ତା’ ଆରଦିନ ଚାରିଟାବେଳେ ମାଉସୀଙ୍କ ଘରଆଡ଼େ ଚାଲିଆସିଲି । ଅରୁଣବାବୁ ସେତେବେଳେକୁ ଅଫିସରୁ ଫେରି ନଥାନ୍ତି । ମାଉସୀ ଦୂଆର ଝାଡ଼ୁ ଦେବାରେ ଲାଗିଥା’ନ୍ତି । ମୋତେ ଦେଖି କହିଲେ, କାନ୍ତି ଅରୁ ଘରେ ଯାଅ ବସିଥାଅ । ମୁଁ ଯାଉଚି ।

ମୁଁ ଅରୁଣବାବୁ ଘର ଭିତରକୁ ଆସି ବସିପଡ଼ିଲି । ଅନାଇଲି, ବହିପତ୍ରଗୁଡ଼ା ଅସଜଡ଼ା ଅବସ୍ଥାରେ ପଡ଼ିଚି । ଖଟ ଉପରେ ବିଛଣାଟା ଲୋଚାକୋଚା ହୋଇଯାଇଚି । ଭାବିଲି, ଅରୁଣବାବୁଙ୍କ ଆସିବା ଆଗରୁ ଯାଉଚି ବହିପତ୍ର ସଜାଡ଼ି ବିଛଣାଟା ଭଲକରି ପାରିଦେବି । ମାଉସୀ ତ କହିଥା’ନ୍ତେ, ତାଙ୍କ କାମଟା ମୁଁ କରିଦେଲେ କ୍ଷତି କ’ଣ ବା ଅଛି । ସେ ଦେଖିଲେ ଆହୁରି କେତେ ଖୁସି ହେବେ ।

ଏଇଆ ଭାବି ଟେବୁଲ ଉପରେ ବହିଗୁଡ଼ା ଭଲକରି ସଜାଡ଼ି ଦେଲି । ତା’ ପରେ ଖଟ ଉପର ବିଛଣା ଚାଦରଟା ଉଠାଇ ଝାଡ଼ୁଚି ହଠାତ୍ ଅରୁଣବାବୁ ଆସି ପହଞ୍ଚିଲେ । ମୋ ହାତରେ ତାଙ୍କର ବିଛଣା ଚାଦର ଝଡ଼ା ହେବା ଦେଖି ସେ ଟିକିଏ ବିରକ୍ତିଭରା ଦୃଷ୍ଟିରେ ଚାହିଁଲେ । ତାଙ୍କ ଅବସ୍ଥା ଦେଖି ମନ ବଦଳାଇବାକୁ ମୁଁ ପଚାରିଲି, ଆଜି କ’ଣ ଏତେ ଡ଼େରି । ସେ କିଛି ଉତ୍ତର ନଦେଇ ମୋ ହାତରୁ ବିଛଣା ଚାଦରଟା ଛଡ଼ାଇ ନେଇଗଲେ । କହିଲେ, ଏପରି କଲେ ତମକୁ ମୁଁ ଆସିବାକୁ ବାଧାଦେବି କାନ୍ତି । ଏସବୁ କାମ ତମର ମୁଁ ମୋଟେ ପସନ୍ଦ କରୁ ନାହିଁ । ତାଙ୍କର ବିରକ୍ତିଭରା କଡ଼ା କଥା ପଦକରେ ହଠାତ୍ ମୋ ଆଖିରେ ଲୁହ ଛଳ ଛଳ ହୋଇ ଆସିଲା । ଭାବିଲି, ତାଙ୍କର ଭଲ କରିବାକୁ ଯାଇ କ’ଣ ଏଇ ବ୍ୟବହାର ପାଇବି ବୋଲି ଆଶା କରିଥିଲି । ଏତେଦିନେ ଏଠିକି ବଳେବଳେ ଆସିବାର ଯଥେଷ୍ଟ ପୁରସ୍କାର ଯାଇଚି । ଆଉ ମିନିଟିଏ ରହିବାକୁ ଇଚ୍ଛା ହେଲା ନାହିଁ । ଆଖିରୁ ଲୁହ ପୋଛି କ୍ଷୀପ୍ର ଗତିରେ ପଳାଇ ଆସିଲି ।

 

ପଛରୁ ଅରୁଣବାବୁ ଡାକ ଛାଡ଼ୁଥାନ୍ତି, କାନ୍ତି ଶୁଣ–ଚାଲି ଯାଅନା ।

 

ମାଉସୀ କହୁଥାନ୍ତି, କାନ୍ତି କୁଆଡ଼େ ଯାଉଚ । ରୁହ, ତମଠାରେ ମୋର କଥା ଅଛି । କାହାରି କଥାକୁ କାନ ନ ଦେଇ ଏକା ନିଶ୍ଵାସରେ ଚାଲି ଆସିଲି ।

 

ଘରେ ଆସି ତାକିଆ ଉପରେ ମୁହଁମାଡ଼ି ବହେ କାନ୍ଦିଲି । କେତେବେଳ ଯାଏ କାନ୍ଦୁଚି ମୋତେ ଜଣା ନାହିଁ । ତଳଘରୁ ବୋଉ ଡାକଶୁଣି ଉଠି ଅନାଇଲି । ସଞ୍ଜ ଅନ୍ଧାର ଘର ଭିତରେ ମୋତେ ହଜାଇ ଦେଇଚି । କିଛି ବାରି ହେଉ ନାହିଁ । ସ୍ୱୀଚ୍ ଟିପି ଘର ଭିତରଟା ଆଲୁଅ କରିଦେଲି-? ଆଖିରୁ ଲୁହ ପୋଛି ତଳକୁ ଆସିଲି ।

 

ତଳେ ଆସି ଦେଖେ ମୋର ବନ୍ଧୁ ସୁରମା, ଅନିମା ଦିହେଁ ଆସିଚନ୍ତି । ବୋଉ କହିଲା, କାନ୍ତି ସିନେମା ଯିବୁ ଯଦି ଯା । ରତି ଯିବ । ସୁରମା, ଅନିମା ବି ମଟର ନେଇ ଆସିଚନ୍ତି । ଫେରିଲାବେଳେ ସେମାନେ ଏଇବାଟେ ଛାଡ଼ିଦେଇଯିବେ ।

 

ଅରୁଣବାବୁଙ୍କ ଘରୁ ଫେରିଲାବେଳେ ମନଟା ସ୍ଥିର ହୋଇ ନଥିଲା । ବ୍ୟଥାର ତୀବ୍ର ଆଘାତରେ ଅସରନ୍ତି ଭାବନା ମନଟାକୁ ଚହଲାଇ ଦେଉଥିଲା । କହିଲି, ନା ବୋଉ ମୁଁ ଆଜି ଯିବିନାହିଁ । ସୁରମା, ଅନିମା ଦିହେଁ ଜିଦ୍ ଧରିଲେ ତୁ ନ ଗଲେ ଆମେ କେହି ଯିବୁ ନାହିଁ । ସୁରମା, ଆନିମାର ହାତଧରି କହିଲି, କ୍ଷମା କରିବ ଭଉଣୀ ମୁଁ ଆଜି ଯାଇ ପାରୁନାହିଁ । ଆଉ ଦିନେ ପଛେ ଯିବି । ରତି ତ ଯାଉଚି, ମୁଁ ନ ଗଲେ କ’ଣ ହେଲା । ସୁରମା କହିଲା, ତୋର କ’ଣ ହେଇଚି, ମୁହଁ କାହିଁକି ନିରସ ଦିଶୁଚି । ରତି କହିଲା, ଅପାର ବାହାଘର ଲାଗିଲାଣି । ସେଇଥିପାଇଁ ମୁହଁ ମଳିନ–ମନ ନିରସ । ଅନିମା କହିଲା, କାନ୍ତିଅପା ଏଇଥିପାଇଁ ଏତେ ମନ ଦୁଃଖ କ’ଣ ମ । ହାତେ ଓଢ଼ଣା ଟାଣି ଥିରି ଥିରି ଏ କ’ଣ ଏତେ ଚଞ୍ଚଳ ସମସ୍ତଙ୍କର ଭାଗ୍ୟରେ ଯୁଟେ । ସୁରମା, ରତି ଦୁହେଁ ହସିଉଠିଲେ ।

 

ଆଉ ଦିନ ହୋଇଥିଲେ ଅନିମାକୁ ସାଙ୍ଗେ ସାଙ୍ଗେ ଉତ୍ତର ଦେବାକୁ ଛାଡ଼ି ନଥାନ୍ତି । କିନ୍ତୁ ମନ ପରାଶରେ ଆଜି କିଛି କହିଲି ନାହିଁ । ସେମାନେ ବିଦାୟ ନେଇ ଚାଲିଗଲେ । ଉପରକୁ ପଳାଇ ଆସିଲା । ଟିକିଏ ପରେ ସରଗ ଦରିଆରେ ଜୋଚ୍ଛନାର ଜୁଆର ଉଠାଇ ଦ୍ୱିତୀୟାର ଜହ୍ନ ହସିଉଠିଲା । ନୀଳ ଆକାଶ ଦରିଆ ବୁକୁରେ ଭାସି ଭାସି ଗଲା କେଇଟା ବଉଦ ନଉକା ବୁଡ଼ି ଯାଉଥିବା ଅନ୍ଧାର–ରାଣୀକୁ ପାରି କରିବାକୁ ଦିଗନ୍ତ ସେପାରିକି । ଅନ୍ଧାରରେ ଆଲୁଅ ଦେଖୁ ଦେଖୁ ନିଦ ବାଉଳା ପକ୍ଷୀ କେଇଟା ଗାଇ ଉଠିଲେ ସପନ ବାହୁନା ଗୀତ । ସରଗ ଯେଉଁଠି ବାରି ହେଉନାହିଁ–ପବନ ଛୁଟୁଥିଲା ସେହି ଅଜଣା ରାଇଜକୁ–ଫୁଟା ଫୁଲ ମହକ, ନୂଆ ରାଇଜର ଖବର, ନୂଆ ମଣିଷର ସନ୍ଧାନ ନେଇ । ଦୁନିଆର ଶୋଭା ସମ୍ପଦ ଆଜି କାହିଁକି ମୋତେ ବିଷ ପରି ବୋଧ ହେଲା ।

 

ବିଛଣାରେ ଶୋଇ ଶୋଇ ଭାବିଲି ଖାଲି ଅରୁଣବାବୁଙ୍କ କଥା । ଅରୁଣବାବୁ ଏଡ଼େ ନିଷ୍ଠୁର–ହୃଦୟହୀନ । କାହିଁକି ତାଙ୍କ ପ୍ରତି ମୁଁ ଅଜଣାରେ ଟାଣି ହେଇଗଲି । ସେତ ମୋଠୁ ବହୁ ଦୂରରେ...। ଅନ୍ତର ଦେଇ ଭଲ ପାଇଲେ, ସ୍ନେହ ଦେଇ ନିଜର କଲେ ଯିଏ ମନରେ ଦିଏ ଆଘାତ–ସୁନାର କଳ୍ପନାକୁ ଚୂନା କରି ଯେ ରଖେ ନିଜର ଗଉ–ତାକୁ ଭଲ ପାଇବା ନିଜର ଭୁଲ ନୁହେଁ ତ ଆଉ କ’ଣ !

 

ମାଉସୀଙ୍କର ନରମବୋଳା କଥା ପଦକରେ ମୁଁ ଭୁଲିଯାଇଛି ନିଜକୁ । ଅରୁଣବାବୁଙ୍କ ସ୍ନିଗ୍ଧ ମନୋହର ରୂପ ମୋ ଆଖିରେ ଲଗାଇଚି ଭେଳିକି । ମୁଁ ପ୍ରକୃତରେ ଅନ୍ଧ ହୋଇ ଯାଇଥିଲି । ଏତେ ଦିନେ ଆଖି ଫିଟିଚି । ଅରୁଣବାବୁଙ୍କ ପ୍ରକୃତ ପରିଚୟ ପାଇଚି । ନିଜକୁ ତାଙ୍କଠାରୁ ବଞ୍ଚାଇବି-। ସେ ଦୂରରେ ରହିଲେ ମୁଁ ତାଙ୍କଠାରୁ ଆହୁରି ଦୂରକୁ ଘୁଞ୍ଚିଯିବି । ଇମିତି ଭାବିଲି ଖାଲି ଭାବିଲି-। ରାତି ଗଲା, ଦିନ ଆସିଲା । ଦିନ ମଉଳିଲା, ପୁଣି ମାଧବୀ ରାତି ହସି ଉଠିଲା । କିନ୍ତୁ ମୋର ବିଷାଦ ଅନ୍ଧାରରେ ହଜି ଯାଇଥିବା ଅସରନ୍ତି ଭାବନାର ଦିଗଭାଗ ମିଳିଲା ନାହିଁ ।

 

ସେଇ ଦିନଠୁ ଅରୁଣବାବୁଙ୍କ ଘରକୁ ପନ୍ଦର ଦିନକାଳ ମାଡ଼ି ନାହିଁ କି ଏହା ଭିତରେ ଭୁଲରେ ଥରେ ହେଲେ ତାଙ୍କ ସହିତ ଭେଟ ହୋଇନାଇଁ । ସେଦିନ ଖରାବେଳେ ମାଉସୀ ଆମ ଘରକୁ ଆସିଥିଲେ । ମୋତେ ଦେଖି ଅଭିମାନଭରା କେତେ କଥା କହିଲେ । କାନ୍ତି, ମାଉସୀକୁ ମଲା ତଳେ କାଟିଦେଲଣି ନାଁ କ’ଣ ? ଆଉ କାହିଁକି ଆମ ଆଡ଼େ ଟିକେ ପାଦ ପଡ଼ୁନାହିଁ । ନାଁ ଗରିବ ବୋଲି ମାୟା ଲଗାଇ ପୁଣି କରକୁ ଆଡ଼େଇଦେଇ ଚାଲି ଆସିଲ । ମାଉସୀଙ୍କର କଥା ପଦକ ମୋ ମନର ପରାଶ ଟିକେ ପୋଛିଦେଲା । କିନ୍ତୁ ପରକ୍ଷଣରେ ଅରୁଣବାବୁଙ୍କ ବ୍ୟବହାର ମୋ ଆଖି ଆଗରେ ଭାସି ଉଠିଲା ।

 

ମାଉସୀଙ୍କ କଅଁଳ କଥାରେ ମୁଁ ଆଉ ଭୁଲିଲି ନାହିଁ । କହିଲି ମାଉସୀ, ବାପାଙ୍କ ଡରରେ ମୁଁ ଆଉ କୁଆଡ଼େ ବୁଲି ଯାଉ ନାହିଁ । ତମର ମୁଁ ଝିଅ । ଯେତେ ଦୂରରେ ଥିଲେ ଝିଅ କ’ଣ ମା’ର ନ ହୋଇ ଆଉ କା’ର ହେବ ! ମୋ କଥାରେ ସେ ଭୁଲିଲେ ନାହିଁ । ବାରମ୍ଵାର କରି କହିଗଲେ ତାଙ୍କ ଘରକୁ ଯିବାକୁ । କିନ୍ତୁ ତାଙ୍କର ଅନୁରୋଧକୁ ମୁଁ ଏଡ଼ିଦେଇ ଅରୁଣବାବୁଙ୍କଠାରୁ ଦୂରରେ ରହିଲି । ତାଙ୍କ ସ୍ମୃତିକୁ ଜୋର କରି ସବୁବେଳେ ମନରୁ ତଡ଼ିବାରେ ଲାଗିଲା ।

 

ଅଠର ଦିନ ପରେ । ସେଦିନେ ଦି’ପହରର ଖରାତେଜ ସହି ନପାରି ପବନ କୁଆଡ଼େ ଘାଲି ପାରିଥାଏ । ଭାରି ଗରମ ହେଇଥାଏ । ମୋ ରୁମରେ ପଙ୍ଖା ଖୋଲି ଆରାମରେ ମୁଁ ଶୋଇ ପଡ଼ିଥାଏ । ହଠାତ୍ କାହା ଡାକରେ ମୋ ସୁଖର ନିଦଟି ରଟ୍‍ କରି ଭାଙ୍ଗିଗଲା । ଅନାଇଲି, ରତି ହସି ହସି କହୁଚି ଅପା ଶୋଇଚ କ’ଣ ଉଠ । ଦେଖିଲ ଏଇଟା କ’ଣ ! ତା’ ହାତରେ ଗୋଟାଏ ଚିଠି ଦେଖି ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି । ପଚାରିଲି, କାହା ଚିଠି ?

 

ସେ ହସି ହସି କହିଲା, ଶ୍ରୀମତୀ କାନ୍ତି ଦେବୀଙ୍କର ।

 

ତେବେ ଦେ ମୋ ଚିଠି ।

 

କିନ୍ତୁ ବକସିସ୍ । ସେଇଟା ଆଗେ ନ ମିଳିଲେ ଏତେବଡ଼ ଗୋପନ ଚିଠିଟି ଦିଆଯାଇ ପାରିବ ନାହିଁ ।

 

କଅଁଳେଇ କହିଲି, ହଉ ସୁନା ଭଉଣୀଟା ପରା ଦେ ।

ସେ ଚିଠିଟା ମୋ ହାତକୁ ଦେଇ କହିଲା, ଅରୁଣବାବୁ ଦେଇଚନ୍ତି । ତାଙ୍କ ଚିଠିର ଉତ୍ତର ଗୋପନରେ ମୋ ହାତରେ ଦେବ । ନିଶ୍ଚୟ–ଭୁଲିବ ନାହିଁ । ବାରବାର କରି ସେ କହିଛନ୍ତି । ଆଜି କାହିଁକି ତାଙ୍କ ମନଟା ଭଲ ଜଣାଯାଉ ନ ଥିଲା । ବଡ଼ ଉଦାସୀନ ଦିଶୁଥିଲେ । ଅରୁଣବାବୁଙ୍କର କ’ଣ ହେଇଚି କି ଆପା ?

କହିଲି, ପରେ କହିବି, ତୁ ଏଇକ୍ଷଣି ଯା !

ରାତି ଚାଲିଗଲା । ମୁଁ ଚିଠିଟା ଖୋଲି ପଢ଼ିଲି–

ସ୍ନେହର କାନ୍ତି,

ଚିଠିଟି ଲେଖିଲା ବେଳେ କେଉଁ ସମ୍ବୋଧନରେ ତମକୁ ଡାକିବି କିଛି ସ୍ଥିର କରି ନପାରି ଶେଷରେ ସ୍ନେହର କାନ୍ତି ବୋଲି ଲେଖିଲି । ଦି’ ଦିନର ପରିଚୟ ଭିତରେ ତମେ ଯେତେବେଳେ ମୋର ଟାଣୁଆ ପଥର ପରି ମନରେ ଗୋଟାଏ ସ୍ନେହର ଦାଗ ଆଙ୍କି ଦେଇଥିଲ–ତେଣୁ ତୁମକୁ ମୋର ସ୍ନେହର କହିବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା ।

ଘର ଭିତରେ ଚିଠିଟି ଲେଖିଲା ବେଳେ ବାରବାର ଚାହୁଁଚି ଏଇ ମିଞ୍ଜି ମିଞ୍ଜି ପ୍ରଦୀପଟି । ମୋର ମନର ପରାଶ ସେହି ହୁଏତ ବୁଝୁଚି–ଆଉ ମଳିନତାରେ ଅଧୀର ହେଉଚି । ଆଉ କେହି ମୋର ମନର ପାତଳ ପରଦା ଠେଲି ବୁକୁଭରା ସାଇତା’ ବେଦନାର ଅନ୍ଧକାର ଦେଖି ପାରୁନାହିଁ ।

 

ଆଜିକି ଅଠରଟି ଦିନ ହେଲା ତମେ ମୋତେ ଦେଖାଦେଇ ନାହିଁ କି ମୁଁ ନ ଥିଲାବେଳେ ଭୁଲରେ ବି ଆମ ଘର ମାଡ଼ି ନାହଁ । ମୁଁ ଯଦି ତମ ମନରେ ଦେଇଚି ଆଘାତ–ତେବେ ସେହି ଆଘାତକୁ ତମେ କ’ଣ ହସି ହସି ଲିଭାଇ ଦେଇପାରି ନଥାନ୍ତ । ନିଜର ଅସାଧାରଣ ସ୍ନେହ ବଳରେ ମୋର ଅନ୍ତର ମନକୁ କ୍ଷତାକରେ ଚହଲାଇ ଧୈର୍ଯ୍ୟ ଦମ୍ଭ ପାଣି ଫୋଟକା ପରି ନିମିଷକେ ମିଳାଇ ଦେଇଥିଲ–ଆଉ ଆଜି ଏତକ ପାରି ନଥାନ୍ତି । ମୁଁ ସିନା ଦୋଷ କରିଥିଲି, କିନ୍ତୁ ବୋଉ, ସେ ତ ଦୋଷ କରି ନଥିଲା । ତାଙ୍କ ସ୍ନେହର ଦରବିକଶିତ କଳିକାଟିକୁ ବି ମଉଳାଇ ଦେଲ ।

 

ହଉ ମୋର ଭୁଲ ହୋଇଚି । ଦୋଷ ନିଜେ ସ୍ଵୀକାର କଲା ପରେ ଯାହା ଦଣ୍ଡ ତମେ ଆସି ଏଇଠାରେ ଦିଅ । ଯଦି ଚିରଦିନ ପାଇଁ ସ୍ନେହର ବନ୍ଧନଟି ଛିଡ଼ାଇ ଦେଇଥାଅ–ତେବେ ଚିଠିଦ୍ଵାରା ଜଣାଇଲେ ମୋତେ ସବୁ ଭାବନାରୁ ଛୁଟି ମିଳିବ । ଇତି ।

 

ଅରୁଣବାବୁଙ୍କ ଚିଠିଟି ପଢ଼ି ନିଜର ଆତ୍ମଗୌରବରେ ଆନନ୍ଦ ପାଇଲି ଯେତିକି, ଦୁଃଖିତ ହେଲି ତା’ଠୁ ଅଧିକ । ତାଙ୍କ ଚିଠିର ପ୍ରତିଧାଡ଼ିରୁ ବେଦନାର ଉତ୍ସ ଝରି ପଡ଼ୁଥିଲା । ତାଙ୍କ ମନର ଅବସ୍ଥା ଯେ ଏକାବେଳକେ ଭାଙ୍ଗି ପଡ଼ିଚି ସହଜରେ ଜଣା ପଡ଼ୁଥିଲା । ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ । ମନଟା ମୋର ତାଙ୍କର ବେଦନାର ରାଗିଣୀ ଧରିଲା । ଭାବିଲି, ଆଉ କାହିଁକି ତାଙ୍କ ମନରେ ଦୁଃଖ ଦେବି । ଏଇ ଯଥେଷ୍ଟ । କ୍ଷଣିକର ଭୁଲରେ ସେ ମୋ ମନରେ ଆଘାତ ଦେଇଥିଲେ–ପୁଣି ଆଜି ପୁଲକ ରୂପରେ ସକଳ ବ୍ୟଥା ଦୂର କରିବାକୁ ଯେତେବେଳେ ଆଗେଇ ଆସିଛନ୍ତି ତାଙ୍କୁ କ’ଣ ଦୂର କରିଦେବ ଉଚିତ । ହୃଦୟ ଭିତରୁ ଉତ୍ତର ଆସିଲା, ନା । ତାଙ୍କ ପାଇଁ ପୁଣି ମନ ମନ୍ଦିରର ରୁଦ୍ଧ ଦରକାର ଶିକୁଳି ଖୋଲି ଦେଲି ।

 

ସଞ୍ଜରାଣୀ ତା’ର କଳାଜୁଡ଼ାରେ ତାରାଫୁଲ ନେନ୍ଥାଟାଏ ଖୋସି ଦେଲା । ଏତିକିବେଳେ ଆମ ବାରି ବଗିଚାର ସପନକୁମାରୀ ମଲ୍ଲୀ ଫୁଲକୁ ଆସି ସଞ୍ଜୁଆ ବାଆ ଉଠାଇ ଦେଲା ।

 

ବାପା କୁଆଡ଼େ ନିମନ୍ତ୍ରଣରେ ଯାଇଥାନ୍ତି । ବୋଉକୁ କେହି ଅରୁଣବାବୁଙ୍କ ଘରକୁ ଚାଲି ଆସିଲି । ତାଙ୍କ ଘର ଭିତରକୁ ପଶିଗଲା ବେଳକୁ ଅଜଣା ସଙ୍କୋଚ ପାଦ ଦିଇଟାକୁ ପଛକୁ ଟାଣି ଧରୁଥାଏ । କିମିତି ଅରୁଣବାବୁଙ୍କୁ ମୁହଁ ଦେଖାଇବି ! କ’ଣ କହି କଥା ଆରମ୍ଭ କରିବି, କିଛି ମୁଣ୍ଡରେ ପଶୁ ନଥାଏ । ଡରି ଡରି ତାଙ୍କ ଘର ଭିତରକୁ ଆସିଲି ।

 

ମାଉସୀ ମୋତେ ଦେଖି କୋଳକୁ ଟାଣିନେଇ କହିଲେ, ଏତେ ଦିନ ମନେ ପଡ଼ିଲା । ମରିଯାଇଥିଲେ ଆଜକୁ ଯାତ ଦିନ ହୁଅନ୍ତାଣି ଲୋ କାନ୍ତି ! ତମେ ତ ଆସିଲ ନାହିଁ । ମୋତେ ହେଲା ଜର । ତିନିଦିନ ଘରୁ ଉଠି ନାହିଁ । ଅରୁକୁ କେତେଥର କହିଚି କାନ୍ତିକି ଟିକେ ଖବର ଦେ । ସେ କୁହେ, ନା ମା ସେ ଆସିବ ନାହିଁ । ସେ ଆମକୁ ଭୁଲିଗଲାଣି । ସତେ କ’ଣ ତମେ କାନ୍ତି, ମାଉସୀଙ୍କୁ ପାଶୋରି ଦେଇଚ ! ବ୍ୟଥାରେ ତାଙ୍କ କଥାର ସ୍ଵର ନରମ ହେଇ ଆସିଲା । ଆଖିରୁ ଝରିପଡ଼ିଲା ଦି’ଟୋପା ଲୁହ ।

 

କ’ଣ ଉତ୍ତର ଦେବି କିଛି ଭାବିପାରିଲି ନାହିଁ । ତାଙ୍କ ବ୍ୟଥାରେ ମୋ ଆଖିରୁ ଝରିଲା ଧାର ଧାର ଲୁହ । କହିଲି ମାଉସୀ, ମୋତେ ଭୁଲ୍ ବୁଝୁଚ କାହିଁକି ! ଆଉ ମୁଁ ବା ତମର କିଏ–ପର କ’ଣ ଆପଣାର ହୁଅନ୍ତା !

 

ସେ ମୋ ଆଖିରୁ ଲୁହ ପୋଛିଦେଇ କହିଲେ, ଆପଣାର ତ ନୁହଁ–କାନ୍ଦୁଚ କାହିଁକି । ଅଭିମାନ କରୁଚ । ଛି.....ସେ ନିଜ ଆଖିରୁ ଲୁହ ପୋଛିଲେ ।

 

ଦୁଆରେ ଜହ୍ନ ଆଲୁଅ ହସୁଥିଲା । ମାଉସୀ କହିଲେ, ଆସ କାନ୍ତି ଏଇଠି ବସ, ଦି’ପଦ ସୁଖ ଦୁଃଖ ହେବା । ଅନେକ ଦିନ ହେଲା ତମକୁ ନ ଦେଖି ମନର ପରାଣଟା ବଢ଼ି ଉଠିଚି । ଘଡ଼ିଏ କାଳ ସୁଖ ଦୁଃଖ ହେଇ ମାଉସୀ ଗଲେ ରୋଷେଇ କରିବାକୁ । ମୁଁ ଉଠିଆସିଲି ଅରୁଣବାବୁଙ୍କ ଘରକୁ ।

 

ଅନାଇଲି ଅରୁଣବାବୁ ବେଦନାରେ ମଳିନ ଦିଶୁଚନ୍ତି । ମୋତେ ଦେଖି ସେ କହିଲେ, କାନ୍ତି ବସ ।

 

ବସି ପଡ଼ିଲି । ଲାଜରେ ତାଙ୍କ ମୁହଁକୁ ମୁଁ ଅନାଇପାରୁ ନଥାଏ । ସେ କହିଲେ, କାନ୍ତି, ମୋ ଚିଠିର ଉତ୍ତର ଦେଲ ନାହିଁ ଯେ ।

 

କହିଲି, ନିଜେ ଯେତେବେଳେ ଆସିଲି–ଉତ୍ତର ଦେବା ଆବଶ୍ୟକ ନଥିଲା ।

 

ସେ କହିଲେ, କାନ୍ତି, ସେଦିନ ଏଇ ଟିକକ କଥାକୁ ଏପରି ଭାବରେ ଗ୍ରହଣ କରିବ ବୋଲି ସ୍ଵପ୍ନରେ ସୁଦ୍ଧା ମୁଁ ଭାବି ନଥିଲି । ତମେ ଜାଣ ନା କାନ୍ତି, ମୋର ଅନ୍ତର ଭିତରେ ତମ ପାଇଁ ସ୍ନେହ–ମମତା କେତେ ଠୁଳ ହୋଇ ରହିଚି ।

 

ମୁଁ କହିଲି, ଅରୁଣବାବୁ, ମଣିଷର ମନଟା ସିନା ସହଜରେ ଚିହ୍ନି ହୋଇପାରେ, କିନ୍ତୁ ହୃଦୟଟାକୁ ଚିହ୍ନିବା ବଡ଼ କଷ୍ଟ । ଅଜଣାରେ ଆପଣଙ୍କ କତିକି ମୁଁ ଟାଣିହୋଇ ଆସିଥିଲି ଓ ପ୍ରଥମ ଦେଖାରୁ ଭଲପାଇ ବସିଥିଲି । କିନ୍ତୁ ଆପଣ ସବୁବେଳେ ମୋତେ ବାହାରେ ବାହାରେ ଆଡ଼େଇ ଦେଇଚନ୍ତି ।

 

ଯା’ର ବାହାରଟା ଏପରି ଖାପଛଡ଼ା ତା’ର ଭିତରଟା ସହଜରେ ଅନୁମେୟ । ଏଇଥିପାଇଁ ମୁଁ ଭାବି ଭାବି ସ୍ଥିର କରିଥିଲି, କାହାରିକୁ ଅତି ସହଜରେ ଭଲ ପାଇବା ଅନୁଚିତ । ଭୁଲରେ ଭଲ ପାଇ ବସିଲେ ସେ ଆମର ସରଳତାର ସୁଯୋଗ ନେଇ ବାରବାର କରିବ ଆଘାତ । ଏଇଆ ଭାବି ମୁଁ ଦୂରେଇ ଯାଇଥିଲି ।

 

ସେ କହିଲେ, କାନ୍ତି ମୋ ଜୀବନରେ ମୁଁ ସମସ୍ତଙ୍କୁ ସ୍ନେହ କରିବାକୁ ଯାଇ ପାଇଚି ଥରେ ନୁହେଁ ବାରବାର ଆଘାତ । କାହିଁ କେବେ ତ ମୁଁ ତାଙ୍କଠାରୁ ଦୂରେଇ ଯାଇ ନାହିଁ । ବରଂ ଆହୁରି ଆପଣାର କରିବାକୁ ଚେଷ୍ଟା କରିଚି । କିନ୍ତୁ ସେ ତାଙ୍କର ବଡ଼ଲୋକିର ଆଭିଜାତ୍ୟରେ ମୋତେ କରିଚନ୍ତି ଚିରଦିନ ପାଇଁ କରଛଡ଼ା । ମୋର ଏଇ ନିଃସ୍ୱ ଜୀବନ ସେଇ ଅପମାନକୁ ବି ହସି ହସି ବରି ନେଇଚି । ଅପରଠୁ ଆଘାତ ପାଇଚି ବୋଲି ତମକୁ ମୁଁ ଯେ ଆଘାତ ଦେବି–ତା’ କେବେ କଳ୍ପନାରେ ବି ସୁଦ୍ଧା ଆଣି ନାହିଁ । ମୁଁ

 

ଜାଣେ ଆଘାତ ଯେ ପାଏ ତା’ର ମନର ଅବସ୍ଥା କେତେ ବେଦନାମୟ । ମୋର ବିଗତ ଜୀବନର କେତେ କରୁଣ ସ୍ମୃତି ଜଡ଼ି ରହିଚି ତା’ ତମେ ଜାଣିବ କିମିତି ?

 

କହିଲି, କାହିଁ କେବେ ତ ଆପଣଙ୍କ ଜୀବନର କରୁଣ କାହାଣୀ ମୋତେ ଶୁଣାଇ ନାହାନ୍ତି । ମୋତେ ସ୍ନେହ ଦେଇ ଯଦି ଆପଣାର କରିଚନ୍ତି–ତେବେ ଜୀବନ ଇତିହାସର କରୁଣ ନିବେଦନଟିକ ଶୁଣାଇବାକୁ ଏତେ କୁଣ୍ଠା କାହିଁକି ?

ଗଭୀର ବେଦନାଜଡ଼ିତ କଣ୍ଠରେ ସେ କହିଲେ, ବେଳ ଆସିଲେ ତମକୁ ମୁଁ କହିବି କାନ୍ତି–କିନ୍ତୁ ଆଜି ନୁହେଁ ।

ପଚାରିଲି, କାହିଁକି ?

ସେ କହିଲେ ମୋ ସାରା ଜୀବନ ଭିତରେ ଯିଏ ଦିନେ ଆପଣାର ହୋଇପାରିବ–ତାକୁ କହିବି । ତା’ ଛଡ଼ା ମୋ ଜୀବନର କାହାଣୀ ଆଉ କିଏ ଶୁଣିବାକୁ ହକ୍‍ଦାର ନୁହେଁ ।

ଅଜାଣତରେ ମୋ ପାଟିରୁ ହଠାତ୍ ବାହାରି ପଡ଼ିଲା, ମୁଁ କ’ଣ ଆପଣାର ନୁହେଁ ! ମୋତେ କ’ଣ ପର ମନେକର ?

ସେ କିଛି ନ କହି ଏକ ନୟନରେ ଘଡ଼ିଏ କାଳ ମୋ ମୁହଁକୁ ଚାହିଁଲେ । ତାଙ୍କ ମୁହଁକୁ ମୁଁ ଅନାଇଁପାରୁ ନଥାଏ । କେତେବେଳକେ ସେକହିଲେ, କାନ୍ତି, ସେ ଅଧିକାର ତମର ଯଦି ଥାଆନ୍ତା, ତେବେ ଆଜିକି ଅଠରଟି ଦିନର ଦୁଃଖସୁଖର ସ୍ମୃତି ଭିତରେ ମୋତେ କାନ୍ଦିବାକୁ ପଡ଼ି ନଥାନ୍ତା । କହୁ କହୁ କଥାର ସ୍ଵର ନରମ ହୋଇ ଆସିଲା । ଆଖିରୁ ଦି’ଟୋପା ଲୁହ ଗଡ଼ି ପଡ଼ିଲା ତଳକୁ ।

ମୋ ମନର ଦମ୍ଭ, ଗର୍ବ, ଅଭିମାନ ସବୁ ଏକାବେଳେ କୁଆଡ଼େ ମିଳାଇଗଲା । ତାଙ୍କ ଆଖିରେ ଲୁହ ଦେଖି ମନେ ମନେ ଭାବିଲି, ଅରୁଣବାବୁ ସତେ କ’ଣ ମୋତେ ଏତେ ସ୍ନେହ କରନ୍ତି-। କିନ୍ତୁ କାହିଁ କେବେ ତ ଦିନେ ପ୍ରକାଶ୍ୟରେ ଜଣାଇ ନାହାନ୍ତି । ଟିକିଏ ଇଙ୍ଗିତ ଦେଇଥିଲେ....ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ । ଉଠିଯାଇ ତାଙ୍କ ହାତଧରି କହିଲି, ଅରୁଣବାବୁ, ମୋତେ କ୍ଷମା କର-। କହୁ କହୁ ଆଖିରୁ ଝରି ପଡ଼ିଲା ଧାର ଧାର ଲୁହ ।

 

ସେ ମୋତେ ବୋଧଦେଇ କହିଲେ–କାନ୍ତି, ଆଖିରୁ ଲୁହ ପୋଛିଦିଅ । କ୍ଷମା ଚାହିଁଲ ଯଦି କାନ୍ଦୁଛ କାହିଁକି !

 

ତଥାପି ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ । ଆଖିରୁ ଛୁଟିଲା ଧାରା ଶିରାବଣ । ସେ ମୋତେ କୋଳକୁ ଟାଣି ନେଇ ଜବରଦସ୍ତ ଲୁହପୋଛି ଦେଉ ଦେଉ କହିଲେ–କାନ୍ତି, ଆଜି ଦିନର କଥା ସାରା ଜୀବନ ପାଇଁ ବାଟ ଦେଖାଇବ । ଆଉ କାନ୍ଦୁଛି କାହିଁକି ?

 

ମୁଁ କହିଲି, ଅରୁଣବାବୁ, ଆଖିର ଲୁହ ମନର କୋହରେ ସବୁ ବ୍ୟଥା, ଜଞ୍ଜାଳ ଦୂରକୁ ଘୁଞ୍ଚିଯାଏ । କାନ୍ଦିବି ନାହିଁ ? ମନ ଭରି ଆଜି କାନ୍ଦିବି ।

 

ସେ ମୋ ଗାଲରେ ତାଙ୍କ କଅଁଳ ହାତର ଛୋଟ ଚାପୁଡ଼ାଟି ବସାଇ କହିଲେ, ଛି...ପାଗଳି ! ସେଦିନର ରାତିରେ ଭଲକରି ନିଦ ହେଲା | ଖାଲି ଅରୁଣବାବୁଙ୍କର ରୂପ ଛବି ଆଖି ଆଗରେ ଭାସି ଉଠିଲା । ତାଙ୍କର ଆଜିର ଏ ବ୍ୟବହାର ମୁଁ ସପନରେ ବି ଆଶା କରିନଥିଲି । ତାଙ୍କ କୋଳରେ କି ପୁଲକ ଥିଲା କେଜାଣି, ମୁଁ ସାରାରାତି ଖାଲି ସପନରେ ବି ତାଙ୍କର କୋଳରେ ମୁଣ୍ଡ ରଖି ବିତାଇ ଦେଲି ।

 

ତା’ ଆରଦିନ ସଞ୍ଜ ହେଲା । ସରଗ ରାଇଜରେ ତା’ର ସଖୀ ଗହଣରେ ବସି ଜ୍ୟୋତ୍ସ୍ନା ହୋରି ଖେଳିଲା । ଧରଣୀର ଶାଗୁଆ ଦେହରେ କିଏ ଲୁଚି ଲୁଚି ଆସି ରୂପେଲି ପାଉଡ଼ର ବୋଳି ଦେଇଗଲା ।

 

ବୋଉକୁ କହି ମାଉସୀଙ୍କ ଘରକୁ ଚାଲି ଆସିଲି । ମାଉସୀଙ୍କ ଘରକୁ ଆସିବାରେ ବୋଉ କେଜାଣି କାହିଁକି କିଛି ଆପତ୍ତି କରେନା । ବୋଉର ରତି ଅପେକ୍ଷା ମୋ ପ୍ରତି ଭାରି ଶରଧା-। ସେଥିପାଇଁ କେତେବେଳେ କୋଉ କଥା ବୋଉ ମୋର କାଟିଦେଇ ପାରେନା ।

 

ଅରୁଣବାବୁ ଶୋଇ ମନେ ମନେ କ’ଣ ଭାବୁଥିଲେ । ମୋ ଆସିବା ଶବଦ ସେ ବାରିପାରି ନାହାନ୍ତି । ହସି ହସି ପଚାରିଲି, କା’ର ଭାବନାରେ ଏତେ ବିଭୋର ହୋଇଯାଇଛନ୍ତି ଅରୁଣବାବୁ ! ସେ ଚମକିପଡ଼ି ଚାହିଁଲେ । ଭାବନା ତାଙ୍କର ଚହଲି ଚହଲି ମିଳାଇଗଲା ! ସେ ହସି ହସି କହିଲେ, କା’ର ଭାବନାରେ ମୁଁ ବିଭୋର, ତା’ କ’ଣ ତମେ ଜାଣନା ?

 

କହିଲି, ଆପଣଙ୍କ ମନ କଥାଟା ମୁଁ ଜାଣିବି କିପରି ? ଆଉ ଜାଣିଥିଲେ ପଚାରନ୍ତି କାହିଁକି ? ମଣିଷର ମନ କେତେବେଳେ କୋଉ ଭାବନାର ଖିଅ ଧରେ ତା’କିଏ କଳନା କରିବ ।

 

କଥାଟା ଠିକ୍–କିନ୍ତୁ ଅନେକ ସମୟରେ ଅନେକଙ୍କର ମନକଥା ଜାଣି ହୋଇପାରେ । ତା’ର କାରଣ ଜୀବନରେ ଯେତେବେଳେ ଯୋଉ ପରିସ୍ଥିତି–ତା’ର ପ୍ରଭାବ ମଣିଷ ମନରେ ଭାବନା ରୂପରେ ଫୁଟି ଉଠେ ।

 

ମୁଁ ଆଉ କିଛି ନ କହି ବସି ପଡ଼ିଲି । ଟିକିଏ ପରେ ପଚାରିଲି, ଅଚ୍ଛା, ମୋ ପ୍ରଶ୍ନର ଉତ୍ତର ଦେଲ ନାହିଁ !

 

ସେ ନ ଜାଣିଲା ପରି ପଚାରିଲେ, କୋଉ ପ୍ରଶ୍ନ ?

 

ହସି ହସି କହିଲି, ମୋଟେ ମନେ ନଥିବ । ଆଜି କିନ୍ତୁ ମୋର ସେ ପ୍ରଶ୍ନର ଉତ୍ତର ନଦେଇ ଛାଡ଼ିବି ନାହିଁ । ମାଉସୀ ମୋତେ ପୁଣି ଆଜି ପଚାରୁଥିଲେ ।

 

ସେ ମୃଦୁ ମୃଦୁ ହସିଲେ । କହିଲେ, ଓଃ, ମୋର ବାହାଘର କଥା । ବେଶ ତ ମୁଁ ରାଜି । କିନ୍ତୁ ମନଲାଖି ଝିଅଟି ମିଳିଲେ ତ ? ତମେ କ’ଣ କୋଉଠି ମୋ ବିଷୟରେ ପ୍ରସ୍ତାବ ପକାଇଚ କି କାନ୍ତି ! କହୁନା ଏତେ ଲୁଚାଉଚ କାହିଁକି ?

 

ବଡ଼ ଅଡ଼ୁଆରେ ପଡ଼ିଲି ମୁଁ । ତାଙ୍କ କଥାର କି ଉତ୍ତର ଦେବି କ୍ଷଣକ ପାଇଁ କିଛି ଭାବି ପାରିଲି ନାହିଁ । କହିଲି, ହେଲା, ମୋ ପ୍ରସ୍ତାବରେ ଆପଣ ରାଜି ହେବେ ତ !

 

ଝିଅଟିକୁ ନ ଦେଖିଲେ କିପରି ମତ ଦେବି ?

 

ମିଛରେ ଭଲେଇ ହେଇ କହିଲି, ଝିଅଟି ଦେଖିବାକୁ ଭାରି ସୁନ୍ଦର ଅରୁଣବାବୁ ! ଥରେ ଦେଖିଲେ ଆପଣ ନା କରି ପାରିବେନାହିଁ । ତା’ର ରୂପ ଲାବଣ୍ୟ କ୍ଷଣିକରେ ଆପଣଙ୍କ ଅନ୍ତର ମନକୁ ତରଳାଇ ଦେବ ।

 

ସେ ହସି ହସି କହିଲେ–କାନ୍ତି, ମୋ ଆଖିରେ ଜଣେ ମାତ୍ର ସୁନ୍ଦର । ତା’ଛଡ଼ା ଆଉ କେହି ମୋତେ ସୁନ୍ଦର ଦିଶିବେ ନାହିଁ କି କେହି ମୋର ଅନ୍ତର ମନକୁ ଚହଲାଇ ପାରିବେ ନାହିଁ ।

 

ସେ ଜଣକ କିଏ ?

 

ଆଜିଯାଏ ଜାଣିପାରିଲନି କାନ୍ତି ! ଯଦି ଜାଣି ଜାଣି ମୋ ଜୀବନ ସାଥିରେ ଖେଳ ଖେଳୁଥାଅ–ତେବେ ଚିରଦିନ ପାଇଁ ତମକୁ ମୁଁ ଦୋଷୀ ମନେ କରିବି ।

 

ତାଙ୍କ କଥା ପଦକ ଶୁଣି ଅଭିମାନରେ ମୋର ସାରା ହୃଦୟ ପୂରିଗଲା । କହିଲି, ଭଲ କଥା ପଚାରିଲେ ଯଦି ମୋତେ ଭୁଲ ବୁଝନ୍ତି, ଆଉ ଦିନେ ଆପଣଙ୍କୁ ମୁଁ କିଛି ପଚାରିବି ନାହିଁ ।

 

ମୋର ବେଦନାଭରା କଥା ପଦକ ତାଙ୍କ ଆଶା ନଈର କୂଳେ କୂଳେ ଲହଡ଼ି ଖେଳାଇ ଦେଇଗଲା । ସେ ମୋ ହାତଧରି ପଚାରିଲେ, କାନ୍ତି, ରାଗିଲ ନା କ’ଣ ?

 

ଉତ୍ତର ଦେବା ପୂର୍ବରୁ ମୋ ଆଖି ଦି’ଟା ଲୁହରେ କାହିଁକି ଛଳ ଛଳ ହେଇ ଉଠିଲା । ସେ ହଠାତ୍ ମୋତେ କୋଳକୁ ଆଉଜାଇ ନେଇ କହିଲେ–କାନ୍ତି, ତମକୁ ମୁଁ ଦେଖିଲା ଦିନୁ ଭଲ ପାଇଚି-। ଆଉ ସାରା ଜୀବନ ପାଇଁ ଆପଣାର କରି ଭଲ ପାଇବି ବୋଲି ଆଶା ପୋଷିଚି । ତମ ଛଡ଼ା ମୁଁ କାହାରି ଆପଣାର ହେଇପାରିବି ନାହିଁ । ତମେ ବଡ଼ଲୋକ, ମୁଁ ଗରିବ । ମଝିରେ ପାହାଡ଼ ପରି ଏ ଯେଉଁ ବ୍ୟବଧାନ ମୁଣ୍ଡ ଟେକିଚି, ତା’ବିରୁଦ୍ଧରେ ଆମର ଏତେବଡ଼ ଅସମ୍ଭବ କ’ଣ ସମ୍ଭବରେ ପରିଣତ ହୋଇପାରିବ !

 

ତାଙ୍କ କଥା ଶୁଣି ଆଖିରୁ ମୋର ଲୁହ କୁଆଡ଼େ ଶୁଖିଗଲା । ଲାଜରେ ତୁଣ୍ଡରୁ କଥା ବାହାରିଲା ନାହିଁ । ଟିକିଏ ପରେ ତାଙ୍କ କୋଳରୁ ମୁକ୍ତ ହେଇ ପଦାକୁ ପଳାଇ ଆସିଲି ।

 

ତା’ ଆର ଦିନ, ଅରୁଣବାବୁ ଅଫିସରୁ ଫେରି ନ ଥାନ୍ତି । ମୁଁ ତାଙ୍କ ଘରେ ଜିନିଷଗୁଡ଼ିକ ଝାଡ଼ି ଭଲ ଭାବରେ ସଜାଡ଼ୁଥାଏ । ବାହାରେ ଦିନ ମଉଳି ଗଲାଣି । ଘର ଭିତରେ ସନ୍ଧ୍ୟାର ଶୀତଳ ଅନ୍ଧକାର ଧୀରେ ଧୀରେ ଜମି ଆସୁଥାଏ । ହଠାତ୍ ଅରୁଣବାବୁ ଘରଭିତରକୁ ପଶି ଆସିଲେ । ସନ୍ଧ୍ୟାର ଅନ୍ଧକାରରେ ତାଙ୍କର ଗୋରା ତକ ତକ ଚେହେରା ବି ସ୍ପଷ୍ଟ ବାରି ହେଇ ଦିଶୁଥାଏ । ସେ ପଶି ଆସି ହଠାତ୍ ମୋତେ କୋଳକୁ ଟାଣିନେଇ ଖଟ ଉପରେ ବସି ପଡ଼ିଲେ । ତା’ପରେ ମୋତେ ସେ ବାରବାର ଚୁମ୍ବନ କରିବାକୁ ଲାଗିଲେ ।

 

ତାଙ୍କର ଏ ନୂଆ ବ୍ୟବହାରରେ ମୁଁ ବାଧା ଦେଇପାରିଲି ନାହିଁ । ଘଡ଼ିଏ ପରେ ତାଙ୍କ କୋଳରୁ ମୁକ୍ତ ହେଇ କହିଲି, ମୋତେ ଇମିତି ହଇରାଣ କଲେ ଆଉ ଏଠିକି ଆସିବି ନାହିଁ । ସେ ହସି ହସି ପୁଣି ମୋତେ କୋଳକୁ ଟାଣି ନେବାକୁ ହାତ ବଢ଼ାଇଲେ । ମୁଁ ଧରା ନଦେଇ ପଳାଇ ଆସିଲି ।

 

ଏଣିକି ନିତି ଅରୁଣବାବୁଙ୍କ ଘରକୁ ନ ଯାଇ ରହିପାରେନା । ମୋତେ ଏକଲା ଦେଖିଲେ ସେ ଦୁଷ୍ଟାମୀଟିକ ଆରମ୍ଭ କରିଦିଅନ୍ତି । ମୁଁ ବିରକ୍ତ ହେଲେ ସେ ବି ଛଳ କରନ୍ତି ନାହିଁ । ଜୋର କରି ମୋତେ କୋଳକୁ ଟାଣି ନିଅନ୍ତି । ତା’ପରେ ସ୍ନେହର ଦାନଟିକ ଅଜାଡ଼ି ଦିଅନ୍ତି ।

 

ବେଳେବେଳେ ମାଉସୀଙ୍କ ଆସିବା ଶବଦ ଶୁଣିଲେ ଛାଡ଼ି ଦିଅନ୍ତି । ଦିନୁ ଦିନ ଦୁଷ୍ଟାମୀ ତାଙ୍କର ମୋ’ ପ୍ରତି ବଢ଼ି ଉଠିଲା । ତାଙ୍କ ଦୁଷ୍ଟାମୀ ଅସହ୍ୟ ହେଲେ ‘ମାଉସୀ, ମାଉସୀ’ ବୋଲି ଡାକ ଛାଡ଼େ । ମାଉସୀ ଆସି ପଡ଼ନ୍ତି । ଭୟରେ ତାଙ୍କ ଛାତି ଧଡ଼ପଡ଼ ହୋଇ ଉଠେ । ସେ ଅପରାଧୀ ପରି ମୋ ଆଡ଼େ ଚାହିଁ ରହନ୍ତି । ତାଙ୍କ ଅବସ୍ଥା ଦେଖି ମୋତେ ଭାରି ହସ ମାଡ଼େ–କିନ୍ତୁ ହସି ପାରେନା । ମାଉସୀ ପଚାରନ୍ତି, କାନ୍ତି, କ’ଣ ? ମୁଁ କୁହେ ଦେଖିଲ ମାଉସୀ, ଅରୁଣବାବୁଙ୍କୁ ତାଙ୍କ ବାହାଘର କଥା ପଚାରିଲି ବୋଲି ସେ କିପରି ମୋ କାନଟାକୁ ମୋଡ଼ିଦେଲେ । ମାଉସୀ କିଛି କହନ୍ତି ନାହିଁ–ହସି ହସି ଚାଲି ଯାଆନ୍ତି । ଆମ ଦୁହିଁଙ୍କର ଏକାଠି ହସ ଖେଳ ଦେଖିଲେ ସେ ଭାରି ଆନନ୍ଦିତ ହୁଅନ୍ତି ।

 

ସେଦିନ ରାତିରେ । ଅରୁଣବାବୁଙ୍କ ସାଙ୍ଗରେ ଗପ କରୁ କରୁ କେତେବଳେ ରାତି ଦଶଟା ବାଜି ଗଲାଣି ଜଣା ନାହିଁ । ମାଉସୀ ଆସି କହିଲେ, କାନ୍ତି, ରାତି ବହୁତ ହେଲାଣି–ଘରେ ବୋଉ ଖୋଜୁଥିବେ, ଯାଅ । ଅରୁଣବାବୁଙ୍କ ଗପ ମୁଣ୍ଡିମରି ନ ଥାଏ । ମୁଁ ଚମକିପଡ଼ି ଉଠି ଆସିଲି ।

 

ଘରେ ଆସି ପହଞ୍ଚିଲା ବେଳକୁ ବାପା ଖାଇସାରି ଟହଳୁଚନ୍ତି । ମୋତେ ଦେଖି ପଚାରିଲେ–କାନ୍ତି, କୁଆଡ଼େ ଯାଇଥିଲୁ । ମୁଁ ଡରି ଡରି କହିଲି, ମାଉସୀଙ୍କ ଘରକୁ । ସେ ରାଗିଯାଇ କହିଲେ, ମାଉସୀଙ୍କ ଘରେ ତୋର ଅଧରାତି ଯାଏ କ’ଣ କାମ ଥାଏ, ଶୁଣେ । ମୁଁ କିଛି କହିଲି ନାହିଁ-। ସେ କହିଲେ, ଛୋଟଲୋକଙ୍କ ସାଙ୍ଗରେ କ’ଣ ଏତେ ମିଳାମିଶା । ବଂଶର ମାନ ଇଜତ୍ ଟିକକ ତଳେ ପକାଇବୁ ନାଁ କ’ଣ ! ଫେର ଦିନେ ସେଠିକି ଯିବୁ ନାହିଁ । କିଛି ନକହି ଚାଲି ଆସିଲି-

 

ଅପମାନରେ ଆଖିରୁ ଥପ୍ ଥପ୍ ହେଇ ଲୁହ ଗଡ଼ିପଡ଼ିଲା । ମୋ ରୁମ୍‍କୁ ଆସି କବାଟ କିଳି ଶୋଇପଡ଼ିଲି । ବୋଉ ଯେତେ ଡାକିଲା ଖାଇବାକୁ ଶୁଣିଲି ନାହିଁ । ଶୋଇ ଶୋଇ ସାରା ରାତି ଭାବିଲି । ବାପାଙ୍କର ପୁଣି ଏତେ ଗର୍ବ, ଆଭିଜାତ୍ୟ । କାଲି ସକାଳେ ଏ ବଡ଼ଲୋକ ହେଇଚନ୍ତି–ଏ ତ ପୁଣି ଦିନେ ଗରିବ ଥିଲେ । ଏତେ ଚଞ୍ଚଳ ଜୀବନର ନିରାଟ ସତ କଥାକୁ ଚାପିରଖି ଦୁନିଆ ବୁକୁରେ କେତେ ଦିନ ବଡ଼ ହେବେ । କିଛି ଭାବି ଭାବି ସ୍ଥିର କରିପାରିଲି ନାହିଁ । ସାରା ରାତି ଗୋଟାଏ ରୁଦ୍ଧ ବେଦନାରେ କଟାଇଦେଲି ।

 

ମଝିରେ ପାଞ୍ଚଦିନ ବିତି ଯାଇଚି । ଏ କେଇଦିନ ଅରୁଣବାବୁଙ୍କ ଘର ଛାଇ ବି ମାଡ଼ି ନାହିଁ । ଖାଲି ଭାବି ଭାବି ସାରା ଦିନ ସାରା ରାତି ବିତାଇ ଦେଇଚି । ବୋଉ ବି ମୋତେ ବାରଣ କରି ଦେଇଚି ଅରୁଣବାବୁଙ୍କ ଘରକୁ ଯିବାକୁ । ଅରୁଣବାବୁ ଆଉ ମୋ ଭିତରେ ବାପା ବୋଉ ଆଜି ପାଚେରୀ ପରି ଛିଡ଼ା ହୋଇଛନ୍ତି । ଅରୁଣବାବୁଙ୍କୁ ଦେଖିବା ଆଜି ଖାଲି କଳ୍ପନା ମାତ୍ର । ଆମ ଦୁହିଁଙ୍କ ଅତି ନିକଟ ସମ୍ପର୍କ ଆଜି ବହୁ ଦୂରରେ ପରିଣତ ହେଇଚି ।

 

ସେଦିନ ଥାଏ ରବିବାର ! ଖରାବେଳେ କିଏ କୁଆଡ଼େ ଶୋଇ ପଡ଼ିଥା’ନ୍ତି । ଅରୁଣବାବୁଙ୍କ ସ୍ମୃତିରେ ମୋତେ ଦିନ ହେଉ ନଥାଏ । ଆଉ ନିଜକୁ ଭାବନାରେ ବୋଧ କରିପାରିଲି ନାହିଁ । ଭାବିଲି ଯାହା ହେଉ ପଛେ ଆଜି ତାଙ୍କୁ ଟିକିଏ ଦେଖି ଆସିବି । ଧୀରେ ଧୀରେ ତଳକୁ ଆସି ବାଡ଼ି କବାଟ ଖୋଲି ତାଙ୍କ ଘରକୁ ଚାଲି ଆସିଲି ।

 

ରବିବାର ତାଙ୍କର ଅଫିସ ଛୁଟି । ଘରେ ରହିବାର କଥା–କିନ୍ତୁ ଯୋଗକୁ ସେଦିନ ସେ ଘରେ ନ ଥା’ନ୍ତି । ହାଲିଆ ହେଇ ତାଙ୍କ ଘରେ ଶୋଇ ପଡ଼ିଥା’ନ୍ତି । ତାଙ୍କୁ ନ ଉଠାଇ ଅରୁଣବାବୁଙ୍କ ଖଟ ଉପରେ ଆସି ବସିଲି । ଅରୁଣବାବୁଙ୍କୁ ଅପେକ୍ଷା କରି କରି ଭାରି ବିରକ୍ତ ଲାଗିଲା । ଭାବିଲି, ଆଙ୍କ ପାଇଁ ମୁଁ ପଛେ ଭାବି ଭାବି ମରୁଥାଏ, କିନ୍ତୁ ଏ କୁଆଡ଼େ ଅଚିନ୍ତା ହୋଇ ବୁଲୁଥାନ୍ତୁ । ଟେବୁଲ ଉପରୁ ଗୋପୀବାବୁଙ୍କ ‘ଘାସଫୁଲ’ ବହି ଖଣ୍ଡକ ଆଣି ଖଟ ଉପରେ ଶୋଇ ଶୋଇ ପଡ଼ିଲି । ପଢ଼ୁ ପଢ଼ୁ କେତେବଳେ ନିଦ ହେଇ ଯାଇଚି ଜାଣେନା ।

 

ହଠାତ୍ କା’ର କର ପରାଶରେ ମୋ ଦିନଟା ଚଉଁକରି ଭାଜିଗଲା । ଅନାଇଲି ଅରୁଣବାବୁ ମୋ କତିରେ ଶୋଇ ପଡ଼ିଚନ୍ତି ଓ ତାଙ୍କ ବାହୁଲତା ଭିତରେ ମୁଁ ଛନ୍ଦିହେଇ ପଡ଼ିଚି । ଭୟରେ ମୋ ଦେହଟା ଥରିଉଠିଲା । ମୁଁ ତାଙ୍କ ହାତଟାକୁ ଫୋପାଡ଼ିଦେଇ ଖଟ ଉପରୁ ଉଠି ତଳକୁ ଆସିଲି । ସେ ମୋ ଲୁଗା କାନିଟାକୁ ଧରି ଅଟକାଇଛନ୍ତି ବୋଲି ଜାଣେନା । ଉଠି ଆସିଲା ବେଳକୁ ଦେହ ମୁଣ୍ଡରୁ ଲୁଗା ଖସି ପଡ଼ିଲା । ସେ କିରି କିରି ହେଇ ହସିଉଠିଲେ । ଲାଜରେ ମୁହଁଟା ମୋର ଲାଲ ପଡ଼ିଗଲା ।

 

କହିଲି-ଛିଃ...ଛାଡ଼ିଦିଅ । ସେ ଲୁଗା କାନିଟା ଛାଡ଼ିଦେଲେ ।

 

ମୁଁ ଦେହ ମୁଣ୍ଡରେ ଲୁଗା ସଜାଡ଼ି ବସିଲି । ସେ ପଚାରିଲେ, କାନ୍ତି !

 

ଏ କେଇଦିନ କୁଆଡ଼େ ଥିଲ–କାହିଁକି ଦେଖା ବି ଟିକିଏ ନଥିଲା ।

 

କହିଲି, ମୁଁ ନ ଆସିଚି ବୋଲି ଏ କେଇଦିନ ଆପଣଙ୍କୁ ନିଦ ନାହିଁ ।

 

ସେ ହସି ହସି କହିଲେ, ସତେ କାନ୍ତି, ତମେ ନ ଆସିଲେ ଘର ମୋତେ ମୋଟେ ଭଲ ଲାଗେନା । ଯୋଉ କାମ କରିବାକୁ ବସିଲେ ତମର ଏଇ ସଜ ସୁନ୍ଦର ଫୁଲଟି ପରି ମୁହଁଟି ଆଖି ଆଗରେ ନାଚିଉଠେ । କୋଉ କଥା ଭାବିବା ଆଗରୁ ମନ ଉପରେ ତମରି ସ୍ମୃତି ଆସି ଜାଗା ମାଡ଼ି ବସେ । କହୁ କହୁ ସେ ମୋ ହାତଟା ଧରି କହିଲେ, ଏଇ ସ୍ନେହ, ଏଇ ମମତା ସବୁଦିନ ପାଇଁ ଆମକୁ ଏକାଠି କରିବ ତ କାନ୍ତି !

 

କହିଲି–ଅରୁଣବାବୁ, ମଣିଷ ଯା’ ଖୋଜେ ଯା’ ଆଶା କରେ ତା’ ଯଦି ସେ ପାଉଥା’ନ୍ତା, ତା’ ହେଲେ ଜୀବନଟା ଅମୃତରେ ପରିଣତ ହୁଅନ୍ତା । ଦୁଃଖ, ଶୋକ, ବିରହ ବେଦନା, କ’ଣ ତାକୁ ଆଉ ଜାଣିବାକୁ ପଡ଼ନ୍ତା ନାହିଁ । ବହୁ ଦୂରରୁ ଦୁଇଟି ନଈପରି ବହିଆସି ଆଜି ଆମେ ଏକାଠି ହେଇ କହୁଥାଉଁ–ପୁଣି କେଉଁଠି ଆମର ଗତି ଭିନ୍ନ ଦିଗରେ ଗତି କରିବ ତା’ କିଏ କହି ପାରିବ ?

 

ଅରୁଣବାବୁଙ୍କୁ ସାଙ୍ଗରେ ଇମିତି କେତେ ଜୀବନର ସୀମାହୀନ ସୁଖ ସୁଆଦ ଗପ କରିଉଠିଲି । ଆସିଲାବେଳେ ସେ ମୋତେ କୋଳରେ ଧରି ବହେ ଚୁମ୍ବନ ଦେଲେ । ତା’ପରେ ଯାଇଁ ଛାଡ଼ିଲେ ।

 

ଲୁଚି ଲୁଚି ବାରି କବାଟ ବାଟେ ଘରକୁ ଆସିଲା ବେଳକୁ ହଠାତ୍ ପୁଣି ବାପାଙ୍କ ହାବୁଡ଼ରେ ପଡ଼ିଗଲି । ତାଙ୍କୁ ଦେଖି ନଦେଖିଲା ପରି ମୁଁ ଚାଲି ଆସୁଥିଲି, ହଠାତ୍ ଗମ୍ଭୀର ଗଳାରେ ସେ ଡାକିଲେ, କାନ୍ତି ! ଶୁଣି ଯା’ । ମୁଁ ତାଙ୍କ କତିରେ ଅପରାଧୀ ପରି ଛିଡ଼ା ହେଲି । ପଚାରିଲେ, କୁଆଡ଼େ ଯାଇଥିଲୁ । କିଛି ଉତ୍ତର ଦେଲି ନାହିଁ । ହଠାତ୍ ସେ କହିଲେ, ଅରୁଣବାବୁଙ୍କ ସହିତ ତୋର କି ଏତେ ନିଗୂଢ଼ ସମ୍ପର୍କ ଯେ ଲୁଚି ଲୁଚି ତାଙ୍କ ଘରକୁ ଯା’ ଆସ ହେଉଚି । ଫେର୍ ଯଦି ଦିନେ ଦେଖେ, ତୋ’ ମୁହଁ ଚାହିଁବି ନାହିଁ, କି ଏ ଘରେ ତୋତେ ସ୍ଥାନ ଦେବି ନାହିଁ ।

 

ଉପରକୁ ପଳାଇ ଆସିଲି । ରୁଦ୍ଧ ବେଦନା ଉଛୁଳି ଉଠିଲା । ତକିଆରେ ମୁହଁମାଡ଼ି ବହେ କାନ୍ଦିଲି । ଧୀରେ ଧୀରେ ସଞ୍ଜ ଆସିଲା । ଘର ଭିତର ଅନ୍ଧାରରେ ଭରତି ହୋଇଗଲା ! ସେହି ଅନ୍ଧାରରେ ମୁଁ ନିଜକୁ ହଜାଇଦେଇ ଭାବିଲି, ବାପା କାହିଁକି ମୋତେ ଏପରି କହିଲେ । ଇମିତି ଭୟ ଦେଖାଇ କେଇଦିନ ସେ କନ୍ୟାର ସ୍ଵାଧୀନ ମତକୁ ମାଡ଼ି ମକଚି ଦେବେ । ଆଜି ସେ ବଡ଼ଲୋକ ହେଇଚନ୍ତି ବୋଲି ଏଇ ମଣିଷକୁ ସେ ବି ଘୃଣା କରୁଚନ୍ତି ।

 

କାହିଁକି ଅରୁଣବାବୁଙ୍କୁ ଯଦି ଜୀବନରେ ଚିରସାଥୀ ରୂପେ ବରଣ କରେ–ସେ କ’ଣ ଉପଯୁକ୍ତ ନୁହନ୍ତି । ଉଚ୍ଚଶିକ୍ଷିତ । ରୂପ ଅଛି, ଗୁଣ ବି ଅଛି । ଖାଲି ନାହିଁ ଧନ ଆଉ ବଡ଼ଲୋକର ଆଭିଜାତ୍ୟ । ଏଇ ଆଭିଜାତ୍ୟ, ଦମ୍ଭ, ଗର୍ବ ବା କେଇଦିନ । ସରଗକୁ ମୁଣ୍ଡ ଟେକୁଚି ବଡ଼ଘରର ସରଗଲଗା ସାତମହଲା କୋଠା । ଲୋକେ କହୁଛନ୍ତି ସହରର ସବୁଠୁଏ ସୁନ୍ଦର–ରାଜପ୍ରାସାଦ ପରି-। କିନ୍ତୁ ସେ ପୁଣି ଦିନେ କାଳସ୍ରୋତରେ ଢଳି ପଡ଼ୁଚି । ସେଇଠି ମଣିଷ ରହିବା ପରିବର୍ତ୍ତେ କେତୋଟି ଜୀବଜନ୍ତୁ, କୀଟପତଙ୍ଗର ଆଶ୍ରୟସ୍ଥଳରେ ପରିଣତ ହେଉଚି ।

 

ମନ ଭିତରୁ କିଏ ଯେପରି କହି ଉଠିଲା–ଏଇ ଘର, ଦୁଆର, ମାୟା, ମମତା ସବୁ ଛିଡ଼ାଇ ଯାଉଚି ଅରୁଣବାବୁଙ୍କ ପାଦତଳେ ମୋ ଜୀବନ ଉତ୍ସର୍ଗ କରିଦେବି । ପୁଣି ଭାବିଲି, ମୋର ଏଇ କାର୍ଯ୍ୟକୁ ସେ ଯଦି ପସନ୍ଦ ନ କରନ୍ତି–ତେବେ ଦୁଇକୂଳ ହରାଇ ମଝି ଦରିଆରେ ବୁଡ଼ି ମରିବି ସିନା ! ଇମିତି ନାନା ଆଡ଼ ନାନା କଥା ଭାବି ଭାବି ମୁଁ ବେଦନାରେ ଏକାବେଳକେ ଭାଙ୍ଗିପଡ଼ିଲି । ସନ୍ଧ୍ୟାର ଗାଢ଼ ଅନ୍ଧକାର ଭିତରେ ମୁଁ ଆଶାର ଆଲୋକ ଟିକିଏ ବି ଦେଖିବାକୁ ପାଇଲି ନାହିଁ । ମନ ହେଲା ଏହି ବହଳ ଅନ୍ଧକାର ସୁଅରେ ମୋ ଜୀବନ ନଉକା କୁଆଡ଼େ ଭାସିଯିବ–ଦିଗଭାଗ ବି ମିଳିବ ନାହିଁ ।

 

କେତେବେଳକେ ମୋ ଭାବନାରେ ବାଡ଼ ପକାଇ ରତି ଆସି ଡାକିଲା, ଅପା ! ଅପା ! ମୁଁ ଶୁଣିଲି ନାହିଁ–ଖାଲି ତକିଆରେ ମୁହଁ ମାଡ଼ି କାନ୍ଦିଲି । ସେ ଘରକୁ ଆସି ଆଲୁଅଟା ଜାଳିଦେଇ ଡାକିଲା, ଅପା ! ଉଠ, ଖାଇବ ଚାଲ । ମୁଁ ପିଲାଙ୍କ ପରି କାନ୍ଦି ଉଠିଲି । ସେ ମୋ’ ଆଖିରେ ଲୁହ ଦେଖି ପଚାରିଲା, ଅପା ! କ’ଣ ହେଇଚି ! କାନ୍ଦୁଚ କାହିଁକି ? ତା’ର ଏଇ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ଆଖିରୁ ଛୁଟିଲା ମୋ’ର ଝରଝର ଲୁହ । ସେ ମୋତେ କୋଳକୁ ଟାଣି ଆଖିରୁ ଲୁହ ପୋଛିଦେଇ ପଚାରିଲା, ଅପା ! ମୋ’ ରାଣ–ତମର କ’ଣ ହେଇଚି କୁହ !

 

ଗୋଟିଏ ଫୁଲର ସୁରଭି ନେଇ ଆମ ଦି’ ଭଉଣୀଙ୍କର ଜନମ । ଦିହିଙ୍କର ମନକଥା କେବେ କାହାରିଠାରେ ଅଛପା ରହେ ନାହିଁ । ଅନ୍ତରର ପରଶଭରା କାହାଣୀଟିକ ରତି ଆଗରେ ଅଜାଡ଼ି ଦେଲି ।

 

ରତି କହିଲା, ଅପା, ଗଲା କେଇଦିନ ତଳେ ବୋଉ ଆଗରେ ବାପା କହୁଥିଲେ ତମର କେଉଁଠି ବାହାଘର ପ୍ରସ୍ତାବ ପକେଇଚନ୍ତି । ସେଥି ପାଇଁ ତମର ଏ ବାହାର ବୁଲା ସେ ପସନ୍ଦ କରୁ ନାହାନ୍ତି । ତମେ ଆଉ ତାଙ୍କ ଘରକୁ ଯାଅନା । ଅରୁଣବାବୁଙ୍କୁ ମନରୁ ଭୁଲିଯାଅ ।

 

କହିଲି–ରତି, ଜୀବନର କାନ୍ତ କମନୀୟ ଦିନଗୁଡ଼ିକ ଯା’ଙ୍କ ସ୍ମୃତିରେ ଜଡ଼ିତ, ତାଙ୍କୁ ମୁଁ ଭୁଲିବି କିପରି ? ଭୁଲ କି କିଏ ପାରେ ?

 

ସେ କହିଲା, ଅପା, ଜୀବନରେ ଯା’ ଦିନେ ଅସମ୍ଭବ ପରି ଜଣାଯାଏ–ସେ ପୁଣି ଦିନେ ସମ୍ଭବରେ ପରିଣତ ହୁଏ । କିଏ କାହାର–ସ୍ନେହର ମାୟାଜାଲ ଭିତରେ ଛନ୍ଦି ହୋଇ ପଡ଼ି ମଣିଷ ନିଜକୁ ଭୁଲ ଯାଉଚି ସିନା !

 

କହିଲି, ନା ଭଉଣୀ ଅରୁଣବାବୁଙ୍କୁ ମୁଁ ଭୁଲି ପାରିବି ନାହିଁ । କିପରି ତାଙ୍କ ପ୍ରତି ମୁଁ ନିଷ୍ଟୁର ବିଚାର କରିବି । ଜୀବନରେ ଏତେ ବଡ଼ ଆଘାତ ସେ ସହିବେ କିପରି ? କହୁ କହୁ ଆଖିରୁ ଦୁଇଟି ଧାର ଲୁହ ଗଡ଼ି ପଡ଼ିଲା ।

 

ସେ କହିଲା, ଅପା ! ଆଘାତ ଉପରେ ଆଘାତ ବାଜେ । ତଥାପି ଏଇ ମଣିଷ ଜୀବନର କ୍ଷଣିକ ସୁଖ ସମ୍ଭୋଗ ଆଶାରେ ବଞ୍ଚି ରହିବା ପାଇଁ ସେ ଆଘାତ ସହିଯାଏ । ସବୁ ହେବ । ନିଜକୁ ସଜାଡ଼ି ଜାଣିଲେ ଜୀବନର ଗତି ବଦଳିଯିବ । ସେ ମୋ ଆଖିରୁ ଲୁହ ପୋଛିବାରେ ଲାଗିଲା । ତଥାପି ମୁଁ ନିଜକୁ ବୋଧକରି ପାରିଲି ନାହିଁ । ରତିକି ଧରି ଖାଲି କାନ୍ଦିଲା–ଆହୁରି କାନ୍ଦିଲି ।

 

ସେଇଦିନଠୁ ପନ୍ଦର ଦିନ ହେଲା ଆଉ ଅରୁଣବାବୁଙ୍କ ଘର ମାଡ଼ି ନାହିଁ । ମାଉସୀ ନିଜେ କେତେଥର ଆସି ଖୋଜି ଯାଇଚନ୍ତି, କିନ୍ତୁ ମୁଁ ଲୁଚି ଲୁଚି ତାଙ୍କୁ ମୁଁ ଦେଖା ଦେଇନି । ବୋଉଙ୍କ ପାଖରେ ପଦେ ଅଧେ ସୁଖଦୁଃଖ ହେଇ ସେ ବାହୁଡ଼ି ଯାଇଚନ୍ତି । ଦିନେ ଯା’ଙ୍କୁ ନ ଦେଖିଲେ ଅନ୍ତରରେ ଶତ ଆକୁଳତା ଜାଗି ଉଠୁଥିଲା, ଆଜି ତାଙ୍କ ବିହୁନରେ ଦିନଗୁଡ଼ା କିମିତି ବିତିଯାଉଚି ଭାବିଲେ ଆଶ୍ଚର୍ଯ୍ୟ ଲାଗେ !

 

ମୋର ନିଛାଟିଆ କୋଠରୀଟିରେ ସାରା ରାତି, ସାରା ଦିନ ଏକାକୀ ଭାବରେ କଟେ । ବେଳେବେଳେ ଅତୀତର ସ୍ମୃତିଗୁଡ଼ାକ ମୋର ନିସଙ୍ଗ ଜୀବନର ଆସି ସାଥୀ ହୁଅନ୍ତି । ପୁଣି କେତେବେଳେ ଚାଲିଯାଆନ୍ତି–ଆଖିରେ ଲୁହ, ମନରେ କରୁଣତାକୁ ଭରିଦେଇ ! ଦିନେ ଦିନେ ତାଙ୍କରି ସ୍ମୃତିରେ ଘରିହେଇ ଦେଖିବାକୁ ଆଖିରେ ପିପାସା ଜାଗେ । ଛାତ ଉପରକୁ ଆସି ତଳେଥିବା ତାଙ୍କର ସେହି ଦରମଉଳା କୋଠାଟିକୁ ଚାହେଁ । ଦେଖେ, କେହି ନାହାନ୍ତି–ସବୁ ଶୂନ୍‍ଶାନ୍ । ସେହି ନିରବତା’ ମଝିରେ ସତେ ଯେପରି କିଏ ମୋତେ ଡାକେ–କିନ୍ତୁ ସେହି କରୁଣବୋଳା ଡାକ ଆଜି ଧୀର ପବନରେ ମିଲାଇଯାଏ ।

 

ଘର ଭିତରକୁ ପୁଣି ଫେରି ଆସି ଭାବେ ଅତୀତ–ବର୍ତ୍ତମାନ । ମନ ରାଇଜରେ ଅତୀତର ସ୍ମୃତି–ସରଣୀ ଲମ୍ବିଯାଇଚି କାହିଁ କେତେ ଦୂର–ତା’ରି ଉପରେ ବର୍ତ୍ତମାନ ଆଜି ଛିଡ଼ାହେଇ ଭାଳି ଭାଳି ଖାଲି ଲୁହ ଢାଳୁଚି । ଭାବି ଭାବି ଶୋଇପଡ଼େ । ସପନରେ ବି ମନ କଥାଗୁଡ଼ା ଫୁଟିଉଠେ । ନିଦ ଯାଏ ଭାଜି–ମନ ଖୋଜେ । ଦେଖିଲା ବେଳକୁ ସପନ–ଫୁଲଟି ଯାଇଚି ମଉଳି, ଖାଲି ସୁରଭିଟିକ ବଞ୍ଚାଇବାକୁ ଚେଷ୍ଟା କରୁଚି ତା’ର ଅସ୍ତିତ୍ଵହୀନ କ୍ଷୀଣ ସ୍ମୃତିକୁ ।

 

ସେଦିନ ଖରାବେଳେ, ଶୋଇ ଶୋଇ ମୋର ଅତୀତ ସ୍ମୃତିରେ ମୁଁ ବିଭୋର ଥାଏ । ରତି ମୋ କତିରେ ଶୋଇପଡ଼ି ପଚାରିଲା, ଅପା, ଅରୁଣବାବୁଙ୍କୁ ଖାଲି ସବୁବେଳେ କ’ଣ ଇମିତି ଭାବୁଥିବ । ମୁଁ ଶୁଖିଲ ହସି ହସି କହିଲି, ଅପା ଯେତେ ଲୁଚାଇଲେ ମୁହଁଟା କ’ଣ ଆଉ ଲୁଚାଇ ପାରିବ ।

 

ନିଅ ଏ ଚିଠି ଖଣ୍ଡିକ, ଅରୁଣବାବୁ ଦେଇଛନ୍ତି । ଅରୁଣବାବୁଙ୍କ ଚିଠି ଖଣ୍ଡିକ ଦେଖି ମନଟା ଗୋଟାଏ ଅଜଣା ଆଲୋକରେ ଝଲସି ଉଠିଲା ।

 

ଖୋଲି ପଢ଼ିଲି–

 

ସ୍ନେହରେ କାନ୍ତି,

 

କି ଦୂର୍ଯ୍ୟାଗରେ ଆମର ପରିଚୟ ହେଲା କେଜାଣି, ପ୍ରୀତି–ପତ୍ରଟି ନ ଲେଖୁଣୁ ଚିରଦିନ ପାଇଁ ଇତି କରିବାକୁ ପଡ଼ିଲା । ଆମର ଜୀବନ ମଝିରେ ଦିନେ ଯେ ଅକସ୍ମାତ୍‍ ଶ୍ରାବଣର କଳାମେଘ ଘୋଟି ଆସି ପରସ୍ପରକୁ ପଥହୁଡ଼ା କରିବ, ଏହା ମୁଁ ପହିଲୁ ଜାଣିଥିଲି । ତଥାପି ତମର ରୂପଲାବଣ୍ୟ, ସ୍ନେହ ଆଳାପ ମୋର ଭଙ୍ଗା ଦିନର ହଜିଲା ଅତୀତ ଅନ୍ଧାରରେ ଆଶା–ଆଲୋକଟିକ ଜାଳି ଦେଇଥିଲା । ଆଜି ଦେଖୁଚି ସେ ଆଲୁଅ ନୁହେଁ–ବିଭୀଷିକା । ବିଦ୍ରୂପଭରା କଥା କହି ମୋତେ ଡରାଉଚି ।

ମୋ’ ଲାଗି ତମେ ବାପାଙ୍କଠାରୁ ଅପମାନିତ ହେଇଚି । ସେ ଅପମାନକୁ ତମେ ଦୁଃଖ ବୋଲି ମଣିବ ନାହିଁ । ଦିନେ ଦେଖିବ ସେହି ଅପମାନ ତମକୁ ଅଜଣା ସୁଖର ଇଙ୍ଗିତ ଦେବ । ମୋତେ ଭୁଲିଯିବ । ଗରିବଟାକୁ ମନରେ ସ୍ଥାନ ଦେଇ ନିଜର ଇଜ୍ଜତଟିକ ତଳେ ପକାଇବ ସିନା–ଗୌରବଟିକ ବଢ଼ିବ ନାହିଁ !

ଶୁଣି ସୁଖୀ ହେବ ମୋର ଚାକିରିର ବଦଳି ହେଉଚି । ଖୁବ୍ ନିକଟରେ କଟକ ମୋତେ ଭୁଲିଯିବ–କିନ୍ତୁ କଟକର ଅଲୋଡ଼ା ସୃତି ମୁଁ ଚିରଦିନ ପାଇଁ ଭୁଲି ପାରିବି ନାହିଁ । ଇତି।

ଅରୁଣ

 

ଚିଠିର ପ୍ରତି ଧାଡ଼ିରେ ତାଙ୍କର ମୋ ପ୍ରତି ବେଦନାଭରା ଅଭିମାନ ଜଡ଼ି ରହିଥିଲା । ଚିଠିଟି ପଢ଼ି ସାରିଲା ବେଳକୁ ଆଖି ଦୁଇଟି ଲୁହରେ ଭରି ଉଠିଥିଲା ।

 

ରତି କହିଲା–ଅପା, କ’ଣ କାନ୍ଦିବା ପାଇଁ ତମକୁ ମୁଁ ଚିଠି ଖଣ୍ଡିକ ଦେଇଥିଲି !

 

ଆଉ କ’ଣ ହସିବା ପାଇଁ ? ବେଶି ହସିଲେ ପୁଣି ମଣିଷକୁ କାନ୍ଦିବାକୁ ପଡ଼େ ଲୋ ରତି-! ମୁଁ ଦିନେ ଜାଣିଥିଲି–କିନ୍ତୁ ଆଜି ଅଙ୍ଗେ ଲିଭେଇଲି । ଆଚ୍ଛା, ଅରୁଣବାବୁ ସବୁକଥା ଜାଣିଲେ କିପରି ?

 

ସବୁ ଘଟଣା ମୁଁ ତାଙ୍କୁ କହିଦେଲି । ସେ ମୋତେ ପଚାରିଲେ, କାନ୍ତିଅପାଙ୍କ ଦେହ କ’ଣ ଖରାପ ଅଛି କି ରତି !

 

ମୁଁ ହଠାତ୍ କହିଦେଲି, ଦେହ ଖରାପ ନୁହେଁ–ମନ ଖରାପ । ସେ ସେଇଠୁ ଜିଦ୍ ଧରି ବସିଲେ, କ’ଣ ହେଇଚି କୁହ । କହୁ କହୁ ସବୁ କଥା କହିଦେଲି । ସବୁ କଥା ଶୁଣି ସାରିଲା ବେଳକୁ ତାଙ୍କ ଓଠରୁ ହସ ଲିଭିଗଲା ମୁହଁ ନୀରସ ଦିଶିଲା । କହିଲେ ରତି, ମୋର ଗୋଟିଏ କାମ କରିଦେବ । କହିଲି କ’ଣ କହୁନା । ସେଇଠୁ ସେ ଚିଠି ଖଣ୍ଡିକ ଲେଖି ମୋ ହାତକୁ ଦେଲେ । କହିଲେ ଏ ଚିଠି ଖଣ୍ଡିକ ଅପାଙ୍କୁ ଦେବ ।

 

ପଚାରିଲି, ଚିଠି ଦେଲାବେଳେ ଆଉ କ’ଣ ମୋ କଥା ପଚାରୁଥିଲେ ।

 

ନାଁ !

 

ଏ ସବୁ କଥା ତୋ’ର କହିବା ଉଚିତ ନ ଥିଲା ରତି ! କହି ତ ଦେଇଚି ଯା’ ଦଣ୍ଡ ଦେବାର ଦିଅ । ଆଉ ସତ କଥାକୁ ଯେତେ ଲୁଚାଇଲେ ସେ ତ ପୁଣି ଦିନେ ନା ଦିନେ ବାହାରିବ ଅପା !

 

ତଳଘରୁ ବାପା ଡାକିଲେ, ରତି ! ରତି ! ରତି ଚାଲିଗଲା । ମୁଁ ତାଙ୍କ ଚିଠିଟି ବାର ବାର ପଢ଼ିଲି । ଆଖିର ଲୁହରେ ଉତ୍ତର ଲେଖିଲି–

 

ଆଦରର ଅରୁଣବାବୁ,

 

ଚିଠି ଖଣ୍ଡିକ ପାଇଲି । କ’ଣ ଉତ୍ତର ଦେବି, କିଛି, ଭାବି ପାରୁନାହିଁ । ଆପଣଙ୍କ ମନରେ ମୁଁ ବହୁତ କଷ୍ଟ ଦେଇଚି । ଆପଣଙ୍କୁ ମୁଁ ଆଶା କରିଚି–କିନ୍ତୁ ଆଶା ଦେଇନି । ସେଥିପାଇଁ କ୍ଷମା କରିବେ ।

 

ମନ ହେଉଚି ଆଲୁଅ ରୂପରେ ଆଜି ଆପଣଙ୍କ କତିକି ଚାଲି ଯାଆନ୍ତି । ଆପଣଙ୍କ ମନଗୁହାରୁ ବେଦନାର ଅନ୍ଧକାରଟିକ ତଡ଼ି ଦିଅନ୍ତି । ଆଉ ମନଭରି ଆପଣଙ୍କୁ ଦେଖି ବିଦାୟ ନିଅନ୍ତି । କିନ୍ତୁ ପରିସ୍ଥିତି ତା’ ଆଉ ଜୀବନରେ ଘଟାଇ ଦେଲା ନାହିଁ । ଆପଣ ଚାଲିଯିବେ । କଟକ ଆପଣଙ୍କୁ ଭୁଲିଯିବ ସତ–କିନ୍ତୁ କଟକରେ କେଉଁ କୋଣରେ ପଡ଼ିଥିବା ଗୋଡ଼ି ବୋଲି ବକଟେ ସେ ଆପଣଙ୍କୁ ଚିରଦିନ ପାଇଁ ମାନେ ରଖିବ । ଇତି ।

 

ଦି’ ଦିନର ପରିଚିତା

କେହି ଜଣେ

 

ଚିଠି ଖଣ୍ଡିକ ତା’ ପରଦିନ ରତି ଦ୍ଵାରା ଡାକରେ ପଠାଇଦେଲି ।

 

ଆଠଦିନ ପରେ । ସେଦିନ ସକାଳର ସୂର୍ଯ୍ୟକିରଣ ହଜାଇଦେଇ ଆକାଶରେ ଘୋଟି ଆସିଥାଏ ବଉଦମାଳ । ଚାରିଆଡ଼ ଦିଶୁଥାଏ ମଳିନ–ନିସ୍ତେଜ । ଘରେ ବସି ଝରକା ଦେଇ ଦିଗ ଶେଷଆଡ଼େ ଚାହିଁ ଚାହିଁ ଭାବୁଥାଏ ମୋର ଅନାବନା ଭାବନା ।

 

ହଠାତ୍ ରତି ଆସି ଡାକିଲା, ଅପା ! ଅନାଇଲି ରତି ସାଙ୍ଗରେ ମାଉସୀ । ରତି କହିଲା, ଅପା ! ମାଉସୀ, ଅରୁଣବାବୁ ଆଜି ଚାଲିଯାଉଛନ୍ତି । ଯିବା ଆଗରୁ ମାଉସୀ ତମକୁ ଦେଖା କରିବାକୁ ଆସିଛନ୍ତି । କ’ଣ କହିବି କୁହ !

 

ମୁଁ ଉଠିଯାଇ ମାଉସୀଙ୍କ ହାତଧରି କହିଲି, କହିବାକୁ ଆଜି ମୋ’ର କିଛି ନାହିଁ ମାଉସୀ, ଖାଲି ଏତିକି କହୁଚି ଟିକିଏ ମନେ ରଖିଥିବ !

 

ମାଉସୀ କହିଲେ, ଏତେ ଚଞ୍ଚଳ ଯଦି ଆମକୁ ପର କରିଦେଲ, ଇମିତି ମାୟା ଲଗାଇଲ କାହିଁକି । ଯାଉଚି ମା’–ଝୁଅକୁ କ’ଣ ମା’ କେବେ ଭୁଲିପାରେ । ଏ ଜନମରେ ତମକୁ ଝିଅ କରିଥିଲି କିନ୍ତୁ ପର ଜନମରେ ତମକୁ ମୁଁ ଖୋଜି ଖୋଜି ବୋହୁ କରିବି ଲୋ କାନ୍ତି ! କେବେହେଲେ ପର କରିପାରିବି ନାହିଁ । କହୁ କହୁ ତାଙ୍କ ଆଖିରେ ଲୁହ ପୂରି ଉଠିଲା ।

 

କହିଲି, ମାଉସୀ, କାହିଁ କେତେ ଦୂରରେ ଥିଲେ ବି ତମକୁ ମୁଁ ମୋଟେ ଭୁଲିପାରିବି ନାହିଁ । କହୁ କହୁ ମୋ ଆଖିରୁ ଦୁଇଟୋପା ଲୁହ ଗଡି ପଡ଼ିଲା ।

 

ମାଉସୀ ମତେ କୋଳକୁ ଟାଣିନେଇ କହିଲେ, ଆଖିର ଦି’ଟୋପା ଲୁହ ଦେଇ ଯିବାବେଳେ ବି ମାୟା ଲଗାଉଚ କାନ୍ତି ! ଛି... ସେ ମୋ ଆଖିରୁ ଲୁହ ପୋଛିଦେଲେ ।

 

ମୁଁ ତାଙ୍କ ପଦତଳେ ମୁଣ୍ଡ ନୋଇଁଲି । ମାତୃ ହୃଦୟ ତାଙ୍କର ବେଦନାରେ ଉଛୁଳି ଉଠିଲା-। ସେ ଆଖିରୁ ଲୁହ ପୋଛି ପୋଛି ବିଦାୟ ନେଲେ ।

 

ମାଉସୀଙ୍କୁ ଛାଡ଼ିଦେବାକୁ ରତି ତଳକୁ ଆସିଲା । ମନ ହେଉଥିଲା ତଳକୁ ଆସି ଯିବାବେଳେ ଅରୁଣବାବୁଙ୍କୁ ଟିକେ ପ୍ରାଣଭରି ଦେଖିନେବାକୁ କିନ୍ତୁ କୋଉ ସରାଗ ଆଜି ଲହଡ଼ି ପରି ଭାଙ୍ଗି ପଡ଼ୁଚି ଯେ ତାଙ୍କ ଆଶା–ନଈର କୂଳେ କୂଳେ ମୋ’ର ଜୀବନ–ନଉକା ଆଉ ଖେଳି ବୁଲିବ । ଆସିବାକୁ ଇଚ୍ଛା ହେଲା ନାହିଁ । ପୁଣି ମନଟା ହେଲା ଛଟପଟ ! ଦଣ୍ଡକ ପରେ ସେ ଚାଲିଯିବେ ଚିରଦିନ ପାଇଁ ତାଙ୍କ ସୁନ୍ଦର ରୂପଟି ହଜିଯିବ । ମନଟାକୁ ଆଉ ଭାବନାରେ ବୋଧ କରିପାରିଲି ନାହିଁ ! ଛାତ ଉପରକୁ ଆସି ଚାହିଁଲି । ରାସ୍ତା ମୋଡରେ ଘୋଡ଼ାଗାଡ଼ି ତାଙ୍କର ବାଙ୍କିଲା । ଧୀରେ ଧୀରେ ସେ ଲୁଚିଗଲା ବେଳକୁ ଆଖିରୁ ମୋ’ର ଗଡ଼ି ଆସିଥିଲା ଧାର ଧାର ହୋଇ ଲୁହ ।

 

ଭାବନା ଆଉ ଦ୍ଵନ୍ଦ ଭିତରେ ସାତଟି ମାସ ବିତିଯାଇଚି । ଅରୁଣବାବୁ ଆଜି କାହିଁ ଦୂରରେ । ଥରୁଟିଏ ହେଲେ ବି ଚିଠି ଖଣ୍ଡିକରେ ପଚାରି ନାହାନ୍ତି । ସେ ଚାଲିଗଲା ଦିନଠୁ ତାଙ୍କର ସେଇ ଦରମଉଳା କୋଠାଟିକୁ ଚାହିଁ ଚାହିଁ ବେଳେ ବେଳେ ମନଟା ତାଙ୍କୁ ଖୋଜେ । କିନ୍ତୁ ଦେଖେ ତାଙ୍କର ଚିହ୍ନ ବର୍ଣ୍ଣ ବି ମିଳେ ନାହିଁ । ବସାଟା ଖାଲି ପଡ଼ିଛି–ଚାରିଆଡ଼େ ଖାଁ ଖାଁ । ସତେ ଯେପରି ସେହି ବାସ ଭିତରେ ଗୋଟାଏ କରୁଣ ମୂର୍ଚ୍ଛନା ଖେଳି ବୁଲୁଚି । ଅତୀତ ଗୋଟି ଗୋଟି ହେଇ ନାଚିଉଠେ । ମନ ଉଠେ ବାହୁନି–ଆଖିରୁ ଝରେ ଲୁହ !

 

ବେଳେବେଳେ ଅନିମା, ସୁରମା, ଶକୁନ୍ତଳା, ମଲ୍ଲୀ ହେରିକା ଆସନ୍ତି । ବନ୍ଧୁ ଗହଣରେ ଆମ ଘର ଖଣ୍ଡିକ ପୂରି ଉଠେ । ଆମ ଭିତରେ ଶକୁନ୍ତଳା, ମଲ୍ଲୀ ଦିହେଁ ବାହା ହୋଇଚନ୍ତି । ଶକୁନ୍ତଳା ନୂଆ, ମଲ୍ଲୀ ପୁରୁଣା । ଅନିମା କହେ, ଶକୁନ୍ତଳା ବାହାହେଲା ଚଉଠି ରାତିରେ ତମର କେମିତି କ’ଣ ହେଲା ଟିକିଏ କୁହମ । ଶକୁନ୍ତଳା ହସି ହସି କୁହେ, ଆଗରୁ କାହା ସାଙ୍ଗରେ ଚଉଠିରାତି କଲଣି କି ସୁରମା ! ସମସ୍ତେ କିରି କିରି ହେଇ ହସି ଉଠନ୍ତି । ସୁରମା ଲାଜରେ ଝାଉଁଳି ପଡ଼େ ।

 

ମଲ୍ଲୀ ବାହାହେବା ଦେଢ଼ବର୍ଷ ହେଇନି । କୋଳରେ ତା’ର ତିନିମାସର ଶିଶୁ । ରତି କୁହେ, ମଲ୍ଲୀଅପା, ଏତେ ଚଞ୍ଚଳ ଏଇଟିକି କୋଉଠ ପାଇଲ ମ ! ମଲ୍ଲୀ ମୁରୁକି ହସି କୁହେ, ଭଗବାନ ଦେଲେ । ସୁରମା ହସି ହସି କହେ, ଭଗବାନ ଦେଲେ ନା ଦେବବାବୁ ଦେଲେ । ଛିଃ, ଛିଃ ଦେଢ଼ଟା ବରଷ ବି ସମ୍ଭାଳି ପାରିଲ ନାହିଁ । ସମସ୍ତେ ହସି ହସି ଗଡ଼ିଯା’ନ୍ତି । ମଲ୍ଲୀକୁ କୁହେ, ସୁରମା, ଦେଖିବି ଯେ ତମେ କିମିତି ସମ୍ଭାଳି ରହିବ । ସୁରମା ମଲ୍ଲୀକୁ ଚଢ଼ା ଉତ୍ତର ଦେଇ କହେ, ଯା’ମ ଆଉ କ’ଣ ତମରି ପରି ହେଇଚି ବାହାଘର ଦିନ କେଇଟା ନ ଜାଉଣୁ ଗାଲ ଦି’ଟାକୁ ଠାକରା କରି ଆସିବି । ହସି ହସି ସମସ୍ତଙ୍କର ପେଟ ପରାଶ ହୁଏ । ମୁଁ କିନ୍ତୁ ତାଙ୍କ ସହିତ ମନଖୋଲି ହସି ପାରେ ନା, କି କାହାରିକୁ ଥଟା କରି ପଦେ କହେନା । ସେଥିପାଇଁ ସମସ୍ତେ ମୋତେ ଶାଗୁଣା ପରି ଟାଉଁ ଟାଉଁ କରି ଖାଇଯାଆନ୍ତି । ମୋ ମନରେ ଆଘାତ ଉପରେ ଆଘାତ ଦିଅନ୍ତି ।

 

ଇମିତି ଦିନଗୁଡ଼ା ମଉଜା ଫୁଲ ପରି ବିତି ଚାଲିଲା !

 

ସେଦିନ ସଞ୍ଜ ଅନ୍ଧାର ନ ଆସିବା ଆଗରୁ ଜହ୍ନରାଣୀ ବଉଦ ଦୋଲାରେ ହସି ହସି ଚାଲି ଆସିଲା । ଚାନ୍ଦର ଚିକ୍କଣ ଭରା ଗୋଲ ମୁହଁଟିକୁ ଚାହିଁ ମନେ ପଡ଼ିଲା ସତେ ତ ଆଜି ପୁନେଇଁ-। ସେଇଥିପାଇଁ ଜହ୍ନରାଣୀର ମୁହଁଟିକୁ ଚାହିଁ ମନେ ପଡ଼ିଲା ସତେ ତ ଆଜି ପୁନେଇଁ । ସେଇଥିପାଇଁ ଜହ୍ନରାଣୀର ମୁହଁଟି ଏତେ ସରାଗଭରା ! ଛାତ ଉପରେ ବସି ପୁନେଇଁ ଛାତିର ଶୋଭା ଦେଖୁଚି, ବୋଉ ଡାକିଲା, କାନ୍ତି ! ବୋଉ ଡାକ ଶୁଣି ଆସିଲି ।

 

ବୋଉ କହିଲା–କାନ୍ତି, ଯିବୁ ତ ତୋ’ର ସେଇ ବନାରସି ଶାଢ଼ୀ ଆଉ ସିଲ୍କ ବ୍ଲାଉଜଟା ପିନ୍ଧି ଆସିବୁ । ପଚାରିଲି, କାହିଁକି ? ବୋଉ କହିଲା, ତୋ’ର ପରା ବାହାଘର ଲାଗିଚି ପୁରୀର ଅମିତାଭବାବୁ ଓକିଲଙ୍କ ବଡ଼ ପୁଅ ସାଙ୍ଗରେ । ତାଙ୍କ ପୁଅ ନିଜେ ଆସିଚନ୍ତି ତୋତେ ଦେଖିବାକୁ । ଯା’ ଚଞ୍ଚଳ ଲୁଗାଟା ପିନ୍ଧି ଆସିଲୁ ।

 

ମୋ ରୁମ୍‍କୁ ଆସି ନିଜକୁ ସୁନ୍ଦର କରି ସଜାଇବାକୁ ମନ ବଳିଲା ନାହିଁ ଅରୁଣବାବୁଙ୍କ ସ୍ମୃତିଗୁଡ଼ା ଆସି ମନକୁ ବିଚଳିତ କରି ପକାଇଲା । ଶୋଇ ଶୋଇ ଖାଲି ଭାବିଲି ତାଙ୍କରି କଥା ! ଭାବୁ ଆଖିରୁ ଛୁଟିଲା ଲୁହ ।

 

ବୋଉ ଆସି କହିଲା, କାନ୍ତି ! ଶୋଇଚୁ କ’ଣ ଲୁଗା ପିନ୍ଧଲୁ ନାହିଁ କି ? ତାଙ୍କ କଥାର କିଛି ଉତ୍ତର ନଦେଇ ତକିଆରେ ମୁହଁମାଡ଼ି କାନ୍ଦିଲି । ବୋଉ ମୋ ଆଖିରେ ଲୁହ ଦେଖି କୋଳକୁ ଟାଣିନେଲା । ବୁଝାଇ କହିଲା, ମା’ଟା ପରା କାନ୍ଦିଲେ କ’ଣ ହେବ । ଝିଅ ଜନମ ତ ଦିନେ ପର ଘରକୁ । ଯେତେ ସ୍ନେହ, ଯେତେ ଅଲିଅଳରେ ବଢ଼ିଥିଲେ ବି ତୋତେ ଦିନେ ନିଜ ଘରକୁ ଛାଡ଼ି ପରଘରକୁ ଆପଣାର କରିବାକୁ ହେବ । ନିଜଘର ପରି ପର ଘରକୁ ସୁନ୍ଦର କରି ସଜାଡ଼ିବାକୁ ହେବ । ଦୁନିଆର ତ ଏ ନିୟମ ମା’ ! ଛିଃ’ କାନ୍ଦନା । ମୋ ଆଖିରୁ ଲୁହ ପୋଛିଦେଲେ ।

 

ସବୁ ଦୁର୍ବଳତାକୁ ମନଭିତରୁ ଛାଡ଼ି ଶାଢ଼ୀ ଖଣ୍ଡିକ ପିନ୍ଧିଲି । ବୋଉ ମୋ ହାତରେ ପାନ ସିଗାରେଟ ଥାଲିଆଟା ବଢ଼ାଇ କହିଲା, ତାଙ୍କ ଆଗରେ ଥୋଇଦେଇ ଆସିବୁ । ଲାଜ କରିବୁ ନାହିଁ । ଯନ୍ତ୍ରଚାଳିତ ପରି ମୁଁ ତଳ ଘରକୁ ଚାଲି ଆସି ତାଙ୍କ ସାମନାରେ ଥାଲିଆଟା ଥୋଇ ଦେଇ ଆସିଲି । ଲାଜରେ ତାଙ୍କ ମୁହଁକୁ ଚାହିଁ ପାରିନଥିଲି ।

 

ସେଦିନ ରାତିଟା ଖାଲି ଉତ୍ତପ୍ତ ଭାବନାରେ କଟିଲା ।

 

ଦି’ଦିନ ପରେ ରାତି ଆସି କହିଲା, ଅପା ! ତମକୁ ଦେଖି ଅଜୟବାବୁ ଭାରି ପସନ୍ଦ କରୁଚନ୍ତି । ତମ ଏଇ ସୁନ୍ଦର ରୂପରେ ସେ ମୁଗ୍ଧ ହୋଇ କିଛି ନ ଭାବି ଏକାବେଳକେ ପୂର୍ଣ୍ଣ ଜବାବ ଦେଇ ଯାଇଚନ୍ତି । ବାପା କହୁଥିଲେ, ଏଇ ମାର୍ଗଶିର ତେରରେ ତମର ବାହାଘର ।

 

ସତକୁ ସତ ହେମନ୍ତର ସେହି ଅଭୁଲା ଲଗନରେ ମିଳନର ଶଙ୍ଖ ବାଜି ଉଠିଲା । ଆମ ଘର ଦୁଆର ଲୋକ ଗହଳିରେ ପୂରି ଉଠିଲା ସାଜସଜାରେ ଆମ କୋଠା ଖଣ୍ଡକ ନୂଆ ରୂପଧରି ହସି ଉଠିଲା । ଏତେ ଆଡ଼ମ୍ବରରେ ବି ମୁଁ ନିଜକୁ ଅରୁଣବାବୁଙ୍କ ଠାରୁ ଦୂରରେ ହଜାଇ ଦେଇ ନଥିଲି ।

 

କେଉଁ ଏକ ଅଜଣା ମୁହୂର୍ତ୍ତ ଆସି ମୋତେ କାହା ଜୀବନ ସାଙ୍ଗରେ ଛନ୍ଦି ଦେଲା, ମୋତେ ଚିତ୍ର ପରି ଲାଗୁଥିଲା । ଯେତେବେଳେ ଜାଣିଲ ଆଉ ଘଣ୍ଟାକ ପରେ ଏଇ ଘର ଦୁଆର, ସାଙ୍ଗ ସାଥୀ, ବାପ ମା, ଏଇ ସହରର ପ୍ରତି ଧୂଳିକଣା, ଇଟାମାଟିଠାରୁ ସବୁଦିନ ପାଇଁ ସ୍ନେହର ବନ୍ଧନ ଛିଡ଼ାଇଦେବାକୁ ପଡ଼ିବ, ସେତେବେଳେ ମୁଁ ଭୋ’ ଭୋ’ ହେଇ କାନ୍ଦି ଉଠିଲି । କିନ୍ତୁ ଯେତେ କାନ୍ଦିଲେ ବି କେହି ମୋର କରୁଣ ନିବେଦନ ଗ୍ରହଣ କଲେ ନାହିଁ । କାଲି ଯେଉଁମାନେ ମୋର ଅତି ଆପଣାର ଥିଲେ, ଆଜି ସେ ସମସ୍ତେ କରଛଡ଼ା ଦେଇ ଘୁଞ୍ଚିଗଲେ । ସମସ୍ତେ ମୋତେ ମନଭୁଲାଣିଆ କଥା କହି ମଟରରେ ଆଣି ବସାଇଦେଲେ । ଡ୍ରାଇଭର ଛାଡ଼ିଲା । ସମସ୍ତେ ଲୁଚିଗଲେ ଆଖିର ଆଢ଼ୁଆଳରେ–ପୁଣି ଭାସି ଉଠିଲେ ଭାବନା ଭିତରୁ ସଜୀବ ହୋଇ ବେଦନାର ଲୁହରେ ।

 

ମଟର ଛୁଟି ଚାଲିଚି ଆଗକୁ । ଥିରି ଥିରି ପବନର ମୃଦୁ ମୃଦୁ ପରଶ ବାଜୁଚି ଦେହରେ । ପାଖାଖାଖି ଆମେ ଦିହେଁ । ତଳକୁ ମୁଁ ମୁହଁ ପୋତିଥାଏ । ଲାଜରେ ଅନାଇଁ ପାରେନା । ସେ ନ ଜାଣିଲା ପରି ତାଙ୍କ ହାତ ଦି’ଟା ମୋ ଉପରେ ପକାଇ ଦିଅନ୍ତି । ପାଖକୁ ଲାଗି ଢଳି ପଡ଼ନ୍ତି । ଦେହଟା ଥରିଉଠେ । ମନରେ ଲାଗେ ଚମକ । ସେ ପୁଣି ଘୁଞ୍ଚି ଯାଆନ୍ତି । ସଞ୍ଜ ଆଗରୁ ମଟର ଆସି ପୁରୀରେ ପହଞ୍ଚିଲା । ଆମେ ପହଞ୍ଚିଲାକ୍ଷଣି ତାଙ୍କ ଘରଟି ଆନନ୍ଦରେ ଉଛୁଳି ଉଠିଲା ।

 

ପହଞ୍ଚୁ ନ ପହଞ୍ଚୁଣୁ ସୁନ୍ଦର ଢଳ ଢଳ ଛବିଟି ପରି ତିନୋଟି ଝିଅ ଆସି ମୋ ସାଙ୍ଗରେ ଗେଲ ଖେଳି ବସିଲେ । କଥା ନେଇ ବୁଝିଲି, ଗୋଟିଏ ତାଙ୍କର ନିଜର ଓ ଅନ୍ୟ ଦୁଇଟି ପଡ଼ିଶା ଲେଖାରେ ଭଉଣୀ ।

 

ତା’ ପରଦିନ ସବୁବେଳେ ତାଙ୍କ ଭଉଣୀ ରେବତୀ ମୋ କରେ କରେ ଥାଏ । ବେଳେବେଳେ ସେ ଚାଲିଗଲେ ଘରଟାରେ ମୋତେ ଏକଲା ରହିବାକୁ ପଡ଼େ । ଘରକଥା ମନେ ପଡ଼େ । ତା’ ପରେ ଅରୁଣବାବୁଙ୍କ ସ୍ମୃତି ଅତୀତର ଅନ୍ଧାରୀ କଣରୁ ଉଙ୍କିମାରେ । ଭାଳି ଭାଳି ମନ ହୁଏ ପରାଶ । ନୀରବରେ ଆଖିରୁ ପୋଛେ ଲୁହ ।

 

ରେବତୀ ଆସି ଡାକେ, ନୂଆବୋଉ, ଖାଇବ ଚାଲ । ମୁଁ କହେ ଭୋକ ନାହିଁ । ସେ ମୋତେ ଧମକେଇ କହେ ଭାଇଙ୍କି ଡାକିବି କିପରି ଖାଉନାହଁ । ମୁରୁକି ହସି କହେ, ଡାକୁନା ତମ ଭାଇଙ୍କି ମୁଁ କ’ଣ ଡରିଚି । ସେ ଅଭିମାନରେ ଚାଲିଯାଏ । ପୁଣି ଟିକିଏ ପରେ ଫେରି ଆସି କୁହେ, ସତେ ଲୋ ନୂଆବୋଉ ଭାଇ ତମକୁ ଡରିଲେ–ଆସିଲେ ନାହିଁ !

 

ସେତିକିବେଳେ କିଏ ହସି ହସି ଘର ଭିତରକୁ ପଶି ଆସିଲେ । ମୁଁ ଲାଜରେ ଓଢ଼ଣା ଟିକେ ଟାଣିଦେଲି । ରେବ କହିଲା, ଦେଖିଲ ସାନଭାଇ, ନୂଆବୋଉ କିପରି ଖାଇବାକୁ ଯାଉ ନାହାନ୍ତି । ସେ ଧମକ ଦେଇ କହିଲେ, ନ ଖାଆନ୍ତୁ । ଉପାସରେ ବଳେ ଭାଙ୍ଗିପଡ଼ିଲେ ଖାଇବେନି ଯେ, ଏତେ ଖୋସାମତ ହେଉଚି କାହିଁକି ?

 

ତା’ପରେ ସେ କଥା ବୁଲେଇ କହିଲେ, ରେବ, ତୋ’ ନୂଆବୋଉ କ’ଣ ଭାରି ଲାଜ କରୁଚନ୍ତି । ତାଙ୍କ ଦର୍ଶନ ତ ମିଳିବା ବହୁ ଭାଗ୍ୟର କଥା । କଥା କ’ଣ କି ଭାଇ ଆମର ଭୁଲରେ ଯଦି କାଣି କୁଜୀଟିଏ ବାଛି ଆଣିଥା’ନ୍ତି, ତେବେ ତ କଥା ସରିଲା । ମୁଁ ଓଢ଼ଣା ତଳେ ମୁରୁକି ମୁରୁକି ହସୁଥାଏ । ରେବ କହିଲା, ନା ସାନଭାଇ, ନୂଆବୋଉ ଆମର ସାକ୍ଷାତ ସରଗର ପରି–ଦେଖିବ । ଏତିକି କହି ରେବ ଜୋର କରି ମୁହଁରୁ ଓଢ଼ଣାଟା କାଢ଼ିଦେଲା । ତାଙ୍କ ଆଡ଼େ ଅନାଇଁଲି । ସେ ହସି ହସି ମୋରି ଆଡ଼େ ଚାହିଁ ରହିଚନ୍ତି । ଲାଜରେ ମୁଁ ସଢ଼ିଗଲି । ସେ କହିଲେ, ସତେଲୋ ରେବ, ନୂଆବୋଉ ଆମର ସାକ୍ଷାତ ଗୋଟିଏ ଲକ୍ଷ୍ମୀ–ଥାଉ ଥାଉ ଛାଡ଼ିଦେ ! ବିଚରା ଲାଜରେ ଝାଉଁଳି ଗଲେଣି । ରେବ ଛାଡ଼ିଦେଲା । ମୁଁ ମୁଣ୍ଡ ଉପରକୁ ପୁଣି ଓଢ଼ଣାଟା ଟାଣିଦେଲି ।

 

ରେବ କହିଲା, ସାନଭାଇ ! ନୂଆବୋଉ ମୁହଁ ଦେଖିଲ । ଆଉ କ’ଣ ଦେଉନା । ସେ କହିଲେ, କ’ଣ ଦେବି ରେବ । ମୋ ପାଖରେ ତ କିଛି ନାହିଁ । ରେବ କହିଲା, ଦେଖିଲ ନୂଆବୋଉ, ସାନଭାଇ କିପରି ଚାଲାକ, ମାହାଳିଆ ମୁହଁ ଦେଖି ଚାଲିଯିବେ । ଓଢ଼ଣା ତଳୁ ଚାହିଁଲି ସେ ତାଙ୍କ ହାତରୁ ମୁଦିଟା ଖୋଲି କହିଲେ, ରେବ, ନେ ମୁଦିଟା ନୂଆବୋଉଙ୍କୁ ଦେ । ରେବ ହସି ହସି ମୁଦିଟା ଆଣି ମୋ ହାତରେ ପିନ୍ଧାଇ ଦେଲା । ସେ ପରିତୃପ୍ତିର ହସ ହସି ଚାଲିଗଲେ । ଦେଖିଲି, ସେ ମୁଦି ଉପରେ ସୁନ୍ଦର ଅକ୍ଷରରେ ଲେଖାଅଛି “ବିଜୟ” ।

 

ମୁଦିଟା କାଢ଼ି ରେବକୁ କହିଲି, ରେବ ! ନେ ମୁଦିଟା ସାନଭାଇଙ୍କୁ ଦେଇଦେ । ତାଙ୍କ ହାତ ଖାଲି–ମୁଁ ମୁଦିଟା କିପରି ପିନ୍ଧିବି । ରେବ କହିଲା, ନାଁ ନୂଆବୋଉ, ଫେରାଇ ଦେଲେ ସାନଭାଇ ଭାରି ଘୋଷା ହେବେ । ସ୍ନେହରେ ଯେତେବେଳେ ତମକୁ ସେ ଦେଇଚନ୍ତି, କିଛିଦିନ ପିନ୍ଧ ପରେ ତମେ ତାଙ୍କୁ ଫେରାଇ ଦେବ । ଚାଲ ଖାଇବ ଚାଲ । କହିଲି, ରେବ, ଏହିକ୍ଷଣି ମୋତେ ଭୋକ ନାହିଁ–ତମେ ଯା’ । ମୁଁ ପରେ ଖାଇବି । ସେ ତଥାପି ଜିଦ୍ ଧରି କହିଲା, ଭାଇଙ୍କ ରାଣ ନୂଆବୋଉ, ଦି’ଟା ଖାଇ ଆସିବ ଚାଲ । କ’ଣ କରିବି–ବାଧ୍ୟ ହୋଇ ଉଠିଲି । ରେବ କହିଲା, ନୂଆବୋଉ ! ଆଜିଠାରୁ ଭାଇଙ୍କ ଠେଇଁ ତମର ଏତେ ଲୋଭ । ମୁଁ ମୁରୁକି ମୁରୁକି ହସିଲି । ଲାଜରେ କିଛି କହି ପାରିଲି ନାହିଁ ।

Unknown

 

ଦିହେଁ ଖାଇ ବସିଲୁ । ଖାଉ ଖାଉ ରେବ କହିବାରେ ଲାଗିଲା, ନୂଆବୋଉ, ଆଜିଠୁ ଏ ଘର ଦୁଆର ତମକୁ ଲାଗିଲା । ମୋ ବାହାଘର ଆଗରୁ ବାପା ଆଖି ବୁଜିଲେ । ତା’ର କେଇଟା ଦିନ ପରେ ବୋଉ ବି ତାଙ୍କ କତିକି ଚାଲିଗଲେ । ଆମର ସୁଖର ସଂସାର ଦେଖିବା ତାଙ୍କ ଭାଗ୍ୟରେ ଜୁଟିଲା ନାହିଁ । ଆଜି ସେମାନେ ଥିଲେ...... । ରେବର ଆଖିରେ ଲୁହ ଛଳ ଛଳ ହୋଇ ଉଠିଲା । ଆଖିରୁ ଲୁହପୋଛି ପୁଣି ସେ କହିଲା, ବାପା, ବୋଉ ଗଲା ପରେ ବଡ଼ଭାଇ ଭାଙ୍ଗି ପଡ଼ିଲେ । ଖାଇଲେ ନାହିଁ–ପିଇଲେ ନାହିଁ । ସବୁବେଳେ ଶୋଇ ଶୋଇ ଖାଲି କାନ୍ଦିଲେ । ତାଙ୍କର ସାଙ୍ଗ ସାଥି, ପଡ଼ା ପଡ଼ୋଶୀ କେତେ ଆସି ବୁଝାଇଲେ–ତଥାପି ବୁଝିଲେ ନାହିଁ । ସମୟର ସୁଅ ବଦଳିବା ସଙ୍ଗେ ସଙ୍ଗେ ମନ ତାଙ୍କର ଘର ଧରିଲା ।

 

ଅତୀତକୁ ଭୁଲି ପୁଣି ସେ ଆମ ଘରର ମାନସମ୍ମାନ ପୂର୍ବ ପରି ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ । ଦିନ ଗଲା ଗଡ଼ି । ସମସ୍ତେ ତାଙ୍କୁ କହିଲେ, ବାହା ହେଇ ଘର ସଂସାର କରିବାକୁ । କିନ୍ତୁ ସେ ମଙ୍ଗିଲେ ନାହିଁ । କହିଲେ, ଆଗେ ରେବର ବାହାଘର କରିବି–ତା’ ପରେ ଯାଇଁ ମୋ ବାହାଘର । ସତକୁ ସତ ଦିନ କେଇଟା ପରେ ଗଲା ବରଷ ମୋ ବାହାଘର ସାରିଦେଲେ । ସତେ ନୂଆବୋଉ, ଏ ବରଷ ତାଙ୍କର ବାହାଘର ହେଇନି ଯେ ମୋତେ ସବୁ ଭାବନାରୁ ଛୁଟି ମିଳିଚି । ତମେ ଆସିଲ, ଏଣିକି ମୁଁ ନିଶ୍ଚିନ୍ତ । ଏଣିକି ମୋର ଜୀବନରୁ ଅଧିକ ଭାଇ ଦୋ’ଟି, ଅତି ଆପଣାର ଏଇ ଘର, ଦୁଆର ତମକୁ ଲାଗିଲା ।

ରେବର କରୁଣମିଶା କଥାଗୁଡ଼ା ମୋର ପେଟ ଭିତରକୁ ଘାଣ୍ଟି ପକାଇଲା । ଖାଇ ହେଲା ନାହିଁ । ପଚାରିଲି, ରେବ ! ତମର ବାହାଘର କେଉଁଠି ହେଲା । ଭାଇଙ୍କ ବାହାଘରକୁ ତମର ସ୍ୱାମୀ ତ ଆସିଥିବେ ।

ରେବ ମୁରୁକି ହସି କହିଲା, ଏଇ ପୁରୀରେ ହୋଇଥିଲା ମୋର ବାହାଘର । ସେତେବେଳେ ମୋର ସ୍ୱାମୀ ଏଇ ପୁରୀରେ ଥାଇ ଚାକିରୀ କରୁଥିଲେ । ଭାଇଙ୍କ ସହିତ ତାଙ୍କର ଦିନେ ଅକସ୍ମାତ ପରିଚୟ ହୁଏ । ତା’ପରେ ତାଙ୍କର ମଧୁର ବ୍ୟବହାରରେ ଭାଇ ମୁଗ୍ଧ ହୋଇ ପଡ଼ନ୍ତି । ସେତିକିରେ ସନ୍ତୁଷ୍ଟ ନ ହୋଇ ମୋତେ ଦିନେ ତାଙ୍କରି ହାତକୁ ଟେକିଦେଲେ । ମୋତେ ବିଦାୟ ଦେଲାବେଳେ ଭାଇ ଏତିକି କହିଥିଲେ, ରେବ, ଗରିବ ବୋଲି ତାଙ୍କୁ ଘୃଣା କରିବୁ ନାହିଁ । ସବୁବେଳେ ଏତିକି ମନେ ରଖିବୁ, ଧନ ଦଉଲତ ମଣିଷର ମନକୁ ସିନା କିଣିପାରେ–କିନ୍ତୁ ହୃଦୟକୁ କିଣିପାରିବ ନାହିଁ । ମୋ ବାହାଘରର ଦି’ଟା ମାସ ପରେ ତାଙ୍କର ହୁଏ ବରହମପୁରକୁ ବଦଳି । ସେଇଠି ଏଯାଏ ଅଛନ୍ତି । ଭାଇଙ୍କ ବାହାଘରକୁ ଆସିଥାନ୍ତେ, କିନ୍ତୁ ବହୁ ଚେଷ୍ଟା କରି ବି ତାଙ୍କୁ ଦିନେ ଛୁଟି ମିଳିଲା ନାହିଁ । ଆଉ କେଇଦିନ ପରେ ମୋତେ ନେବାକୁ ଆସିଲେ ତମ ସାଙ୍ଗରେ ତାଙ୍କର ଭେଟ ହେବ ଯେ ନୂଆବୋଉ ! ନଣନ୍ଦେଈ ତମ ମନକୁ ଯାଉ ନ ଯାଉ କିନ୍ତୁ ନଣନ୍ଦେଈ ମନକୁ ତମେ ବେଶ୍ ଯିବ ।

ମୁଁ ହସି ହସି କହିଲି, ଆସିଲେ ଶିଶୁପାଳ କରି ଛାଡ଼ିଦେବି ରେବ । କା’ର ସାଧ୍ୟ ମୋ କତିରୁ ଏତେ ଚଞ୍ଚଳ ତମକୁ ନେବାକୁ । ରେବ ହସି ହସି କହିଲା, ହଉ ନୂଆବୋଉ, ସେ ବେଳ ଆସୁ ଦେଖିବା ଯେ କିଏ କାହାକୁ ଶିଶୁପାଳ କରି ଛାଡ଼ିବ ।

ମୁଁ ଆଉ ଖାଇଲି ନାହିଁ । ରେବକୁ ରାଣ ପକାଇ ସବୁତକ ଖୋଇ ଉଠି ଆସିଲି ।

ତା’ ଆରଦିନ ରାତିରେ ମୋତେ ଯେତେବେଳେ ଟାଣି ଟାଣି ଆଣି ମଧୁଶଯ୍ୟା ଘର ଭିତରେ ଛାଡ଼ି ଦେଇଗଲେ, ମୋ ଛାତି ଭିତରେ ଗୋଟାଏ ଅଜଣା ଦମକା ଝଡ଼ ବହିଗଲା । ଗୋଡ଼ ଦି’ଟା ଥରି ଉଠିଲା । ମୁଣ୍ଡଟା ବୁଲାଇଦେଲା । ଅବଶ ଦେହଟା ମୋର ତଳେ ଢଳି ପଡ଼ିଲା ।

କେତେବେଳ ପରେ ଅନୁଭବ କଲି, କିଏ ମୋତେ ଖଟ ଉପରକୁ ଉଠାଇ ଆଣିଚି । ଅନାଇଲ ମୁଗ୍ଧଦୃଷ୍ଟିରେ ମୋତେ ସେ ଚାହିଁ ରହିଚନ୍ତି । ଲାଜରେ ମୁହଁ ବୁଲାଇଲି । ସେ ହସି ହସି ମୋତେ ପୁଣି ତାଙ୍କରି ଆଡ଼କୁ ଟାଣି ନେଇଗଲେ । ତାଙ୍କ କତିରୁ ଅପସରି ଆସିବା କ୍ଷୀଣ ଚେଷ୍ଟାରୁ ମୋର ତାଙ୍କର ସରାଗ–ଭରା ଚୁମ୍ବନ ବ୍ୟର୍ଥ କରିଦେଲା । ସରମ ଓ ସଙ୍କୋଚରେ ଆଲୁଅଟାକୁ ଲିଭାଇ ଦେଲି ।

ପୁଣି ଘଡ଼ିକ ପରେ ଚାହିଁଲା ବେଳକୁ ଆମ ଖଟ ଉପରେ କିଏ ଜୋଛନା ଆଲୁଅ ଦୀପ ଜାଳି ଦେଲାଣି । ବାତାୟନ ଫାଙ୍କରୁ ଦ୍ଵାଦଶୀର ଚାନ୍ଦ ଉଙ୍କିମାରି ଅନାଇଚି । ଝରକା ବନ୍ଦ କରିବାକୁ ଉଠିବାରୁ ସ୍ୱାମୀ ମୋତେ ଅଟକାଇ ବାଧା ଦେଲେ । କହିଲେ କାନ୍ତି ! ଆଜି ପରା ଦିନଟାକୁ କିଏ କ’ଣ ଅନ୍ଧାର କରିବାକୁ ଭଲ ପାଏ । ଆଜି ଯେ ଆନନ୍ଦ, ଆଲୋକରେ ଆମର ରାତି ପାହିବାର କଥା । ଲାଜରେ ମୁହଁରୁ ମୋର କଥା ବାହାରିଲା ନାହିଁ । ସେ ବାର ବାର ମୋତେ ଚୁମ୍ବନ କରିବାକୁ ଲାଗିଲେ । ତାଙ୍କର କୋଳରେ ଅବଶ ଦେହଟା ମୋର ଜଡ଼ି ଯାଇଥିଲା ।

 

ତା’ ଆରଦିନ ସକାଳେ ରେବ କହିଲା, ନୂଆବୋଉ, ରାତିକ ଭିତରେ ତମେ କ’ଣ ଶୁଖିଲା ଦେଖା ଯାଉଚ । ହସି ହସି କହିଲି, ରେବ ତମେ ଡାକ୍ତରୀ ପଢ଼ିଥିଲ ନା କ’ଣ ଖୁବ୍ ରୋଗ ଚିହ୍ନି ପାରୁଚ । ରେବ ମୁରୁକି ହସି କହିଲା, ନୂଆବୋଉ ! ଦେହ ରୋଗ ମୁଁ ଚିହ୍ନି ପାରେନା ସତ କିନ୍ତୁ ମନ ରୋଗ ଠିକ୍ ଚିହ୍ନିପାରେ । ହସି ହସି କହିଲି, ହଁ ମନ ରୋଗ, ପ୍ରେମ ରୋଗରେ ପାଶ୍ ପରା ଯେତେବେଳେ ନ ଚିହ୍ନିବ କିମିତି । ରେବ ଲାଜରେ ଝାଉଁଳି ପଡ଼ି କହିଲା, ନୂଆବୋଉ, ତମେ ଭାରି ଜଣେ । କହିଲି,ମୁଁ କ’ଣ ଭାରି ଜାଣେ–ତମର ସିଏ ଭାରି ଜଣେ ନା । ଯିଏ ତମର ଏଇ କଅଁଳ ନାଲି ଟହ ଟହ ଫୁଲଟି ପରି ମୁହଁରେ ବୋଳି ଦେଲେ ସରମର ରେଣୁ–ଆଉ ମରମରେ ବଜାଇଲେ ପୀରତିର ବେଣୁ । ରେବ ଲାଜରେ ପଳାଇ ଗଲା ।

 

ଦିନେ ଦିନେ ଦି’ପହରେ ମୋତେ ଶୋଇବାର ଦେଖିଲେ ରେବ ଦେଖେଇ ଦେଖେଇ କହେ, ନୂଆବୋଉ ! ଦିନରେ ଇମିତି ଶୋଉଚ କ’ଣ ମ । ରାତିରେ କ’ଣ ନିଦ ହେଉନି । ମୁଁ ହସି ହସି କହେ, ରେବ ତମରି ପାଖରେ ରହିଲେ ମୋତେ କାହିଁକି ଭାରି ନିଦ ମାଡ଼େ, କିନ୍ତୁ କେଜାଣି କାହିଁକି ସାରାଦିନ ପାଖରେ ରଖି ରାତିକି ତମେ କରି ଦିଅ କରଛଡ଼ା । ତମକୁ ପାଖରେ ନ ପାଇ ସାରା ରାତି ମୋର ଉଜାଗରରେ ପାହେ । ରେବ ହସେ । କୁହେ ନୂଆବୋଉ ! ଖୁବ୍ ଚାଲାକି କଥା କହି ଶିଖିଲଣି ।

 

ଇମିତି ଆମ ଦୁହିଁଙ୍କର ହସ ଖୁସିରେ ଦିନଗୁଡ଼ା କଟିବାକୁ ଲାଗିଲା । ରେବ କୁହେ, ନୂଆବୋଉ ତମକୁ ମୁଁ ଭାଉଜ ରୂପରେ ପାଇ ଧନ୍ୟ ହେଇଚି । ମୁଁ କୁହେ, ରେବ ଲୋ, ତୋ’ ପରି ଝିଅ କୁ ମୁଁ ନଣନ୍ଦ ରୂପରେ ପାଇଛି–ଏଇଟା ମୋର ବଡ଼ ଭାଗ୍ୟ ।

 

ଆଶା ଆଉ ଆନନ୍ଦରେ ଆଲୋକ ଭିତରେ ଦୁଇଟି ମାସ କଟି ଯାଇଚି । ସ୍ଵାମୀଙ୍କର ପରାଣଭରା ପ୍ରୀତି, ନଣନ୍ଦର ପୁଲକଭରା ପରିହାସ, ଦିଅରର ମନଭରା ଅଫୁରନ୍ତା ସ୍ନେହ ସବୁ ମୋତେ ଭୁଲାଇ ଦେଇଚି । ଜୀବନ ଶରତର ଆଗମନରେ ଅତୀତର ଦରଦଭରା ସ୍ମୃତିଗୁଡ଼ା ଆଜି ମେଘଖଣ୍ଡ ପରି ବହୁଦୂରକୁ ଭାସିଯାଇଚି ଖାଲି ବେଳେବେଳେ ଚଲା ବଉଦ ପରି ଅରୁଣବାବୁଙ୍କ ସ୍ମୃତି ଜୀବନ ଆକାଶରେ କେଉଁ କ’ଣରେ ଦେଖାଦେଇ ଭାସିଯାଉଚି । ମନ ଉପରେ ପଡ଼ୁଚି କ୍ଷଣିକ ପାଇଁ ତାରି ବିଷାଦର କଳା ଛାଇ–ପୁଣି ପର କ୍ଷଣରେ ଲିଭି ଯାଉଚି ।

 

ସେଦିନ ଦି ପହରେ । ରେବ ଘର ଭିତରେ କ’ଣ ଗୋଟାଏ ଚିଠି ପଢ଼ୁଥାଏ । ମୋତେ ଦେଖି ଚିଠି ଖଣ୍ଡିକ ଲୁଚାଇ ଦେଲା । ମୁଁ ହସି ହସି ପଚାରିଲି, ରେବ, କ’ଣ ପଢ଼ୁଥିଲ–ଏଇଲାଗେ ଲୁଚାଇ ଦେଲ । ସେ ମୁରୁକି ମୁରୁକି ହସିଲା । କହିଲା,ତମ ନଣନ୍ଦେଈଙ୍କ ଚିଠି । କହିଲି, କ’ଣ ଲେଖିଚନ୍ତି ଦେଖେଇଲ । ସେ ହସି ହସି କହିଲା, ମୋ ଚିଠି ତମେ କାହିଁକି ପଢ଼ିବ । ମୁଁ ଅଭିମାନ କରି କହିଲି, ରେବ ତମ ମୋ ଭିତରେ କ’ଣ କିଛି ତଫାତ୍ ଅଛି । ତମେ କ’ଣ ମୋତେ ନିଜର ଭାଉଜ ପରି ଦେଖନା । ରେବ କହିଲା,ନୂଆବୋଉ, ମୁଁ କ’ଣ କେବେ ତମକୁ ପର ବୋଲି ମଣିଚି । ନିଅ ଚିଠି ଖଣ୍ଡିକ । ମୁଁ ହସି ହସି କହିଲି, ରେବ ଦେଖିଲ, କିପରି କଥା ପଦକରେ ତମ ମନକୁ ତରଳାଇ ଦେଲି ।

 

ଆଗ୍ରହରେ ଚିଠି ଖଣ୍ଡିକ ପଢ଼ିଲି ।

 

ସ୍ନେହର ରେବ,

 

ଆଉ କେଇଟା ଦିନ ଗଲେ ତିନି ମାସ ପୂରିବ । ତମେ ମୋତେ ଏକଲା ଛାଡ଼ି ମହା ଆନନ୍ଦରେ ନୂଆ ଭାଉଜଙ୍କ ସାଙ୍ଗରେ ଦିନ କାଟୁଚି । ଭାଉଜ ତମକୁ କି ମନ୍ତର କରିଦେଲେ କେଜାଣି ଚିଠି ଖଣ୍ଡେ ଦେବାକୁ ବି ଭୁଲିଗଲ କିନ୍ତୁ ଏଠି କାହାକୁ ଦେଖି ଭୁଲିବ ଚିଠିଦ୍ଵାରା ଜଣାଇବ-

 

ତମ ଝିଅ ଜାତିଗୁଡ଼ା କି ଉପାଦାନରେ ଗଢ଼ା କେଜାଣି, ସ୍ୱାମୀ ପାଖରେ ଥିଲାବେଳେ ବହୁତ ମନରଖା କଥା କୁହ–କିନ୍ତୁ ବାପ ଘରକୁ ଗଲେ ସବୁ ପାଶୋରି ପକାଅ । ତମର ଏଇ ସ୍ନେହକୁ ମୁଁ ଛଳନା ଛଡ଼ା କିଛି କହି ପାରିବି ନାହିଁ । ନୂଆ ଭାଉଜ ତ ଭାଇଙ୍କୁ ଦେଖି ଭୁଲୁଚନ୍ତି କିନ୍ତୁ ତମେ କାହାକୁ ଦେଖି ଭୁଲିଚ ଜାଣିପାରିଲି ନାହିଁ ।

 

ଭାଇଙ୍କ କତିକି ଆଜି ଚିଠି ଦେଇଚି । ଆସନ୍ତା ମାସ ପନ୍ଦର ତାରିଖରେ ତମକୁ ଯାଇ ନେଇ ଆସିବି । ଭାଇଙ୍କୁ କହି ପ୍ରସ୍ତୁତ ଥିବ । ମୋ ଯିବା ପୂର୍ବରୁ ଚିଠି ଖଣ୍ଡେ ଦେବାକୁ ନ ଭୁଲ ଯେପରି । ଭାଉଜଙ୍କୁ ପ୍ରଣାମ ଦେବ । ତମେ ସ୍ନେହ ଓ ଶୁଭେଚ୍ଛା ଗ୍ରହଣ କରିବ । ଇତି ।

 

ତମର

ମୁଁ

 

ଚିଠି ଖଣ୍ଡିଏ ପଢ଼ି ହସି ହସି କହିଲି, ରେବ, ତମ ପାଇଁ ତେଣେ ସେ ପାଗଳ ହେଲେଣି, ତମେ କିମିତି ଏଠି ଥୟଧରି ରହିଚ । ଯିବତ କୁହ, ଏଇଲାଗେ ଭାଇଙ୍କୁ କହି ପଠାଇ ଦେବି ।

 

ସେ କହିଲା, ଏଇଥିପାଇଁ ତମଙ୍କୁ ମୁଁ ଚିଠି ଦେଖାଉ ନଥିଲି । ସବୁବେଳେ ଖାଲି ଚିଡ଼ାଇ ଚିଡ଼ାଇ ମାରିବ ।

 

କହିଲି, ଆଚ୍ଛା ରେବ, ତମର ଟିକିଏ ଦୟା ନାହିଁ । ତାଙ୍କୁ ସାରା ରାତି ଛଟପଟ କରି ତମକୁ ଅଚିନ୍ତା ନିଦ କିମିତି ହୁଏ କେଜାଣି ।

 

ନୂଆବୋଉ, ତମେ ଭାରି ଫାଜିଲ ହେଇଗଲଣି ।

 

ଫାଜିଲ ମୁଁ ନା ତମର ସେ–ସତ କରି କହିଲ ରେବ ।

 

ରେବ କିଛି ନ କହି ମୁରୁକି ମୁରୁକି ହସି ବାହାରକୁ ପଳାଇ ଗଲା ।

 

ତା’ ଆରଦିନ ଖରାବେଳ । ରେବକୁ କହିଲି, ରେବ ତୁମେ ତାଙ୍କ ଚିଠିର ଠିକ୍ ଉତ୍ତର ଦେଇ ପାରିବ ନାହିଁ । ମୁଁ କହୁଚି, ତୁମେ ଲେଖ । ରେବ ହସି ହସି କାଗଜ କଲମ ଆଣି ବସିଲା । କହିଲି, ଲେଖ–ହୃଦୟେଶ୍ଵର...ରେବ ଚିଡ଼ି ଉଠି କହିଲା, ସିମିତି ଚିଡ଼ାଇଲେ କାଗଜ କଲମ ଫୋପାଡ଼ି ଦେଇ ପଳାଇବି । କହିଲି, ଆଚ୍ଛା ଲେଖ–

 

ପ୍ରିୟତମ,

 

କାଲି ସକାଳେ ତିନିଟା ମାସ ପୂରିବ, ରେବ ମଲା କି ଗଲା ଥରେ ଆସି ଖୋଜିଲ ନାହିଁ-। ଚିଠି ଖଣ୍ଡେ କେତେ ଥର ଆରମ୍ଭ କରିଚି–କିନ୍ତୁ ଅଭିମାନରେ ଚିରି ଫୋପାଡ଼ି ଦେଇଚି-। କାହିଁକି-? ତମେ ଯଦି ଏତେ ସ୍ନେହ କରି ଭୁଲିଗଲ–ବଳେବଳେ ମୁଁ କାହିଁକି ତମର ହୃଦୟ ଆସନ ଗ୍ରହଣ କରିବି ।

 

ଏତେଦିନ ପରେ ମନରଖା ଚିଠି ଖଣ୍ଡେ କ’ଣ କେବେ ସାନ୍ତ୍ଵନା ଦେଇପାରେ ? ନୂଆବୋଉ ମତେ ସିନା ମନ୍ତର କରିଦେଇଚନ୍ତି; ତମେ ଯଦି ଥରେ ଏଠି ପାଦ ପକାଇବ, ତମକୁ ସବୁଦିନ ପାଇଁ ମନ୍ତର କରି ବାନ୍ଧି ରଖିବେ ।

 

ବାପା, ମା’ଙ୍କର ସ୍ନେହ, ସାଙ୍ଗ ସାଥୀଙ୍କର ପୁଲକଭରା ପ୍ରୀତି, ଜନ୍ମମାଟିର ଡାକ କେବେ କ’ଣ ତମ ଅନ୍ତର ସାଗରକୁ ଉଦ୍‍-ବେଳିତ କରି ନାହିଁ ନା ବିଦେଶରେ ସବୁଦିନ ରହି ତମ ମନରୁ ଜନ୍ମମାଟିର ସୁଖ ସରସତା’ ଲିଭିଗଲାଣି ।

 

ଥରେ ଗାଁକୁ ଫେରିଯାଅ ଦେଖିବ ଶାଗୁଆ ବିଲ ପଡ଼ିଆର ଡାକରେ ତମେ ଆତ୍ମହରା ହୋଇ ପଡ଼ିବ । ଧାନ ଫୁଲର ଉଛୁଳା ଗନ୍ଧ ତମ ଅନ୍ତର ମନକୁ ବିଭୋର କରିଦେବ; ଆଉ ନଈକୂଳ ଗହଳିଆ ଆମ୍ବତୋଟାର ଛାଇ ଶୀତଳ କୋଳରେ ବସିଲେ ତମର ସ୍ତ୍ରୀ ଜାତି ପ୍ରତି ସବୁ ଆକ୍ଷେପ ଲିଭାଇ ଯିବ ।

 

ତମକୁ ଦେଖିବାକୁ ନୂଆବୋଉଙ୍କର ଭାରି ଇଚ୍ଛା । ତମ ଆସିବା ଦିନକୁ ଆମେ ଚାହିଁ ରହିଲୁ । ଇତି ।

 

ତମର

ରେବ

 

ରେବ ଚିଠି ଖଣ୍ଡିକ ଲେଖି ସାରିଲା । ସେପାଖ ଘରୁ ବିଜୟ ଡାକିଲା, ନୂଆବୋଉ, ପାଣି ଗିଲାସେ ଦେଇଗଲ । ଚିଠି ଖଣ୍ଡକ ଆଜି ଡାକରେ ପଠାଇ ଦେବାକୁ କହି ଚାଲି ଆସିଲି । ଗୋଧୂଳିର ରଙ୍ଗ ପରବ ହଜାଇ ଦେଇ ସେଦିନ ଦିପହର ଅଦିନିଆ ବଉଦମାଳ ଆକାଶରେ ଲଗାଇଥାନ୍ତି ଘୋଡ଼ାଦୌଡ଼ । ଶିରି ଶିରି ପବନ ଶୀତଳ କଣିକା ଛିଞ୍ଚୁଥାଏ ଆମ ଘର ବାହାରେ । ଘଡ଼ଘଡ଼ିରତାଳେ ତାଳେ ବଉଦ ରାଜା ଲଗାଇଥାଏ ସରଗ ରାଇଜର ବିଜୁଳି ପରୀ ସାଙ୍ଗରେ ଅଦିନିଆ ନୃତ୍ୟ ।

 

ମୁଁ ଘର ଭିତରେ ବସି ବସି ମୋର ଅଧାବୁଣା ସ୍ୱେଟରଟିକୁ ସାରିବାରେ ଲାଗି ପଡ଼ିଚି । ଟିକିଏ ପରେ ବିଜୟ ବାହାରୁ ଡାକ ଛାଡ଼ିଲା, ନୂଆବୋଉ ଅରୁଣବାବୁ ଆସିଲେଣି ।

 

ଅରୁଣବାବୁ, କିଏ ? ଅତି ପରିଚିତ ନାଁଟା ମୁଁ ଶୁଣି ଚମକି ପଡ଼ି ଚାହିଁଲା ବେଳକୁ ମୋର ସାରା ଶରୀରରେ ଗୋଟାଏ ତୀବ୍ର ତଡ଼ିତ୍ ପ୍ରବାହ ଖେଳିଗଲା । ଅରୁଣବାବୁ ଏଠି କିପରି ? ବିସ୍ମୟର ସୀମା ରହିଲା ନାହିଁ । ମନ ଧାଇଁଲା ଅତୀତକୁ । ତାଙ୍କରି ସ୍ମୃତିଗୁଡ଼ା ହଜିଲା ଅତୀତ ଅନ୍ଧାରରେ ଦପ୍ କରି ଜଳି ଉଠିଲା । ତାଙ୍କ ସହିତ ପରିଚୟ ହେବା ଦିନଠୁ ଗୋଟିଏ ଗୋଟିଏ ଦିନର ସ୍ମୃତି ମୋତେ ବିଚଳିତ କରି ପକାଇଲା ।

 

ବିଜୟ ଆସି କହିଲା, ନୂଆବୋଉ, ଛିଡ଼ାହେଲ କାହିଁକି ? ଆରେ ଅରୁଣକୁ ଏତେ ଲାଜ କ’ଣ–ତମ ନଣଦେଇ ପରା । ଯାଅ ପାଣି ଦିଅ । ସେ ଛିଡ଼ା ହୋଇ ରହିଲେ ଯେ ?

 

ଓଢ଼ଣା ଟିକେ ଟାଣି କହିଲି, ବିଜୁ ତମେ ଯାଅ–ପାଣି ଦିଅ । ଗୋଡ଼ ଧୋଇ ସାରିଲେ ସେ ଘରେ ନେଇ ବସାଅ । ଆର ଘରେ ରେବ ଶୋଇଚି–ଡାକି ଦିଅ ।

 

ବିଜୟ ଚାଲିଗଲା । ହସି ହସି କହିଗଲା, ବାପରେ ଏତେ ଲାଜ !

 

ମନ ଓଲଟାଇଗଲା ହଜିଲା ଅତୀତ–ପୃଷ୍ଠା ପରେ ପୃଷ୍ଠା । ତା’ରି ଭିତରୁ ବେଦନାର ଧୂଳିକଣା ଉଡ଼ିଆସି ଆଖି ଭିତରେ ଛାଇ ହୋଇଗଲା । ଅଶ୍ରୁ ନିଗିଡ଼ାଇ ଉଠିଲା ଅନ୍ତରରୁ କୋହ !

 

ରେବ ଡାକିଲା, ନୂଆବୋଉ !

 

ଆଖିରୁ ଲୁହ ପୋଛି ଡାକିଲି, ଆସ ରେବ ! ରେବ ହସି ହସି ମୋ ପାଖରେ ଆସି ବସିଲା ।

 

ବିଜୟ ନିର୍ଦ୍ଦେଶ ଅନୁସାରେ ଏ ଭିତରେ ଆମ ଚାକର ରଥିଆ ଜୋରରୁ ଥୋଡ଼ାଏ ଜଳଖିଆ ଆଣି ପହଞ୍ଚିଲା । ତା’ ହାତରୁ ଜଳଖିଆ ଆଣି ଗୋଟାଏ ପ୍ଲେଟରେ ସଜାଡ଼ି ଦେଲି । କହିଲି, ରେବ, ଯାଅ ଜଳଖିଆ ଆସ । ରେବ ଜିଦ୍ ଧରି ବସିଲା, ନାଁ ନୂଆବୋଉ, ତମେ ଯାଅ । କେତେ ରାଣ ନିୟମ ପକାଇବାରୁ ରେବ ଜଳଖିଆ ନେଇଗଲା ।

 

ସେପାଖ ଘରେ ତାଙ୍କର ହସଖୁସିରେ ଆଲୋଚନା ଚାଲିଥାଏ, କିନ୍ତୁ ଏପାଖ ଘରେ ମୁଁ ଦୁଃଖ ବେଦନାରେ ଭାଙ୍ଗିପଡ଼ୁଥାଏ । ଯା’ଙ୍କଠାରୁ ଦୂରେଇ ରହିବାରେ ଇଚ୍ଛା, ତାଙ୍କୁ ଭଗବାନ ଏତେ ନିକଟରେ ରଖିଲେ କାହିଁକି ? ଯା’ଙ୍କଠାରୁ ସବୁ ସମ୍ପର୍କ ତୁଟାଇ ଦେଇ ଆସିଥିଲି, ତାକୁ ଭଗବାନ ପୁଣି ଅତି ଆପଣାର କରି ଥୋଇଲେ କାହିଁକି ? ଅନ୍ତର ଭିତରୁ ପ୍ରଶ୍ନ ଆସିଲା, ଭଗବାନ ତୁମେ ମଣିଷର ସ୍ନେହ, ପ୍ରୀତି, ମମତା, ଯଦି ନିମିଷକେ ଦଳି ଦିଅ–ତେବେ ପୁଣି ବାରବାର ଅତୀତ ସାଙ୍ଗରେ ଭେଟ କରାଇ କନ୍ଦାଇବାକୁ ତମକୁ କ’ଣ ଭଲ ଲାଗେ ?

ରେବ କହିଲା, ନୂଆବୋଉ, ଚାଲ ତୁମକୁ ଦେଖିବାକୁ ଡାକୁଚନ୍ତି । ମୁଁ ଦରମଉଳା ହସ ହସି କହିଲି, ଦେଖିବା ବେଳ କ’ଣ ପଳାଇଛି । ରେବ ହସି ହସି କହିଲା, ଶିଶୁପାଳ କରି ଛାଡ଼ିବ ପରା ଚାଲୁନା । ଅନ୍ତର ଭିତରୁ କିଏ ଯେପରି କହି ଉଠିଲା, ଶିଶୁପାଳ ନିଜେ ତ ହେଇଚି–ଆଉ କରିବି କାହାକୁ । ବାଜି ତମେ ମାରି ନେଉଚ ରେବ ।

କହିଲି, ବେଳ ଗଲାଣି–ଘର କାମ କେତେ ପଡ଼ିଚି, ରାତିକି ତାଙ୍କ ସଙ୍ଗରେ ଦେଖା କରିବି । ରେବ କହିଲା, ନୂଆବୋଉ, ଭୁଲାଇଲେ ମୁଁ କ’ଣ ଛାଡ଼ିବି–ଚାଲ । ତା’ର ଏକା ଜିଦ୍–ମୋତେ ନେବ, ଯାଇଁ ଛାଡ଼ିବ । ଶେଷକୁ ଜବରଦସ୍ତ ମୋତେ ଧରି ଟାଣି ଟାଣି ନେଇଗଲା । ଅନ୍ୟ ଉପାୟ ନଦେଖି ମୁଣ୍ଡ ଉପରୁ ଓଢ଼ଣାଟା ଲମ୍ବାଇ ଦେଲି ।

ସେ ଘରେ ପହଞ୍ଚିଲା ବେଳକୁ ମୋ ଗୋଡ଼ ଦି’ଟା ଥରି ଉଠିଲା । ରେବ କହିଲା, ନୂଆବୋଉ, ଓଢ଼ଣାଖୋଲ–ଏତେ ଲାଜ କରୁଚ କାହାକୁ ମ ! ଓଢ଼ଣା କାନିକୁ ହାତରେ ଟାଣି ଧରିଲି–ମୋଟେ ରେବ କଥା ଶୁଣିଲିନାହିଁ । ଶେଷକୁ ସେ ଜବରଦସ୍ତ ମୀ ହାତକୁ ଧରି ମଣ୍ଡ ଉପରୁ ଲୁଗାଟା ଟାଣିଦେଲା । ମୋ ମୁହଁକୁ ଧରି କହିଲା, ଭଲ କରି ଦେଖ, ମୋର ଲାଜକୁଳୀ ଲତା ପରମସୁନ୍ଦରୀ ନୂଆ ଭାଉଜଙ୍କୁ ।

ତାଙ୍କ ଆଖି ସହିତ ମୋ ଆଖିର ମିଳନ ହେବାକ୍ଷଣି ତାଙ୍କ ପାଟିରୁ ହଠାତ୍ ବାହାରି ପଡ଼ିଲା–କାନ୍ତି, ତମେ….

ତଳକୁ ମୁଁ ମୁହଁ ପୋତିଲି । ଆଖିରେ ମୋର ଛପି ଛପି ବହି ଆସିଲା ଦୁଇଟୋପା ଲୁହ ।

ରେବ କହିଲା, ତମେ କ’ଣ ନୂଆବୋଉଙ୍କୁ ଚିହ୍ନ ନା କ’ଣ ?

ତାଙ୍କ ମୁହଁରେ ଉତ୍ତର ନାହିଁ ।

ରେବ ବିସ୍ମୟ ପାଷାଣ ।

ଏକା ନିଶ୍ଵାସକେ ଆଖି ମଳି ମଳି ମୁଁ ଘରୁ ବାହାରି ଆସିଲି ।

ଅନ୍ଧାରଘେରା ରାତି ଉଆସକୁ ଆଲୋକିତ କରି ଶତ ଶତ ତାରା ଦିପାଳୀ ଜଳି ଉଠିଲା-। ସେତେବେଳକୁ ଅନ୍ତର ଭିତରେ ବେଦନାର ଅନ୍ଧକାର ଭିତରେ ମୁଁ କାହିଁ କେଉଁଠି ହଜି ଯାଇଥିଲି ଯେ–ନିଜର ସତ୍ତା ଟିକେ ଅନୁଭବ କରି ପାରିଲି ନାହିଁ ।

ସେ ପାଖ ଘରୁ ରେବ ଡାକିଲା, ନୂଆବୋଉ, ରୋଷେଇ ହେବ ନାହିଁକି ?

ଆରେ ସତେଚ ! ଚମକି ପଡ଼ି ଚାଲି ଆସିଲି ।

ରାତିରେ ରେବ ପଚାରିଲା ତମେ କ’ଣ ଅରୁଣବାବୁଙ୍କୁ ଚିହ୍ନ ?

ମୁଁ ଶୁଖିଲା ହସ ହସି କହିଲି, ତମଠୁ ତାଙ୍କୁ ମୁଁ ବହୁତ ଆଗରୁ ଚିହ୍ନିଚି । କଟକରେ ଥିଲାବେଳେ ସେ ପରା ଆମ ଘର ପାଖରେ ବସା ନେଇଥିଲେ । ସେତେବେଳେ ଥିଲା ତାଙ୍କ ସହିତ ସାଧାରଣ ପରିଚୟ । ତା’ଙ୍କ ମା’ ବରାବର ଆମ ଘରକୁ ଆସନ୍ତି । ମୋତେ ଝିଅ ପରି ସ୍ନେହ କରନ୍ତି । ସତେ ରେବ ! ମା’ କିମିତି ଅଛନ୍ତି !

ରେବ କହିଲା, କଟକରୁ ହେଲା ତାଙ୍କର ବରହମପୁର ବଦଳି । ମୋ ବାହାଘର କେଇଟା ଦିନ ପରେ ମା’ଙ୍କୁ ହେଲା ସାଙ୍ଘାତିକ ଜ୍ଵର । ସେଇ ଜ୍ଵରରେ ସେ ମାଟିକୁ ଆଲିଙ୍ଗନ କରି ଶୋଇ ପଡ଼ିଲେ । ସେଇ ଯେ ଶୋଇଚନ୍ତି–ଆଉ ଉଠି ନାହାନ୍ତି !

ଆଖିରେ ମୋର ଲୁହ ପୂରିଉଠିଲା । କହିଲି, ଆହା ମାରିବା ଆଗରୁ ଥରେ ତାଙ୍କ ସଙ୍ଗରେ ଭେଟ ହେଲା ନାହିଁ । କଥା ବୁଲେଇ ପଚାରିଲି, ଆଚ୍ଛା ରେବ, ତମେ କ’ଣ ସତେ ମୋତେ କାଲିଠୁ ଏକଲା କରି ଚାଲିଯିବ !

ରେବ କହିଲା, ନୂଆବୋଉ, ଆଉ କ’ଣ ତମ ପାଖରେ ରହିପାରିବି । ଭାଇ ପରା ମୋତେ ଦୂରକୁ ତଡ଼ି ଦେଇଚନ୍ତି ।

ତା’ ଆରଦିନ ରେବ ଯେତେବେଳେ ବିଦାୟ ନେବାକୁ ଆସି ଛିଡ଼ା ହେଲା, ମୋ ଆଖିରୁ ଝରି ପଡ଼ିଲା ଦି’ଟୋପା ଲୁହ ।

ରେବ କହିଲା, ନୂଆବୋଉ ! ତମେ କାନ୍ଦୁଚ ?

 

କହିଲ, ରେବ ! ତମ ପାଖରେ ଥିଲେ ଦିନଗୁଡ଼ା କେତେ ହସଖୁସିରେ କଟିଯାଉଥିଲା । କିନ୍ତୁ କାଲିଠୁ ମୋର ଖାଲି ଭାଳିବା ସାର ହେବ । ତମେ ସିନା ମୋତେ ଭୁଲିଯିବ–କିନ୍ତୁ ଭାଉଜ ଯେଉଁ ସ୍ନେହଟିକ ମୋ’ ପ୍ରତି ଅଜାଡ଼ି ଦେଇଚ, ତାକୁ ମୁଁ ଏତେ ଚଞ୍ଚଳ କ’ଣ ଭୁଲି ପାରିବି ।

 

ରେବ କହିଲା, ନୂଆବୋଉ, ତମ ସରାଗଟିକ ମୁଁ ପରା ସାରା ଜୀବନ ପାଇଁ ନେଇଚି ପଥର ପାଥେୟ କରି । ବାପା ଗଲେ–କେଇଟା ଦିନ ପରେ ବୋଉ । ନିଜର ହେଲେ ରହିଲେ ଖାଲି ଭାଇ । ସବୁ ଅଳି ମୋର ତାଙ୍କର ପାଖରେ । କିନ୍ତୁ ଆଜି ଭାଉଜ ମନ ନେଲେ ପାଇଁ ଭାଇ ! ପର ବୋଲି ଭାବିବ ନାହିଁ । ମୋତେ ଆଣିଲେ, ନେଲେ ତମର ସରିଯିବ ନାହିଁ । ମୁଁ ପରା ତମର ସାନ ଭଉଣୀ ପରି । ରେବ କଇଁ କଇଁ ହୋଇ କାନ୍ଦି ଉଠିଲା ।

 

ତାକୁ କୋଳ ଭିତରକୁ ଟାଣି ଆଣିଲି । ତା’ ଆଖିରୁ ଲୁହ ପୋଛି କହିଲି, ରେବ, ଠାକୁରଙ୍କୁ ଡାକ ତୋତେ ପର ଭାବିବା ଆଗରୁ ମୋର ଯେମିତି ମରଣ ହୋଇଥାଏ । ତୋର ଘର–ଦୁଆର ସବୁ–ମୁଁ ପରା ଗୋଟିଏ ବାହାର ଚଢ଼େଇ ।

 

ଅରୁଣବାବୁ ଘର ଭିତରକୁ ପଶି ଆସିଲେ । ରେବ କୋଳଛାଡ଼ି ଅଲଗା ହୋଇଗଲା । କହିଲି, ଅରୁଣବାବୁ, ଅତୀତରେ ତମେ କତିରେ ଥାଇ ବି ଥିଲ ଅତି ଦୂରର । କିନ୍ତୁ ଆଜି ଯେତେବେଳେ ଅତି ନିକଟକୁ ଆସିଚ–ସେତେବେଳେ ମୋର ଏଇ ସ୍ନେହର ଫୁଲଟିକୁ ତମେ ଯେପରି ଅବହେଳା ନ କର ! ଆ’ଠୁ ବଳି ଆଉ ବଡ଼ ଦାନ ମୋ’ଠାରେ କ’ଣ ଆଶା କରିଥାନ୍ତି !

 

କେଜାଣି କାହିଁକି ଅରୁଣବାବୁଙ୍କ ଆଖି ଲୁହରେ ପୂରି ଉଠିଲା । କହିଲେ–ନୂଆବୋଉ, ଅତୀତ ଯାଇଚି–ବର୍ତ୍ତମାନ ଆସିଚି । ଅତୀତ ଓ ବର୍ତ୍ତମାନର ଯେଉଁ ସମ୍ପର୍କ ଆଜି ନୂଆ ରୂପ ନେଇଚି, ଏଇ ସମ୍ପର୍କ ଯେପରି ଚିରଦିନ ସ୍ନେହ, ସୌହାର୍ଦ୍ଦ୍ୟ, ପ୍ରୀତିରେ ପରିପୂର୍ଣ୍ଣ ଥାଏ–ଏହା ହିଁ ଆଶୀର୍ବାଦ କର । ଆସ ରେବ, ନୂଆବୋଉଙ୍କୁ ପ୍ରଣାମ କର !

 

ଦୁହେଁ ମୁଣ୍ଡ ନୋଇଁଲେ !

 

ଆଖିରୁ ମୋର ଝରି ଆସିଲା ଧାର ଧାର ଲୁହ–ପୁଣି ଅନ୍ତର ଉଛୁଳାଇ ଉଠିଲା ଆଶୀର୍ବାଦ–ଦିହେଁ ସୁଖି ହୁଅ !

 

ବାହାରୁ ବିଜୟ ଡାକ ଛାଡ଼ିଲା, ଆସ ଅରୁଣବାବୁ, ରିକ୍ସା ଆସି ଛିଡ଼ା ହେଲାଣି !

 

ରେବ ଚାଲିଗଲାଠାରୁ ଦିନଗୁଡ଼ା ଯେପରି ଅସରନ୍ତି ବୋଧହୁଏ । ବେଳେବେଳେ ପଡ଼ିଶା ଘରର ଝିଅମାନେ ଆସି ଆମ ଘରେ ମେଳ ହୁଅନ୍ତି–ପୁଣି ଘଡ଼ିକ ପରେ ଚାଲି ଯାଆନ୍ତି । ସେଇମାନଙ୍କୁ ଦେଖିଲେ ରେବ କଥା ମନେ ପଡ଼େ । ମନ ଝୁରେ–ଆହା କେଇଟା ଦିନ ପାଇଁ ଆସି ମମତାଟିକ ଲଗେଇ ଦେଇ ଚାଲିଗଲା ।

 

ଏତିକି ବିଜୟ ସାଥିରେ ସ୍ନେହ ପରିହାସରେ କେତୋଟି ମୁହୂର୍ତ୍ତ କଟିଯାଏ । ସ୍ୱାମୀ ଥିଲାବେଳେ ଘରର ଭଲମନ୍ଦ ହାନିଲାଭ ସବୁ ବିଷୟରେ ତାଙ୍କୁ ବୁଝିବାକୁ ପଡ଼େ । ମୋତେ ବି ତାଙ୍କ ସାଥିରେ ଭାଗ ନେବାକୁ ପଡ଼େ । କିଛି ଦିନ ପରେ ସେ ଘରର ସବୁ ଦାୟିତ୍ଵ ମୋ ଉପରେ ଲଦି ଦେଲେ । କହିଲେ, କାନ୍ତି, ତମେ ମୋଠାରୁ ବେଶ ଘରସଂସାର ଦାୟିତ୍ଵ ବହନ କରି ପାରିବ । ଚାକର ବାକରଠାରୁ ଆରମ୍ଭ କରି ସମସ୍ତେ ତମ ଉପରେ ଖୁସି । ମୋତେ ଏଣିକି ଛୁଟି ଦିଅ ।

 

ଦିନଗୁଡ଼ା ଗଡ଼ି ଚାଲିଲା ।

 

ସେଦିନ ଦି’ପହରେ । ସ୍ୱାମୀ ଯାଇଁ କଚେରୀରେ । ବିଜୟ କଲେଜରୁ ଫେରି ନ ଥାଏ । ନିଦରୁ ଉଠି ଭିତର ବାରଣ୍ଡାରେ ଏକଲା ବସୁ ବସୁ କେଜାଣି କାହିଁକି ବହୁ ଦୂର ଅତୀତର ସ୍ମୃତି ବାହାର ପାବନ ସାଥୀରେ ଭାସି ଆସିଲା । ମନଟା ସେହି ସ୍ମୃତି ପଛେ ପଛେ ଏତେଦୂର ଦଉଡ଼ିଚି ଯେ କେତେବେଳେ ବିଜୟ ଆସି ପଛରେ ଛିଡ଼ା ହେଲାଣି ଜାଣି ନାହିଁ ।

 

ନୂଆବୋଉ ! କ’ଣ ଏତେ ଭାବୁଚ ?

 

ସ୍ମୃତି ଫୁଲଟି ଝଡିଗଲା ମନଗହନରୁ । ସ୍ଵପ୍ନ ଗଲା ଭାଜି–ମନ ଧରିଲା ଘର । ଚମକି ପଡ଼ି ଅନାଇଲା ବିଜୟ । କହିଲି, ଆଜି କାହିଁକି ଘର କଥା ମନେ ପଡ଼ୁଚି ବିଜୁ ! ମୋତେ ଆଉ ଏଠି ଭଲ ଲାଗୁ ନାହିଁ । ଭାଇଙ୍କୁ କୁହ ଆମ ଘରେ ଛାଡ଼ିଦେଇ ଆସିବେ ।

 

ଭଲ ପୁଣି ଲାଗିବ କେମିତି, ସବୁଦିନେ ତ ସେଠି ରହିପାରିବ ନାହିଁ ।

 

ଭଲ ଲାଗିବ, ତମେ ଗୋଟିଏ ବିଷୟରେ ରାଜି ହେଲେ ।

 

କ’ଣ କୁହ ନୂଆବୋଉ ! ତମ ଭଲ ପାଇଁ ମୁଁ ସବୁ କିଛି କରିପାରିବି ।

 

ହସି ହସି କହିଲି, ତମେ ବାହାହେଲେ ଯେଉଁ ସାନଭଉଣୀଟିକୁ ମୁଁ ସାରା ଜୀବନ ପାଇଁ ପାଇବି । ତାରି ସାଥିରେ ମୋର ଦିନଗୁଡ଼ା ବେଶ ଆନନ୍ଦରେ କଟିଯିବ । ଭାଇଙ୍କୁ ତମରି ବାହାଘର କଥା କହୁଥିଲି । ସେ କହୁଥିଲେ ବିଜୟର ମତ କ’ଣ ପଚାରି ବୁଝ । ମୁଁ ଜାଣେ ବିଜୟ, ତମେ ଏଥିରେ ଅମତ ହେବ ନାହିଁ ।

 

ବିଜୟ ହସି ହସି କହିଲା, ଓଃ ଏଇ କଥା । ବେଶ୍, ମୁଁ ବାହା ଦେବାକୁ ରାଜି–କିନ୍ତୁ ବି.ଏ. ପରୀକ୍ଷା ପରେ ।

 

ପରୀକ୍ଷା ତ ତମର ଏଇକ୍ଷଣି ଢେର ଡେରି । ଆଉ ପରୀକ୍ଷା ପୂର୍ବରୁ କ’ଣ କେହି ବାହା ହେଉ ନାହାନ୍ତି !

 

ହେଉଚନ୍ତି ନୂଆବୋଉ–କିନ୍ତୁ ତାଙ୍କରି ଭିତରୁ ହେଉଚନ୍ତି ଶତକଡ଼ା ଅନେଶତ ଫେଲ୍ !ତମର ଏ ଭୁଲ୍ ଧାରଣା ବିଜୟ !

 

ବିଜୟ ମୋ କଥାର ଆଉ ପ୍ରତିବାଦ ନ କରି ଘର ଭିତରକୁ ଚାଲିଗଲା ।

 

ଦି’ଦିନ ପରେ ମୋତେ ହେଲା ଜ୍ଵର । ବେଦନାର ତୀବ୍ର ଯନ୍ତ୍ରଣାରେ ମୁଁ ଭାଙ୍ଗିପଡ଼ିଲି । ସ୍ଵାମୀ ବ୍ୟଥିତ ହୋଇ କହିଲେ, କାନ୍ତି, ଖାଇବା ପିଇବା ଗାଧୁଆ କୋଉଥିରେ ତମର ଠିକ୍ ସମୟ ନାହିଁ । ସବୁବେଳେ ଖାଲି କାମ ଆଉ କାମ । ଆଛା କହିଲ, ଦେହ ପ୍ରତି ଅଯତ୍ନ କରି କେଇଦିନ ତମେ ଇମିତି କାମ କରିବ । ନାଁ ଆମକୁ ସବୁଦିନ ପାଇଁ ଫାଙ୍କିଦେଇ ଯିବାକୁ ତମର ଇଚ୍ଛା ।

 

ହସି ହସି କହିଲି, କ’ଣ ହେଇଚି । ସାମାନ୍ୟ ଟିକିଏ ଜ୍ୱର । ଭଲ ହୋଇଯିବନି କି ! ତମେ କଚେରୀକୁ ଯାଅ । ବିଜୟ ଅଛି । ମୋ ପାଇଁ ତମେ ଚିନ୍ତା କରୁଛ କାହିଁକି ?

 

ସେ କଚେରୀକୁ ଚାଲି ଯାଆନ୍ତି । ବିଜୟ କିନ୍ତୁ କଲେଜ ଯାଏନା । ମୋ ଚିନ୍ତାରେ ତାକୁ ଯେପରି ଭୋକ ଶୋଷ ନାହିଁ । ନିତି ଦୌଡ଼େ ଔଷଧ ପାଇଁ । ଘଣ୍ଟା ଘଣ୍ଟା ଜଗି ମୋର କରେ ସେବା । ଚାରିଦିନ ପରେ ଜର କମି ଆସିଲା । ବିଜୟକୁ ଡାକି କହିଲି, ମୋ ଦେହ ତ ଭଲ ହୋଇଆସିଲାଣି, ତମେ ଆଜି କଲେଜ ଯାଅ । ବିଜୟ କହିଲା, ନା ନୂଆବୋଉ, ତମ ଦେହ ସମ୍ପୂର୍ଣ୍ଣ ଭଲ ନ ହେଲେ ମୁଁ କଲେଜ ଯିବି ନାହିଁ ।

 

ମଉଳା ହସ ଟିକିଏ ହସି କହିଲି–ଡରୁଚ, ନା ! ମୁଁ କ’ଣ ଏତେ ଚଞ୍ଚଳ ତମର ଏଇ ମମତାଟିକୁ କାଟି ପାରିବି ବିଜୁ ! ଆଉ ମୋ ଇଚ୍ଛା ବିରୁଦ୍ଧରେ ଭଗବାନ ଯଦି ବିଚାର କରନ୍ତି, ତେବେ ତମକୁ କ’ଣ ଆଉ ଭାଉଜ ମିଳିବେ ନାହିଁ । ଏଇ ଅଲୋଡ଼ା ସ୍ତ୍ରୀ ଜୀବନ ପ୍ରତି ତମର କାହିଁକି ଏତେ ମାୟା !

 

ଲୁହ ଢଳ ଢଳ ଆଖିରେ ବିଜୟ କହିଲା, ନୂଆବୋଉ, ମତେ ପରୀକ୍ଷା କରୁଚ, ନାଁ !

 

ତା’ ଆଖିରେ ଲୁହ ଦେଖି ମନଟା ମୋର ସ୍ନେହରେ ନଇଁ ପଡ଼ିଲା । ତା’ ହାତ ଧରି କହିଲି–ବିଜୁ ! ତମେ ବାହାହେଲେ ମୋ ପାଇଁ ସବୁ ଭାବନାରୁ ତମକୁ ତ ଛୁଟି ମିଳନ୍ତା । ଯା’ କରି ଯାକୁ ଆଣନ୍ତି ଯା’ ତ ନୁହେଁ ସ୍ନେହ ଦେଇ କରିନିଅନ୍ତି ନିଜର ଭଉଣୀ ! ସେ କ’ଣ ମୋତେ ଆଉ ଅବହେଳା କରିପାରନ୍ତା ?

 

ଯେତେହେଲେ ପର ଝିଅ–ସେ କ’ଣ ତମକୁ ଏତେ ଆପଣାର କରିପାରିବ !

 

ଭୁଲ ବୁଝୁଚ ବିଜୟ ! ମୁଁ ତ ପୁଣି ପରଝିଅ । ତମେ ପୁଣି ମୋ ପାଇଁ ଚିନ୍ତା କରୁଚ କାହିଁକି ? ସ୍ନେହ, ଶରଧାରେ ପରକୁ ଯଦି ଆପଣାର କରି ନପାରିଲି ତେବେ ସ୍ତ୍ରୀ ଜନମ ପାଇ ବୃଥା ।

 

ତମେ ଯଦି ସୁଖୀ ହେବ ନୂଆବୋଉ ! ତେବେ ମୁଁ ଅମତ ନୁହେଁ ।

 

ହସି ହସି ତା’ ହାତ ଧରି କହିଲି,ମୁଁ ସୁଖୀ ହେବି–ଆଉ ତମେ ?

 

ବିଜୟ ମୁହଁରେ ହସ ଟିକିଏ ଉଇଁ ଆସି ଲିଭିଗଲା ।

 

ହସି ହସି କହିଲି, ଦେଖିବ ରୁହ ବିଜୟ,ଇମିତି ବାଛି ବାଛି ଭଉଣୀଟିଏ ଆଣିବି–ମୋଠୁ ତୁମେ ବେଶୀ ସୁଖୀ ହେବ ।

 

ବିଜୟ ଲାଜରେ ପଳାଇ ଗଲା ।

 

ମୋ ଦେହ ସମ୍ପୂର୍ଣ୍ଣ ଭଲ ହୋଇ ଯାଇଥାଏ । ସେଦିନ ରାତିରେ ସ୍ଵାମୀଙ୍କୁ କହିଲି, ବିଜୟ ତ ବାହା ହେବାକୁ ରାଜି–ତା’ ପାଇଁ କେଉଁଠି ଗୋଟିଏ ଝିଅ ଦେଖୁଛ ?

 

ସେ ହସି ହସି କହିଲେ, ପାଖରେ ଥାଉଁ ଥାଉଁ ଏତେ ଖୋଜିବାକୁ ଯିବା କାହିଁକି ? ତମ ଭଉଣୀଟିକି ବିଜୟ ପାଇଁ କରି ଦେଉନା ।

 

ଯା, ସବୁବେଳେ ଖାଲି ତମର ସେଇ ଥଟ୍ଟା ।

 

କାହିଁକି ବିଜୟ କ’ଣ ପସନ୍ଦ ହେଉ ନାହିଁ । ଯୋଉ ସୁନ୍ଦରୀ ଭଉଣୀଟା ତ ! ବାପା ପୁଣି ମୋତେ ତାକୁ ଯୌତୁକ ଦେଉଥିଲେ ।

 

ହସି ହସି କହିଲି, ତମର ଯଦି ପସନ୍ଦ ନ ହେଲା ଯୌତୁକ ଫେରାଇ ଦେଲ, ବିଜୟର ପୁଣି କେମିତି ପସନ୍ଦ ହେବ ?

 

ସେ ମୋ’ତେ ତାଙ୍କ କୋଳ ଭିତରକୁ ଟାଣି ନେଇ କହିଲେ, ତମକୁ ଆଉ କଥାରେ ପାରିହେବ ନାହିଁ କାନ୍ତି ! ଶୋଇପଡ଼, ମୁଁ ବିଜୟ ପାଇଁ ଆଖି ପକାଉଚି । ସେଦିନ ଖରାବେଳ । ବିଜୟର ବିଛଣାଟା ଝାଡ଼ୁ ଝାଡ଼ୁ ତକିଆ ତଳୁ ଖଣ୍ଡେ ଚିଠି ଗଳି ପଡ଼ିଲା । କୌତୁହଳରେ ଖୋଲି ପଢ଼ିଲି ।

 

ଆଦରର ବିଜୟବାବୁ,

 

ଆପଣ ଅନେକ ଦିନ ହେବ ଆମ ଘର ଆଡ଼େ କାହିଁକି ଆସୁ ନାହାନ୍ତି କି ଖଣ୍ଡେ ଚିଠି ବି ଦେଉ ନାହାନ୍ତି । ଭଲ ଆପଣଙ୍କ ଉପରେ ଭାରି ଘୋଷା ହୋଇଚନ୍ତି ।

 

ଇମିତି ନା ଆପଣ ? ଏତେ ଚଞ୍ଚଳ ପାଶୋରି ପକାଇଲେ । ମୋତେ ଭାବିବା ପାଇଁ ଦି’ ଦିନ ସକାଶେ ଆସି ଖାଲି ମାୟା ଲଗେଇ ଦେଇଗଲେ ନାଁ କ’ଣ ? ରେଣୁ ମୋତେ ଚିଡ଼ାଉଚି, ମୁଁ କୁଆଡ଼େ ଆପଣଙ୍କୁ...ହେବି । ଇମିତି ସେ, ମୋତେ ଆଉ ବସେଇ ଉଠେଇ ଦଉ ନାହିଁ । ଆପଣ ଆସିଥିଲେ ତା’ କାନଟା ମୋଡ଼ି ଉପଯୁକ୍ତ ପୁରସ୍କାର ଦେଇଥାନ୍ତେ–ତେବେ ଯାଇ ମୋ ମନଟା ଶାନ୍ତି ହୋଇଥାନ୍ତା ।

 

ଆସନ୍ତା ତେର ତାରିଖରେ ଭାଇ, ରେଣୁ, ମୁଁ ପୁରୀ ବୁଲି ଯାଉଛୁ । ମୁଁ କହୁଥିଲି ଆପଣଙ୍କ ଘରେ ରହିବାକୁ, କିନ୍ତୁ ଭାଇ ମନା କଲେ । କହିଲେ, ସେ ବଡ଼ଲୋକ–ତାଙ୍କ ସାଙ୍ଗରେ ଆମର କି ସମ୍ପର୍କ । ତାଙ୍କର ଆଉ ଜଣେ ବନ୍ଧୁ ଦୋଳମଣ୍ଡପ ସାହିରେ ଅଛନ୍ତି । ତାଙ୍କ ନାଁ ରାଜକିଶୋର ଦାସ । ତାଙ୍କରି ଘରେ ଆମେ ରହିବୁ ।

 

ଆମକୁ ନବାକୁ ଆସିଲେ ଯାଇ ତମ ଘରକୁ ଯିବୁ । ନଚେତ୍ ଭାଇ ଯେମିତି ଘୋଷା ହେଇଚନ୍ତି ମୋଟେ ଯିବେ ନାହିଁ । ତାଙ୍କର ତ କିଛି ହେବ ନାହିଁ–ମୁଁ ଖାଲି ମନ ଦୁଃଖରେ ଫେରିବି । ଏତେ ନିକଟକୁ ଯାଇ ଯା’ ଟିକେ ଆପଣଙ୍କୁ ଦେଖି ପାରିବି ନାହିଁ । ନିଶ୍ଚୟ ଆମକୁ ନେବାକୁ ଆସିବେ । ତମ ବଡ଼ ଘରେ ଗରିବ ପାଦ ପଡ଼ିଲେ କଳା ଲାଗିଯିବ ବୋଲି ଡରିବ ନାହିଁ । ଇତି ।

 

ସ୍ନେହର

ବୀଣା

 

ଚିଠିଟା ପଢ଼ି ଅଜଣା ପୁଲକରେ ମୋର ସାରା ଶରୀର ରୋମାଞ୍ଚିତ ହୋଇ ଉଠିଲା । ବୀଣା, ରେଣୁ, ଦି’ ଭଉଣୀ ହେବେ ପରା । ବୀଣା–କେଡ଼େ ସୁନ୍ଦର ନାଁଟି ସତେ ! ଆଉ କେଡ଼େ ସରଳ ତା’ର ହୃଦୟ । ରେଣୁ ମୋତେ ଚିଡ଼ାଉଚି, ମୁଁ କୁଆଡ଼େ ଆପଣଙ୍କୁ ବାହା ହେବି । ଭାରି ହସ ମାଡ଼ିଲା । ଏଡ଼ିକି ହୁଣ୍ଡୀ ଝିଅଟା । ଅଜଣାରେ ମନଟା କାହିଁକି ତା’ରି କତିକି ଟାଣିହୋଇ ଆସିଲା । ଆସନ୍ତା କି ମୋରି କୋଳକୁ ଭଉଣୀ ହେଇ । ଭାବିଲି, ଏତେ ଦିନେ ବିଜୟ ଧରା ପଡ଼ିଚି । ଦୁହିଁଙ୍କର ଏହି ଲୁଚକାଳି ଖେଳ ଦୁନିଆ ଆଖିରେ ଧରା ପକାଇଦେଇ ଦୁହିଁଙ୍କି କରିଦେବି ଏକାଠି ।

 

ଚିଠିଟା ତକିଆ ତଳେ ଥୋଇ ଦେଇ ଚାଲି ଆସିଲି ।

 

ସକାଳ ପହରୁ ଏତେ କ’ଣ ଭାବୁଚ ?

 

ମୋର ଏହି ପ୍ରଶ୍ନରେ ବିଜୟ ଚମକି ପଡ଼ି ଚାହିଁଲା । କହିଲା, ଭାବୁଚି ଏଇ ରମେଶ କଥା ।

 

ରମେଶ କିଏ ?

 

ରମେଶ ମୋର ବନ୍ଧୁ । ବାଲେଶ୍ଵରରେ ତା’ର ଘର । ଆଇ. ଏ. ପଢ଼ୁଥିବା ବେଳେ ଏଇ ପୁରୀରେ ତା’ ସାଙ୍ଗରେ ମୋର ବନ୍ଧୁତା । ହଠାତ୍ ତା’ର ବାପା ମରିଗଲା । ସେ ପଢ଼ା ଛାଡ଼ି ଚାଲିଗଲା । ଛୋଟକାଟର ଗୋଟିଏ ଜମିଦାର ସେ । ବହୁତ ଜମିବାଡ଼ି ବାପା ତା’ର କରିଯାଇଚି । ବର୍ତ୍ତମାନ ସେ ବାଲେଶ୍ଵରରେ । ମୁଁ ଦି’ଥର ତାଙ୍କ ଘରକୁ ଯାଇଛି । ତାଙ୍କ ଘରେ ସମସ୍ତେ ମୋତେ ଆଦର କରନ୍ତି । ତା’ କତିକି ଏ କେଇମାସ ହେବ ଖଣ୍ଡେ ଚିଠି ଦେଇ ନାହିଁ ବୋଲି ମୋର ହେଇଗଲା ଭୁଲ । କାଲି ସେ ପୁରୀ ଆସିଚି । କିନ୍ତୁ ଏଠିକି ନ ଆସି ରହିଲା ତା’ର ଆଉ ଗୋଟିଏ ବନ୍ଧୁ ଘରେ । ରମେଶ ମୋତେ ଭୁଲ ବୁଝିଲା ନୂଆବୋଉ !

 

ହସି ହସି କହିଲି, ରମେଶ ତମକୁ ଭୁଲ୍ ବୁଝିନି ବିଜୁ, ତମ ପ୍ରତି କରିଚି ସେ ଅଭିମାନ । ସେ ଜାଣେ କୋଉଠି ସେ ରହିଲେ ବି ତୁମେ ତାକୁ ପୁଣି ବନ୍ଧୁ ବୋଲି ଡାକି ଘରକୁ ଟାଣିନେବ । ଯାଅ ରମେଶକୁ ନେଇଆସ ।

 

ନା ନୂଆବୋଉ ! ସେ ଜାଣୁ ତା’ର ଅଭିମାନ ମୋ’ପ୍ରତି ଶୋଭା ପାଏନା । ହୃଦୟ ହୃଦୟର ନିବିଡ଼ତା ଯେଉଁଠି ଏତେ ବେଶି, ସେଠି ଅଭିମାନର ସ୍ଥାନ କାହିଁ ।

 

ଭୁଲ ବୁଝୁଚ ତମେ ବିଜୁ ! ଯେଉଁଠି ଥାଏ ହୃଦୟର ଅତି ନିବିଡ଼ତା,ସେଇଠି ଥାଏ ମାନ ଅଭିମାନ–ଆଲୁଅ ପଛେ ପଛେ ଛାଇ ପରି ତୁମେ ଯାଅ ।

 

ନାଁ ନୂଆବୋଉ ! ସେ ମୋ ପ୍ରତି ଅଭିମାନ କରିଚି । ମୁଁ ତା’ ପ୍ରତି ଅଭିମାନ କରି ରହିବି-। ମୋଟେ ଯିବି ନାହିଁ ।

 

ରମେଶ ସିନା ତମ ପ୍ରତି ଅଭିମାନ କରିଚି, କିନ୍ତୁ ବୀଣା, ସେ ତ ତମର କିଛି ଦୋଷ କରି ନାହିଁ । ଯାଅ ତାକୁ ନେଇଆସ ।

 

ସେ ତ ତମକୁ ଭାରି ଭଲ ପାଏ ।

 

ମୋର ଏହି କଥା ପଦକରେ ବିଜୟ ଲାଜରେ ଝାଉଁଳି ପଡ଼ିଲା । କହିଲା, ନୂଆବୋଉ, ବୀଣାକୁ ତମେ କ’ଣ ଚିହ୍ନ !

 

ଭଲ କରି ଚିହ୍ନିଚି ତା’ର ସେଇ ଚିଠି ଖଣ୍ଡିକରୁ । ତକିଆ ତଳେ ଲୁଚାଇଲେ ଭାବିଚି ତମ କଥା କେହି ଜାଣିପାରିବେ ନାହିଁ, ନାଁ ?

 

ବିଜୟ ଲାଜରେ ମୋ ଆଡ଼କୁ ଆଉ ଅନାଇପାରିଲା ନାହିଁ । ତଳକୁ ମୁହଁ ପୋତିଲା ।

 

ବିଜୟ ଚାଲିଗଲା ।

 

ରମେଶ, ବୀଣା, ରେଣୁ ସମସ୍ତେ ଆସିଲେ । ଘର ଖଣ୍ଡିକ ଆମର ଆନନ୍ଦରେ ଉଛୁଳି ଉଠିଲା । ବୀଣା, ରେଣୁ ଦି’ ଭଉଣୀ ଗୋଟିଏ ବୃକ୍ଷର ଦୁଇଟି ଚାରା ପରି । ଦିହେଁ ଦେଖିବାକୁ ଏକା ପରି, ଛବିଟି ପରି ରୂପ । ବିଧାତା କାରିଗର ସତେ ଯେପରି ଦିହିଁଙ୍କି ଗୋଟିଏ ତୂଳୀରେ ଗଢ଼ିଚି ।

 

ଚାରୋଟି ଦିନ ପାଇଁ ଆସି ଚଉଦ ଦିନ ଅଟକାଇ ରଖିଲି ।

 

ବହୁବାର ଜଗନ୍ନାଥ ଦର୍ଶନ ହେଲା, ପୁରୀ ସମୁଦ୍ର କୂଳରେ ନିତି ପବନଖିଆ ହେଲା–ପୁରୀ ସହରଟାଯାକ ଖୁବ୍ ବୁଲା ହେଲା । ବିଦାୟ ନେଲାବେଳେ ରମେଶକୁ କହିଲି, ରମେଶ, ବୀଣାଟିକି ନେଇ ଯାଉଛି ସିନା–କିନ୍ତୁ ଚଞ୍ଚଳ ଫେରାଇ ଦେବ । ରମେଶ, ବୀଣା, ରେଣୁ ସମସ୍ତଙ୍କ ଆଖି ଲୁହ ଛଳ ଛଳ । ବୀଣା କହିଲା, ଭାଗ୍ୟରେ ଥିଲେ ତମ କତିକି ପୁଣି ଆସିବି । ରେଣୁ କହିଲା, ଭୁଲିବ ନାହିଁ, ଚିଠି ଦେବ । ରମେଶ କହିଲା, କଥା ଦେଉଛି ଆଜିଠୁ ବୀଣା ତମରି ନୁଆବୋଉ, କାନ୍ଦୁଚ କାହିଁକି ? ତଥାପି ମନ ବୁଝିଲା ନାହିଁ । ଆଖିରୁ ଝରିଲା ଲୁହ । ସମସ୍ତେ ମୋର ପାଦତଳେ ମୁଣ୍ଡ ନୋଇଁ ବିଦାୟ ଦେଲେ । ସ୍ଵାମୀ ଓ ବିଜୟ ଛାଡ଼ି ଦେବାକୁ ଷ୍ଟେସନ ପର୍ଯ୍ୟନ୍ତ ଗଲେ ।

 

ସତକୁ ସତ ମୋର ଆଶା ସଫଳ ହେଲା । ଦିନ କେଇଟା ପରେ ବୀଣା ଆମ ଘରର ସାନ ବୋହୁ ହୋଇ ଆସିଲା । ତାକୁ କୋଳକୁ ଟାଣି ଆଣି କହିଲି, ବୀଣା ଆଜିଠାରୁ ଯା’ ନୁହଁ, ଭଉଣୀ । ଡାକିଲୁ ଥରେ ଅପା ବୋଲି !

 

ବୀଣା ଡାକିଲା, ଅପା !

 

କେଡ଼େ ମଧୁରବୋଳା ଡାକ । ଆଖିରୁ ଝରିପଡ଼ିଲା ଆନନ୍ଦର ଅଶ୍ରୁ ! କହିଲି, ସପନ ମୋର ସତ ହୋଇଚି ବୀଣା !

 

ଆନନ୍ଦରେ ଆମ ଦି’ ଭଉଣୀଙ୍କର ଦିନ କଟିବାକୁ ଲାଗିଲା । ତା’ର ଅଲରା କେଶ ଦେଖିଲେ ଡାକେ–ଆସ ବୀଣା, ତମର ମୁଣ୍ଡଟା କୁଣ୍ଡାଇ ଦିଏ । ସେ କୁହେ, କାଲି କୁଣ୍ଡାଇ ଥିଲି–ପୁଣି ଆଜି । ତା’କୁ କୋଳକୁ ଟାଣି କୁହେ, ତମର ଏଇ ଅସନା ରୂପ ଦେଖିଲେ ବିଜୟ ପରା ରାଗିବେ । ଲାଜରେ ମୋ ମୁହଁ ଲୁଗାକାନି ତଳେ ସେ ମୁହଁ ଲୁଚାଏ ।

 

ଚିକ୍କଣ କରି ତା’ର ଅଲରା କେଶ ସଜାଡ଼ି ଦେଇ ମୁଣ୍ଡରେ ଦେଇ ଦିଏ ଗୋଟିଏ ଛୋଟ ସିନ୍ଦୂର ଟୋପା । କୁହେ, ଦେଖିଲ ବୀଣା, କେଡ଼େ ସୁନ୍ଦର ମାନିଲା । ବିଜୟ ଦେଖିଲେ ତମକୁ ସାଙ୍ଗେ ସାଙ୍ଗେ କୋଳକୁ ଟାଣିନେବେ । ବୀଣା କୁହେ ଅପା, ଇମିତି ଛିଡ଼ାଇଲେ ମୋଟେ ତମ କତିକି ଆସିବି ନାହିଁ । ମୁଁ ହସି ହସି କୁହେ ମୋ କତିକି ନ ଆସ–କିନ୍ତୁ ଜଣଙ୍କ କତିକି ତ ଯିବ !

 

ବୀଣା ଲାଜରେ ଉଠି ପଳାଇଯାଏ ।

 

ପୁଣି ଟିକିଏ ପରେ ଆସି କୁହେ, ଅପା,ତୁମ ମୁଣ୍ଡଟାବି ଅଲରା ହୋଇଗଲାଣି, ଆସ କୁଣ୍ଡାଇ ଦିଏ । ମନା କଲେ ସେ ରାଣ ପକାଏ । ବାଧ୍ୟ ହୋଇ ବସେ । ସେ ମୋ ମୁଣ୍ଡଟା କୁଣ୍ଡାଇ ପାଉଡର, ସ୍ନୋ, ସିନ୍ଦୁର ନେଇ ଆସେ । ମୁଁ କୁହେ, ସିନ୍ଦୁର ଟିକିଏ ଦେ– ପାଉଡ଼ର ସ୍ନୋ କ’ଣ ହେବ-। ସେ କହେ, ବାଃରେ ଆଉ କ’ଣ ଖାଲି ମୋରି ପାଇଁ ସ୍ନୋ ପାଉଡ଼ର ଆସିଚି । ରାଣ ପକାଇ ମୁହଁରେ ସ୍ନୋ ପାଉଡ଼ର ବୋଳେ ।

 

କାମ ନଥିବାବେଳେ ଦୁହେଁ ଦୁହିଁଙ୍କି ଇମିତି ଅଭିନବ ପରିପାଟିରେ ସଜାଡ଼ୁ । ସେଦିନ ବୀଣାକୁ ଡାକି ଆମ ସେଇ ବଡ଼ ଆଇନା ପାଖରେ ଦିହେଁ ଛିଡ଼ା ହେଲୁ ଲଗାଲଗି ହୋଇ । ପଚାରିଲି, ବୀଣା, ଆମ ଦୁହିଙ୍କ ମିଳନ କିମିତି ଦିଶୁଚି କହିଲ ? ସେ ହସି ହସି କହିଲା, ଏକା ମା’ ପେଟର ଦି’ଭଉଣୀ ପରି । ଆଶା ଆଉ ଆନନ୍ଦରେ ମୋର ହୃଦୟ ସାଗରଟା ଉଦ୍‍-ବେଳିତ ହୋଇଉଠିଲା । ତାକୁ କୋଳକୁ ଟାଣିଆଣି କହିଲି, ଠିକ୍ କହିଚୁ ବୀଣା, ଆମେ ଦି’ଭଉଣୀ ଏକା ଘରର, ଏକା ପେଟର–ଠିକ୍ ଏଇ ଦି’ଭାଇ ପରି ।

 

ବେଳେବେଳେ ଅତୀତର ସ୍ମୃତି ସାଙ୍ଗରେ ହୃଦୟଟା ମିଶିଗଲେ ମନଟା ଶତ ବିଷାଦରେ ଭରି ଉଠେ । ଏକଲା ବସି ଭାବେ ଜୀବନର କେଇଟା ଦରଭୁଲା କଥା । ବୀଣା ଆସି ମୋ କତିରେ ଶୁଖିଲା ମୁହଁକରି ଛିଡ଼ା ହୁଏ । ପଚାରେ, କିଲୋ ବିଜୟ କ’ଣ ଗାଳି ଦେଇଚି କି ?

 

ସେ କୁହେ, ନାଁ ।

 

ତେବେ–

 

ତମେ କାହିଁକି ମୁହଁ ଶୁଖାଇ ଘଡ଼ିଏ ହେଲା ଏଇଠି ବସିଚ ।

 

ମୁଁ ହସେ । ତାକୁ କୋଳକୁ ଟାଣିଆଣି କୁହେ, ଏତେ ଆପଣାର କାହିଁକି କରୁଚୁ ବୀଣା ।

 

ସେ କୁହେ, ପର ଜନମରେ ବୋଧେ ଆମ ଦିହିଙ୍କଠେଇଁ ରକ୍ତର ସମ୍ପର୍କ ଥିଲା–ସେଇଥିପାଇଁ ।

 

ରୋଷାଇବାସ ସାରି ସବୁଦିନ ରାତିରେ ଦିହିଁଙ୍କର ଗପ ପଡ଼େ କେତେ ଆଡ଼ର, କେତେ କାଳର । କାହାଣୀ ଲତା ମେଲି ମେଲି ଯାଏ ସତେ ଯେପରି ଅଛିଣ୍ଡା । ବିଜୟ ଆସି କୁହେ, ନୂଆବୋଉ, ଗପରେ ଆଜି ରାତି ପାହିଯିବ କି ? ମୁଁ ହସି ହସି କହେ, କାହିଁକି ବୀଣା ଯାଇନି ବୋଲି ନିଦ ହେଉନାହିଁ ପରା । ବିଜୟ ଲାଜରେ କିଛି ନ କହି ଚାଲିଯାଏ ।

 

ସେଦିନ ରାତିରେ ଆମ ଦିହିଁଙ୍କର ଗପ ଚାଲିଚି । କିଏ କୁଆଡ଼େ ଶୋଇଲେଣି । ନିଶୂନ–ନିଶବଦ ରାତି । ହଠାତ୍ କାନ୍ଥ ଘଡ଼ିରେ ବାଜିଲା ଠଂ ଠଂ । ରାତି ବାରଟା । ଚମକି ପଡ଼ି ବୀଣାକୁ କହିଲି, ତମେ ଯିବତି ବୀଣା ଶୋଇବାକୁ । ରାତି ବହୁତ ହେଲାଣି, ବିଜୟ ଭାରି ମୋ ଉପରେ ଘୋଷା ହେବେଣି । ସେ ଗେଲେଇ ହୋଇ କହିଲା, ନା ଅପା, ଆଜି ଆମେ ଦିହେଁ ଏକାଠି ଶୋଇବା ।

 

ତାକୁ ଟାଣି ଟାଣି ବିଜୟ ଘର ସାମାନାରେ ଛାଡ଼ିଦେଲି ।

 

ସେ ପୁଣି ମୋ ପଛେ ପଛେ ଆସିଲା ।

 

ଯାଉଚ ନାଁ, ଅଫୁଲିଟା ! ସତେ ଯେମିତି ମନ ନଥିବ ।

 

ଖାଲି ମୁରୁକି ମୁରୁକି ସେ ହସିଲା । ପୁଣି ପଛେ ପଛେ ଆସିଲା ।

 

ମୁଁ ଚଞ୍ଚଳ ମୋ ଘରକୁ ଆସି କବାଟ କିଳିଦେଲି । ସେ କବାଟ ଖଡ଼ ଖଡ଼ କଲା । ମୁଁ ମୋଟେ ଶୁଣିଲି ନାହିଁ ।

 

ତା’ ଆରଦିନ ଭୋରୁ ଉଠିଲାବେଳକୁ ଦେଖେ ବୀଣା ମୋ ଘର ଦରଜା ସାମନାରେ ଶୋଇଚି । ଚମକି ପଡ଼ିଲି । ତାକୁ ଉଠାଇ ପଚାରିଲି, ବୀଣା, ଏଠି ଶୋଇଲ କାହିଁକି ?

 

ସେ କହିଲା, ତମେ କବାଟ କିଳି ଶୋଇଲ । ମୁଁ ତାଙ୍କ କତିକି ଗଲାବେଳକୁ ସେ ବି ରାଗରେ କବାଟ କିଳି ଦେଇଚନ୍ତି । ଯେତେ ଡାକିଲି, ସେ ଶୁଣିଲେ ନାହିଁ । କାନ୍ଦି କାନ୍ଦି ଆସି ଏଇଠି ଶୋଇଲି । କହୁ କହୁ ତା’ ଆଖିରେ ଲୁହ ଛଳ ଛଳ ହୋଇ ଉଠିଲା ।

 

ତାକୁ କୋଳକୁ ଟାଣିଆଣି କହିଲି–କାଲି ବେଶି ରାତିଯାକେ ଗପ କଲେ ବୋଲି ବିଜୟ ରାଗିଚି, ନାଁ ? ପିଲା ମନ । କାନ୍ଦୁଚୁ କାହିଁକି ? ସେ ତୋତେ ଭାରି ଭଲ ପାଏଲୋ ବୀଣା–ମୋଠୁ ବେଶି । ସେ ତୋତେ କଦାପି କ୍ଷଣିକ ପାଇଁ ଜୀବନରୁ ଅନ୍ତର କରିବାକୁ ଚାହେଁ ନାହିଁ । ଏହାଠାରୁ ବଳି ସୌଭାଗ୍ୟ ତୋର କ’ଣ ଅଛି ?

 

ଶିଶିରିଧୂଆ ପଦ୍ମଫୁଲ ପରି ଢଳଢ଼ଳ ସୂନ୍ଦର ମୂହଁରୁ ତା’ର ଲୁହ ପୋଛିଦେଲି ।

 

ସେଇଦିନ ସକାଳେ ।

 

ବିଜୟ, ଖାଇବ ଚାଲ ।

 

ଭୋକ ନାହିଁ ନୂଆବୋଉ, ମୁଁ ଆଜି ଖାଇବି ନାହିଁ ।

 

ସବୁ ଦିନେ ଭୋକ କରେ । ଆଜି କାହିଁକି ନାହିଁ । ମୋ ଉପରେ ରାଗିଚ, ନାଁ ।

 

ବିଜୟ ନିରୁତ୍ତର । ହାତଧରି ଟାଣିଲି, ତଥାପି ଆସିଲା ନାହିଁ । ରୋଷେଇ ଘରକୁ ଆସି ବୀଣାକୁ କହିଲି, ଯିବଟି ବୀଣା, ବିଜୟକୁ ଖାଇବାକୁ ଡାକି ଆଣିବ ।

 

ନାଁ ଅପା, ମୁଁ ଯିବିନି । ରାଗିଛନ୍ତି ମୋ ଉପରେ, ଚିଡ଼ିବେ ।

 

ଭୟ କରୁଚୁ । ବିଜୟ ରାଗ ପାଣି ଫୋଟକା । ଯାଅ…ତୁ ଡାକିଲେ ନିଶ୍ଚୟ ଆସିବ ।

 

ବୀଣା ଚାଲିଗଲା । ଘଡ଼ିଏ ଗଲା, ତଥାପି ବୀଣା ଫେରିଲା ନାହିଁ । ମନଟା ହେଲା ଛଟପଟ–ବୀଣାକୁ କିଛି କହିଲା କି ବିଜୟ । ଚାଲ ଚାଲ ହେଇ ବିଜୟ ଘର ବାହାରେ ଆସି ଛିଡ଼ାହେଲି ।

 

ଭିତରୁ ଶୁଭିଲା, ବୀଣା କହୁଚି ଛାଡ଼ ନୂଆବୋଉ ଆସିବେ ।

 

ଆସନ୍ତୁ । ଦେଖିଲେ ତ ମୁଣ୍ଡ କାଟି ପକାଇବେ ନାହିଁ ।

କାହିଁକି ମୋ ସାଙ୍ଗରେ ଲାଗୁଚ । କାଲି ରାତିରେ କବାଟ କିଳି ଦେଇଥିଲ–ପୁଣି ଆଜି କାହିଁକି ଏତେ ସ୍ନେହ । ଛାଡ଼….

ମୋ ଉପରେ ରାଗିଚ ବୀଣା !

ତମେ ପୁରୁଷ–ତମର ସିନା ରାଗ । ଆମେ ତ ସ୍ତ୍ରୀ–ଆମର ଆଉ ଗୋଟାଏ ରାଗ କ’ଣ-?

ଆଚ୍ଛା ହେଲା ମୋର ଦୋଷ ହେଇଚି । କ୍ଷମା କରିବ ତ ।

ଦୁହିଁଙ୍କ କଥା ଶୁଣି ହସି ହସି ଏଣେ କୋତର ହେଲି ମୁଁ । ହଠାତ୍ ଘର ଭିତରକୁ ପଶିଗଲା । ବୀଣାକୁ କୋଳରୁ ଛାଡ଼ି ବିଜୟ ଅଲଗା ହୋଇଗଲା । ଲାଜରେ ବୀଣା ତଳକୁ ମୁହଁ ପୋତିଲା । ହସି ହସି କହିଲି, ବିଜୟ କ୍ଷମା ଦେବାର ଅଧିକାର ବୀଣାର ନାହିଁ । ସେ ଅଧିକାର ଅଛି ମୋର । ଛି…ଇମିତି କ’ଣ ରାଗନ୍ତି । ଚାଲ ଖାଇବ ଚାଲ ।

ବିଜୟ ମୁରୁକି ହସି ଉଠିଲା ।

ହସି ହସି କହିଲି, ହଁ ମନ ଭୋକ ମରିଗଲା ଯେତେବେଳେ, ପେଟ ଭୋକ ଏଣିକି କରିବ ତ ।

ବିଜୟ ମୁହଁ ଲାଜରେ ଲାଲ ପଡ଼ିଗଲା ।

ଇମିତି ସ୍ନେହ ଅଭିମାନ ଭିତରେ ଚାରୋଟି ମାସ କଟିଗଲା । ଯେଉଁ ଦିନ ବୀଣା ଜାଣିଲା ମୁଁ ସନ୍ତାନର ମା’ ହେବାକୁ ଯାଉଚି, ତା’ର ଆନନ୍ଦର ସୀମା ରହିଲା ନାହିଁ । ସବୁବେଳେ କହେ, ଅପା ତମର ଏଥର ଗୋଟିଏ ପୁଅ ହେବ । ହସି ହସି କହେ, ହେଲା ପୁଅ ହେଲେ ତୋର, ଝିଅ ହେଲେ ମୋର ।

ସତକୁ ସତ କେଇ ମାସ ପରେ ବୀଣା କଥା ସତ ହେଲା । ଭଗବାନ ମୋ କୋଳରେ ଯେଉଁ ଦାନଟିକୁ ଦେଲେ ମୋର ନ ହୋଇ ବୀଣାର ହେଲା । ବିଜୟ, ବୀଣାର ଆନନ୍ଦ କହିଲେ ନ ସରେ । ରେବ ଆସିଲା । ମହା ଧୂମଧାମରେ ଏକୋଇଶା ଉତ୍ସବ ଶେଷ ହେଲା । ବୀଣା ପୁଅର ନାଁ ରଖିଲା ଶରତ । ଦିନ କେଇଟା ପରେ ଦି’ଯାଙ୍କ ଆଖିରେ ଲୁହ ଝରାଇ ରେବ ଚାଲିଗଲା ।

ପୁଅଟି ହେଲା ଦିନୁ ବୀଣା ଖାଇବା ପିଇବା ବି ବେଳେବେଳେ ଭୁଲିଯାଏ । ସବୁବେଳେ ସେ ପୁଅଟିକୁ ଧରି ଗେଲ କରେ । କାନ୍ଦିଲେ ମୋ ପାଖରେ ଆସି କହେ, ଅପା, ପୁଅକୁ ଭାରି ଭୋକ କଲାଣି, ଦୁଧ ଦିଅ । ମୁଁ ହସି ହସି କହେ, ବା’ରେ ତମ ପୁଅକୁ ତମେ ଦୁଧ ଦେଉନା । ଆଉ ସବୁବେଳକୁ ତମର, ଦୁଧ ଦେଲାବେଳକୁ ମୋର । ନାଁ ଆଜି ତମେ ତାକୁ ଦୁଧ ଖୋଇ ତୁନି କର ବୀଣା । ବୀଣା ଲାଜରେ ସଢ଼ିଯାଏ । ପୁଅକୁ ମୋ କୋଳରେ ଥୋଇ ଦେଇ ପଳାଇଯାଏ ।

 

ପୁଅକୁ ସାମାନ୍ୟ ଜର ଟିକେ ହେଲେ ବୀଣା ମୁହଁରୁ ହସ ଲିଭିଯାଏ । ଲୁହ ଛଳ ଛଳ ଆଖିରେ ମୋତେ ଆସି ସବୁବେଳେ ପଚାରେ, ଅପା ପୁଅ କେବେ ଭଲ ହେବ । ମୁଁ ହସି ହସି କହେ, କ’ଣ ହେଇଚି । ଏଇ ଟିକିଏ ସର୍ଦ୍ଦିଜର, ଛାଡ଼ି ଯିବନି କି । ତମେ କାନ୍ଦୁଚ କାହିଁକି ବୀଣା । ତଥାପି ବୀଣା ବୁଝେନା । ଦି’ଦିନ ପରେ ଶରତକୁ ଜର ଛାଡ଼ିଗଲେ–ତେବେ ଯାଇଁ ବୀଣାକୁ ସବୁ ଦୁଶ୍ଚିନ୍ତାରୁ ଛୁଟି ମିଳେ ।

 

ବେଳେବେଳେ ବୀଣା ଆସି ମୋ ସାଙ୍ଗରେ ଗେଲ ଖେଳେ । କୁହେ, ଅପା ଶରତ ଆସିଲା । ହେମନ୍ତ ପୁଣି କେବେ ଆସିବ ମ । ମୁଁ ହସି ହସି କୁହେ–ହେମନ୍ତ ପରା ତମରି କୋଳରେ ଆସିବ ବୀଣା । ଠାକୁର ଇଚ୍ଛା କଲେ କାଲି ସକାଳେ ପୁଣି ଦି’ ଭାଇ ହାତ ଧରାଧରି ହୋଇ ଖେଳିବେ–ଠିକ୍ ଆମ ଦି’ଭଉଣୀଙ୍କ ପରି ନୁହେଁ ? ବୀଣା ଲାଜରେ ଝାଉଁଳି ପଡ଼େ ।

 

ଶାନ୍ତି ଉଛୁଳା ସମୟର ସୁଅ ଉପରେ ଆମର ସୁଖର ନଉକାଟି ଭାସି ଭାସି ଚାଲିଲା ।

 

ବିଜୟ ବି.ଏ. ପାଶ୍ ପରେ କଟକରେ ‘ଲ’ ପଢ଼ିବାର ସ୍ଥିର ହେଲା । ବିଜୟ ଚାଲିଯିବା ଶୁଣି ବୀଣାର ଭାବନା କହିଲେ ନ ସରେ । ତା’ର ଶୁଖିଲା ମୁହଁ ଦେଖିଲେ ମୋର ହୃଦୟଟା ଘାଣ୍ଟି ଚକଟି ହୁଏ । ତାକୁ କୋଳକୁ ଟାଣି ଆଣେ । ତା’ର ଶୁଖିଲା ମୁହଁରେ ବୋକ ଦେଇ କହେ, ବିଜୟ କୋଉଠିକି ଯାଉଚି–ଏଇ ତ କଟକ । ଚାରିଘଣ୍ଟାର ବାଟ । ଏଇଆକୁ ଏତେ ଭାବନା କ’ଣ । ଆଉ ସେ ଚାଲିଗଲେ ଆମେ ତ ତୋତେ ପର କରିଦେବୁ ନାହିଁ । ବୀଣା ଆଖିରୁ ଦି’ଟୋପା ଲୁହ ଝରିପଡ଼େ । ତା’ ଆଖିରୁ ଲୁହ ପୋଛି ଦେଇ କହେ, ଛିଃ ପାଗଳି !

 

ବିଜୟର କଟକ ଯିବା ଆଉ ଚାରିଟା ଦିନ ଥାଏ । ହଠାତ୍ ସେ ଦିନ ସନ୍ଧ୍ୟାବେଳେ ବୀଣାକୁ ଟିକେ ଜର ଆସିଲା । ଆମେ ଭାବିଥିଲୁ ସାମାନ୍ୟ ଜର–ହୁଏତ କାଲିକୁ ଛାଡ଼ିଯିବ । କିନ୍ତୁ ଜର ପ୍ରକୋପ ଦିନକୁ ଦିନ ବଢ଼ି ଟାଇଫଏଡ଼୍ରେ ପରିଣତ ହେଲା । ଡାକ୍ତର ଆସିଲା । ଘଣ୍ଟାକୁ ଘଣ୍ଟା ଧରି ଔଷଧ ଦିଆଗଲା । କିନ୍ତୁ ସବୁ ଚେଷ୍ଟା ହେଲା ବ୍ୟର୍ଥ । ବୀଣା ଚିରଦିନ ପାଇଁ ଆମକୁ ଫାଙ୍କି ଦେଇଗଲା ।

 

ଗଲା ପୂର୍ବରୁ ବିଜୟକୁ କହିଗଲା, ତମେ ମୋତେ ଛାଡ଼ି ଚାଲିଯିବ ବୋଲି ବସିଥିଲ, କିନ୍ତୁ ତା’ ଆଗରୁ ମୁଁ ତମକୁ ଛାଡ଼ି ଚାଲିଗଲି । ତମ ଉପରେ ମୁଁ ସିନା ଅଭିମାନ କରିଥିଲି–କିନ୍ତୁ ତମେ ମୋ ଉପରେ ଆଜି ଅଭିମାନ କରି ପାରିବ ନାହିଁ । ମୋର କ’ଣ ଇଚ୍ଛା ଥିଲା ଏତେ ଚଞ୍ଚଳ ତମ କତିରୁ ଛୁଟି ନେବିବୋଲି । କ’ଣ କହିବି, ସେ–ପାରିର ଡାକରା ଶୁଣିବାକୁ ତ ହେବ । ମୋତେ ଭୁଲ ବୁଝିବ ନାହିଁ । ଶରତ ମୋ ପୁଅ, ତା’ ଭାର ତମକୁ ଦେଇଗଲି ।

 

ମୁଁ ତାକୁ ବାଧାଦେଇ କହିଲି, ଏ କ’ଣ କହୁଛ ବୀଣା ! ଛିଃ... ତମେ ପୁଣି ଭଲ ହୋଇଯିବ । ସେ ହସିଲା–କି କରୁଣଭରା ହସ । ସେ ହସର ଗୋପନ ଆଘାତ ମୋ ବୁକୁ ତଳେ ବାଜିଲା । ଏତିକି କହିଲା, ଆମର ବନ୍ଧନ କିଏ କାଟିଦେଲାଣି ଅପା, ଆଉ ରହି ପାରିବି ନାହିଁ । ଆଶୀର୍ବାଦ କର, ତମ ପରି ଭଉଣୀ ମୁଁ ଜନମ ଜନମରେ ପାଏ । ତାପରେ ସବୁ ଶେଷ ।

 

ମୁଁ ଭୋ ଭୋ ହୋଇ କାନ୍ଦି ଉଠିଲି । ତାକୁ ଜାବୁଡ଼ି ଧରି କହିଲି, ଏତେ ଚଞ୍ଚଳ ଯଦି ଚାଲି ଯିବାକୁ ତୁମର ଇଚ୍ଛା ଥିଲା ବୀଣା, ତେବେ ଏତେ ସ୍ନେହ ଲଗାଇଥିଲ କାହିଁକି ? ବୀଣା ଆଉ ଶୁଣିଲା ନାହିଁ । ବିଜୟ ବେଦନାରେ ଅଧୀର ହେଇ ତଳେ ପଡ଼ିଗଲା । ସ୍ଵାମୀଙ୍କ ଆଖିରୁ ଝରି ଆସିଲା ଧାର ଧାର ଲୁହ । ସେତିକିବେଳେ ପାଖ ଘରୁ ଖରତ କଇଁ କଇଁ ହେଇ କାନ୍ଦି ଉଠିଲା । ସେ କେମିତି ଜାଣିପାରିଲା ତା’ର ସାନବୋଉ ତାକୁ ଆଉ କୋଳକୁ ନେବାକୁ ଆସିବ ନାହିଁ ।

 

ବୀଣା ଚାଲିଯାଇଚି ମୋ ପ୍ରତି ଅଭିମାନ କରି । ଆଉ ସେ ଫେରିବ ନାହିଁ । ଖାଲି ଚିର ଦିନ ଭାବିବା ପାଇଁ ଦେଇଯାଇଚି ତା’ର କେଇଟା ଦିନର ପରାଣଭରା ସ୍ନେହ–ଆଉ ପ୍ରୀତି ।

 

ଶରତ ଆଜି କାନ୍ଦି କାନ୍ଦି ତଳେ ଲୋଟିଯାଏ । ତଥାପି ତା’ର କରୁଣ ଡାକ ଆଜି ଆଉ ବୀଣାର କାନ ପାଖରେ ପହଞ୍ଚି ପାରେନା । ଶରତକୁ କନ୍ଦାଇବାକୁ ସତେ ଯେପରି ଆଜି ତାକୁ ଭଲ ଲାଗେ ।

 

ବିଜୟ ସବୁବେଳେ ବସି ବସି ଭାବେ । ଆଗର ସେ ରୂପ ଆଜି ନାହିଁ । ମୁହଁ ସବୁବେଳେ ବେଦନାରେ ଭାରି–ଆଖିଗୁଡ଼ା ଭିତରକୁ ପଶି ପଶି ଯାଉଚି–ଓଠ ସବୁବେଳେ ନିରସ । ବୀଣା ମଲା ଦିନୁ ତା’ ମୁହଁରେ କେବେ ମୁଁ ଦିନେ ହସ ଦେଖି ନାହିଁ । ସବୁବେଳେ ସେ ତାରି କଥା ଭାବେ । ଭାବୁ ଭାବୁ ପିଲାଙ୍କ ପରି କାନ୍ଦେ ।

 

ଦୁଇଟି ମାସ କଟିଗଲା, ତଥାପି ବିଜୟର ମନର ଭାବ ପରିବର୍ତ୍ତନ ହେଲା ନାହିଁ । ଭାବନାରେ ତା’ର ଶରୀର ଭାଙ୍ଗିପଡ଼ିଲା । କେତେ ତାକୁ ବୁଝାଇ କହେ, ବିଜୁ ! ଭାଗ୍ୟରେ ଯା’ ଥିଲା, ତା’ ହେଲା । ବୀଣା ଚାଲିଯାଇଛି ଶାନ୍ତିରେ ହସି ଖେଳି । ତମର ବି ସେ ଦୂରରେ ଥାଇ ହସ ଖେଳ ଦେଖିବାକୁ ଚାହେଁ । ତମେ ଇମିତି ହେଲେ ସେ ପର ରାଇଜରେ କେଡ଼େ ଦୁଃଖ ଅନୁଭବ କରୁ ନଥିବ କହିଲ । ଛିଃ ସୁନାଟା ପରା । ସେ ସବୁ ଭୁଲିଯାଅ । ମୁଁ ପୁଣି ତମର ସୁନାର ସଂସାର ଗଢ଼ିଦେବି । ଯେଉଁ ନୂଆଲୋକଟି ତମର ଆପଣାର ହୋଇ ଆସିବ ସେଇଆକୁ ଭଲପାଇଲେ ତା’ରି ଭିତରେ ପୁଣି ତମେ ବୀଣାର ସ୍ନେହ–ସୁଆଦ ପାଇପାରିବ । ବିଜୟ କିଛି କୁହେ ନା, ଖାଲି ଟିକିଏ ହସେ । ସେ ହସରେ ସେ ଯେପରି କୁହେ ନୂଆବୋଉ, ମୁଁ କ’ଣ ଶରତ ହେଇଛି ମୋତେ ଭୁଲାଇଦେବ ।

 

ସ୍ୱାମୀ ସେଦିନ ରାତିରେ ମୋତେ କହିଲେ, କାନ୍ତି, ବିଜୟ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେଇ ପଡ଼ୁଚି । ଭାବୁଛି ଜୋର କରି ପୁଣି ତା’ର ବାହାଘର କରିଦେବାକୁ । ବାହାଘର ନ ହେଲେ ତା’ର ମନର ଭାବ ମୋଟେ ବଦଳିବ ନାହିଁ । କହିଲି, ସେଇ କଥା ତମକୁ ମୁଁ କହିବି କହିବି ବୋଲି ହେଉଥିଲି । ବୀଣା ପରି ଗୋଟିଏ ସୁନ୍ଦରୀ ଝିଅର ପ୍ରଭାବ ତା’ ମନ ଉପରେ ପଡ଼ିଲେ ନିଶ୍ଚୟ ସେ ଅତୀତକୁ ପାଶୋରି ପକାଇବ । କିନ୍ତୁ ତାରି ପରି ମନଲାଖି ଝିଅଟି ମିଳିଲେ ତ । ବୀଣାର ସାନ ଭଉଣୀ ରେଣୁ–ତାର ତ ବାହାଘର ସରିଚି । ସ୍ୱାମୀ କହିଲେ, ଏଇ ପୁରୀର ନୂଆ ସାହିରେ ମୁଁ ବିଜୟ ବାହାଘର ପ୍ରସ୍ତାବ ପକାଇଛି ବୀରକିଶୋର ଦାସଙ୍କ ସାନ ଝିଅ ସହିତ । ବୀରବାବୁ ବାପାଙ୍କର ବହୁ ଅତୀତର ଜଣାଶୁଣା । ଆମ ଘରକୁ ସେ ଭଲ ଭାବରେ ଜାଣନ୍ତି । ଏ ପ୍ରସ୍ତାବରେ ସେ ରାଜି । ଝିଅଟି ବି ଦେଖିବାକୁ ଅସୁନ୍ଦର ନୁହେଁ । ଦେଖିବ ସେ ଝିଅଟିର ଫଟ ! ଫଟ ଖଣ୍ଡିକ ତାଙ୍କ ଶାର୍ଟ ପକେଟରୁ କାଢ଼ି ଦେଖାଇଲେ ।

 

ବାଃ ବେଶ୍ ଝିଅଟି ତ ! ସୁନ୍ଦର ଢଳଢ଼ଳ ଗୋଲାପ ଫୁଲଟି ପରି ରୂପ । କେତେକ ଅଂଶ ବୀଣା ସାଙ୍ଗରେ ଠିକ୍ ମିଶି ଯାଉଛି । ବାରିବାକୁ କିଛି ନାହିଁ । ଏଇଆକୁ ନିଶ୍ଚୟ ମୁଁ ଯା’ କରି ଆଣିବି-। ଫଟଟି ଦେଖୁ ଦେଖୁ ବୀଣାର ସ୍ମୃତି ମନ ଭିତରେ ଭାସି ଉଠିଲା । ଆଖିରୁ ଝରି ପଡ଼ିଲା ଦି’ ଟୋପା ଲୁହ । ସ୍ୱାମୀ କହିଲେ, ଫଟ ଦେଖି କ’ଣ କାନ୍ଦିବାକୁ ଦେଇଥିଲି କାନ୍ତି ! ପସନ୍ଦ ହେଲା ନା କ’ଣ କୁହ ! ଆଖିରୁ ଲୁହ ପୋଛି କହିଲି, ନିଖୁଣ ଛବି । ବୀଣାର ରୂପ ସାଙ୍ଗରେ ଯଥେଷ୍ଟ ମିଶି ଯାଉଚି । ବିଜୟ ନିଶ୍ଚୟ ଆକୁ ଜୀବନ ସାଥି ରୂପେ ପାଇଲେ ଭଙ୍ଗା ଦିନର ଦରଦମିଶା ଅତୀତକୁ ପାଶୋରି ପକାଇବ ।

 

ସ୍ୱାମୀ କହିଲେ, ତେବେ ବିଜୟକୁ ରାଜି କରାଇବାର ଭାର ତୁମ ଉପରେ ରହିଲା । ମୁଁ ବାହାଘରର ପୂର୍ଣ୍ଣ ଆୟୋଜନ ଭିତରେ ଭିତରେ କରୁଛି । ବିଜୟ ଜିଦ୍‍ ଧରି ବସିଲା–ସେ ଆଉ ବାହା ହେବ ନାହିଁ ।

 

ତେବେ କ’ଣ ବିଜୟର ସୁନାର ସଂସାର ମୁଁ ଆଉ ଗଢ଼ିଦେଇ ପାରିବି ନାହିଁ । ଦେଖୁ ଦେଖୁ ତା’ର ଜୀବନ କୁସୁମଟି ମଉଳି ଯିବ ଇମିତି ହା ହୁତାଶରେ । ଏହି ଭାବନାରେ ମୋତେ ସବୁ କିଛି ବିଷ ପରି ଲାଗିଲା । ବେଦନାରେ ମୁଁ ଭାଙ୍ଗିପଡ଼ିଲି । ଅନ୍ତର ଭିତରୁ କିଏ ଯେପରି କହି ଉଠିଲା, ବୀଣା, ତୁମେ ମରି ନାହଁ ଯେ ମୋତେ ମାରିଦେଇ ଯାଇଚ ।

 

ମୋର ଆଖିର ଲୁହ ଯେ ଦିନେ ବିଜୟର ପାଷାଣ ମନକୁ ତରଳାଇ ଦେବ, ଏହା ମୁଁ ଭାବି ନଥିଲି କଳ୍ପନାରେ । ଅପରାଧୀ ପରି ବିଜୟ ଦିନେ ଆସି ମୋ କତିରେ ଛିଡ଼ାହେଇ କହିଲା, ନୂଆବୋଉ, ତମେ ଯା ଭାବୁଚ ତା’ କର । ତୁମ ମନରେ ମୁଁ ବହୁତ କଷ୍ଟ ଦେଇଚି, ସେଥିପାଇଁ କ୍ଷମା କରିବ । ସବୁ ପାଇବି–କିନ୍ତୁ ତୁମ ପରି ଭାଉଜ ମୁଁ ସାରା ଜୀବନ ଭିତରେ ପାଇବି ନାହିଁ । ବିଜୟର କଥା ପଦକ ମୋର ମନ ଗୁହାର ବେଦନାର ଅନ୍ଧକାର ଉପରେ ଆଶାର ଆଲୁଅ ଲହଡ଼ି ଖେଳାଇ ହେଲା । ତା’ ହାତ ଧରି କହିଲି, ବିଜୟ ! ତମର ସୁଖର ସଂସାର ଦେଖି ମୁଁ କିମିତି ଆଖି ବୁଜିବି, ଏହା ହିଁ ଠାକୁରଙ୍କଠାରେ ପ୍ରାର୍ଥନା ।

 

ବିଜୟ କହିଲା, ନୂଆବୋଉ, ବୀଣା ମୋତେ ଫାଙ୍କିଦେଇ ଯାଇଚି । ସେ ଦୁଃଖର ଆଘାତ ଜୋର କରି ଆଜି ଲିଭାଇ ଦେଇଚି–ଖାଲି ତମରି ମୁହଁରେ ହସ ଫୁଟାଇବାକୁ । ବୀଣା ଦୁଃଖ ସିନା ଭୁଲି ପାରିବି, କିନ୍ତୁ ତମ ଦୁଃଖ ମୁଁ ସହ୍ୟ କରିବି କିମିତି । ବାପା, ମା ମୋର ଚାଲି ଯାଇଛନ୍ତି । ତମରି ସ୍ନେହ ଆଜି ମୋତେ ମଣିଷ କରିବା କଳ୍ପନା ଦେଇଚି । ସୁତରାଂ ତମେ ଯା’ କରିବ ମୋରି ମଙ୍ଗଳ ପାଇଁ । ମୁଁ ଆଉ ତମ ଇଚ୍ଛାରେ ବାଧା ଦେବି ନାହିଁ ।

 

ତାକୁ କୋଳକୁ ଟାଣିଆଣି କହିଲି, ସୁନା ଦିଅରଟି ମୋର । କାଲିକା ଛୁଆଟା ତୁ–କିନ୍ତୁ ତୋଠି ଏତେ ବୁଦ୍ଧି କେଉଁଠୁ ଆସିଲା ।

 

ପୁଣି ବିଜୟର ଭଙ୍ଗା ସଂସାରକୁ ନୂଆ କରି ଗଢ଼ିଦେଲି । ପୁଣି ସେହି ମଧୁରବୋଳା ଡାକ କାନ ପାଖରେ ବାଜି ଉଠିଲା, ଅପା ! ତାକୁ କୋଳକୁ ଟାଣିଆଣି ପଚାରିଲି, ତମ ନାଁ କ’ଣ ଭଉଣୀ !

 

ମୋ ନା ଶାନ୍ତି ।

 

କେଡ଼େ ସୁଆଦ ମିଶା ନା’ଟି ସତେ । କହିଲ, ଠିକ୍ ତମରି ପରି ଝିଅଟି ମୁଁ ଆଣିଥିଲା ବାଛି ବାଛି । କିନ୍ତୁ ସେ ଦିନେ ଆମ ଆଖିରେ ଲୁହ ଝରାଇ ଚାଲିଗଲା । ତମେ କିନ୍ତୁ ଆମଙ୍କୁ ଫାଙ୍କି ଦେବନି ତ ଶାନ୍ତି ?

 

ଶାନ୍ତିର ହରିଣୀ ପରି ତ୍ରସ୍ତ–ଚଞ୍ଚଳ ଆଖି ଯୋଡ଼ିକରେ ବିନ୍ଦୁ ବିନ୍ଦୁ ଅଶ୍ରୁ ।

 

ସମବେଦନାର ଭାଗ ନେଉଛି ଶାନ୍ତି । ଛିଃ......ତା’ ଆଖିରୁ ଲୁହ ପୋଛିଦେଇ କହିଲି, ଶାନ୍ତି, ବିଜୟ ଆଜିଠୁ ତମକୁ ଲାଗିଲା । ତା’ର ଯତ୍ନ ନେବ–ସ୍ନେହ ଦେଇ ତା’ ମନର ଲୁଚି ଛପିଥିବା ବେଦନାଟିକ ପୋଛିଦେବ । ତା’ ଜୀବନର ହଜିଯାଇଥିବା ଶାନ୍ତି ସଉରଭଟିକ ଫେରାଇ ଆଣିବ । ଶାନ୍ତି ନାମଟିକୁ ଆଜି ନାମରେ ନ ଲଗାଇ କାମରେ ଲଗାଇବ ।

 

ଶାନ୍ତି କହିଲା,ଆଶୀର୍ବାଦ କର ଅପା–ତାହାହିଁ ହେଉ ।

 

ତା’ ଆରଦିନ ଶାନ୍ତି ହସି ହସି ଶରତକୁ କୋଳକୁ ନେଲାବେଳେକୁ ଶରତ କାନ୍ଦିଉଠିଲା-। କହିଲି, ଶରତ ଚିହ୍ନିପାରୁନୁ କିରେ, ତୋର ସାନବୋଉ ପରା । ଶରତ ଲୁହବୋଳା ଆଖିରେ ଶାନ୍ତି ମୁହଁକୁ ବଲ ବଲ କରି ଚାହିଁଲା । ଶାନ୍ତି ତା’ ଆଖିରୁ ଲୁହ ପୋଛି ତା’ ଗାଲରେ ବୋକ ଦେଲା-। ଶରତ ଲୁହଧୁଆ ମୁହଁରେ ଉକୁଟି ଉଠିଲା କ୍ଷୀଣ ହସ । ଆଖି ଲୁହରେ ପ୍ରଶ୍ନ ଆସିଲା, ବୀଣା-! ତୁ ଆଜି କେଉଁଠି ?

 

ବିଜୟ ବାହା ହେବାର ଯୋଗ ମାସ ପୂରିନି ସ୍ୱାମୀ ପଡ଼ିଲେ ବେମାରରେ । ଦିନେ ଛଡ଼ା ଦିନେ ଜର ହେଲା । କ୍ରମାଗତ ଜର ପନ୍ଦର ଦିନ ପର୍ଯ୍ୟନ୍ତ ଲାଗି ରହିଲା । କେତେ ଔଷଧ ଖିଆ ହେବା ପରେ ଜର ଛାଡ଼ିଲା । କିନ୍ତୁ ପୁଣି ଦିନ କେଇଟା ଯାଉଣୁ । ଧରିଲା ରକ୍ତାମାଶୟ । ସେଇଥିରେ ତାଙ୍କ ପୂର୍ବ ସ୍ୱାସ୍ଥ୍ୟ ଏକବାର ଲୋପ ପାଇଗଲା । ତାଙ୍କର ଭଙ୍ଗା, ବିକୃତ ରୂପ ଦେଖି ମୋର ସମସ୍ତ ଶରୀର କମ୍ପି ଉଠିଲା । ମୁଁ ଭୟରେ ଛାନିଆଁ ହୋଇଗଲି । ସବୁବେଳେ ଆଖିରୁ ଛୁଟିଲା ଧାରାଶିରାବଣ । ବିଜୟ, ଶାନ୍ତି କେତେ ବୁଝାନ୍ତି । କୋଉଥିରେ ମନ ମାନେନା ।

 

ଡାକ୍ତର ଆସେ–ଯାଏ । ଔଷଧ ଦିଆଯାଏ । ସେଥିରେ ରୋଗର ଉପଶମ ନ ହେଲେ ପୁଣି ନୂଆ ଔଷଧର ପ୍ରେସକ୍ରିପ୍‍ସନ । ବିଜୟ ଦଉଡ଼େ ଔଷଧ ଦୋକାନକୁ । ଔଷଧ ଆସେ–ନିୟମ ଅନୁସାରେ ହୁଏ ଚିକିତ୍ସା । ଦିନେ ଦିନେ ତାଙ୍କ ଅବସ୍ଥା ଭଲଆଡ଼କୁ ଆସେ । ଆଶାର ଆଲୋକ ଜଳିଉଠେ ମନରେ । ପୁଣି ରୋଗ ଓଲଟି ପଡ଼େ, ପୁଣି ସମସ୍ତେ ଭୟରେ କଲବଲ । ଦିନରୁ ଦିନ ରୋଗ ବଢ଼ି ଉଠିଲା ।

 

ସମସ୍ତଙ୍କର କତିରୁ ବିଦାୟ ନେଇ ସେ ଦିନେ ଚାଲିଗଲେ ନିଶବଦ ରାତିରେ । କେହି ଜାଣି ନାହାନ୍ତି ତାଙ୍କ ମରିବା । ଜାଣିଥିଲେ ଅବା ତାଙ୍କୁ ଛାଡ଼ିନଥାନ୍ତେ କି କ’ଣ, ଏଇଆ ଭାବି ସେ ଚାହିଗଲେ । କାନ୍ଦିକାନ୍ଦି କେତେବେଳେ ମୁଁ ମୂର୍ଚ୍ଛା ହୋଇ ଯାଇଥିଲି ଜାଣେନା । ଯେତେବେଳେ ଚେତା ପାଇଲି ଦେଖେ ବିଜୟ ଶାନ୍ତି ମୋ ସେବାରେ ଲାଗିଚନ୍ତି । ଦୁହିଁଙ୍କ ଆଖି ଆଷାଢ଼ର ଭରାନଈ ପରି ଉଠିଚି ଫୁଲି ।

 

ସ୍ୱାମୀ ମଲାଦିନୁ ମୋର ସବୁ ସୁଖ ସରିଯାଇଛି । ଶରତ ମୁହଁକୁ ଚାହିଁ ଦୁଃଖର ଦିନଗୁଡ଼ା ଖାଲି କଟୁଚି ମାତ୍ର । ବେଳେବେଳେ ଭାବେ କାହାନ୍ତି ସେ । ଯାହାଙ୍କ ସାଙ୍ଗରେ ଦିନଗୁଡ଼ା କଟିଯାଉଥିଲା ଝରଣାର ସୁଅପରି । ଆଖିରେ ଲୁହରେ ଉତ୍ତର ଯାଏ ଡୁବି ।

 

ବିଜୟ ମୋଠୁ ବେଶୀ ଭାଙ୍ଗି ପଡ଼ିଚି । ଘରର ସବୁ ଦାୟିତ୍ଵ ଆଜି ତା’ ଉପରେ । ପିଲାଙ୍କ ପରି ସେ ବେଳେବେଳେ କାନ୍ଦେ । ମୁଁ ଆଜି ବୁଝାଇପାରେନା କି ବୁଝାଇବାକୁ ଭାଷା ଖୋଜି ପାଏନା । ସବୁବେଳେ ବିଜୟ ମୋର ମନ ନେବାକୁ ଚେଷ୍ଟା କରେ । ମୁଁ କିପରି ଅତୀତକୁ ପାଶୋରି ନୂଆ ଘଟଣା ସୁଅରେ ଭାସିଯିବ–ତାର ଯତ୍ନ କରେ । କିନ୍ତୁ ସବୁ ଯତ୍ନ ତା’ର ହୁଏ ବ୍ୟର୍ଥ ।

 

ସ୍ୱାମୀର ମହାଦିନୁ ଲକ୍ଷ୍ୟ କରିଚି ଏ କେଇଦିନ ହେଲା ସେ ଶାନ୍ତି ପ୍ରତି ଅବହେଳା କରିଚି । ସେ ଭଲ କଥା ପଚାରିଲେ ବିଜୟ ଶୁଣେନା । ସେ କ’ଣ କରିବାକୁ ଗଲେ ଦୋଷ ନଥିଲେ ବି ବିଜୟଠୁ ଶୁଣେ ଗାଳି । ଚିଡ଼ି ଚିଡ଼ହୋଇ ଉଠିଚି ବିଜୟ ପ୍ରକୃତି । ଶାନ୍ତି ବେଳେବେଳେ କାନ୍ଦେ । ମୁଁ ଯାଇ ତାକୁ ନାନା କଥା କହି ବୁଝାଇଲେ–ସେ ଯାଇଁ ବୁଝେ ।

 

କେଇଦିନ ହେଲା ଆସିଚି ବାହାହେଇ । ଯଉବନର ଉନ୍ମାଦଭରା ତା’ର ହୃଦୟ । ସରଳ, ସ୍ୱଚ୍ଛ ପିଲା ପରି ତା’ର ମନ । ସ୍ନେହ ପ୍ରେମ ଯାର କାମନା–ସେ କାହୁଁ ସହିବ ଏ ରାଗ କଟୁ ବଚନ । ବଡ଼ ଦୁଃଖ ଲାଗେ ବିଜୟର ଏ ବ୍ୟବହାର ପାଇଁ । କିନ୍ତୁ କିଛି ଆଜି କହି ପାରେନା । ଭାବେ, ଆଘାତ ଉପରେ ଆଘାତ ସହ ସେ ହୋଇଯାଇଚି ବଡ଼ ଚଞ୍ଚଳ । ବିଶ୍ୱାସ ଆସେ ପୁଣି ବଦଳିଯିବ । ଏପରି ଅବସ୍ଥାରେ ତାକୁ କିଛି କହିବା ଅନାବଶ୍ୟକ ।

 

ସେଦିନ ଦି’ପହରେ । ବିଜୟ ଘର ଭିତରକୁ ପଶିଗଲା ବେଳକୁ ଦେଖେ ଶାନ୍ତି ବସି ଏକଲା କାନ୍ଦୁଛି । ବିଜୟ ଘରେ ନାହିଁ । ଶାନ୍ତି ଆଖିରେ ଲୁହ ଦେଖି ମୁଁ ଚମକି ପଡ଼ିଲି । ଭାବିଲି, ବିଜୟ ନିଶ୍ଚୟ କିଛି କହିଚି । ତା’ ଆଖିରେ ଲୁହ ଦେଖି ମନଟା କରୁଣତାରେ ଆର୍ଦ୍ର ହୋଇ ଉଠିଲା-। ଧୀରେ ଧୀରେ ପାଖକୁ ଯାଇ ତା’ ହାତଧରି ପଚାରିଲି, କ’ଣ ହୋଇଛି ଶାନ୍ତି ? ଶାନ୍ତି ରାଗରେ ମୋ ହାତ ଭିତରୁ ହାତଟା ଛଡ଼ାଇ ନେଇଗଲା । ତାକୁ ପୁଣି କୋଳକୁ ଟାଣି ଆଣିବାକୁ ଚେଷ୍ଟା କଲି-। ଅନ୍ୟଦିନ ପରି ଶାନ୍ତି ଆଜି କୋଳକୁ ଆସିଲା ନାହିଁ । ମୋତେ ଠେଲିଦେଇ କହିଲା, ଥାଉ ତମ ଲୋକ ଦେଖାଣିଆ ମନରଖା ସ୍ନେହ । ପଚାରିଲି ଶାନ୍ତି ମୋ ଉପରେ ରାଗିଚ । କୁହ ମୁଁ ତମର କି ଦୋଷ କରିଚି ।

 

ସେ କ୍ରୋଧରେ ଫୁଲିଉଠି କହିଲା, ସବୁ ଦୋଷ ମୂଳରେ ତମେ । ସ୍ଵାମୀ ମୋତେ ତମରି ପାଇଁ ଏତେ ଅଯତ୍ନ କରୁଛନ୍ତି । ମୋତେ ଛାଡ଼ି ତମରି ମନ ନେଉଛନ୍ତି । ମୁଁ ବେଶ୍ ବୁଝିଚି ତମରି ସ୍ନେହ । କିନ୍ତୁ କାହିଁକି ତମର ମୋ ପ୍ରତି ଏ ହିଂସା । ଭଗବାନ ତମର ସୁଖର ନୀଡ଼ଟିକୁ ନଷ୍ଟ କରିଦେଇଚନ୍ତି ବୋଲି ତମେ ବି ମୋର ନୀଡ଼ଟିକୁ ଭାଙ୍ଗିଦେବାକୁ ଷଡ଼ଯନ୍ତ୍ର କରୁଚ । କିନ୍ତୁ କାହିଁକି ? ତମର ମୁଁ କି ଦୋଷ କରିଥିଲି ।

 

ଶାନ୍ତି କଥାଗୁଡ଼ା ଶୁଣି ମୁଣ୍ଡଟା କ’ଣ ହୋଇଗଲା । କାନ ଭଁ ଭଁ ଶୁଭିଲା । ମନେ ହେଲା ସତେ ଯେପରି ଆକାଶ ଛିଡ଼ି ପଡ଼ିଲା ତଳେ । ଆଖିରୁ ଛୁଟିଲା ଧାର ଧାର ଲୁହ । କହିଲି, ଭଉଣୀ, ଏତେବଡ଼ ଅନ୍ୟାୟ କଥା କହିବାକୁ ତମର ତୁଣ୍ଡ ଲେଉଟିଲା କିପରି ? କାନ୍ତି ଜୀବନରେ କେବେ ହିଂସା କ’ଣ ଜାଣିନାହିଁ । ଆଉ ତମର ସୁଖର ନିଡ଼ ମୁଁ ପରା ଦିନେ ଗଢ଼ିଦେଇଥିଲି । ଯେ ଗଢ଼େ ସେ କେବେ ଭାଙ୍ଗିବାକୁ ଯାଏନା । ତମେ ଆଜି ମୋତେ ଭୁଲ ବୁଝିଚ । ଯେତେ କହିଲେ ତମେ ତମେ ତିଳେ ହେଲେ ଆଜି ମୋ କଥାକୁ ବିଶ୍ଵାସ କରିବ ନାହିଁ । ବେଶ ମୁଁ ଆଉ ତମ ଦିହିଁଙ୍କ ଭିତରେ ପ୍ରତିବନ୍ଧକ ହୋଇ ଛିଡ଼ା ହେବିନାହିଁ । ଚାଲିଯିବି–ନିଶ୍ଵାସ ମାରିବାକୁ ମୋତେ ଏ ପୃଥିବୀରେ ଢେର ଜାଗା ମିଳିବ । କିନ୍ତୁ ଏତିକି ଜାଣିଥାଅ ଭଉଣୀ, ସତ୍ୟକୁ ତମେ ମିଥ୍ୟାରେ ପରିଣତ କରି ଯେ ଭୁଲ କରିଚ–ଆଉ କେବେ ଜୀବନରେ ତା’ କରିବ ନାହିଁ । ମୁଁ ସିନା ତୁମକୁ କ୍ଷମା ଦେବି–କିନ୍ତୁ ଉପରେ ଭଗବାନ ସେତ କ୍ଷମା କରି ପାରିବେ ନାହିଁ । ଆଉ କହି ପାରିଲି ନାହିଁ । କାନ୍ଦି କାନ୍ଦି ମୋ ଘରକୁ ପଳାଇ ଆସିଲି ।

 

ଭାବିଲି ଆଉ ମୁହୂର୍ତ୍ତେ ଏଠି ରହିବି ନାହିଁ । ଆଜି ବାପାଙ୍କ କତିକି ଚାଲିଯିବି । ଚାକର ରଥିଆକୁ ପଚାରି ବୁଝିଲି ସଞ୍ଜବେଳକୁ ଗାଡ଼ି ଅଛି କଟକ ଯିବାକୁ । ବିଜୟ ଘରେ ନାହିଁ, ଚାଲିଯିବାକୁ ବେଶ ସୁଯୋଗ ବି ଅଛି । ସେ ଆସି ପହଞ୍ଚିଲେ ଆଉ ହୁଏତ ଯାଇପାରିବିନି ।

 

ଭାବିଲି ମୁଁ ଚାଲିଗଲେ ବିଜୟ ଆସି ଖୋଜି ଖୋଜି ନ ପାଇଲେ ଶେଷରେ ବେଦନାରେ ଅଧୀର ହୋଇ କ’ଣ ନା କ’ଣ କରି ବସିବ । ତାକୁ ଯିବା କଥା ଜଣାଇ ଯିବା ଭଲ । କାଳବିଳମ୍ବ ନ କରି ମିଥ୍ୟାର ଆଶ୍ରୟ ନେଇ ଚିଠି ଖଣ୍ଡିକ ଲେଖି ବସିଲି । ମିଥ୍ୟାର ଆଶ୍ରୟ ନ ନେବା ଛଡ଼ା ଉପାୟ କିଛି ନଥିଲା ।

 

ବିଜୁ,

 

ଚିଠି ପାଇଲି ବାପାଙ୍କ ଦେହ ଅସୁସ୍ଥ । ଆଜି ସଞ୍ଜଗାଡ଼ିରେ କଟକ ଚାଲି ଯାଉଚି । ତମେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି; କିନ୍ତୁ ମନର ଉଦ୍‍-ବେଗ ବଡ଼ ଚଞ୍ଚଳ କରି ପକାଇଲା, ରହିପାରିଲିନି । ସେ ପାଇଁ ମନ ଦୁଃଖ କରିବ ନାହିଁ । ଚାଲିଯାଉଚି । ବାପାଙ୍କ ଦେହ ଭଲ ହେଲେ ଫେରି ଆସିବି । କଟକରେ ପହଞ୍ଚି ବାପାଙ୍କ ଦେହ ଖବର ଚିଠିରେ ଜଣାଇବି । ତମେ ପୁଣି ବ୍ୟସ୍ତ ହୋଇ ମୋ ପଛେ ପଛେ ଚାଲି ଆସିବ ନାହିଁ ।

 

ଯିବାବେଳେ ଶାନ୍ତି ଭାରି କାନ୍ଦୁଥିଲା । ନିରୀହା ସରଳାଟି । ତା’ ଆଖିରେ ଲୁହ ଦେଖିଲେ ମୋତେ ଭାରି ଦୁଃଖ ଲାଗେ । ତା’ ସ୍ନେହ ମୁଁ ଜୀବନରେ ଭୁଲିପାରିବି ନାହିଁ । ତାକୁ ସୁଖୀ କରିବ । ମୁଁ ନଥିବା ଅବସ୍ଥାରେ ତା’ ମନରେ ଟିକିଏ ହେଲେ ଦୁଃଖ ଦେବନାହିଁ । ତା’ମନରେ ଦୁଃଖ ଦେଲେ ଜାଣିବା ତମେ ନୂଆବୋହୁ ପ୍ରତି ବି ଅନ୍ୟାୟ କରୁଛ । ରହିଲି ।

 

ତମର

ନୁଆବୋହୁ

 

ଚିଠି ଖଣ୍ଡିକ ଲେଖି ରଖିଥା ହାତରେ ଦେଇ କହିଲି, ବାବୁ ଆସିଲେ ଏ ଚିଠିଟା ଦେଇଦେବୁ ।

 

ସେଇଦିନ ସଞ୍ଜ ପୁରୀ ଏକ୍ସପ୍ରେସରେ ଶରତକୁ ନେଇ କଟକ ଚାଲି ଆସିଲି । ଚାକର ରଥିଆ ଆସି ଷ୍ଟେସନରେ ଛାଡ଼ିଦେଇଗଲା । ଗାଡ଼ି ଛାଡ଼ିଲା ବେଲେ ରଥିଆ କାନ୍ଦି ପକେଇଲା । କହିଲି, କିରେ କାନ୍ଦୁଚୁ କାହିଁକି, ବାପାଙ୍କ ଦେହ ଭଲ ହେଲେ ମୁଁ ଫେରି ଆସିବି ! ଦି’ଟା ଟଙ୍କା ତା’ ହାତକୁ ଦେଲି । ସେ ଟଙ୍କାନେଲା, ନାହିଁ । କହିଲା, ନାଁ ମା’ ଟଙ୍କା ମୋର କ’ଣ ହେବ ଆଉ ଦିହ ମିହନ୍ତ କଲେ ଟଙ୍କା ମତେ ଢେର ମିଳିବ । କିନ୍ତୁ ତମର ପରି ମା’ ସ୍ନେହ ଆଉ ମିଳିବ ନାହିଁ ।

 

ମା’ ଛେଉଣ୍ଡ ରଥିଆ କଥା ଶୁଣି ଆଖିରୁ ଝରି ପଡ଼ିଲା ଦି’ ଟୋପା ଲୁହ । କହିଲି, ମୁଁ ଫେରି ଆସିବିରେ ରଥିଆ ! ପୁଅକୁ ଛାଡ଼ି ମା’ କ’ଣ କେଉଁଠି ରହିପାରେ ? ନେ ଏ ଟଙ୍କା ।

 

ରଥିଆ ଟଙ୍କା ନେଲାବେଳକୁ ଆଖିରୁ ତା’ର ଝରିପଡ଼ିଲା ଧାର ଧାର ଲୁହ ! ମୋ ପାଦତଳେ ମୁଣ୍ଡ ନୋଇ ବିଦାୟ ନେଲା । ଗାଡ଼ି ଛାଡ଼ିଲା । ଭାବିଲି, ଯାକୁ ଏତେ ଆପଣାର କରିଥିଲି ସେତ ମତେ ଚାହିଁଲା ନାହିଁ–ଆଉ ତୁ ପର ଓ ଚାକର ହୋଇ ମତେ କିମିତି ଚାହିଁଲୁରେ ରଥିଆ ! ଗାଡ଼ିର ବିକଟ ଶବଦରେ ଭାବନା ମୋର ଧୀରେ ଧୀରେ ମିଳେଇ ଆସିଲା ।

 

ରାତି ଦଶଟାବେଳେ ବାପା ମୋତେ ଦେଖି ବଡ଼ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କାନ୍ତି ! ହଠାତ୍ ଅସମୟରେ ! କେହି ସାଙ୍ଗରେ ନାହାନ୍ତି । ପୁଅକୁ ନେଇ ଏକଲା ଚାଲିଆସିଲୁ କିପରି ? କହିଲି, ବାପା ଅନେକ ଦିନ ହେବ ଘରକୁ ନ ଆସି ମନ ଉଦ୍‍-ବେଗ ଖୁବ୍ ବଢ଼ିଯାଇଥିଲା । ତା’ ପରେ ଶୁଣିଥିଲି କେତେଦିନ ତଳେ ତମ ଦେହ ବି ଅସୁସ୍ଥ ଥିଲା । ଦେଖିବାକୁ ଭାରି ଇଚ୍ଛା ହେଲା । ଚାଲି ଆସିଲି । ବାପା କହିଲେ, ତୋ’ କଥା ମୋତେ ବିଶ୍ଵାସ ହେଉନି । ତା’ ମନରେ ଟିକିଏ ହେଲେ ଦୁଃଖ ଦେବନାହିଁ । ତା’ ମନରେ ଦୁଃଖ ଦେଲେ ଜାଣିବ ତମେ ନୂଆବୋଉ ପ୍ରତି ବି ଅନ୍ୟାୟ କରୁଚ । ରହିଲି ।

 

ତମର

ନୂଆବୋଉ

 

ଚିଠି ଖଣ୍ଡିକ ଲେଖି ରଥିଆ ହାତରେ ଦେଇ କହିଲି, ବାବୁ ଆସିଲେ ଏ ଚିଠିଟା ଦେଇଦେବୁ ।

 

ସେଇଦିନ ସଞ୍ଜ ପୁରୀ ଏକସ୍ପ୍ରେସରେ ଶରତକୁ ନେଇ କଟକ ଚାଲି ଆସିଲି । ଚାକର ରଥିଆ ଆସି ଷ୍ଟେସନରେ ଛାଡ଼ି ଦେଇଗଲା । ଗାଡ଼ି ଛାଡ଼ିଲା ବେଳେ ରଥିଆ କାନ୍ଦି ପକାଇଲା । କହିଲି, କିରେ କାନ୍ଦୁଚୁ କାହିଁକି, ବାପାଙ୍କ ଦେହ ଭଲ ହେଲେ ମୁଁ ଫେରି ଆସିବି ଯେ !

 

ଦି’ଟା ଟଙ୍କା ତା’ ହାତକୁ ଦେଲି । ସେ ଟଙ୍କା ନେଲା ନାହିଁ । କହିଲା, ନାଁ ମା’ ଟଙ୍କା ମୋର କ’ଣ ହେବ । ଆଉ ଦିହ ମିହନ୍ତ କଲେ ଟଙ୍କା ମୋତେ ଢେର ମିଳିବ । କିନ୍ତୁ ତମରି ପରି ମା’ ସ୍ନେହ ଆଉ ମିଳିବ ନାହିଁ ।

 

ମା’ ଛେଉଣ୍ଡ ରଥିଆ କଥା ଶୁଣି ଆଖିରୁ ଝରି ପଡ଼ିଲା ଦି’ ଟୋପା ଲୁହ । କହିଲି, ମୁଁ ଫେରି ଆସିବିରେ ରଥିଆ ! ପୁଅକୁ ଛାଡ଼ି ମା’ କ’ଣ କେଉଁଠି ରହିପାରେ ? ନେ ଏ ଟଙ୍କା ।

 

ରଥିଆ ଟଙ୍କା ନେଲାବେଳକୁ ଆଖିରୁ ତା’ର ଝରି ପଡ଼ିଲା ଧାର ଧାର ଲୁହ ! ମୋ ପାଦ ତଳେ ମୁଣ୍ଡ ନୋଇଁ ବିଦାୟ ନେଲା । ଗାଡ଼ି ଛାଡ଼ିଲା । ଭାବିଲି, ଯାକୁ ଏତେ ଆପଣାର କରିଥିଲି ସେତ ମୋତେ ଚିହ୍ନିଲା ନାହିଁ–ଆଉ ତୁ ପର ଓ ଚାକର ହୋଇ ମତେ କିମିତି ଚିହ୍ନିଲୁରେ ରଥିଆ ! ଗାଡ଼ିର ବିକଟ ଶବଦରେ ଭାବନା ମୋର ଧୀରେ ଧୀରେ ମିଳେଇ ଆସିଲା ।

ରାତି ଦଶଟାବେଳେ ବାପା ମୋତେ ଦେଖି ବଡ଼ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କାନ୍ତି ! ହଠାତ୍ ଅସମୟରେ ! କେହି ସାଙ୍ଗରେ ନାହାନ୍ତି । ପୁଅକୁ ନେଇ ଏକଲା ଚାଲି ଆସିଲୁ କିପରି ? କହିଲି, ବାପା ଅନେକ ଦିନ ହେବ ଘରକୁ ନ ଆସି ମନ ଉଦ୍‍-ବେଗ ଖୁବ୍ ବଢ଼ି ଯାଇଥିଲା । ତା’ପରେ ଶୁଣିଥିଲି କେତେ ଦିନ ତଳେ ତମ ଦେହ ବି ଅସୁସ୍ଥ ଥିଲା । ଦେଖିବାକୁ ଭାରି ଇଚ୍ଛା ହେଲା । ଚାଲି ଆସିଲି । ବାପା କହିଲେ, ତୋ’ କଥା ମୋତେ ବିଶ୍ୱାସ ହେଉନି କାନ୍ତି ! ମୋର ଅନୁମାନ ନିଶ୍ଚୟ କିଛି ଘଟିଛି । ଆସିବାକୁ ଇଚ୍ଛା ହେଲା ଯଦି ଏତେ ରାତିରେ ନ ଆସି କାଲିତ ଆସି ପାରିଥାନ୍ତୁ ।

ବାପାଙ୍କୁ କିଛି ଉତ୍ତର ଦେବାକୁ ଆଉ ସାହାସ ହେଲା ନାହିଁ । ବୋଉ ମୋର ଶ୍ରୀହୀନ ରୂପ ଦେଖି କାନ୍ଦି ଉଠିଲା । କହିଲି ବୋଉ କାନ୍ଦୁଛୁ କାହିଁକି । ଭାଗ୍ୟରେ ଯା’ ଥିଲା, ଘଟିଗଲା । ଅଭାଗିନୀ ଝିଅର ଏଇ ଆଶାର ସଙ୍ଖାଳିଟିକୁ କୋଳକୁ ନେ । ବୋଉ ଶରତକୁ କୋଳକୁ ନେଇ ଶୋଇଦେବାକୁ ଗଲା ।

ମୋ ଆସିବା ଶୁଣି ରତି ଦଉଡ଼ି ଆସିଲା ! ରତିକି ଦେଖି କହିଲି, ଚିହ୍ନି ପାରୁଚୁ ରତି ତୋ’ ଅପାକୁ । ଦିନେ ରାଣୀହେଇ ଏ ଘରୁ ଯାଇଥିଲା । ଆଜି କାଙ୍ଗାଳୁଣୀ ହୋଇ ଫେରି ଆସିଚି । ଦୂର ଦୂର କରି ଦେବୁନି ତ ଅପାକୁ ତୋର !

 

ରତି କହିଲା, କାଙ୍ଗାଳୁଣୀ ଅପାର ରକ୍ତର ସମ୍ପର୍କ ପରା ବୁଲୁଚି ଏ ଦେହରେ । ପର କେବେ କରିବ ଆସି ମରଣର ଅନ୍ଧକାର । ତା’ ପୂର୍ବରୁ ନୁହେଁ ଅପା ! ରତି କାନ୍ଦି ଉଠିଲା । ମୁଁ ତାକୁ କୋଳକୁ ଟାଣି ଆଣିଲି । ବହୁଦିନ ପରେ ଆପଣାର ମା’ ଭଉଣୀଙ୍କୁ ପାଖରେ ପାଇ ଆନନ୍ଦର ଗୋଲିଆ ମିଶା ମୂର୍ଚ୍ଛନାରେ ପେଟକୁ ଦାନା ଗଲା ନାହିଁ ।

 

ସେଦିନ ରାତିରେ ମୋର ଦୁଃଖର କାହାଣୀ ଶୁଣାଉ ଶୁଣାଉ ବଡ଼ ଡେରିରେ ନିଦ ହେଲା । ତା’ ଆରଦିନ ଉଠିଲାବେଳକୁ ସକାଳର ଆଲୁଅ ଆସି ଆମ କୋଠା ଉପର ଯାକ ଖେଳି ଯାଇଥିଲା ।

 

ବୋଉ ଆସି କହିଲା, କାନ୍ତି, ଏତେବେଳେଯାଏ ଶୋଇଚୁ । ବିଜୟ ଭୋରୁ ଆସି ତଳେ ବସିଚି । ଚଞ୍ଚଳ ମୁହଁ ଧୋଇ ପକା । ମୁଁ ବିଜୟକୁ ପଠାଇଦେଉଛି ତୋ’ କତିକି । ବିଜୟ ଅଜଣାରେ ଘୋଷା ହୋଇ ଚାଲି ଆସିଚୁ, ନା ବାପାଙ୍କ ଅନୁମାନ ତେବେ ଭୁଲ ହୋଇ ନାହିଁ ।

 

ବୋଉ ଚାଲିଗଲା । ବିଜୟ ଆସିବା ଶୁଣି ତା’ପ୍ରତି କ୍ରୋଧରେ ଅନ୍ତର ମୋର ପୂରି ଉଠିଲା । କେଇଟା ଦିନ ବି ଅପେକ୍ଷା କରିପାରିଲା ନାହିଁ ? ପଛେ ପଛେ ଦଉଡ଼ି ଆସିଲା ଆଉ ଜଣଙ୍କର ଜୀବନ ସାଥୀରେ ଖେଳ ଖେଳି ମୋତେ ଜଳାଇପୋଡ଼ାଇ ମାରିବାକୁ । ସେ କ’ଣ ବୁଝିପାରୁନି ତା’ର ଏଇ ସ୍ନେହ ଆଉ ଜଣଙ୍କର ସନ୍ଦେହର କାରଣ ହେଉଚି ! ଆସୁ, ଆଜି ତାକୁ ଉପଯୁକ୍ତ ଉତ୍ତର ଦେବି । ତେବେ ଯାଇ ତା’ର ଘର ଧରିବ । ସେ ଜାଣୁ ଆଜି ତା’ର ସ୍ନେହମୟୀ ନୁଆବୋଉ ପାଷାଣୀ ହେଇଯାଇଚି । ଦୟା, ମାୟା ମମତା, କ୍ଷମା ସବୁ ତା’ଠୁଁ ଲୋପ ପାଇଚି ।

 

ମୁହଁ ଧୋଇ ଘର ଭିତରେ ଆସି ବସିଚି । ମନ ଉପରେ ଭାବନାର ଧାଁ ଧଉଡ଼ି ଚାଲିଚି ଅବିଶ୍ରାନ୍ତ ରାତିରେ ।

 

ନୁଆବୋଉ !

 

ଅନାଇଲି ବିଜୟ ଛିଡ଼ା ହୋଇଚି ଅପରାଧୀ ପରି । ମୁହଁରେ ତା’ର ଶତ ବିଷାଦର ଢେଉ । ପୁଣି ସେହି କରୁଣବାଳା କଣ୍ଠରେ ସେ କହିଲା, ନୁଆବୋଉ, ତମେ ଏଠିକି କାହିଁକି ଚାଲି ଆସିଚ–ମୁଁ ସବୁ ଜାଣିପାରିଚି । ମୋତେ ଆଉ ଭୁଲାଇବାକୁ ଚେଷ୍ଟା କରିବ ନାହିଁ । କିନ୍ତୁ ଶାନ୍ତି କଥାରେ ବିଚଳିତ ହୋଇପଡ଼ିଲେ ତ ଆଉ ଚଳିବ ନାହିଁ । ଦିନ ଆସିବ, ସେ ପୁଣି ତା’ର ଭୁଲ ବୁଝିପାରିବ । ତମେ ଫେରି ଚାଲ । ତମକୁ ଛାଡ଼ି ମୁଁ ତିଳେ ହେଲେ ରହିପାରିବି ନାହିଁ ।

 

କିନ୍ତୁ ବିଜୟ, ତମର ଏଇ ସ୍ନେହ, ଏଇ ମମତା ନେଇ ଶାନ୍ତିକୁ ଯଦି ଆଜି ଦେଖିଥାନ୍ତ, ତେବେ ସେ କ’ଣ ଆଜି ମିଥ୍ୟାର ଆଶ୍ରୟ ନେଇ ଏତେ ବଡ଼ ଆଘାତ ମୋତେ ଦେଇପାରିଥାନ୍ତା । ଯାଅ–ଫେରି ଯାଅ । ଶାନ୍ତିକୁ ନେଇ ସୁଖର ସଂସାର ଗଢ଼ । ଯେଉଁ ଦିନ ଶାନ୍ତି ତା’ର ଭୁଲ ବୁଝି ମୋତେ ଆସିବ ନେବାକୁ–ସେଇ ଦିନ ମୁଁ ଯାଇ ଫେରିବି ।

 

କିନ୍ତୁ ନୁଆବୋଉ, ମୋ ପ୍ରତି ତମେ ଅବିଚାର କରୁଚ । ତମେ ମୋତେ ବଢ଼େଇ ଆଣିଥିଲ ସ୍ନେହ ଦେଇ, ନିଜର ଅସାଧାରଣ ଆଦର୍ଶରେ ମଣିଷ କରି । ଭାଇ ଚାଳିଗଲା ଦିନ କେଇଟା ନ ଜାଉଣୁ ତମେ ଯଦି ଆସି ଏଠି ରୁହ, ଲୋକେ ମୋତେ କ’ଣ କହିବେ ଜାଣ । କହିବେ ଦିନ କେଇଟା ନ ଯାଉଣୁ ସ୍ତ୍ରୀ ବୁଦ୍ଧିରେ ବିଜୟ ଭାଉଜକୁ ଘରୁ ତଡ଼ିଦେଇଚି । ନା, ନା ନୁଆବୋଉ, ଏ ଅପମାନ ମୁଁ ସହ୍ୟ କରିପାରିବି ନାହିଁ ।

 

କିନ୍ତୁ ଅପମାନ ଅପେକ୍ଷା ଅପବାଦ ଯେ ଶତଗୁଣରେ ବିଷାକ୍ତ । ଶାନ୍ତିର ରୁଦ୍ଧବେଦନା କୂଳ ଲଙ୍ଘି ବାହାରକୁ ଉଛୁଳି ପଡ଼ିଲେ ଏଇ ଲୋକେ ପୁଣି କ’ଣ କହିବେ, ତା’ ତମେ ସହ୍ୟ କରିବା ଦୂରେଥାଉ କାନରେ ବି ଶୁଣିପାରିବି ନାହିଁ । ଯାଅ, ବିଜୟ ଫେରିଯାଅ ! ଶାନ୍ତିକି ଭଲ ପାଅ । ତାରି ସ୍ନେହ ଦିନେ ଆମ ଦୁହିଁଙ୍କୁ ନେଇଯିବ ଅତି ନିକଟକୁ ।

 

ତାହେଲେ ତମେ ଯିବ ନାହିଁ ନୁଆବୋଉ !

 

ନା, ପାହାଡ଼ ଟଳିପଡ଼ିଲେ ବି ନୂଆବୋଉର ଆଜି ଏଇ ଗୋଟିଏ କଥା । ବିଜୟ ଆଖିରୁ ଧାର ଧାର ଛୁଟିଲା ଲୁହ । କହିଲା, ତେବେ ଶରତକୁ ମୋତେ ଦିଅ !

 

ଶରତକୁ ଛାଡ଼ି ମୁଁ ରହିପାରିବି ନାହିଁ ।

 

ବୀଣା ମଲାପରେ ସେ ମୋତେ ଦେଇଯାଇଥିଲା । ତା’ ‘ର ଭାର ମୋ ଉପରେ । ତାକୁ ମୁଁ ମଣିଷ କରିବି । ତମର ଆଦର୍ଶରେ ତାକୁ ମୁଁ ଗଢ଼ିଥୋଇବି ।

 

ସେ ଭାର ମୁଁ ଏଇଠି ତୁଲାଇପାରିବି ବିଜୟ !

 

ତେବେ ଶରତକୁ ବି ମୋତେ ଦେବ ନାହିଁ ନୁଆବୋଉ ! ତମେ ଆଜି ପାଷାଣୀ ହୋଇଯାଇଚ । କିନ୍ତୁ କାହିଁକି ? ବିଜୟ ତ ତମ ପ୍ରତି କିଛି ଅନ୍ୟାୟ ଅବିଚାର କରି ନଥିଲା । ସେ ଚାହୁଁଥିଲା ଖାଲି ସବୁବେଳେ ତମର ସେଇ ମାତୃସୁଲଭ ସରାଗର ଧୂଳିକଣା ଟିକକ । ସେଇ ଟିକକ ବି ତମେ ଆଜି ଦବାକୁ କୁଣ୍ଠିତ ନୂଆବୋଉ ! ବେଶ୍ ମୁଁ ଚାଲିଲି । କିନ୍ତୁ ମନେ ରଖ ନୂଆବୋଉ ତମ ଆଖିରେ ଲୁହ ଝରାଇ ବିଜୟ କେବେ ଆଉ ତା’ର ସୁନାର ସଂସାର ଗଢ଼ିପାରିବ ନାହିଁ ।

 

ବିଜୟ ଆଖି ମଳି ମଳି ପଳାଇଲା ଏକା ବିଶ୍ୱାସରେ । ମୁହୂର୍ତ୍ତେ ବି ସେ ଆଉ କେଉଁଠି ଅପେକ୍ଷା କରି ନାହିଁ । ବିଜୟ ଚାଲିଗଲେ ପରେ ମୁଁ ବେଦନାରେ ଭାଙ୍ଗିପଡ଼ିଲି । ଏତେବଡ଼ ଆଘାତ ମୁଁ ତା’ ମନରେ ଦେଲି କାହିଁକି ? ପିତୃମାତୃହରା ପିଲାଟା । ସ୍ନେହର ସ୍ଵାଦପାଇ ଦଉଡ଼ି ଆସିଥିଲା କେଡ଼େ ଆଗ୍ରହରେ ।

 

ଆହାଃ କେଡ଼େ ଦୁଃଖରେ ସେ ଚାଲି ନ ଗଲା । ଆଖିରୁ ଛୁଟିଲା ଖାଲି ବେଦନାର ସଞ୍ଚିତ ଯେତେ ଅଶ୍ରୁ । ପୁଣି ଭାବିଲି କିନ୍ତୁ ଫେରାଇ ନଦେବା ଛଡ଼ା ଅନ୍ୟ ଉପାୟ କିଛି ନଥିଲା

 

ବୋଉ ଆସି ପଚାରିଲା–ବିଜୟ କାହିଁ ?

 

ଚାଲିଗଲେଣି ।

 

ତୁ ଯିବାକୁ ରାଜି ହେଲୁନି ବୋଧେ ତା’ ସାଙ୍ଗରେ ।

 

କାହିଁକି ଯିବି, ମୋର ସେଠି କ’ଣ ଅଛି ?

 

ସାନ ଯା ଉପରେ ଅଭିମାନ କରି ବିଜୟ ପ୍ରତି ଅବିଚାର କରୁଚୁ ମା’ । ସେ ତ ତତେ ମା’ ପରି ସ୍ନେହ କରେ ।

 

ତୁ ଜାଣିନୁ ବୋଉ, ଏଇ ସ୍ନେହ ମମତା ଗଢ଼େ–ପୁଣି ଭାଙ୍ଗେ । ଯାଇନି ବୋଲି ତୁ ମନରେ ଦୁଃଖ କରନା । ଯିବି–କିନ୍ତୁ ଟିକେ ଡେରିରେ ।

 

ରତି ଶରତକୁ ନେଇ ଆସି କହିଲା, ଅପା ପୁଅ କାନ୍ଦୁଚି, ଖାଇବାକୁ ଦେ । ବୋଉ ଚାଲିଗଲା । ମୁଁ ଶରତକୁ କୋଳକୁ ନେଲି ।

 

ଚାରିଟା ଦିନ ପରେ ରଥିଆ ଆସି ଏଠି ହାଜର ।

 

କିରେ ତୁ କୁଆଡ଼େ ?

 

ରଥିଆ କିଛି କହିଲା ନାହିଁ । ଖାଲି ଭୋ’ ଭୋ’ ହୋଇ କାନ୍ଦିଲା ।

 

କ’ଣ ହେଇଚି କହ । ତା’କୁ କୋଳକୁ ଆଣି ଆଖିରୁ ଲୁହ ପୋଛିଦେଲି ।

 

ସାନବାବୁ ଘରଛାଡ଼ି କୁଆଡ଼େ ପଳାଇଚନ୍ତି । ସାନ ମା’ ଆମକୁ ସବୁ ଛୁଟିକରି ତାଙ୍କ ବାପଘରକୁ ଚାଲିଗଲେଣି । ସାନବାବୁ କୁଆଡ଼େ କହିଯାଇଚନ୍ତି, ଯୋଉ ଘରେ ମଣିଷ ମଣିଷ ପ୍ରତି ବିଶ୍ଵାସ ନାହିଁ, ସ୍ନେହ ନାହିଁ–ସେ ଘର ଘର ନୁହେଁ, ନରକପୁରୀ । ସେ ଘର ଆଉ ମାଡ଼ିବେ ନାହିଁ । ମା’ ତମେ ଚାଲିଆସିଲ ବୋଲି ବାବୁଙ୍କର ଇମିତି ହେଲା । ସାନ ମା’ ପ୍ରତି ସେ ଘୋଷାହୋଇ କୁଆଡ଼େ ଚାଇଗଲେ ।

 

ରଥିଆ କଥା ଶୁଣି ମୁଣ୍ଡଟା ମୋର କ’ଣ ହୋଇଗଲା । ମୁଁ ଯା’ କରିବି ବୋଲି ଆଶା କରିଥିଲି ଠିକ୍ ତା’ର ଓଲଟା ହେଇଗଲା । ବିଜୟ ତୁମେ ମୋତେ ଆଜିଯାଏ ବୁଝିପାରିଲ ନାହିଁ । ଆଖିରୁ ମୋର ଛୁଟିଲା ଧାର ଧାର ଲୁହ ।

 

ତମକୁ ଖବର ଦେବାକୁ ଧାଇଁ ଆସିଥିଲି ମା ! ଯାଉଚି ।

 

ଆଖିରୁ ଲୁହପୋଛି କହିଲି, ଦଉଡ଼ି ଦଉଡ଼ି ଆସିଚୁ । ଦି’ଟା ଖାଇଦେଇ ଯା ।

 

ନାଁ । ମା’ ମୋତେ ଭୋକ ନାହିଁ । ଗୋଟିଏ କଥା ତମେ ମୋର ରଖିବ ମା’ ! ଏତିକି କଥା ଦେଲେ ଚାଲିଯିବି ।

 

କ’ଣ କହ ।

 

ସାନବାବୁ ଯଦି ଫେରିଆସନ୍ତି ତମେ ପୁଣି ଯେତେବେଳେ ପୁରୀ ଫେରିଯିବ, ମୁଁ ଆସି ଦେଖା କଲେ ମୋତେ ତମରି କତିରେ ରଖିବ ମା’ ! ତମଛଡ଼ା ମୋତେ ଆଉ କାହା କତିରେ ମୋଟେ ଭଲ ଲାଗିବ ନାହିଁ ।

 

ରଥିଆ କଥା ଶୁଣି ଆଖିରେ ଜଳଜଳ ହେଲା ଦୁଇବୁନ୍ଦା ଅଶ୍ରୁ । କହିଲି, ହଉ ।

 

ରଥିଆ ଖାଇଲା ନାହିଁ, ଚାଲିଗଲା । ତା’ ହୃଦୟରେ ବି ଆମ ଦେହରୁ ଆଘାତ ଟିକେ ଛିରିକି ପରି ଲାଗିଚି । ଚାକର ହେଲା ବୋଲି ତା’ର କ’ଣ ହୃଦୟ ନାହିଁ–ସେ ଖାଇବ କିମିତି ।

 

ବାପା ବୋଉ ଏ ଖବର ଶୁଣି ବଡ଼ ବ୍ୟତିବ୍ୟସ୍ତ ହୋଇ ଉଠିଲେ ।

 

ମୋତେ ମୁହଁରେ କିଛି ନ କହିଲେ କ’ଣ ହେଲା ଅନ୍ତର ଭିତରେ ବଡ଼ ଅସନ୍ତୁଷ୍ଟ ହେଲେ-। ଯିଏ ଶୁଣିଲା, ସମସ୍ତେ ମୋରି ଦୋଷ ଦେଲେ । କହିଲେ–କାନ୍ତି, ବିଜୟ ସାଥିରେ ଫେରି ନ ଯାଇ ବଡ଼ ଭୁଲ କରିଛୁ । ଯା’କୁ ସ୍ନେହଦେଇ ମଣିଷ କରିଥିଲୁ, ତା’ ପ୍ରତି ଏତେବଡ଼ ଆଘାତ-। ସେ ସହ୍ୟ କରିବ କିପରି ?

 

ବାପା ଦୁଇଟି ଲୋକ ପଠେଇଲେ ଖୋଜିବାକୁ–କିନ୍ତୁ ତାଙ୍କୁ ପାଇଲେ ନାହିଁ ।

 

କିନ୍ତୁ ଭଗବାନଙ୍କ ଆଖିରେ ଆମର ସୁଖ ସହ୍ୟ ହେଲାନାହିଁ । ବୀଣାକୁ ନେଇଗଲେ–ତା’ ପଛେ ପଛେ ସ୍ଵାମୀ ! ସେତିକିରେ ବି ସନ୍ତୁଷ୍ଟ ହେଲେ ନାହିଁ । ବୀଣା ମନରେ ଜାଳିଦେଲେ ଅଶାନ୍ତି ନିଆଁ । ସେହି ନିଆଁରେ ସମସ୍ତଙ୍କର ସୁଖ ସରସତା କ୍ଷଣିକରେ ଜଳି ପୋଡ଼ିଗଲା ।

 

ବିଜୟ ତୁମେ ଆଜି କେଉଁଠି ? ଯେଉଁଠି ଥାଅ ତୁମେ ଭାଉଜଙ୍କ ଆଡ଼କୁ ଥରେ ଫେରି ଚାହିଁଲ ! ସେ କ’ଣ ତୁମକୁ କେବେ ହୁଦୟରୁ ଅନ୍ତର କରି ପାରିଚନ୍ତି–କିନ୍ତୁ ତମେ ତାଙ୍କୁ ଅନ୍ତର କରି ପାରିଲ କିପରି ? ଯା’କୁ କ୍ଷଣିକ ପାଇଁ ନ ପାଇ ଧାଇଁ ଆସିଥିଲ ରାତିକ ଭିତରେ ଏଇଠିକି–ତା’କୁ ଆଜି ଏତେ ଦିନ ହେଲା ନ ଦେଖି ତୁମ ହୃଦୟରେ ବ୍ୟାକୁଳତା କ’ଣ ଆସୁନାହିଁ । ନାଁ ଭାଉଜଙ୍କ ପ୍ରତି ଅଭିମାନ କରିଚ । କିନ୍ତୁ ମୋ ପ୍ରତି ଅଭିମାନ କରି ଶାନ୍ତି ପ୍ରତି ଅନ୍ୟାୟ କରୁନାଁ ତ ବିଜୟ ! ଥରେ ଭାବି ଦେଖିଲ, ସେ କ’ଣ ଚାହିଁଥିଲା ଏଇଆ । ଫୁଲଟି ପରି ତାକୁ ତୋଳିଥିଲେ ଭାଇ ତମର–କିନ୍ତୁ କେଡ଼େ ଅଯତ୍ନ କରି ଫିଙ୍ଗି ଦେଇଗଲ ତମେ ଦୂରକୁ । ତା’ପ୍ରତି ଥରେ ଫେରି ଚାହିଁଲ ନାହିଁ ! ତାକୁ ଆପଣାର କରିଥିଲେ ମୁଁ କ’ଣ ଫେରିଯାଇ ନଥାନ୍ତି । ମୁଁ ଚାଲିଆସିଥିଲି ଖାଲି ତୁମରି ଦୁହିଁଙ୍କ ସ୍ନେହକୁ ଅତି ନିବିଡ଼ କରିବା ପାଇଁ । କିନ୍ତୁ ମୋର ସେ କଳ୍ପନା ବାଲିକଣା ପରି ଉଡ଼ିଗଲା, ଆଜି ମଉନ ଆଶା ନଈର କୂଳେ କୂଳେ ବେଦନାର ଲହଡ଼ି ଖାଲି ଖେଳାଇ ।

 

ଭାବି ଭାବି ଆଖିରୁ ଛୁଟେ ଲୁହ । ରତି ଆସି କୁହେ, ଅପା, ପୁଣି କାନ୍ଦିଲ । କହିଲି ପରା ନିଶ୍ଚୟ ଦିନେ ବିଜୟ ଭାଇ ଫେରି ଆସିବେ । ସେ ତୁମକୁ ଭୁଲି କଦାପି ରହିପାରିବେ ନାହିଁ ।

 

ଲିଭିଲା ଆଶା ଚେଇଁଉଠେ । ବିଜୟ ଫେରିବ–ନିଶ୍ଚୟ ସେ ଫେରିବ । ତା’ର ଅତି ଆପଣାର ଭାଉଜବୋଉ ପ୍ରତି ସବୁ ଅଭିମାନ ଦିନେ ତା’ର ପାଣି ଫାଟିଯିବ । କିନ୍ତୁ ତଥାପି ମନ ବୁଝେନା–କାନ୍ଦେ । ରତି ମୋ ଆଖିର ଲୁହ ପୋଛିଦିଏ । ତାକୁ କୋଳକୁ ଟାଣିଆଣି କହେ ଦେଖୁ ଦେଖୁ ଆଜିକି ଚାରିଟା ମାସ ବିତି ଗଲାଣି–କାହିଁ ଏଯାଏ ବିଜୟ ତ ଫେରିଲା ନାହିଁ । ତୋ’ କଥା ମୁଁ କେମିତି ସତ ମଣିବି ରତି । ରତି କହେ ଫେରିବେ ଅପା–ତମେ ଆଶା ରଖ ।

 

ଦିନ ଯାଏ । ଆଶାର ପ୍ରଦୀପଟି ମୋର ଜୀବନର ଝଡ଼ଝଞ୍ଜା ଭିତରେ ଜଳୁଥାଏ–ସିମିତି ସ୍ଥିର, ଶାନ୍ତ ଆଲୋକ ବିତରଣ କରି ।

 

କେଇଦିନ ହେଲା ଆମ ପଡ଼ାଟିରେ ବସନ୍ତର ପ୍ରାଦୁର୍ଭାବ ଦେଖା ଦେଇଥାଏ । ଆମେ ଖୁବ୍ ସତର୍କ ହୋଇ ଚଳୁଥାଉଁ । ଦିନେ ରତି ଦେହରେ ବସନ୍ତ ଦେଖାଗଲା । ଭୟରେ ବାପା, ବୋଉ, ମୁଁ ଅସ୍ଥିର ହୋଇ ଉଠିଲୁ । ଡାକ୍ତର ନିର୍ଦ୍ଦେଶାନୁସାରେ ନିୟମିତ ରୂପେ ଚାଲିଲା ସେବା ଓ ଚିକିତ୍ସା । ଦିନ କେଇଟା ପରେ ରତି ଭଲ ହେଲାବେଳକୁ ଶରତ ପଡ଼ିଲା ସେହିଥିରେ । ବସନ୍ତର ପ୍ରକୋପ ଶରତ ପ୍ରତି ନିଷ୍ଠୁର ରୂପ ଧାରଣ କଲା । ଛୋଟ ଛୁଆଟା ବୋଲି ତା’ର ବି ଟିକିଏ ଦୟା ଆସିଲା ନାହିଁ ।

 

ପେଟକୁ ଅନ୍ନଜଳ ଗଲା ନାହିଁ । ଶରତ କିପରି ଭଲ ହେବ ସବୁବେଳେ ଠାକୁରଙ୍କୁ ଡାକେ, ଆଉ ଆଖିରୁ ଲୁହ ଢାଳେ । ବାପା, ବୋଉ, ରତି ସମସ୍ତେ ଡାକନ୍ତି, ଠାକୁରେ ଶରତକୁ ଭଲ କରିଦିଅ । ଦୁଃଖିନୀର ସଙ୍ଖାଳି ବୋଲି ବକଟେ । ତା’ ପ୍ରତି ନିଷ୍ଠୁର ହୁଅନା । କିନ୍ତୁ ଠାକୁରଙ୍କର ମୋ’ ପ୍ରତି ଭାରି ଅହନ୍ତା–ଶରତକୁ କୋଳରୁ ଛଡ଼ାଇ ନେଲେ ଯାଇଁ ଛାଡ଼ିଲେ । ସ୍ଵାମୀଙ୍କୁ ନେଇ ମନବୋଧ ହୋଇ ନଥିଲା କି କ’ଣ ଶେଷରେ ତା’ରି ଅଙ୍କୁର ଟିକକ ନେଇଗଲେ । କାନ୍ଦି କାନ୍ଦି ଆଖିରୁ ଲୁହ ଯାଇଥିଲା ଶୁଖି–ହୃଦୟ ହୋଇଯାଇଥିଲା ପାଷାଣ ।

 

ଭାବେ, ବିଜୟ ଫେରିଆସି ଯେତେବେଳେ ଖୋଜିବ ଶରତ କାହିଁ ? ସେତେବେଳେ ତା’କୁ କି କୈଫିୟତ ଦେବି। କହିବି ବିଜୁ, ତମ କୋଳ ଖାଲିକରି ଦିନେ ଫେରାଇଦେଇଥିଲି ବୋଲି ଠାକୁରେ ମୋ’ କୋଳ ବି ଖାଲି କରିଦେଇଚନ୍ତି । ସେ ପରା କାହାରି ଗର୍ବ ରଖନ୍ତି ନାହିଁ, ସବୁ ଶୁଣି ତଥାପି ବିଜୁ କ’ଣ ମୋତେ କ୍ଷମା କରିପାରିବେ ?

 

ପୁଣି ଭାବେ, ଆଉ କାହିଁକି ଏ ଅଲୋଡ଼ା ଜୀବନ–ଦୀପଟାକୁ ଜାଳି ରଖିବି । ଯାଉଚି ନିଜ ହାତରେ ଲିଭାଇ ଦେବି । ଅନ୍ତର ଭିତରୁ କିଏ ଯେମିତି କହି ଉଠେ, ଆତ୍ମହତ୍ୟା ମହାପାପ । ପଚାରେ ତେବେ ବଞ୍ଚି ରହିବି କାହାପାଇଁ ? ପୁଣି ଅନ୍ତର ଭିତରୁ ସେହି ସ୍ୱରର ମୂର୍ଚ୍ଛନା ବିଜୟ ପାଇଁ-

 

ଜୀବନ ଦୀପର ଆଶାର ସଳିତା ସରି ଆସିଲେ ବି ବିଜୟ ପାଇଁ ପୁଣି ନୂଆ ସଳିତା ଜଳିବାକୁ ପଡ଼ିଲା । ସଳିତା ଆଜି ଆଉ ଆଲୋକ ଉଛୁଳାଇ ଜଳିଲା ନାହିଁ । ଜଳିଲା, କ୍ଷୀଣ–ଅତି କ୍ଷୀଣ ରୂପ ଧରି–ଦରମଉଳା ଆଲୋକ ଛିଞ୍ଚାଡ଼ି । ଆଠମାସ ପରେ ।

 

ବାପା, ବୋଉ, ରତି ସମସ୍ତେ ପୁରୀ ବାହାରିଲେ ଜଗନ୍ନାଥ ଦର୍ଶନ ପାଇଁ । ମୋର ଇଚ୍ଛା ନ ଥିଲା, ବୋଉ ବାଧ୍ୟ କଲା । ରତି ରାଣ ନିୟମ ପକାଇ ସାଙ୍ଗରେ ନେଲା ।

 

ପୁରୀରେ ପହଞ୍ଚିବାକ୍ଷଣି ଅତୀତର ସ୍ମୃତିଗୁଡ଼ା ଭାସିଉଠି ମୋତେ ଯେପରି ଘେରି ବସିଲା । କାହିଁ ସେଦିନ–ଆଉ ଏଦିନ । ଦିନ ଥିଲା ଏହି ପୁରୀରେ ଯେତେବେଳେ ମୁଁ ପାଦ ଦେଇଥିଲି ଏଇ ଗୋଡ଼ି, ମାଟି, ଗଛ, ବତାସ ମୋତେ ପାଇ ହସି ଉଠୁଥିଲା, କିନ୍ତୁ ଆଜି ସମସ୍ତେ ମଉନ । ଆନନ୍ଦ ହେବା ଦୂରେ ଥାଉ ଟିକିଏ ବି ମୋତେ ଆଡ଼ ଆଖିରେ ଚାହିଁଲେ ନାହିଁ । ସମସ୍ତଙ୍କଠାରୁ ଯେପରି ହେଇଯାଇଚି ମୁଁ ପର । ଆଖି ଆଗରେ ଭାସିଉଠିଲା ସ୍ଵାମୀ, ବୀଣା, ବିଜୁ, ଶରତ । କାହନ୍ତି ସେ ସବୁ ଆଜି ? ଆଖି ମୋର ଲୁହରେ ଭରିଉଠିଲା ।

 

ଜଗନ୍ନାଥ ମନ୍ଦିର ବେଢ଼ା ଭିତରେ । ଆଗେ ଆଗେ ଚାଲିଛନ୍ତି ବାପା–ତା’ ପଛେ ପଛେ ବୋଉ, ରତି ସବା ପଛରେ ମୁଁ । କିଏ ଡାକିଲା, ଅପା ! ଅତି ପରିଚୟ ସ୍ୱର ପରି ଶୁଣାଗଲା । ପୁଣି ଭାବିଲି କିଏ ଆଉ ଏଠି ଅଛି ଆପଣାର । ଆଉ ତା’କୁ କିଏ ଡାକୁଚି ବୋଧହୁଏ । କାନ ନଦେଇ ଆଗକୁ ଚାଲିଲି । ପୁଣି ଶୁଭିଲା ସେଇ ଡାକ ଅପା ! ପଛକୁ ଫେରି ଚାହିଁଲା ବେଳକୁ ଶାନ୍ତି ଦଉଡ଼ି ଦଉଡ଼ି ଆସୁଚି ।

 

ଶାନ୍ତିକୁ ଦେଖି ଛିଡ଼ାହେଲି । ଏତେ ଦୁଃଖରେ ବି ଶାନ୍ତିକି ପାଇ କାହିଁକି ଟିକେ ହସିବାକୁ ଚେଷ୍ଟାକଲି । ଯେତେହେଳେ ଆପଣାର ତ ! ହୃଦୟର ବନ୍ଧନ କେଇଟା ଦିନପାଇଁ ଛିଡ଼ିଯାଇଚି ସିନା-। ସେ ମୋତେ ପ୍ରଣାମ କଲା । ତାକୁ କୋଳକୁ ଟାଣି ଆଣିଲି । ମୋ’ ହାତ ଧରି ସେ କହିଲା, ଅପା, ମୋ ପ୍ରତି ତମେ ଏଡ଼ିକି ନିଷ୍ଠୁର । ନିଜର କ୍ଷଣିକ ସୁଖରେ ଅନ୍ଧ ହେଇ ଅତୀତରେ ତମ ମନରେ ମୁଁ ବହୁତ ଦୁଃଖ ଦେଇଚି । କିନ୍ତୁ ନିଜର ସାନ ଭଉଣୀ ଭାବି ଆଜିଯାଏ ବି କ୍ଷମା ଦେଲ ନାହିଁ । ଶାନ୍ତି ମଲା କି ଗଲା ଟିକିଏ ଖୋଜିଲ ନାହିଁ । କହୁ କହୁ କାନ୍ଦି ପକାଇଲା ।

 

ମନଟା କରୁଣତାରେ ଭରି ଉଠିଲା । କହିଲି, ଶାନ୍ତି କ୍ଷମା ମୁଁ ବହୁଦିନୁ ତମକୁ ଦେଇସାରିଚି । କାଲିପରି ଲାଗୁଚି ଯେଉଁଦିନ ଦେଢ଼ଶୁର ତୁମର ଫୁଲଟି ପରି ତମକୁ ତୋଳି ମୋ’ ହାତରେ ଦେଲେ । ସେଇଦିନ ପରା ତମକୁ ପାଇ ମୁଁ ହୋଇଥିଲି ସମସ୍ତଙ୍କଠାରୁ ବେଶି ସୁଖୀ । ତମର ମୁହଁ ଚାହିଁ ବୀଣାକୁ ଭୁଲିଥିଲି । କିନ୍ତୁ ତମେ ଯେଉଁଦିନ ମୋତେ ଆଘାତ ଦେଲ ସେହିଦିନ ମୁଁ ଭାବିଲି ବୀଣା ମୋ ହୃଦୟ ଚିହ୍ନିଥିଲା–କିନ୍ତୁ ଶାନ୍ତି ମୋ ହୃଦୟ ଚିହ୍ନିଲା ନାହିଁ । ଦୁଃଖରେ ପଳାଇଆସିଥିଲି ତମ ଉପରେ ଅଭିମାନ କରି ନୁହେଁ ନିଜ ଉପରେ ଅବିଶ୍ଵାସ କରି ! ସ୍ନେହ ବଳରେ ତମ ମନକୁ ମୁଁ ଜୟ କରିପାରି ନଥିଲି ବୋଲି । କିନ୍ତୁ କାହିଁ ତମେ ମୋତେ ଟିକିଏ ତ ଖୋଜିନା ? ଯେତେ ହେଲେ ମୁଁ ତ ବଡ଼ ଯା । ଆଖିରୁ ଧାର ଧାର ହୋଇ ଛୁଟିଲା ଲୁହ ।

 

ଶାନ୍ତି ମୋ ପାଦ ଦି’ଟା ଧରି ଲୋଟିପଡ଼ି କହିଲା, ଏଇ ବଡ଼ ଦେଉଳକୁ ଚାହିଁ କୁହ ଅପା, ତମେ ମୋର ସବୁ ଦୋଷ କ୍ଷମା କରିଚ ।

 

ତା’କୁ କୋଳ ଭିତରକୁ ଟାଣିଆଣି କହିଲି, ସବୁ ଦୋଷ ତମର ମୁଁ କ୍ଷମା କରିଚି ଶାନ୍ତି । ବିଜୟର ମୁଁ ଭାଉଜ ନୁହେଁ–ମା’ ଆଉ ତୁ ମୋ… । ଆଉ କହିପାରିଲି ନାହିଁ । ଦୁହେଁ ଦୁହିଙ୍କୁ ଧରି କାନ୍ଦି ଉଠିଲୁ ଘଡ଼ିଏ ପାଇଁ ।

 

ଏତିକିବେଳେ ଛୋଟ ଚାରିମାସର ଛୁଟିଆକୁ କୋଳରେ ଧରି ଶାନ୍ତିର ସାନଭାଇ କ୍ଷୀରୋଦ ଆସି ପହଞ୍ଚିଲା । ଶାନ୍ତି ତା’ କୋଳରୁ ପିଲାଟିକୁ ଆଣି କହିଲା ଅପା କୋଳକୁ ନିଅ–ଏ ପରା ମୋ ପୁଅ । ଶାନ୍ତିର ଏ ଭିତରେ ପୁଅ ହୋଇଚି–ଆନନ୍ଦରେ ମୋ ପେଟ ଭିତରଟା କ’ଣ ହୋଇଗଲା । ତାକୁ କୋଳକୁ ଆଣି ପଚାରିଲି ନା କ’ଣ ଭଉଣୀ !

 

ବସନ୍ତ ।

 

ଆନନ୍ଦରେ ଅଶ୍ରୁ ଗଡ଼ିପଡ଼ିଲା । ଭାବିଲି ଶରତକୁ ନେଇ ଭଗବାନ ବସନ୍ତକୁ ପଠେଇଚନ୍ତି ମୋତେ ପରୀକ୍ଷା କରିବା ପାଇଁ । ବସନ୍ତର ନରମ ଗାଲରେ ସ୍ନେହର ଚୁମ୍ବନ ଅଜାଡ଼ି ଦେଲି । ସେ କୁଲୁକୁଲିଆ ହସ ଟିକେ ହସି ମୋ ସ୍ନେହର ପ୍ରତିଦାନ ଦେଲା ।

 

ଶାନ୍ତି କହିଲା, ଶରତ କାହିଁ ଅପା–ଦିଅ । ତାକୁ ମୁଁ ଥରେ କୋଳକୁ ନିଏ । ଆଖିରେ ଲୁହ ପୂରି ଉଠିଲା । କହିଲି, ଶରତ ବସନ୍ତରେ ପଡ଼ି ଅନେକ ଦିନରୁ ମୋ’ କୋଳ ଖାଲି କରିଯାଇଚି ଭଉଣୀ ! ଶାନ୍ତି କାନ୍ଦି ଉଠିଲା ।

 

ବାପା, ବୋଉ, ରତି ଆଗକୁ ଚାଲିଯାଉଥିଲେ । ପୁଣି ମୋତେ ନ ଦେଖି ଖୋଜି ଆସି ପହଞ୍ଚିଲେ । ଶାନ୍ତିକି ସମସ୍ତଙ୍କୁ ଚିହ୍ନାଇଦେଲି । ଶାନ୍ତି, କ୍ଷୀରୋଦ ବାପା, ବୋଉଙ୍କୁ ପ୍ରଣାମ କଲେ । ବୋଉକୁ ଚିହ୍ନାଇଦେଇ କହିଲେ, ବୋଉ ଏ ମୋର ସାନ ଯା’–ବିଜୟ ସ୍ତ୍ରୀ, ଏ ତା’ର ପୁଅ, ଆଉ ଏ ଶାନ୍ତିର ଭାଇ କ୍ଷୀରୋଦ । ବୋଉ ଶାନ୍ତିକି କୋଳକୁ ଟାଣିନେଇ କେତେ କଥା ପଚାରିଲା । ରତି ମୋ କୋଳରୁ ବସନ୍ତକୁ ନେଇ ଗେଲ କଲା ।

 

ବାପା ପଚାରିଲେ, କ୍ଷୀରୋଦ, ବିଜୟ ଖବର କିଛି ପାଇଚ ? କ୍ଷୀରୋଦ କହିଲା, କେତେଦିନ ତଳେ କଲିକତାରେ ଅଛନ୍ତି ବୋଲି ଥରେ ଶୁଣିଥିଲି । ମୋର ଜଣେ ବନ୍ଧୁଙ୍କ ସାଙ୍ଗରେ ତାଙ୍କର ଅକସ୍ମାତ ଭେଟ ହୋଇଥିଲା । ତା’ପରେ ଆମେ ସନ୍ଧାନ ନେଲୁ । ତାଙ୍କର କୌଣସି ପତ୍ତା ମିଳିଲା ନାହିଁ । ସଠିକ୍ ଠିକଣା ନ ପାଇଲେ କଲିକତା ପରି ସହରରେ ଯେଉଁଠି ମଣିଷ ଭିଡ଼ରେ ପିମ୍ପୁଡ଼ି ଗଳିବାକୁ ବାଟ ମିଳୁନାହିଁ–ସେଠି ବା ତାଙ୍କୁ ଖୋଜିଚି କେଉଁଠି । ବାପା ଆଉ କିଛି ନ ପଚାରି ନୀରବ ରହିଲେ ।

 

ମନ୍ଦିରରୁ ଫେରିବା ବେଳେ କ୍ଷୀରୋଦ ଅନୁରୋଧ କଲା ସମସ୍ତଙ୍କୁ ତାଙ୍କ ଘରକୁ ଯିବାକୁ-। ବାପା ମନା କଲାରୁ ଶାନ୍ତି ଲୁହ ଛଳଛଳ ଆଖିରେ କହିଲା, ବାପା, ମୁଁ କ’ଣ ଆପଣଙ୍କର ଝିଅ ନୁହେଁ । ଝିଅ ଘର ପାଖରେ ଥାଉ ଥାଉ ଏହି ଧର୍ମଶାଳାରେ ଆପଣ ରହିବେ–ଏହାଠୁଁ ଭଳି ଅପମାନ ଝିଅକୁ କ’ଣ ହୋଇପାରେ । ବାପା ଆଉ ଆପତ୍ତି କଲେ ନାହିଁ ।

 

ସମସ୍ତେ ଶାନ୍ତି ଘରେ ଦି’ ଦିନ ରହି କଟକ ଫେରି ଆସିଲୁ ।

 

ବିଜୟ କଲିକତାରେ ଅଛନ୍ତି ଅଥଚ ପୁରୀ ଫେରୁ ନାହାନ୍ତି । ଆମେମାନେ ମଲୁଣୁ କି ଅଛୁ ତା’ ବି ଟିକିଏ ଦେଖିବାକୁ ଆସୁନାହାନ୍ତି । ଏଡ଼େ ପାଷାଣ ସେ ହେଲା କିପରି ? ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗେ ।

 

ପୁଣି ଭାବେ ମଣିଷର ମନ ଅତି କୋମଳ । ତା’ ଉପରେ ଆଘାତ ଲାଗିଲେ ବୁଦ୍ଧି ବିବେକ ଯାଏ ହଜି । ସେତେବେଳେ ସେ କ’ଣ କରେ କିଛି ବୁଝିପାରେନା । ମନ୍ଦ କଲେ ବି ସେ ଭାବେ ତା’ର ଭଲ । ଏହି ପରିସ୍ଥିତିରେ ବିଜୟ କ’ଣ ପହଞ୍ଚିଚି ? ଭାବି କିଛି ଠିକ୍ କରିପାରେନା ।

 

ସେଦିନ ଭାବୁ ଭାବୁ ଗୋଟାଏ ନୁଆ ଭାବନା ମନକୁ ଛୁଇଁଲା । ବିଜୟ ମୋତେ ତ ଏତେ ଭଲପାଏ, ମୁଁ ରୋଗଶଯ୍ୟାରେ ପଡ଼ି ତାକୁ ଦେଖିବାକୁ ଚାହେଁ, ଇମିତିକା ମୋର ଆକୁଳ ନିବେଦନ ଶୁଣିଲେ ସେ ନିଶ୍ଚୟ ଫେରି ଆସିବ । ଆଉ ମୁଁ ଯେତେବେଳେ ତାରି ମନରେ ଆଘାତ ଦେଇ ପାଖରୁ ତଡ଼ି ଦେଇଥିଲି–ପୁଣି ଆଜି ଖାଲି ଟିକିଏ ଦେଖିବା ପାଇଁ ଡାକି ଆଣୁଚି କୋଳକୁ । ସେ ନିଶ୍ଚୟ ଆସିବ । ମୃତ୍ୟୁମୁଖରୁ ସେ ଭାଉଜକୁ ଫେରାଇ ଆଣିବାକୁ ନିଶ୍ଚୟ ଧାଇଁ ଆସିବା ।

 

ମନକଥା ବାପାଙ୍କୁ ଜଣାଇଲି । ବାପା କହିଲେ, ଇମିତି ଗୋଟାଏ ବିଜ୍ଞାପନ ଦୈନିକ କାଗଜରେ ତ ବାହାରି ଥିଲା, କିଛି ଫଳ ହେଲା ନାହିଁ । କହିଲି, ସେ ବାହାରିଥିଲା ତାଙ୍କ ଶ୍ଵଶୁରଙ୍କ ନାମରେ, ମୋ ନାଁରେ ତ ନୁହେଁ ! ମୋ ନାଁରେ ଦେଲେ ସେ ଯଦି ମୋର ଆକୁଳ ନିବେଦନ ପଢ଼େ ତେବେ ସେ ନିଶ୍ଚୟ ଫେରି ଆସିବେ । ବାପା ରାଜି ହୋଇ ସେଇଦିନ ଓଡ଼ିଶାର ସବୁ ଦୈନିକ କାଗଜରେ ବିଜ୍ଞାପନ ଦେଇ ଆସିଲେ । ତା’ ପରଦିନ ବାହାରିଲା–

 

ବିଜୟ,

 

ତମକୁ ଝୁରି ଝୁରି ମୁଁ ଆଜି ମୃତ୍ୟୁମୁଖରେ । ମରିବା ଆଗରୁ ଥରେ ମୋତେ ଦେଖାଯାଅ-। ଯାହାଙ୍କୁ ତମେ ଏତେ ଭଲ ପାଉଥିଲ ତାଙ୍କ ପ୍ରତି ସବୁ ରାଗ, ଅଭିମାନ ମନରୁ ପୋଛି ଥରେମାତ୍ର ଦେଖାକରିଯାଅ–ଏତିକି ଅନୁରୋଧ । ମଲାବେଳେ ତମକୁ ଥରେ ଦେଖି ମୁଁ ଟିକିଏ ଶାନ୍ତର ଆଖି ବୁଜେ ।

 

ତମର ଭାଉଜ

କାନ୍ତି

 

ଏହାର ଇଂରାଜୀ ଓ ବଙ୍ଗଳା ଅନୁବାଦ କଲିକତାର ପ୍ରଧାନ ପ୍ରଧାନ ଦୈନିକ କାଗଜକୁ ପଠାଇ ଦିଆଗଲା ।

 

ଆଠଦିନ ପରେ ।

 

ସେଦିନ ସକାଳୁ ଉଠି କୋଠା ଉପରକୁ ବୁଲି ଆସିଲା ବେଳକୁ ସକାଳର ସୂରୁଜ ହସି ହସି ଉଠି ଆସୁଥିଲେ । ସରଗ ରାଇଜରେ ପକ୍ଷୀଗୁଡ଼ା ଦଉଡ଼ି ଦଉଡ଼ି ଆଲୁଅ ହୋରି ଖେଳୁଥିଲେ । ଧରଣୀରାଣୀର ନିଦ ଭଲକରି ଭାଙ୍ଗି ନଥିଲା । ସେଇଁଥିପାଇଁ ଆଲୁଅ ରଜାପୁଅ ତା’ର କଅଁଳ ପରଶ ଚାରିଆଡ଼େ ବୁଲାଇ ଦେଉଥିଲା । ଆଲୁଅ ପବନର ଏତେବେଳଯାଏ ଭେଟ ହେଇ ନଥିଲା-। ଦୂରଦିଗନ୍ତ ସେପାରୀରୁ ଖବର ପାଇ ପବନ ଦଉଡ଼ି ଆସିଲା । ସେତେବେଳେ ସଜଫୁଲର ଗନ୍ଧନେଇ ଆଲୁଅ ରଜାପୁଅକୁ ସଙ୍ଖୋଳିବାକୁ ।

 

ରତି ଦଉଡ଼ି ଦଉଡ଼ି ଆସି କହିଲା, ଅପା, ବିଜୟ ଭାଇ ଆସିଲେଣି ।

 

ବିଜୟ ଆସିଚି ଏତିକି ଶୁଣି ସତେ ଯେପରି ଏଇ ପୂରୁବର ସୂରୁଜ ପଶ୍ଚିମରେ ଉଦୟ ହେଲାପରି ଜଣାଗଲା । ଆନନ୍ଦରେ ଅଧୀର ହୋଇ ପଚାରିଲି, କାହାନ୍ତି ?

 

ଦାଣ୍ଡଘରେ ବସି ବାପାଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଚନ୍ତି । ତମେ ତଳକୁ ଆସ । ମୁଁ ବିଜୟ ଭାଇଙ୍କୁ ଘରକୁ ପଠାଇ ଦେଉଚି ।

 

ରତି ଦଉଡ଼ି ଦଉଡ଼ି ପଳାଇଲା । ଆନନ୍ଦରେ ତା’ର ଗୋଡ଼ ଦୁଇଟା ତଳେ ଲାଗୁ ନଥିଲା-। ମୁଁ କୋଠା ଉପରୁ ଚାଲିଆସିଲି ମୋ ଘରକୁ ।

 

ନୂଆବୋଉ !

 

ବହୁଦିନର ପରିଚିତ ଡାକ ଆଜି କାନ ପାଖରେ ବାଜି ଉଠିଲା । ଚାହିଁଲି, ବିଜୟ ! କିନ୍ତୁ ଏ କ’ଣ ? ବିଜୟର ସେ ରୂପ ଆଜି କାହିଁ ? ମୁଣ୍ଡର ବାଳ ଉଡ଼ୁଚି ଫୁରଫୁର ହୋଇ । ଆଖିଗୁଡ଼ାକ ଦିଶୁଚି ଦୀପ୍ତିହୀନ–ମୁହଁଟା ପାଣ୍ଡୁର । ଶରୀରର ସମସ୍ତ ଶକ୍ତି ଲୋପ ପାଇଅଛି, କେବଳ ହାଡ଼ ଦି’ଖଣ୍ଡ । କାହିଁକି ତା’ର ଏମିତି ହେଲା, ମୋରି ପାଇଁ ? ତା’ର ଏ ପରିଣତି ପାଇଁ ମୋ’ ଛଡ଼ା ତ କେହି ଦାୟୀ ନୁହେଁ । ଆଖିରୁ ଛୁଟିଲା ମୋର ଧାର ଧାର ଲୁହ ।

 

ନୂଆବୋଉ, ମୁଁ ଚାହୁଁଥିଲି ତମରି ପରି ହୃଦୟ । ଯେଉଁଠି ନଥିବ ହିଂସା, ଦ୍ୱେଷ, ଅହଙ୍କାର–ଥିବା ଖାଲି ସ୍ନେହ, ସୌହାର୍ଦ୍ଦ୍ୟ, ପ୍ରୀତିର ଅଫୁରନ୍ତ ଉତ୍ସ । ଇମିତିକା ହୃଦୟ କାହିଁ ମୁଁ କେଉଁଠି ତ ପାଇଲି ନାହିଁ । ଛୁଟି ଆସିଲି ପୁଣି ତମରି କତିକି । ମୁଁ ଜାଣେ ତମେ ମୋତେ ଦିନେ ପାଖରୁ ତଡ଼ି ଦେଇଥିଲେ ବି କୋଳକୁ ଡାକି ଆଣିବ ।

 

କିନ୍ତୁ ବିଜୟ, ତମକୁ ମୁଁ ଦିନେ କନ୍ଦାଇ ଥିଲି ବୋଲି ତମେ ସମସ୍ତଙ୍କୁ କନ୍ଦାଇବ ଏହା ମୁଁ ଭାବିନଥିଲେ କଳ୍ପନାରେ । ମୋ ପ୍ରତି ଅଭିମାନ କରି ତମେ ଜଣଙ୍କ ପ୍ରତି କେଡ଼େ ଅବିଚାର କରିଚ ଭାବିଲ !

 

ନୂଆବୋଉ ! ତମେ କାନ୍ଦିଲ, ମୁଁ କାନ୍ଦିଲି–କାହାପାଇଁ ? ଆଉ ସେ ଆଜି କାନ୍ଦୁଚି, ସେଇ କାନ୍ଦିବା ତା’ର ଉପଯୁକ୍ତ ଶାସ୍ତି ।

 

ଭୁଲ ବୁଝୁଚ ବିଜୟ, ଶାସ୍ତିଦେଇ କେବେ ହୃଦୟ କିଣା ଯାଏନା–ଯାଏ ସ୍ନେହ ଦେଇ । ମୋ ପ୍ରତି ଅଭିମାନ କରି ତମେ ଚାଲିଗଲ । ତମ ଯିବା ପରଦିନଠାରୁ ଗୋଟିଏ ଦିନ ବି ମୋର ଶାନ୍ତିରେ କଟି ନାହିଁ । ଭାବିଲି ଶେଷକୁ ବିଜୟ କ’ଣ ମୋତେ ଭୁଲ୍ ବୁଝିଲା ।

 

ହଠାତ୍ ମୋର ଗୋଡ଼ ଦିଟା ଧରି ସେ କହିଲା, ନୂଆବୋଉ, ମୋତେ କ୍ଷମା କର ।

 

ତାକୁ ଉଠାଇ କହିଲି, ବିଜୟ, ଆଜିଠୁ ତମର ସ୍ଥାନ ପାଦତଳେ ନୁହେଁ–ମୋର ହୃଦୟ ଭିତରେ । ତା’କୁ କୋଳକୁ ଟାଣିଆଣିଲି । ଦୁହିଁଙ୍କ ଆଖିରୁ ଛୁଟିଲା ବେଦନା ଆବେଗର ଗୋଳିଆ ମିଶା ଧାର ଧାର ଲୁହ । ସେ ଲୁହରେ ଦୁହିଁଙ୍କ ହୃଦୟର ମାନ, ଅଭିମାନ ସବୁ ଧୋଇ ଯାଇ ହୋଇଗଲା ଶୁଭ୍ର, ପରିଷ୍କାର ।

 

ପଚାରିଲି, ବିଜୟ, ଏତେଦିନ ଧରି କେଉଁଠିଥିଲ ?

 

କଲିକତାରେ ବହୁ ଦିନ ବୁଲି ବୁଲି ଖାଇବା ପିଇବାର ଠିକ୍ ରହିଲା ନାହିଁ । ଗଲା ମାସେ ହେବ ବରାବର ଜର ଲାଗି ରହିଲା । ଶରୀର ଅନାହାରରେ ଦୁର୍ବଳ ହେଇପଡ଼ିଲା । ଯେଉଁ ବନ୍ଧୁଙ୍କ ପାଖରେ ଥିଲି, ଶେଷରେ ସେ ପରାମର୍ଶ ଦେଲେ ଘରକୁ ଫେରିଯିବାକୁ । ସେ ମୋ ପାଇଁ ବହୁତ କଷ୍ଟ ସହ୍ୟ କରିଛନ୍ତି, ଆଉ ତାଙ୍କୁ ହଇରାଣ କରିବାକୁ ଇଚ୍ଛା ହେଲା ନାହିଁ । କିନ୍ତୁ ପୁରୀ ଫେରିବାକୁ ଅନ୍ତରର ଆଗ୍ରହ ହେଲା ନାହିଁ । ଭାବିଲି ଇଆଡ଼େ ମାରିବି ପଛେ ଆଉ ପୁରୀ ମାଡ଼ିବି ନାହିଁ । ହଠାତ୍ ରମେଶ କଥା ମନେପଡ଼ିଲା ।

 

ବାଲେଶ୍ଵର ଚାଲି ଆସିଥିଲି ଆଜିକୁ ପନ୍ଦର ଦିନ ହେବ । ରମେଶ ମୋର ଭଗ୍ନ ସ୍ଵାସ୍ଥ୍ୟ ଦେଖି ବଡ଼ ବ୍ୟସ୍ତ ହୋଇପଡ଼ିଲା । ତା’ର ଏଇ କେଇଟା ଦିନର ଅକ୍ଳାନ୍ତ ସେବା ମୋତେ ମୃତ୍ୟୁମୁଖରୁ ବଞ୍ଚାଇ ଆଣିଲା । ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ ଏ ଯାଏ ବି ଭଲ ହୋଇନଥିଲା । ରେଣୁ ଯେତେବେଳେ ସମାଜରେ ତମର ଆକୁଳ ନିବେଦନ ଆଣି ମୋତେ ଦେଖାଇଲା–ମୁଁ ଆଉ ମୁହୂର୍ତ୍ତେ ବି ସେଠି ରହିପାରିଲି ନାହିଁ । ରମେଶ କହିଲା, ବିଜୟ, ତୋ’ ସ୍ଵାସ୍ଥ୍ୟ ଏଯାଏ ଭଲ ହୋଇନି । ଏପରି ଅବସ୍ଥା ତୋର କଟକ ଯିବା ବଡ଼ ଦୁଃସାହସ । ମା, ରେଣୁ ସମସ୍ତେ ବାରଣ କଲେ । ତା’ ସତ୍ତ୍ୱେ ସମସ୍ତଙ୍କର ଅନୁରୋଧକୁ ମୁଁ ଉପେକ୍ଷା କରି ପାଗଳଙ୍କ ପରି ଛୁଟି ଆସିଲି ନୂଆବୋଉ, ଖାଲି ତମକୁ ଟିକିଏ ଦେଖିବାକୁ । ଭାବିଲି ଜୀବନରେ ତମ ସାଥୀରେ ଯଦି ଆଉ ଭେଟ ନହୁଏ, ତେବେ ଏ ଦାରୁଣ ଆଘାତରେ ମୋର ରୁଗ୍‍ଣ ଶରୀର ଝରି ଝରି ବୋଧେ ଦି’ ଦିନ ଭିତରେ ମାଟି ଘେନିବ । କିନ୍ତୁ ଠାକୁରଙ୍କ ଇଚ୍ଛା ଅନ୍ୟ ରକମ ।

 

ବିଜୟର ପରାଶଭରା କାହାଣୀ ଶୁଣି ମୋର ପୁଣି ଧୈର୍ଯ୍ୟଚ୍ୟୁତ ହେଲା । ଆଖିରୁ ଝରିପଡ଼ିଲା ଦି’ ଟୋପା ଲୁହ ।

 

ବିଜୟ ପଚାରିଲା, ନୂଆବୋଉ ! ଶରତ କାହିଁ ? ତାକୁ ଆଣିଦେଲ ମୋତେ । ବହୁଦିନ ପରେ ତାକୁ ପାଇ ଖାଲିକୋଳଟା ମୋର ଟିକିଏ ପୂରି ଉଠୁ ।

 

ଆଖିରୁ ଛୁଟିଲା ଧାର ଧାର ଲୁହ । କହିଲି, ଶରତ ପରା ତମକୁ ଖୋଜିବାକୁ ଯାଇଚି ବିଜୟ ! ବହୁଦିନ ହେଲା । ସେ ଦିନ, ବାର, ତାରିଖ ମୋର ମନେ ନାହିଁ । କିନ୍ତୁ ଏତିକି ମନେ ଅଛି ସେ ଯାଇଚି ତମ ପଛେ ପଛେ ତମକୁ ଖୋଜିବାକୁ । ବାଟରେ କେଉଁଠି ଭେଟ ହୋଇନି ବିଜୟ ?

 

କ’ଣ କହୁଚ ନୂଆବୋଉ, ତମକଥା ମୁଁ କିଛି ବୁଝିପାରୁନାହିଁ ।

 

ନୂଆବୋଉଙ୍କ କଥା ବୁଝିପାରିବନି ବିଜୟ ! ବୁଝିଥିଲେ ଘର ଛାଡ଼ି ନଥାନ୍ତା । ତମେ ଯେମିତି ଅବୁଝା ହେଇ ଚାଲିଗଲ, ଶରତ ମୋର ସେମିତି ଅବୁଝା ହେଇ ଚାଲିଗଲା ଚାରିଟା ଦିନ ବସନ୍ତରେ ! ଟିକିଏ ବି ସେ ମୋତେ ତମପରି ଫେରି ଚାହିଁଲା ନାହିଁ ।

 

ବିଜୟ ଶୁଣି ପିଲାଙ୍କ ପରି କାନ୍ଦି ଉଠିଲା । କହିଲା ନୂଆବୋଉ, ମୋର ଅତି ଆଦରର ଖେଳନାଟିକୁ ତମେ ହଜାଇ ଦେଲ ।

 

କାନ୍ଦନା ବିଜୟ ! ଗୋଟିଏ ଖେଳଣା ତମର ହଜିଗଲା ବେଳକୁ ଆଉ ଗୋଟିଏ ଖେଳଣା ପରା ଭଗବାନ ଆଣି ଦେଲେଣି । ଶରତ ଯାଇଚି–ପୁଣି ବସନ୍ତ ଆସିଛି ଶାନ୍ତି କୋଳରେ-। ନାଁର ପାର୍ଥକ୍ୟ ଦେଖୁଚ ସିନା କିନ୍ତୁ ଏକା ରୂପ, ଏକା ମୁହଁ, ଠିକ୍ ତା’ରି ପରି ।

 

ନିଜକୁ ନିଜେ ବୋଧ କରି ବିଜୟ ଆଖିରୁ ଲୁହ ପୋଛିଦେଲି ।

 

ସେଇଦିନ ବିଜୟ ଆସିବା ଖବର ଶାନ୍ତି କତିକି ଟେଲିଗ୍ରାମ କରି ଜଣାଇଦେଲି ।

 

ତା’ ପରଦିନ ସକାଳେ ଶାନ୍ତି ଓ କ୍ଷୀରୋଦ ବସନ୍ତକୁ ନେଇ ଆମ ଘରେ ଆସି ହାଜର ।

 

ଶାନ୍ତିକୁ ଦେଖି ବିଜୟ କଥା କହିଲା ନାହିଁ । ଶାନ୍ତି କାନ୍ଦି କାନ୍ଦି ବିଜୟର ପାଦ ଦୁଇଟି ଧରି କହିଲା, ମୋର ସବୁ ଦୋଷ ହେଇଚି, ମୋତେ କ୍ଷମା କର ।

 

ବିଜୟ କହିଲା, ଯା’ କୁ କ୍ଷମା ମାଗିବାର କଥା ତାଙ୍କୁ ମାଗ ଶାନ୍ତି ! ମା’ ପରି ଯେଉଁ ଭାଉଜ, ତାଙ୍କ ପ୍ରତି କମ୍ ଅନ୍ୟାୟ କଥା ତମେ ମୁହଁରେ ତ ଆଣି ନାହଁ ।

 

କହିଲି, ବହୁଦିନୁ ତାଙ୍କୁ ମୁଁ କ୍ଷମା ଦେଇଛି ବିଜୟ । ନିଅ ଶାନ୍ତିକି କୋଳକୁ ନିଅ । ତା’ ପ୍ରତି ତମର ଅବିଚାର ତ କମ୍ ନୁହେଁ ।

 

ତଥାପି ବିଜୟ ଅଟଳ । ତେତିକିବେଳେ ମୋ କୋଳରେ ବସନ୍ତ କଇଁ କଇଁ ହୋଇ କିନ୍ଦି ଉଠିଲା ।

 

କହିଲି, ଦେଖୁଚ ବିଜୟ, ମା’ ର ଦୁଃଖରେ ବସନ୍ତ କେମିତି ଅଧୀର ହୋଇ ଉଠୁଚି । ନିଅ ଶାନ୍ତିକି ପାଖକୁ ନିଅ । ଶାନ୍ତି ସିନା ଦୋଷ କରିଚି, କିନ୍ତୁ ବସନ୍ତ ! ତା’ର ଲୁହ କ’ଣ ତମର ପଥର ଛାତିକୁ ପାଣି କରି ଦେଉନାହିଁ ?

 

ବିଜୟର ଥିର ମନ ଚହଲି ଉଠିଲା । ଶାନ୍ତିକୁ ହାତଧରି ଉଠାଇଲା ବେଳକୁ ତା’ ଆଖିରେ ଝରି ଆସିଥିଲା ବିନ୍ଦୁ ବିନ୍ଦୁ ଲୁହ ।

 

ଦି’ ଦିନ ପରେ । ଶାନ୍ତି ମୋ ହାତ ଧରି କହିଲା, ଅପା, ଏଥର ଫେରିଚାଲ ଆମର ସେଇ ଭଙ୍ଗାରୁଜା ଘରଟିକୁ ସଜାଡ଼ିବାକୁ ।

 

କହିଲି, ତମେ ଯାଅ ଭଉଣୀ ! ବିଜୟକୁ ନେଇ ପୁଣି ସୁଖର ନାଆଟି ମେଲିଦିଅ ଜୀବନ ଦରିଆରେ । ଦୂରରେ ଥାଇବି ତମକୁ ମୁଁ ଆଶୀର୍ବାଦ କରିବି । କିନ୍ତୁ ମୋତେ ଆଉ ଜଞ୍ଜାଳ ଭିତରକୁ ଟାଣି ନିଅନା ।

 

କିନ୍ତୁ ଖାଲି ଆଶୀର୍ବାଦ କଲେ ହେବ ନାହିଁ । ବିଜୟ ଚାହେ ତା’ ସଙ୍ଗେ ସଙ୍ଗେ ତମର ସାହଚର୍ଯ୍ୟ । ଯଦି ଆମ ଦୁହିଁଙ୍କ ମୁହଁରେ ପୁଣି ହସ ଫୁଟାଇବାକୁ ଚାହଁ, ତେବେ ତମକୁ ଫେରି ଯିବାକୁ ହେବ ନୂଆବୋଉ !

 

ବିଜୟ ଅନୁରୋଧ, ଶାନ୍ତିର କରୁଣବୋଳା ମିନତିକୁ ଏଡ଼ି ଦେଇ ପାରିଲି ନାହିଁ ।

 

ଯେତେବେଳେ ଘରୁ ବିଦାୟ ନେଇ ଆସିଲି ଆଖି ମୋର ଲୁହରେ ପୂରି ଉଠିଲା । ବାପା କହିଲେ, କାନ୍ତି, କାନ୍ଦୁଚ କାହିଁକି ? ସ୍ଵାମୀ ଘରର ଧୂଳିଟିକ ପରା ସ୍ତ୍ରୀର ସରଗର ରେଣୁ । କେତେ ପବିତ୍ରତା ଭରି ରହିଚି ତହିଁରେ । ସେଇଠିକି ଫେରି ଯାଉଚ, ଏଥିରେ ଦୁଃଖ କରିବାର କ’ଣ ଅଛି ମା’ !

 

Unknown

ସେ ମୋ ଆଖିରୁ ଲୁହ ପୋଛିଦେଲେ ।

 

ସେଇଦିନ ରାତି ଗାଡ଼ିରେ ସମସ୍ତେ ପୁରୀ ଫେରି ଆସିଲୁ ।

 

ଉଡ଼ିଗଲା ଚଢ଼େଇଟି ଫେରି ଆସିଲା–କିନ୍ତୁ ହଜିଗଲା ଦରବଟି ଆଉ ମିଳିଲା ନାହିଁ । ଆମର ନୂଆ ସଂସାର ପୁଣି ପୂର୍ବ ଗଉରବରେ ହସି ଉଠିଲା–କିନ୍ତୁ ଲୁପ୍ତ ସଉରଭଟିକ ଆଉ ମିଳିଲା ନାହିଁ ।

 

ବୀଣା, ସ୍ଵାମୀ, ଶରତ କାହାନ୍ତି ସେମାନେ ଆଜି ? ତାଙ୍କର ଛବିଗୁଡ଼ା ଅଛି–କିନ୍ତୁ ମଣିଷ ନାହିଁ । ଧୂଳିଖେଳ ଖେଳି ସେମାନେ ଚାଲି ଯାଇଚନ୍ତି ଦି’ଦଣ୍ଡ ଭିତରେ ।

 

ସବୁବେଳେ କାନ ପାଖରେ ବାଜିଉଠେ ସେଇ ମଧୁର ବୋଳା ଡାକ, ଅପା ! ଠିକ୍ ତଙ୍କରି ସରଗିଆ ତାଙ୍କରି ମୂର୍ଚ୍ଛନା, କାନ୍ତି, ଆଉ ଶରତର ସେଇ କୁଲୁ କୁଲୁ ହସର ଲହଡ଼ି । ମନ ଖୋଜେ । କୁଆଡ଼େ ଗଲେ ସେମାନେ । ସବୁ ସପନ ପରି ଲାଗେ । ତଥାପି ସେଇ ସପନ ଦେଖୁ ଦେଖୁ ମନ–ହରିଣୀ ବାହୁନି ବାହୁନି କାନ୍ଦେ ।

 

ବିଜୟ କୁହେ, ନୂଆବୋଉ, ଅତୀତକୁ ଝୁରି ଝୁରି ଦିନୁ ଦିନୁ ତମେ କ୍ଷୀଣ ହେଇ ପଡ଼ିଚ । ଇମିତି ଭାବିଲେ ଭଙ୍ଗା ଶରୀର ତମର କେଇଦିନ ଟେକିବ । ଆଚ୍ଛା, ଆମେ କ’ଣ ତମର କେହି ନୋହୁଁ । ଶାନ୍ତି, ବିଜୟ, ବସନ୍ତ ଆଙ୍କରି ମେଳରେ ରହିବାକୁ ତମକୁ କ’ଣ ଭଲ ଲାଗୁନି । ମୋ ମୁହଁକୁ ଥରେ ଚାହିଁ କହିଲ ନୂଆବୋଉ !

 

ବିଜୟ କଥା ଶୁଣି ହସ ମାଡ଼େ–କିନ୍ତୁ ଆଜି ହସି ପାରେନା । କୁହେ, ବିଜୟ, ସବୁବେଳେ ମୁଁ ଭାବେ, ବୀଣା ଯାଇଚି ଶାନ୍ତି ଅଛି, ଶରତ ଯାଇଚି ବସନ୍ତ ଅଛି–ଭାଇ ଯାଇଚନ୍ତି ତମେ ଅଛ । ତମରିମାନଙ୍କୁ ଦେଖି ମୁଁ ସେମାନଙ୍କୁ ଭୁଲିଯିବାକୁ ଚେଷ୍ଟା କରେ । କିନ୍ତୁ ତଥାପି ଭୁଲିପାରେନା କାହିଁକି ?

 

ବିଜୟ ଆଖି ଲୁହରେ ପୂରିଉଠେ । ସେଇ ଲୁହରେ ତା’ର ମୋ’ ପ୍ରତି କ୍ଷଣିକ ଅଭିମାନ ଭାସିଯାଏ ।

 

ସେଦିନ ସକାଳେ କାହିଁକି ରେବ କଥା ଭାରି ମନେପଡ଼ିଲା । ବିଜୟକୁ ଡାକି କହିଲି, ବିଜୟ, ରେବକୁ ଯା’ ନେଇଆସ । ତାକୁ ଦେଖିବାକୁ ମନଟା କାହିଁକି ଭାରି ଅସ୍ଥିର ହେଲାଣି ।

 

ବିଜୟ କହିଲା, କିମିତି ସେ ଆସିବ । ଅରୁଣବାବୁ ପରା ମୋତେ ଚିଠିରେ ଜଣାଇଥିଲେ ଆଉ କେଇଦିନ ଗଲେ ରେବ ହେବ ସନ୍ତାନର ମା’ । ମନ ଭିତରୁ କିଏ ଯେପରି କହିଉଠିଲା, ପୁଅଟିଏ ହେବ କି ତା’ର !

 

ତା’ ପଛେ ପଛେ ବହୁ ପୁରୁଣା ସ୍ମୃତି ଭାସିଉଠିଲା । ଅରୁଣବାବୁଙ୍କ ସହିତ ବିତି ଯାଇଥିବା ଦିନ କେଇଟାର କଥା ଅତୀତ ଅନ୍ଧାରରେ ଆଲୁଅ ଲୁଚକାଳି ପରି ଖେଳିଗଲା । କ୍ଷଣିକ ଭିତରେ ମନ ହେଇ ଉଠିଲା ପରାଶରେ ଭାରି । ଆଖିରେ ଛପି ଛପି ଆସିଲା ଦି’ଟୋପା ଲୁହ ।

 

ସକାଳେ ରେବ କଥା ଭାବିଚି, ସଞ୍ଜକୁ ପାଇଲି ତା’ରି ହାତର ଚିଠି । ସେ ଲେଖିଚି ନୂଆବୋଉ, ଦିନୁ ଦିନ ମୋ ଦେହ ଭାରି ହୋଇ ଉଠୁଚି । ଗୋଡ଼ ଦି’ଟା ଫୁଲିଚି । ମୁଣ୍ଡଟା ବୁଲାଇ ଦେଉଚି । ବେଳେ ବେଳେ ଦେହ ହାତ ଜଳାପୋଡ଼ା କରୁଚି । ମୁଁ ଆଉ ବଞ୍ଚିବି ବୋଲି ମନରେ ଆସୁନାହିଁ । ତମକୁ ଜୀବନରେ ଆଉ ଦେଖିପାରିବି କି ନା ସନ୍ଦେହ । ସାନ ନୂଆବୋଉଙ୍କୁ ମୋ ଦୁଃଖ ଜଣାଇବ । ଦିହେଁ ମୋର ପ୍ରଣାମ ନେବ । ଚିଠି ଦେବ, ରହିଲି । ତାହା ଚିଠି ଖଣ୍ଡିକ ପାଇ ସେଇଦିନ ତା’କୁ ସାନ୍ତ୍ଵନା ଦେଇ ଚିଠି ଖଣ୍ଡିଏ ଲେଖିଲି–

 

ସ୍ନେହର ରେବ,

 

ସନ୍ତାନର ମା’ ହେବାକୁ ଗଲେ ସିମିତ ଟିକିଏ କଷ୍ଟ ଅଙ୍ଗେ ଲିଭାଇବାକୁ ହୁଏ, ଡରିବ ନାହିଁ । ଯେତେବେଳେ ତମ କୋଳରୁ ଆଉ ଗୋଟିଏ ନୂଆ ଜୀବନର ସୂର୍ଯ୍ୟୋଦୟ ହେବ, ସେତେବେଳେ ଦେଖିବ ସେହି ଆଲୁଅରେ ତମର ସବୁ କଷ୍ଟ କୁଆଡ଼େ ଉଭାଇ ଯାଇଥିବ । ଏକ ନୂତନ ଅନିର୍ବଚନୀୟ ପୁଲକରେ ତମର ଅନ୍ତର ମନ ପୂରି ଉଠିବ । ଠାକୁରଙ୍କୁ ଡାକ ସେ ତମକୁ କିପରି ଶୀଘ୍ର ମୁକ୍ତ କରନ୍ତୁ । ମା’ ହୋଇ ଯେତେବେଳେ କତିରେ ଆସି ଛିଡ଼ାହେବ, ଭାବିଲ ସେଦିନ ମୁଁ କେଡ଼େ ଖୁସି ନ ହେବି । କେବେ ସେ ଦିନ ଆସିବ ଚାହିଁ ରହିଲି ।

 

ପୁଣି ରେବ ଚିଠି ଦିଏ, ଦେହ ଶିରି ଶିରି ଲାଗୁଚି । ବଳ ପାଉନାହିଁ । ଗୋଡ଼ ହାତ ଥରୁଚି । ସବା ଶେଷରେ ସେଇ ଗୋଟିଏ କଥା ମୁଁ ଆଉ ବଞ୍ଚିବି ନାହିଁ । ମୁଁ ପୁଣି ତାକୁ ବୁଝାଇ ଚିଠି ଦିଏ ।

 

ସୁନା ନଣନ୍ଦଟି ମୋର,

 

ଦିନ ଆସିବ ସବୁ ଭଲ ହୋଇଯିବ । ଭାବି ଭାବି ସୁନା ଦେହକୁ ଚୂନା କରନା । ଇମିତି ଭାଙ୍ଗି ପଡ଼ିଲେ ସବୁ ଅଘଟଣ ନ ଘଟୁଥିଲେ ଘଟିଯାଏ । ମୋ ରାଣ, ସେ ସବୁ କଥା ମନରେ ଆଣନା ।

 

ଚିଠି ଆସେ–ଚିଠି ଯାଏ । ଦିନ ଯାଏ ଦିନ ଆସେ ।

 

ହଠାତ୍ ସେଦିନ ସଞ୍ଜବେଳେ ଆସେ ଟେଲିଗ୍ରାମ । ପିଲା ଜନ୍ମ ହେବା ସାଙ୍ଗେ ସାଙ୍ଗେ ରେବର ମୃତ୍ୟୁ ହୋଇଚି । ପିଲାଟା ବି ମା’ ସାଙ୍ଗେ ସାଙ୍ଗେ ମରିଯାଇଛି ।

 

ସେଇଦିନ ହୃଦୟର କୋହ ଆଖିର ଲୁହରେ କିଏ ଯେପରି କହି ଉଠିଲା, ଭଗବାନ ତୁମେ ଦେବତା ନୁହଁ, ପଥର । କିଏ କହେ ତୁମେ ଯା’ କର ମଣିଷର ମଙ୍ଗଳ ପାଇଁ । ଗୋଟି ଗୋଟି କରି ଗୋଟିଏ ଘରୁ ଚାରୋଟିଙ୍କି ଯଦି ନେଇଯାଅ–ତେବେ ଯାହାଙ୍କୁ ଛାଡ଼ି ଦେଇଗଲ ସେମାନେ ବଞ୍ଚିବେ କାହାକୁ ନେଇ । ସେମାନଙ୍କୁ କନ୍ଦାଇ କନ୍ଦାଇ ମାରିବାକୁ ତମକୁ ସୁଖ ଲାଗେ ସିନା–କିନ୍ତୁ ସେମାନେ କ’ଣ ତମ କତିରେ କାମନା କରିଥିଲେ ଏଇଆ ।

 

ପଥର ଦେବତା ମୋର ଅନ୍ତରର କଥା ଶୁଣିଲେ ନାହିଁ ।

 

ଦୋ’ ଟି ମାସ ପରେ ।

 

ସେଦିନ ଗୋଧୂଳି ମଉକା ବେଳେ ଜଗନ୍ନାଥ ମନ୍ଦିର ବେଢ଼ା ଭିତରେ ।

 

ପ୍ରଥମେ ତାଙ୍କୁ ମୁଁ ଦେଖି ଚିହ୍ନିପାରିଲି ନାହିଁ । ପୂର୍ବ ରୂପ ସୌରଭ ଲିଭି ଯାଇଚି । ଲମ୍ବା ଲମ୍ବା ନିଶ ଦାଢ଼ି ଭିତରେ ତଥାପି ତାଙ୍କୁ ମୁଁ ସ୍ପଷ୍ଟ ବାରିନେଲି, ଅରୁଣବାବୁ ! ମୋତେ ସେ ଦେଖି ନ ଦେଖିଲା ପରି ଚାଲି ଯାଉଥିଲେ । ଡାକିଲି, ଅରୁଣବାବୁ !

 

ସେ ଛିଡ଼ା ହୋଇ ପଛକୁ ଚାହିଁଲେ । ମୁଁ କତିକି ଗଲି । ପଚାରିଲି, ଚିହ୍ନି ପାରୁଚ ।

 

ତମକୁ ଚିହ୍ନି ପାରିବିନି–ଆଉ ଚିହ୍ନିବି କାହାକୁ ।

 

ଏଇଠି ଆସି ଲୁଚି ଲୁଚି ଚାଲି ଯାଉଚ–ଆମ ଘରକୁ ଟିକିଏ ଯାଉନାହଁ । ରେବ ସିନା ମରି ଯାଇଚି, କିନ୍ତୁ ଆମେ ତ ମରିନାହୁଁ ।

 

ଅରୁଣ ବାବୁଙ୍କ ଆଖିରେ ବିନ୍ଦୁ ବିନ୍ଦୁ ଅଶ୍ରୁ ।

 

ପଚାରିଲି, ଏ ବୈରାଗ୍ୟ ବେଶ କାହିଁକି ? ଦୁନିଆ ପ୍ରତି ସବୁ ମମତା କ’ଣ ତୁଟାଇ ଦେଇ ସାରିଲାଣି ?

 

ରେବ ମଲାଦିନଠୁ ନୂଆବୋଉ !

 

କିନ୍ତୁ ବୟସ ତ ତା’ କହୁନାହିଁ । ଇଚ୍ଛା କଲେ ପୁଣି ନୂଆ ସଂସାର ଗଢ଼ିପାରିବ ।

 

ଭଙ୍ଗାକାନ୍ଥରେ ମାଟି ଲିପି ଆଉ ଲାଭ କ’ଣ ?

 

ଭୁଲ୍ ବୁଝୁଛନ୍ତି ଅରୁଣବାବୁ ! ଜାଣି ଜାଣି ଜୀବନଟାକୁ ଜାଳିଦେଲେ ଭଗବାନ ଅସନ୍ତୁଷ୍ଟ ହେବେ । ପୁଣି ବାହା ହୁଅ । ଜୀବନଟାକୁ ପୁଣି ନୂଆ ସୁଅରେ ଭସାଇ ଦିଅ, ଏତିକି ମୋର ଅନୁରୋଧ । ଭାଉଜଙ୍କ କଥାକୁ ଏଡ଼ି ଦିଅନା । ତମର କଷ୍ଟ ଦେଖିଲେ ମୋ ହୃଦୟରେ ଯେଉଁ ଆଘାତ ଲାଗେ ତା’ ତମେ ବୁଝିପାରିବନି ଅରୁଣବାବୁ ।

 

ମୋ ଜୀବନର କରୁଣ ଇତିହାସ ଦି’ପଦ ଆଗେ ଶୁଣ । ତା’ପରେ ଅନୁରୋଧ କରିବ ନୂଆବୋଉ ! ପାଞ୍ଚବର୍ଷ ତଳେ । ଜୀବନର ପ୍ରଥମ ପ୍ରଭାତରେ ମୋର ଜଣଙ୍କ ସାଙ୍ଗରେ ପରିଚୟ । ସେ ବଡ଼ଲୋକ–ମୁଁ ଗରିବ । ତଥାପି ସେ ମୋତେ ଭଲ ପାଇଲା । କିନ୍ତୁ ଭଲ ପାଇ ଦିନେ ଏପରି ଆଘାତ ଦେଲା–ସେ ଆଘାତର ଚିହ୍ନ ଏ ଯାଏ ହୃଦୟରୁ ଲିଭି ନାହିଁ । ସେଇଦିନଠାରୁ ବଡ଼ଲୋକ ପୁଅ ଝିଅଙ୍କଠାରୁ ଜାଣି ଜାଣି ଦୂରରେ ରହୁଥିଲେ । ପ୍ରତିଜ୍ଞା କରିଥିଲି ଜୀବନରେ କେବେ ସେମାନଙ୍କ ସାଙ୍ଗରେ କ୍ଷଣିକ ପାଇଁ ମିଶିବି ନାହିଁ ବୋଲି ।

 

ଜୀବନର କାନ୍ତ କମନୀୟ ଗୋଧୂଳିରେ ହଠାତ୍ ପୁଣି ଦିନେ ତମର ସ୍ନେହ, ଆଳାପ ମୋର ସବୁ ପ୍ରତିଜ୍ଞାକୁ ଚହଲାଇ ଦେଲା । ଦିନେ କେଇଟା ପରେ ଅତୀତର ପୁଣି ପୁନରୁକ୍ତି । ତମେ ବଡ଼ଲୋକ–ମୁଁ ଗରିବ । କିନ୍ତୁ ଏତିକି ସାନ୍ତ୍ୱନା ପାଇଥିଲି ତମେ ମୋ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲ ମନେ ମନେ । ଅତୀତର ସେଇ ଝିଅଟି ପରି ନିଜେ ଆସି ମୋତେ ଗରିବ ବୋଲି ବିଦ୍ରୂପ ଭରା ଉପହାସ କରିଯାଇ ନଥିଲ । ମୋ ପାଇଁ ଯେତେ ଦୁଃଖିତ ହୋଇ ନଥିଲି–ତମ ପାଇଁ ହୋଇଥିଲି ତାଠୁଁ ଅଧିକ ।

 

ପୁଣି ଜୀବନରେ ସେଇ ମହଲଣ ଛାଇ ନେଉଟା ବେଳେ ରେବକୁ ମୋ’ ହାତରେ ଟେକିଦେଲା ବିଜୟ ! ମୋ ହୃଦୟର ପରାଶ ଅନୁଭବ କରିଥିଲା ସେ । ସେଇଥିପାଇଁ ତା’ର ଦାନକୁ ମୁଁ ଉପେକ୍ଷା କରିପାରିଲେ ନାହିଁ । କିନ୍ତୁ ଦିନ କେଇଟା ପରେ ରେବ ବି ଚାଲିଗଲା । ମଲାବେଳେ ସେ ଯେଉଁ କଷ୍ଟରେ ମଲା, କାହାପାଇଁ ! ସେ ହୃଦୟ ବିଦାରକ ଦୃଶ୍ୟ ଆଜି ଆଖି ଆଗରେ ନାଚି ଯାଉଚି । ଖାଲି ଏତିକି ସେ କହିଯାଇଥିଲା ମୋତେ ଭୁଲିଯିବ ନାହିଁ ।

 

ଆଜି ଜୀବନର ସନ୍ଧ୍ୟା । ଚାରିଆଡ଼ୁ ଅନ୍ଧାର ଘେରି ଆସିଲାଣି । ପୁଣି ଯଦି ମୁଁ ବିବାହ ହୁଏ, ତେବେ ରେବ ପ୍ରତି ଅନ୍ୟାୟ, ଅବିଚାର ହେବନାହିଁ ତ ! ମୋ ପାଇଁ ସେ ତା’ର ଜୀବନକୁ ତିଳ ତିଳ ଦାନକରି ଖାଲି ଏତିକି କହିଯାଇଚି, ମୋତେ ଭୁଲିଯିବ ନାହିଁ । ମୁଁ ଏଡ଼େ ଅକୃତଜ୍ଞ । ତା’ ପ୍ରତି ପୁଣି କ୍ଷଣିକ ସୁଖ, ସମ୍ଭୋଗ ପାଇଁ ନିଷ୍ଠୁର ନିର୍ମମ ବିଚାର କରିବା କିମିତି । ତା’ରି ସ୍ମୃତି ମୋ ଜୀବନରେ କେଡ଼େ ପବିତ୍ର, ଶାନ୍ତିଦାୟକ । ତା’ର ସ୍ମୃତି ଆଜି ମୋତେ ହସାଏ, କନ୍ଦାଏ । ପୁଣି ବେଳେ ବେଳେ ଆସି ବେଦନାର ଲୁହ ପୋଛିଦିଏ । କୁହେ, ସ୍ୱାମୀ ମୁଁ ତମ ପାଖେ ପାଖେ ଅଛି । ଯେଉଁଦିନ ତା’ ସ୍ମୃତିକି ମୁଁ ଭୁଲିଯିବି–ସେଇଦିନ କାଳରାତ୍ରିର ଏଡ଼େ ନିବିଡ଼ ତମସା ବୁକୁରେ ମୋର ଅସ୍ତିତ୍ଵ ହଜିଯାଇଥିବ । ତା’ ପୂର୍ବରୁ କମିତି ଭୁଲିବି ନୂଆବୋଉ, ତମେ କୁହ।

 

ମୋ ଆଖିରୁ ଛୁଟିଲା ଧାର ଧାର ଲୁହ । ତୁଣ୍ଡ ଖୋଲିବାକୁ ଭାଷା ମିଳିଲା ନାହିଁ ।

 

ମୁଁ ଜାଣେ ନୂଆବୋଉ, ମୋ ଦୁଃଖରେ ଆଜି ଯଦି କିଏ କାନ୍ଦୁଥାଏ ସେ କେବଳ ତୁମ ଛଡ଼ା କେହି ନୁହେଁ । ଜୀବନର କି ଅଶୁଭ ବେଳାରେ ଆମର ପରିଚୟ ନୂଆବୋଉ, ଦିହିଁଙ୍କର ଖାଲି କାନ୍ଦିବାହିଁ ସାର ହେଲା ।

 

ଆଖିରୁ ଲୁହ ପୋଛି କହିଲି, ଆଜି ଆମ ଘରକୁ ଚାଲ ମୋ’ ସାଙ୍ଗରେ ।

 

ନାଁ ନୂଆବୋଉ ! ମାସେ ହେଲା ମୋ ଚାକିରୀର ପୁଣି ପୁରିକି ହେଲାଣି ବଦଳି । ଏଇଠି ଥାଏ, କିନ୍ତୁ ଇଚ୍ଛା କରି ଯାଏନା । ଗଲେ କ’ଣ ହେବ–ଖାଲି ଦୁଃଖର ବୋଝରୁ ମେଞ୍ଚାଏ ନେଉ ଫେରି ଆସିବାକୁ ହେବ । ମୁଁ ଜାଣେ ନୂଆବୋଉ, ତମର ସ୍ନେହ ହାର ମୋ ପାଇଁ ସବୁବେଳେ ଉନ୍ମୁକ୍ତ । କିନ୍ତୁ ତମେ ଏବେ କୋଉ ସୁଖରେ ଅଛ । ଜୀବନରେ ସବୁ ପାରିବି, କିନ୍ତୁ ତମପରି ହୃଦୟ କୋଟିଏରେ ଗୋଟିଏ ପାଇବି ନାହିଁ ।

 

ଦୁନିଆରେ ଯିଏ ଅପରକୁ ସ୍ନେହଦେଇ ନିଜକୁ ଭଲ ମଣିଷ ହେବାକୁ ଚେଷ୍ଟାକରେ, ତା’ରି ପ୍ରତି ଭଗବାନଙ୍କର ନିର୍ମମ ଅବିଚାର କାହିଁକି ?

 

ଭାଙ୍ଗି ପଡ଼ନା ନୂଆବୋଉ ! ଦୁନିଆରେ ଯିଏ ଭଲ ହେବାକୁ ଚେଷ୍ଟାକରେ ତାକୁ ପରା ଭଗବାନ ବାର ବାର ପରୀକ୍ଷା କରନ୍ତି ।

 

ବିଜୟ, ଶାନ୍ତି ସେତିକିବେଳେ ମୋତେ ଖୋଜିଖୋଜି ଆସି ପହଞ୍ଚିଲେ । ସମସ୍ତେ ଅନୁରୋଧ କଲେ ଅରୁଣବାବୁଙ୍କୁ ଘରକୁ ଯିବାକୁ କିନ୍ତୁ ସସସ୍ତଙ୍କର ଅନୁରୋଧକୁ ଏଡ଼ିଦେଇ ସମସ୍ତଙ୍କୁ କନ୍ଦାଇ ସେ ଲୁହ ଛଳ ଛଳ ଆଖିରେ ବିଦାୟ ନେଲେ ।

 

ଜଗନ୍ନାଥ ଦର୍ଶନ ସାରି ଘରେ ଆସି ପହଞ୍ଚିଲା ବେଳକୁ ରମେଶ ଆସି ପହଞ୍ଚିଛି । ତା’କୁ ଦେଖି ଅତୀତର ଗୋଟିଏ ଦିନର ସ୍ମୃତି ମନେ ପଡ଼ିଲା । ଯେଉଁଦିନ ବୀଣା, ରେଣୁକୁ ନେଇ ସେ ଏ ଘରେ ପ୍ରଥମ କରି ପାଦ ଦେଇଥିଲା

 

–ଆଖିରେ ଲୁହ ଝରି ଆସିଲା । ପଚାରିଲି, ରମେଶ, ତମେ ଆସିଛ, ବୀଣା କାହିଁ ?

 

ରମେଶ ଆଖି ଲୁହ ଛଳଛଳ ।

 

ମୁଁ ଜାଣେ ରମେଶ, ବୀଣାକୁ ତମେ ଆଣିନାହଁ । କିନ୍ତୁ କାହିଁକି ? ମୁଁ ତ ତାକୁ ସବୁଦିନ ଭଉଣୀ ପରି ଦେଖି ଆସିଥିଲି । ତଥାପି ତମେ ତାକୁ ମୋ କୋଳରୁ ଛଡ଼ାଇ ନେଇଗଲ ।

 

ବିଜୟ କହିଲା, ନୂଆବୋଉ, ପାଗଳିଙ୍କ ପରି କ’ଣ ତୁମେ କହୁଚ । ହଁ ବିଜୟ, ମୁଁ ଆଜି ପାଗଳୀ ହେଇଯାଇଛି । ବୀଣା, ରେବ, ସ୍ଵାମୀ, ଶରତ ସମସ୍ତେ ଆଜି ମୋତେ ପାଗଳୀ କରିଦେଇ ଯାଇଚନ୍ତି । ମୁଁ ଆଉ ସେମାନଙ୍କୁ ଛାଡ଼ି ରହିପାରିବି ନାହିଁ ।

 

ରମେଶ ଆଖିରୁ ଲୁହ ପୋଛି କହିଲା, ନୂଆବୋଉ, ତମେ ଇମିତି ହେଲେ ଚଳିବ କିପରି ? ଥରେ ଏଇମାନଙ୍କ ଆଡ଼କୁ ଫେରି ଚାହଁ ! ବିଜୟ, ଶାନ୍ତି, ବସନ୍ତ ସମସ୍ତେ ତମକୁ କେଡ଼େ ଭଲ ପାଆନ୍ତି । ତମର ସ୍ନେହ ଟିକେ ପାଇବା ପାଇଁ କେଡ଼େ ଆଗ୍ରହରେ ସେମାନେ ଚାହିଁ ରହିଚନ୍ତି । ସେଇମାନଙ୍କୁ ତମେ ଏତେ ଭଲପାଅ–ଆଜି ସେମାନଙ୍କୁ ସ୍ନେହରୁ ବଞ୍ଚିତ କରିବ କିପରି ?

 

କିନ୍ତୁ ରମେଶ କେତେଦିନ ମୁଁ ଏଇମାନଙ୍କ ଆଡ଼କୁ ଚାହିଁ ରହିବି । ସେମାନଙ୍କ ସ୍ମୃତି ଯେ ମୋତେ ବିଚଳିତ କରି ପକାଇଲାଣି ।

 

ଯେତେଦିନ ତମର ଜୀବନର ଦୀପ ଜଳୁଥିବା ଇମିତି ଦିକି ଦିକି ହୋଇ ଦୁନିଆର ଝଡ଼ଝଞ୍ଜା ଦୁର୍ବିପାକରେ–ସେତେଦିନ ପର୍ଯ୍ୟନ୍ତ ଏଇମାନଙ୍କୁ ଚାହିଁ ତମକୁ ବଞ୍ଚି ରହିବାକୁ ହେବ ନୂଆବୋଉ !

 

ତା’ପରେ ?

 

ରମେଶ ନିରୁତ୍ତର ।

 

ଆଖିର ଲୁହରେ ମୋରି ପ୍ରଶ୍ନ ମୋତେ ଉତ୍ତର ଦେଲା ତା’ ପରେ ସବୁ ଅନ୍ଧାର । ତମର ଛୁଟି ।

☆☆☆

 

 

 

 

 

 

 

 

 

 

 

 

 

ବିଦେଶ ବାହୁଡ଼ା

 

ଗରୀବ, ବଡ଼ ଗରୀବ ସେମାନେ–

 

ଆକାଶ ତଳର ଏଇ ଗାଁ ମାଟି କାଦୁଅ ଉପରେ ସେଇମାନେ ଦିନେ ହସି ହସି ଆସନ୍ତି; ସୁଖର ସଂସାର ପାତନ୍ତି–ପୁଣି ଦିନେ ହସି ହସି ବାହୁଡ଼ି ଯାଆନ୍ତି । ମାଟି ଉପରେ ତାଙ୍କର ମରା ଶରୀରଟା ଢଳିପଡ଼େ । ତା’ ପରେ ସବୁ ଶୁନ୍‍ଶାନ୍‍; ବହଳ ଘାସ ତଳେ ତଳେ ସବୁ ଲିଭିଯାଏ । ଖାଲିରହେ ପୋଡ଼ା ଅଙ୍ଗାର ଦେହରେ ସ୍ମୃତିର ଦରଲିଭିଲା ଛାଇ ।

 

ଥୋକେ ମଣିଷ ସମାଜ ତାଙ୍କୁ ଘୃଣା କରନ୍ତି, ଦୂରରେ ରହିବାକୁ ଇଙ୍ଗିତ ଦିଅନ୍ତି; ଛୁଅନ୍ତି ନାହିଁ–ସେମାନେ ଛୋଟ ଜାତି । ଛୋଟକୁଳରେ କୁଆଡ଼େ ତାଙ୍କର ଜନମ । ଥୋକେ ତାଙ୍କୁ ସ୍ନେହ କରନ୍ତି–ଗରିବ ବୋଲି ଦୟା ଦେଖାନ୍ତି । ଆଉ ଥୋକେ ତାଙ୍କର ସର୍ବନାଶ କରିବାକୁ ଆଗେଇଯା’ନ୍ତି-

 

ବଡ଼ ସରଳ ସେମାନେ । ଜାଣନ୍ତି ନାହିଁ ଛନ୍ଦ, କପଟ–ବାଦ ବିବାଦ । ଖାଲି ସେମାନେ ଜାଣନ୍ତି ଖଟିବା–ମୋଟାଗେଟା ଖଣ୍ଡେ ପିନ୍ଧିବା–ଆଉ ଖାଇବା । ଭୂଇଁ ତାଡ଼ି ସେମାନେ ମାଟିରୁ ସୁନା ଫସଲ ଫଳାନ୍ତି–ମୂଲ ଲାଗନ୍ତି, ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅନ୍ତି । କାହାରି ଭଲରେ ମନ୍ଦରେ ନଥାନ୍ତି । ଛାରଛିକର ମୂଲିଆ ମୁଣ୍ଡ–ଏତେ କଥା ଭିତରକୁ ଯାଏ କିଏ ? ତଥାପି ଏମାନେ ବାବୁମାନଙ୍କର ପଦଦଳିତ ହୁଅନ୍ତି । ସମାଜ ୟାଙ୍କୁ ଅବହେଳିତ କରି ରଖେ । ତେବେ ବି ସେମାନଙ୍କର ଚେତା ପଶେନି । ସେଇ ଛୋଟିଆ କୁଡ଼ିଆରେ ମୁହଁମାଡ଼ି ପଡ଼ିଥାନ୍ତି । ଇମିତି ସେମାନଙ୍କର ଜୀବନ ଓ ସୁଖଦୁଃଖର ସଂସାର ।

 

ପଟାମୁଣ୍ଡାଇ କେନାଲକୂଳେ ଚନ୍ଦନପୁର ବଡ଼ ଗାଁ । କେତେ ଜାତି କେତେ ଘର–ମଣିଷ-। ଅନାଇଲେ ସୁମାରି କରି ହୁଏନା, ସତେ ଯେପରି ସରଗ ଚାନ୍ଦୁଆର କୋଟି–କମ–କରା ତାରାଫୁଲ ପରି ଅସୁମାରି । ମଝିରେ ବଡ଼ ରାସ୍ତା ସିଧାସଳଖ ହୋଇ ଚିତ୍‍ କରି ଶୋଇପଡ଼ିଚି-। ସମୟର ଆଉଁସା ସହି ସହି ସେ ସେମିତି ପଡ଼ିଚି–କେବେ ଉଠିବ କେହି କହିପାରିବେ ନାହିଁ-। ତା’ରି ପ୍ରତି ଧୂଳିକଣାର ଆଶୀର୍ବାଦ ନେଇ ଚନ୍ଦନପୁର ଗାଁରେ ଦିନ, ମାସ, ବର୍ଷ ବିତି ଯାଉଚି–ସମୟର ସୁଅରେ ଭଉଁରି ଖେଳି ଖେଳି ।

 

ବଡ଼ ରାସ୍ତା ଦି’କରକୁ ଦି’ ସାହାରା ଘର–ବ୍ରାହ୍ମଣ, କରଣ, ଖଣ୍ଡେଇତ ଇମିତି କେତେ ଜାତି । କାଠଘର, କୋଉଠି ବାଉଁଶ କୋଉଠି ଇଟା ଚୂନର ପକ୍କାଘର । ଘରଗୁଡ଼ିକର ଗଠନରୀତି ସୁନ୍ଦର । ଦି’କରକୁ ଦି’ସାହାରା ଘର ଗାଁଟିକୁ ବେଶ୍ ମାନେ । ବଡ଼ ରାସ୍ତା ଯେଉଁଠି ହଜିଯାଇଚି...ସେଇଟା ଗାଁର ଶେଷମୁଣ୍ଡ । ସେଇଠି ତିରିଶ ଚାଳିଶଟା ନୁଆଣିଆ ଘର । ପବନ ହେଲେ ଘରଚାଳର ନଡ଼ା ଉଡ଼ିଯାଏ–ମେଘ ବରଷେ । କେବେ କେବେ ବଡ଼ ଝଡ଼ିବର୍ଷା ହେଲେ କେତୋଟି ନୁଆଁଣିଆ ଘରର ବଅସ ପରିଯାଏ–ମାଟି ଉପରେ ଢଳିପଡ଼େ । ପୁଣି ସେଇଠି ଦଦରା ବାଉଁଶର ଘର ଛିଡ଼ାହୁଏ–ମଲା ମଣିଷର ଜୀର୍ଣ୍ଣ କଙ୍କାଳ ପରି ।

 

ସେହି ଘରଗୁଡ଼ିକରେ ରୁହନ୍ତି ଗୋଖା, କଣ୍ତରା, ହାଡ଼ି, ବାଉରୀ, ଡମ, ପାଣ । ଏଇମିତି କେତୋଟି ଛୋଟ ଜାତିଙ୍କର ସେଇଠି ଠାବ । ଛୋଟ ବୋଲି ସେମାନେ ଗାଁରେ ଗୋଟିଏ କରରେ ଅରମା ବୁଦବୁଦିଆ ଜଙ୍ଗଲ ଭିତରେ ପଡ଼ି ରହିଥାନ୍ତି । ଏଇ ଅଚ୍ଛବ ବସ୍ତି ସେପଟରେ ଆମ୍ବତୋଟା, ମଶାଣି–ଟିକିଏ ଦୂରରେ ଧାନବିଲ ।

 

ଏଇମାନଙ୍କ ଭିତରୁ ଅଧିକାଂଶ ଚାଷ କରନ୍ତି–ମୂଲ ଲାଗନ୍ତି । କିଏ କିଏ କୋଉଠି ବେଠି ଖଟନ୍ତି । କିଏ ଅବା ଦୂର ବିଦେଶରେ ଚାକିରୀ କରିଚନ୍ତି–କୋଉ ଚଟକଳ, ସୂତାକଳ କିମ୍ଵା ଆସାମର ଚା’ ବଗିଚାରେ । ଅଧିକାଂଶଙ୍କ ଅବସ୍ଥା ପ୍ରାୟ ଏକରକମ । ଅଭାବ–ଅସୁବିଧା, ଦୁଃଖ–କଷ୍ଟ ସବୁଦିନେ ପଛକୁ ପଛ ଲାଗି ରହିଚି–ସାଗର ଉତ୍ତାଳ ତରଙ୍ଗ ପରି । କା’ର ଅବସ୍ଥା ଟିକେ ଭଲ, କା’ର ଦିନେ ଖାଇଲେ ଦି’ଦିନ ଉପାସ । ଇମିତି ଚନ୍ଦନପୁରର ଅଚ୍ଛବ ବସ୍ତିର ଛୋଟିଆ କୁଡ଼ିଆରେ ସେମାନଙ୍କର ସଂସାର ।

 

ଏହାର ଭିତରେ ଲକ୍ଷ୍ମଣ ମଳିକ ଗୋଟିଏ ଲୋକ । ଜାତିରେ କଣ୍ଡରା ହେଲେ କ’ଣ ହେଲା ଭାରି ଭଲ ମଣିଷ । କାଳିଆ–ପାଞ୍ଚ ହାତର ଲୋକଟାଏ । ମୁହଁଟା ଗୋଲ, ନାକଟା ଟିକିଏ ଚେପ୍‍ଟା, ଆଖି ଦି’ଟା ଛୋଟ ଛୋଟ । ଲୁହାପରି ଦେହର ଅଙ୍ଗପ୍ରତ୍ୟଙ୍ଗଗୁଡ଼ା ଟାଣୁଆ–ପାଷାଣ ପରି ଶକ୍ତ ତା’ର ହୃଦୟ । ତା’ ଜୀବନରେ କେତେ ଦୁଃଖର ଝଡ଼ ବହିଯାଇଚି । କେତେ ଅଦିନିଆ ଶୋକର ଜୁଆର ଉଠିଚି । ତଥାପି ଲକ୍ଷ୍ମଣ ମଳିକ ଭାଙ୍ଗିପଡ଼ି ନାହିଁ । ସବୁ ସହି ସହି ଛାତିଟାକୁ ପାଷାଣ ପରି ଶକ୍ତ କରିଦେଇଚି ।

 

ଅନେକ ଦିନ ତଳର କଥା । ବିରୂପା କୂଳରେ ଥିଲା ତା’ର ବାପ, ଦାଦି ସାତ ପୁରୁଷର ଘର । ବିରୂପା କୂଳରେ ଛୋଟିଆ ଗାଁ ଅଳପୁଆ ଥିଲା ତା’ର ଜନ୍ମମାଟି । ଲକ୍ଷ୍ମଣ ମଳିକକୁ ତା’ର ବାପା ଚକର ମଳିକ ବାହା କଲା । ବୁଢ଼ା ପୁଅ–ବୋହୁ ନେଇ ସୁଖର ସଂସାର ଦେଖିବ କ’ଣ, ନିୟତିର ଡାକରାରେ ଚିରଦିନ ପାଇଁ ଆଖି ବୁଜିଲା । ଲକ୍ଷ୍ମଣ ମଳିକ ଆଗରୁ ମା’ ହରାଇଥିଲା–ଆଜି ବାପାକୁ ହରାଇ ବିଚଳିତ ହୋଇପଡ଼ିଲା । ଲଇକ୍ଷିଣିଆର ଆଉ ନିଜର ହେଇ କେହି ନ ଥିଲେ, ମରଣର ବହଳ ଶେଯ ଉପରେ ସବୁ ଆଗରୁ ଡାକିହାକି ଶୋଇ ପଡ଼ିଥିଲେ । ଲଇକ୍ଷିଣିଆର ଭଙ୍ଗା ହୃଦୟରେ ସାହସ ଆଣିଦେଲା ତା’ର ସ୍ତ୍ରୀ ସୁନା । ସୁନାକୁ ନେଇ ଲଇକ୍ଷିଣିଆ ପୁଣି ତା’ର ସୁନାର ସଂସାର ଗଢ଼ିଲା । ଲଇକ୍ଷିଣିଆର ଜମି ବୋଲି ବକଟେ ନଥିଲା । ସାତ ପୁରୁଷର ଜମି ଷୋଳଗୁଣ୍ଠ ତା’ ବାପ ପେଟ ଚାଖଣ୍ଡକ ପାଇଁ ବିକିଦେଇଥିଲା । ଲଇକ୍ଷଣ ଗାଁରେ ମୂଲ ଲାଗିଲା । ମୂଲରୁ ଯା’ ଦି’ପଇସା ପାଏ, ସେଇଥିରେ ସୁରୁଖୁରୁରେ ଦୁଇଟି ପରାଣୀ ଚଳିବାକୁ ଲାଗିଲେ ।

 

କିଏ ଜାଣିଥିଲା ତାଙ୍କ ଗାଁକୁ ଇମିତି ବିପଦ ମାଡ଼ି ଆସିବ ବୋଲି । ସେ ବର୍ଷ ଯେଉଁ ବଢ଼ି–ଇମିତି ଲୋକ କେବେ ଦେଖି ନଥିଲେ । ଉଛୁଳା ବଢ଼ି ବିରୂପାର କୂଳ ଖାଉଥାଏ । ଚାରିଆଡ଼େ ପାଣି–ଖାଲି ପାଣି । ଦିନକୁ ଦିନ ପାଣି ବଢ଼ିବାକୁ ଲାଗିଲା । ଗାଁରେ ପାଣିର ସୁଅ ଛୁଟିଲା । କେତେ ଘରଦ୍ଵାର ଭାଜି ପଡ଼ିଲା । ଯିଏ ଯୁଆଡ଼େ ପ୍ରାଣ ବିକଳରେ ପଳାଇବାକୁ ଲାଗିଲେ-। ଦି’ଦିନ ପରେ ଘରଦ୍ଵାର, ଗାଈଗୋରୁ ସବୁ ଭାସିଗଲେ । କେତେ ପିଲା କବିଲା, ବୁଢ଼ା ବୁଢ଼ୀ ପାଣିତଳେ ସମାଧି ପାଇଲେ । କେତେ ଭାଗ୍ୟଯୋରରୁ ବଞ୍ଚିଗଲେ । ଲଇକ୍ଷିଣିଆ ସୁନାକୁ ନେଇ ଗୋଟାଏ ଗଛ ଉପରେ ଚଢ଼ି ରକ୍ଷାପାଇଲା । ପାଞ୍ଚଦିନପରେ ପାଣି କମିଲା–ଲଇକ୍ଷିଣିଆର ଜୀବନ ପଶିଲା ଦେହରେ । ଭାବିଲା, ଘରଦ୍ଵାର ସବୁ ତ ଗଲା–ଗାଁରୁ ଅଧେ ବିରୂପା ଗର୍ଭରେ ମିଶିଗଲା-। ନିଜ ଘରରଟିକିଏ ଚିହ୍ନବର୍ଣ୍ଣ ବି ରହିଲା ନାହିଁ । ପୁଣି ଏଇଲାଗେ କୁଆଡ଼େ ଯିବ । ଲଇକ୍ଷିଣିଆ ଆଖିରୁ ଲୁହ ଝର ଝର ହୋଇ ଝରିପଡ଼ିଲା ।

 

ଏଇ ତା’ର ଜନ୍ମମାଟି । ୟାରି ଛାୟାରେ ସେ ମଣିଷ ହୋଇଚି । ଇୟାରି ଉପରେ ତା’ର କେତେ ପୁରୁଷ ଘର ସଂସାର କରି ଚାଲିଯାଇଚନ୍ତି–ସେ ବି ଦିନେ ପୁରର ଡାକରାରେ ଯାଇଥାନ୍ତା । କିନ୍ତୁ ସେ ଆଜି ବଞ୍ଚି ଥାଉଁ ଥାଉଁ ଜନ୍ମମାଟିର ମମତା ଛଡ଼ାଇବ । ଆଉ ଏ ହତଶିରୀ ଗାଁରେ ରହିବ କାହିଁକି ? ଘରଦ୍ଵାର ଗଲା–ଗାଁରୁ ଅଧେ ବିରୂପା ଗ୍ରାସ କଲା । ଆଉ ବାକି ଅଧକ, ସେ ବି ଆଉ ଥରେ ବଡ଼ ବଢ଼ିରେ ମିଶିଯିବ–ଅଳପୁଆ ଗାଁର କିଛି ଚିହ୍ନବର୍ଣ୍ଣ ବି ରହିବ ନାହିଁ ।

 

ଖାଲି ଭାବିଲା, ଗାଁ ଛାଡ଼ି କୁଆଡ଼େ ଯିବ ? ଶଶୁର ଘର ତ ନିଜର ହେଇ କେହି ନାହାନ୍ତି-। ସବୁ ଯାଇଚନ୍ତି କାଳର କବଳରେ ପାଉଁଶ ହେଇ । ନିଜର ହେଇ ଆଉ କିଏ ଅଛି–କୋଉଠି ମୁଣ୍ଡ ଗୁଞ୍ଜିବ । ସୁନା କହିଲା ଚନ୍ଦନପୁର ଏଠିକି ଅଢ଼େଇ କୋଶ ବାଟ । ସେଇ ଗାଁ ଜମିଦାର କୁଆଡ଼େ ଭାରି ଭଲ ମଣିଷ । ତା’ଙ୍କ କତିକି ଚାଲ । କହି ବୋଲି ତାଙ୍କଠୁ ବକଟେ ଜାଗା ନେଇ ଘର ଦୁଆର କରି ରହିବା । ସୁନା କଥାଟା ଲଇକ୍ଷିଣିଆର ମନକୁ ପାଇଲା । କେତେ ଦୁଃଖରେ ସୁନାକୁ ନେଇ ଗାଁ ମାଟିର ବନ୍ଧନ କାଟି ଆଗକୁ ଚାଲିଲା । ଗଲାବେଳେ ସେ ଥରେ ଫେରିପଡ଼ି ଗାଁକୁ ଅନାଇଲା-

 

ଆହା, ଏଇ ଗାଁ ତା’ର କ’ଣ ହେଇଚି, ଚାରିଆଡ଼େ ଖାଁ ଖାଁ ନିଶୂନ୍ । କୋଉଠି କୋଉଠି ଜୀବଜନ୍ତୁ ମରିପଡ଼ିଚନ୍ତି–ଉତ୍କଟ ପଚାଗନ୍ଧରେ ନାକ ଫାଟି ପଡ଼ୁଛି । କୋଉଠି କା’ର ପିଲାପିଲି ପାଣିରେ ଭାସି ଯାଇଛନ୍ତି–ବାପା ମା’ଙ୍କର କରୁଣ କ୍ରନ୍ଦନ ଚିତ୍କାର ଆକାଶର ନୀରବତା’ ଛାତି ଦୋହଲାଇ ବାଜି ଉଠୁଚି କାନ ପାଖରେ । ଚାରିଆଡ଼େ କାଳର କରାଳ ବିଭୀଷିକା ଘେରି ରହିଛି ।

 

ଦିନ ଥିଲା, ଏଇଗାଁ ତା’ର ସରଗ ଦେବତାର ଆଲୁଅ, ପାଣି ପବନର ଆଶୀର୍ବାଦ ନେଇ ସବୁବେଳେ ହସି ଉଠୁଥିଲା । ସବୁଜ ଗଛରାଜିର ଉହାଡ଼ରେ ସକାଳର ସୁନା କିରଣ ପାଇ ଗାଁ ତା’ର ଅବିର ଖେଳୁଥିଲା–ସଞ୍ଜରେ ଛାୟା ଓ ଆଲୋକ ମିଳନରେ ସପନ ପୁରୀର ରୂପ ଛବି ପରି ହସି ଉଠୁଥିଲା । ରାତିରେ ସୁକୁମାରୀ ଜହ୍ନରାଣୀ ଯେତେବେଳେ ବଉଦ ପଣତ ଟାଣି ଓଠରେ ସରୁ ହସ ଫୁଟାଉଥିଲା, ସେତେବେଳେ ଏଇ ଗାଁ । ରୂପେଲି ଆଲୁଅରେ ଦିଶୁଥିଲା ଜକ୍ ଜକ୍...କି ସୁନ୍ଦର । ଗାଁର ଦାଣ୍ଡେ ଦାଣ୍ଡେ ଛୋଟ ଛୋଟ ପିଲାଙ୍କ ଚକା ଭଉଁରି, ଲୁଚକାଳି ଖେଳ–କୋଉଠି ଟୋକା ଟୋକାଙ୍କର ତାସ, ପଶା ପାଲି–କୋଉ ପିଣ୍ଡାରେ ଗାଁର ପୁରୁଣା ମାଇପିଙ୍କର ମେଳି, ଲୁଚିଛପି କା’ଝିଅ ବହୁଙ୍କର ଦୋଷତ୍ରୁଟିର ସମାଲୋଚନା । ଦିନେ ଦିନେ ଇମିତି ରାତିରେ ସୁନା ତା’ କତିରେ କେତେ ସୁଖ ଦୁଃଖର କାହାଣୀ କହେ–ସେ ନିଜେ ସବୁ ଶୁଣେ । ଲଇକ୍ଷିଣିଆର ଅତୀତ କଥା ଖାଲି ମନେ ପଡ଼ିଲା ।

 

ଦୂରକୁ ଟିକେ ଅନାଇଲା, ବିଲ ଧାନ କିଆରୀ । ସବୁ ଧାନ ପାଣିରେ ପଚି ଯାଇଛି–ଗରୀବ ଚାଷୀର ସବୁ ଆଶାଟିକି ମରିଯାଇଚି । ଆହାଃ...କ’ଣ ହେଇଚି ଏ ସୁନାର କ୍ଷେତ । ଇଏ କେଇଟା ଦିନ ଆଗରୁ ଏ ଧାନ କିଆରୀକୁ ଦେଖିଲେ ଛାତି ଫୁଲି ଉଠୁଥିଲା ଦି’ ଗୁଣ ଆନନ୍ଦରେ । ଆଜି ସବୁ ଯାଇଚି–ଗାଁରୁ ତା’ର ଲକ୍ଷ୍ମୀ ଛାଡ଼ି ଯାଇଚି । ଲଇକ୍ଷିଣିଆ ଆଉ ଅନାଇ ପାରିଲା ନାହିଁ । ଆଖିରେ ତା’ର ଲୁହ ଛଳ ଛଳ ହୋଇ ଉଠିଲା । ସୁନା ପଚାରିଲା, ତମେ କାନ୍ଦୁଚ । ଏତେ ଦୁଃଖରେ ଲଇକ୍ଷିଣିଆ ମୁହଁରେ ଫୁଟି ଉଠିଲା ଅସ୍ଵାଭାବିକ ହସ । କହିଲା ସୁନା, ଏ–ଗାଁ । ମାଟିର ମମତା ମୁଁ କାହିଁକି ଏଡ଼ିଦେଇ ପାରୁ ନାହିଁ । ସୁନା କହିଲା ଘରଦ୍ଵାର ସବୁ ତ ଯାଇଚି, ଆଉ ମାୟା ଲଗାଉଚି କାହିଁକି ? ଚାଲ । ଲଇକ୍ଷିଣିଆ ଭାବିଲା, ସତେ ତ ତା’ର ଅଛି କ’ଣ । ଗାଁତ ଆଜି ତାକୁ ଆପେ ଆପେ ପର କରି ଦେଉଚି । ସେ ଧୀରେ ଧୀରେ ଆଗକୁ ପାଦ କଢ଼ିଲା ।

 

ନଈ ପାରେହେଇ ଗାଁ । ଏପଟେ ଚାଲୁ ଚାଲୁ ଗୋଟାଏ ଝଙ୍କା ବରଗଛମୂଳେ ଲଇକ୍ଷିଣିଆ ବସିପଡ଼ିଲା । ମୁଣ୍ଡଉପରୁ ଛୋଟ ଗଣ୍ଠିରି ତଳେ ଥୋଇ ସୁନା ପଚାରିଲା, ବସିଲ କାହିଁକି, ଚାଲ...ଚନ୍ଦନପୁର ଆଉ ଅଳପ ବାଟ ଅଛି ଲଇକ୍ଷିଣିଆ କହିଲା, ସୁନା ଫେରି ଚାଲ ପୁଣି ଆମର ସେଇ ଗାଁ ମାଟିକି । ସେଇଠି ପଛେ ମାରିବା ଆଉ ଚନ୍ଦନପୁର ଯିବା ନାହିଁ । ସୁନା ମୁହଁଟାକୁ ଅଭିମାନରେ ଫୁଲାଇ କହିଲା, ଏ କି ଅଫୁଲା କଥା କହୁଚ । ନ ଯିବି ଯଦି ଏତେ ହଟହଟା କରି ଏତେବାଟ ଆସିଲ କାହିଁକି । ମୁଁ ଆଉ ସେ ଲକ୍ଷ୍ମୀଛଡ଼ା ଗାଁ ମାଡ଼ିବି ନାହିଁ–ତମେ ପଛେ ଯା’ । ଲଇକ୍ଷିଣିଆ ସୁନାର କଥା କାଟିପାରିଲା ନାହିଁ ।

 

ସୁନା ତା’ର ସ୍ତ୍ରୀ । ବାହାହେଲା ଦିନଠାରୁ କେବେ ଦିନେ ସୁନାର କଥା ତଳେ ପକାଇ ନାହିଁ । ସୁନାର ସରଳତାରେ ଲଇକ୍ଷିଣିଆ ସବୁ ଦୁଃଖକଷ୍ଟ ଭୁଲି ଯାଇଚି । ଲଇକ୍ଷିଣିଆ ମୂଲ ଲାଗେ, ଦେହଝାଳ ନିଗାଡ଼ି ଦି’ ପଇସା ରୋଜଗାର କରି ସୁନା ହାତରେ ଦେଇଦିଏ । ସୁନା ସେଇଥିରେ ଘରଟି ତା’ର ଚଳାଇନିଏ ସୁରୁଖୁରୁରେ–ପବନ ପରି ହାଲୁକା ସରଳଗତିରେ । ସୁନା ଆସିଲା ଦିନୁ ଲଇକ୍ଷିଣିଆକୁ କୌଣସି ଅସୁବିଧା ଦୁଃଖ ଜଣା ଯାଇନାହିଁ । ସୁନାଟି ସତେ ଯେପରି ସୁନାପରି ସବୁବେଳେ ଉଜ୍ଜ୍ୱଳ, ସୁନ୍ଦର । ଆଜି ସୁନାର ଅଭିମାନଭରା କଥା ପଦକ ଲଇକ୍ଷିଣିଆ ଏଡ଼ିଦେଇ ପାରିଲା ନାହିଁ । ସେ ପୁଣି ଉଠିଲା । ଆଗରେ ତା’ର ଚନ୍ଦନପୁର ପଥ......ସେଇ ପଥ ଲଇକ୍ଷିଣିଆକୁ ଇସାରା ଦେଇ ସତେ ଯେପରି ଡାକି ଉଠିଲା । ଲଇକ୍ଷିଣିଆ ଆଉ ପଛକୁ ନ ଚାହିଁ ଏକା ନିଶ୍ଵାସକେ ଆଗକୁ ଛୁଟିଲା । ସୁନା କହିଲା, ମଲା ଇମିତି ଚାଲି ଯାଉଚ କିମିତି ମ ମତେ ପଛରେ ପକେଇ ଦେଇ । ଲଇକ୍ଷିଣିଆ ଆଉ ଶୁଣିଲା ନାହିଁ–ସେ ଆଗକୁ ଚାଲିଲା । ସୁନା ତାରି ପଥ ଅନୁସରଣ କଲା ଚାଲିବା ଗତି ଟିକେ ଚଞ୍ଚଳ କରି ।

 

ଗୋଲଖ ବିହାରୀ ସାମନ୍ତରାୟ । ଚନ୍ଦନପୁର ଓ ଆଖପାଖ ଦଶଖଣ୍ଡ ମଉଜାର ଜମିଦାର । ବଡ଼ଲୋକ–କେତେ ଦାସଦାସୀ ଖଟୁଚନ୍ତି ତାଙ୍କରି ଘରେ । ଗାଁରେ ଓ ଆଖପାଖ ଦଶ କୋଶରେ ଗୋଲଖ ବାବୁଙ୍କୁ ସମସ୍ତେ ଜାଣନ୍ତି । ଦୁଃଖିରଙ୍କିଙ୍କ ମନକଥା ସେ ଜାଣିପାରନ୍ତି । ସେଇଥିପାଇଁ ସବୁବେଳେ ଗରୀବଙ୍କ ସାଙ୍ଗରେ ମିଳିମିଶି ଚଳନ୍ତି–ଗରୀବଙ୍କର ହାରିଗୁହାରୀ ଶୁଣନ୍ତି-

 

ଜମିଦାର ବୋଲି ଦିନେ ସେ ଗାଁ ରେ ବଡ଼େଇ ଦେଖେଇ ନାହାଁନ୍ତି, ଧନଗର୍ବରେ ଧରାକୁ ସରା ମଣି ନାହାଁନ୍ତି । ସେଇଥିପାଇଁ ଲୋକେ ତାଙ୍କୁ ଧନ୍ୟ ଧନ୍ୟ କହନ୍ତି; ଗୋଲଖ ବାବୁଙ୍କ ବୋଲରେ କାମ କରିବାକୁ ଟାକି ବସିଥାନ୍ତି । ଗୋଲଖ ବାବୁଙ୍କ ସ୍ତ୍ରୀ ଭାରି ଲକ୍ଷ୍ମୀମନ୍ତ । ଲୋକେ କହନ୍ତି, ସେ ଆସିଲାଦିନୁ ଗୋଲଖ ବାବୁଙ୍କ ସବୁକାମରେ ଉନ୍ନତି ହେଇଚି, ଧନଦଉଲତ ରାଶି ରାଶି ବଢ଼ି ଉଠିଚି । ଗୋଲଖ ବାବୁ ଦି’ପୁଅ ଗୋଟିଏ ଝିଅର ବାପ । କୋଉଥିରେ ଭଗବାନ ତାଙ୍କୁ ଊଣା କରି ନାହାନ୍ତି ।

 

ଲଇକ୍ଷିଣିଆ ଆସି ନିଜର ସବୁ ଦୁଃଖ ଗୋଲଖ ବାବୁଙ୍କ ନିକଟରେ ଜଣାଇଲା । ଲଇକ୍ଷିଣିଆର ଦୁଃଖ ଦେଖି ଗୋଲଖ ବାବୁଙ୍କ ହୃଦୟ ତରଳିଗଲା । ତାକୁ ଗାଁର ସେଇ ଅଚ୍ଛବ ବସ୍ତି ଭିତରେ ଥିବା ନିଜର ଜାଗାଖଣ୍ଡେ ଦେଲେ । ଘର କରିବାକୁ ବାଉଁଶ ଛଣ ଯୋଗାଇଦେଲେ ।

 

ଲଇକ୍ଷିଣିଆ ଦି’ଦିନ ଭିତରେ ସେଇଠି ବାଉଁଶରେ ଘର ଖଣ୍ଡିଏ ଠିଆ କଲା । ଘରଟିକୁ ଛୋଟ ଛୋଟ ତିନୋଟି ବଖରା କରିଦେଲା । ଗୋଟିଏ ରୋଷେଇ ଘର, ଗୋଟିଏ ଶୋଇବା ଘର ଓ ଅନ୍ୟଟି ଗାଈଗୋରୁଙ୍କ ଗୁହାଳ କରିବ ବୋଲି ସ୍ଥିର କଲା ।

 

ଦି’ଦିନ ପରେ ଲଇକ୍ଷିଣିଆ ହେଲା ଚନ୍ଦନପୁର ଗାଁର ନୂଆ ମଣିଷ । ପହିଲୁ ପହିଲୁ ତାକୁ ମୂଲ ଲାଗିବାକୁ କିବା କା’ର ବୋଲହାକ ଶୁଣିବାକୁ ମିଳିଲା ନାହିଁ । ଖାଇବା ବିନା ହଇରାଣ ହେଲା-। ନିଜର ଦୁଃଖ ପୁଣି ଯାଇ ଜମିଦାରଙ୍କୁ ଜଣାଇଲା । ଗୋଲଖ ବାବୁ ତାକୁ ନିଜ ବଗିଚାରେ କାମଦାମ କରିବାକୁ ବରାଦ ଦେଲେ ।

 

ସେହିଦିନଠାରୁ ଲଇକ୍ଷିଣିଆ ହେଲା ଜମିଦାର ଘର ଚାକିରିଆ । ସେ ବଗିଚାରେ ନିଇତି ଆସି କାମ କରେ, ଅନାବନା ଗଛ ଉପାଡ଼ି ସଫାସୁତୁରା କରେ । ବାଇଗଣ, କଦଳୀ, ଜହ୍ନି, ଭେଣ୍ଡି, କାକୁଡ଼ି ଇମିତି ନାନା ରକମ ଫସଲ ସମ୍ଭାରରେ ବଗିଚାଟି ଫାଟି ପଡ଼ୁଥାଏ ।

 

ଲଇକ୍ଷିଣିଆ ଫସଲର ତତ୍ତ୍ଵ ନିଏ । ନୂଆ ନୂଆ ଫସଲ ଲଗାଏ । ଖାଇବା ପାଇଁ ଚାଉଳ, ପନିପରିବା ସବୁ ଜମିଦାରଙ୍କ ଘରୁ ନିଏ । ସୁନା ତାରି ପଥକୁ ଅନାଇ ବସିଥାଏ । ଲଇକ୍ଷିଣିଆ ପହଞ୍ଚିଲେ ସୁନା ମୁହଁ ପରିତୃପ୍ତିରେ ଉଜଳି ଉଠେ । ସେ ରୋଷେଇବାସ କରି ସ୍ଵାମୀକୁ ଖାଇବାକୁ ଦିଏ–ଘରର ସବୁ ଖବର ବୁଝେ ।

 

ଇମିତି ସୁରୁଖୁରୁରେ ପୁଣି ଦୁହିଁଙ୍କ ଜୀବନ ବିତି ଚାଲିଲା–ନୂଆ ଗାଁ ମାଟିର ପାଣି ପବନ, ଆଲୁଅ–ଅନ୍ଧାରର ଶାନ୍ତି ଉଛୁଳା ସ୍ନିଗ୍ଧ କୋମଳ ପରଶରେ ।

 

କଣ୍ଡରା ସାହିରେ ଲକ୍ଷ୍ମଣ ମଳିକ ନୂଆହୋଇ ଘର କରି ରହିବାରେ କେତେ ଜାତିଭାଇ ତାକୁ ଦେଖିପାରୁ ନ ଥିଲେ । କିନ୍ତୁ ଲଇକ୍ଷିଣିଆ ଭାରି ଭଲ ମଣିଷ, କେଇଟା ଦିନ ଭିତରେ ସମସ୍ତଙ୍କୁ ଆପଣାର କରିନେଲା । କା’ରି କଥା କେବେହେଲେ ତଳେ ପକାଏ ଦିଏ ନା । ପରର ଦୁଃଖ ଦେଖିଲେ ସେ ନିଜକୁ ଭୁଲିଯାଏ । ନିଜକୁ ଅପରକୁ ଦେବା ଓ ଅପରକୁ ନିଜର କରିବା ଲଇକ୍ଷିଣିଆ ଭାବେ ମଣିଷର ଧର୍ମ । ସେଇଥି ପାଇଁ ଅଚ୍ଛବ ସାହିରେ ସମସ୍ତେ ଲଇକ୍ଷିଣିଆକୁ ଆଦର କରନ୍ତି; ଭଲ, ମନ୍ଦ, ନ୍ୟାୟ ନିଶାରେ ବେଳେ ବେଳେ ଡାକି ନିଅନ୍ତି । ଜାତିଆଣ ସଭାରେ ଲଇକ୍ଷିଣିଆକୁ ବଡ଼ ଆସନ ଦିଅନ୍ତି । ଚନ୍ଦନପୁର ଗାଁରେ ମଧ୍ୟ ସବୁ ଜାତି ଲଇକ୍ଷିଣିଆକୁ ଭଲ ଆଖିରେ ଦେଖନ୍ତି । କିଏ କିଏ କହନ୍ତି, ଛୋଟ ଜାତି ହେଲେ କ’ଣ ହେଲା, ଲଇକ୍ଷିଣିଆ ପରି ଲୋକଟାଏ ମିଳିବ ନାହିଁ ।

 

ଲଇକ୍ଷିଣିଆ ଜମିଦାରଙ୍କ କାମ ସାରି ଅବସର ବେଳେ ଗାଁର ଆଉମାନଙ୍କର ବୋଲହାକ ଶୁଣେ; ଉପରେ ପଡ଼ି କେତେ ପାଇଟି କରିଦିଏ । ପଇସା ଯାଚିଲେ ଲଇକ୍ଷିଣିଆ–ନିଏ ନା–ମୁରୁକି ହସି ଚାଲିଯାଏ । ସେଇଥିପାଇଁ ବେଳେବେଳେ ଜୋର କରି ତା’ ଗାମୁଛାରେ କିଏ ଚାଉଳ, କିଏ ବାଇଗଣ ଦି’ଟା, କିଏ ସଜନ ଛୁଇଁ ଦି’ଟା, କିଏ ଶାଗ ପୁଳିଏ ବାନ୍ଧି ଦିଅନ୍ତି ।

 

ଲଇକ୍ଷିଣିଆ ସେଇଆକୁ ନେଇ ତା’ ଛୋଟିଆ କୁଡ଼ିଆରେ ପହଞ୍ଚିଲେ ସୁନା ହସି ହସି ଦଉଡ଼ି ଆସେ । ଗାମୁଛା ଫିଟାଇ ପଚାରେ, ‘ୟାକୁ କୁଆଡ଼ୁ ଆଣିଲ’ । ଲଇକ୍ଷିଣିଆ ମୁହଁରେ ସରୁହସର ଛୋଟିଆ ଲହଡ଼ିଟି ଖେଲିଯାଏ । କୁହେ, ସାହୁଘର ବୁଢ଼ୀ ଦେଇଥିଲା କି ଅମୁକ ଘର ସାଆଁନ୍ତେ ଦେଇଥିଲେ । ସୁନାର ହୃଦୟ ସରାଗରେ ଫୁଲିଉଠେ । ଛବିଟି ପରି ମୁହଁରେ ତା’ର ହସ ଉଠେ ଉଲୁସି ।

 

ଛ’ଟା ମାସ ହସି ଖେଳି ଲୁଚି ଯାଇଚି । ଲଇକ୍ଷିଣିଆ ଜିବନର ସୁଅ କୁଳୁକୁଳୁ ହୋଇ ବହି ଚାଲିଚି ସୁଖ ସରାଗର ଦରିଆ ବୁକୁରେ ହଜାଇ ଦେଇ ।

 

ଲଇକ୍ଷିଣିଆକୁ ବଗିଚା କାମ ଆଉ ଭଲ ଲାଗିଲା ନାହିଁ । ସେ ଭାବିଲା, ଆଉ ଭାଇମାନଙ୍କ ପରି ଚାଷ କରିବ–ହଳେ ବଳଦ କିଣିବ–ଜମିଦାର ସାଆଁତଙ୍କଠାରୁ ମାଗି ଜମି ଭାଗରେ ଚାଷ କରିବ । କେତେ ଲୋକ ଏଇ ଚାଷ କରି ବସୁମାତା ପ୍ରସାଦରୁ ସୁଖରେ ଚଳୁଚନ୍ତି, ସେ କ’ଣ କରିପାରିବ ନାହିଁ । କିନ୍ତୁ ବଳଦ କିଣିବାକୁ ପାଖରେ ପଇସା କାହିଁ ? ଯାହା ବି ପଇସା ସେ ସଞ୍ଚି ସଞ୍ଚି ରଖିଚି ସେଥିରେ ଗୋଟିଏ ବଳଦ ହେବ, କିନ୍ତୁ ଆଉ ଗୋଟିକ । ଭାବିଲା, ଜମିଦାର ସାଆଁତଙ୍କୁ କହିବ, ସେ ନିଶ୍ଚୟ ତା’ କଥା ବୁଝିବେ ।

 

ସତକୁ ସତ ଜମିଦାର ସାଆଁତେ ଲଇକ୍ଷିଣିଆର ମନ କଥା ବୁଝିଲେ । ବଳଦ କିଣିବାକୁ ଟଙ୍କା ସାହାଯ୍ୟ ଦେଲେ ଓ ଜମି ଦି’ମାଣ ଭାଗରେ ଚାଷ କରିବାକୁ ଛାଡ଼ିଦେଲେ । ଲଇକ୍ଷିଣିଆ ଆନନ୍ଦରେ ଗଦ୍‍ଗଦ୍ ହୋଇ କହିଲା, ସାଆଁତେ ତମ ଋଣ ମୁଁ ଜୀବନରେ ଶୁଝିପାରିବି ନାହିଁ । ଗୋଲଖ ବାବୁ ହସିଲେ । କହିଲେ, ଗରୀବଟା–ତୁ–ତୁ ମଣିଷ ହେଲେ ସେଇ କ’ଣ ମୋର ଗୌରବ ନୁହେଁ । ତୋର ଭଲ କଲେ ଉପରେ ଭଗବାନ ମୋର ଭଲ କରିବେ । ଲଇକ୍ଷିଣିଆ ଭାବିଲା ସାଆଁତଙ୍କ ପରି ଲୋକ ସାରା ପୃଥିବୀରେ ମିଳିବେ ନାହିଁ ।

 

ଲଇକ୍ଷିଣିଆ ଚାଷ କରିବା ଶୁଣି ଗାଁର ଚିନ୍ତେଇ ସାହୁ, ସଦେଇ ମହାପାତ୍ର ଜମି ଅଧ ମାଣେ ଲେଖା ଭାଗରେ ଚାଷ କରିବାକୁ ଛାଡ଼ିଦେଲେ । ଫଗୁଣ ସକାଳର ଏକ ଫଗୁଆ କିରଣରେ ଦିନେ ଲଇକ୍ଷିଣିଆ ତା’ ଜମିରେ ଆସି ହଳ ବୁଲାଇଲା । ନୂଆ ନୂଆ ଟିକେ ଅଡ଼ୁଆ ଲାଗିଲା, କିନ୍ତୁ ଦିନ ଗଡ଼ିବା ସଙ୍ଗେ ସଙ୍ଗେ ଆପେ ଆପେ ସବୁ ଦିହଘଷା ହେଇଗଲା । ଘର ପାଖରେ ପଡ଼ିଥିବା ବାଡ଼ିତଳ ଜାଗାରେ ଲଇକ୍ଷିଣିଆ ପନିପରିବା ଫସଲ ଇତ୍ୟାଦି ଲଗାଇ ଆମଦାନୀ କଲା ।

 

ଦିନ ପରେ ଦିନ ଲଇକ୍ଷିଣିଆ ମାଟି ସାଙ୍ଗରେ ମାଟି ହୋଇ ଖଟିବାକୁ ଲାଗିଲା । ଅଭାବ ଅସୁବିଧା ବେଳେ ଜମିଦାର ସାଆଁତେ ସାହାଯ୍ୟ ଦେଲେ । ଧାନ କେନ୍ଦା ବାହାରିଲା । ଲଇକ୍ଷିଣିଆ ଧାନ କିଆରୀକୁ ଦେଖିଲେ ତା’ ଛାତି ଆନନ୍ଦରେ ପୂରି ଉଠେ । ଭବିଷ୍ୟତର ରଙ୍ଗୀନ ସୁଖ ଛବି ତାକୁ ଆତ୍ମହରା କରି ଦିଏ ।

 

ଖରା ବରଷାର ନିୟମିତ ଆଶୀର୍ବାଦ ନେଇ ଲଇକ୍ଷିଣିଆ ଭଲ ଧାନ ଅମଳ କଲା । ମାଲିକକୁ ତା’ ଭାଗ ଶୁଝିଦେଇ ବାକିତକ ସେ ଓଳିଆ ମାରି ଘରେ ରଖିଲା । ବାଡ଼ିତଳ ଜମିରୁ ଯା’ ପନିପରିବା ଆମଦାନୀ କଲା, ତହିଁରେ ଘର ଗୁଜୁରାଣ ମେଣ୍ଟାଇ ବାକିତକ ଗାଁ ହାଟରେ ବିକ୍ରି କରି ଦିଏ । ସେଇ ପଇସାରେ ଘରର ତେଲ ଲୁଣ ଖର୍ଚ୍ଚ ଉଠାଏ ।

 

ଇମିତି ସୁଖରେ ଲଇକ୍ଷିଣିଆର ନଈବାଲି ପରି ଅସରନ୍ତି ଦିନଗୁଡ଼ା ବିତି ଚାଲିଲା । ବେଳେ ବେଳେ ତା’ର ଗାଁ କଥା ମନେ ପଡ଼େ । ଭାବେ, ସୁନା କଥା ମାନି ଗାଁ ଛାଡ଼ି ଚାଲି ଆସିଛି, ବେଶ୍ ସୁଖରେ ଅଛି । କିନ୍ତୁ ପରକ୍ଷଣରେ ସେଇ ମନଟା ପୁଣି ତା’ର ନୂଆ ଭାବନାର ରୂପ ଧରେ । ଭାବେ, ଯେତେବେଳେ ସାତ ପୁରୁଷର ଜନ୍ମମାଟି ଛାଡ଼ି ଆସିବା ତା’ ପକ୍ଷରେ ଠିକ୍ ହେଇ ନାହିଁ । ନ ଖାଇ ନ ପିଇ ସେଇଠି ହନ୍ତସନ୍ତ ହେଲେ ପଛେ ମରଣରେ ଜନ୍ମମାଟି ତାକୁ କୋଳରେ ଜାକି ଧରି ସୁଖ ଶାନ୍ତିର ସ୍ୱାଦ ଟିକେ ଦେଖେଇ ଦେଇଥାନ୍ତା । ଲଇକ୍ଷିଣିଆର ମନ ହୁଏ ଥରେ ଗାଁକୁ ଦେଖି ଆସିବାକୁ–କିନ୍ତୁ ସେଇ ମନ ପୁଣି ତା’ର ପଛେଇଯାଏ ।

 

ଦିନେ ବସନ୍ତ ଏକାଳର ମଳୟ ବାଆ ସାଥେ ସାଥେ ଲଇକ୍ଷିଣିଆ ଘରେ ନୂଆ ଅତିଥିଟି ହସି ଉଠିଲା । ତା’ର ଗୋରା ତକ ତକ ରୂପଟି ସକାଳ ଆଲୁଅରେ ଧୋବ କଇଁ ପରି ଦିଶୁଥିଲା । ଜକଜକ, କି ସୁନ୍ଦର ।

 

ଲଇକ୍ଷିତିଆର ପୁଅ ହେବା ଖବର ଗାଁ ଖଣ୍ଡକରେ ବ୍ୟାପି ଗଲା । ପଡ଼ିଶା ଘରର କେତେ ଲୋକ ଆସିଲେ ଦେଖିବାକୁ । ଯିଏ ଦେଖିଲା କହିଲା, କି ସୁନ୍ଦର ପୁଅଟି...ଠିକ୍ କଣ୍ଢେଇଟି ପରି ଚିକ୍କଣ, ମନୋହର । ବିଧାତା’ କାରିଗର ତାକୁ ଗୋଟିଏ ଛାଞ୍ଚରେ ଗଢ଼ିଚନ୍ତି ।

 

ଲଇକ୍ଷିଣିଆ ଭାବିଲା, କି ପୁଅ କା’ର । ଭଗବାନ ଆୟୁଷ ଦେଇ ବଡ଼ କଲେ ଯାଇ ପୁଅ-। ସ୍ନେହରେ ପୁଅଟିର ନାଁ ରଖିଲା ସନିଆ । ସୁନା ପୁଅଟିକୁ ପାଇଲାଦିନୁ ତା’ ମନ ଗହନରେ ଫୁଟି ଉଠିଲା ଲକ୍ଷ ଗନ୍ଧଭରା ଫୁଲ । ସେହି ସୁବାସରେ ସେ ପୁଅଟିକୁ ଗେଲ କରୁ କରୁ ନିଜକୁ ଭୁଲିଯାଏ-

 

ଲଇକ୍ଷିଣିଆ କାମରୁ ଫେରି ଆସିଲେ ଆଗେ ପୁଅଟିକୁ ଧରି ବହେ ଗେଲକରେ–ଖେଳେ । ରାତି ଦିନ ତା’ର ପୁଅ ଚିନ୍ତା । ଗରିବ ଘରେ ଭୋକ ଉପାସରେ ପଡ଼ି ବି ଏଇ ପୁଅଟିକୁ ଦେଖିଲେ ସବୁ ଦୁଃଖକଷ୍ଟ ଭୁଲି ହୋଇଯାଏ । ପୁଅଟିକୁ ପାଇ ସୁନା ଓ ଲଇକ୍ଷିଣିଆର ସୁଖର ଦିନଗୁଡ଼ା ବିତିବାକୁ ଲାଗିଲା । ଦିନ ଗଡ଼ିବା ସଙ୍ଗେ ସଙ୍ଗେ ସନିଆ ବଡ଼ ହେଲା ।

 

ଚନ୍ଦନପୁର ଗାଁରେ କେତୋଟି ବରଷ କୁଆଡ଼େ ହଜି ଯାଇଚି । ବର୍ତ୍ତମାନ ସୁଖସ୍ମୃତି ଭିତରେ ଅତୀତର ଦିନଗୁଡ଼ା ଶୋଇ ଶୋଇ ସ୍ୱପ୍ନ ଦେଖୁଚି । ଭୂଇଁ ତାଡ଼ି ଲଇକ୍ଷିଣିଆ ବର୍ଷକୁ ବର୍ଷ ସୁନା ଫସଲ ଆମଦାନୀ କରଚି; ଜମିଦାରଙ୍କ ପାଉଣାତକ ଶୁଝି ଦେଇଚି । ଜମି ଦେଢ଼ମାଣ ଜମିଦାରଙ୍କ କୃପାରୁ ଖରିଦ କରିଚି । ସେ ବରଷ ଦେଖି ନାହାନ୍ତି । ସେ ବରଷ ଲଇକ୍ଷିଣିଆର ଘରଟା ଭାଙ୍ଗିଗଲା । ଭାଗ୍ୟକୁ ଲଇକ୍ଷିଣିଆର କିଛି କ୍ଷତି ହୋଇ ନାହିଁ । ଲଇକ୍ଷିଣିଆ ସେଇଠି ପୁଣି ନିଜ ଅର୍ଜିତ ପଇସାରେ କାଠରେ ଭଲ ଘର ଖଣ୍ଡେ କରିଚି । ଅଭାବ ଅସୁବିଧା ଆଉ କେବେ ତାକୁ ବିକୃତ ରୂପ ଧରି ଦେଖା ଦେଉନି । ସୁନାକୁ ନେଇ ଆଜି ତା’ର ସୁନା ସଂସାର ସୁନା ପରି ହସି ଉଠିଚି ।

 

ସନିଆକୁ ଆଜି ବାର ବରଷ । ଦୁଷ୍ଟପଣରେ ସରିଚି; ଚାଲିଲା ଶଗଡ଼ରେ ହାତ ଦେବ । ଲଇକ୍ଷିଣିଆ ତାକୁ ଗାଁ ଇସ୍କୁଲରେ ପଢ଼ିବା ପାଇଁ ବସାଇଲା । କିନ୍ତୁ ସନିଆ ତୃତୀୟ ଶ୍ରେଣୀରୁ ପାଶ୍ କରି ଆଉ ପଢ଼ିଲା ନାହିଁ; ଭାରି ଦୁଷ୍ଟାମି କଲା । ପଢ଼ିବା ପାଇଁ କହିଲେ ତାକୁ ଜର ଆସିଲା । ଇସ୍କୁଲକୁ ନ ଯାଇ ୟାଡ଼େ ସାଡ଼େ ବୁଲିଲା । ଆଜି ୟା ବାଡ଼ିରୁ କାକୁଡ଼ି ଚୋରି କଲା ତ କାଲି କା ପିଲାକୁ ମାଇଲା । ଗାଁରେ କିଏ କେତେ ରକମ ଗାଳି ଗୁଜବ କଲେ । କିଏ କିଏ କହିଲେ, ଏଇଟା ଲଇକ୍ଷିଣିଆ ପୁଅ ନୁହେଁ । ବାପ ଇମତି ଶାନ୍ତଶିଷ୍ଟ–ମାଛିକି ମ’ କହିବ ନାହିଁ–ତାରି ପୁଅ ଏ ସନିଆଟା ପୁଣି ଇମିତି ।

 

ଲଇକ୍ଷିଣିଆ ବାର ଲୋକଙ୍କ ବାର ରକମ କଥା ଶୁଣି ବେଳେ ବେଳେ ରାଗରେ ସନିଆକୁ ଟାଙ୍କେ ଛେଚେ । ସନିଆ ଭେଁ ଭେଁ ହୋଇ କାନ୍ଦେ । ସନିଆକୁ ମାରିଲେ ସୁନା ଆସି ମୁହଁଟାକୁ ହାଣ୍ଡି କରେ । କୁହେ, ପିଲାଟାକୁ ମାରୁ ମାରୁ ମାରିଦେବ ନାଁ କ’ଣ ? ଇମିତି ପାଷାଣ ତମ ଚିତ୍ତ, ଟିକିଏ ଦୟା–ନାହିଁ । ସୁନା ସନିଆକୁ କୋଳକୁ ନେଇ ତା’ ଆଖିରୁ ଲୁହ ପୋଛି ଦେଉ ଦେଉ କାନ୍ଦେ । ଲଇକ୍ଷିଣିଆର ରାଗଟା ଥମିଯାଏ । ଭାବେ ପିଲାଟା ବୁଦ୍ଧି ଶୁଦ୍ଧିହେଉ ନାହିଁ । ବଅସ ଗଡ଼ିଲେ କ’ଣ ବୁଦ୍ଧି ଶୁଦ୍ଧି ଫେରିବ ନାହିଁ ? କାହିଁକି ଏତେ ମାରିଲି । ଗୋଟିଏ ବୋଲି ପୁଅ । ଆଉ କୋଉ କୋଳକୁ ଛା’ଟା ନାଁ ନ’ଟା ଅଛି । ପୁଣି ମନଟା ତା’ର ସ୍ନେହରେ ନଇଁପଡ଼େ । ସନିଆକୁ କୋଳକୁ ଟାଣି ଆଣି ତା’ ଦେହମୁଣ୍ଡ ଆଉଁସି ଦେଉ ଦେଉ ତା’ ଆଖିରେ ଲୁହ ଛଳ ଛଳ ହେଇ ଉଠେ ।

 

ସମୟର ସୁଅରେ ଦିନ ଗଡ଼ି ଯାଇଚି । ସନିଆ ଆଜି ସତର ବରଷର ଯୁଆନ ଭେଣ୍ଡା । ପିଲାବେଳର ଦୁଷ୍ଟାମି ସବୁ କୁଆଡ଼େ ଚାଲିଯାଇଚି । ବାପାସାଙ୍ଗରେ ବେଳେ ବେଳେ ବିଲରେ ହଳ ବୁଲାଏ–ଘର କାମ କରେ । ଗାଁରେ କା’ କାର ମୂଲପାତି ଲାଗି ଦି’ ପଇସା ଆଣିବାପା ହାତରେ ଦେଇ ଦିଏ । ବାପା ତା’ର ଭାବେ, ସନିଆ ଆଜି ମଣିଷ ହେଲାଣି–ମୁଣ୍ଡକୁ ତା’ର ହାତ ପାଇଲାଣି । ଗୋଟାଏ କି ଅଜଣା ଆବେଗରେ ଲଇକ୍ଷିଣିଆର ହୃଦୟ ପୂରିଯାଏ । ଭବିଷ୍ୟତର ସ୍ୱପ୍ନର କୁହେଳିକା ଥିରି ଥିରି ଆସି ତା’ ମନରେ ଅନ୍ଦିକନ୍ଦି ଘେରି ବସେ ।

 

ଲଇକ୍ଷିଣିଆ ଭାବେ, ସେ ଆଜି କେଡ଼େ ସୁଖରେ ଅଛି । କାଲି ସକାଳେ ସନିଆ ବାହାହେବ–ହାତକୁ ଦି’ହାତ ହେବ । ପୁଅବୋହୁ ନେଇ ପୁଣି ସେ ଘର କରିବ । ଠାକୁର ଚାହିଁଲେ ନାତି ନାତୁଣୀର ମୁହଁ ବି ଦେଖିବ । ଆଶାର ଆଲୁଅରେ ଅନାଗତ ଭାବନା ତା’ର ଜଳଜଳ କରେ–ଆଖିକି ସୁନ୍ଦର ଦିଶେ । ପୁଣି ଭାବନା ତା’ର ଲିଭି ଲିଭି ଆସେ । ସେ ଉଠି କାମରେ ଲାଗେ ।

 

ଚନ୍ଦନପୁର ଗାଁକୁ ଘେରିଥିବା ନାକବନ୍ଧ, ସେ ପଟକୁ ସୁବିସ୍ତୃତ ପାଳଜମି । ଟିକିଏ ଦୂରରେ ପ୍ରାୟ ଗାଁଠୁ କୋଣେ ବାଟ ଛଡ଼ାରେ ବ୍ରାହ୍ମଣୀ ନଈ । ବନ୍ଧ ଉପରେ ଛିଡ଼ାହେଲେ ଦେଖାଯାଏ ନଇପଠା–ବାଲି–ଆଉ ବ୍ରାହ୍ମଣୀର କଳାଘୁମର ପାଣି ।

 

ପ୍ରତିବର୍ଷ ବନ୍ୟା ଆସେ । ନଈ ଉଚ୍ଛୁଳ ପାଣି ମାଡ଼ି ମାଡ଼ି ଆସେ । ପାଳଜମି ବୁଡ଼ିଯାଏ । କୋଉ କୋଉ ବର୍ଷ ପାଣି ବେଶୀ ଦିନ ରହିଲେ ଅଶିଣା ପଟିଆ ଧାନଗଛ ସବୁ ପଚି ଧୋଇରେ ଯାଏ । କୋଉ କୋଉ ବର୍ଷ ବ୍ରାହ୍ମଣୀର କୂଳେ କୂଳେ ପାଳଜମି ଉପରେ ଆଣ୍ଠୁଏ ବହଳର ପଟୁ ବିଛାଇ ଦେଇଯାଏ । ସେଇଠି ଗରିବ ଚାଷୀ ବିଚରା ଆଶାର ମୂଳଦୂଆ ବାନ୍ଧେ–ଏଇ ପଟୁବିଛା ଉର୍ବର ଜମି ଉପରେ ପନିପରିବା ରବିଜାତ ଫସଲ କରି ଧୋଇର କ୍ଷତିଟା ଉଠାଇ ନେବ ବୋଲି ।

 

ହେମନ୍ତ ଆସିଲେ ନଈକୂଳ ସେଇ ପଟୁ ବିଛା ଜମି ଉପରେ ସୋରିଷ ଫୁଲର ହାଟ ବସେ । ଶୀତୁଆ ପବନଟା ତାରି ଭିତରେ ବୁଡ଼ି ବୁଡ଼ି ଲହରୀ ଭାଙ୍ଗେ । ଦୂରରୁ ଦେଖିଲେ ସତେ ଯେପରି ମନେହୁଏ । ପ୍ରକୃତି–ରାଣୀ ହଳଦି ରଙ୍ଗର ଶାଢ଼ୀଟି ପିନ୍ଧି ବ୍ରାହ୍ମଣୀର ଚହଲା ପାଣିରେ ବସି ସୁଖ ସପନ ଦେଖୁଚି । ସେଇ ନଈକୂଳଯାକ ଧଣିଆ, ଗହମ, ମୁଗ, ବିରି, ବାଇଗଣ, କଖାରୁ ଇମିତି ରକମ ଫସଲରେ ପୂରିଯାଏ । କିଏ କିଏ ସେଇ ଭରା ଫସଲ ଦେଖି ନୂଆ ଆଶାରେ ସପନ ଦେଖେ ।

 

ନଈକୂଳକୁ ଲାଗି ଗୋଲଖ ବାବୁ ଜମିଦାରଙ୍କର ତିନିମାଣ ଜମି–ଗୋଟିଏ ଚକ । ସେଇ ଜମି ନେଇ ଏ ବରଷ ଲଇକ୍ଷିଣିଆ ବଗିଚା କରିଚି । ଭାଗ୍ୟ ଯୋଗରୁ ଲଇକ୍ଷିଣିଆ ଦିହ ମିହନ୍ତର ଫଳ ମିଳିଛି । ଭରା ଫସଲରେ ବଗିଚାଟି ପଲ୍ଲବିତ ହୋଇ ଉଠିଚି, କଖାରୁ ଗଛରେ କଷି ଧରିଲାଣି, ଲଙ୍କାମରିଚ ଗଛରେ ଫୁଲ ଫୁଟିଲାଣି ।

 

ଲଇକ୍ଷିଣିଆ ବଗିଚାଟିକୁ ଦେଖିଲେ ତା’ ପେଟ ପୁରି ଉଠେ । ମାତାଲ ପରି ଢ଼ଳି ଢ଼ଳି ଗୋଟାଏ କି ନବ ଉନ୍ମାଦନାରେ ମନବୋଧ ଚଉତିରିଶାରୁ ପଦେ ବୋଲିଦିଏ,–କହଇ ମନ ଆରେ ମୋ ବୋଲ କର, କଳାଶ୍ରୀମୁଖ ବାରେ ଦେଖିବା ଚାଲ ।

 

ପାଖ ବଗିଚାରେ ନନ୍ଦ ଜେନା ଡାକେ–କିରେ ଲଇକ୍ଷିଆ ! ଆଜି ତ କାଇଁକି ଭାରି ଖୁସି । ଲଇକ୍ଷିଣିଆ ସରମରେ ଶଙ୍କିଯାଇ କୁହେ–ନା’ରେ ଭାଇ ଗରିବ ଜୀବନରେ ଖୁସି କୁଆଡ଼ୁ ଆସିବ । ନନ୍ଦ ଜେନା କହେ–ଖୁସି ନ ଥିଲେ ଇମିତିକା ଗୀତ ଗଳାରୁ କ’ଣ ବାହାରିପାରେ । ଲଇକ୍ଷିଣିଆ ଆବେଗରେ ଗଦ ଗଦ ହୋଇ କହେ–ଯା ନନ୍ଦଭାଇ, ତମର ଖାଲି ସବୁବେଳେ ସେଇ ଥଟ୍ଟା ।

 

ମଝିରେ ବ୍ରାହ୍ମଣୀ ନଈ,–ସେ ପାଖରେ ତୀଖ ଅତଡ଼ା, ଟିକିଏ ଦୂରରେ ଗାଁ । ଏପଟରେ ବାଲି–ଖାଲି । ବାଲିକୁ ଲାଗି ବଗିଚାଟି ଭରା ଫସଲରେ ହସି ହସି ଲୋଟି ପଡ଼ୁଛି । ତାରି ଭିତରେ ଛୋଟିଆ ପିଲାଟିଏ ମାରି ଜଗି ରହିଚି ସନିଆ । ଗୋରୁ, ଗାଈ, ଛେଳିଙ୍କ ଉପଦ୍ରବରୁ ବଗିଚାଟିକୁ ବଞ୍ଚାଇବା ଲାଗି ଦିନରାତି ସନିଆର ସେଇଠି କଟେ ।

 

କେତେବେଳେ ଖୁଡ଼୍‍କରି ଶବ୍ଦ ହେଲେ ସନିଆ ପଲା ଭିତରୁ ଆସି ଥରେ ଭଲକରି ନିରେଖି ପୁଣି ଫେରିଯାଏ । କେତେବେଳେ କାର ଅମାନିଆ ଗାଈ କିବା ଛେଳିଟା ବାଡ଼ ଡେଇଁ ବଗିଚା ଭିତରକୁ ଆସିଲେ ସନିଆ ବାଡ଼ିନେଇ ଗୋଡ଼ାଏ ଓ ଗାଳିରେ ମାଲିକର ସପ୍ତପୁରୁଷ ଉଦ୍ଧାର କରେ ।

 

ବାପ ତା’ର ସନିଆକୁ ଏଇ କାମରେ ଲଗାଇ ଦେଇଚି । ସନିଆ ବି କାମଟା ପାଇ ଖୁସି-। ନଈକୂଳର ଏଇ ସୁଲୁ ସୁଲିଆ ବାଆ ତାକୁ ଭାରି ଭଲ ଲାଗେ । କିନ୍ତୁ ବେଳେ ବେଳେ ତା’ର ନିଃସଙ୍ଗ ଜୀବନଟା ତାକୁ ବିରକ୍ତ ଲାଗେ । ସେତେବେଳେ ସେ ତା’ର ଦଦରା ବଇଁଶିର ତାଳେ ତାଳେ ସାଥୀହୀନ ପ୍ରାଣର ଦରଦୀ ଭାଷାକୁ ସୁର ଦିଏ । ନଈକୂଳର ନିଛାଟିଆ ପବନଟା ବି ସେଇ ସୁରର ସେଇ ସୁରର ତାଳଧରି ବହିଚାଲେ ଦୂରକୁ ।

 

ସନିଆ ଟାଣ ଗାଧୁଆବେଳେ ଘରେ ଆସି ଗଣ୍ଡାଏ ୟାଡ଼ୁସାଡ଼ୁ ଖାଇଦେଇ ପୁଣି ଲେଉଟିଯାଏ । ରାତିରେ ସେଇଠି ପାଖ ବଗିଚା ନନ୍ଦ ଜେନା ଚାକିରିଆ ଚକରା ଓ ସେ ଦିହେଁ ଏକାଠି ରୋଷେଇ କରନ୍ତି–ଏକାଠି ଖାଇ ପିଇ ସେଇଠି ଶୁଅନ୍ତି, ଡର ଭୟ କିଛି ନ ଥାଏ । ପାଖକୁ ପାଖ କେତେ ବଗିଚା, କେତେ ଲୋକ ଇମିତି ରାତିରେ ପଲାମାରି ରହନ୍ତି । ସନିଆ ଭାରି ସାହସୀ, କିନ୍ତୁ ଚାକରଟା ଭାରି ଡରକୁଳା । ରାତିରେ କେଉଁଠି ଖୁଡ଼୍ କରି ଶବ୍ଦ ଶୁଣିଲେ ସେ ଭୂତ ବୋଲି ଭାବି ପଦାକୁ ବାହାରେନା । କିନ୍ତୁ ସନିଆ ଡରେନା–ସେ ତା’ର ଚିତାଏ ଉଚ୍ଚ ଠେଙ୍ଗାକୁ ଧରି ପଦାକୁ ବାହାରି ପଡ଼େ । କାରଣ ସେ ଜଣେ ସେପାରି ଲୋକଗୁଡ଼ା ଭାରି ବଦମାସ । ରାତି ହେଲେ ବଗିଚାରୁ ପନିପରିବା ଚୋରିକରି ନେଇଯାଆନ୍ତି । ସେଇଥିପାଇଁ ସନିଆ ଭାରି ହୁସିଆର ।

 

ସନିଆ ଆଜି ଜୁଆନ ଟୋକା । ମନରେ ତା’ର ବେଳେ ବେଳେ ଯଉବନର ସୁନେଲି କଳପନା ବସା ବାନ୍ଧେ । ଅଜଣା ମଳୟର ମନ ମତାଣିଆ ପରଶରେ ବେଳେ ଏଇ ରୁଷ ଜୀବନ ବି କଅଁଳି ଉଠେ । କାହିଁକି ? ସନିଆ କିଛି ବୁଝିପାରେନା । କେଉଁ ସୁନ୍ଦରୀ ଝିଅ ବୋହୁକୁ ଦେଖିଲେ ମନଟା ତା’ର ଛନ ଛନ ହୋଇଉଠେ । ହୃଦୟରେ ଜାଗେ ଅଜଣା ବାସନା ମନ ପୂରାଇ ଥରେ ଦେଖିବାକୁ । କିନ୍ତୁ କାହିଁ ! ସେ ବାସନା ତା’ର ତ ପୂରୁ ନାହିଁ । ସନିଆ ମନଟା ହା’ ହୁତାଶରେ ଭରିଯାଏ ।

 

ଗୋଧୂଳି ଆସେ । ଦୂର ପାହାଡ଼ ପାଚେରୀ ସେ ପଟରେ ସୂରୁପ ଦେବତା ଢଳି ପଡ଼ନ୍ତି-। ବ୍ରାହ୍ମଣୀର ପାଣି ରଙ୍ଗ ପାଲଟେ । ସେପାରି ଗାଁର ଝିଅ ବୋହୁମାନେ ପାଣି ନେବାକୁ କଳସି କାଖରେ ବ୍ରାହ୍ମଣୀ ତୁଠରେ ଆସି ଠଳ ହୁଅନ୍ତି । ସନିଆ ଏପାଖରେ ବସି ବସି ସେପାରିର ସେହି କାନ୍ତକମନୀୟ ଛବିକୁ ପ୍ରାଣ ପୁରାଇ ଦେଖେ । ଗୋଧୂଳିର ଛିଟ ଆଲୁଅ ପରି ମନରେ ତା’ର ନାନା ରଙ୍ଗର ଢେଉ....ଅସୁମାରୀ ଭାବନା । କେତେବେଳେ ଭାବନା ତା’ର କେଉଁ ରଙ୍ଗ ଧରେ ତା’ର ଠିକ୍ କରି ହୁଏନା ।

 

ସୂର୍ଯ୍ୟ ଦୀପ ଜଳି ଜଳି ଲିଭିଯାଏ–ସୁନା ଗୋଧୂଳି ମୁହଁ ଲୁଚାଇ ଦୂର ଦିଗ୍‍-ବଳୟର ସେ ପଟରେ । ମାଛି ଅନ୍ଧାର ସରୁ କୁହେଳିକାର ପରଦା ପୃଥିବୀ ଉପରେ ଟାଣିଦେଇଯାଏ । ଦୂର ଗାଁ ଗହଳରେ ଲୁଚିଯାଏ କେତୋଟି ସୁନ୍ଦର ମୁହଁ...ଢଳ ଢଳ ଆଖି । ସନିଆର ଚହଲା ଭାବନାରେ ରହେ ଖାଲି ତାଙ୍କରି ସ୍ମୃତିର ଛାଇ ।

 

ରାତି ଆସେ । ଦୂର ନେଳିଆ ଆକାଶରେ ଜହ୍ନ ହସେ–ବ୍ରାହ୍ମଣୀ ପାଣିରେ ତାରା ଫୁଟେ-। ଜୋଛନା ଚୁପି ଚୁପି ଆସି ବଗିଚା ଭିତରେ ଲୁଚକାଳି ଖେଳେ । ସନିଆ ଦେଖେ କି ସୁନ୍ଦର ରାତି-। ସତେ ଯେପରି ଧରଣୀରାଣୀର ଦର ଦର ଘୁମନ୍ତ ଡୋଳାରେ କିଏ ରୂପେଲି ରାଇଜର ସ୍ୱପ୍ନାଞ୍ଜନ ମାଖି ଦେଇଚି । ସେଇଥିପାଇଁ ଚାରିଆଡ଼ ଭରି ଉଠିଚି ଅପୂର୍ବ ସ୍ନିଗ୍ଧତାରେ । ମନଟା ତା’ର ଭାସିଯାଏ କେଉଁ ସ୍ଵପ୍ନ ରାଇଜକୁ । କାହିଁକି ତା’ର ଏ ଚଞ୍ଚଳତା, ସେ କିଛି ବୁଝିପାରେନା ।

 

ବେଳେ ବେଳେ ସେ ତା’ର ସାଙ୍ଗ ଚକରାକୁ କୁହେ, ଚକରା, ମନଟା କାହିଁକି ଆଜି ଭଲ ଲାଗୁ ନାହିଁ । ହୃଦୟଟା ଯେପରି ଖାଲି ଖାଲି ଲାଗୁଚି । ଚକରା ହସି ହସି କୁହେ–ସନିଆ ଭାଇ, ତମର ବଅସ ହେଲାଣି, ଚଞ୍ଚଳ ବାହା ହେଇପଡ଼ । ଚକରା କଥା ପଦକ ଶୁଣିଲେ ସନିଆକୁ ଖୁସି ଲାଗେ । ଭାବେ, ବାହାହେବା ସୁଖଠାରୁ ସୁଖ ଆଉ ଦୁନିଆରେ ବୋଧେ କିଛି ନାହିଁ ।

 

କାଲିପରି ଲାଗୁଚି–ତା’ର ସାଙ୍ଗ ଏଇ ମାଗୁଣିଆଟା–ସେ ପୁଣି ବାହାହେଇ ଘର ସଂସାର କଲାଣି । କେଡ଼େ ସୁନ୍ଦର ମାଇକିନିଆଟା ପାଇଚି । ମାଗୁଣିଆ ମୁଁହ ଦେଖିବାକୁ ଜହ୍ନୀମଞ୍ଜି ପରି କଳା–ଚେପଟା ନାକ । ପାତି ମାଙ୍କଡ଼ ବୋଲି ତାକୁ ପିଲାବେଳେ ଚିଡ଼ାଉଥିଲୁ । ସେ ପୁଣି ବାହାହେଲା ଯେ ସାକ୍ଷାତ ଗୋଟିଏ ପରୀ । କରମମନ୍ତିଆ ଏକା ମାଗୁଣିଆ–ନଇଲେ ଇମିତିକା ମାଇକିନା ପାଇଥାନ୍ତା ? ଇମିତି ମନଟା ତା’ର ନାନା ଭାବନାର ରୂପ ଧରେ । ଭାବନା ଦରିଆରେ ଥଳ କୂଳ ନ ମିଳିଲେ ସେ ତା’ର ଦଦରା ବଇଁଶିଟିକୁ ସୁର ଦିଏ ।

 

ବଇଁଶି–ବାଜେ ଲଳିତ ବିରହ ସ୍ଵରରେ । ନିଛାଟିଆ ପ୍ରାନ୍ତର ବୁକୁରେ ଗଛପତ୍ର ମର୍ମରିତ ହୋଇଉଠେ । ସେପାରିର ତୀଖ ଅତଡ଼ା ଏଇ ସୁରର ତାଳ ଧରେ । ଦର ଦର ହସ ମାଧବୀ ରାତ୍ରି ଟେକିଧରେ ଜୀବନର ଅଫୁରନ୍ତ ସମ୍ଭାର । ସ୍ୱରର ମୂର୍ଚ୍ଛନା ବ୍ରାହ୍ମଣୀର ଥିର ପାଣିରେ ଢେଉ ତୋଳେ–ତାରା ବହୁ ଆଖିରେ ଜାଗର ଜାଳେ, ଜହ୍ନ ମୁହଁରେ ଆଶା ଓ ଉଲ୍ଲାସର ହସ ମାଖି ଦିଏ । ସନିଆ ପାଗଳ ହୋଇଉଠେ ।

 

ଚକରା ଡାକେ–ସନିଆ ଭାଇ, ରାତି କେତେ ହେଲାଣି । ରୋଷାଇବାସ ହେବ ନା, ଖାଲି ବଇଁଶି ବାଜାଉଥିବ । ସନିଆର ଉଦାସ ମନ ବାଟକୁ ଫେରେ, ସ୍ଵପ୍ନ ଯାଏ ଭାଜି, ସେ ପଲା ଭିତରକୁ ଆସି ଚୁଲି ଧରେ । ଚକରା ପରିବା କାଟେ, ଘଣ୍ଟାକେ ରୋଷେଇ ସରେ, ଦିହେଁ ଖାଇଦେଇ ଘେରାଏ ବଗିଚା ଭିତରେ ବୁଲିଆସି ପୁଣି ଫେରିଆସନ୍ତି ପଲାକୁ ।

 

ଖଜରି ଚଟେଇଟା ବିଛେଇ ଦିହେଁ ଆରାମରେ ଶୋଇ ପଡ଼ନ୍ତି । ବିଛଣା ଛୁଉଁଛୁଉଁ ଚକରାକୁ କୋଉ ରାଇଜର ନିଦ ଘୋଟିଆସେ । କିନ୍ତୁ ସନିଆକୁ ନିଦ ହେଉହେଉ ଘଣ୍ଟାଏ । ଅନାବନା ଭାବନା ତା’ ମନରେ ଘଡ଼ିଏ ପହରେ ଜାଗର ଜାଳେ–ତା’ ପରେ ଯାଏ ଲିଭି–ନିରାଶର ହା’ ହୂତାଶରେ । ଆଖିପତା’ ମନକୁ ମନ ମୁଦି ହେଇ ଆସେ ।

 

ସେଦିନ ଖରାବେଳେ । ଚକଚକିଆ ସୁନା କିରଣରେ ସାନିଆର ବଗିଚା ଝଟକି ଉଠୁଚି-। ଗଛଲତା ଗହଳିରୁ କେତେ ଜାତି ପକ୍ଷୀର ରାବ ଭାସି ଆସୁଚି । ସନିଆ ଗଣ୍ଡାଏ ଖାଇଦେଇ ଆସି ତା’ର ନୁଆଁଣିଆ କୁଡ଼ିଆରେ ନିଶ୍ୱାସ ମାରୁଚି । ଟିକିଏ ପରେ ଛାଇନିଦ ଲାଗି ଆସୁଥାଏ-। ଏତିକିବେଳେ ବଗିଚା ଭିତରୁ ଖସ୍ ଖସ୍ ଶୁଭିଲା । ସନିଆ ଗାଈ କି ଛେଳି ପଶିଚି ଭାବି ଧଡ଼ପଡ଼ ହୋଇ ଉଠି ବଗିଚା ଭିତରକୁ ଦେଖିବାକୁ ଗଲା ।

 

ଦେଖିଲା ବେଳକୁ ଷୋଳ ସତର ବରଷର ଗୋରା ତକ ତକ ଝିଅଟିଏ ବାଇଗଣ ତୋଳି ଅଣ୍ଟିରେ ପୂରାଉଚି । ଝିଅଟିର ସାରା ଶରୀରରୁ କମନୀୟ ଆଭା ଫୁଟିଉଠୁଚି । ମୁହଁଟି ଦେଖିବାକୁ କେଡ଼େ ସୁନ୍ଦର, ସତେ ଛବିଟି ପରି । ମୁଣ୍ଡରୁ ଲୁଗାଟା ଖସିପଡ଼ିଚି–ଥିରି ଥିରି ପବନରେ ତାର–ଚୂର୍ଣ୍ଣ କୁନ୍ତଳ ଥରି ଉଠୁଚି, ଛାତିରୁ ଅଧେ ଦୂରକୁ ଲୁଗା ଘୁଞ୍ଚି ଯାଇଚି । ସନିଆ ଘଡ଼ିଏ ମନ ପୂରାଇ ଦେଖିଲା ଭାବିଲା, ଏ କିଏ ? ଆକୁ ତ କେବେ ମୁଁ ଦେଖି ନାହିଁ ! ଏତେ ବଡ଼ ଝିଅଟା ହେଲାଣି, ଲୁଚିଲୁଚି ବାଇଗଣ ଚୋରି କରୁଚି–ପୁଣି ଦିନରେ । ସାହାସ ତ କମ୍ ନୁହେଁ ।

 

ଆଉ କିଏ ହୋଇଥିଲେ ସନିଆ ତାକୁ ଚୋରି କରିବାର ଉପଯୁକ୍ତ ଶାସ୍ତି ଦେଇସାରନ୍ତାଣି । ମାତ୍ର ଏ ଝିଅଟିକୁ ଦେଖି ସନିଆ ମନରେ କୌତୁହଳର ସୀମା ରହିଲା ନାହିଁ । ଛପି ଛପି ଆସି ତା’ ହାତଟାକୁ ଖପ୍ କରି ଧରି ପକାଇଲା ।

 

ଝିଅଟି ସନିଆକୁ ଦେଖି ଲାଜରେ ଜଡ଼ବଡ଼ ହୋଇ ହାତଟାକୁ ମୁକ୍ତ କରିବାକୁ ଚେଷ୍ଟା କଲା । ସନିଆ ହାତ ଛାଡ଼ିଲା ନାହିଁ, ଜୋର କରି ଧରିଲା । ଝିଅଟି ଅଣ୍ଟିରୁ ବାଇଗଣତକ ତଳେ ଅଜାଡ଼ି ଦେଇ କହିଲା, ହେଲା ଏଥର ମୋ ହାତ ଛାଡ଼ । ସନିଆ କହିଲା, ଏତେବଡ଼ ଝିଅ ହେଲୁଣି, ଚୋରି କରୁଚୁ–ଲାଜ ମାଡ଼ୁ ନାହିଁ । ଝିଅଟି କିଛି ଉତ୍ତର ଦେଇ ପାରିଲା ନାହିଁ–ଆଖିରୁ ତା’ର ଝରିପଡ଼ିଲା ଥୋପି ଥୋପି ଲୁହ, ସତେ ଯେପରି ସେ ନିଜର ଭୁଲକୁ ଆଖିର ଲୁହରେ ସ୍ଵୀକାର କରୁଚି । ସନିଆ ମନଟା ସ୍ନେହରେ ନଇଁ ପଡ଼ିଲା–ହାତମୁଠାଟା ତା’ର ଅଜଣାରେ ଖୋଲିଗଲା ।

 

ଝିଅଟି ଦେହମୁଣ୍ଡରେ ଲୁଗା ସଜାଡ଼ି ଚାଲିଯିବାକୁ ପାଦ କଢ଼ିଲା । ସନିଆ ଡ଼ାକିଲା, ଶୁଣ-। ଝିଅଟି ଛିଡ଼ାହେଲା । ସନିଆ ପଚାରିଲା, ତୋ’ ନାଁ କ’ଣ ? କି ଘର ପିଲା ? ଗାଁ କେଉଁଠି-? ବାପା ମା ଅଛନ୍ତି ନାଁ ? ଝିଅଟି ଲାଜରେ କିଛି କହିବାକୁ କୁଣ୍ଠାବୋଧ କଲା । ସନିଆ ପୁଣି ପଚାରିଲା, ଲାଜ କ’ଣ, କୁହ ? ଝିଅଟି ନରମ ଗଳାରେ କହିଲା, ମୋ ନା ଫୁଲ ! ଘର ଏ ଏଇ ନଈ ସେପରି କୁସୁମପୁର ଗାଁ । କଣ୍ଡରା ଘର ଝିଅ–ବାପା ନାହିଁ, ମା ଅଛି । ଭାରି ଗରିବ ଆମେ-। ମୋ ତଳେ ଗୋଟିଏ ସାନ ଭାଇ, ମା’ ମୁଲ ଲାଗି ଆମକୁ ପାଳେ ।

 

ସନିଆ ପଚାରିଲା, ୟାଡ଼େ କୁଆଡ଼େ ଆସିଥିଲୁ । ଫୁଲ କହିଲା, ଏଇ ଟିକିଏ ଛାଡ଼ି ଯୋଉ ତୋଟାମାଳ–ସେଇଠିକି ମୁଁ ଜାଳ ପାଇଁ ଆସେ–ସେଇ ବାଟେ ଚାଲିଯାଏ । ଆଜି ଏବାଟେ ଆସୁଥିଲି । ଘରେ ଲଗେଇ ଖାଇବାକୁ କିଛି ନଥିଲା । ନିଇତି ଲୁଣ ଲଙ୍କା ଲଗେଇ ଭାତ ଖାଇ ଅସୁଖ ମାଡ଼ିଲାଣି । ମନ ଡ଼ାକିଲା ଲୋଭ ସମ୍ଭାଳି ନପାରି ବାଇଗଣ ଦି’ଟା ତୋଲୁଥିଲି କେବେ ମୁଁ ଚୋରି କରେନା–ଆଜି କାହିଁକି ଖରାପ ବାଟକୁ ଗୋଡ଼ ଖସିଲା ଜାଣେନା ।

 

ସନିଆ କହିଲା, କାହିଁକି ଫୁଲ । ମାଗିଥିଲେ କ’ଣ ମୁଁ ଦି’ଟା ଦେଇ ନଥାନ୍ତି । ଫୁଲ ଦରଦମିଶା ସ୍ୱରରେ କହିଲା, ଅନେକ ଲୋକଙ୍କୁ ମାଗିଚି–କିନ୍ତୁ କେହି ତ କେବେ ଦିନେ ଯାଚି ଦିଅନ୍ତି ନାହିଁ । ଓଲଟି ମାଗିଲେ ନାକ ଟେକନ୍ତି ଦୂର ଦୂର କରନ୍ତି । ସେଥି ପାଇଁ ମନ ମୋର ଭାଙ୍ଗିଯାଉଥିଲା; କାହାରିକୁ ମାଗେନା–ଏଇ ନଈକୂଳର ଶାଗ ଆଉ ଲୁଣ, ଲଙ୍କରେ ଆମରି ଦିନ ଯାଏ ।

 

ସନିଆ ହସିଲା । ମୁଗ୍ଧ ଚାହାଣିରେ ଫୁଲଆଡ଼କୁ ଅନାଇଲା ବେଳକୁ ଫୁଲର ହରିଣୀ ପରି ନ୍ୟସ୍ତ ଚଞ୍ଚଳ ଆଖି ଦୁଇଟି ସହିତ ମିଳନ ହୋଇଗଲା । ଫୁଲ ଲାଜରେ ତଳକୁ ମୁହଁପୋତି ଛିଡ଼ାହେଲା । ସନିଆ ବାଇଗଣତକ ତୋଳି ଫୁଲ କାନିରେ ବାନ୍ଧିଦେବାକୁ ଗଲା । ଫୁଲ ଟିକିଏ ଦୂରକୁ ଘୁଞ୍ଚିଗଲା । କହିଲା, ନାହିଁ ମୁଁ ନେବିନି–ତମେ ରଖ । କେତେବେଳେ ହେଲାଣି, ବୋଉ ତେଣେ ଅନାଇ ଥିବ ଯାଉଚି । ଫୁଲ ଚାଲିଯିବାକୁ ବସିଲା । ସନିଆ ତା’ ହାତ ଧରି କହିଲା–ଛି, ନ ନେଲେ ମୋ ମନରେ ଭାରି କଷ୍ଟ ହେବ । ସ୍ନେହରେ ମୁଁ ଏତିକି ହେଉଚି–ନିଅ ।

 

ଫୁଲ ଅନିଚ୍ଛା ସତ୍ଵେ ବାଇଗଣତକ ବନ୍ଧିଲା । ସନିଆ ପୁଣି ଲଙ୍କାମରି ଦି’ଟା ତା’ କାନିରେ ପୁରାଇ ଦେଇ କହିଲା, ନିତି ଏଇବାଟେ ଆସିବୁ ଫୁଲ । ସନିଆ ଭାଇ କଥା ଭୁଲିଯିବୁ ନାହିଁ । ଫୁଲ ମୁହଁ ଅଜଣା ଆନନ୍ଦରେ ଉଜଳି ଉଠିଲା । ସେ ସନିଆ ଆଡ଼କୁ ସ୍ନେହପୂର୍ଣ୍ଣ ଆଖିରେ ଅନାଇ ବିଦାୟ ନେଲା ।

 

ଫୁଲ ଚାଲିଗଲା–କିନ୍ତୁ ସନିଆ ମନରେ ରହିଗଲା ଗୋଟିଏ କରୁଣ ବ୍ୟଥା । ସନିଆ ଭାବିଲା, ଆହା ବିଚରା ଗରିବଟି–ବାପା ନାହିଁ ଭାଇଟି । ଭୋକ ଉପାସରେ ବିଚରା ଦୁହିଁଙ୍କୁ ପାଳୁଥିବ । ମନେ ମନେ ଭାବିଲା ଏଣିକି ଫୁଲ ଆସିଲେ ନିଜର ପରି କରିବ; ନିଇତି ପନିପରିବା ଦେବ । ଗରିବଟାକୁ ସାହଯ୍ୟ କଲେ ପାଣିରେ ପଡ଼ିବ ନାହିଁ ।

 

ସନିଆ ତା’ର କୁଡ଼ିଆ ଭିତରକୁ ଫେରିଆସି ପୁଣି ଘାଲି ପାରିଲା । ମନଠା ତା’ର ଛନ୍ଦି ହୋଇ ପଡ଼ିଲା ଭାବନାର ଅଡ଼ୁଆ ସୂତାରେ । ଆଶାର ମାୟାମୃଗ ଆଖିକୁ ଦିଶିଲା ସୁନ୍ଦର ।

 

ଫୁଲ, ରୂପକୁ ଘେନି କେଡ଼େ ସୁନ୍ଦର ସତେ–ଫୁଲଟି ପରି ଅବିକଳ ଢ଼ଳ ଢ଼ଳ । ପୂରିଲା ପୂରିଲା ଗୋରା ତକ ତକ ମୁହଁକୁ ଛୋଟ ଛୋଟ ଆଖି, ସରୁ ଭ୍ରୁଲତା । ଗଲାବେଳେ ତା’ର ମୁଗ୍ଧ ଚାହାଁଣୀ, କରୁଣମିଶା କୋମଳ ଭାଷା, କେଡ଼େ ମନୋହର–ଶୀତଳ । ସନିଆ ଶୋଇ ଶୋଇ ଖାଲି ଭାବିଲା ।

 

ବାହାରେ ଦିନ ମଉଳି ଆସୁଥାଏ । ଦୂର ଦିଗ୍‍-ବଳୟ ଲାଲ ହୋଇ ଉଠିଲାଣି । ବ୍ରାହ୍ମଣୀ ଥିର ପାଣିରେ ଠାଏ ଠାଏ ନାଲି–ନେଳି–କଳା । ଘଡ଼ିକ ଘଡ଼ି ରଙ୍ଗ–ମଣିଷ ଜୀବନର ଗତି ପରି ।

 

ଫୁଲ ଘରକୁ ଫେରିଲା ବେଳକୁ ଦିନ ଆସି ଦି’ପହର ହେଲାଣି । ନଈରୁ ଗାଧୋଇ ଯାଇଥିଲା । ଘରେ ପହଞ୍ଚି ତରବରରେ ମୁଣ୍ଡରୁ ଜାଳ ଗୋଛାଟା ତଳେ ଫୋପଡ଼ି ଭିତରକୁ ଗଲା ।

 

ମା’ପା ପଚାରିଲା, କିଲୋ ଫୁଲ ! ଆଜି କାହିଁକି ଏତେ ଡେରି ? ଫୁଲ କହିଲା, ଆସୁଥିଲି ବାଟେ–ପୁଣି ମନ ହେଲା ନଈକୂଳର ସେଇ ନୂଆ ବଗିଚା ବାଟ ଦେଇ ଆସିବାକୁ । ବଗିଚା ଯା’ ର–ସେ ଭାରି ଭଲ ଲୋକ ମା । ପରିବା ଦି’ଟା ମାଗିଲା–ଦେଖ୍ନି, କେତେ ପରିବା ଦେଇଚି । କହୁ କହୁ ଫୁଲ ବାଇଗଣ, ଲଙ୍କାମରିଚ ତଳେ ଓଜାଡ଼ି ଦେଲା ।

 

ଏତେଗୁଡ଼ା ପାରିବା ଦେଖି ମା’ର ଆଖି ଆନନ୍ଦରେ ଉଜଳି ଉଠିଲା । କହିଲା, ଭଗବାନ ତା’ର ମଙ୍ଗଳ କରନ୍ତୁ । ଯା ଲୋ ଫୁଲ, ଚଞ୍ଚଳ ଓଦାଲୁଗାଟା ପାଲଟି ତୁ ଗଣ୍ଡାଏ ଖାଇଦେ । ଫୁଲ ଓଦାଲୁଗା ପାଲଟି ବେଲାଏ ପଖାଳ ଆଣି ଖାଇ ବସିଲା । ଖାଇ ସାରି ଗଲା ଘରୁ ଦୁଆର ଓଳେଇବାକୁ । ଟିକିଏ ପରେ ସଞ୍ଜ ହେଲା–ଅନ୍ଧାର ଓଢ଼ଣି ତଳେ ଧରଣୀ ବୋହୁ ମୁଁହ ଲୁଚେଇଲା ।

 

ରାତିରେ ଶୋଇଲା ବେଳେ ଫୁଲର ମନେ ପଡ଼ିଲା, ସକାଳର ଘଟଣା । ତା’ ପ୍ରତି କିପରି ସେ ମରଦଟିର ଅନୁକମ୍ପା–ଶରଧା । ମରଦଟି ଦେଖିବାକୁ କେଡ଼େ ସୁନ୍ଦର–ବଳିଲା ବଳିଲା ଦେହ । ଗୋରା ମୁହଁଟିକୁ କାନର ନୋଳି ଦି’ପଟ ବେଶ ମାନୁଚି । ମୋ ଆଡ଼କୁ କାହିଁକି ଏତେ ଅନାଉ ଥିଲା । ଭାବୁ ଭାବୁ ଭାବନାର ଗହୀର ଦରିଆରେ ଫୁଲକୁ ନିଦ ଆସି ବୁଡ଼ାଇ ଦେଲା ।

 

ଭୋରୁ ଉଠିଲା ବେଳକୁ ଫୁଲଦେଖିଲା ପାହାନ୍ତି ପବନ ନିଦରୁ ଉଠି ଅଳସ ଭାଙ୍ଗୁଛି । ଦୂରରୁ କୁକୁଡ଼ା ଡାକ ଛାଡ଼ିଛି, ଉଠ ଗୋ ଉଠ, ସକାଳ ହେଲା । ତା’ର ଡାକରେ ନୂଆ ଚେତନା–ନୂଆ ରାଗିଣୀ । ଫୁଲ ଘରର ବାସି ପାଇଟି କରିବାରେ ଲାଗିପଡ଼ିଲା ।

 

ଟିକିଏ ପରେ ତାରା ସୁକୁମାରୀ ମୁଁହ ଲୁଚାଇଲା ନବ ଅରୁଣର କନକ ଆଭା ଦେଖି । ଘର ଦୁଆରେ ସକାଳର କଅଁଳ ଖରା ଡେଇଁ ଡେଇଁ ବୁଲିଲା । ଫୁଲର ବାସିକାମ ସରିଯାଇଥିଲା ।

 

ସେତିକି ବେଳକୁ ଧନିଆ ମା’ବୁଢ଼ୀ ମୁଢ଼ି ବିକି ବିକି ଆସି ପହଞ୍ଚିଲା । ଧନିଆ ମା’ ବୁଢ଼ୀ ହେଲାଣି, ଅଣ୍ଟା ନହକି ଗଲାଣି । ମୁଣ୍ଡବାଳ ଝୋଟ ପରି ଦିଶିଲାଣି; ଆଖିଗୁଡ଼ାକ ଭିତରକୁ ପଶିଗଲାଣି । ବଳ ବଅସ ଦୂରକୁ ହଟି ଗଲାଣି । ତଥାପି ଧନିଆ ମା’ବୁଢ଼ୀ ଚାଲିଛି ମୁଢ଼ି ବିକି ବିକି ନିତି ଦିନିଆ ଏଇ ଧୂଳିଧୂସର ବାଟରେ । କେତେ ବାଟୋଇ ଲୁହ ନିଗାଡ଼ି, ଦୁଃଖ ଶୋକର ନିଆଁରେ ନିଜକୁ ଆହୁତି ଦେଇ ଜୀବନ ସେପଟେ ଅଦେଖା ରାଇଜରେ ପୁଣି ସମସ୍ତେ ହେବେ ମୁଁହ ଚାହାଁଚାହିଁ ।

 

ଧନିଆ ମା’ ଆଖିରୁ ଆଜି ଲୁହ ଶୁଖିଯାଇଛି । ହୃଦୟଟା ହୋଇଯାଇଛି ପାଷାଣ । ବାହା ହେଇ ସାତ ବରଷ ପରେ ସେ ହେଲା ବିଧବା । ଶାଶୁ ଘରେ ନିଜର ହେଇ ଆଉ କେହି ନଥିଲେ । ଥିଲା ଚାରି ବରଷର ଗୋଟିଏ ବୋଲି ପୁଅ, ଏଇ ଧନିଆ ।

 

ବ୍ୟଥାରେ କ୍ଷତଟା ନିଜ ଛାତିରୁ ଲିଭାଇ ଧନୀଆ ମା’ ଦୁଃଖକଷ୍ଟ ଭୋକ ଉପାସ ସବୁ ଗଲା ଭୁଲି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଧନିଆକୁ କଲା ମଣିଷ ।

 

ଧନିଆ ମଣିଷ ପରି ମଣିଷ ହେବ, ରୋଜାଗାର କରିବି, ତାକୁ ପୋଷିବ, ବାହାସା’ ହେବ । ନଖିଆ କେଉଟ ବୋହୁ ପରି ସେ ବାଛି ବାଛି ବୋହୁଟିଏ ଆଣିବ । ତେବେ ଯାଇ ସେ ବୁଢ଼ୀଦିନେ ସୁଖ କରିବ । ଧନୀଆ ମା ଇମିତି ଭାବି ଭାବି ଖାଲି ଆଶାରେ ସ୍ଵପ୍ନ ଦେଖେ ।

 

କିନ୍ତୁ ସବୁ ସ୍ଵପ୍ନ ତା’ର ଦିନେ ଭାଙ୍ଗି । ଧନୀଆ ବଡ଼ ହେଲା । ବେଶୀ ରୋଜଗାର ଆଶାରେ ଗାଁ ଛାଡ଼ି ଗଲା ରେଙ୍ଗାମ । ସେଇଠି ସେ ରହିଲା, ଆଉ ତା’ର ଖବର ମିଳିଲା ନାହିଁ । କିଏ କିଏ କହିଲେ ଧନିଆ ମରିଯାଇଛି–କିଏ କିଏ କହିଲେ ଧନିଆ ସେଇଆଡ଼େ ବାହା ହେଇ ଘର ଦୁଆର କରି ରହିଲା–ଆଉ ଗାଁ ଛାଇ ମାଡ଼ିବ ନାହିଁ ।

 

ନାନା ଲୋକଙ୍କ ନାନା କଥା ଶୁଣି ଧନିଆ ମା’ ମନ ବୁଝେନା । ସେ ଗାଁର ଚାରି କୋଶ ଭିତରେ ରେଙ୍ଗାମ୍ କି କଲିକତାରୁ କିଏ ଆସିବାର ଶୁଣିଲେ ଦଉଡ଼ିଯାଏ । ପଚାରେ, ବାପ ମୋ ଧନିଆକୁ ଦେଖିଥିଲୁ । ଉତ୍ତର ଆସେ ନାଁ । ବୁଢ଼ୀ ମୁହଁ ନିରାଶାରେ ଝାଉଁଳି ପଡ଼େ । ଆଖିରୁ ଝରିପଡ଼େ ଦି’ଟୋପା ଲୁହ ।

 

ଇମିତି ବୁଢ଼ୀ ପଚାରି ପଚାରି କହାଠାରୁ ହେଲେ ଧନୀଆର ଖବର ପାଇ ନାହିଁ । କାନ୍ଦି କାନ୍ଦି ଘରକୁ ଫେରିଛି ।

 

ତଥାପି ବୁଢ଼ୀ ବଞ୍ଚିଚି ମୁଁଢ଼ି ବିକି ବିକି । କାଳେ ଯଦି ଧନିଆ ପୁଅ ତା’ର ଫେରିଆସେ । ତେବେ ତା’ ଦୁଃଖ ଲେଉଟିବ, ଗାଁ ମଙ୍ଗଳାଙ୍କୁ ଭୋଗ ଦେବ ।

 

ଧନିଆ ମା’ କୁ ଦେଖି ଫୁଲ ଦି’ ପଇସାର ମୁଢ଼ି କିଣିଲା; ପଦେଅଧେ ଦୁଃଖ ସୁଖ ହେଲା-। ତା’ ପରେ ପୁଣି ଧନିଆ ମା ମୁଢ଼ି ପସରା ଧରି ଡାକି ଡାକି ଚାଲିଲା, “ମୁଢ଼ି ନବ ମୁଢ଼ି” ।

 

ବେଳ ଦି’ଘଡ଼ି ବେଳକୁ ଫୁଲ ଜାଳ ପାଈଁ ନଈ ଏପାରି ତୋଟାମାଳକୁ ଆସିଲା । ମାସରେ ଅଧେ ଦିନ ଫୁଲ ଜାଳ ପାଇଁ ଆସେ । ମା’ ତା’ର ଗାଁରେ ମୂଲପାଇଟି ଲାଗେ ।

 

ଆଜି କାହିଁକି ଫୁଲକୁ ଜାଳ କରିବାକୁ ଭଲ ଲାଗିଲା ନାହିଁ । ପତର ଖରକୁ ଖରକୁ ସେ କ’ଣ ମନକୁ ମନ ଭାବେ–ବେଳେ ବେଳେ ଅନାଏ ସନିଆର ବଗିଚାଆଡ଼େ । କାହାରିକୁ ଦେଖିବାକୁ ପାଏନା । ପୁଣି ଆଖି ତା’ର ବଗିଚା ଡେଇଁ ଦୂରକୁ ପଡ଼େ ! ଦେଖାଯାଏ ସେପାରିର ଅସୁମାରି ପାଟ–ପାହାଡ଼ର ଉଚ୍ଚ ମଥା–ଗଛ–ବୁଦା–ଗହଳି–ଆଉ ଦଳକୁ ଦଳ ବଗ ପକ୍ଷୀ । ଫୁଲକୁ କିଛି ଭଲ ଲାଗେନା–ଅବୁଝା ମନଟା ତା’ର କ’ଣ ଖୋଜିଲା ପରି ଲାଗେ ।

 

ଘଣ୍ଟାକ ପରେ ଜାଳ ଗୋଛାଟା ବାନ୍ଧି ଫୁଲ ଘରକୁ ଫେରିବାକୁ ବସିଲା । ଭାବିଲା ବଗିଚା ବାଟ ଦେଇ ଯିବ–ଏତେ କରି ସେ କହିଥିଲେ । ପୁଣି ଭାବିଲା ନାଁ, ଏବାଟେ ଚାଲିଯିବି । କିଏ କାହାର ? ଖାଲି ସହାନୁଭୂତି ମିଶା କଥା ପଦକ ସିନା ମଣିଷ କୁ ଆପଣାର କରି ଟାଣିନିଏ । କିନ୍ତୁ ସବୁ ଭୁଲ–ଏଇ କଥା ପଦକ ଭିତରେ ପୁଣି ଥାଏ ଫାଙ୍କି । ମୁଁ ମୋ ଦୁଃଖରେ, ସେ ତାଙ୍କ ଦୁଃଖରେ । ଗରିବ ବୋଲି ଦିନେ ସିନା ସେ ଦୟା ଦେଖାଇଲେ...ଆଉ କ’ଣ ସବୁ ଦିନେ ସେ ଇମିତି କରୁଥିବେ । ବଳେ ବଳେ ଗଲେ ଦୟା ପରିବର୍ତ୍ତେ ପୁଣି ଆସିବ ଘୃଣା ।

 

ଇମିତି ଭାବି ସେ ଜାଳ ଗୋଛଟା ନଇଁପଡ଼ି ମୁଣ୍ଡକୁ ଉଠାଇଲା । ସେଇ ବାଟେ ବାଟେ ନଈପଠାକୁ ଧୀରେ ଧୀରେ ଗଡ଼ିଲା । ନାଇବାଲି ଉପରେ ଶୀତଦିନିଆ ସରୁ ରାସ୍ତାଟି ଧୂଳି ଖେଳି ଖେଳି ବ୍ରାହ୍ମଣୀ ପାଣିରେ ଗୋଟାଏ ବୁଡ଼ା ମାରି ସେପାରି ଅତଡ଼ା ଉପରେ ଖରା ପୋଉଁଛି ।

 

ରାସ୍ତା ରାସ୍ତାଏ ଫୁଲ ଚାଲିଛି । କିଏ ପଛରୁ ଡାକିଲା ନାଁ ଧରି । ଫୁଲ ଚମକିପଡ଼ି ପଛକୁ ଚାହିଁଲା, ସେଇ ଲୋକ । ବଗିଚା ଭିତରେ ଯା ସହିତ ଘଡ଼ିକର ଦେଖାସାକ୍ଷାତ ।

 

ସନିଆ ଡାକିଲା, ଫୁଲ ଶୁଣିଯା । ଫୁଲ ସନିଆର କଥା କାହିଁକି ଏଡ଼ିଦେଇ ପାରିଲା ନାହିଁ । ପଛକୁ ଫେରିଲା । ସନିଆ କହିଲା, ଫୁଲ, କହିଥିଲୁ ପରା ବଗିଚା ବାଟଦେଇ ଯିବାକୁ । ଫୁଲ ଲାଜରେ କିଛି କହିଲା ନାହିଁ । ସନିଆ ତା’ ମୁଣ୍ଡରୁ ଜାଳ ଗୋଛାଟା ଉଠାଇ ନେଇ କହିଲା, ଚାଲ ଆଜି ଦି’ଟା ପରିବା ନେଇଯିବୁ । ଫୁଲ କହିଲା, ନାହିଁ କାଲି ଏତେ ପରିବା ନେଇଚି–ଆମ ପରି ଗରିବ ଘରେ ସେଇତ ପନ୍ଦର ଦିନ ଚାଲିଯିବ । ସନିଆ କହିଲା, ଯାଉ–ଆଉ ଦି’ଟା ନେଇଯିବୁ-। ନ ହେଲେ ଦି’ପଦ ସୁଖ ଦୁଃଖ ହୋଇ ଯିବୁ । ସତେ ଫୁଲ, ତୁ ମତେ କାଲିଠୁ ନିଜର କରି ନେଇଚୁ-। ତୋତେ ଦେଖିବା ପାଇଁ ଆଜି ଚାହିଁ ବସିଥିଲି ! ଏତେ ଡେରି ଦେଖି ତୁ ଯେଉଁଠୁ ନ ଆସିଲୁ ମୁଁ ଖୋଜି ଖୋଜି ଚାଲି ଆସିଲି । ଯିବୁନି ଫୁଲ ! ସନିଆ ଭାଇ କଥା ରଖିବୁ ନାହିଁ ?

 

ଫୁଲ ନୀରବରେ ମୁଣ୍ଡ ଟୁଙ୍ଗାରିଲା । ସନିଆଁ ମୁହଁରେ ଉଇଁ ଆସିଲା କ୍ଷୀଣ ମଧୁର ହସ ।

 

ବଗିଚା ଭିତରେ ସନିଆ ଜାଳ ଗୋଛଟା ଫୋପାଡ଼ି ଦେଇ ତା’ର ସେଇ ପଲା ଦୁଆର ମୁହଁରେ ଘାସର ସବୁଜ ନରମ ଗାଲିଚା ଉପରେ ବସି ପଡ଼ିଲା । ଟିକିଏ ଦୂରରେ ଫୁଲ । ସନିଆ କତିରେ ତାକୁ ବସିବାକୁ ଲାଜ ଲାଜ ଲାଗୁଥାଏ ।

 

ସନିଆ ଡାକିଲା, ଫୁଲ !

 

ଛୋଟ ଉତ୍ତର ଆସିଲା, କ’ଣ ।

 

ତମ ଘରକୁ ଥରେ ମୋତେ ନେବୁ ନାହିଁ ।

 

ଗରିବ ଘର, ଦିନେ ଖାଇଲେ ଦି’ ଦିନ ଉପାସ । ତମକୁ ଚରଚା କରିପାରିଲେ ତ ?

 

କାହିଁକି ଆମେ ଏବେ ତମଠୁ କୋଉ ବଡ଼ଲୋକ ।

 

ବଡ଼ଲୋକ ନ ହେଲେ କଅଣ ହେଲା–ମୁଠାଏ ଶାନ୍ତିରେ ଦି’ବେଳା ଖାଇବାକୁ ପାଉଚ ତ । ଆମର ଯେ ତା’ ନାହିଁ ।

 

ସବୁ ଦିନ କ’ଣ ସମାନ ଥାଏ । ଦିନ ବଦଳିବ–ଏଇ ଖେଣ୍ଟା ଗଛର ପତର କଅଁଳିଲା ପରି ।

 

ବଞ୍ଚିଥିଲେ ତ–ଖାଇବାକୁ ନ ପାଇ ପରିଗଲେ…

 

କେହି ମରିବେନି ଲୋ ଫୁଲ–ସମସ୍ତେ ବଞ୍ଚିଛନ୍ତି, ବଞ୍ଚିବେ । ଭଗବାନ ଜନମ ଦେଇଛନ୍ତି–ସେ କ’ଣ ଆଉ ଆହାର ଦେବେ ନାହିଁ । କା’ ଉପରେ ତାଙ୍କର ଦୟା ଟିକିଏ ବେଶି–କା’ ଉପରେ ଟିକିଏ କମ୍ । ସେ ଚାହିଁଲେ ଦୁଃଖ ଦଣ୍ଡକରେ ନେଇଯିବେ । ସେ ଦୁଃଖୀ ପ୍ରତି ଯେତିକି ନିର୍ମମ–ସେତିକି କରୁଣ ।

 

ଫୁଲ କହିଲା, ସନିଆ ଭାଇ ଭଗବାନ କାହିଁକି ଆମକୁ ଜନମ ଦେଇଛନ୍ତି । ଯଦି ଜନମ ଦେଲେ ତେବେ ସେ କାହିଁକି ଆମକୁ ଦୁଃଖୀ କଲେ । କେତେଥର ତାଙ୍କୁ ମନେ ମନେ ପଚାରିଚି, କାହିଁ କେବେ ତ ସେ ଥରେ ଉତ୍ତର ଦିଅନ୍ତି ନାହିଁ । ତେଣୁ ବେଳେ ବେଳେ ମରଣକୁ ଡାକେ–ସେ ବି ଆମର ଏ ଅଲୋଡ଼ା ଜୀବନକୁ ଛୁଇଁବ ନାହିଁ । ଦୁଃଖ ନିଆଁରେ ଆହୁତି ଦେବା ପାଇଁ ପରା ଆମର ଜନମ–ମରଣ ଛୁଇଁବ କିପରି ?

 

ସନିଆ ଫୁଲକୁ ଆଉ କିଛି କହିଲା ନାହିଁ । ଘଡ଼ିଏ ନୀରବ । ଫୁଲ ପଚାରିଲା, ସନିଆ ଭାଇ ! ତମ କଥା ତ କିଛି କହିଲ ନାହିଁ । ତମର ଆଉ କିଏ ଅଛନ୍ତି ?

 

ସନିଆ କହିଲା, ବାପ ମା’ ଛଡ଼ା ମୋର ଆଉ କେହି ନାହାନ୍ତି । ଚନ୍ଦନପୁର ଆମ ଗାଁ–ଅଚ୍ଛବ ବସ୍ତିର ଶେଷମୁଣ୍ଡକୁ ଆମ ଘର । ବାପା ବିଲଧନ୍ଦା ବୁଝନ୍ତି । ମୁଁ ବି ତାଙ୍କରି କାମରେ ସାହାଯ୍ୟ କରେ । ଏଇ ବର୍ଷ ଗାଁ ଜମିଦାରଠାରୁ ଏଇ ନଈକୂଳିଆ ଜମି ନେଇ ବାପା ବଗିଚା କରିଚନ୍ତି । ବଗିଚାର ତତ୍ତ୍ୱ ନେବା, ଜଗିବାଠାରୁ ସବୁ ଭାର ମୋ ଉପରେ ଲଦିଦେଇଚନ୍ତି । ରାତିଦିନ ମୁଁ ଏଇଠି ଥାଏ ।

 

ଫୁଲ କହିଲା, ରାତିରେ ଡର ମାଡ଼େନି ସନିଆ ଭାଇ !

 

ସନିଆ ହସିଲା । କହିଲା, ଆମ ବଗିଚା ଆଗରେ ଏଇ ଯୋଉ ବଗିଚା । ସେଇ ବଗିଚା ଯିଏ ଜଗିଚି, ସେ ଓ ମୁଁ ଦିହେଁ ରାତିରେ ଏକାଠି ରହୁ । ଦିନେ ଦିନେ ଏକଲା ବି ରହେ–ଡ଼ର ଗୋଟାଏ କ’ଣ ?

 

ଫୁଲ ଉଠିଲା । କହିଲା, ଯାଉଚି ସନିଆ ଭାଇ ! ସନିଆ ପଲା ଭିତରୁ ଗୋଟାଏ ପୁଟଳି ଆଣି ଫୁଲ ହାତରେ ଦେଲା । କହିଲା, ଦି’ଟା ଧଣିଆ ଶାଗ । ଫୁଲ ଆଗ୍ରହରେ ପୁଟୁଳିଟି ନେଲା । ବୋଉ ତା’ର ଧଣିଆଶାଗ ଚଟଣିକି ଭାରି ଭଲ ପାଏ ।

 

ସନିଆ କହିଲା, ଫୁଲ ନିଇତି ଆସିବୁ–ମୋ ରାଣ । ଫୁଲ କହିଲା, ଯୋଉ ଦିନ ଜାଳ ପାଇଁ ଆସିବି, ସେଦିନ ନିଶ୍ଚୟ ତମ କତିକି ଆସିବି ସନିଆ ଭାଇ, ରାଣ କାହିଁକି ପକାଉଚ ।

 

ସନିଆ ତା’ ଗାଲରେ ଛୋଟ ଚାପୁଡ଼ାଏ ବସାଇ କହିଲା, ସତେ ? ଫୁଲ ମୁହଁ ଲାଜରେ ରଙ୍ଗା ପଡ଼ିଗଲା । ସେ ସନିଆ ଆଡ଼କୁ ଆଉ ନ ଚାହିଁ ଜାଳ ଗୋଛଟା ମୁଣ୍ଡରେ ଧରି ଗାଁ ବାଟ ଧରିଲା ।

 

ସନିଆ ତାରି ଗତିପଥକୁ ଅନାଇ ରହିଲା । ଆଉ ଟିକିଏ ପରେ ସେପଟେ ଗଛ ଗହଳି ଭିତରେ ତାରି ମଧୁର ଛବିଟି ହଜିଗଲା । ତା’ ପରେ ସାନିଆର ଆଖି ଆଗରେ ଦିଶିଲା ଦୂର ଆକାଶ କୋଳରେ ଦଳେ ବଗ ପକ୍ଷୀମଝିରେ ଶୁନ୍ୟ–ଖାଲି ଫାଙ୍କା ।

 

ସାତ ସପନର ସ୍ମୃତି ଧରି ମଝିରେ ଚାରୋଟି ଦିନ ହଜି ଯାଇଚି । ଫୁଲ ଚାରି ଦିନ ହେଲା ସନିଆ କତିକି ଆସି ନାହିଁ । ସନିଆ ବି ତୋଟାମାଳ ଭିତରେ ଫୁଲକୁ ଖୋଜି ଖୋଜି ନିରାଶା ହୋଇ ଫେରିଚି ।

 

ଆଜି ସକାଳେ ସନିଆ ବାଇଗଣ ଗଛମୂଳେ ମାଟି ଦେଉଥାଏ । ମାଟି ହାଣୁ ହାଣୁ ଥକି ପଡ଼ିଲା । କୋଦାଳଟା ଥୋଇ ଦେଇ କିଆରୀ ମୁଣ୍ଡରେ ଟିକିଏ ଦମ୍ ନେଲା । ଆଗକୁ ଅନେଇଲା ପଶ୍ଚିମପଟ ବାଡ଼ଟା ଅଧେ ମେଲା ହେଇଚି ଏ ଓଲେଇ ଗୋରୁ ଗାଈଗୁଡ଼ା ମଣିଷକୁ ଟିକଏ ବସେଇ ଉଠେଇ ଦେଲେ ନାହିଁ । ମନେ ମନେ ସନିଆ ବିରକ୍ତ ହେଲା, ପୁଣି ଉଠି ପାଖ କଣ୍ଟି ବାଉଁଶ ବୁଦାରୁ ବିଡ଼ାଏ ଝଟା ଆଣି ମେଲା ବାଡ଼କୁ ବୁଜିଲା ।

 

ବାଡ଼ ବୁଜୁ ବୁଜୁ ଅନାଇଲା ଦି’ଟା ଛେଳି ଆସି ଲଙ୍କାମରିଚ ଗଛଗୁଡ଼ା ଖାଇବାରେ ଲାଗିଚନ୍ତି । ସନିଆ ସେଇଠୁ ଥାଇ ଦିଟା ଢେଲା ଫୋପାଡ଼ି ଦଉଡ଼ି ଦଉଡ଼ି ଆସିଲା । ଛେଳି ଦି’ଟା ବାଡ଼ ସନ୍ଧିରେ ଗଳି ପଦାକୁ ପଳାଇଲେ ।

 

ଏତିକିବେଳେ ଲଇକ୍ଷିଣିଆ ଆସି ପହଞ୍ଚିଲା । ଲଇକ୍ଷିଣିଆ ଶିକା, ବାଉଙ୍ଗି, ଟୋକେଇ ଦି’ଟା ଥୋଇଦେଇ କିଆରୀ ଭିତରକୁ ପଶିଲା । ସନିଆର ବାପାକୁ ଦେଖି ମନେ ପଡ଼ିଲା, ଆରେ ଆଜିତ ରବିବାର–ହାଟପାଳି । ବାଇଗଣ ତୋଳିବାକୁ ତା’ର ତ ମନେ ନାହିଁ ।

 

ଲଇକ୍ଷିଣିଆ ପଚାରିଲା, କିରେ ସନିଆ ! ବାଇଗଣ ତୋଳିନୁ କିରେ ? ସନିଆ କହିଲା, ନାଁ–ଗାଈଗୁଡ଼ା ପଶି ପଶ୍ଚିମପଟ ମେଲା କରିଦେଇଚନ୍ତି–ସେଇଆକୁ ତ ବୁଜୁ ବୁଜୁ ଏତେ ବେଳ ।

 

ଲଇକ୍ଷିଣିଆ କହିଲା, ଚାଲ ଚାଲ ଚଞ୍ଚଳ ଦି’ଟା ବାଇଗଣ ତୋଳିଦେଲୁ । ବାପ ପୁଅ ଦିହେଁ ବାଇଗଣ ତୋଳିଲେ । ଘଣ୍ଟାକ ପରେ ଲଇକ୍ଷିଣିଆ ମସ୍ତ ଏକ ବାଇଗଣ ଭାର ନେଇ ଚାଲିଗଲା ।

 

ସନିଆ ବାଇଗଣ ତୋଳି ସାରିଲା ବେଳକୁ ତାକୁ ଟିକେ ଥକ୍କା ଲାଗିଲା । ବଗିଚା ଭିତର ଛାଇମୂଳେ ଟିକିଏ ବସି ପଡ଼ିଲା । ଭାବିଲା, କାହିଁ, ଆଜି ତ ଫୁଲର ଦେଖା ନାହିଁ–ସେ କ’ଣ ଏତେ ଚଞ୍ଚଳ ଭୁଲିଗଲା । ମନ ମାନିଲା ନାହିଁ, ଉଠି ଛିଡ଼ା ହେଲା–ଉଙ୍କିମାରି ସେଇ ତୋଟାମାଳ ଭିତରକୁ ଅନାଇଲା । ଦେଖିଲା ତୋଟାମାଳ ଡେଇଁ ଫୁଲ ଏଆଡ଼େ ଆସୁଛି । ଫୁଲକୁ ଦେଖି ସନିଆ ମନ ବଗିଚା ପାଖ ସେଇ ଝଙ୍କା ବରଗଛ ମୂଳ ପରି ମୋଟ ହୋଇଗଲା । ସନିଆ ଭାବିଲା, ଫୁଲ ଆସିଲେ ମୋଟେ କଥା କହିବ ନାହିଁ ।

 

ସେ ତା’ କୁଡ଼ିଆ ଭିତରେ ଲୁଚି ତୁନି ହୋଇ ବସି ରହିଲା । ଫୁଲ ବଗିଚା ଧଡ଼ା ମେଲା କରି ଭିତରେ ପଶିଲା । ଅନାଇଲା କେହି କୁଆଡ଼େ ନାହାନ୍ତି । ଡାକିଲା, ସନିଆ ଭାଇ, ସନିଆ ଭାଇ । ସନିଆ ଶୁଣିଲା ନାହିଁ । ଉତ୍ତର ନ ପାଇ ଫୁଲ ନିରାଶରେ ଫେରିଯିବାକୁ ବସିଲା । ଏତିକିବେଳେ ସନିଆ ପଦାକୁ ଆସି ଛପି ଛପି ଯାଇ ପଛରୁ ତା’ ଆଖି ଦି’ଟା ବୁଜି ଧରିଲା । ଫୁଲକୁ ଚିହ୍ନିବାକୁ ଅଜଣା ରହିଲା ନାହିଁ । ହସି ହସି କହିଲା, ସନିଆ ଭାଇ ! ହାତ ଛାଡ଼ ।

 

ସନିଆ ହାତ ଛାଡ଼ିଦେଲା । ଫୁଲ କହିଲା, ସନିଆ ଭାଇ, ତମକୁ ନ ପାଇ ମନ ଦୁଃଖରେ ଫେରି ଯାଉଥିଲି । ସନିଆ କହିଲା, ଚାରିଦିନ ହେଲା କୁଆଡ଼େ ଥିଲୁ । ସନିଆ ଭାଇ ମଲା ଗଲା ଖବର ତ ଟିକିଏ ବୁଝ ନାହୁଁ । ଫୁଲ ଅଭିମାନରେ କହିଲା, ସନିଆ ଭାଇ ସିମିତିକା ଅମଙ୍ଗଳ କଥା କହିବ ନାହିଁ । ସନିଆର ଓଠ ଫାଙ୍କରେ ଫୁଟି ଉଠିଲା ସରୁ ହସ । ସନିଆ କହିଲା, ଫୁଲ ମୋ’ଠି ତୋର ଏତେ ଲୋଭ । ମୁଁ ବା ତୋର କିଏ ? ସନିଆ ଉତ୍ତର ପାଇବା ଆଶାରେ ଫୁଲ ଆଡ଼କୁ ମୁଗ୍ଧ ଆଖିରେ ଅନାଇ ରହିଲା । ଫୁଲ କ’ଣ କହିବାକୁ ବସିଥିଲା–କିନ୍ତୁ ପରକ୍ଷଣରେ ସନିଆର ଚାହାଁଣୀ ଦି’ଟା ତାକୁ ବଡ଼ ବିବ୍ରତ କରି ପକାଇଲା । ସେ କିଛି କହି ପାରିଲା ନାହିଁ । ସରାଗଭରା ମୁହଁଟି ତା’ର ଲାଜରେ ଝାଉଁଳି ପଡ଼ିଲା ।

 

ସନିଆ ଫୁଲର ହାତଧରି ତା’ ପଲା ଭିତରକୁ ଡାକିଲା । ଫୁଲ ଲାଜରେ ଗଲା ନାହିଁ । ଦୁଆର ମୁହଁରେ ବସିଲା । ସନିଆ ପଲା ଭିତରେ ବସି ପଚାରିଲା, ଫୁଲ ! ତୁ ଏତେବଡ଼ ହେଲୁଣି–ତୋର ବାହାଘର କୋଉଠି ହେଉଚି । ଫୁଲ ହସିଲା, ପାହାନ୍ତି ମଉଳା ଗଙ୍ଗଶିଉଳୀର କରୁଣ ହସ ପରି ।

 

ଫୁଲ ମନେ ମନେ ଭାବିଲା, ବାହାଘର–କାହିଁ କେବେ ଦିନେ ସେ ଏ କଥା ତ ଭାବି ନାହିଁ । ଅଇଁଠା ମା’ ଝୁଅର ପୁଣି ବାହାଘର । ଯା’ର ଦି’ ବେଳା ପେଟ ପୁରାଇ ଗଣ୍ଡାଏ ଖାଇବାକୁ ମିଳେ ନା–ଆଖିର ଲୁହରେ ବେଦନାର ସୁଅରେ ଖାଲି ଦିନ କଟେ–ଦିନ କଟେ ନା ତ, ଫୁଲର ମନେ ହୁଏ ଗୋଟାଏ ଦିନ ଗୋଟାଏ ବର୍ଷ ।

 

ମୋର ସାଙ୍ଗରେ ଶୁକୁରି ମଳିକ ଝୁଅ ହୀରା, ତାଲବରିଆ ଝୁଅ ପାରା, ଗୁରୁବାରିଆ ଝୁଅ ଦୁଃଖୀ ସମସ୍ତେ କିଏ କୁଆଡ଼େ ବାହାହେଇ ଗଲେଣି । ପାରା କୋଳରେ ବର୍ଷକର ଗୋଟିଏ ପୁଅ । ଦୁଃଖୀର କ’ଣ ହେବ ବୋଲି ତା’ ମା’ କହୁଥିଲା । ଆଉ ହାରା–ଗଲା ମଗୁଶିରରେ ତା’ର ବାହାଘର । ହିନୀକପାଳିଟା–ଶେଷରେ ବୁଢ଼ା ବର ସାଙ୍ଗରେ ବିଧାତା’ ତା’ର ଜୀବନ ଛନ୍ଦିଲା । ଏକା ସାଙ୍ଗରେ ଆସିଥିଲୁ ହାତ ଧରାଧରି ହୋଇ ଏଇ ମରତ ରାଇଜକୁ; ହସି ଖେଳି, ନାଚିକୁଦି ସୁଖରେ ଘର କରିବାକୁ । କାହିଁ କିଏ ? ସମସ୍ତେ କିଏ କୁଆଡ଼େ ଚିତା’ କାଟି ଛୁ’। ସ୍ୱାର୍ଥପର–ବଡ଼ ସାର୍ଥପର ଏଇ ମଣିଷ ଜାତି । କାହିଁ ଦୁଃଖ ବେଳେ କେହି ତ ଆହା ପଦେ କହୁ ନାହାଁନ୍ତି । ଛୋଟରୁ ବଡ଼ ହେଲି–ସବୁ ଦେଖିଲି । ଭାବୁଥିଲି ଏଇ ଦୁନିଆ କେଡ଼େ ସୁନ୍ଦର । ଜୀବନର ସୁଆଦ ଅଛି । କିଛି ନାହିଁ–ସବୁ ଫାଙ୍କି । ଖାଲି ବଞ୍ଚି ରହିବାର ମୋହ ମଣିଷ ଆଖିରେ ଲଗାଉଚି ଭେଳିକି ।

ଫୁଲକୁ ନୀରବ ଦେଖି ସନିଆ ପୁଣି ପଚାରିଲା, ଫୁଲ ଆଜି ନହେଲେ କାଲି–ଦିନେ ନା ଦିନେ ତୋର ବାହାଘର ହେବ । ସେତେବେଳେ ତୋର ମୋ କଥା ମନେ ଥିବ ତ ? ଫୁଲ କହିଲା, ସନିଆ ଭାଇ, ଆଖିର ଲୁହକୁ ତତଲା ଛାତିରେ ନିଗାଡ଼ି ଦୁଃଖ କଷ୍ଟକୁ ଜୀବନର ସଙ୍ଖାଳି କରି ଯାର ଦିନ କଟେ–ତାର ପୁଣି ହେବ ବାହାଘର । ଜୀବନରେ ଏତେ ବଡ଼ ସୁଖ ସୁଆଦ–ସେ କ’ଣ ମୋ ଭାଗ୍ୟରେ ଅଛି ?

ସନିଆ ଟିକିଏ ହସିଲା । କହିଲା, ସବୁ ଦିନେ କ’ଣ ଅନ୍ଧାର ରାତି ଥାଏ । ଦିନ ଆସେ, ଦିଗବୁଡ଼ା ଘନ ଅନ୍ଧକାର ଯାଏ ଉଭାଇ–ଜୋଚ୍ଛନା ଝରେ ।

ଫୁଲ କହିଲା, ହଉ ସେ ବେଳ ତ ମୋର ଅଛି ।

ସନିଆ କହିଲା, ବେଶି ଡେରି ନୁହେଁ ଲୋ ଫୁଲ–ଖୁବ୍ ପାଖେଇ ଆସିଲାଣି । ବସନ୍ତ ଆସିଲେ ପହିଲି ବଉଳ ଚାଖି କୋଇଲି ଯିମିତ ଗାଇଦିଏ ସୁଆଦଭରା ଗୀତ–ସିମିତି ବାହାଘର ଦିନ ପାଖେଇ ଆସିଲେ ପ୍ରାଣରେ ଜାଗେ ଅଜଣା ଶିହରଣ । ଜୀବନଟା ଆପଣା ମନକୁ ମହକି ଉଠେ । ଏ ଦେହ ଆଉ କାହାର ବୋଲି ମନେ ହୁଏ । ସତ କହିଲୁ ଫୁଲ, ନୁହେଁ ।

ଫୁଲ ସନିଆର କଥା ପଦକ ଶୁଣି ଲାଜରେ ମୁଣ୍ଡର ଓଢ଼ଣା ଟିକେ ଟାଣିଦେଲା । କହିଲା, ସନିଆ ଭାଇ ତମେ ଭାରି ଜଣେ । ଏତିକି କହି ସେ ମୁହଁ ତଳକୁ ପୋତିଲା ।

ସନିଆ ହସି ହସି ପାଖକୁ ଘୁଞ୍ଚିଯାଇ ଫୁଲକୁ କୋଳରେ ଧରି ପକାଇଲା । ଫୁଲ ସନିଆ କୋଳରୁ ମୁକୁଳିବାକୁ ଚେଷ୍ଟା କଲା । ତା’ର ଚେଷ୍ଟାକୁ ଉପହାସ କରି ଦେହମୁଣ୍ଡରୁ ଲୁଗା ଖସି ପଡ଼ିଲା । ସନିଆ ଏଇ ଅବସରରେ ତାକୁ ଚୁମ୍ବନ କରିବାକୁ ଲାଗିଲା । ଫୁଲ କହିଲା ଛିଃ ଇଏ କ’ଣ କରୁଚ । କିଏ ଦେଖିବ, ଛାଡ଼ ।

ସନିଆ ଛାଡ଼ିଦେଲା । ଫୁଲ ଲାଜରେ ଜଡ଼ବଡ଼ ହୋଇ ଉଠି ଦେହ ମୁଣ୍ଡରେ ଲୁଗା ସଜାଡ଼ିଲା । ମୁହଁରେ ଭାଷା ନାହିଁ–ନୀରବ । ଚାଲିଯିବାକୁ ପାଦ କାଢ଼ିଲା । ସନିଆ ଡାକିଲା, ଫୁଲ ! ତଥାପି ଫୁଲ ଶୁଣିଲା ନାହିଁ ।

ପୁଣି ସନିଆ ଡାକିଲା, ମୋ ରାଣ ଫୁଲ–ଶୁଣ ।

ଫୁଲ ପାଦ ସେଇଠି ଅଟକି ଗଲା । ସନିଆ ଆଡ଼କୁ ଅନାଇ ଟିକିଏ ହସିଲା । କହିଲା, କ’ଣ କହୁନା ।

କାଲି ଆସିବୁ ।

ହଉ ।

ଫୁଲ ବିଦାୟ ନେଲା ।

ଇମିତି ଫୁଲ ଦି’ ଦିନ ଚାରି ଛାଡ଼ି ସନିଆ କତିକି ଆସିଲା । ଦୁହିଁଙ୍କର ସ୍ନେହ ଦୁହିଁଙ୍କ ପ୍ରତି ବଢ଼ି ଉଠିଲା । ଦୁହଁଙ୍କର ପାଗଳ ମନ ଛପି ଛପି ଦଉଡ଼ିଲା କ’ଣ ପାଇବା ପାଇଁ–କିନ୍ତୁ କେହି କାହାକୁ ମନ ଖୋଲି କହିଲେ ନାହିଁ ।

 

ଫୁଲ ଆସେ । ସନିଆ ଫୁଲ ବାଟକୁ ଅନାଇ ବସିଥାଏ । ଫୁଲକୁ ଦେଖିଲେ ସନିଆ ମୁହଁରେ ହସ ଫୁଟେ । ଫୁଲ ହସେ । ସନିଆ ଆଦରମିଶା କେତେ କଥା କହେ–ଫୁଲ ଶୁଣୁ ଶୁଣୁ କଥା ମଝିରେ ସନିଆ ଫୁଲକୁ କୋଳକୁ ଆଉଜାଇ ସ୍ନେହ ସରାଗ ଅଜାଡ଼ି ଦିଏ । ଫୁଲ ଲାଜ ଲାଜ ହୁଏ–କିନ୍ତୁ ବାଧା ଦେଇ ପାରେନା ।

 

ଫୁଲ ନ ଆସିଲେ ସନିଆକୁ କିଛି ଭଲ ଲାଗେନା–ମନ ମାରି ବସେ । ସନିଆକୁ ନ ଦେଖିଲେ ଫୁଲକୁ କୋଉ କାମରେ ମନ ଲାଗେ ନା–ଭାତ ରୁଚେ ନା । ରାତିରେ ନିଦ ହୁଏନା–ଭାବନାରେ ଛଟପଟ ହୋଇ କୋଉ ଦିନ ହୁଏ ସକାଳ ।

 

ଇମିତି ଦୁହେଁ ଦୁହିଁଙ୍କି ଭଲ ପାଇଲେ । ନିଛାଟିଆ ପ୍ରାନ୍ତର ବୁକୁରେ ଦୁହିଁଙ୍କର ଜୀବନ ଛନ୍ଦି ଏକ ଚାଳରେ ବାଜି ଉଠିଲା । କେହି ଜାଣିଲେ ନାହିଁ–କେବଳ ସରଗ ମରତ ଦେଖିଲା ଦୁହିଁଙ୍କ ଜୀବନର ଲୁଚକାଳି ଖେଳ ।

 

ଛାୟା ଛବି ପରି ଦୋ’ଟି ମାସ କଟି ଯାଇଚି ।

 

ପାଞ୍ଚ ଦିନ ହେଲା ଫୁଲ ବୋଉକୁ ରୋଜ ଜର ଆସୁଚି । ଯେତେ ତୁଟୁକା ଓଷଧ କାଟୁ କରୁ ନାହିଁ । ଫୁଲର ମନରେ ଭଲ ନାହିଁ । ମା’ଟି–ତା’ ଜୀବନର ଶେଷ ଭରସା । ସେଇଟି ହଜିଲେ ସବୁ ଶେଷ । ତେଣିକି ଖାଲି ଆଖିର ଲୁହ ହେବ ସମ୍ବଳ, ବେଦନା ଧକ୍କାମାରି ଠେଲିଦେବ ପୁଣି ଦିନେ ଅସମୟରେ ମରଣର କଅଁଳ ଶେଯ ଉପରକୁ । ମରଣରେ ହୁଏତ ଆସିବ ଜୀବନର କଳ୍ପିତ ଶାନ୍ତି ଟିକକ । ଫୁଲ ଭାବି ଭାବି ଆଖିରୁ ଦି’ ଟୋପା ଲୁହ ନିଗାଡ଼େ ।

 

ଫୁଲ ଖାଇବା ପିଇବା ଭୁଲିଯାଇ ମା’ର ସେବା କରେ; ମୁହଁ ଶୁଖେଇଚୁ କାହିଁକି । ମୁଁ କ’ଣ ଏତେ ଚଞ୍ଚଳ ମରିଯାଉଚି । ଦୁଃଖୀର ଜୀବନ ଦୀପ ସହଜରେ ଲିଭେନା ଲୋ । ମା’ କଥା ଶୁଣି ଫୁଲ ଆଖିରେ ଲୁହ ପୂରି ଉଠେ । ମା’ ହସେ–କୁହେ, ପାଗଳୀ ।

 

କେତେ ନେହୁରା କରି ଗାଁ ବଇଦ ବୈଷ୍ଣବ ନାଥକୁ ଫୁଲ ସେ ଦିନ ଡାକି ଆଣିଲା । ବଇଦ କ’ଣ ବଟିକା ଗଣ୍ଡାଏ ଛ’ଟା ଦେଇଗଲା । ସେଇଆକୁ ଖାଇ ଦିନକ ପରେ ମା’ର ଜର କମି ଆସିଲା ।

 

ଚାରିଦିନ ହେଲା ଫୁଲର ମା ଦେହ ଭଲ ଅଛି–ଆଉ ଜର ନାହିଁ । ସେ ଦିନ ସକାଳେ ଆକାଶରେ ସୂରୁଜ ଦେବତା ହସି ଉଠିଲେଣି । କଅଁଳ ଖରା ଗଛ ଗହଳି ବୁଦା ଭିତରେ ଛପି ଛପି ରଙ୍କ ପାଣି ଛିଞ୍ଚୁଛି । ନେଳିଆ ସରଗ ଦରିଆରେ ଦଳ ଦଳ ପକ୍ଷୀ–ସମସ୍ତଙ୍କ କଣ୍ଠରେ ନୂଆ ଦିନର ଗୀତ ।

 

ଦି’ଟା ପାରା ଉଡ଼ିଆସି ଘର ଚାଳ ଉପରେ ଘଡ଼ିଏ ବସିଲେ । ଗୋଟାଏ ପାରା ଆଗ ଫଡ଼୍ କରି ଉଡ଼ିଗଲା । ଅନ୍ୟଟି ତାରି ଆଡ଼କୁ ଚାହିଁଲା ସତୃଷ୍ଣ ନୟନରେ । ପୁଣି ଉଡ଼ି ଯାଇଥିବା ପାରାଟି ଫେରି ଆସିଲା । ଦୁହେଁ ଘୁମୁରି ଘୁମୁରି ଗୀତ ଗାଇଲେ–ପୁଣି ଫଡ଼୍ କରି ଉଡ଼ିଗଲେ । ଫୁଲ ସେଇଆଡ଼ୁ ଚାହିଁ ସକାଳର ସୁନ୍ଦର ଦୃଶ୍ୟ ଦେଖୁଥିଲା ।

 

ବାସୀକାମ ସେତେବେଳକୁ ସରିଯାଇଥିଲା । ଫୁଲ ଭାବିଲା ଆଜି ଜାଳକୁ ଯିବି, ସନିଆ ଭାଇକି କେତେଦିନ ହେଲା ନ ଦେଖି ମନଟା କାହିଁକି ଭଲ ଲାଗୁନାହିଁ ।

 

ଘଡ଼ିକପରେ ଫୁଲ ବଡ଼ି ଚୁରା ଲଗେଇ ଗଣ୍ଡାଏ ପଖାଳ ଖାଇ ଏପଟ ତୋଟାମାଳ ଭିତରକୁ ଗଡ଼ିଲା ।

 

ଫୁଲକୁ କାହିଁକି ଆଜି ତୋଟାଟା ନିଛାଟିଆ ଲାଗିଲା । କାହିଁ କେବେ ତ ଇମିତି ଲାଗେନାହିଁ । ଫୁଲ ଘଡ଼ିଏ ଭାବିଲା, ତା’ର ଏଠି କେତେ ସାଙ୍ଗ । ଏଇ ବଣୁଆ ଫୁଲ, ପତର, ଅରମା ବୁଦ୍ ବୁଦିକିଆ ଜଙ୍ଗଲ, ଗଛଲତା, ସେ ମୁଣ୍ଡର କରିକିଆ କିଆବାଡ଼ । ଦୂରରୁ ଜଳ ଜଳ ଦିଶୁଛି ନଈ ଉପରେ ଗାଁ, ଘର, ଡେଙ୍ଗା ନଡ଼ିଆ ଗଛଗୁଡ଼ିକ । ମଝିରେ ଫାଙ୍କା–ଶୂନ୍ୟ । ଏହି ଶୂନ୍ୟତା ଭିତରେ ବି ବେଳେବେଳେ ତା’ର ସାଙ୍ଗ ହୁଅନ୍ତି ଆସି ସରଗ ରାଇଜର ଏଇ ପକ୍ଷୀଗୁଡ଼ାକ-

 

ହଠାତ୍ ଦୂରରୁ ସୁ ସୁ ହେଇ ପବନଟା ବହିଆସିଲା ତୋଟାମାଳ ପତର ଉଡ଼ାଇ–ବଣୁଆ ଫୁଲର ନାଲି ଟହଟହ ଓଠରେ ସରୁଚୁମା ଦେଇ । ଫୁଲ ଉପରେ ବସିଥିବା ପରଜାପତିଟି ଫୁର୍ ଫୁର୍ ହୋଇ ଦୂରକୁ ଘୁଞ୍ଚିଗଲା । ଫୁଲ ମୁଣ୍ଡ ଓ ଛାତି ଉପରୁ ଲୁଗାଟା ଖସିପଡ଼ିଲା । ସେପାଖ ବାଉଁଶ ବୁଦା ଗହଳି ରଡ଼ ରଡ଼ ଡାକି ଉଠିଲା ।

 

ଫୁଲକୁ କାହିଁକି ଆଜି ଟିକେ ଭୟ ଲାଗିଲା । ସେ ପାଖରେ ବାଉଁଶ ବୁଦାଗହଳି–ବଡ଼ ଅନ୍ଧାରୁଆ ଜାଗାଟା । ଦିନରେ ବି ଦିନେ ଦିନେ ଫୁଲ ପତର ଖସ ଖସ ଶୁଣିଲେ ଚମକି ପଡ଼େ । ଆଜି ଫୁଲକୁ ପତର ସାଉଁଟିବାକୁ କିବା ଗଛର ଶୁଖିଲା ଡାଳ ଭାଙ୍ଗିବାକୁ ଭଲ ଲାଗିଲା ନାହିଁ । ମନେ ମନେ ସ୍ଥିର କଲା, ଯାଉଛି ଆଗେ ସନିଆ ଭାଇ କତିରୁ ଆସିବି, ଫେରିଲା ବାଟରେ ଅଳପ ଦି’ଟା ଜାଳ ଧରି ନେଇଯିବି ।

 

ଦେହମୁଣ୍ଡରେ ଲୁଗା ସଜାଡ଼ି ଫୁଲ ବଗିଚାଆଡ଼େ ଗଡ଼ିଲା ।

 

ଏଇ କେଇଦିନ ହେଲା ଫୁଲ ନ ଆସିବାରୁ ସନିଆକୁ ଆଉ କିଛି ଭଲ ଲାଗୁନାହିଁ । କୌଣସି କାମ କରୁ କରୁ ପୁଣି ଅନାଉଛି ସେଇ ତୋଟାମାଳ ଭିତରକୁ । ଫୁଲଟିପରି ହସି ହସି ଫୁଲ ତା’ର ଆସୁଛିକି ଆଉ ! ଅନାଇ ସନିଆ ଆଖିରୁ ପାଣି ମରେ ।

 

ଦିନେ ଦିନେ ଭାବେ ଫୁଲ ଘରକୁ ତାକୁ ଟିକେ ଦେଖି ଆସନ୍ତା । କିନ୍ତୁ ଏଣେ ବଗିଚାରେ ରହିବ କିଏ ? ଦଣ୍ଡକରେ ଗାଈ ବଳଦ ବଗିଚା ଉଜାଡ଼ିଦେବେ । ମନର ଭାବନା ଛପିଯାଏ ମନଭିତରେ ।

 

ସେଦିନ ଫୁଲ କଥା ଭାବି ସନିଆ ପଲା ଭିତରେ ମୁହଁ ଶୁଖାଇ ବସିଥାଏ । ପାଖରେ ଦଦରା ବଇଁଶିଟା । ଟିକିଏ ଦୂରରେ ହେଁସ ଗୁରାଟ । ଫୁଲ ଯାଇ ସନିଆ କତିରେ ଛିଡ଼ାହେଲା ।

 

ଫୁଲକୁ ଦେଖି ସନିଆ ଅଭିମାନରେ କଥା କହିଲା ନାହିଁ । ଫୁଲ କହିଲା, ସନିଆଭାଇ ! ମୋ ଉପରେ ରାଗିଚ । ବୋଉ ଦେହ ପରା ଭଲ ନଥିଲା । ନିରିମାଖି ଜୀବନର ସେଇଟିତ ଶେଷ ଭରସା, ତାକୁ ଅବହେଳା କରି ଆସନ୍ତି କିପରି ?

 

ଫୁଲ କଥାପଦକ ଶୁଣି ସନିଆ ମୁହଁରୁ ଅଭିମାନ ଫାଟି ଓଠଫାଙ୍କରୁ ହସ ନିଗିଡ଼ିଲା । କହିଲା, ଫୁଲ ତୁ ନ ଆସିବାରୁ ମୁଁ ପରା ଭାବୁଥିଲି ତୋର କ’ଣ ନିଶ୍ଚୟ ଘଟିଚି, ନହେଲେ ତୁ କ’ଣ ସନିଆ ଭାଇକି ଭୁଲିପାରୁ ?

 

ଫୁଲ କହିଲା, ସନିଆ ଭାଇ ! ସବୁ ଦିନ କ’ଣ ସମାନ ଥାଏ ଦିନକୁ ଦିନ ଅନ୍ତର । ଆଜି ତମେ ମୋତେ କେତେ ଭଲ ପାଉଛ, ଦିନେ ନ ଦେଖିଲେ ଅଭିମାନ କରୁଚ । କିନ୍ତୁ ପୁଣି ଦିନ ଆସିବ ମୋତେ ଦେଖିବାକୁ ତମର ମୋଟେ ମନ ହେବନାହିଁ । ତମେ ବାହାହେବ–ଘରସଂସାର କରିବ–ସେତେବେଳେ ?

 

ସନିଆ ମୁରୁକି ମୁରୁକି ହସି କହିଲା–ଫୁଲ, ଅତୀତକୁ କେହି କେବେ ଭୁଲିପାରେନା । କେତେ ଦିନର କେତେ ହସିଲା ସଞ୍ଜ ସକାଳର କରୁଣ ଇତିହାସ, ମଧୁର ଅନୁଭୂତି ଲାଗି ରହିଥାଏ ଏଇ ଦରଦୀ ମିଶା ଶୁଖିଲା ଛାତିରେ । ତାକୁ କ’ଣ ସହଜରେ ଭୁଲି ହୁଏ । ସେଇ ପୁରୁଣା ସ୍ମୃତିକୁ ଭାବି ଭାବି ଥରେ ପାଇ ବସିଲେ ଛାତିରେ ଜାବୁଡ଼ି ଧରି ଜୀବନର ସବୁ ଦୁଃଖ ଜଞ୍ଜାଳ ଭୁଲି ହୋଇଯାଏ ।

 

ଫୁଲ କଥାକୁ ଛଳେଇ ଛଳେଇ କହିଲା । ଯା ହେଉ ସନିଆ ଭାଇ, ବାହାହେଲା ପରେ ତମେ ମୋ କଥା ମନେ ରଖିବ ମୋ କଥା ଭାବି ଭାବି ତମେ ସବୁ ଦୁଃଖ କଷ୍ଟ ଭୁଲିଯିବ । ତମ ମୁହଁରୁ ଏଇ କଥାପଦକ ଶୁଣି ମୁଁ ଭାରି ଖୁସି ।

 

ସନିଆ ହସି ହସି ଫୁଲ ହାତ ଦି’ଟା ଧରି କୋଳ ଭିତରକୁ ଟାଣିନେଲା । ଚମ୍ପା ଫୁଲ ପରି ତୋରା ତୋରା ମୁହଁରେ ନିଜ ମୁହଁକୁ ଲଗାଇଦେଲା । ଫୁଲ ଦେହ ମନ ଅଜାଣତରେ ଥରି ଉଠିଲା । ସନିଆ କୋଳରେ କି ମାଦକତା ଥିଲା କେଜାଣି, ଫୁଲ କ୍ଷଣକ ପାଇଁ ଭୁଲିଗଲା ଜୀବନର ସବୁ ଅବସାଦ ।

 

ଫୁଲକୁ କୋଳରେ ପୁରାଇ ତା’ର ଅଲରା ବାଳକୁ ସଜାଡ଼ୁ ସଜାଡ଼ୁ ସନିଆ କହିଲା, ଫୁଲ ମୋର ପରା ତୋରି ସାଙ୍ଗରେ ବାହାଘର ହେବ । ମୁଁ ତୋ’ ଛଡ଼ା କାହାରିକୁ ବାହାହେବି ନାହିଁ । ସନିଆ ଯା କହେ ସେଇଆ କରେ ।

 

ଫୁଲ ଲାଜରେ ଓଢ଼ଣା ଟାଣି ବାରବାର ଚୁମ୍ୱନ ଦେଲା । ତେବେ ବି ମନଟା ତା’ର ବୋଧ ହେଲାନାହିଁ । ଆଖିରେ ଜଳି ଉଠିଲା ଅଦ୍ୟମ ପିପାସା–ହୃଦୟରେ ଜାଗି ଉଠିଲା କ’ଣ ପାଇବାର ଆଶା । ସନିଆ ପାଗଳ ପରି ଫୁଲକୁ ଜାବୁଡ଼ି ଧରିଲା । ଫୁଲ କେଶବାସ ଅସଞ୍ଜତ ହୋଇପଡ଼ିଲା । ଫୁଲର ଦୁର୍ବଳ ହୃଦୟ ସନିଆକୁ ବାଧାଦେଇ ପାରିଲା ନାହିଁ ।

 

ପଦାରୁ ଥାଇ ଚକରା ଡାକି ଡାକି ଆସିଲା, ସନିଆଭାଇ ସନିଆଭାଇ । ସନିଆ ଭୟରେ ଫୁଲକୁ ଛାଡ଼ି ଅଲଗା ହୋଇଗଲା । ଯୁଆନ ଟୋକୀଟାକୁ ନେଇ ପଲା ଭିତରେ ପଶିଛି–ଚକରା ଦେଖିଲେ ସର୍ବନାଶ । ଆଉ କାହାର ପାଟି ଶବଦ ଶୁଣି ଫୁଲ ଗୋଟିପଣେ ଥରିଲା । ସନିଆ କହିଲା, ତୁ ଏଇ କରକୁ ହେଁସଗୁରା ତଳେ ଲୁଚିଯା । ଫୁଲ ଲୁଚିଗଲା ।

 

ସନିଆ ପଦାକୁ ଆସି ପଚାରିଲା, କ’ଣ କିରେ ଚକରା ! କହିଲା, ଆଜି ତୋ’ ଜମିଦାର ସାଆନ୍ତଙ୍କ ସାନପୁଅ ଜନ୍ମ ଦିନ । ଗାଁଲୋକଙ୍କୁ ନିମନ୍ତ୍ରଣ ହୋଇଛି, ଭୋଜିଭାତ ହେବ । ତୋ’ ବାପ କହି ପକେଇଛି ପରିବା ଭାର ପକେଇବାକୁ । ସନିଆ କହିଲା, ହଉ ତୁ ଯା, ମୁଁ ପରିବା ତୋଳି ପଠେଇଦେବି ।

 

ଚକରା କହିଲା, ସନିଆଭାଇ ଦେହଟା କାହିଁକି ଭଲ ଲାଗୁନାହିଁ, ଯାଉଚି ତୋ’ ପାଖରେ ଟିକେ ଶୋଇବି ? ଚକରା କଥା ଶୁଣି ସନିଆ ବଡ଼ ମୁସ୍କିଲରେ ପଡ଼ିଲା । ତା’ ଛାତି ଧଡ଼ ପଡ଼ ହେଲା । କଥାରେ ବୁଲେଇ କହିଲା, ଆରେ ବୋକା, ଶୋଇଲେ ବେଶି ଅଳସ ଲାଗେ–ଜର ଆସି ଭାଲୁପରି ମାଡ଼ି ବସିବ । ମୁଁ ଯାଇ…ବୁଲ, କାମ କର । ଦେହ ଫୂର୍ତ୍ତି ହେଲେ ଦେଖିବୁ କିପରି ଭଲ ଲାଗିବ । ଘର ହେଇଚୁକି–ଶୋଇବୁ ଗୋଟାଏ କ’ଣ ? ସନିଆ ଚିଡ଼ିଲାରୁ ଚକରା ପଳାଇଲା । ଚକରା ଗଲାରୁ ସ୍ନିଗ୍ଧ ଛାତି ଟିକିଏ ଦମ୍ଭ ହେଲା ।

 

ଫୁଲକୁ ଡ଼ାକିଲା । ଫୁଲ ପଦକୁ ଆସି ଲାଜରେ ସନିଆ ମୁହଁକୁ ଚାହିଁ ପାରିଲା ନାହିଁ । ଆଡ଼ ଆଡ଼ ହୋଇ ଚାଲିଯିବାକୁ ବସିଲା । ସନିଆ କହିଲା, ଫୁଲ ମୋ ରାଣ, କାଲି ଏତିକିବେଳେ ଆସିବୁ । ଫୁଲ ହୁଁ କି ହାଁ କିଛି କହିଲା ନାହିଁ, ସିଧା ସିଧା ଚାଲିଲା ।

 

ସନିଆ ବଗିଚା ପାଖ ସେଇ ଝଙ୍କା ବରଗଛ ମୂଳ ତଳେ ବସି ପଡ଼ିଲା, ଆଙ୍କିବା ମନେ ମନେ କେତେ କଳ୍ପନାର ଛବି ।

 

ତା’ର ଆରଦିନ ଫୁଲ ବୋଉର ଦେହ ପୁଣି ଖରାପ ହେଲା ।

 

ଛାଡ଼ିଯାଇଥିବା ଜର ପୁଣି ଲେଉଟିଲା । ଫୁଲର ଭାବନାର ସୀମା ରହିଲା ନାହିଁ । ଦଉଡ଼ିଲା ପୁଣି ସେଇ ବଇଦ କତିକି, କିନ୍ତୁ ଫୁଲର ସବୁ ଚେଷ୍ଟାକୁ ଉପହାସ କରି ଜର ବଢ଼ିଲା ଦିନକୁ ଦିନ ।

 

ଆଠଦିନ ପରେ ବୁଢ଼ୀ ଆଉ ଶେଯରୁ ଉଠି ପାରିଲା ନାହିଁ । ବଇଦ କହିଲା, ଭଗବାନ ଭରସା–ଏଣିକି ମୋ ଆଶା ଛାଡ଼ । ଫୁଲ ଭୋ’ କିନା କାନ୍ଦି ଉଠିଲା ।

 

ଭଗବାନ ବଡ଼ ଦାରୁଣ । ସେ ବି ଫୁଲର କରୁଣବୋଳା ଡ଼ାକ ଶୁଣିଲେ ନାହିଁ । ସେଇଦିନ ସଞ୍ଜ ପହରକୁ ବୁଢ଼ୀ ଆଖି ବୁଜିଲା । ମାଟିର ମଣିଷ ମାଟି ଉପରେ ଢଳି ପଡ଼ିଲା । ତା’ପରେ ସବୁ ଅନ୍ଧାର । ଫୁଲର କରୁଣ କ୍ରନ୍ଦନ ଗଗନ ପବନକୁ ମୂର୍ଚ୍ଛିତ କଲା । ଗାଁ ଲୋକେ ଜମା ହୋଇପଡ଼ିଲେ । ଆହା; ବିଚରା ଗରିବଟାର ଭରସା ବୁଡ଼ିଗଲା ।

 

ସମସ୍ତଙ୍କ ତୁଣ୍ଡରେ ମଲାପରେ ଏଇ ସହାନୁଭୂତିମିଶା ଆହା ପଦକ । ଜୀଇଁ ଥିଲାବେଳେ କାହିଁ କେହିତ ଦିନେ ଗରିବ ବୋଲି ଆହା ପଦେ ଶୁଣାଇ ନାହାନ୍ତି । ମଣିଷ ଭଣ୍ଡ ପ୍ରଚାରକ । ମଲାପରେ ତୁଣ୍ଡର ଆହା ପଦକ–ଖାଲି ଗୋଟାଏ ଛଳନା ।

 

କାହିଁକି ଏ ଛଳନା । ସମସ୍ତେ ଆସିଥାଇ ହାତ ଧରାଧରି ହୋଇ ଏଇ ମାଟି ଗୋଡ଼ି କାଦୁଅ ସନ୍ତସନ୍ତିଆ ଭୂଇଁକି–ସମସ୍ତେ ପୁଣି ଦିନେ ଡ଼ାକିହାକି ଆଖି ବୁଜିବା । କେହିତ ରହିବା ନାହିଁ ଚିରଦିନ ପାଇଁ ଏଇ ମରତ ରାଇଜରେ । ଗରିବ–ବଡ଼ଲୋକ ସମସ୍ତେ ଭାଇଭାଇ–ଏକାରକ୍ତ–ମଣିଷ ଜାତି ସମସ୍ତେ । ତଥାପି ଏତେ ଗର୍ବ, ଅହଂକାର, ଅଭିମାନ, କାହିଁକି ? ମନରେ ପ୍ରାଣ ଉଠେ ବାର ବାର ତମେ କି କେବେ ବୁଝାଇଚ ଦେବତା !

 

ଅନାଇ ଅନାଇ ପନ୍ଦରଟା ଦିନ ମୁହଁ ଲୁଚାଇଲା, ତଥାପି ଫୁଲ ଆସିଲା ନାହିଁ । ସନିଆ ମନ ଆଉ ଥୟ ହେଲାନାହିଁ । ଭାବିଲା, ଫୁଲ କ’ଣ ତାକୁ ଭୁଲ ବୁଝିବ ନାହିଁ ।

 

ଇମିତି ଭାବି ଭାବି ସ୍ନିଗ୍ଧ ଦି’ଟା ଦିନ କଟିଲା । ମନ ବୁଝିଲା ନାହିଁ, ସେଦିନ ଦି’ ପହରେ ଚକରାକୁ ବଗିଚାରେ ବସାଇ ଘରୁ ଆସୁଚି ବୋଲି କହି ଆସି କୁସୁମପୁରେ ଉଠିଲା । ପଚାରି ପଚାରି ଫୁଲ ଘର ପାଖରେ ଆସି ପହଞ୍ଚିଲା । ଡ଼ାକିଲା ଫୁଲ ଫୁଲ, କିଛି ଉତ୍ତର ଆସିଲା ନାହିଁ । ଅନାଇଲା ପାଦାରୁ ଜଞ୍ଜିର ଦିଆ ହେଇଚି–କଥା କ’ଣ କିଛି ବୁଝି ପାରିଲା ନାହିଁ ।

 

ପଚାରିବାରୁ ପଡ଼ିଶା ଘର ଲୋକ କହିଲେ, ଫୁଲ ନାହିଁ । ଗଲା ଗୁରୁବାର ତା’ ମା’ ମରିଗଲା । ବିଚରାଟି କାନ୍ଦି କାନ୍ଦି ଦିନ କାଟୁଥିଲା । ଦି’ଦିନ ହେଲା ନିମାପଡ଼ାରୁ ତା’ ମାମୁଁ ଆସି ତାକୁ ସାଙ୍ଗରେ ନେଇ ଯାଇଛି । ସାନ ଭାଇଟି ବି ଯାଇଛି । ଆଉ ଏଠିକି ସେ ଲୋଉଟିବ ନାହିଁ–ସେଇଟି ରହିବ । ମାମୁଁ ତା’ର ତାକୁ ବାହା ସା କରିବ–ସାନ ଭାଇଟିକି ପାଳିବ ।

 

ସନିଆର ମୁଣ୍ଡଟା ବୁଲାଇ ଦେଲା । ସବୁ ତାକୁ ଦିଶିଲା ଅନ୍ଧାର । ସେ ଅନ୍ଧାର ଭିତରେ ଫୁଲର ଶୁଖିଲା ମୁହଁଟି ଭାସିଉଠିଲା । ନିମିଷକରେ ଦୁହିଁଙ୍କର ଦର ଫୁଟିଲା ସ୍ନେହ ଶାରଧା କମିଟିକୁ ଅଦେଖା ହାତ ଆସି ଛିଣ୍ଡାଇ ଦଳିଦେଲା ।

 

ବସନ୍ତ ଗଲା ଫଗୁ ଖେଳି ଖେଳି, ଏଇ ଧୂଳି ଧୂସର ମାଟି ଗୋଡ଼ି ଦେହରେ ମଳୟର ସୁରଭି ସଞ୍ଚାର, ଗେଣ୍ଡୁଫୁଲର ଝରା ପାଖୁଡ଼ାରେ ଶେଷ ରାଗ ଦୀପ୍ତି ଖେଳାଇ । ବସନ୍ତ ପଛେ ପଛେ ଗଛ ଲତାର ଶିରୀ ମଉଳା ପତରେ ପତରେ ବାଜି ଉଠିଲା ନିଦାଘ ଝାଞ୍ଜି ପବନର ଗୀତ ।

 

ବସନ୍ତ ଆଜି ଚାଲିଯାଇଛି ବହୁ ଦୂରକୁ, ଅନାଇ ଆଖି ପାଉ ନାହିଁ । ତା’ ସଙ୍ଗେ ସଙ୍ଗେ ସନିଆର ଜୀବନ ବସନ୍ତ ମୁହଁ ଲୁଚାଇବି ଦୂରରେ….ବହୁ ଦୂରରେ । ନିମାପଡ଼ା କାହିଁ କେତେ ଦୂର–କେତେ ଗାଁ, ବିଲ, ନଇ, ପାଟ ସେ ପଟରେ, ଏଠିକି ଦଶ କୋଶ ବାଟ । ଫୁଲ ଚାଲିଗଲା ଦିନୁ ସନିଆ କେତେ ଥର ଭାବେ, ସେ ନିମାପଡ଼ା ଯିବା, ଥରେ ଫୁଲକୁ ଦେଖି ଆସିବ । ନିଛାଟିଆ ଜୀବନର ନିରବତାକୁ ଭଙ୍ଗ କରି ଯେ ଦିନେ ଆପେ ଆପେ ଆସି ତା’ ଜୀବନରେ ସାଥୀ ହୋଇଥିଲା–ସେ କ’ଣ ଆଜି ଭୁଲି ଯାଇଥିବ । ନାଁ, କଦାପି ନୁହେଁ–ଯୁଆଡ଼େ ଥିଲେବି ଫୁଲ ତା’ର ।

 

ଦିନେ ଦିନେ ରାତିରେ ସନିଆ ଫୁଲକୁ ସପନରେ ଦେଖେ । ଗତ ଜୀବନରେ ନିଛାଟିଆ ବଗିଚା ଭିତରର ଛବିଗୁଡ଼ା ସପନରେ ରୂପ ପାଏ । ସନିଆ ଫୁଲକୁ କୋଳରେ ପୁରାଇ ସବୁ ସରାଗ ଅଜାଡ଼ି ଦିଏ ।

 

କେତେଥର ଭାବିଚି ସନିଆ ନିମାପଡ଼ା ଯିବ । କିନ୍ତୁ କୌଣସି ଦିନ ଯିବାକୁ ମନ ବାଲିଲେ ପାଦ ଚଳେନା । ଭାବନା ବଦଳେ–ଅନ୍ୟ ରୂପ ଧରେ । ଫୁଲ ଯଦି ତାକୁ ନ ପଚାରେ, ପର ବୋଲ ଭାବି ଦୂର କରିଦିଏ । କାହିଁକି ସେ ମାମୁଁ ଘରକୁ ଗଲା । ମୁଁ କ’ଣ ତା’ର କେହି ନୁହେଁ, ମୁଁ କ’ଣ ତାକୁ ଆଶ୍ରା ଦେଇପାରି ନଥାନ୍ତି । କାହିଁ ସେ ତ ମୋର ସାହାଯ୍ୟ ଟିକିଏ ଲୋଡ଼ିଲା ନାହିଁ । ଯିବା ପୂର୍ବରୁ ମୋତେ ଥରେ କହିଲା ନାହିଁ । ସେ ଯଦି ମତେ ପର କରିଦେଲା–ମୁଁ ବା କାହିଁକି ଆଉ ତାରି ପଛରେ ଧାଇଁବି ।

 

ଇମିତି ଭାବି ଭାବି ସନିଆ ଫୁଲକୁ ଭୁଲ ବୁଝିଲା, ଆଉ ତା’ କତିକି ଗଲା ନାହିଁ । ଉପର ମନରେ ସିନା ଫୁଲକୁ ପର କରିଦେଲା, କିନ୍ତୁ ଫୁଲ ବିରହରେ ଅନ୍ତର ଭିତର କ୍ଷତଟା ବଢ଼ି ଉଠିଲା । କୌଣସି କାମଧନ୍ଦାରେ ମନ ଦେଲା ନାହିଁ । ଦିନ ରାତି ଖାଲି ଭାବିଲା–ଆଉ ଭାବିଲା ।

 

ସେଦିନ ସକାଳ ହେଉ ହେଉ ଚନ୍ଦନପୁର ଗାଁରେ ହାହାକାର ପଡ଼ିଗଲା । ଜଣା ନାହିଁ । ଭଲଦେହରେ ଜମିଦାର ଗୋଲାକ ବିହାରୀ ସାମନ୍ତରାୟ ଖାଇପିଇ ରାତିରେ ଶୋଇଲେ । ପେଟରୁ ବାୟୁ ଉଠିଲା–ରାତି ବାରଟା ବେଳକୁ ଶେଷ । ଯିଏ ଶୁଣିଲେ ସମସ୍ତେ ହାୟ ହାୟ କଲେ । ଇମିତିକା ଜମିଦାର ଆଉ ମିଳିବେ ନାହିଁ ।

 

ଲଇକ୍ଷିଣିଆ ଏ ଖବର ଶୁଣିଲାକ୍ଷଣି ତା’ ଆଖିରୁ ଦି’ଧାର ଲୁହ ଗଡ଼ି ପଡ଼ିଲା । ଜମିଦାର ସାଆନ୍ତେ ତା’ର କେତେ ଉପକାର କରିଛନ୍ତି । ସେ ଆଉ ସାଆନ୍ତେଙ୍କର ଋଣ ଶୁଝିପାରିଲା ନାହିଁ । ଲଇକ୍ଷିଣିଆର ଭାବନା ଧୂଳିଧୂଆଁ ପରି ମନ ଗଗନରେ ଉଡ଼ି ଉଡ଼ି ମିଳାଇଗଲା ।

 

ସନିଆ ବଗିଚାରେ ଶୀତଦିନିଆ ଫସଲର ଶେଷ ପରବ ବଢ଼ି ଆସିଲା । ନିଦାଘର ଝାଞ୍ଜି ପବନରେ ଖଇଫଟା ଖରା ତାପରେ ଖେଣ୍ଟା ଗଛ ଆଉଥରେ ଶେଷଥର ପାଇଁ ଫଳଦେଇ ମଳିନତାର ହସ ଟିକେ ହସିଦେଲା । ବଗିଚା ଉଜୁଡ଼ି ଗଲା । ଏଣିକି ଗାଈଗୋରୁ ଛେଳିଙ୍କୁ ସାତ ଖୁଣ ମାଫ୍ । ସେମାନେ ଡେଇଁ ଡେଇଁ ବଗିଚା ଭିତରେ ବୁଲିଲେ ।

 

ବଗିଚା ଉଜୁଡ଼ି ଗଲାଦିନୁ ସନିଆ ଏଣିକି ଘରଧନ୍ଦା ବୁଝେ । ଦିନେ ଦିନେ ବାପା ସାଙ୍ଗରେ ହଳ ନେଇଯାଏ । ନିଇତି ସକାଳୁ ଉଠି ଗୁହାଳ ସଫା କରେ । ଗାଈ ବଳଦଙ୍କ ଖାଇବା ଖବର ବୁଝେ । କାମ ମଝିରେ ବେଳେ ବେଳେ ଉଡ଼ି ଉଡ଼ି ଆସେ ପବନରେ ଫୁଲର ସ୍ମୃତିର ମଧୁର ବାସନାଟିକ; ଅନ୍ତରକୁ ବିନ୍ଧେ । ସନିଆ ଭାବନାରେ ଘାରିହୋଇ ଘଡ଼ିଏ ବସେ । ବାପା ଆସିପଚାରେ, କିରେ କ’ଣ ଭାବୁଚୁ । ସନିଆ ମନରେ ଭାବନା ଦୀପଟା ଏକା ଫୁତ୍କାରରେ ଲିଭିଯାଏ । ଉଠି ପୁଣି କାମରେ ଲାଗେ ।

 

ଜମିଦାର ସାଆଁତେ ମଲାଦିନୁ ଲଇକ୍ଷିଣିଆ ବସି ବସି ଭାବେ ସେ ବି ଦିନେ ସାଆନ୍ତଙ୍କ ପରି ଆଖି ବୁଜିବ । ଜୀବନ ଗୋଟାଏ ପାଣି ଫୋଟକା । କାଲି ମଣିଷ–ଆଜିକୁ ନାହିଁ, କିଏ କୁଆଡ଼େ ବାଟ କାଟି ଚାଲି ଯାଉଚନ୍ତି । ବୟସ ଯେତିକି ଆଗକୁ ଚାଲିଚି ମଣିଷ ସେତିକି ଅତୀତକୁ ଭାଳି ଭାଳି ସ୍ଵପ୍ନ ଦେଖୁଚି । କୈଶୋରର ପରଜାପତି ପରି ଫୁର୍ ଫୁର୍ ଦିନଗୁଡ଼ା, ଯୌବନର କଅଁଳ ସବୁଜ, ବୟସର ମଧୁର ପ୍ରହେଳିକା ମଉଛବ ଆଜି ନାହିଁ ?

 

ସବୁଦିନେ ଚାଲିଯିବ–ଗାଁ ଦାଣ୍ଡ ସେଇ ଖେଣ୍ଟାଗଛ ପରି । ରିକ୍ତ ଜୀବନକୁ ନେଇ ମଣିଷ ବର୍ତ୍ତମାନ ଭିତରେ ଅତୀତର ଛବି ଦେଖୁ ଦେଖୁ ଖାଲି ଦୁନିଆରେ ମୁଣ୍ଡଟେକି ଥିବ । ତା’ ପରେ କେବେ ଦିନେ ମରଣ ଝଞ୍ଜା ରୂପେ ଆସି ମଣିଷ ଗଛଟିକୁ ହଲାଇ ହଲାଇ ଉପାଡ଼ିଦେବ ।

 

ଲଇକ୍ଷିଣିଆ ଭାବିଲା, ତା’ର ତ ଆଉ ବଳ ବଅସ ଆସୁ ନାହିଁ–ଯାଉଚି । କେବେ ଦିନେ ଜୀବନଟା ମରଣର ବହୁଳ ଶେଯ ଉପରେ ତଳି ପଡ଼ିବ–କିଏ ଜାଣେ । ସନିଆ ବାହାଘରଟା କରିଦେଲେ ନିଶ୍ଚିନ୍ତ । ଗୋଟିଏ ବୋଲି ପୁଅ–ତା’ ସୁଖଶାନ୍ତି ଟିକେ ଦେଖିବ ନାହିଁ । ସୁନାର ବି କିଛି ବଳ ବଅସ ତୁଟିଲାଣି । କାମଧନ୍ଦାକୁ ପାରୁନାହିଁ ! ବୋହୁଟି ଆସିଲେ ରାନ୍ଧିବାଢ଼ି ଦେବ । ତା’ ହାଇପରସା ଟିକେ ଖାଇ ସେ ମଝି ବଅସରେ ଶାନ୍ତି ଲାଭ କରିବ ।

 

ଭାବି ଭାବି ଲଇକ୍ଷିଣିଆ ସୁନାକୁ ସେ ଦିନ କହିଲା । ସୁନା ଶୁଣି ହସି ହସି କହିଲା, ମୁଁ ତ ସେଇକଥା ତୁମକୁ କହିବି କହିବି ବୋଲି ଭାବୁଥିଲି । ମୁଁ ତ ଆଉ କାମକୁ ପାରୁନାହିଁ । ବୋହୁଟି ଆଣିଲେ ସବୁ ଜଞ୍ଜାଳରୁ ଛୁଟି । ସନିଆର ବି ବଅସ ହେଲାଣି । ଏ କେଇଦିନ ହେଲା କାହିଁକି ତା’ ମନରେ ଭଲ ନାହିଁ । ତମେ ଚଞ୍ଚଳ ବାହାଘର କରିଲି । ସୁନା କଥା ଶୁଣି ଲଇକ୍ଷଣିଆର ସନିଆ ବାହାଘର ପାଇଁ ମୁଣ୍ଡ ଘୁରାଇଲା ।

 

ବୈଶାଖ ଚବିଶି ତାରିଖରେ ସନିଆର ବାହାଘର ହୋଇଗଲା । ନୀଳକଣ୍ଠପୁର ଦାମ ମଲିକ ବଡ଼ଝିଅ ହୀରା ସାଙ୍ଗରେ । ଝିଅଟି ଭାରୀ ସୁନ୍ଦରୀ–ସନିଆର ଲାଖି ବୋହୁଟିଏ । ଗାଁରେ ଯିଏ ଦେଖିଲା–ସିଏ କହିଲା । ହୀରାକୁ ବୋହୁ ରୂପେ ପାଇ ଲଇକ୍ଷିଣିଆର ମନଟା କୁଣ୍ଢେମୋଟ–ଆଉ ସୁନାର ଗୋଡ଼ ଦି’ଟା ତଳେ ଲାଗୁନାହିଁ ।

 

ସନିଆର ବାହା ହେଲା ଆଗରୁ ମନେପଡ଼ୁଥିଲା ଫୁଲ କଥା । ଦିନେ ସେ ଫୁଲକୁ କହିଥିଲା, ଫୁଲ ମୁଁ ତୋ’ ଛଡ଼ା ଆଉ କାହାକୁ ବାହା ହେବି ନାହିଁ । କାହିଁ ସେ ଦିନ ?

 

ସମୟର ସୁଅ ତୋଡ଼ରେ ଗତ କଥା ସବୁ ଭାସିଯାଉଚି, ମଣିଷ ଯାଇ କୁଆଡ଼େ ପଡ଼ୁଚି-। ଆଜିର ପଥର କାଲିକି ବାଲିକଣାରେ ପରିଣତ ହେଉଚି । ସ୍ମୃତିଗୁଡ଼ା ଖାଲି ଘଷି ହୋଇ ମନ ଉପରେ ଆଖି ମିଟିକା ମାରୁଚି ।

 

ହାରାକୁ ବାହାହେଲା ପରଦିନଠାରୁ ସନିଆ ସବୁ ଭୁଲି ଯାଇଚି । ହୀରା ଦେଖିବାକୁ ପରୀଟି ପରି ସୁନ୍ଦର–ସବୁବେଳେ ହସହସ ମୁହଁ ! ଘରକାମକୁ ଧୁରନ୍ଧର । ବେଳାକି କାମକୁ ଘଡ଼ିକରେ କରିଦେବ । ଭାରି ଶାନ୍ତ । କୋଉ କାମରେ କୋଉ କଥାରେ ତା’ର ଓଜର ନାହିଁ ।

 

ଫୁଲକୁ ହରାଇ ସନିଆ ଜୀବନରେ ଦୁଃଖଟିକ ଘନେଇ ଆସିଥିଲା ।–ହୃଦୟରୁ ଯୋଉ ଦରଜଟିକ ଆଘାତ ଦେଇଥିଲା–ସେ ଟିକକ ହାରାକୁ ପାଇଲାଦିନୁ କୁଆଡ଼େ ହଜିଗଲା । ଜୀବନରେ ତା’ର ନୂଆ ମଳୟ ପରଶି ଗଲା । ହୀରାକୁ ପାଇ ସନିଆର ନୂଆ ଘର ନୂଆ ସଂସାର ମହକି ଉଠିଲା ।

 

ଦିନ ଗଡ଼ି ଚାଲିଚି । ସୁଖୀର ଜୀବନ ମଟର ପରି ଭୋଗ ବିଳାସର ଧୂଳି ଉଡ଼ାଇ ଆଭିଜାତ୍ୟର ପେଁକାଳି ବଜାଇ ଚାଲିଚି । ଦୁଃଖୀର ଜୀବନ ଶଗଡ଼ ପରି ଅଭାବ, ଅନାଟନ କାଦୁଅ ଭିତରେ ମାଡ଼ି ମକଚି ଚାଲିଚି । ସମସ୍ତଙ୍କର ଗତି କିନ୍ତୁ ସେଇ ଆଡ଼କୁ ।

 

ଆଜିକାଲିକୁ କେତେ ତଫାତ–କାଲି ଆଜିକୁ କେତେଦୂର–ଭାବି ବସିଲେ ଏଇ ଅସରା ଅପୋଶୋରା କଥା ମଣିଷ ଖାଲି ଭାବୁଥିବ କେତେ କାଳ, କେତେ ଯୁଗ ।

 

ସନିଆର ସୁଖର ସଂସାରରେ ସେ ଦିନ ଦୁଃଖର ଢେଉ ତୋଳି ବୋଉ ତା’ର ବିଦାୟ ନେଲା । କେଇଟା ଦିନ ଜରରେ ସେ ମୁହଁ ଲୁଚାଇଲା ସଞ୍ଜ ପହରର ସେଇ ପତଳା ଅନ୍ଧାର ତଳେ-। ତା’ପରେ ଘୋଟି ଆସିଲା ରାତି–ଆଉ ନିବୁଜ ଅନ୍ଧକାର । ସନିଆ ପରିବାରର ଗୋଟିଏ ଦୀପ ହଜିଗଲା ।

 

ସନିଆ ଦେଖୁଚି ବୋଉ ଗଲାଦିନୁ ବାପା କେଜାଣି ଆଉ କିମିତିକା ଦେଖାଯାଉଚନ୍ତି । ମୁହଁରେ ହସ ନାହିଁ, ସବୁବେଳେ ଅନ୍ୟମନସ୍କ, କ’ଣ ଗୋଟାଏ ଭାବୁଚନ୍ତି । କାମ କଲାବେଳେ ଥକିପଡ଼ି ଅଧିକ ବେଳ ବସି ପଡ଼ୁଚନ୍ତି । ପ୍ରାଣରେ ଆଗ ଉତ୍ସାହ, ଭୂଇଁ ତାଡ଼ି ସୁନା ଫସଲ ଉପୁଜାଇବାର ସ୍ପୃହାନାହିଁ ।

 

ସେଥିପାଇଁ ସନିଆ ଘରେ ଓ ବିଲରେ କାମ କଲାବେଳେ ବାପାଙ୍କର ସାହାଯ୍ୟ ଆଉ ବେଶୀ ଲୋଡ଼େ ନାହିଁ । ଦିନେ ଯେତିକି ପାରେ ସେତିକିରେ କାମ ତୁଲାଇ ନିଏ । ବେଳେ ବେଳେ ବାପାଙ୍କଠାରୁ କାମ ବି ଛଡ଼ାଇ ନେଇ କରେ । କାମରୁ ଫେରି ଆସି ସନିଆ ହାରାର ହସହସ ମୁହଁ ଦେଖିଲେ ସବୁ ଦୁଃଖ କଷ୍ଟ ଭୁଲିଯାଏ ।

 

ହୀରା ବି ସେମିତି । ଘରର ହାନିଲାଭ ରୋଷେଇ ବାସଠୁ ଆରମ୍ଭ କରି ସବୁ କାମ ତୁଲାଇନିଏ । ଜମିଦାର ଘର ଡାକରା ଆସିଲେ ବେଳେ ବେଳେ ହୀରା ଯାଏ । ଲିପାପୋଛା ବୋଲହାକ ଦି’ପଇଟି କରି ଦେଇ ଆସେ । ଜମିଦାରଙ୍କ ସ୍ତ୍ରୀ ହାରାକୁ ଅତି ଆପଣାର କରିଥାଆନ୍ତି । ନୂଆ ନୂଆ ହୀରା ଲାଜ କରୁଥିଲା–ଶାଶୁ ମଲାଦିନୁ ସବୁ ଲାଜ ଛଡ଼ାଇ ପଦାକୁ ଆସିଚି । ଏଣିକି ନିଜ ଗୋଡ଼ରେ ସେ ଛିଡ଼ାହେବ । ନିଜ କାମ କରିବ । ନୂଆ ଚଢ଼େଇ ବଡ଼ହୋଇ ଉଡ଼ି ଶିଖିଚି–ଆଉ ଗୋଟାଏ ଭୟ କ’ଣ ?

 

ଶଶୁରଙ୍କ ଖବର ଅନ୍ତର ହୀରା ସବୁବେଳେ ବୁଝେ; ସନିଆକୁ ଦେବତା ପରି ପୂଜା କରେ । ସାଇପଡ଼ୋଶୀ ଝିଅ ବୋହୁଙ୍କୁ ଆପଣାର ପରି କରେ । ପୁରୁଣା ପୁରୁଣା ମାଇପେ କହନ୍ତି, ସନିଆବୋହୁ ଗୋଟାଏ ମଣିଷ–ଆଉ ମାନେ ତା’ କାଣି ଆଙ୍ଗୁଠିକି ସରି ହେବେ ନାହିଁ ।

 

ଲଇକ୍ଷିଣିଆ ତା’ର ଘର ଚାଳର ସେଇ ବାଉଁଶ ଖୁଣ୍ଟକୁ ଆଉଜି ପିଣ୍ଡା ଉପରେ ବସି ବସି କ’ଣ ଭାବେ । ବେଳେ ବେଳେ ଢୋଳେଇ ଢୋଳେଇ ସେଇଠି ଶୋଇପଡ଼େ । ସପନରେ ଦେଖେ–ସୁନା ଯାଇଛି–ସେ ବି ଦିନେ ଯିବ । ମାୟା–ମମତା ସବୁ ମିଛ ।

 

ଦିନ କେଇଟା ଗଡ଼ି ଯାଇଚି ।

 

ଲଇକ୍ଷିଣିଆ ଦି’ମାସ ହେଲା ଶ୍ଵାସରୋଗରେ ପଡ଼ି ଘାଣ୍ଟି ହେଉଚି, କୋଉ କାମକୁ ଆଉ ପାରୁନାହିଁ । ଘରେ ବସି ଖାଲି ଖୁଁ ଖୁଁ ହୋଇ କାଶୁଚି । ବେଳେ ବେଳେ ଦମକା ଉଠୁଚି–ବେଦମ ହୋଇ ପଡ଼ୁଚି ।

 

ସନିଆ ବାପା ପାଇଁ କେତେ ପଇସା ଖରଚ କଲାଣି । କାହିଁ କୋଉଥିରେ ରୋଗ ଟିକିଏ ଊଣା ହେଉନାହିଁ । ସନିଆକୁ ପାଣିପରି ପଇସା ଖରଚ କରିବାର ଦେଖି ଲଇକ୍ଷିଣିଆ ବିରକ୍ତ ହୁଏ–ଚିଡ଼େ । କୁହେ, ଏଣିକି ତମ ଘର ତମେ ସମ୍ଭାଳ–ମୋ ଦିନ କାଳ ପୂରିଆସିଲା ବାବା । ଆଉ କାହିଁକି ପୋଡ଼ା କାଠରେ ଚନ୍ଦନ ଲିପୁଚ । ସନିଆ ଶୁଣେନା । ବାପାକୁ ଭଲ କରିବା ପାଇଁ ପ୍ରାଣପଣେ ଚେଷ୍ଟାକରେ ।

 

ସନିଆର ଅମାନିଆ ପଣ ଦେଖି ବେଳେବେଳେ ଲଇକ୍ଷିଣିଆ ବୋହୁକୁ ଡାକେ । ପାଖରେ ବସାଇ ଗପେ–ମା’, ସନିଆଟା ମୋର ବୋଲ ମାନିଲା ନାହିଁ, ବଡ଼ ଅମାନିଆ ହେଲା । ଆଜି କାଲିକା ଛୁଆ–ଯା ବୁଝିଥିବେ ସେଇଆ । ତୁ ତାକୁ ବୁଝାଇ ସୁଝାଇ ଦେ । ଦିନକାଳ ଖରାପ ଆସୁଚି । ଦି’ବେଳା ଗଣ୍ଡାଏ ଖାଇବାକୁ ମିଳିବନି । ପଇସାଗୁଡ଼ା କ’ଣ ଇମିତି ଖରଚ ହୁଏ । ମୋର ବେଳ କାଳ ସରିଲାଣି । ଆଉ କାହିଁକି ମୋତେ ବନ୍ଧନରେ ଟାଣି ରଖୁଚ ।

 

ହାରା କାନ୍ଦେ । କୁହେ, ବାପା, ଇମିତିକା କଥା କହିବାକୁ ତମର ତୁଣ୍ଡ ଲେଉଟୁଚି । ତମରି ସମ୍ପତ୍ତି–ତମରି ଏ ଘର ଦୁଆର–ପଇସା କଉଡ଼ି ସବୁ । ତମେ କମେଇଚ–ତମରି ପାଇଁ ସେ ଚାଲିଯାଉ; କ’ଣ ହେବ ରହି । ଲଇକ୍ଷିଣିଆ ଚିଡ଼େ । କୁହେ, ମା’ ତୁ ବୁଝିନାହୁଁ । ଏଇ ପଇସାର ମୂଲ୍ୟ କେତେ ବେଶୀ । ଏଇ ଭଙ୍ଗାହାଡ଼ ଆଜି କାହିଁକି ? ଲୁହଲହୁ ଏକାଠି କରି ଖଟିଚି ବୋଲି । ଜୀବନରେ ମୋର ବହୁତ ଦୁଃଖ ଘନେଇଚି–କିନ୍ତୁ କୋଉଥିରେ ମୁଁ ଓରେଇ ହୋଇଚି ସତ ଭାଙ୍ଗିପଡ଼ି ନାହିଁ । ବଞ୍ଚିଚି ଜୀବନ ସହିତ ଯୁଦ୍ଧକରି । ବେଳ ଆସିଲେ ତମେ ବୁଝିବ ମା’ ।

 

ଦିନକୁ ଦିନ ଲଇକ୍ଷିଣିଆର ରୋଗ ବଢ଼ି ଉଠିଲା । ବଳିଲା ବଳିଲା ଅଙ୍ଗପ୍ରତ୍ୟଙ୍ଗ କଣ୍ଟାପରି ହୋଇଗଲା । ସନିଆ ବାପା ପାଇଁ କେତେ ପଇସା ଆଖି ବୁଜି ଉଡ଼େଇଲା । ବୋଉ ଯାଇଚି; ଏତେ ଚଞ୍ଚଳ ପୁଣି କ’ଣ ସେ ବାପାଙ୍କୁ ଛାଡ଼ିଦେବ । ନାଁ ନାଁ । ସନିଆ ଭାବି ଭାବି ଖାଲି କାନ୍ଦିଲା । ହୀରା ଆସି କେତେ ବୁଝାଏ, ଛିଃ ତମେ ମରଦ ପୁଅ–ସାହସ ଦେବ କ’ଣ, କାନ୍ଦୁଚ । ସନିଆ ଆଖିରୁ ହୀରା ଲୁହ ପୋଛିଦିଏ ।

 

ଦିନ ଯାଇଚି–ଦିନ ଆସିଚି ।

 

କିନ୍ତୁ ସନିଆ ଜୀବନରେ ଯୋଉ ଦିନ ଆସିଚି, ସେ ଦିନ ଲଦି ଦେଇଚି ବ୍ୟଥାର ଗୁରୁଭାର । ସନିଆର ବାପା ଚାଲି ଯାଇଚି, ମଣିଷ ଶାସନାତୀତ ସେପାରି ରାଇଜକୁ–ତାକୁ ପର କରି ।

 

ସନିଆର ସବୁ ପରିଶ୍ରମ ବିଫଳ ହେଇଚି । ଧନ ଅଜାଡ଼ି ସହରରୁ ବଡ଼ ଡାକ୍ତର ଆଣି କିଛି ଫଳ ହେଇନାହିଁ । ଘରେ ଯା’ ପିତୃଅର୍ଜିତ ଧାନ, ଟଙ୍କା ଥିଲା ସବୁ ବାପା ପଛରେ ସାରି ହାତ ଉଧାରି ହେଇଚି ଦି’କୋଡ଼ି ପନ୍ଦର ଟଙ୍କା । ଅଳ୍ପ ବହୁତେ ପିତୃ କ୍ରିୟାକରି, ଜାତି ଭାଇଙ୍କି ଗଣ୍ଡାଏ ଖାଇବାକୁ ଦେଇଚି ।

 

ବାପା ମଲାଦିନୁ ସନିଆ ବସି ବସି ଭାବେ, ବୋଉ ଗଲା–ପୁଣି କେଇଟା ଦିନରେ ବାପା ବି ଗଲେ । ଘର ଖାଲି–କାହାନ୍ତି ସେ ଦିନର ମଣିଷ । ସବୁ ବୋଝ ମୋରି ଉପରେ ଲଦିଦେଇ ସେମାନେ ନିଶ୍ଚିନ୍ତ ହେଲେ । ହାତ ଉଧାରି ଦି’କୋଡ଼ି ପନ୍ଦର ଟଙ୍କା–ଆହୁରି ଅଳ୍ପ ଅଳ୍ପ କରି କେତେ ଲୋକଙ୍କର ଧାର ଉଧାର ଅଛି । ରାମ ସାହୁ ଦୋକାନରେ ପାଞ୍ଚଟଙ୍କା ପଚାଶ ପଇସା ବାକି ହେଲାଣି । ସେ ବାଟରେ ଘାଟରେ ଯୋଉଠି ଦେଖୁଚି, ମାଗୁଚି, ଆଉ ଦି’ପଦ ଶୁଣାଉଚି । ଗାଈଆଳ ଟୋକାଟା ମଦନା–ସେ ବି ଚାଳିଶ ପଇସା ପାଇଁ ସେଦିନ ପଦେ କହିଦେଲା ।

 

କାହିଁକି ତା’ର ଇମିତି ହେଲା । ସେ ତ କେଡ଼େ ସୁଖରେ ଚଳୁଥିଲା । ଏ ଅଚ୍ଛବ ସାହିରେ କେହି ତା’ ପରି ସୁଖରେ ନଥିଲେ । ସବୁ ଅଦୃଷ୍ଟ । ବୋଉ ଗଲା–ବାପାଙ୍କ ବେମାର–ସେ ବି ଦିନେ ଆମକୁ ବିପଦକୁ ଠେଲି ଆଖି ବୁଜିଲେ । ସନିଆ ଭାବିଲାବେଳେ ହୀରା ଆସି ପଚାରେ, କ’ଣ ଏତେ ଭାବୁଚ ? ବାପା ମଲାଦିନୁ ତମେ ଝୁରି ଝୁରି କଣ୍ଟା ହେଇଗଲଣି । ଆଜି ନ ହେଲେ ଦିନେ ସେ ତ ଯାଇଥାଆନ୍ତେ । ଦୁନିଆ ତ ଇମିତି ଲାଗିଚି । ଛିଃ, ମୋ ରାଣ ତମେ ସେସବୁ ଭୁଲିଯାଅ । ହୀରା ସନିଆର ହାତ ଧରି ବୁଝାଏ । ସନିଆ ନ ଶୁଣିଲେ ହୀରା କାନ୍ଦେ । ପୁଣି ସନିଆର ଦୁର୍ବଳ ମନ ଟାଣ ହୁଏ ।

 

ଏ ଭିତରେ ଗୋଟାଏ ମାସ ବିତିଗଲାଣି, କିନ୍ତୁ ଚନ୍ଦନପୁର ଗାଁରେ ସମସ୍ତେ ଲଇକ୍ଷଣିଆକୁ ଝୁରି ହେଉଚନ୍ତି । ଆହା ଲଇକ୍ଷିଣିଆ ଭଳି ଲୋକଟାଏ ମିଳିବ ନାହିଁ । ବୋଲହାକ ଶୁଣିବାକୁ କାନ ପାତି ବସିଥାଏ । କାହାକୁ ଟିକିଏ ହୁତ୍ ବୋଲି କହିବ ନାହିଁ । ଭଗବାନଙ୍କର ଭାରି ଅହନ୍ତା–ଭଲ ଲୋକଙ୍କ ଉପରେ ଆଗେ ଆଖି । ସନିଆ ଏ ସବୁ ଶୁଣିଲେ ତା’ ଆଖିରେ ଲୁହ ପୂରିଉଠେ । ପୁଣି ଆପେ ଆପେ ଆଖିରୁ ଲୁହପୋଛି କାମ ଧନ୍ଦାରେ ଲାଗେ ।

 

ସେ ଦିନ ରାତିରେ–

 

ଘର ଭିତରେ ଡିବିରିଟା ମିଞ୍ଜି ମିଞ୍ଜି ହେଇ ଜଳୁଥାଏ । ସ୍ୱାମୀ ସ୍ତ୍ରୀ ଦି’ପ୍ରାଣୀଙ୍କ ଭିତରେ କଥା ପଡ଼ିଥାଏ । ସନିଆ କହିଲା, ହୀରା, ଧାନ ଅମଳ ହେଉ ହେଉ ଆହୁରି ତ ଦଶମାସ । ବାର ଲୋକଙ୍କଠୁ ତ ଧାରି ଥାଇ । ଦିନ ରାତି ସେମାନେ ଖାଇ ଯାଉଚନ୍ତି । ସେମାନଙ୍କର ଦେଣା ଶୁଝା ହେବ କିପରି ! ହୀରା କହିଲା, ମୋତେ କିଛି ବୁଦ୍ଧିବାଟ ଦିଶୁନାହିଁ । ତମେ ଯା କରୁଚ କର–ଘରେ ତ ଯା’ ଥିଲା ସବୁ ଝାଡ଼ଝୁଡ଼ ।

 

ସନିଆ କହିଲା, ମୁଁ ଭାବିଚି ଏ ବଳଦ ଦି’ଟାକୁ ବିକି ଦେବି । ସେଇ ପଇସାରେ ଧାର ଉଧାର ଶୁଝିଦେବି । କେହି ଏତେ ଲଇକ୍ଷିଣିଆ ପୁଅକୁ ଟାଉଁ ଟାଉଁ କରି କହିବାକୁ ନଥିଲେ ।

 

ହୀରା କହିଲା, ବଳଦ ବିକିଲେ ଚାଷ ହେବ କିପରି, ଚଳିବା କିମିତି ? ଆଉ କ’ଣ ସରଗରୁ ଆମ ପାଇଁ ଗଳିବ ।

 

ସନିଆ ହସିଲା, ନାଁଲୋ ହୁଣ୍ତି–ମୁଁ ଭାବିଚି କଲିକତା ଯିବି । ସେଇଠି ଚାକିରି କରିବି । ଧନ କମେଇ ତୋ’ ପାଖକୁ ମାସକୁ ମାସ ଟଙ୍କା ପଠେଇବି ।

 

ହୀରା ମୁହଁ ଶୁଖେଇ କହିଲା, ତମେ ମୋତେ ଏକଲା ଛାଡ଼ି ବିଦେଶ ଯିବ । ନାଁ ନାଁ, ତା’ ହେବ ନାହିଁ । ଧାର ଶୁଝିବ ତ ମୋ ଦେହରୁ ସବୁ ଗହଣା ବିକି ଯାର ଯା’ ଅଛି ଦେଇଦିଅ । ଏଇଠି ଖଟି ଖାଅ । କାହାପାଇଁ ତୁମେ ବିଦେଶ ଯିବ, ନ ଖାଇ ନପିଇ ଖଟି ଖଟି ଦେହ ରକତ ପାଣି କରିବ ।

 

ସନିଆ କହିଲା, ଛିଃ ଛିଃ କି କଥା କହୁଚୁ । ତୋତେ ଗହଣା ବୋଲି ବକଟେ କରି ଦେଇପାରିବି ନାହିଁ ତ–ଓଲଟି ତୋର ବାପାଙ୍କର ସ୍ନେହର ଦାନକୁ ବିକି ଭାଙ୍ଗି ଖାଇବି । ନାଁ ନାଁ, ତା’ ମୁଁ କଦାପି କରିବି ନାହିଁ । ତୁ ଜାଣିନୁ ହାରା, କଲିକତା ରୋଜଗାର କିମିତିକା । ଆମ ଏଇ ଗାଁର କେତେ ଲୋକ ଅଛନ୍ତି । ଖାଲି ଆମ ଏ ଅଚ୍ଛବ ସାହିରେ ଆଖି ପକାନି । କିଏ ରେଙ୍ଗୁନରେ ତ–କିଏ ଆସାମର ଚା’ ବଗିଚାରେ, କିଏ ମାଟିଆ ବୁରୁଜ ସୂତାକଳରେ ତ–କିଏ ଶ୍ରୀରାମପୁରର ଚଟକଳରେ-

 

ଏଇ ଆମ ପରିଆ ବାଉରୀର ପରା ଜମି ବୋଲି ବକଟେ ନ ଥିଲା । ଦିନେ ଖାଇଲେ ଦି’ଦିନ ଉପାସରେ ରହୁଥିଲା । ସେ ପୁଣି ବିଦେଶ ଯାଇ ପଇସା କମେଇ ଜମି କଲା, ହାତକୁ ଦି’ ହାତ ହେଲା । ଆମ ଗାଁ ଇନ୍ଦରା ଭଣ୍ଡାରି କଲିକତା ଗଲା । ଦି’ଟା ବରଷ ଅନ୍ତେ ଟଙ୍କା ବୁଜୁଳା ଧରି ଗାଁକୁ ଲେଉଟି ଆସିଲା । ସେ ପୁଣି ହେଲା ଇନ୍ଦ୍ରମଣି ବାରିକ । ନାହାକ ମଦନା ଛୋଟା ପୁଅ ଆଦିଆଟା–ସେ ପୁଣି ଚାଷବାସ ଛାଡ଼ି ଗଲା ଟାଟାନଗର । ପାଞ୍ଚଟା ବରଷ ପୂରିନି–ଗାଁକୁ ବାହୁଡ଼ି ଆସିଲା କାନରେ ନୋଳି ପିନ୍ଧି, ଯୋତା ମଚ ମଚ କରି ।

 

ହୀରା କହିଲା, ଆମର ସେ ଧନ ଦରକାର ନାହିଁ । ଦି’ଟାକୁ ତ ଏତେ ପାଞ୍ଚ । ଆଉରି ଯଦି ନ’ଟା ଛ’ଟା ଥାନ୍ତେ–କ’ଣ ନ ହୁଅନ୍ତା ।

 

ସନିଆ ଓଠଫାଙ୍କରେ ସରୁ ହସ ଖେଳାଇ କହିଲା, ଆଜି ନ ହେଲେ କାଲି ସକାଳେ ତ ତୋ’ କୋଳରେ ଛୋଟ ଛୋଟ ଛୁଆ ଦୋ ଚାରୋଟି ହେବେ–ସେତେବେଳେ ?

 

ହୀରା ମୁରୁକି ହସା ମାରି ଲାଜରେ ମୁହଁ ବୁଲାଇ କହିଲା, ତମର ଯୋଉ କଥା । ସନିଆ ଦେଖିଲା ହୀରାର ଲାଜରା ମୁହଁଟି କେଡ଼େ ସୁନ୍ଦର ଦିଶୁଚି । ଅଜଣା ଆବେଗରେ ସେ ତାକୁ କୋଳକୁ ଟାଣି ଆଣିଲା । ତା’ର କଅଁଳ ଚିକ୍କଣ ଗାଲ ଦୁଇଟିରେ ଚୁମ୍ବନ ଦେଇ ଛାତିରେ ଭିଡ଼ି ଧରିଲା । କ୍ଷଣିକ ପାଇଁ ସବୁ ଆଲୋଚନା ଦୂରେଇ ଗଲା ।

 

ଶେଷରେ ସନିଆ ନିଜ କଥା ବଜାୟ ରଖି ବଳଦ ଦି’ଟା ବିକିଦେଲା । ଜମିତକ ଚାଷ କରିବାକୁ ଭାଗରେ ଲଗେଇଦେଲା । ଧାର ଉଧାର ସବୁ ଶୁଝି କିଛି ଟଙ୍କା ହୀରାକୁ ଦେଲା । ବାକିତକ ସେ ସାଙ୍ଗରେ ଧରି ସାହିର ଅରକ୍ଷିତା ମଳିକ ସାଙ୍ଗରେ କଲିକତା ଆସିଲା ।

 

ଆସିଲାବେଳେ ହୀରାକୁ କେତେ ବୁଝାଇ ସୁଝାଇ ଆସିଲା । ଚକରା ଓ ତା’ ମା’କୁ ହୀରାର ସବୁ ଖବର ଅନ୍ତର ବୁଝିବାକୁ ବାରବାର କହିବୋଲି ଆସିଲା । ଚକରା ମା’ ବୁଢ଼ୀ କହିଲା, ସନିଆ ଏତେ କହୁଚୁ କ’ଣ–ତୁ କ’ଣ ମୋର ପର, ନାଁ ହୀରା ପରଝୁଅ ବୋଲି ସେ କ’ଣ ମୋର ନିଜର ନୁହେଁ । ଯା ବାପ–ତୁ କିଛି ଭାବନା, ମୁଁ ସବୁ ହାନିଲାଭକୁ ତା’ ପାଖେ ପାଖେ ଅଛି । ଚକରା ମା’ କଥା ଶୁଣି ସନିଆ ନିଶ୍ଚିନ୍ତ ହେଲା ।

 

ଅଚ୍ଛବ ସାହିର ସୁକୁରିଆ ପୁଅ ଅରକ୍ଷିତା ବାଲିଗଞ୍ଜରେ କୋଉ ଆଂଲୋ–ଇଣ୍ଡିଆନ୍ ସାହେବ ଘରେ ଚାକିରି କରେ; ବୋଲହାକ ଶୁଣେ । ଶହେ ଟଙ୍କା ଦରମା । ଷାଠିଏ ଟଙ୍କାରେ ନିଜ ଖରଚ ଚଳାଇ ଘରକୁ ମାସକୁ ମାସ ପଠାଏ ଦରମା ଚାଳିଶି ଟଙ୍କା । ତା’ରି ସାଙ୍ଗରେ ସନିଆ କଲିକତା ଆସିଲା । ଅରକ୍ଷିତା ସନିଆକୁ ଚାକିରି କରାଇଦେବ ବୋଲି ସାହାସ ଦେଲା ।

 

ସନିଆ କଲିକତା ଆସିଲା ଦିନୁ ହୀରାକୁ କୋଉ କାମରେ ମନ ଲାଗେନା, ନିଛାଟିଆ ଲାଗେ । ଯୋଉ ବାଟ ଦେଇ ସେ ଚାଲି ଯାଇଥିଲା–ସେଇ ଆଡ଼କୁ ଘଡ଼ିଏ ଅନାଇ ରହେ । ନିତି ଦିନ ଠାକୁରଙ୍କୁ ଡାକେ, ଠାକୁରେ ମୋ ସ୍ଵାମୀଙ୍କୁ ବିଦେଶରେ ଟିକେ ସାହା ହୁଅ–ତାଙ୍କର ଆଉ ଆପଣାର ହେଇ କେହି ନାହାନ୍ତି ।

 

ଆଖି ପିଛୁଡ଼ାକେ ଦିନ ପନ୍ଦରଟା ଚାଲିଗଲାଣି ।

 

ମଟର, ରେଳ, ଟ୍ରାମ ଚଢ଼ି ସନିଆ ଅରକ୍ଷିତା ସାଙ୍ଗରେ ଆସି କଲିକତା ପହଞ୍ଚିଛି । ଅରକ୍ଷିତା ତା’ କାମରେ ହାଜିରା ଦେଇସରିଲାଣି । କିନ୍ତୁ ସନିଆକୁ କେଉଁଠି ଏ ପର୍ଯ୍ୟନ୍ତ ଚାକିରି ଖଣ୍ଡିଏ ଜୁଟିନାହିଁ । ଅରକ୍ଷିତା କେତେଆଡ଼େ ଆଖି ପକୋଉଚି । ସନିଆ ଗାଁର ଜଣାଶୁଣା କେଇଜଣଙ୍କ କତିକି ନିଇତି ଦଉଡ଼ୁଚି ।

 

ମାସେ ବିତିଗଲା । ତଥାପି ସନିଆକୁ ଚାକିରିଟିଏ ଜୁଟିଲା ନାହିଁ । ପଇସା କଉଡ଼ି ଯା କିଛି ସାଙ୍ଗରେ ଆଣିଥିଲା–ସବୁ ଆସ୍ତେ ଆସ୍ତେ ସରିଯିବାକୁ ବସିଲା । ସନିଆ ମନଦୁଃଖର ସୀମା ରହିଲା ନାହିଁ । ଖାଲି ଭାବିଲା, ହୀରା କଥା ନ ମାନି ସେ କଲିକତା ଚାଲିଆସି ବଡ଼ ଭୁଲ କରିଚି ।

 

ସନିଆ ଚାଲି ଆସିଲାଦିନୁ ହୀରାକୁ ଘରଟା ଖାଲି ଖାଲି ଲାଗେ । କୌଣସି ଧନ୍ଦା କରୁ କରୁ ସନିଆ କଥା ମନେ ପଡ଼ିଲେ ସେ ଘଡ଼ିଏ ଗୁମ୍ମାରି ବସେ, ଆଉ ମନକୁ ମନ କ’ଣ ଭାବେ । ସେ ଥିଲେ ଏ ଘର ଖଣ୍ଡିକ ପୂରି ଉଠୁଥାନ୍ତା–ତାଙ୍କର ହସ ହସ ମୁହଁର ମଧୁର କଥାପଦକ ସବୁ ଦୁଃଖ ଅଭିମାନ ଦୂର କରି ଦିଅନ୍ତା ।

 

ମୁଣ୍ଡବାଳ ଅଲରା କରି ଛିଣ୍ଡା ମଇଳା ଲୁଗା ଖଣ୍ଡେ ପିନ୍ଧି ଡେଇଁ ଡେଇଁ ଆଠ ବରଷର ଝିଅଟି ଆସି ପଚାରେ, କ’ଣ ଭାବୁଚୁ ନୂଆବୋଉ । ହୀରାର ଭାବନା ଯାଏ ମିଳାଇ–ଦେଖେ କତିରେ ତା’ର ପଦି । ପଦି କୁହେ, ନୂଆବୋଉ ତମେ ଖାଲି ଦିନରାତି କ’ଣ ଏତେ ଭାବୁଛ ? ଆଜି କ’ଣ ଚୁଲି ଲଗେଇବ ନି ?

 

ହୀରା ଦେଖେ, ସତେତ ବେଳ ଗଡ଼ିଗଲାଣି–ସଞ୍ଜ ହବାକୁ ଆଉ ବେଶି ଡେରି ନାହିଁ । ଡାଆଣିଆ ଖରାର ଫିକା ଆଭାଟିକ ଲିଭି ଲିଭି କଳା ପାଲଟୁଚି । ଦୂର ଦିଗ୍‍-ବଳୟ ପାହାଡ଼ କାନ୍ଥି ତଳେ ସନ୍ଧ୍ୟାରାଣୀ ତା’ର କଳା ବେଣୀରେ ତାରା ଫୁଲଟାଏ ଖୋସିଦେଲାଣି ।

 

ହୀରା ଧଡ଼ିପଡ଼ି ହୋଇ ଉଠିଲା । କହିଲା, ପଦିଲୋ ବେଳ ଗଲାଣି । ତୁ ଯିବୁଟି, ସେ ଘରୁ ଜାଳ କେରାଏ ଆଣି ଚୂଲି ମୁଣ୍ଡରେ ରଖିବୁ । ମୁଁ ଯାଉଚି ସଞ୍ଜ ବଳିଦିଏ । ପଦି ଚାଲିଗଲା ।

 

ହୀରା ସଞ୍ଜବେଳେ ଚଉଁରା କତିରେ ସଞ୍ଜଦେଇ ଘଡ଼ିଏ ମୁଣ୍ଡ ବାଡ଼େଇଲା । ବିଦେଶରେ ଥିବା ତା’ ସ୍ୱାମୀଙ୍କ ଶୁଭ ମନାସି ମନର ବେଦନା ଅଜାଡ଼ି ଦେଲା । ତାପରେ ଘରକୁ ଆସି ଚୂଲି ଲଗାଇଲା । ପଦି କହିଲା, ନୂଆବୋଉ ! ପାଣି ତାତିଲାଣି ତମେ ଯା ଚାଉଳ ଧୂଅ । ମୁଁ ବାଇଗଣ ଦି’ଟା ବନେଇ ଦଉଚି । ଆଜି ପରା ବଡ଼ି ବାଇଗଣ ତୁଣ କରିବ ବୋଲି କହୁଥିଲ ? ହୀରା ହସି ହସି ଉଠିଯାଏ ଚାଉଳ ଧୋଇବାକୁ–ପଦି ପରିବା କାଟେ ।

 

ଇମିତି ସବୁବେଳେ ସବୁ କାମରେ ପଦି ଆସି ହୀରାକୁ ସାହାଯ୍ୟ କରେ, ରାତିରେ ହୀରା କତିରେ ଶୁଏ । ହୀରାର ବୋଲ ହାକ ଶୁଣେ, କେତେ ପାଇଟି କରିଦିଏ ।

 

ପଦି ପଡ଼ିଶା ଘର ବିକଳ ମଲିକ ଝିଅ । ବାପା’ ମା ତା’ର ମରିଯାଇଚନ୍ତି–ଅଛନ୍ତି ଦାଦି ଆଉ ଖୁଡ଼ି । ତାଙ୍କରି କତିରେ ପଦି ଝିଅଟି ପରି ଚଳେ । ଖୁଡ଼ି ତାକୁ କଉଥିରେ ଅଣହେଳା କରେନାଁ-। ଗରିବ ଘର, ଦାଦି ତା’ର ମୂଲ ଲାଗେ । ମୂଲ ପଇସା ନେଇ ନିତି ସଞ୍ଜକୁ ଫେରିଆସେ-। ଚାଉଳ, ତେଲ, ଲୁଣ କିଣେ । ଖୁଡ଼ି ବି ତା’ର ଜାଳ କରି ଯାଏ । ଗାଁରେ କା’ର ନିମନ୍ତ ପରବରେ ଘର ଲିପି ପଇସା କମାଏ । ଦୁଃଖେ ସୁଖେ ଗରିବ ସଂସାରଟି ଚଳିଯାଏ ।

 

ସନିଆ ଗଲା ଦିନକ ପରେ ଗାଧୁଆ ତୁଠରେ ପଦିବୋଉ ଖୁଡ଼ିକୁ ଚୁପି ଚୁପି କହିଲା, ନାନୀ ସେ ତ ବିଦେଶ ଗଲେ–ମୁଁ ଘରେ ଏକଲା । ଭାରି ଡର ଲାଗୁଚି–ଟିକିଏ ପଦିକି ମୋ କତିରେ ଶୋଇବାକୁ ପଠେଇବ । ପଦିବୋଉ ଖୁଡ଼ି କହିଲା, ମଲା ପଦି ମୋ ଝୁଅ–ଆଉ କ’ଣ ତୋ’ ଝୁଅ ନୁହଁ । ମୋ କତିରେ ରୁହନ୍ତା–ନହେଲେ ତୋ’ କତିରେ ରହିବ । ଏଇ କଥାକୁ ଏତେ ଚୁପ୍ ଚୁପ୍ କ’ଣ ଲୋ ?

 

ସେଇ ଦିନଠୁ ପଦି ନିଇତି ଆସେ । ହୀରା ନିଜ ନଣନ୍ଦ ପରି ପଦିକୁ ସ୍ନେହ କରେ । ପଦି ମଧ୍ୟ ନୂଆବୋଉ ନୂଆବୋଉ ବୋଲି ପାଣି ପିଏନା ।

 

ଇମିତି ହୀରାର ଦିନ କେଇଟା ଗଡ଼ି ଗଡ଼ି ଦି’ ମାସ ବିତିଗଲା ।

 

ମଝିରେ ଖାଲି ଖଣ୍ଡିଏ ଚିଠି ଆସିଥିଲା । ସନିଆ ଲେଖିଥିଲା, ମୁଁ ଭଲରେ ଆସି କଲିକତାରେ ପହଞ୍ଚିଛି । ଚାକିରି ଏଯାଏ କେଉଁଠି ଯୁଟି ନାହିଁ । ଯୋଉ ଟଙ୍କା କେଇଟା ଦେଇ ଆସିଥିଲି–ସେଇଥିରେ ସୁଖେ ଦୁଃଖେ ଚଳାଚଳି କରୁଥିବ । ଠାକୁରଙ୍କ କୃପାରୁ ମୁଁ ଏଠାରେ ଭଲରେ ଅଛି । ମୋ ପାଇଁ କିଛି ଭାବିବ ନାହିଁ ।ସେଇ ଚିଠି ଖଣ୍ଡିକ ପାଇଲା ଦିନୁ ହୀରା ନିଇତି ଠାକୁରଙ୍କୁ ଡାକେ । କେମିତି ସେ ଚାକିରୀ ଦି’ପଇସା ହାତରେ ରଖନ୍ତୁ । ମନଟା ତା’ର କୋଉଥିରେ ଲାଗେନା । ଯୋଉ କାମ କଲାବେଳେ ଖାଲି ତାଙ୍କରି କଥା ମନେପଡ଼େ ।

 

ପଦାରୁ ବାଡ଼ି ଠୁକ୍ ଠୁକ୍ କରି ଚକରା ମା’ବୁଢ଼ୀ ଆସୀ ଡାକେ ବୋହୁ କ’ଣ କରୁଚୁ । ହୀରାର ଭାବନା ଚହଲି ଚହଲି ମିଳାଇ ଯାଏ । କହେ, ନା ମାଉସୀ କ’ଣ କରିବି–ଏଇ ଧାନ ଦି’ଟା ଉଁସୋଉଚି । ଚାଉଳ ବୋଲି ବକଟେ ନାହିଁ ଘରେ । ପଦି ବୋଉ ଖୁଡ଼ିର ତିନି ପା ଚାଉଳ ଧାର ହେଲାଣି ।

 

ବୁଢ଼ୀ ପଚାରେ, ଆଲୋ ବୋହୁ, ସନିଆ ଆଉ ଭାଷା ପତର କିଛି ଦେଇଥିଲା ? ଟଙ୍କା କଉଡ଼ି କିଛି ପଠେଇଚି ?

 

ହୀରା ମୁହଁ ଶୁଖେଇ କୁହେ, ନାଁ ମାଉସୀ, ସେଦିନୁ ଗଲେଣି, ସେହି ଭାଷା ଖଣ୍ଡକ ଛଡ଼ା ଆଉ ଭାଷାପତର ନାହିଁ ।

 

ବୁଢ଼ୀ କୁହେ, ମଲା, ସେଦିନୁ ଗଲାଣି, ଏଯାଏ ଟଙ୍କା ପଇସାର ନାଁ ନାହିଁ । ଘରେ ପୁଣି ଚାଲନ୍ତି କିମିତି ? ଆଉ କ’ଣ କଲିକତାରେ ଖାଲି ବସି ଖାଇବାକୁ ଯାଇଚି ।

 

ହୀରା ହସି ହସି କୁହେ, ମାଉସୀ ସେ ଟଙ୍କା ନ ପଠେଇଲେ ମୋର ଦୁଃଖ ନାହିଁ । ସେ କଷ୍ଟ କରି ହନ୍ତସନ୍ତ ହେଲେ ମୋର ଦୁଃଖ । ଟଙ୍କା କମେଇ ସେଇଠି ସେ ସୁଖରେ ରହନ୍ତୁ । ମୁଁ କ’ଣ ଏପେଟଟା ପୋଷି ପାରିବି ନାହିଁ ? କଣ୍ତରା ଘରେ ଶହ ଶହ ମାଇପେ ପୁଣି ଚଲୁଚନ୍ତି କିମିତି-? ସେ ସୁଖରେ ରହିବା ଶୁଣିଲେ ସେଇ ମୋର ସୁଖ ।

 

ବୁଢ଼ୀ କହେ, ହଉ ଲୋ ମା କେତେଦିନ ଏଇ ମନ ଟାଣ କରି ରହିବୁ–ମୁଁ ପୁଣି ଦେଖିବି-। ବାଡ଼ି ଭରାଦେଇ ବୁଢ଼ୀ ଉଠେ ।

 

ହୀରା କହେ, ମାଉସୀ ବାସୁନ । ଏଇ ଆସିଲ କି ନାହିଁ–ପୁଣି ଉଠିଲାଣି ।

 

ବୁଢ଼ୀ ତା’ ପାକୁଆ ଓଠରେ ହସ ଟିକେ ମାଖି କହେ, ନାଁ ମା ଯାଉଚି–ତେଣେ ଘର କାମ ପଡ଼ିଚି । ଚାକରା ସକାଳୁ ନ ଖାଇ କୁଆଡ଼େ ଯାଇଚି; ଆସିବଣି କ’ଣ । ସେ ଯୋଉ ଉଦ୍ଦଣ୍ତ ଲୋ ମା, ଟିକିଏ ଡେରି ହେଲେ ହାଣ୍ଡି କୁଣ୍ଢେଇ ଭାଙ୍ଗି ଏକାକାର କରିବି । ଯାଉଚି–ପୁଣି ବେଳ ହେଲେ କାଲି ଆସିବି ।

 

ହୀରା କୁହେ, ଆସିବ ମାଉସୀ । ବୁଢ଼ୀ ମୁଣ୍ଡ ଟୁଙ୍ଗାରି ବାଡ଼ି ଠୁକ୍ ଠୁକ୍ କରି ଚାଲିଯାଏ ।

 

ଚକରା ମା’କୁ ବଅସ ହେଲାଣି ଆସି ତିନି କୋଡ଼ି ପାଞ୍ଚ । ତଥାପି ବୁଢ଼ୀ କୋଉ କାମକୁ ହଟେନା । ବୁଢ଼ୀର ଗୋଟିଏ ବୋଲି ପୁଅ ଚକର; ଗାଁ ନନ୍ଦ ଜେନା ଘରେ ଚାକିରି । ଗାଈଗୋରୁ ବୁଝେ–ଘାସ ଆଣେ–ବଗିଚା ଜଗେ–ଘରଧନ୍ଦା କରେ । ମାସକୁ କୋଡ଼ିଏ ଟଙ୍କା ଆଉ ଖାଇବାକୁ ଘରକୁ ଧାନ ପନିପରିବା ଆଣେ । ସେଇଥିରେ ମା ପୁଅ ଚଳିଯାଆନ୍ତି । ବୁଢ଼ୀର ଆଉ କେହି ନାହାନ୍ତି–ସମସ୍ତେ ଯାଇଚନ୍ତି ମରି ହଜି ।

 

ବୁଢ଼ୀ ଅଚ୍ଛବ ସାହା ଭିତରେ ଗୋଟିଏ ସମସ୍ତଙ୍କ ଭଲ ମନ୍ଦିର ବୁଢ଼ୀ ଉପରେ ପଡ଼ି କଥା କହେ । କିଏ ତାକୁ ହୁତ ବୋଲି କହିଲେ ତା’ ନାଁରେ ବୁଢ଼ୀ ମିଛ ସତ ଚୁଗୁଲି କରି ଗାଁ ଖଣ୍ଡକରେ ହାଟ କରେ । ସେଥିପାଇଁ ଗାଁ ମାଇପେ ସମସ୍ତେ ତାକୁ ଡରନ୍ତି । ତାକୁ ଦେଖିଲେ ବାଟ ଭାଙ୍ଗି ଅନ୍ୟ ବାଟରେ ଚାଲି ଯାଆନ୍ତି ।

 

ଅନେଇ ଅନେଇ ତିନିଟା ମାସ କଟିଗଲା । ସିନିଆ କତିରୁ କିଛି ଚିଠି କି ଟଙ୍କା ପଇସା ଆସିଲା ନାହିଁ । ହୀରା ହାତରେ ଯେଉଁ କେତେଟି ଟଙ୍କା ଥିଲା–ଧୀରେ ଧୀରେ ସେ ସବୁ ତେଲ, ଲୁଣ, ପନିପରିବାରେ ସାରି ଆସିଲା । ହୀରା ପଦିର ଦାଦି ହାତରେ ସବୁ କଥା ଲେଖି କଲିକତାକୁ ଭାଷା ଦେଲା ।

 

ସନିଆ କତିରୁ ଉତ୍ତର ଆସିଲା, ସେ ଏଯାଏ ଚାକିରୀ ଖୋଜି ପାଇ ନାହିଁ, ବଡ଼ ଦୁଃଖରେ ଅଛି । ଭାଷା ପାଇ ହୀରା ଆଖିରୁ ଅଜାଣତରେ ଦି’ ଟୋପା ଲୁହ ଗଡ଼ି ପଡ଼ିଲା । ଭାବିଲା କାହିଁକି ସେ ନିଜ ଗାଁ ମାଟି ଘର ଦୁଆର ଛାଡ଼ି ବିଦେଶ ଗଲେ–ଏଇଠି କ’ଣ ପେଟ ଚାଖଣ୍ଡେକ ପୂରି ନଥାଆନ୍ତା । ବିଦେଶରେ କୋଉଠି ୟା ଦୁଆର ହେଉଥିବେ, ନ ଖାଇ ନ ପିଇ କୋଉଦିନ ଉପାସରେ ରହୁଥିବେ । କିଏ ଥିବ ଦେଖିବାକୁ ନାଁ ବୁଝିବାକୁ । ବାପା ସାଆନ୍ତ ତ କେହି ବିଦେଶ ମାଡ଼ି ନ ଥିଲେ–ସେ କ’ଣ ଘର ଦୁଆର କରି ନ ଥିଲେ, ଧନ କମେଇ ନ ଥିଲେ ।

 

ଇମତି ଭାବି ଭାବି ହୀରାର ଦିନ କଟିଲା । ସେ ଦିନ ଜମିଦାର ଘର କ’ଣ ଗୋଟାଏ ପରବ ପାଖେଇ ଆସଥାଏ । ଜମିଦାର ସାଆଁତାଣୀ ଖବର ପଠେଇଲେ ହୀରା କତିକି ଘର ଲିପି ଯିବାକୁ ।

 

ପାଖରେ ଗୋଟିଏ ବୋଲି ପଇସା ନ ଥାଏ । ହୀରା ଭାବିଲା, ସାଅନ୍ତାଣୀଙ୍କ ଘରଲିପାରୁ ମଜୁରି କିଛି ମିଳିଯିବ, ସେଇଥିରେ ଏଇଲାଗେ ଦିନ କେଇଟା ଚାଲିଯିବ । ଖବର ପାଇଲାକ୍ଷଣି ହୀରା ଡେରି ନକରି ସକାଳୁ ପାଇ ଜମିଦାର ଘରେ ହାଜର ହେଲା । ସେତେବେଳକୁ ଗଛଲତା ଗନ୍ଧରୁ ସକାଳର କଅଁଳ ଆଲୁଅ ଝରିପଡ଼ୁଛି । ପକ୍ଷୀଗୁଡ଼ା ସରଗ ରାଇଜରେ ଦଳ ଦଳ ହୋଇ ମେଳା ବାନ୍ଧିଛନ୍ତି ।

 

ହୀରାକୁ ଦେଖି ସାଆନ୍ତାଣୀ କହିଲେ, ସନିଆବୋହୁ ! ଆଜି ଯା’, ସେ ପାଖ ଖଞ୍ଜାଟା ଲିପିଦେ । ଏତିକି ବେଳେ ସାଆନ୍ତାଣୀଙ୍କ ବଡ଼ ପୁଅ ରବିବାବୁ ଆସି ପହଞ୍ଚିଲେ । ହୀରା ମୁଣ୍ଡରେ ଓଢ଼ଣା ଟାଣି ସେ ପାଖ ଖଞ୍ଜାଆଡ଼େ ଚାଲିଗଲା ।

 

ରବି ସ୍ତ୍ରୀଲୋକଟିକୁ ଦେଖି ପଚାରିଲା, ଏ କିଏ ? ବୋଉ ଉତ୍ତର ଦେଲେ, ଏ ପରା ଆମ ସନିଆ କଣ୍ଡରାର ବୋହୁ । ବୋଉ କଥା ଶୁଣି ରବିକୁ ଆଶ୍ଚର୍ଯ୍ୟ ଲାଗିଲା । କଣ୍ଡରା ଘରେ ପୁଣି ଇମିତି ସୁନ୍ଦରୀ ଝିଅ ଅଛନ୍ତି ? କି ସୁନ୍ଦର ଢଲଢ଼ଲ ତା’ର ଫୁଲଟି ପରି ମୁହଁଟି । ରବିର ଆଖି ଆଗରେ ବାରବାର ସେଇ ଛବିଟି ନାଚି ଉଠିଲା । ତା’ର କରୁଣ ମନରେ କ୍ଷଣିକ ପାଇଁ ଲାଗିଲା ନିଆଁ ହୃଦୟଟା ଚଞ୍ଚଳ ହୋଇ ଉଠିଲା ।

 

ବେଳ ଆସି ଟାଣ ଗାଧୁଆ ବେଳ ହେଲାଣି । ହୀରା ଘର ଲିପି ଚାଲିଚି । ପଛରୁ କିଏ କହିଲା, ଆଜି ସେତିକି ଥାଉ–କାଲି ଲିପିରେ କ’ଣ ହେବନି ? ହୀରା ଚାହିଁ ଦେଖେ ସାଆନ୍ତାଣୀଙ୍କ ପୁଅ ରବିବାବୁ ଏକ ନୟନରେ ତାରିଆଡ଼କୁ ଚାହିଁଛନ୍ତି । ହୀରାକୁ ଅଡ଼ୁଆ ଲାଗିଲା । ଘର ଲିପୁ ଲିୟ ହାତଟା ତା’ର ଗଲା ଅଟକି । ଲାଜରେ ଓଢ଼ଣା ଟାଣି ଛିଡ଼ାହେଲା । ରବିବାବୁ ହସି ହସି କତିକି ଆସି କହିଲେ, ସନିଆ ଭାଇବୋହୁ ତମେ–ମୋର ହେବ ନୂଆବୋଉ । ଏତେ ଲାଜ କରୁଚ କଅଣ ମ ?

 

ହୀରାର ମୁହଁ ଖୋଲି ପଦେ କାହିବାକୁ ତୁଣ୍ଡ ଲେଉଟିଲା ନାହିଁ । ଦେଖିଲା ବେଳ ବହୁତ ହେଲାଣି । ବାଟ ଭାଙ୍ଗି ଘରମୁହାଁ ଧରିଲା । ଖୋଜେ ବାଟ ଆସି ପଛକୁ ଅନାଇଲା, ରବିବାବୁ ସିମିତି ତାରି ଆଡ଼କୁ ଚାହିଁ ରହିଛନ୍ତି ।

 

ତା’ ଆରଦିନ ହୀରା ପୁଣି ଘର ଲିପିବାକୁ ଆସିଲା । ଆଜି ଟିକେ ଚଞ୍ଚଳ ହାତ କଲେ ଏ ଖଞ୍ଜାଟା ସରିଯିବ–ମନକୁ ମନ ଭାବି ହୀରା କାମରେ ଲାଗିଲା । କିନ୍ତୁ କୁଆଡେ଼ ଥିଲେ ଘଡ଼ିକ ପରେ ପୁଣି ରବିବାବୁ ଆସି ପହଞ୍ଚିଲେ । ହୀରା ସାଙ୍ଗରେ ହସି ହସି କେତେ ରକମ କଥା କହି ଗେଲ ଖେଳିବାକୁ ଲାଗିଲେ ।

 

ହୀରାକୁ ଭାରି ଅଡ଼ୁଆ ଲାଗିଲା । ଭାବିଲା, ମୁହଁ ଖୋଲି ପଦେ କହିଦେବ । ପରଝିଅ ବୋହୁ ସାଙ୍ଗରେ ଗେଲ ଖେଳିବାକୁ ତମକୁ କ’ଣ ଭଲ ଲାଗେ ରବିବାବୁ । କିନ୍ତୁ ବଡ଼ଲୋକଙ୍କୁ ଉତ୍ତର ନାହିଁ କି–ସରଗକୁ ନିଶୁଣୀ ନାହିଁ । ହୀରାର ତୁଣ୍ଡ ଫିଟିଲା ନାହିଁ । ସେ ସେଇଠି ଲାଜରେ ଜୁଡ଼ବୁଡ଼ ହୋଇ ଛିଡ଼ା ହେଲା । ରବିବାବୁ ଟିକିଏ ପରେ ଚାଲି ଆସିଲେ । ହୀରା ପିଣ୍ଡରେ ପ୍ରାଣ ପଶିଲା ।

 

Unknown

ତା’ ପର ଦିନ ହୀରା ଏ ଖଞ୍ଜାଟା ଲିପିସାରି ବାଡ଼ି ସେପଟ ପୁରୁଣା ଖଞ୍ଜାଟା ଲିପୁଥାଏ–ଲିପୁ ଲିପୁ ପଦାକୁ ଅନାଉଥାଏ । ମନେ ମନେ ଭାବିଲା, ଆଜି ଯଦି ରବିବାବୁ ଆସି ଗେଲ ଖେଳନ୍ତି–ତେବେ ସାଆଁତାଣୀଙ୍କି ଜଣାଇ ଦେବି । ଗରିବ ହେଲୁ ବୋଲି ଆମର କ’ଣ ମାନ ଇଜ୍ଜତ ଟିକିଏ ନାହିଁ । ମନକଥା ମନରେ ଅଛି, ଘଡ଼ିକ ପରେ ରବିବାବୁ ଆସି ପହଞ୍ଚିଲେ ।

 

ହସି ହସି ପଚାରିଲେ, ନୂଆବୋଉ ଏଇ ଛିଡ଼ା ଲୁଗାଟା ପିନ୍ଧିଚ ତମର କ’ଣ ଆଉ ଲୁଗାପଟା କିଛି ନାହିଁ । ହୀରା କିଛି ଉତ୍ତର ଦେଲା ନାହିଁ । ରବିବାବୁ ହସି ହସି କହିଲେ, ନୂଆ–ବୋଉ ମୋତେ ଯଦି କଥା ନ କହିବ, ତେବେ ସନିଆ ଭାଇଙ୍କ ରାଣ ପକାଇବି । ହୀରା ଲାଜସରମ ଛାଡ଼ି ଏଥର ମୁହଁଖୋଲି କହିଲା, ରବିବାବୁ ଆମେ ଦୁଃଖୀଲୋକ–ଫଟାଛିଡ଼ା ଲୁଗା ଆମକୁ ନୂଆ ପରି । ତମ ବଡ଼ଲୋକ ଆଖିକି ଦର ଲୁଗାଟା ଯେମିତି ସୁନ୍ଦର ଗରିବଙ୍କ ଆଖିକି ଛିଡ଼ା ଲୁଗାଟା ବି ସେମିତି ସୁନ୍ଦର ।

 

ରବିବାବୁ ସରାଗମିଶା ହସି ହସି କହିଲେ, ତୁମେ ଯା’ କୁହ ନୂଆବୋଉ, ଭଲ ନୂଆଲୁଗା ପିନ୍ଧିଲେ ତମର ଏଇ ସୁନ୍ଦର ରୂପକୁ ଭାରି ଭଲ ମାନନ୍ତା । ତୁମକୁ ଯୋଉଦିନ ମୁଁ ସେ ଘରେ ଦେଖିଲି, ସେଇଦିନଠୁ ତମରି ରୂପକୁ ମୁଁ ଭୁଲିପାରୁ ନାହିଁ ।

 

ଏଇ ପଦକ କଥା ଶୁଣି ହୀରାର ସର୍ବାଙ୍ଗ ଜଳିଉଠିଲା । କହିଲା, ରବିବାବୁ ତମେ ଏଠୁ ଯାଅ–ମୋତେ ମୋ କାମ କରିବାକୁ ଦିଅ । ନ ଯିବ ଯଦି ମୁଁ ସାଆନ୍ତାଣୀଙ୍କି ଡାକିବି । ଗରିବ ହେଲୁ ବୋଲି କ’ଣ ଆମର ମାନ ଇଜ୍ଜତ ଟିକିଏ ନାହିଁ ? ହୀରା କଥା ଶୁଣି ରବିର ମୁହଁଟା କଳା ପଡ଼ିଗଲା-। ଚୁପ୍ କରି ସେ ଅନ୍ୟଆଡ଼େ ଚାଲିଗଲା ।

 

ରବିବାବୁ ଚାଲିଗଲାରୁ ହୀରା ମନେ ମନେ ଭାବିଲା, କାଲିଠାରୁ ଆଉ ଏ ଯାଗା ମାଡ଼ିବି ନାହିଁ । ନ ଖାଇ ନ ପିଇ ମରିବି ପଛେ ପେଟ ପାଇଁ ନିଜ ମୁହଁରେ କାଳି ବୋଳିବି ନାହିଁ । ଗୋଲଖ ସାଆଁନ୍ତେ କେବେଠୁ ମଲେଣି–କିନ୍ତୁ ସମସ୍ତେ ତାଙ୍କୁ ଝୁରି ହେଉଚନ୍ତି–ଗୁଣ ବାହୁନୁଚନ୍ତି । ଏକା ଗଛର ଚାରା–ତାଙ୍କରି ପୁଅ ଏଇ ରବିବାବୁ ପୁଣି ଇମିତି । ଛିଃ ଛିଃ, କୁଳରେ କଳଙ୍କ ବୋଳୁଚି ।

 

ଭାବନା ବଦଳିଲା । କାହିଁକି ବା ମୁଁ ଏଠିକି ଆସିଥାନ୍ତି । ମୋ ପେଟ କ’ଣ ପୂରୁ ନଥିଲା-। ସେ ବିଦେଶକୁ ଧନ କମେଇବାକୁ ଗଲେନି ଯେ, ମୋତେ ଇମିତି ହନ୍ତସନ୍ତ କରି ମାରିବାକୁ ଗଲେ । ହୀରା ଆଖିରୁ ଥପ୍ ଥପ୍ ହୋଇ ଦି’ଟୋପା ଲୁହ ପଡ଼ିଗଡ଼ିଲା ।

 

ବୁଲି ବୁଲି ସନିଆ ତିନିମାସ ପରେ କଲିକତା କରପରେସନରେ ଚାକିରୀ ଖଣ୍ଡେ ପାଇଲା । ସଞ୍ଜବେଳେ ଗ୍ୟାସବତୀ ଲଗାଇବା–ତିନି ଚାରି ଘଣ୍ଟାର କାମ, ମାସକୁ ଷାଠିଏ ଟଙ୍କା । ସଞ୍ଜ ପହରକୁ ଛାଡ଼ିଦେଲେ ଦିନମାନ ଆଉ କିଛି କାମ ନାହିଁ । ସନିଆକୁ ଦିନମାନ ଖାଲି ବସି ରହିବାକୁ ଭାରି ଚିଡ଼ି ମାଡ଼ିଲା ।

 

ପୁଣି ସେ ଆଉ ଖଣ୍ଡିଏ କାମରେ ମୁକରିର ହେଲା । ଗୋଟିଏ ପଞ୍ଜାବି ଅଫିସରେ । ପିଅନ କାମ–ମାସକୁ ଅଶି ଟଙ୍କା । ଦଶଟାରୁ ଚାରିଟା ପର୍ଯ୍ୟନ୍ତ ଡ଼ିଉଟି ସାରି ସନିଆ ପୁଣି ଆସି ସଞ୍ଜକୁ ଗ୍ୟାସବତି ଲଗାଏ । ରାତି ସାତ ଆଠ ବେଳକୁ କାମ ସାରି ବସାକୁ ଫେରିଯାଏ ।

 

ବଜାର ସଉଦା କରି ସନିଆ ହାତରେ ରୋଷେଇ କରେ । ରୋଷେଇ କରି ଖାଉ ଖାଉ ରାତି ଏଗାର ବାର ବାଜେ । ରୋଷେଇ କଲାବେଳେ ସନିଆର ହୀରା କଥା ମନେପଡ଼େ । କାଲିପରି ଲାଗୁଚି–ଦେଖୁ ଦେଖୁ ତିନିଟା ମାସ ଗଡ଼ିଗଲାଣି । ମାଇପିଲୋକେ–ପଇସା କଉଡ଼ି ଅଭାବରେ କ’ଣ କରୁଥିବ–କିମିତି ଚଳୁଥିବ, ଠାକୁରେ ଜାଣନ୍ତି । ମନଟା ତା’ର ଗୋଳେଇ ଘାଣ୍ଟି ହୁଏ ।

 

ସନିଆ ଦିନ ଗଣି ଦେଖେ ଏ ମାସ ପୂରୁ ପୂରୁ ଆହୁରି ପନ୍ଦର ଦିନ ବାକି । ଦରମା ଗଣ୍ଡାକ ପାଉ ପାଉ ଆର ମାସ ସାତ ତାରିଖ ।

 

ନିତି ସେ ଦିନ ଗଣେ । ହୀରା ଚିନ୍ତାରେ ଦିନେ ଦିନେ ତାକୁ ଭାତ ରୁଚେନାଁ । ଭାତଥାଳି କତିରେ ଖାଇବସିଲାବେଳେ ହୀରାର ଢ଼ଳ ଢ଼ଳ ଆଖି ଦୁଇଟି–ଛପିଲା ସଜଗୋଲପ ପରି ମୁହଁଟି ଭାବନା ଦରପଣରେ ନାଚିଉଠେ । ଅରକ୍ଷିତା କହେ; କିରେ ସନିଆ ଖାଉନୁ–ଭାବୁଛୁ କ’ଣ ? ସନିଆ ଦରଦମିଶା ଗଳାରେ କୁହେ, ଅରକ୍ଷିତା ଭାଇ ଆଜି କାହିଁକି ଭାରି ଘରକଥା ମନେପଡ଼ୁଛି–ଖାଇବାକୁ ଇଚ୍ଛା ହେଉନି । ଅରକ୍ଷିତା ହସେ । କୁହେ, ସନିଆ ପିଲା କୁଟୁମ୍ବକୁ ଝୁରିହେଲେ ବିଦେଶ ସହିବନିରେ–ଭାବି ଭାବି ବେମାରରେ ପଡ଼ିଯିବୁ । ସେ ସବୁ ମନରୁ ପୋଛିଦେ । ତେବେ ଯାଇ ବିଦେଶ କରିବୁ–ପଇସା କମେଇବୁ । ଅରକ୍ଷିତାର କଥା ପଦକ ସନିଆର ବାଉଳା ମନକୁ କାବୁ କରେ ।

 

ଛୋଟିଆ ପୁରୁଣା କୋଠାଟିଏ । ଚାରିଆଡ଼େ ଖଣ୍ଡିଆ ଖାବଡ଼ା । ବର୍ଷାଦିନେ ଛାତରୁ ପାଣିଝରେ । ତାରି ଭିତରେ ଗୋଟିଏ ଅଣଓସାରିଆ ବଖରାରେ ଅରକ୍ଷିତା ଓ ସନିଆର ଚଢ଼େଇପରି ବସା । ସେଇଥିରେ ରୋଷେଇ, ଶୁଆ,ଉଠାବସା । କୋଠା ଆଗରେ ଗୋଟାଏ ଗ୍ୟାସବତି ଖୁମ୍ବ । ମିଞ୍ଜି ମିଞ୍ଜି ଆଲୁଅ ଆଉ ଛାଇର ସମାବେଶ । ଅନ୍ଧାର ରାତିରେ ମାଡ଼ି ମାଡ଼ି ପଡ଼େ–ଭୟ ଲାଗେ ।

 

ଟିକିଏ ଦୂରରେ ଅରକ୍ଷିତା ମୁନିବର ଘର । ଘରର ବାହାରେ ଭିତରେ ବିଜୁଳିବତୀର ସମାବେଶ । ସୁନ୍ଦର ତିନିତାଲା କୋଠା–ଭୋଗବିଳାସର ସାଆଁତିଆ ରୁଚି ଛାଞ୍ଚରେ ମୁଣ୍ଡ ଟେକିଚି ଉପରକୁ । ସନିଆ ସେଇଆଡ଼କୁ ଚାହିଁ ଚାହିଁ ଭାବେ, ସେମାନେ କେଡ଼େ ସୁଖରେ ଅଛନ୍ତି । ଜୀବନର ସ୍ଵର୍ଗସୁଖଟିକ ସେଇମାନେ ଯେପରି ଦୁନିଆରେ ଭୋଗ କରୁଚନ୍ତି । ଚିନ୍ତା ନାହିଁ–ଡର ନାହିଁ । ଅଭାବ ଅସୁବିଧାର କରୁଣ ଚିତ୍କାର ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଉ ନାହିଁ । ମଉଜ ମଜଲିସରେ ଦିନ କାଟିବାକୁ ଅଛି ରାଶି ରାଶି ଟଙ୍କା ।

 

ଆଉ ଆମେ–ଆମେ ଯେପରି ଏଇ ନର୍ଦ୍ଦମାର କୀଟ–ନାଁ ନାଁ, ତାଠୁ ଆଉରି ହୀନ, ପେଟପୂରା ଗଣ୍ଡି ଏ ଖାଇବାକୁ, ମନପୁରାଇ ଖଣ୍ଡେ ପିନ୍ଧିବାକୁ ପାଇବୁ ନାହିଁ, ଅଳିଆଗଦା ପରି ପଡ଼ି ରହିବୁ । ଏକ ଘରିକିଆ ହେଇ ଯେପରି ସମାଜରେ ଦେଶରେ ବଞ୍ଚି ରହିବାର ଗୌରବ ଆମର ନାହିଁ ।

 

ତଥାପି–

 

ଅନ୍ତର ଭିତରୁ କିଏ ଯେପରି କହିଉଠେ–ତଥାପିରେ ଭାଇ ଆମରି ଦେହ ମିହନ୍ତରେ ଗଢ଼ାହୁଏ ବଡ଼ ଲୋକର ଚାରୁ ଅଟ୍ଟାଳିକା । ଆମରି ରକ୍ତ ଶୋଷି ବଢ଼ିଉଠେ ପୁଞ୍ଜିପତିର ରାଶି ରାଶି ଧନ । ଆମର ମୃତ୍ୟୁରେ ସେମାନଙ୍କର ଗୌରବ ମୁଣ୍ଡ ଟେକେ ଉପରକୁ । ହଜାର ହଜାର କୁଲିମଜୁରିଆ ବଡ଼ ଆଶା ନେଇ ଆସିଥାନ୍ତି ଏଇ ବଡ଼ ସହରକୁ । କଳକାରଖାନା, ରାସ୍ତାଘାଟ ସବୁଆଡ଼େ ସେଇମାନେ ବିଛୁଡ଼ି ପଡ଼ନ୍ତି, କିନ୍ତୁ ମରଣର ଆଶୀର୍ବାଦ ନେଇ କିଏ କେଉଁଠି ଢଳିପଡ଼ନ୍ତି ତା’ର କିଏ ହିସାବ ରଖେ । ନାଁ ଏଇ ବଡ଼ ସହର ତାଙ୍କର ମୃତ୍ୟୁରେ ଟିକିଏ ଅଶ୍ରୁ ନିଗାଡ଼ି ଦିଏ । ଓଲଟି ତାଙ୍କରି ମରଣକୁ ଉପହାସ କରି ଧନୀକର ମଟର ଛୁଟିଯାଏ–ହର୍ଣ୍ଣ ଫେଁ ଫେଁ ବାଜେ, ଯେପରି ଦରିଦ୍ରର ଦାରିଦ୍ର୍ୟତାକୁ ଉପହାସ କରେ ।

 

ସନିଆର ଭାବନା ଇମିତି ନାନା ରୂପ ଧରେ । ଦିନଗୁଡ଼ା ମଉଳା ଫୁଲର ଝରାପାଖୁଡ଼ା ପରି ଝଡ଼ି ପଡ଼େ–ତାରି ଭିତରେ ସନିଆର ବିଦେଶୀ ଜୀବନ ଆଗକୁ ଚାଲେ ।

 

ସନିଆ କରପରେସନରେ କାମ କଲାଦିନୁ ତା’ର କେତେ ଲୋକ ଜଣାଶୁଣା ହେଇଗଲେଣି । ସମସ୍ତଙ୍କୁ ସେ ଭାଇ ବୋଲି ଡାକି ଆପଣାର କରିନିଏ । ସମସ୍ତଙ୍କୁ କୁହେ, ଭାଇ ମୁଁ ଭାରି ଗରିବ–ମୋର କେହି ନାହିଁ–ମୋତେ ଯେପରି ତମେମାନେ କରୁଣାରୁ ବଞ୍ଚିତ ନ କର । ସମସ୍ତେ ସନିଆର କଅଁଳ ମଧୁର ବଚନରେ ଭୁଲିଯାନ୍ତି, ସନିଆକୁ ଭଲ ପାଆନ୍ତି ।

 

ଯୋଗି ଜେନା–ଜାତିରେ ବାଉରୀ । ଲମ୍ବା ପାଞ୍ଚହାତର ମଣିଷଟାଏ । ପନ୍ଦର ବରଷ ହେଲା ସେ କଲିକତାରେ ହାନିଲାଭ ଭଲମନ୍ଦ ସହି ଚାକିରୀ କରିଛି । ଯୋଗି ଜେନା ସନିଆକୁ ଭାରି ଭଲ ପାଏ । ନିତି ସଞ୍ଜରେ କାମ କଲାବେଳେ ଦୁହିଁଙ୍କର ଭେଟ ହୁଏ । ଦୁହେଁ ଘଡ଼ିଏ ଦୁଃଖସୁଖ ହୁଅନ୍ତି । ତା’ପରେ ଚାଲି ଯାଆନ୍ତି ଯେ ଯୁଆଡ଼େ–

 

ସେଦିନ କଥା ପଡ଼ୁପଡ଼ୁ ସନିଆ ପଚାରିଲା, ଆଚ୍ଛା ଯୋଗିଭାଇ, ଏତେଦିନ ହେଲା ଆମେ ସାଙ୍ଗହେଲେଣି–କିନ୍ତୁ ତମ ଘର ଠିକଣା ତ କେଉଁଠି କହିନାହଁ । ଯୋଗି ଜେନା ହସି ହସି କହିଲା, ଆମ ଘର କଟକ ଜିଲ୍ଲାର ନିମାପଡ଼ା । ନିମାପଡ଼ା ନାଁ ଶୁଣି ସନିଆର ମନଟା ଧାଇଁଲା ଅତୀତକୁ, ଭାସି ଉଠିଲା ଆଗରେ ଅତୀତର ଅନ୍ଧାର ଭିତରୁ ଗୋଟିଏ ମନଭୁଲାଣିଆ ଛବି । କି ସୁନ୍ଦର ତା’ର ରୂପ–ଜୋଛନାପରି ସ୍ନିଗ୍ଧ, ମଧୁର ଆଉ ମୃଦୁ–ସେଇ ତା’ର ମାନସୀ ଫୁଲ । ଫୁଲର ଖବର ସେ ଅନେକ ଦିନୁ ସେ ରଖି ନାହିଁ । ମା’ ମଲାପରେ ଗଲା ମାମୁଁଘରକୁ । ତା’ ପରେ କ’ଣ ହେଲା; କୁଆଡ଼େ ଗଲା କିଛି ଜାଣିନାହିଁ । ଆଜି କାହିଁକି ଜାଣିବାକୁ ତା’ର ଆଗ୍ରହ ହେଲା । କହିଲା, ଯୋଗିଭାଇ ଗୋଟାଏ କଥା ପଚାରିବି, କହିବ ?

 

କ’ଣ କହୁନୁ ।

 

ଆମ ଗାଁ କତିକି କୋଶେ ବାଟ–କୁସୁପୁର । ସେଇଠି ଫୁଲ ବୋଲି ଥିଲା ଗୋଟିଏ ଝିଅ-। ପିଲାବେଳୁ ବାପାକୁ ଖାଇଥିଲା–ଥିଲା ତା’ର ମାଆଟି, ଆଉ ଗୋଟିଏ ଛୋଟଭାଇ-। ଭାରି ଗରିବ, ମା’ ତା’ର ମୂଲଲାଗି ତାକୁ ପାଳିପୋଷି ମଣିଷ କଲା । କିନ୍ତୁ ଦିନେ ଅସମୟରେ ବି ଯମର ତା’ ମା’ ଉପରେ ଆଖି ପଡ଼ିଲା । ମା’ ମଲା ପରେ ଶୁଣିଲି, ନିମାପଡ଼ାରୁ ତା’ ମାମୁଁ ଆସି ନେଇଯାଇଛି । ଭାଇ ଭଉଣୀ ଦିହେଁ ମାମୁଁ ର ଆଶ୍ରା ନେଇ ସେଠି ସବୁଦିନେ ରହିବେ, ଆଉ କୁସୁପୁର ମାଡ଼ିବେ ନାହିଁ । ମାମୁଁ ଘରକୁ ଗଲାପରେ ଫୁଲର କ’ଣ ହେଲା କିଛି ଖବର ରଖିନି–ତମେ କିଛି ତା’ କଥା ଜାଣ ?ସନିଆ କଥା ଶୁଣି ଯୋଗି ମୁରୁକି ମୁରୁକି ହସିଲା; କହିଲା, ଜାଣେରେ ସନିଆ ସବୁ ଜାଣେ । ଆମ ଗାଁର ଟିକିନିଖି ଖବର ପରା ମୋ ମନରେ ଥୁଆ । ଯେଉଁ ବରଷ ଫୁଲକୁ ତା’ ମାମୁଁ ନିମାପଡ଼ା ନେଇ ଆସିଲା–ସେଇ ବରଷ ଆମ ଗାଁ ପାଖ ଗାଁରେ ହେଲା ତା’ର ବାହାଘର । ଫୁଲ ଯା’ କୁ ବାହାହେଲା ସେଇ ଗୁରୁବାରି ମଳିକ ତିନି ଭାଇ; ପଦିଆ, ନିଧିଆ ଆଉ ଗୁରୁବାରି । ଗୁରୁବାରି ସବା ସାନ । ବାହାହେଲା ଦି’ମାସ ଅନ୍ତେ ଗୁରୁବାରି ଆସିଲା କଲିକତା-। ଖେଦିରପୁର ଡକରେ ଲୁଚି କାମ କଲା । ଦି’ତିନି ମାସ ରୋଜଗାର କରି ଘରକୁ ଟଙ୍କା ପଠାଇଲା-। ତା’ ପରେ ଖେଦିରପୁର ଛାଡ଼ି କୁଆଡ଼େ ପାଲେଇଗଲା, କିଛି ପତ୍ତା ମିଳିଲା ନାହିଁ । କିଏ କିଏ କହିଲେ ସେ ଗୋଟିଏ ବାଙ୍ଗାଲୁଣି ମାଇକିନା ସାଙ୍ଗରେ ପଡ଼ି କୁଆଡ଼େ ପାଲେଇଚି ।

 

ଏ ଖବର ପହଞ୍ଚିଲା କ୍ଷଣି ଫୁଲ ମୁଣ୍ଡରେ ବଜ୍ର ପଡ଼ିଲା । ନ ଖାଇ ନ ପିଇ ଗୁରୁବାରୀକୁ ଝୁରି ଝୁରି ଦିନୁ ଦିନ କ୍ଷୀଣ ହୋଇଗଲା । ଗୁରୁବାରୀଆ ଗଲାପରେ ବଡ଼ ଯା’ମାନେ ଫୁଲକୁ ଆଉ ଭଲ ପାଇଲେ ନାହିଁ, ଦି’ବେଳା ଗଣ୍ଡାଏ ପେଟପୁରା ଖାଇବାକୁ ଦେଲେ ନାହିଁ । ଫୁଲ ପ୍ରାଣ ବିକଳରେ ଦିନେ ରାତି ଅଧରେ ଘର ଛାଡ଼ି କୁଆଡ଼େ ପଳାଇଲା । ଗାଁ ଲୋକେ ଖୋଜି ଖୋଜି ଦି’ଦିନ ପରେ ଦେଖିଲା ବେଳକୁ ନଈ ଭିତରେ ଫୁଲର ଶବ ଭାସୁଛି । ଇମିତି ବିଚରାର ଜୀବନଳୀଲା ସରିଗଲା ।

 

କଥା ଶୁଣୁ ଶୁଣୁ ସନିଆ ଆଖିରୁ ଦି’ଧାର ହୋଇ ଲୁହ ଗଡ଼ିପଡ଼ିଲା । ଯୋଗି ଜେନା ପଚାରିଲା, କିରେ ସନିଆ କାନ୍ଦୁଚୁ କାହିଁକି ? ଫୁଲ ତୋର କ’ଣ ହୁଏକି ? ସନିଆ ଆଖିରୁ ଲୁହପୋଛି କହିଲା, ସେ ମୋର କିଛି ନୁହେଁ–ପୁଣି ସବୁ ।

 

ଯୋଗି ଜେନା ସନିଆ କଥାର ମାନେ କିଛି ବୁଝିପାରିଲା ନାହିଁ । ତାରି ମୁହଁରେ ବଲବଲ ହୋଇ ଚାହିଁରହିଲା ।

 

ସନିଆ ଫୁଲ ସାଙ୍ଗରେ ପରିଚୟ ହେବା ଦିନଠାରୁ ସବୁକଥା ଗୋଟି ଗୋଟି କରି କହିଲା । ଯୋଗିଜେନା କହିଲା, ସନିଆ ତୁ ତାକୁ ଏତେ ଭଲ ପାଉଥିଲୁ–ନ କହି ନ ଜଣାଇ ମାମୁଁଘରକୁ ଗଲା ବୋଲି କ’ଣ ଇମିତି ଦୋଷ ହେଲା ଯେ ଆଉ ତୁ ଟିକେ ପଚାରିଲୁ ନାହିଁ । ସନିଆ ଯୋଗିଜେନା କଥାରେ କିଛି ଉତ୍ତର ନଦେଇ ଉଠିଲା । କହିଲା, ଯାଉଛି ଯୋଗି ଭାଇ ଅନେକ ବେଳ ହେଲାଣି–ପୁଣି କାଲି ଦେଖା ସାକ୍ଷାତ । ଦୁହେଁ ଦୁଇଆଡ଼େ ଚାଲିଲେ ।

 

ବସାକୁ ଫେରି ସନିଆର ଆଜି କୋଉ କାମରେ ମନ ଲାଗିଲା ନାହିଁ । ଖାଲି ଫୁଲର କରୁଣ କାହାଣୀ ତାରି କାନ ପାଖରେ ବାଜି ଉଠିଲା । ନ ଖାଇ ନ ପିଇ ଶୋଇଲା । ସପନରେ ବି ଦେଖିଲା ଫୁଲର ମଲାଦେହଟା ନଈ ପାଣିରେ ଭାସି ଭାସି ଚାଲିଛି । ସନିଆ ଚମକି ପଡ଼ିଲା । ନିଦଟା ଚାଉଁକରି ଭାଜିଗଲା । ଦେଖିଲା ଘର ଭିତରଟା ଅନ୍ଧାରରେ ବିକଟାଳ ରୂପ ଧରିଚି । ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗକରି ବାହାରେ ପବନ ସୁର ଧରିଚି ।

 

ସପନ ଆଉ ଜାଗରଣରେ ସାରା ରାତିଟା ସନିଆର କଟିଲା ।

 

ସେହିଦିନ ଠାରୁ ହୀରା ଆଉ ଜମିଦାର ଘର ଲିପିବାକୁ ଗଲା ନାହିଁ । ପଦିକି ପଠେଇ ନିତିଦିନର ମଜୁରୀ ପାଉଣାତକ ସାଆଁନ୍ତାଣୀଙ୍କ ଠାରୁ ନେଇ ଆସିଲା । ସେଇଥିରେ ଦୁଃଖେକଷ୍ଟେ ଦିନ କଟାଇଲା ।

 

ସେଦିନ ଦି’ପହରେ । ଟାଣ ଖରାରେ ଅଣ୍ଟା ନ ହକି ପଡ଼ିଲାଣି । ଆକାଶଟା ଦେଖାଯାଉଛି ତମ୍ବାଳିଆ ତମ୍ବାଳିଆ । ଘରଚଟିଆ ଚଢ଼େଇ ଦି’ଟା ଉଡ଼ି ଉଡ଼ି ଆସି ଘର ଚାଲ ଉପରେ ବସି ନାଲି କିରଣରେ ହୋରି ଖେଳୁଚନ୍ତି ।

 

ହୀରା ଘର ଓଳୋଉଚି । ପଦାରୁ ଡାକ ଶୁଭିଲା ବୋହୁ ଘରେ ଅଛୁ ? ହୀରା ଗଲା ବାରି ଜାଣିଲା ଚକରାମା ବୁଢ଼ୀ । ଘରଓଳା ଛାଡ଼ି ପଦାକୁ ଆସି ବୁଢ଼ୀ ହାତଧରି ଘର ଭିତରକୁ ନେଇଗଲା-। ତର ତର କରି ମସିଣା ଖଣ୍ଡେ ପକେଇ ଦେଇ କହିଲା, ମାଉସୀ ବସ–ମୁଁ ପାନ ଖଣ୍ଡେ ଭାଙ୍ଗେ-

 

ଚକରାମା’ ବୁଢ଼ୀ କହିଲା, କିଲୋ ବୋହୁ ମୁଁ କ’ଣ କୁଣିଆ ହେଇଚିକି ଏତେ ମସିଣା ପକେଇ ଚରଚା କରୁଚୁ । ବୁଢ଼ୀ ହାଡ଼ି ଲୋକ–ବଳ ବୟସ ଗଲାଣି । ଆଉ ବା କେଇଟା ଦିନ, ଖାଲି ବୋହୁ ତମରିମାନଙ୍କ ଲୀଳା ଟିକେ ଦେଖିବାକୁ ଛାରଛିକର ଜୀବନଟା ରହିଚି ।

 

ପାନ ଭାଙ୍ଗୁ ଭାଙ୍ଗୁ ହୀରା ପଚାରିଲା, ମାଉସୀ ଚକରାର ବାହାଘର ଏ ବରଷ କରିବ ନାହିଁକି ?

 

ଚକରାମା ମୁହଁ ଶୁଖାଇ କହିଲା, କୋଉଠି, ଯୁଟୁଚି ଲୋ ମା’ । ତା’ର ତ ଆଉ ବାପ, ଦାଦି କି ଭାଇ କୁଟୁମ୍ବ କେହି ନାହାନ୍ତି । କିଏ ତା’ ପାଇଁ ଟିକିଏ ଆଖି ପକେଇବ । ଗୋଟି ଗୋଟି ସମସ୍ତେ ଗଲେ ଲୋ ମା–ମତେ ଖାଲି ହନ୍ତସନ୍ତ କରି ମାରିବାକୁ ଛାଡ଼ିଦେଇ ଗଲେ । ଚକରା ବାହା ହେବ–ହାତକୁ ଦି’ହାତ ହେବ ତା’ ଲୀଳା ମୁଁ ଆଉ ଦେଖି ପାରିବି ନାହିଁ । ଏକୋଇରବାଳା ବିଶୀକେଶନ ଲୋ ମା–ତାର ଆଉ କିଏ ଅଛି ? କହୁ କହୁ ଚକରାମା’ ବୁଢ଼ୀ କାନ୍ଦି ପକାଇଲା ।

 

କଥା କହୁ କହୁ ଚକରାମା’ ବୁଢ଼ୀ ସକେଇ ହବା କଥା ଗାଁରେ ସମସ୍ତେ ଜାଣନ୍ତି ।

 

ହୀରା ପାନ ଖିଲ ମୋଡ଼ୁ ମୋଡ଼ୁ କହିଲା, ମଲା ତାଠୁ ଆହୁରି ଅରକ୍ଷିତ ବାହା ହେଉଚନ୍ତି, ଘରସଂସାର କରୁଚନ୍ତି, ଚକରା ଇମିତି କ’ଣ ହେଇଚି କି ?

 

ବୁଢ଼ୀ ଆଖିରୁ ଲୁହପୋଛି ପଚାରିଲା, ସନିଆ ଟଙ୍କା ପଇସା ପଠେଇଚି କି ଲୋ ବୋହୁ-? ହଁ ପଠେଇ ନଥିବ–ସେ ଦିନରୁ ଗଲାଣି ।

 

ହୀରା ପାନ ଖଣ୍ଡକ ବୁଢ଼ୀ ହାତକୁ ଦେଇ କହିଲା, ନାଁ ମାଉସୀ, ଟଙ୍କା ପଇସା ପଠେଇ ନାହାନ୍ତି । ଭାଷା ବି ଖଣ୍ଡେ ଦେଇ ନାହାନ୍ତି । ମୋ ମନଟା କାହିଁକି ଗୋଳେଇ ଘାଣ୍ଟି ହେଉଚି ।

 

ବୁଢ଼ୀ ମୁହଁଟାକୁ କୁହୁଳେଇ ପକେଇ କହିଲା, ମଲା ସେଦିନୁ ଗଲାଣି–ଟଙ୍କା ପଇସା ପଠେଇ ନାହିଁ । ପୋଡ଼ାମୁହାଁଟା କ’ଣ ଖାଲି ବସି ଖାଇବାକୁ ଯାଇଚି ।

 

ମାଉସୀ, ପୋଡ଼ାମୁହାଁ କହିବାକୁ ତମର ସତ ବଳୁଚି । ଚକରା ପରି ସେ ପରା ଅରକ୍ଷିତ–ତାଙ୍କର ଆଉ କିଏ ଅଛି ? ହୀରା ଆଖିରେ ଲୁହ ଛଳ ଛଳ ହେଲା ।

 

ମଲା ମୁଁ କ’ଣ ଟିକିଏ କହିଲିକି ଆଖିରେ ଲୁହ ଟଳମଳ କରୁଛୁ । ହଇଲୋ ମା’ ଭଲମନ୍ଦରେ ଦି’ପଦ କହିଲେ ଆମ କଥା ଯଦି ଖରାପ ଲାଗିଲା–ଆମଠି ଥାଉ । ଏତିକି କହି ବୁଢ଼ୀ ଉଠିଗଲା ।

 

ହୀରା ଲୁହପୋଛି ବୁଢ଼ୀ ହାତ ଧରି କହିଲା, ମାଉସୀ ରାଗିଲ ନାଁ କ’ଣ ?

 

ବୁଢ଼ୀ ହସି ହସି କହିଲା, ନାଲୋ ବୋହୁ ତୋ’ ଉପରେ ରାଗିବି କାହିଁକି । ସପନି ସାହୁ ଦୋକାନରୁ ତେଲ ଲୁଣ କାଳିରେ ଖାଉଥିଲି ଯେ ତା’ର ଟଙ୍କାଏ ହେଲାଣି । ପାଖରେ ଗୋଟାଏ ପଇସା ନାହିଁ । ବେଳଦେଖି ସତିଆନାଶିଆ ସପନାଟା ଯୋଉଠି ଦେଖୁଚି ଟାଉଁ ଟାଉଁ କରି ଖାଉଚି-। ସତେ ଯେମିତି ତା’ ବାପର ଶହେ ଷାଠିଏ ଧାରିଚି । ମନେ ମନେ ଥିର କରି ଆସିଥିଲି ତୋ’ କତିକି । ସନିଆ ଯଦି କଲିକତାରୁ ଟଙ୍କା ପଠେଇ ଥିବ–ଦି’ଟା ଟଙ୍କା ଉଧାର ନେବି । ଆଗେ ତା’ ପଇସାତକ ଛିଣ୍ଡାଇଦେଇ ଘରକୁ ଯିବି । ଯୋଗ ଖରାପ ଲୋ ମା’, ସନିଆ ତ ଟଙ୍କା ଦେଇ ନାହିଁ; ଯାଏ ଆଉ କା କତିରେ ଦେଖେ । ତା’ ପଇସାତକ ନଦେଲେ ସେ ଆଉ ରଖି ଥୋଇ ଦେବ ନାହିଁ । ରାଢ଼ ଲୋ ମା, ପଇସାଟାଏ କାହାକୁ ଛାଡ଼ିବ ନାହିଁ । ତା’ ନାଁ ଧରିଲେ ଦିନମାନ ଢୋକେ ପାଣି ମିଳିବ ନାହିଁ । ମଲାପରେ ଯମ ତାକୁ କୋଉଠି ଠାବ ଦେବ କେଜାଣି ?

 

କହି କହି ବୁଢ଼ୀ ବାଡ଼ି ଠୁକ୍ ଠୁକ୍ କରି ଚାଲିଗଲା ।

 

ବୁଢ଼ୀ ଚାଲି ଗଲାରୁ ହୀରା ଟିକିଏ ବସିଲା । ମନକୁ ମନ କହିଲା; ବେଳ ଗଲାଣି, ମୁଁ ଠିଆ ହେଉଚି କ’ଣ ?

 

ଚଞ୍ଚଳ ଦାଣ୍ତଟା ଖରିକି ପକେଇ ହୀରା ସଞ୍ଜ ବଳି ବସିଲା । ସୂରୂଯ ଦେବତା ମା’କୋଳକୁ ବାହୁଡ଼ି ଗଲେଣି । ସଞ୍ଜ ଅନ୍ଧାର ମାଡ଼ି ଆସୁଚି ନଈ ଉଛୁଳା ବଢ଼ି ପରି । ରୋଷେଇ ଘରୁ ଧୂଆଁ ସବୁ ଘର ମଥାନ ଉପରେ ଖୁମ୍ବ ତୋଳୁଚି ଆକାଶକୁ । ଆଉ ଟିକିଏ ପରେ ତାରା ଫୁଲପକା କଳା ଶାଢ଼ୀ ପିନ୍ଧି ରଜନୀ ରାଣୀ ହସି ଉଠିବ ।

 

ହୀରା ଚଉଁରା କତିରେ ସଞ୍ଜ ଦେଇ ମୁଣ୍ଡିଆ ମାରିଲା । ଘରକୁ ଉଠି ଆସିଲା ବେଳକୁ କିଏ ନାଁ ଧରି ପଛରୁ ଡାକିଲା । ପଛକୁ ଚାହିଁ ସଞ୍ଜ ଅନ୍ଧାରରେ ଦୋ ଦୋ ଚିହ୍ନା ହେଲା । କତିକି ଆସିଲାରୁ ହୀରା ଦେଖିଲା ଜମିଦାରଙ୍କ ପୁଅ ରବିବାକୁ ।

 

ଅବେଳାରେ ରବିବାବୁଙ୍କୁ ଦେଖି ହୀରା ଚମକି ପଡ଼ିଲା । ଆସିବାର ଉଦ୍ଦେଶ୍ୟ କ’ଣ ବୁଝିପାରିଲା ନାହିଁ । ମୁହଁ ଖୋଲି ପଚାରିଲା, କୁଆଡ଼େ ଆସିଚନ୍ତି ?

 

ରବିବାବୁ ଥା ଥା ମା ମା ହେଇ କହିଲେ, ଆସିଚି ତମରି କତିକି ନୂଆ–ବୋଉ । ତମକୁ ଥରେ ଦେଖିବାକୁ । ଯୋଉଦିନ ତମକୁ ଆମ ଘରେ ପ୍ରଥମ ଦେଖିଲି–ସେଇ ଦିନଠୁ ତମରି ରୂପ ଶୋଭାକୁ ସବୁବେଳେ ଇଚ୍ଛା ହେଉଚି ମନ ପୂରାଇ ଦେଖିବାକୁ । ଆଉ ଆମ ଘରକୁ କାହିଁକି ଯାଉ ନାହି–ମୋ ଉପରେ କ’ଣ ରାଗିଚ ନୂଆବୋଉ ?

 

ହୀରା କହିଲା, ରବିବାବୁ ! ଗରିବ ମାଇପ ସବୁରି ଶାଳୀ । ତାଙ୍କର ଗୋଟାଏ ମାନ ମହତ, ରାଗ ଅଭିମାନ କ’ଣ । ତା’ ନ ହେଲେ ତମେ କ’ଣ ଇମିତି ଏକଲା ସୁଯୋଗ ପାଇ ଏଇ ଅବେଳଟାରେ ମୋରି କତିକି ଦଉଡ଼ି ଆସିଥାନ୍ତ !

 

ରବିବାବୁ ହସି ହସି କହିଲେ, ତମେ ମୋତେ ଭୁଲ ବୁଝନାଁ । ନୂଆବୋଉ । ମୁଁ ତୁମକୁ ଟଙ୍କା ପଇସା ସବୁଥିରେ ସାହାଯ୍ୟ କରିବି । ନିଅ ଏ ଶାଢ଼ୀଟା ରଖ । କି ସୁନ୍ଦର ହେଉଚି । ତମରି ଏ ଚେହେରାକୁ ଖାସା ମାନିବ ।

 

ହୀରା ବିରକ୍ତ ହୋଇ ଶାଢ଼ୀଟା ଫୋପାଡ଼ି ଦେଇ କହିଲା, ଦରକାର ନାହିଁ ତୁମର ଟଙ୍କା ପଇସା, ଶାଢ଼ୀ । ଆମ ଚିରାଫଟା ଶାଢ଼ୀ ଆମକୁ ସୁନ୍ଦର । ଏଇ ଅର୍ଥର ଲୋଭ ଦେଖେଇ ତମେ ମୋର ସର୍ବନାସ କରିବାକୁ ଆସିଚ ରବିବାବୁ । ଯେମିତି ତମରି ପରି ବଡ଼ଲୋକ ଶହ ଶହ ନିରୀହ ଗରିବ ପରିବାରର ସର୍ବନାଶ କରନ୍ତି । ତମେ ଏଠୁ ଚଞ୍ଚଳ ଚାଲିଯାଅ । କିଏ ଦେଖିଲେ, ମୋ’ ସଂସାରରେ ନିଆଁ ଲାଗିଯିବ । ତମ ଗୋଡ଼ ଧରୁଚି–ଚଞ୍ଚଳ ବିଦାହୁଅ ।

 

ତଥାପି ରବିବାବୁ ଅଟଳ । ଘୁଞ୍ଚିଯାଇ ହୀରାର ହାତଟା ଧରି ପକାଇ କହିଲେ, ନୂଆବୋଉ କେହି ଦେଖିବେ ନାହିଁ–କେହିଁ ଜାଣିବେ ନାହିଁ । ସବୁ ଚୂପି ଚୂପି ହେବ । ତମେ ମୋତେ ଦୂର କରି ଦିଅନା–ଭରସା ଦିଅ ।

 

ହୀରା ରାଗରେ ଜଳି ଉଠିଲା । ହାତଟା ଛିଞ୍ଚାଡ଼ି ଦେଇ କହିଲା, ଗୋଲକ ମଉସା ପୁଅ ତୁମେ ରବିବାବୁ–ତମେ ପୁଣି ଏଡ଼ିକି ନିର୍ଲଜ । ମୁହଁରେ ନୂଆବୋଉ ଡାକୁଚ–ପୁଣି କୋଉ ଆଶା ନେଇ ଏଠିକୁ ଦଉଡ଼ି ଆସିଚ ? ଛିଃ ଛିଃ, ବଡ଼ ଭାଇର ସ୍ତ୍ରୀ ପ୍ରତି ତମର କ’ଣ ଏଇ ବ୍ୟବହାର ଶୋଭାପାଏ । ଆମେ ଛୋଟ ଜାତି–ତୁମଠୁ କେତେ ତଳେ । ସବୁ କଥାରେ, ସବୁ କାମରେ, ଦେଶରେ, ସମାଜରେ, ତମେ ଆମକୁ ଦୂରେଇ ରଖ–ପୁଣି ଆଜି କୋଉ ଅଭିଳାଷ ନେଇ ଛୁଟି ଆସିଚ । ଧନ୍ୟ ତମ ବଡ଼କୁଳ । ତମେ ମୋରି ସର୍ବନାଶ କରନା ରବିବାବୁ–ଚଞ୍ଚଳ ଚାଲିଯାଅ । ଭଲରେ ନ ଶୁଣିଲେ, ନ ଗଲେ ଏଇ ଯୋଉ ଛାଞ୍ଚୁଣି ପଡ଼ିଛି–ସେଇଥିରେ ବାଡ଼େଇ ବାଡ଼େଇ ବିଦା କରିଦେବି । ତେବେ ଯାଇ ଜାଣିବ ତମ ବଡ଼ଲୋକଙ୍କ ପରି ଗରିବ ଛୋଟ ଜାତିଙ୍କର ମାନ ଅଛି–ଇଜ୍ଜତ ଅଛି ।

 

ରବିବାବୁ ହୀରାର ପ୍ରଚଣ୍ଡ ମୂର୍ତ୍ତି ଦେଖି ଧିରେ ଧିରେ ଅନ୍ଧାରରେ ମିଳେଇଗଲେ । ହୀରା ଘର ଭିତରେ ଆସି ନଥକରି ବସି ପଡ଼ିଲା । ମୁଣ୍ଡଟା ତା’ର ଝାଇଁ ଝାଇଁ ହେଇଗଲା ।

 

ପଦାରେ ପୁଣି ବାଡ଼ି ଠୁକ୍ ଠୁକ୍ ଶୁଭିଲା । ହୀରା ଡିବିରି ଲଗେଇ ଉଠି ଆସି ଦେଖେ ଚକରା ମା’ ବୁଢ଼ୀ । ଚକରା ମା’କୁ ଦେଖି ହୀରା ଛାତିଟି ଭୟରେ ଥରି ଉଠିଲା । କୁଆଡ଼େ ଆସିଚ ପଚାରିବାକୁ ତୁଣ୍ତ ଖୋଲିଲା ନାହିଁ ।

 

ଚକରା ମା’ କହିଲା’ ଆଲୋ ବୋହୁ, ଏ ଜମିଦାର ପୁଅ ରବିଟାକୁ କ’ଣ ତୋ’ ଘର କତିରେ ଦେଖିଲି, ଏଠିକି ଆସିଥିଲା କି ?

 

ହୀରା କହିଲା, ନାଁ ମାଉସୀ, ରବିକୁତ ମୁଁ ମୋଟେ ଚିହ୍ନି ନାହିଁ । ଆଉ ସେ ତ ବଡ଼ଲୋକ । ସେ ବା କାହିଁକି ଗରିବ ଘରକୁ ପାଦ ପକାଇବେ ଏ ଅବେଳଟାରେ ।

 

ଚକରା ମା’ ବୁଢ଼ୀ ମୁରୁକି ମୁରୁକି ହସିଲା । କହିଲା, ବୋହୁ ତୁ ମତେ ଲୁଚାଉଚୁ । ଆଲୋ ତୁ ଡାଳେ ଡାଳେ ଗଲେ ମୁଁ ପତରେ ପତରେ । ଦୁନିଆଁର ରଙ୍ଗଢ଼ଙ୍ଗ ଦେଖି ମୁଣ୍ଡବାଳ ଆସି ଝୋଟ ହେଲାଣି–ତୁ ମୋତେ କଥାରେ ଠକିଦେବୁ । ରବି ସାଙ୍ଗରେ ଲୁଚି ଲୁଚି ଭାବ ଲଗେଇଚୁ ନାଁ–ସେଇଥିପାଇଁ ସନିଆ ପୁଅକୁ ମୋର ବିଦେଶ ତଡ଼ିଦେଲୁ ।

 

ହୀରା ମୁଣ୍ଡରେ ବଜ୍ର ପଡ଼ିଲା । ସେ କହିଲା, ମାଉସୀ, ବୋହୁ କରିନା ବୋଲି କ’ଣ ଝିଅ ଜନମ କରି ନାହିଁ । ପର ଝିଅ ବୋଲି ଇମିତି ମିଛ ସତ ଲଗେଇ କହୁଚ । କହୁ କହୁ ହୀରା ଆଖିରୁ ଧାର ଧାର ହୋଇ ଲୁହ ପଡ଼ିଲା ।

 

ଚକରା ମା’ କହିଲା, ହଉ ଲୋ, ମା; ଆମ କଥା ଯଦି ଗନ୍ଧେଇଲା ଆମଠି ଥାଉ । ଦବୁଟି ମତେ ଚାଉଳ କୁଞ୍ଚାଏ ଉଧାର–କାଲି ଧାନ କୁଟିଲେ ଦେଇଯିବି ।

 

ହୀରା ଆଖିରୁ ଲୁହ ପୋଛି ପୋଛି କୁଞ୍ଚାଏ ଚାଉଳ ଆଣି ଚକରା ମା’ ଲୁଗା କାନିରେ ଦେଲା । ଚାଉଳ ଗଣ୍ଡାକ ବାନ୍ଧି ଚକରା ମା’ ବାଟେ ବାଟେ ଚାଲିଗଲା ।

 

ଚକାରା ମା’ ଚାଳି ଗଲାରୁ ହୀରା ବସି ବସି ଘଡ଼ିଏ ଭାବିଲା । ଯୋଉଥି ପାଇଁ ଡରୁଥିଲା-। ସେଇ ବିପଦ କାହିଁକି ଜୀବନରେ କଳାମେଘ ପରି ଘୋଟି ଆସିଲା । ହଉ, ଉପରେ ଭଗବାନ ଅଛନ୍ତି । ବେଦନାରେ ଭାରିହୋଇ ଉଠିଲା ତା’ର ମୁଣ୍ଡ–ଆଖିରୁ ଝରି ପଡ଼ିଲା ଲୁହ ।

 

ହୀରାର ଆଜି ରୋଷେଇ କରିବାକୁ ମନ ବଳିଲା ନାହିଁ । ଶୋଇ ଶୋଇ ଖାଲି ତାଙ୍କ କତିକି ଚିଠି ଦେବି–ସେ ନ ଆସିଲେ ମୁଁ ଆଉ ଏ ଅଲୋଡ଼ା ଜୀବନ ରଖିବି ନାହିଁ ।

 

ପଦି ଆସି ଡାକିଲା, ନୂଆବୋଉ, ନୂଆବୋଉ !

 

ହୀରା କହିଲା, ପଦି ମୁଁ ଏଇଠି ଶୋଇଚି; ଏଇ ଘରକୁ ଆ ।

 

ପଦି ଦଉଡ଼ି ଯାଇ ପଚାରିଲା, ନୂଆବୋଉ, ସଞ୍ଜ ବେଳଟାରୁ ଶୋଇଚ କାହିଁକି–ରାନ୍ଧିବ କାହିଁକି ?

 

ନାଁ ଲୋ ପଦ; ଆଜି କାହିଁକି ଦେହଟା ଭଲ ଲାଗୁନାହିଁ । ଜର ଜର ଲାଗୁଛି ।

 

ଗୋଡ଼ ହାତ ଚିପି ଦେବି ନୂଆ ବୋଉ ?

 

ନିରାଶାରେ ଆଶାର କ୍ଷୀଣ ଆଲୋକ ଜଳିଉଠିଲା । ଏତେ ଦୁଃଖରେ ବି ହୀରା ଅନୁଭବ କଲା, ପଦିଟି ଅଛି ତାରି ବେଦନା ବୁଝିବାକୁ । ପଦିକି କୋଳକୁ ଟାଣିଆଣି ହୀରା କହିଲା, ପଦି ଲୋ, ଆର ଜନମରେ ତୁ ଥିଲୁ ମୋର ଯୋଗି ଜେନା ସନିଆ ଫୁଲ ଖବର ଶୁଣିବା ଦିନଠାରୁ ସବୁବେଳେ ତା’ର ହୀରା କଥା ମନେପଡ଼େ ।

 

ନିରୀହା ସରଳାଟିକୁ ସେ ଛାଡ଼ି ଆସିଚି କାହିଁ କେତେ ଦୂରରେ । କିଏ ଅଛି ତା’ର ଭଲମନ୍ଦ ବୁଝିବାକୁ । ଯେତେ ହେଲେ ପର କ’ଣ ଆପଣାର ହେବେ । ଶହ ଶହ ଓଡ଼ିଆ ଭାଇ ନିଇତି ଏଇଠି ଘର ଦୁଆର କରି ଚିର ପରବାସୀ ଜୀବନ କରି ନେଇଚନ୍ତି । କା’ର କା’ର ଜୀବନଦୀପ ଲିଭିଯାଇଚି କାଳ କାଳକୁ । କିଏ କିଏ ରାଣ୍ଡରଖି ସର୍ବସ୍ଵାନ୍ତ ହେଉଚନ୍ତି । ଗାଁରେ ତରୁଣୀ ପତ୍ନୀ ପିଲା କୁଟୁମ୍ବ ୟାଙ୍କରି ଅଭାବରେ ଝୁରି ଝୁରି ଢଳି ପଡ଼ୁଚନ୍ତି–ତାର ହିସାବ କିଏ ରଖୁଚି-। ବିଦେଶକୁ ଆସିଲାବେଳେ ଯୋଉ ଆଶା ନେଇ ମଣିଷ ଆସେ–ସେ ଆଶା, ସେ ଆକାଂକ୍ଷା, ଏଇ ବିଦେଶ ମାଟିରେ ଗୋଡ଼ ଦେଲାକ୍ଷଣି ମଣିଷ ଭୁଲିଯାଏ କାହିଁକି ?

 

ଧୋବ ଧୋବଳିଆ ସହର ଆଭିଜାତର ଜୟ ପତାକା ଉଡ଼ାଇ ଚାଲିଚି । ଚାରିଆଡ଼େ ଆନନ୍ଦ, ଆଲୋକ, ମଉଜ, ମଜଲିସ । ୟାରି ଭିତରେ ଭାଷିଯାଏ ମଣିଷ । ଭୁଲିଯାଏ ତା’ର ଦିନମାନର ହାଡ଼ଭଙ୍ଗା ଖଟଣି । ଆବେଗରେ ଅନ୍ତର ଭିତରୁ କିଏ ଯେପରି କହି ଉଠେ କି ସୁନ୍ଦର ଏ ବିଦେଶ ମାଟି !

 

କିନ୍ତୁ ଗାଁରେ ପଡ଼ିଚି ଭାବନା । କାର ବୁଢ଼ାବାପା ଭାବୁଚି ପୁଅ ତ ଟଙ୍କା ପଠେଇଲା ନାହିଁ–ବିଲବଛା ହେବ କିମିତି ? କାର ତରୁଣୀ ପତ୍ନୀ ଭାବୁଚି, ସେ ତ ସେଆଡ଼େ କହିଲେ ମୁଁ କାହିଁକି ଛାର ଜୀବନଟା ଧରି ରଖିବି ?

 

କାର ବୁଢ଼ୀମା’ ଦିନ ଗଣୁଚି ପୁଅ ତା’ର ବିଦେଶରେ ମରି ନାହିଁ–ବଞ୍ଚିଚି । ସେ ନିଶ୍ଚେ ଲେଉଟି ଆସିବ ।

 

ଇମିତି ଭାବିବା ପାଇଁ ସେ କ’ଣ ପୁଅ ଭାଇଙ୍କି ବିଦେଶ ପଠେଇଥିଲେ । କାହିଁ କିଏ ମନରେ ରଖୁଚି ? ଏଇ କଥା ମନରେ ରଖୁଥିଲେ ଫୁଲର କ’ଣ ସର୍ବନାଶ ହୋଇଥାନ୍ତା ? ଇମିତି ଭାବି ଭାବି ଶେଷରେ ସନିଆ ମନଟା ଆସି ହୀରା କତିରେ ପହଞ୍ଚେ । ତାକୁ ଏକଲା ପାଇ ପୁଣି କିଏ ସର୍ବନାଶ କରିବାକୁ ଧାଇଁ ଆସିବେ ନାହିଁ ତ ! ଇମିତି ସନିଆର ମନ ଭାବନାରେ ଅଥୟ ହୁଏ-

 

ସେଦିନ ଅଫିସକୁ ଆସି ସନିଆ ଖଣ୍ଡେ ଚିଠି ପାଇଲା । ହୀରା ଚିଠି ଦେଇଚି ଭାବି ମନରେ ତା’ର ଅଜଣା ଛନ୍ଦ ବାଜି ଉଠିଲା । ହୃଦୟ କ୍ଷଣକପାଇଁ, ପୁଲକରେ ସ୍ପନ୍ଦିତ ହୋଇଗଲା । ପଢ଼ିଲା–

 

“ଗଙ୍ଗା କାଳୀଙ୍କ ଶ୍ରୀଚରଣେ ଶରଣ,

 

ତମେ ସେଠି ନିଶ୍ଚିତରେ ରହିଲ–ମୁଁ ହିନିମାନୀ ଏଠି ଭାବି ଭାବି ମରିବି କାହିଁକି ? ମୁଣ୍ଡଟାତ ସେଠି ପଡ଼ି ରହିଲା–ଗଣ୍ଡିଟା କାହିଁକି ଏଠି ଛଟପଟ ହେବ । କା’ ଯୁଆଡ଼େ ସା’ ସିଆଡ଼େ । ତମେ କ’ଣ ୟା ଜାଣନା । ଏଠି ଥିଲାବେଳେ ଏତେ ଆଦର କରୁଥିଲ–ବିଦେଶ ଯାଇ ଏକବାରେ ମନରୁ ପୋଛିଦେଲ । ମୁଁ ଅଭାଗିନୀ ତମର କି ଦୋଷ କରିଥିଲି ଭଲା ?

 

ବିବାହ ବେଦୀରେ ଅଗ୍ନି ସାକ୍ଷୀରଖି ବାପା ମୋତେ ତମ ହାତକୁ ଟେକି ଦେଇଥିଲେ; କ’ଣ ଇମିତି ଏକଲା ହିନିମାନ କରି ଦୁଃଖ କଷ୍ଟରେ ଛାଡ଼ିଯିବାକୁ । ଏଇଠି କ’ଣ ପେଟ ଚାଖଣ୍ଡକ ପୂରି ନଥାନ୍ତା । ତମେ ମୋର ସାନକୁହା ନ ମାନି ବିଦେଶ ଗଲ । ତମେ ଗଲାଦିନୁ ଗାଁରେ ମୋର ଶିରୀ କେହି ଦେଖି ପାରୁନାହାନ୍ତି, କାନ୍ଦି କାନ୍ଦି ଦିନ ଯାଉଚି ।

 

ମୋ ରାଣ–ତମେ ଗାଁକୁ ଫେରିଆସ । ଏଇଠି ହିଡ଼ମାଟି ହିଡ଼ରେ ଲଦି ତମେ ଯୋଉ ଦି’ପଇସା କମେଇବ–ସେଇଥିରେ ମୁଁ ଶାଗ ଭାତରେ ଦିନ କାଟିନେବି । ଖିରିପୂରି ଆମର ଲୋଡ଼ା ନାହିଁ । ତମେ କତିରେ ଥିଲେ ମୋତେ ଦୁଃଖ କଷ୍ଟ ମୋଟେ ବାଧିବ ନାହିଁ । ବାରବାର କରି କହୁଚି ଚିଠି ପାଇ ବସିଲା ଥାନରୁ ଉଠି ଆସିବ । ନ ଆସିଲେ ହୀରାକୁ ଆଉ ପାଇବ ନାହିଁ ।।ଇତି।

 

ଚିଠି ପଢ଼ି ସନିଆ ଭୟରେ ଚମକି ପଡ଼ିଲା । କ’ଣ ହେଇଚି–ହୀରା କାହିଁକି ଇମିତି ଚିଠି ଲେଖିଚି । କିଛି ନାଁ କିଛି ହେଇଚି । ଭାବିଲା ଆଉ ତିଳେମାତ୍ର ରହିବି ନାହିଁ । ଯିବି–ଜାଣୁ ଜାଣୁ କ’ଣ ହୀରାକୁ ହରାଇ ବସିବି ?

 

ତା’ ଆରଦିନ ସନିଆ ଦରମା ଗଣ୍ଡାକ ପାଇ ସଞ୍ଜକୁ ବସକୁ ଆସି ଗଣ୍ଠିରିପତର ସଜାଡ଼ିଲା । ଅରକ୍ଷିତା ଆସି ପଚାରିଲା, କିରେ, ଗଣ୍ଠିରି ବାନ୍ଧୁଚୁ କାହିଁକି–କୁଆଡ଼େ ଯିବୁକି ?

 

ସନିଆ ହସି ହସି କହିଲା, ଘରକୁ ।

 

ଅରକ୍ଷିତା କହିଲା; ଚାକିରୀ କରିବା ଦି’ଟା ମାସ ହେଇନି–ଘରକୁ ବାହାରିଲୁଣି । କିରେ ଇମତିକା ଚାକିରି ଆଉ ଯୁଟିବନି । ମୁଣ୍ଡ ତୋର ଖରାପ ହେଇଚି କିରେ ସନିଆ ।

 

ସନିଆ ହସି ହସି କହିଲା, ଅରକ୍ଷିତା ଭାଇ, ଚାକିରୀ ବଡ଼ ନୁହେଁ–ବଡ଼ ଜୀବନ । ଜୀବନ ଥିଲେ କେତେ ଚାକିରୀ ଆସିବ–ଯିବ ।

 

କ’ଣ ହେଇଚି–ପୁଣି କେବେ ଆସିବୁ ।

 

କ’ଣ ହେଇଚି ସେ କଥା ପରେ ଚିଠି ଦେବି ଅରକ୍ଷିତା ଭାଇ । ତେବେ ଆଉ ଆସିବିକି ନାଁ ସନ୍ଦେହ । ଘର ଏକଲା ହେଲାଠୁ କଥା ସରିଲା ! ଯାଉଚି ଅରକ୍ଷିତା ଭାଇ, ଯୋଗିଭାଇକି ଆଉ ଦେଖା କରିପାରିବି ନାହିଁ । ତାକୁ ମୋ କଥା କହି ଦଣ୍ଡବତଟା ଦେବୁ ।

 

ସନିଆ ଅରକ୍ଷିତା ପାଦତଳେ ମୁଣ୍ଡ ନୋଇଁଲା ।

 

ଅରକ୍ଷିତା ଆଖିରେ କେଜାଣି କାହିଁକି ଲୁହ ପୂରି ଉଠିଲା । ଅଢ଼େଇ ଦିନର ବନ୍ଧନ । ତଥାପି ମାୟା କାଟି ଚାଲିଗଲା ବେଳେ ମଣିଷ ବଡ଼ ଦୁର୍ବଳ ହୋଇପଡ଼େ । ଆଖିର ଲୁହରେ ମନର କୋହ କ୍ଷଣିକ ପାଇଁ ହାଲୁକା ମାରି ଜୀବନ ଦରିଆରେ ମିଳାଇ ଯାଏ ।

 

ଚକରା ମା’ ଅଚ୍ଛବ ସାହିରେ ରାଷ୍ଟ୍ର କରିଦେଇଚି ହୀରା ଜମିଦାର ପୁଅ ରବି ସାଙ୍ଗରେ ଅଛି । କଥାଟା ଆସ୍ତେ ଆସ୍ତେ ଅଚ୍ଛବ ବସ୍ତି ଡେଇଁ ଗାଁ ଭିତରକୁ ଟପିଗଲାଣି । କିନ୍ତୁ ସମସ୍ତେ ପଛରେ ଫୁସ୍‍ଫାସ୍‍ ହେଉଚନ୍ତି । କିଏ ଭରସି କରି ଜମିଦାରଙ୍କ ପୁଅ ରବିବାରୁଙ୍କ ନାଁରେ କହିପାରୁ ନାହାନ୍ତି । କିଏ କିଏ କଥାଟାକୁ ନାପସନ୍ଦ କରି ଉଡ଼ାଇ ହେଉଚନ୍ତି । ଖାନଦାନ, ବୁନିଆଦି ଘର ପୁଅ ସେ ଯିବ ଏଇ କଣ୍ଡରୁଣୀଟା ସାଙ୍ଗରେ ପ୍ରେମ କରିବାକୁ ! କିଏ କିଏ କଥାଟାକୁ ସତ ନ ମଣିଲେ ବି ବହୁଚନ୍ତି ହଁ, ହେଲେ ଦେଇଥିବ, କଳିକାଳ–ଯୁଗ ଓଲଟା ।

 

ହୀରା ସାହିରେ କିଏ କିମିତି ଦେଖେଇ ଦେଖେଇ କହନ୍ତି । ହୀରା ସବୁ ଶୁଣେ, କାହାରିକୁ କିଛି କୁହେନା । ଭାଗ୍ୟ ଯେତେବେଳେ ଖରାପ ପଡ଼େ, ସେତେବେଳେ ମଣିଷ ଭଲ କାମରେ ବି ଝୁଣ୍ଟି ପଡ଼େ । ଦେଖଣାହୀରାଏ ହସନ୍ତି ସେମିତି ହସୁଥାଆନ୍ତୁ ସମସ୍ତେ । ଯାଏ କେତେ–ଆସେ କେତେ ? ଉପରେ ଭଗବାନ ଅଛନ୍ତି ସେ ତ ମଣିଷର ବଡ଼ ସାକ୍ଷୀ ।

 

ସେ ଦିନ ଗାଧୁଆବେଳ । ଖାଇ ବସିଲା ବେଳକୁ ଦ୍ଵାରା ପାଟିକି କାହିଁକି ଗୁଣ୍ଡା ଗଲାନାହିଁ । ସ୍ଵାମୀ ଭାବନାରେ ଆଖିରୁ ଦି’ ଧାର ଲୁହ ତୋରାଣିରେ ମିଶିଗଲା । ଦ୍ୱାରା ଭାତ କଂସାଟା ଘୋରଇ ପକେଇ ହାତ ଧୋଇ ଉଠିଆସିଲା ବେଳକୁ ଦେଖିଲା । ଆଗରେ ସନିଆ, ତା’ର ପ୍ରାଣର ଦେବତା ହୃଦୟର ଧନ ।

 

ହୀରା ଆଖିରେ ଜଳି ଉଠିଲା ଆଶାର ଆଲୁଅ, ମୁଖ ମଣ୍ଡଳରେ ପୁଟି ଉଠିଲା । ଆନନ୍ଦର ତୃପ୍ତି । ହସି ହସି ସ୍ୱାମୀ ଗୋଡ଼ତଳେ ମୁଣ୍ଡ ନୋଇଁଲା । ସନିଆ ଆବେଗରେ ହୀରାର ହାତଧରି କୋଳକୁ ଟାଣିନେଲା । ପଚାରିଲା, ହୀରା ତୋ’ ରୂପ ଶୁଖି କଳାକାଠ ହେଇଚି କାହିଁକି ? ହୀରା କିଛି ଉତ୍ତର ଦେଇପାରିଲା ନାହିଁ । ତା’ ଆଖିରୁ ଆନନ୍ଦାଶ୍ରୁ ଦି’ଧାର ହେଇ ଗଡ଼ିପଡ଼ିଲା । ସନିଆ ଦ୍ୱାରା ଆଖିରୁ ଲୁହ ପୋଛି ଦେଉ ଦେଉ ଛାତି ଭିତରେ ଭିଡ଼ି ଧରିଲା । ହୀରାର ଲୁହଧୁଆ ମୁହଁଟା ଲାଜରେ ନଇଁ ପଡ଼ିଲା ତଳକୁ ।

 

ରାତିରେ ସନିଆର ଗୋଡ଼ ମୋଡ଼ି ଦେଉ ଦେଉ ହୀରା ନିଜର ଦୁଃଖ ଭରା କାହାଣୀ ସବୁ କହି ସିବିଲା । କିମିତି ବିଦେଶ ଗଲାଦିନୁ ସେ ପଇସା କଉଡ଼ି ଅଭାବରେ କଷ୍ଟରେ ଚଳିଚି–କିମିତି ଚକରା ମା’ ବୁଢ଼ୀ ମିଛ ସତ କହି ଗାଁସାରା ତା’ ନାଁରେ ଅପବାଦ ବୋଲିଚି । ସନିଆ ସବୁ ଶୁଣି ଉପର ମନରେ କିଛି କହିଲା ନାହିଁ; କିନ୍ତୁ ମନ ଭିତରେ ହୀରା ଉପରେ ସନ୍ଦେହର କଳାକାଛାଇ ଖେଳି ବୁଲିଲା ।

 

ସବୁ କଥା କହିସାରି ହୀରା ସନିଆ କୋଳରେ ଢଳି ପଡ଼ିଲା । ବହୁଦିନ ବିଚ୍ଛେଦ ପରେ ଦୁଇଟି ଜୀବନ ଏକାଠି ଛନ୍ଦି ହୋଇଗଲା–ଜୀବନ ବୀଣାର ନୂଆ ସୁରେ ସୁରେ ତାଳ ମିଳାଇ ।

 

ଉପରେ ମନରେ ସିନା ସନିଆ ହୀରାକୁ କିଛି କହିଲା ନାହିଁ, କିନ୍ତୁ ଦିନ ଗଡ଼ିବା ସଙ୍ଗେ ସଙ୍ଗେ ଗାଁରେ ସମସ୍ତଙ୍କ ମୁହଁରୁ ସ୍ତ୍ରୀର ଅପବାଦ ଶୁଣି ସନିଆ ମୁଣ୍ଡଟା ଗୋଳମାଳ ହୋଇଗଲା । ସେ ଗାଁ ଲୋକଙ୍କ ମିଥ୍ୟା ଅପବାଦରେ ନିଜକୁ ଓ ନିଜର ବିବେକକୁ ହରାଇ ବସିଲା । ହୀରା ପ୍ରତି ତା’ର ଭୁଲ ଧାରଣା କ୍ରମେ କ୍ରମେ ଦୃଢ଼ହେଇ ଉଠିଲା ।

 

ଏଣିକି ସନିଆ ହୀରାକୁ ଭଲକରି ପଦେ ଅଧେ କଥା କହିଲା ନାହିଁ, ଆରାପରି ଆଦର ସୋହାଗ କଲା ନାହିଁ । କଥା କଥାକେ ହୀରା ଉପରେ ଚିଡ଼ିଲା । ହୀରା ସ୍ୱାମୀର ମତିଗତି ଦେଖି ଖାଲି କହିଲା । ଯେତେ ଚେଷ୍ଟାକଲା ସ୍ୱାମୀର ମନ ବଦଳାଇବାକୁ ପାରିଲା ନାହିଁ ।

 

ସେଦିନ ହୀରା ମୁହିଁଖୋଲି ସଫା ସଫା ପଚାରିଲା, ଆଚ୍ଛା ତମେ ମୋତେ ଇମିତି କରିଛଡ଼ା ଦେଉଚ କାହିକି ? ମୋ ଉପରେ କ’ଣ ଅଣ ବିଶ୍ୱାସ କରୁଚ ମୁଁ କ’ଣ ତମର ସ୍ତ୍ରୀ ନୁହେଁ–ମୁଁ କ’ଣ ତମର ମନକଥା ବୁଝିବାକୁ ହକ୍‍ଦାର ନୁହେଁ ?

 

ସନିଆ ବିନ୍ଦୁ ମିଶା ହସି ହସି କହିଲା, ତୁ ମୋର କେହି ନୁହେଁ । ମୋ ସ୍ତ୍ରୀ ମରିଯାଇଛି । ତୁ ଅସତୀ–କୁଳଟା । ମୋତେ ଯେତିକି ଠକିବାକୁ ଚେଷ୍ଟା କରିଚୁ–ସେତିକି । ଆଉ ବିଶ୍ୱାସରେ ବିଷ ଦେବାକୁ ଚେଷ୍ଟା କରନାଁ । ମୋ ଘରୁ ବାହାରିଯା ।

 

ହୀରା କଇଁ କଇଁ ହେଇ କାନ୍ଦିଉଠି ସନିଆର ଗୋଡ଼ଧରି କହିଲା, ମୋତେ ବିଶ୍ୱାସ କର ସ୍ୱାମୀ ! ମୁଁ ତମରି ପାଇଁ ନିଜକୁ ଅନ୍ୟ ନିକଟରେ ବଳି ଦେଇନାହିଁ । ଗାଁଲୋକଙ୍କ କଥାରେ ପଡ଼ି ମୋତେ ପର କରିଦିଅନା ।

 

ସନିଆ ବିରକ୍ତ ହୋଇ ଗୋଡ଼ରେ ହୀରାକୁ ଦୂରକୁ ଠେଲିଦେଇ ବାହାରକୁ ପଳାଇଲା । କହିଲା, ତୁ ଅଲକ୍ଷଣୀ–ଏ ଘରୁ ବିଦାୟ ନେଲେ ମୋର ମଙ୍ଗଳ ।

ହୀରା ତଳେ ଲୋଟିପଡ଼ିଲା, ମୁଣ୍ଡଟା ତଳେ ବାଜି ରକ୍ତ ବୋହିଲା । କଇଁ କଇଁ ହେଇ ପିଲାଙ୍କ ପରି ବହେ କାନ୍ଦିଲା ।

ଘଡ଼ିଏ ପରେ ଆଖିରୁ ଲୁହପୋଛି ଭାବିଲା, ମୁଁ ଅଲକ୍ଷଣୀ; ମୁଁ ରହିଲେ ତାଙ୍କର ମଙ୍ଗଳ ନାହିଁ । ଆଉ କାହିଁକି ଏ ଘରେ ରହିବି । ଯାଉଚି ଯିବି ବାପ ଘରକୁ । ଝିଅ ଜନମ କରିଛନ୍ତି, ସେ କ’ଣ ଟିକେ ମୁଣ୍ଡ ଗୁଞ୍ଜିବାକୁ ଥାନ ଦେବେ ନାହିଁ । ନ ଦେଲେ ନଈ ପୋଖରୀକୁ ଡେଇଁ ପଡ଼ିବି, ଆଉ ଏ ଅଲୋଡ଼ା ଜୀବନ ରଖିବି ନାହିଁ ।

ହୀରା ଆଗକୁ ପାଦ କାଢ଼ିଲା । ଖଣ୍ଡେବାଟ ଆସି ପୁଣି ଘରକୁ ଚାହିଁଲା, ଫେରିଯିବାକୁ ମନ ହେଲା । ଯେତେହେଲେ ସ୍ୱାମୀଘର, ମାୟାମମତା ତୁଟାଇ ଯିବାକୁ କ’ଣ ସ୍ତ୍ରୀର ମନ ବଳେ ? ଅବୁଝା ମନ ବୁଝିଲା ନାହିଁ–ପୁଣି ଲେଉଟିଲା ବାପଘର ଆଡ଼େ ।

ହୀରା ଚାଲିଲା–ଟିକିଏ ଆଗରେ ତା’ର ଗାଁର ଧୂଳି ଧୂସରିଆ ସଡ଼କ ।

ସନିଆ ଘରକୁ ଫେରି ଦେଖିଲା ହୀରା ନାହିଁ । ମନକୁ ମନ କହିଲା, ଯାଉ ଯୁଆଡ଼େ ଇଚ୍ଛା ସିଆଡ଼େ–ତା’ ପରି ସ୍ତ୍ରୀର ଦରକାର ନାହିଁ । ଯାଇ ଯାଇ ଯିବ ବା କୁଆଡ଼େ ? ସେଇ ବାପଘରେ ରହିବ–ରହୁ । ତା’ ମୁହଁ ଆଉ ଚାହିଁବି ନାହିଁ ।

ଗାଁରେ ରାଷ୍ଟ୍ର ହେଲା, ସନିଆ ସ୍ତ୍ରୀକୁ ଘରୁ ବାହାର କରିଦେଇଚି । କ’ଣ ଗୋଟାଏ ଖିଆଲରେ ସନିଆ ସିନା ହୀରାକୁ ସେଦିନ ଘରୁ ତଡ଼ିଦେଲା:–କିନ୍ତୁ ଦି ଦିନ ପରେ ସେଇ ମନ ପୁଣି ତା’ର ବାଟକୁ ଫେରିଲା ।

 

ଘରକୁ ଫେରିଲା ବେଳକୁ ସନିଆକୁ ତା’ର ଅଭାବ ଜଣାଗଲା । ଘରଟା ଶୁନ୍‍ଶାନ୍‍ ପଡ଼ିଚି–ଚାରିଆଡ଼େ ଜିନିଷପତ୍ର ହତଶୀରୀ ହୋଇପଡ଼ିଛି । ସଞ୍ଜ ହେଲେ ଆଉ କିଏ ସଞ୍ଜବତୀ ଜାଳୁ ନାହିଁ । ଆଉ ତ କାହାର ପାଦର ପାହୁଡ଼ି ଶବ୍ଦ ଶୁଭୁ ନାହିଁ । ଖାଇ ବସିଲା ବେଳେ ଆଉ ତ କିଏ ଏଇଟା ଖା’ ସେଇଟା ଖା’ ବୋଲି ଅଳି କରୁ ନାହିଁ । ରାତିରେ ଶୋଇଲା ବେଳେ ପାଦର ପରାଶ ମନର ଭାଷା ବୁଝୁନାହିଁ । ସନିଆ ଆଖିରୁ ଲୁହ ଝରିଲା ।

 

ପୁଣି ଭାବିଲା ଗାଁ ଲୋକଙ୍କ କଥାରେ କ’ଣ ସତ ଅଛି ? ସତ ହେଲା ବି ତାକୁ କତିରେ ରଖି ଦଣ୍ଡ ଦେଇଥିଲେ କ’ଣ ହେଇନଥାନ୍ତା । ଯେତେ ଗାଳିଦେଲେ ଜମା ସେ ଛଳ କରେନାଁ, ହସି ମନର ରାଗକୁ ପାଣି କରିଦିଏ । ଦିନ ରାତି ତା’ର ଖାଲି ମୋ’ରି ଚିନ୍ତା–ମୁଁ କିମିତି ଗଣ୍ଡାଏ ଭଲରେ ଖାଇବି ପିଇବି । ନିଜେ ଉପାସ ରହି ମୋ ସେବା କରିବାକୁ ଯା’ର ଦିନ ଅଣ୍ଟେନାଁ–ସେ ପୁଣି ଅନ୍ୟ ନିକଟରେ ନିଜକୁ ବଳିଦେଲା କିପରି ? ନାଁ ନାଁ, ହୀରା କୁଳଟା ନୁହେଁ । ଭୁଲ କରିଚି ମୁଁ–ମୁଁ ତାକୁ ବିନା ଦୋଷରେ ତଡ଼ି ଦେଇଚି ।

 

ହୀରାକୁ ଝୁରି ଝୁରି ସନିଆ ପେଟପୂରା ଖାଇଲା ନାହିଁ କି ଯିଇଲା ନାହିଁ । ଖାଲି ଭାବି ଭାବି ପାଗଳ ପରି ହେଲା । ଦିନରାତି ନୀରବରେ ବସି ଘରକ’ଣରେ ଲୁହ ଢାଳିଲା ।

 

ସେଦିନ ସକାଳୁ କିଏ ଆସି ଦାଣ୍ଡ କବାଟ ଜଞ୍ଜିର ଖଡ଼ ଖଡ଼ କଲା । ସନିଆ କବାଟ ଖୋଲି ଦେଖେ ବଳିଆ–ରବିବାବୁଙ୍କ ଚାକର । ପଚାରିଲା, କିରେ ତୁ କୁଆଡ଼େ ?

 

ବଳିଆ କାଗଜ ଖଣ୍ଡେ ସନିଆ ହାତକୁ ବଢ଼ାଇ ଦେଇ କହିଲା, ଏ ଚିଠି ଖଣ୍ଡିତ ରବିବାବୁ ଦେଇଚନ୍ତି । ଚିଠି ଖଣ୍ଡିକ ଦେଇ ବଳିଆ ଚାଲିଗଲା ।

 

ରବିବାବୁଙ୍କ ଚିଠି–ପୁଣି ତା’ କତିକି ! ସନିଆକୁ ଟିକିଏ ଆଶ୍ଚର୍ଯ୍ୟ ଲାଗିଲା ଚିଠି ଖୋଲି ପଢ଼ିଲା ।

 

“ସନିଆ ଭାଇ,

 

ତମେ ଜାଣିବା ବୁଝିବା ଲୋକ ହେଇ ଶେଷକୁ ଏଇଆ କଲ ? ପାଠ ପଢ଼ିଚ–ଅଚ୍ଛବ ସାହି ଭିତରେ ସମସ୍ତେ କହନ୍ତି ତମେ ବୁଦ୍ଧିଆ । କିନ୍ତୁ ଗାଁ ଲୋକଙ୍କ କଥାରେ ପଡ଼ି ତମେ ନିଜ ସ୍ତ୍ରୀକୁ ସନ୍ଦେହ କରି ଘରୁ ତଡ଼ିଦେଲ ।

 

କିନ୍ତୁ ଜାଣିରଖ ସନିଆ ଭାଇ, ସ୍ତ୍ରୀ ତମର ଅସତୀ ନୁହେଁ । ଛୋଟ କୁଳରେ ଜନମ ହେଲେ କ’ଣ ହେଲା, ଭଗବାନ ତାକୁ ଛୋଟ ଆଖି ଦେଇନାହାନ୍ତି । ମୁଁ କ୍ଷଣିକର ଉତ୍ତେଜନାରେ ତାକୁ ଭୁଲ୍‍ପଥକୁ ଟାଣି ଆଣିବି ବୋଲି ବସିଥିଲି । କିନ୍ତୁ ସେ ଆସି ନାହାନ୍ତି–ମୋର ଆଦର୍ଶ ହେଇ ଦୂରେଇ ଯାଇଛନ୍ତି ।

 

କ୍ଷଣିକର ଭୁଲ ପାଇଁ ମୁଁ ଅନୁତାପ କରୁଚି । କିନ୍ତୁ ତମେ ଜାଣି ଜାଣି ଭୁଲ କରନା ସନିଆ ଭାଇ–ନୂଆବୋଉକୁ ଫେରାଇ ଆଣ । ନିଜର ମନର ଭୁତ ନିଜକୁ ଡରଉଚି । ହୃଦୟ ଟାଣ କଲେ ସବୁ ଅନ୍ଧାର ଦୂରେଇଯିବ ଭୁତ ଆସିବ କୁଆଡ଼ୁ । ଦେଖିବ ଜୀବନକୁ ସୁନ୍ଦର କରି ପୁଣି ଉଇଁବ ସୁଖର ରୂପାଥାଳିଆ ଚାନ୍ଦ । ବେଳ ଥାଉଁ ଥାଉଁ ଚେଷ୍ଟା କରିବ ସନିଆ ଭାଇ । । ଇତି ।

 

–ରବି ।”

 

ରବିର ଚିଠି ପାଇ ସନିଆ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିପଡ଼ିଲା । ବିନା ଦୋଷରେ ସେ ହୀରାକୁ ଘରୁ ତଡ଼ି ଦେଇଛି, ନିଜର କ୍ଷଣିକର ଭୁଲରେ ସେ ମାନ ଇଜ୍ଜତଟିକୁ ତଳେ ପକାଇଚି ।

 

ନାଁ ନାଁ, ମୁଁ ହୀରାକୁ ଫେରାଇ ଆଣିବି । ଜାଣୁ ଜାଣୁ ତା’ ଜୀବନ ଫୁଲଟାକୁ ଅବହେଳା କରି ଦୂରକୁ ଫିଙ୍ଗିଦେବି ନାହିଁ । ସନିଆ ଭାବି ଭାବି ପାଗଳ ପରି ଦଉଡ଼ିଲା–ହୀରାକୁ ଫେରାଇ ଆଣିବାକୁ ।

 

ନୀଳକଣ୍ଠପୁର ଚନ୍ଦନପୁରକୁ ତିନି କୋଶ ବାଟ, ସିଧାସଳଖ ସଡ଼କ ରାସ୍ତା । ବୈଶାଖ ମାସର ଖରା ନିଆଁବାଣ ପରି ଝରିପଡ଼ୁଚି ତଳେ । ଝାଳରେ ଜୁଡ଼ୁବୁଡ଼ୁ ହେଇ ସନିଆ ଛୁଟିବ ।

 

ଆଗରେ ଦିଶିଲା ନୀଳକଣ୍ଠପୁର–ଛୋଟିଆ ଗାଁ’ଟି । ହେଇ ଦିଶିଲା ତା’ର ନୁଆଁଣିଆ ଘର ଚାଳ–ଡେଙ୍ଗା ଗଛ କେଇଟାର ଉଚ୍ଚ ମଥାନ । ସନିଆର ମନେ ପଡ଼ିଲା ଅତୀତ ଜୀବନର ରଙ୍ଗିନ ପୃଷ୍ଠାର ଦରଭୁଲା ଗୋଟିଏ ଛବି ।

 

ଦିନେ ସେ ବରବେଶରେ ଆସିଥିଲା ଏଇଠିକି । ଏଇ ଗାଁର ପାଣି ପବନରେ ଥିଲା ସେଦିନ ଭଲ ପାଇବାର ଢେଉ । ଏଇ ଗାଁର ମାଟିଗୋଡ଼ି ଦେହରେ ଥିଲା ସେଦିନ ଅଦିନ ମଳୟର ପରଶ । ମନରେ ଥିଲା ତା’ର ନୁଆ ନିଶା–ସେଦିନ ସେ ବରି ନେଇଥିଲା ହୀରାକୁ ତା’ ଜୀବନର ସାଥୀ କରି । ଏଇ ଗାଁ ଦୁହିଁଙ୍କ ପ୍ରାଣର ବିନିମୟରେ ସେ ଦିନ ତୋଳିଥିଲା ନବ ବସନ୍ତର ପୁଷ୍ପାଞ୍ଜଳି-

 

କିନ୍ତୁ ଆଜି ! ଦିନେ ସେ ହୀରାର ଦେହକୁ ଜୟ କରିଥିଲା–ଆଜି ଆସିଚି ହୀରାର ମନକୁ ଜୟ କରି ନିଜର ସେ ଭଙ୍ଗାତୁଟା ସଂସାରକୁ ସଜାଡ଼ି ନେବାକୁ; ନିଜର ଭୁଲ ପାଇଁ ହାର ମାନିବାକୁ । ସନିଆର ଭାବନା ଛୁଟିଲା ଆଗକୁ–ଆଖିରେ ଜମି ଆସିଲା ଦି’ଟୋପା ଲୁହ ।

 

ଯୋଗି ମଳିକ–ସନିଆର ଶଶୁର । ନୀଳକଣ୍ଠପୁର ଅଚ୍ଛବ ସାହି ଭିତରେ ଯୋଗି ମଳିକ ଜଣେ ଜାଣିବାଶୁଣିବା ଲୋକ । ଭଲରେ ମନ୍ଦରେ ସବୁବେଳେ ଯୋଗି ମଳିକକୁ ଖୋଜା । ସେଇଥିପାଇଁ ଯୋଗି ମଳିକ ନିଜକୁ ଗର୍ବ ଅନୁଭବ କରେ, ଆମ ବଡ଼ିମା ଦେଖାଏ । ଏକବାଗିଆ ଲୋକଟା–ଯା ବୁଝିଥିବ ସେଇଆ ।

 

ଝୁଅକୁ ତା’ର ସନିଆ ବାହାର କରିଦେଲା ଦିନୁ ତା’ ଇଜ୍ଜତରେ ଆଞ୍ଚ ଆସିଚି । ମନର ରାଗ ମନରେ ମାରି ଝୁଅକୁ ଘରେ ରଖିଚି । ଗାଁରେ ହୀରା ନାଁରେ କିଏ କେତେ ରକମ କହୁଛନ୍ତି । ଯୋଗି ମଳିକ କାନକୁ ସବୁ ଆସିଲେ ବି ନ ଶୁଣିଲା ପରି ରହିଚି । ଜ୍ୱାଇଁ ଉପରେ ମନେ ମନେ ରାଗି ଖପା ହେଇଚି ।

 

ସନିଆ ଘର ଦୁଆର ମୁହଁରେ ନିଜ ଶଶୁରକୁ ଭେଟି ପ୍ରଣାମ କଲା । ଯୋଗି ମଳିକ ପଚାରିଲା, କିରେ କୁଆଡ଼େ ? ସନିଆ ସବୁ କଥା ଠିକେ ଠିକେ ଜଣାଇ ହୀରାକୁ ସାଙ୍ଗରେ ନେଇଯିବାକୁ କହିଲା । ଯୋଗି ମଳିକ ସନିଆର କଥା ଶୁଣି ହସି ଉଠିଲା । କହିଲା, କୋଉ ସାହସରେ ତୁ ମୋ ଝୁଅକୁ ଘରୁ ତଡ଼ିଦେଇଚୁ । ଯୋଗି ମଳିକ କ’ଣ ତା’ ଝୁଅକୁ ଗଣ୍ଡାଏ ଖାଇବାକୁ ଦେଇପାରିବ ନାହିଁ । ଘରୁ ବାହାର କରି ଦେଇ ମୋ ମୁହଁରେ କାଳି ବୋଳିଚୁ ଆଉ ପୁଣି କାହିଁକି ଏଠିକି ଦଉଡ଼ି ଆସିଚୁ । ମୁଁ ଝୁଅକୁ ଆଉ ପଠେଇପାରିବି ନାହିଁ–ଯୋଉ ବାଟେ ବାଟେ ଆସିଚୁ, ସେଇ ବାଟେ ବାଟେ ଫେରିଯା’ ।

 

ସନିଆ ହାତ ଯୋଡ଼ି କହିଲା, ବାପା, ମୋର ଭୁଲ ହେଇଚି–ମୋତେ କ୍ଷମା କର । ମୁଁ ତୁମର ପୁଅ, ପୁଅର ଭୁଲରେ ବାପ କ’ଣ କ୍ଷମା ଦିଏନାଁ । ପୁଅ ଭୁଲକୁ ସଜାଡ଼ିବା ପାଇଁ ବାପ କ’ଣ ବାଟ ଦେଖାଇ ଦିଏନା ।

 

ତଥାପି ଯୋଗି ମଳିକ ଶୁଣିଲା ନାହିଁ । ସଫା ସଫା କହିଦେଲା, ହୀରା ଆଉ ବଞ୍ଚିଥିବାଯାକେ ତୋ’ ଘର ମାଡ଼ିବ ନାହିଁ । ଯଦି ସେ ନିଜ ଇଚ୍ଛାରେ ମାଡ଼େ, ତେବେ ସେ ଯୋଗି ମଳିକ ଝୁଅ ନୁହେଁ ବୋଲି ଜାଣିବି ।

 

ସନିଆ ଆଖିରୁ ଧାର ଧାର ହେଇ ଲୁହ ଗଡ଼ିପଡ଼ିଲା । ତଥାପି ଯୋଗି ମଳିକ ଅଟଳ, ଅଚଳ ।

 

ସନିଆ ନିରାଶ ହେଇ ଚନ୍ଦନପୁର ଫେରିଲା ବେଳକୁ ସଞ୍ଜ ହେଇ ଆସିଲାଣି । ଘରେ ଆସି ଥକ୍କା ହେଇ ବସି ପଡ଼ିଲା । ଭାବିଲା, ଆଉ କାହିଁକି ଏଇ ଘରେ ଏକଲା ପଡ଼ି ରହିବି । ଏଇ ଧନ ସମ୍ପତ୍ତି ଘର ଦୁଆର ମୋର କ’ଣ ହେବ । ରାତି ପାହିଲେ ଚାଲିଯିବି ଯୁଆଡ଼େ ଇଚ୍ଛା ସିଆଡ଼େ-। ମନ ପବନରେ ପାଗଳ ଭାବନା ତା’ର ଛୁଟିଲା ଏଣେ ତେଣେ ।

 

ଧୀରେ ଧୀରେ ସଞ୍ଜ ଅନ୍ଧାର ମାଡ଼ି ଆସିଲା । ସନିଆର ମନହେଲା ଯେପରି ସେହି ଅନ୍ଧାର ଭିତରେ ସେ ବୁଡ଼ିଯିବ, ଆଉ ସତ୍ତା କିଛି ରହିବ ନାହିଁ । ଦାଣ୍ଡ ଦରଜା କିଳିଦେଇ ସନିଆ ଘରେ ଆସି ଶୋଇପଡ଼ିଲା । ଖାଇବା ପିଇବା ବିନା ଦେହଟା ତା’ର ଥରୁଥାଏ । ଶୋଇ ଶୋଇ ସନିଆ ଖାଲି ହୀରା କଥା ଭାବିଲା । ଭାବୁ ଭାବୁ କେତେବେଳେ ଆଖିର ଲୁହରେ ବିଛଣା ଓଦା ହେଲାଣି ସନିଆକୁ ଜଣା ନାହିଁ ।

 

ପଦାରେ କିଏ ଦାଣ୍ଡ, କବାଟ ବାଡ଼େଇଲା । ସନିଆର ଭାବନା ଗୋଳମାଳ ହେଇଗଲା-। ଅନୁଭବ କଲା ଆଖିରେ ତା’ର ଲୁହ । ଅନ୍ଧାରରେ କିଛି ବାରି ହେଉ ନାହିଁ । ଆଖିରୁ ଲୁହା ପୋଛି ସନିଆ ଆଲୁଅ ଲଗାଇଲା । ଧୀରେ ଧୀରେ ଦାଣ୍ଡ ଦରଜା ଖୋଲିଲା । ଦେଖିଲା ଆଗରେ ତା’ର ହୀରା । ସନିଆ ର ଆଖି ସହଜରେ ବିଶ୍ୱାସ କରିପାରିଲା ନାହିଁ । ନିରେଖି ଅନାଇଲା, ସତେ ତ ତା’ରି ହୀରା–ଆଖିରେ ତା’ର ଢଳ ଢଳ ଲୁହ ।

 

ସନିଆ ହୀରାର ହାତଧରି ଘର ଭିତରକୁ ଟାଣି ଆଣିଲା । କହିଲା, ତୁ ଆସିବୁ ମୋର ବିଶ୍ଵାସ ନ ଥିଲା । ଏଇ ଅନ୍ଧାରରେ ଶୋଇ ଶୋଇ ଭାବୁଥିଲି ତୋରି କଥା । ଆଉ ଭାବୁଥିଲି ଏଇ ଘର ଦୁଆର ଛାଡ଼ି ନିସଙ୍ଗ ଜୀବନଟାକୁ ଏଇ ନିବୁଜ ଅନ୍ଧାରରେ ହଜାଇ ଦେବାପାଇଁ ।

 

ହୀରା କହିଲା, ତମେ ଚାଲିଆସିବା ପରେ ଘରେ ମୁଁ ଶୁଣିଲି ତମେ ମୋତେ ଆଣିବାକୁ ଯାଇଥିଲ । ବାପା ତୁମକୁ ନିରାଶ କରି ଫେରାଇ ଦେଲେ । ଏହି କଥା ଶୁଣି ମନର ରାଗ ମୋର କୁଆଡ଼େ ମିଳାଇଗଲା । ଭାବିଲି ତମେ କ୍ଷଣିକପାଇଁ ଭୁଲ କଲ ବୋଲି ମୁଁ କ’ଣ ସାରା ଜୀବନ ପାଇଁ ଭୁଲ କରି ବସିବି ! ମନର ଅଭିମାନ କୁଆଡ଼େ ତୁଟିଗଲା । ବାପାଙ୍କୁ କହି ଘରୁ ବାହାରିଲି । ବାପା ବଡ଼ ଏକଜିଦିଆ ଲୋକ–ଯା’ ବୁଝିଥିବେ ସେଇଆ । ମୋତେ ଛାଡ଼ିବାକୁ ବାରଣ କଲେ । ବୁଝାଇ କହିଲି, ବାପା ଯେତେ ଭୁଲ କଲେ, ଯେତେ ମାରିଲେ, ସ୍ଵାମୀ ମୋର ନିଜର, ସ୍ଵାମୀ ଘର ଛଡ଼ା ମୋର ମୁକ୍ତି ନାହିଁ । ମୋତେ ଛାଡ଼ିଦିଅ ।

 

ତଥାପି ବାପା ଶୁଣିଲେ ନାହିଁ । ରାଗରେ ନିଆଁ ହୋଇଗଲେ । କହିଲେ ଯୋଗି ମଳିକର ଗୋଟାଏ କଥା । ଯଦି ତା’ କଥା ନ ମାନି ତୁ ଘରୁ ଯାଉ, ତେବେ ଜାଣିରଖ ଚିରଦିନ ପାଇଁ ତୋର ଏ ଘରେ ଆଉ ପାଦ ପଡ଼ିବ ନାହିଁ । କହିଲି, ବାପା ଝିଅକୁ ଯେଉଁଦିନ ପରଘରକୁ ଦେଇଦେଲେ, ସେଇଦିନଠୁ ପରା ଏ ଘରଠୁ ମୋର ବନ୍ଧନ ତୁଟିଗଲା । ଝିଅକୁ ସ୍ନେହ ଦେଇ ଗଢ଼ିଚ ବୋଲି ମାୟା ମମତାର ମୋହରେ ତମେ ମୋତେ ପଚାରୁଥିଲା । ସେହି ସୁଖ ସରାଗ ଚୁମ୍ବକ ପରି ମୋତେ ଟାଣିଆଣୁଥିଲା ଏଠିକି । ତମ ଇଚ୍ଛା ହେଉଥିଲା ପଚାରୁଥିଲ ଏଣିକି ନ ପଚାରିବ । ତମ ଇଚ୍ଛା ଉପର କଥା ବାପା । କିନ୍ତୁ ତମ ଇଚ୍ଛା ଭିତରେ ମୁଁ ବାନ୍ଧିହେଇ ମୋ ସୁନା ସଂସାରଟାକୁ ପୋଡ଼ିଦେବି କାହିଁକି ।

 

ଏତିକି କହି ଘରୁ ବାହାରିଲି । ବାପା କହିଲେ, ହଉ ଯା’ ଆଜିଠୁ ଜାଣିରଖ ଚିରଦିନ ଲାଗି ତୋ’ ପାଇଁ ଏ ଘରର ତାଟି କବାଟ ବନ୍ଦ । ବାପ ଘରର ସବୁ ମାୟାବନ୍ଧନ ତୁଟାଇ ଦେଇ ଆସିଚି ତମାରି କତିକି । ତମେ ମୋତେ ଏଣିକି ମାରିଲେ ମାର–ରଖିଲେ ରଖ । କିନ୍ତୁ ତମକୁ ଛାଡ଼ି ମୁଁ ଆଉ କୁଆଡ଼େ ଯିବି ନାହିଁ ।

 

ହୀରା କଥା ଶୁଣି ସନିଆ ଆଖିରୁ ଧାର ଧାର ହେଇ ଆନନ୍ଦର ଅଶ୍ରୁ ଗଡ଼ିପଡ଼ିଲା ।

 

ହୀରା କହିଲା–ତୁମେ କାନ୍ଦୁଚ ?

 

ସନିଆ କହିଲା, ହଁ ହୀରା, ମୁଁ ଆଜି କାନ୍ଦୁଚି । ତୋତେ ପାଇ ଯୋଉ ଲୁହ ମୋର ଅନ୍ତରର କୂଳ ଭାଙ୍ଗି ଗଡ଼ି ପଡ଼ୁଚି–ସେ ଲୁହ ମୋର ଦୁଃଖର କି ସୁଖର କିଛି ବୁଝିପାରୁନି । ହୀରା କହିଲା, ଛିଃ...ନିଜର ଲୁଗାକାନିରେ ସନିଆର ଲୁହ ପୋଛିଦେଲା । ସନିଆ ହୀରାକୁ କୋଳକୁ ଟାଣିଆଣିଲା । କହିଲା, ହୀରା ମୋର ସବୁ ଦୋଷ ପାଇଁ ତୁ ମୋତେ କ୍ଷମା ଦେଇଚୁ ?

 

ହୀରା କହିଲା, ମୁଁ ତମର ପଦଧୂଳିକି ସରି ନୁହେଁ ସ୍ୱାମୀ–ମୁଁ ପୁଣି ତମକୁ କ୍ଷମା ଦେବି କିମିତି ?

 

ସନିଆ କହିଲା, ହୀରା ମୁଁ ଆଜି ତୋତେ କ’ଣ କହିବି–କିଛି ଭାଷା ଖୋଜି ପାଉ ନାହିଁ । ତେବେ ଏତିକି କହୁଚି, ଆଜି ତୁ ଯୋଉ ଆଶା ଯୋଉ ଆକାଂକ୍ଷା ନେଇ ମୋ କତିକି ଦଉଡ଼ି ଆସିଚୁ–ସେହି ଆଶା ସେହି ଆକାଂକ୍ଷା ବଳରେ ନିଜ ଘରକୁ ସଜାଡ଼ି ବସିଲେ ପୁଣି ଆମର ସବୁ ସୁଖଶାନ୍ତି ଆଗ ପରି ଲେଉଟି ଆସିବ ।

 

ହୀରା ହସି ହସି କହିଲା, ତୁମେ ଆଜିଠାରୁ ସତ୍ୟ କରି କୁହ, ମୋତେ ଛାଡ଼ି କୁଆଡ଼େ ଯିବନି । ଏଇଠି ଏଇ ଗାଁ ମାଟିର ପାଣି ପବନରେ ହସିଖେଳି ତମେ ମୋତେ ଢାଳୁଥିବ ସଦାଦିନ ଆଶିଷର ବାରି । ଆଉ ମୁଁ ସଜାଡ଼ିବାରେ ଲାଗିଥିବି ସୁନ୍ଦର କରି ମୋର ସୁନାର ସଂସାର ।

 

ସନିଆ କହିଲା, ତୋରି କଥା ସତ ହେବ ହୀରା । ମୁଁ ଆଉ ତୋତେ ଛାଡ଼ି ବିଦେଶ ମାଡ଼ିବି ନାହିଁ । ଏଇଠି ଏଇ ଗାଁରେ ହିଡ଼ମାଟି ହିଡ଼ରେ ଲଦି ପେଟ ଚାଖଣ୍ଡକ ପୋଷିବି । ଆମର ବାପ ସାଆଁତେ ସାତ ପୁରୁଷ ଏଇଠି ହସି ଖେଳି ଦିନ କାଟିଦେଲେ, ଆଉ ମୁଁ ପାରିବି ନାହିଁ ?

 

ହୀରା ମୁହଁରେ ଫୁଟିଉଠିଲା ଆଶା ଓ ଆନନ୍ଦର ଆଲୋକ ।

 

ସନିଆ ହୀରାକୁ କୋଳରେ ଜାବୁଡ଼ି ଧରି ତା’ର ସରମବୋଳା ମୁହଁରେ ପରାଣଭରା ଚୁମ୍ବନ ଆଙ୍କିଦେଲା । ହୀରା ଲାଜକୁଳି ଲତାପରି ଝାଉଁଳି ପଡ଼ି ସନିଆ କୋଳରେ ମୁହଁ ଲୁଚାଇଲା ।

 

ବାହାରୁ ପବନ ସୁ ସୁ ହେଇ ବହି ଆସିଲା ।

 

ଆଲୁଅଟା ଥରି ଥରି ଦି’ଗୁଣ ଜଳି ଉଠିଲା ।

 

ଅନ୍ଧାର ଘୁଞ୍ଚିଗଲା ଦୂରକୁ ଦୋହଲି ଦୋହଲି ।

 

ତା’ରି ଭିତରେ ଦୁଇଟି ଜୀବନ ହଜି ଯାଇଥିବା ସୁଖ ଶରଧାଟିକ ଫେରିଆସିଲା ଅତୀତରୁ–ବର୍ତ୍ତମାନକୁ ।

 

ଅନ୍ଧାରରେ ସ୍ୱପ୍ନ ଦେଖୁ ଦେଖୁ ତେତିକିବେଳେ ନୀଡ଼ ବାଉଳା ପକ୍ଷୀଟି ଗାଇଉଠିଲା ଦୂରରୁ–ଜୀବନର କରୁଣ ମଧୁର ଗୀତ ।

☆☆☆

 

 

 

 

 

 

 

 

 

 

 

 

 

ଖସଡ଼ା ପଥରେ

 

......ଚକ ଘୂରୁଛି ।

 

ଦିନ ପରେ ଦିନ, ମାସ ପରେ ମାସ, ଋତୁ ପରେ ଋତୁ–ବର୍ଷ ପରେ ବର୍ଷ–ଇମିତି ମିଶି କେତୋଟି ଶତାବ୍ଦୀର ମାପକାଠିରେ ସମୟର ଅସରନ୍ତି ପ୍ରବାହକୁ କଳନା କରାଯାଇପାରେ ନା...ସେ ଚିରନ୍ତନ ଏଟରନୀଟି...

 

ଗ୍ରୀଷ୍ମ ଯାଇ ବର୍ଷା ଆସେ । ବର୍ଷା ପରେ ଶରତ, ହେମନ୍ତ, ଶୀତ, ବସନ୍ତ ଗୋଟି ଗୋଟି ହୋଇ ବିତିଯାଏ ।

 

ଦିନ ପରେ ଦିନ, ମାସ ପରେ ମାସ,ବର୍ଷ ପରେ ବର୍ଷ ଗଡ଼ିଯାଏ । ତା’ରି ଭିତରେ ଜୀବନର ସବୁ କଥା ମଳିନରୁ ମଳିନତର ହୋଇ ହଜିଯାଏ । ତଥାପି ସେଇ ଅସ୍ପଷ୍ଟତର ଦିଗ୍‍-ବଳୟରୁ ବେଳେ ବେଳେ ସ୍ମୃତିଗୁଡ଼ିକ ହଠାତ୍ ଦୀପ୍ତିମନ୍ତ ହୋଇ ନିଭିଯା’ନ୍ତି । ଜୀବନର ସନ୍ଧ୍ୟା ଆଜି ଅଦୂରରେ...ଗୋଧୂଳିର ଶେଷରାଗ ଟିକକ ଆଜି ବି ମନ ଉପରୁ ମଉଳି ନାହିଁ । ସେହି ଆଲୋକରେ ଆଜି ବି ଦୁଇ ଜଣଙ୍କର ସ୍ମୃତି ମୋର ଜୀବନ ଉପରେ ଜକ୍ ଜକ୍ କରୁଚି । ସେ ସ୍ମୃତି ମୋର ସୁଖର କି ଦୁଃଖର ଆଜି ବି ମୁଁ ଭାବିପାରେନା; କିନ୍ତୁ ଏତିକି ଜାଣେ ସେ ମୋର ଅତି ଆପଣାର । ତାକୁ ଛାଡ଼ି ମୁଁ ତିଳେମାତ୍ର ବଞ୍ଚିପାରିବି ନାହିଁ । ସେହି ସ୍ମୃତିକୁ ପାଥେୟ କରି ହୁଏତ କେବେ ଦିନେ ଜୀବନର ରାତ୍ରି ଆସିବ ଚିରଦିନ ପାଇଁ...ସୂର୍ଯ୍ୟ ଆଉ ଉଠିବନି ।

 

ଆଜିକୁ ଠିକ୍ ପନ୍ଦର ବରଷ ତଳେ–

 

ସେ ଏକ ମଧୁମୁଗ୍ଧ ଲଗ୍ନ । ବନ୍ଧୁ ଶରତର ଅନୁରୋଧ ଏଡ଼ିବାର ଶକ୍ତି ମୋର ନଥିଲା । ପୂଜା ଛୁଟିଟା ଶେଷରେ ତା’ରି ଘରେ କଟାଇବାର ସ୍ଥିର ହେଲା । ଦୂର ପାହାଡ଼ ସେପାଖରୁ ଧୀରେ ଧୀରେ ନଇଁ ଆସୁଥାଏ ସନ୍ଧ୍ୟା ।

 

ଗୋଧୂଳିର ଶେଷ ସମ୍ପଦ ମଉଳିପଡ଼ିଲାଣି । ବନପକ୍ଷୀଙ୍କର କଣ୍ଠରେ ଦିବାବସାନର ବିଦାୟ ସଙ୍ଗୀତ । ଶରତ କହିଲା, ସନ୍ଧ୍ୟା ପ୍ରଭାତକୁ ନମସ୍କାର କର । ଲାଜ ଲାଜ ହୋଇ ମୁଣ୍ଡିଆଟା ମାରି ସନ୍ଧ୍ୟା ପଳାଇଗଲା । ଜୀବନର ସେଇ ଅଭୁଲା ସନ୍ଧ୍ୟାରେ ସନ୍ଧ୍ୟା ସହିତ ମୋର ପ୍ରଥମ ପରିଚୟ ।

 

ତା’ ପରେ ଦୁଇ ଦିନ ସେଇଠି ବିତିଗଲା । ସନ୍ଧ୍ୟା ସହିତ ମୋର ପରିଚୟ ଟିକିଏ ନିବିଡ଼ ହୋଇ ଆସିଲା । ଶରତ କୁହେ, ଜାଣୁ ପ୍ରଭାତ, ସନ୍ଧ୍ୟା ଆମର ଭଲ ଗୀତ ଗାଇ ଜଣେ । ମୋର ଅନୁରୋଧ ସନ୍ଧ୍ୟା ଏଡ଼ିପାରେନା–ଗାଏ । ତା’ର ସଙ୍ଗୀତର ମୂର୍ଚ୍ଛନାରେ ମୋର ନିର୍ଜୀବ ହୃଦୟ ତନ୍ତ୍ରୀ ମୁଖରିତ ହୋଇ ଉଠେ । ମୁଁ କୁହେ, ସନ୍ଧ୍ୟା ତମେ ଯେପରି ସୁନ୍ଦର–ତମର ସଙ୍ଗୀତ ମଧ୍ୟ ସେହିପରି ସୁନ୍ଦର, ସେ କିଛି କୁହେନା–ମୁରୁକି ମୁରୁକି ହସେ ।

 

ପ୍ରତି ମୁହୂର୍ତ୍ତରେ ମୋର ଇଚ୍ଛା ହୁଏ ସନ୍ଧ୍ୟା ସହିତ ଆଳାପ କରିବାକୁ । କିନ୍ତୁ ସେ ଧରାଛୁଆଁ ଦିଏନା–ଲାଜ ଲାଜ ହୁଏ । ମୁହଁଖୋଲି କଥାପଦେ କୁହେନା । ଶରତ କୁହେ ଜାଣୁ ପ୍ରଭାତ ସନ୍ଧ୍ୟାଟା ଭାରି ଲାଜକୁଳି, ମଫସଲ ଝିଅ କି ନା । ମୁଁ କୁହେ ଆଉ କ’ଣ ତୋ’ପରି ବାଜାରୀ ମୁହଁଖୋର ହୋଇଥା’ନ୍ତା । ଶରତ ହସେ, ସନ୍ଧ୍ୟା ମୁଖ ସତେ ଯେପରି ଆବେଗର ପରିତୃପ୍ତିରେ ଉଜ୍ଜ୍ୱଳ ହୋଇଉଠେ ।

 

ଆଠଦିନ ବିତିଗଲା । ସନ୍ଧ୍ୟାର ସଙ୍କେତ ଆପେ ଆପେ ଅପସରି ଗଲା । ମୋରି ଚର୍ଚ୍ଚାରେ ସେ ସବୁବେଳେ ବ୍ୟସ୍ତ ଥାଏ । ତା’ର ସେଇ ସୁନ୍ଦର କଳାଚକ୍ଷୁର ଚାହାଁଣୀ ମୋର ପ୍ରାଣରେ ମୋହନ ପରଶ ବୁଲାଇଦିଏ । ମନ ଛାଡ଼େନାଁ ଶରତ ଘରୁ–ନିଜ ଗାଁକୁ ଫେରିଯିବାକୁ ।

 

ଭାବନା ବଦଳେ । ଆଖି ଆଗରେ ନାଚି ଉଠେ ମୋର ସେଇ ପଲ୍ଲୀ ଗାଁ । ତା’ର ସେଇ ଖୋଲା ପଡ଼ିଆ, ଆମ୍ବ, ପୁଲାଙ୍ଗ ବନ । ଯେଉଁଠି ଶୈଶବ ଓ କୈଶୋରର ଦିନ ସବୁ ବିତି ଯାଇଚି–ଖାଲି ଜୀବନର ସୁନା ସ୍ଵପ୍ନ ଦେଖୁ ଦେଖୁ । ମନ ହୁଏ ଗାଁକୁ ଫେରିଯିବାକୁ । କିନ୍ତୁ ଯିବାକୁ କହିଲେ, ସନ୍ଧ୍ୟା କୁହେ ଆଉ ଦି’ଦିନ ରୁହନ୍ତୁ ପ୍ରଭାତ ବାବୁ । ତା’ର ସେଇ କଅଁଳିଆ କଥା ପଦକରେ ଭୁଲିଯାଏ–ମନ ଛାଡ଼େନା ।

 

ପନ୍ଦର ଦିନ ପରେ । ନିହାତି ଜିଦ୍ ଧରି ଗାଁକୁ ଫେରିବାକୁ ବାହାରିପଡ଼ିଲି । ଶରତ କହିଲା, ତୁ ଚାଲିଯାଉଛୁ ସିନା ପ୍ରଭାତ–କିନ୍ତୁ ମୋତେ ତୋ’ ଅଭାବରେ ମୋଟେ ଭଲ ଲାଗିବନି । ଆଖିରେ ତା’ର ଅଶ୍ରୁ । କହିଲି, ଛିଃ ଶରତ ତୁ କାନ୍ଦୁଚୁ–ଏଇ ସ୍ନେହ–ମମତା ଚିରଦିନ ଆମ ଦୁହିଁଙ୍କୁ ନିବିଡ଼ କରି ରଖିଥିବ–କର୍ତ୍ତବ୍ୟର ଘନଘଟା ମଧ୍ୟରେ । ଯାଉଚି–ପୁଣି ଛୁଟିପରେ କଲେଜରେ ଦେଖା–ଚିଠି ଦେବୁ । ଭୁଲିବୁନି ।

 

ସନ୍ଧ୍ୟା ଆସିଲା ହସ ହସ ହୋଇ । ବିଦାୟ ନମସ୍କାର ଜଣାଇ କହିଲା, ପୁଣି କେବେ ଆସିବ ପ୍ରଭାତବାବୁ । କହିଲି, ଯେବେ ଡାକିବୁ । ଆସିଲା ବେଳେ ତାଗିଦ୍ କରି ସନ୍ଧ୍ୟା କହିଲା, ଚିଠି ଦେବେ ପ୍ରଭାତବାବୁ । ସମ୍ମତ ଜଣାଇ ପାଦ କଢ଼ିଲି ଆଗକୁ । ଆଖି ଆଗରେ ମୋର ପଲ୍ଲୀ ଭୂଇଁ–ଜନ୍ମମାଟିର ଛାୟା ଛବି ନାଚି ଉଠିଲା ।

 

ଗାଁର ଶାନ୍ତିମୟ ପୁଲକ କୋଳକୁ ଫେରିଆସିଲି ସତ କିନ୍ତୁ ମନଟା ମୋର ପଡ଼ି ରହିଲା ଶରତ ପାଖରେ । କଲେଜ ଜୀବନର ସେ ଅତି ମୋର ଅନ୍ତରଙ୍ଗ । ଦୁହେଁ ଦୁହିଁଙ୍କୁ ଛାଡ଼ି କ୍ଷଣେମାତ୍ର ରହିପାରୁନା, ଆଜି ତା’ର ଅଭାବ ମୋତେ ବେଶି ବାଧିଲା । ଭାବନା ଭିତର ଦେଇ ଆଉ ଜଣଙ୍କର ରୂପ ଉଙ୍କିମାରୁଥିଲା–ସେ ହେଉଚି ସନ୍ଧ୍ୟା । କେତୋଟି ଦିନର ସୁଖ ଦୁଃଖର ଅନୁଭୂତି ଭିତର ଦେଇ ସେ ଯେପରି ମୋର ଅତି ଆପଣାର ହୋଇଯାଇଥିଲା । ଭାବିଲି କାହିଁକି ଆଜି ମୋର ଏ ଦୁର୍ବଳତା-। ଏହା ପୂର୍ବରୁ କେତେ କିଶୋରୀଙ୍କ ସଂସ୍ପର୍ଶରେ ତ ଆସିଚି । ସ୍କୁଲ ଜୀବନର କଥା–ନିରୁପମା, ଶକୁନ୍ତଳା, ଦମୟନ୍ତୀ, ମଲ୍ଲୀ, ଅନିମା । ଶକୁନ୍ତଳା, ମଲ୍ଲୀ ମୋତେ ପ୍ରାଣଠୁ ବଳି ଭଲ ପାଉଥିଲେ-। କିନ୍ତୁ କାହିଁ ସେ ଦୁହିଁଙ୍କ ପାଇଁ ତ ଦିନେ ହେଲେ ମନ ମୋର ଚଞ୍ଚଳ ହୋଇ ଉଠିନଥିଲା । ସନ୍ଧ୍ୟା କାହିଁକି ଯେ ମୋର ଅନ୍ତର ଅଧିକାର କରି ବସିଲା କିଛି ବୁଝିପାରେନା । ଆଖି ଆଗରେ ତା’ର କାନ୍ତ କମନୀୟ–ଛବି–ମନଭୁଲାଣିଆ କଥା–ମଧୁଭରା ଗୀତ–ସ୍ୱଚ୍ଛ ସୁବିମଳ ହସ ଅବିରତ ନାଚି ଉଠେ । ଦିନ ଆଗେଇ ଚାଲେ ।

 

ଶରତ ଚିଠି ଦେଇଥାଏ । ପ୍ରଭାତ ସେଦିନୁ ଗଲୁ–ଖଣ୍ଡେ ଚିଠି ଦେଲୁ ନାହିଁ–ମୋ ମନରେ ବିଶେଷ ଦୁଃଖ । ଏତେ ଚଞ୍ଚଳ ଭୁଲିଯିବୁ ବୋଲି ମୋର ଆଶା ନଥିଲା । ମୋର ମନେ ହୁଏ କେଉଁ ସୁନ୍ଦରୀ ପଲ୍ଲୀବାଳା ବୋଧେ ତୋତେ ଭୁଲାଇ ଦେଇଚି–ନଚେତ୍ ପନ୍ଦର ଦିନ ବିତିଗଲା; ଖଣ୍ଡେ ଚିଠି ଦେଇପାରନ୍ତୁ ନାହିଁ । ଯା’ ହେଉ ସେ ସୁନ୍ଦରୀଟି କିଏ–ଜଣାଇଲେ ଖୁସି ହେବି । ଇମିତି ଆଡ଼ୁ ସାଡ଼ୁ କେତେ କଥା ।

 

ସନ୍ଧ୍ୟା ଲେଖିଥାଏ–ପ୍ରଭାତବାବୁ ଏତେ କରି କହିଯାଇଥିଲେ ଚିଠି ଦେବାକୁ–କାହିଁ ଆପଣଙ୍କ ଚିଠିକୁ ଅନାଇ ଅନାଇ ଆଖିରୁ ପାଣି ମଲାଣି । ଇମିତି ନା ଆପଣ । ଏଡ଼େ ଚଞ୍ଚଳ ପାଶୋରି ପଳାଇଲେ । ଆପଣଙ୍କ କଥା ମୋର ସବୁଦିନେ ମନେ ପଡ଼େ । ଆପଣ ଗଲାଦିନରୁ ମୋତେ କିଛି ଭଲ ଲାଗୁନି–ଗୀତ ଗାଇବାକୁ ଇଚ୍ଛା ହେଉନି ।

 

ଚିଠି ପାଇ ନିଶ୍ଚୟ ଚିଠି ଦେବେ । ଛୁଟି ପୂରିବା ପୂର୍ବରୁ ପୁଣିଥରେ ଘରକୁ ଆସିବେ । ମୋ, ରାଣ–ଭୁଲିବେ ନାହିଁ । ଶେଷରେ ମୋର ପ୍ରଣାମ ନେବେ ।

 

ଶରତ ଓ ସନ୍ଧ୍ୟାର ଚିଠି ପାଇ ମନଟା ମୋର ଅଜଣା ଆନନ୍ଦରେ ଫୁଲି ଉଠିଲା । ସଙ୍ଗେ ସଙ୍ଗେ ଚିଠି ଦି’ଖଣ୍ଡ ଲେଖି ପଠାଇଦେଲି । ସନ୍ଧ୍ୟା ପାଖକୁ ଲେଖିଲି–

 

ସ୍ନେହର ସନ୍ଧ୍ୟା,

 

ତୋର ଚିଠି ପାଇଲି । ଚିଠି ପଢ଼ି ମନେ ହେଲା ତୁ ଯେପରି ମୋ କଥା ଆଜିଯାଏ ମନେ ରଖିଛୁ । ସେତିକି ତ ମୋତେ କମ୍ ଆନନ୍ଦ ଦେଉ ନାହିଁ । ଶରତର ଶେଫାଳୀ ଡାକ ସହିତ ତୋର ସେହି ସୁମଧୁର ସ୍ଵର ସତେ ଯେପରି ଭାସି ଆସୁଛି । ସତେ ସନ୍ଧ୍ୟା–ଆଜିର ଏଇ ପଲ୍ଲୀର ସୁନ୍ଦର ରାତି–ଆକାଶରେ କଇଁଫୁଲିଆ ଜହ୍ନର ସୁବିମଳ ହସ–ସୁଲୁ ସୁଲୁ ସୁରଭିତ ମୃଦୁ ସମୀରଣ–ଆଉ ଜୋଚ୍ଛନାର ଲହଡ଼ି ତାଳେ ତାଳେ ଧରଣୀର ଅପରୂପ ଶୋଭା ଦେଖି ମୁଁ ସ୍ଵପ୍ନ ବିଭୋର ହୋଇ ଉଠେ । କିନ୍ତୁ କାହିଁ ? ଏତେ ଆନନ୍ଦ ଏତେ ସୌନ୍ଦର୍ଯ୍ୟ ତ ମୋତେ ସୁଦ୍ଧା ଭୁଲାଇପାରେନା । ଗତ କେଇଟା ଦିନ ବା ତୋ’ ପାଖରେ ଥିଲି–କିନ୍ତୁ ତୁ ମୋତେ ଯେପରି ନିଜର କରିନେଲୁ–ଆଜି ତୋଠାରୁ ବହୁ ଦୂରରେ ଥାଇ ବି ସେ ସ୍ମୃତି ଭୁଲିବି କିପରି । ତୋତେ ମୁଁ ଭୁଲିପାରିନି ସନ୍ଧ୍ୟା–ମୋତେ ଭୁଲ ବୁଝିବୁନି । ଚିଠି ଦେବୁ ।

 

ଯେଉଁ ଗାଁର ନଈକୂଳରେ ବସିରହି ସେପାରିକୁ ଚାହିଁ ଚାହିଁ ଜୀବନର କେତେ ସୁଖ ସନ୍ଧ୍ୟା ବିତାଇ ଦେଇଛି–ଯେଉଁ ଗାଁର ଖୋଲା ସବୁଜ ପ୍ରାନ୍ତରରେ ସନ୍ଧ୍ୟା ଶଶୀ ଦେଖି କେତେ କଳପନାମୟ ଛବି ଆଙ୍କି ନିଜେ ଆତ୍ମହରା ହୋଇଚି–ଯେଉଁ ଗାଁ ଦାଣ୍ଡରେ ଧୂଳିଖେଳ ଖେଳି ଖେଳି ଅତୀତର ବାଲ୍ୟଲୀଳା ବିତାଇଦେଇଚି–ଯେଉଁ ଗାଁର ଆମ୍ବ, ପୁଲାଙ୍ଗ ବନରେ ବୁଲି ବୁଲି ଜୀବନରେ କେତେ ମଧୁଗୀତ ଗାଇଚି–ଯେଉଁ ଗାଁର ଶୋଭା ସମ୍ପଦ ଦେଖି ନିଜକୁ ନିଜେ ଭୁଲିଯାଇଚି, ହଠାତ୍ ବିଦେଶ ବାହୁଡ଼ା ଜୀବନ ନେଇ ସେଇ ପରିଚିତ ପ୍ରିୟ ଭୂଇଁକୁ ଫେରି ଆସିଲେ, ମନହୁଏ ସେଇ ସବୁକୁ ଆଗ ଦେଖିବାକୁ, କିନ୍ତୁ ହାୟ ଅତୀତ ଜୀବନରେ ଯା’ ଥିଲା ଅତି ମଧୁର ଓ ସତ୍ୟ ସେ ସବୁ ଆଜି କାହିଁ ?

 

ସେଇ ନଈ ବହିଯାଉଚି, ସେପାରିର ସେହି ଗାଁ ସେମିତି ଅଛି । ସେହି ସୂର୍ଯ୍ୟ ସେମିତି ଆଜି ସେପାରିର ନୂଆଁଣିଆ ଘର ଛୁଇଁ ଢଳି ପଡ଼ୁଚି ଦୂର ପାହାଡ଼ର ସେପାଖରେ । ନଈ ଉପରେ ନାଉରିଆ ନାଆ ନେଇ ଗାଇ ଯାଉଚି ମନ ଫୁଲାଣିଆ ଗୀତ–ଚହଲ ଉଠୁଚି ପାଣି, ନଈକୂଳରେ ସେହି ଝଙ୍କା ବରଗଛଟା ସେମିତି ଛିଡ଼ାହୋଇଚି–ତା’ରି ଉପରେ କେତେ ଜାତି ପକ୍ଷୀଙ୍କର ସଭା ସମିତି ଆଜି ବି ବସୁଚି, ଗାଈଆଳ ଟୋକାର ଗୋଧନ ବାହୁଡ଼ା ବଂଶୀର ସ୍ଵର ଆଜି ବି ସେମିତି ଶୁଭୁଚି ।

 

ସେହି ଚାନ୍ଦ ଆଜି ବି ଆକାଶରେ ଦେଖାଦିଏ । ଗାଁର ସେହି ଖୋଲା ସବୁଜ ପ୍ରାନ୍ତର ଚାନ୍ଦିନୀ ପରଶରେ ଠିକ୍ ସେହିପରି ହସିଉଠେ । ଶେଫାଳୀହେନାର ଗନ୍ଧ ଆଜି ବି ବହିଆଣେ ସମୀରଣ । ନଈ, ନାଳ, ପୋଖରୀ, ବିଲ ବାଟଘାଟ ଅପରୂପ ଶୋଭା ନେଇ ହସିଉଠେ ଠିକ୍ ପୂର୍ବ ପରି ।

 

ସେହି ଗାଁ ଦାଣ୍ଡ ତା’ରି କୋଳରେ ସଞ୍ଜ ସକାଳର ସୁନେଲି ପରବ ଦେଇ କେତେ ପିଲାଙ୍କର ଧୂଳିଖେଳ, ହସକାନ୍ଦ, ନାଚକୁଦ, ଆଜି ବି ଠିକ୍ ସେହି ପରି ବସେ ।

 

ଗାଁ ପୋଖରୀ, କେତେ କଇଁ କେତେ ପଦ୍ମ ସେଠି ଫୁଟି ଫୁଟି ସିମିତି ଲୋକଟି ପଡ଼େ ଛଳନାମୟୀ ନାରୀ ପରି । ଗାଁର ସେହି ରାସ୍ତା–ସେମିତି ସର୍ପିଳ ଗତିରେ ବଙ୍କେଇ ବଙ୍କେଇ ଦୂର ପ୍ରାନ୍ତର ଦେଇ ତାଳବନ ଅନ୍ତରାଳରେ ଲୁଚି ଯାଇଛି । ଗାଁର ସେହି ବଉଳଗଛ ଆଜି ବି ଅଛି । ଆଜି ବି ବାଉଳଫୁଲ ମହକ ନେଇ ଗଛତଳ ହସିଉଠେ । ଗାଁର ଘରକୁ ଘେରି ରହିଚି ପାଳବନ୍ଧ । ବନ୍ଧ ଉପରେ ଛିଡ଼ା ହେଲେ ଦେଖାଯାଏ ମଶାଣି–କମଳଜୋରୀ । ମଶାଣି କରକୁ ଲାଗି ବାଉଁଶବୁଦା–କିଆବାଡ଼, ବିଲୁଆ କୁକୁରଙ୍କର କଲିଜାଥରା ଚିତ୍କାର ଆଜି ବି ଶୁଭୁଛି । କେତେ ମରି ସେଇଠି ମାଟିରେ ମିଶି ଗଲେଣି ।

 

ଏପାଖ କେନାଲ ବନ୍ଧରେ ଛିଡ଼ାହେଲେ ଦେଖାଯାଏ ବିଲର ଧାନକ୍ଷେତ । ସମୀର ପରଶରେ ସବୁଜ ଧାନଶିରୀ ଦୋହଲି ଉଠେ–ସତେ ଯେମିତି ନୀଳ ସରିତରେ ଲହଡ଼ି ଉଠେ ।

 

ଗାଁର ସେହି ଚାଟଶାଳୀ । ଅତୀତ ଜୀବନର ସୁଖ ଦୁଃଖ ବିଜଡ଼ିତ ଚାଟଶାଳୀ ସେମିତି ଅଛି । ତା’ରି ପାଖରେ ଝଙ୍କା ଚୁନିଗଛ ଦୁଇଟା ପୂର୍ବ ପରି ଛିଡ଼ା ହୋଇଚି । ପଛପଟକୁ ଥିବା ଆମ୍ବଗଛଟି ମରି ବି ଦରମରା । ସେପାଖରେ କଦମ୍ବଗଛଟି ପୁଷ୍ପସ୍ତବକରେ ଫାଟିପଡ଼ୁଚି । ଏହି ଚାଟଶାଳୀରେ ଜୀବନର ପ୍ରଥମ ପ୍ରଭାତରେ କେତେ କାନ୍ତ–କମନୀୟ ଦିନଗୁଡ଼ା ବିତି ଯାଇଚି । ସେ ସବୁ ଦିନ ଆଜି କାହିଁ ?

 

ରାମ, ବୀର, ମାଗ, ଆଦ, ଘନ, ଭାଗୁ ଅତୀତ ଜୀବନର ପ୍ରିୟବନ୍ଧୁ । କର୍ତ୍ତବ୍ୟର ଉତ୍ପୀଡ଼ନରେ ସେମାନେ ଆଜି ନିଜ ନିଜ ସୁଖନେଇ ବ୍ୟସ୍ତ । ରାମର ଚଗଲାମି ଆଜି ବି ଆଖିରେ ନାଚିଉଠେ । ଗଛଚଢ଼ା, କୋଳିତୋଳା, ପାଣିରେ ବୁଡ଼ି ମାଛ ମାରିବା; ବାଗୁଡ଼ି ଖେଳିବା ସବୁଥିରେ ଧୁରନ୍ଧର । ଆଜି କା’ ବାଡ଼ିରୁ କାକୁଡ଼ି ଚୋରି ତ କାଲି କା ବାଡ଼ିରୁ ଆମ୍ବ ଚୋରି–ଇମିତି କେତେ ଅଭିଯୋଗ ତା’ନାମରେ ମାଷ୍ଟରଙ୍କ ପାଖରେ ପହଞ୍ଚେ । କେତେ ମାଡ଼ ଖାଏ ତଥାପି ସେ ତା’ର ଚଗଲାମି ଛାଡ଼େନା । ପଡ଼ୁ ପଡ଼ୁ ମାଷ୍ଟ୍ରଙ୍କୁ ବି ଚିତାକାଟି ଚାଲିଆସେ । ବେଶି ବାଟ ସେ ଯାଇନି । ଦ୍ଵିତୀୟ ଶ୍ରେଣୀରୁ ପୋଥିରେ ତା’ର ଡୋରିବନ୍ଧା ହୋଇଚି । ଆଜି ସେ ଗାଁରେ ନିଜର ପାନ ଦୋକାନଟି ନେଇ ବ୍ୟସ୍ତ ।

 

ବୀର ବଡ଼ଲୋକର ପୁଅ, ବେଶି ବାଟ ସେ ଯାଇନି । ମାଇନର ତିନି ତିନି ବାର ଫେଲହୋଇ ପଢ଼ା ଛାଡ଼ିନି । ଆଜି ସେ ନିଜର ମହାଜନୀ ଧନ୍ଦାରେ ପାଗଳ, ପଇସାକୁ ଦି’ପଇସା କରିବା ପାଇଁ ଦିନରାତି ସେ ଚିନ୍ତିତ ।

 

ମାଗ ସ୍କୁଲର ଶାନ୍ତ ମେଧାବୀ ଛାତ୍ର । ମାଇନର ପାଶ କରି ସୁଦୂର କଲିକତାରେ କୌଣସି ଏକ ଅଫିସର କିରାଣୀ, ଧରାବନ୍ଧା ଜୀବନ ନେଇ ସେ ଆଗ ପାଇଁ ସୁନା ସ୍ଵପ୍ନ ଦେଖି ବାଟ କାଟେ ।

 

ଭାଗୁ ସ୍କୁଲର ସବୁଠୁ ଭଲଛାତ୍ର ଓ ମୋର ଅତି ଆଦରରେ ବନ୍ଧୁ । ଦୁହେଁ ଏକା ସାଙ୍ଗରେ ମାଟ୍ରିକ ପାଶ୍ କରିଥିଲୁ । ମାଟ୍ରିକ ପାଶ କରି ଭାଗୁ ଡାକ୍ତରୀ ପଢ଼ିଲା । ଛାତ୍ର ଜୀବନରୁ ଦୁହେଁ ମିଳି ସାହିତ୍ୟ ସାଧନା ଦେଇ ଦେଶକୁ ଉଠାଇବାର ସ୍ଵପ୍ନ ଦେଖିଥିଲୁ । “ଯୁଗଯାତ୍ରୀ ସଙ୍ଘ” ଗଢ଼ି ତା’ର ମୁଖପତ୍ର ରୂପେ “ଯୁଗଯାତ୍ରୀ” ନାମକ ଏକ ମାସିକପତ୍ର ପ୍ରକାଶ କରିଥିଲୁ । ଭାଗୁ ଆଜି ଗ୍ରାମର ଡାକ୍ତର । ଯୁଗଯାତ୍ରୀ ସଙ୍ଘ କେଉଁ ଦିନୁ ଭୁଶୁଡ଼ି ପଡ଼ିଲାଣି । ସଙ୍ଘର ବନ୍ଧୁମାନେ କାହିଁ କାହିଁ ବିକ୍ଷିପ୍ତ । କର୍ତ୍ତବ୍ୟର ଚାପରେ ପ୍ରତ୍ୟେକ ଜୀବନ ଏପରି ଭାରାକ୍ରାନ୍ତ । ଦେଖାହେଲେ ଭଲମନ୍ଦ ପଚାରିବାର ଅଭିଳାଷ କାହାରି ବି ନାହିଁ । ଆଦ ସେପାରି ଗାଁର ମାଷ୍ଟର । ହସେଇ ହସେଇ ଆମ ପେଟ ଦରଜ କରେ । ବାୟୁରୋଗରେ ମରଣ ସହିତ ସଂଗ୍ରାମ କରି ଆଜି ସେ ବଞ୍ଚିଚି କେବଳ । ଅଭାବ ଦାରିଦ୍ର୍ୟ କଷାଘାତ ତାକୁ ଅସ୍ଥିର କରି ବି ସେ ଆଜି ବି ପୂର୍ବପରି ହର୍ଷୋତ୍‍ଫୁଲ, ଘନ ଦୂର କଲିକତାରେ ବିସ୍କୁଟ କଳରେ ଚାକିରୀ କରେ, ଖଦଡ଼ ପିନ୍ଧେ ଗାନ୍ଧିଟୋପି ପିନ୍ଧି ନେତା ସାଜେ । କୁଟିଳତା ଛନ୍ଦ କପଟ ତାକୁ ସ୍ପର୍ଶ କରି ନାହିଁ । ଦେଖିଲେ ହସି ହସି କୁଣ୍ଡେଇ ପକାଏ । ଯେତେ ଗାଳିଦେଲେ ସେ ରାଗ କରେନା–ଖାଲି ହସେ ।

 

ବାଲ୍ୟସାଥୀ ନିରୁପମା, ଶକୁନ୍ତଳା, ମଲ୍ଲୀ ।

 

ଶକୁନ୍ତଳା ଶାନ୍ତ–ସରଳ, ଭଲ ପଢ଼େ । ମୁଁ ତାକୁ ବେଶୀ ଭଲପାଉଥିଲି । ସେ ମଧ୍ୟ ମୋତେ ତା’ର ସମସ୍ତ ସ୍ନେହ ଦେଇଥିଲା । ବାଲ୍ୟ ଓ କୈଶୋର ମଧୁମୟ ଲୀଳାଦେଇ ଜୀବନର କେତେ ଫଗୁବୋଳା ରଙ୍ଗୀନ ଦିନ ଦୁହିଁଙ୍କର ବିତିଯାଇଛି–ସେ ସବୁ ଆଜି ମନରୁ ଲିଭି ବି ଲିଭି ନାହିଁ, ଦିନଗୁଡ଼ା କୁଆଡ଼େ ଗଡ଼ିଯାଇଚି–ତା’ରି ଭିତରେ ଆଜି କଥା କାଲିକି ବଦଳି ନୂଆ ରୂପ ନେଉଚି । ଶକୁନ୍ତଳା ଆଜି ଯୁବତୀ । ଦେଖିଲେ ଲାଜକରେ–କଥା କହେନା, କେବେ ଯଦି ଦେଖାହେଲେ ପୂର୍ବସ୍ମୃତିର ଖିଆଲରେ ପଦେଅଧେ କଥା କୁହେ–ସେଥିପାଇଁ ମା’ ତା’ର ଆକଟି କହେ । ଆସନ୍ତା ଫଗୁଣରେ ତା’ର ବାହାଘର ।

 

ନିରୁପମା ଗରିବର ଝିଅ । ମା’ ବାପାଙ୍କର ଗୋଟିଏ ବୋଲି ସେ ବଡ଼ ଦୁଲାଳୀ, ଭାରି ବୁଦ୍ଧିମତୀ–ସବୁ ଗୁଣରେ ପରିପୂର୍ଣ୍ଣ, ତୃତୀୟ ଶ୍ରେଣୀରୁ ପ୍ରମୋଶନ ପାଇ ଆଉ ପଢ଼ିନି । ଆଉ ସେ ବାହା ହୋଇ ଗୋଟିକର ମା’ ହେଲାଣି । କେବେ କିମିତି ଦେଖାହେଲେ ପଚାରେ ନିରୁପମା ପିଲାଦିନ କଥା ମନେପଡ଼େ । ସେ କିଛି କୁହେନା–ଲାଜ ଲାଜ ହୋଇ ହସେ ।

 

ମଲ୍ଲୀ ଦେଖିବାକୁ ଠିକ୍ ମଲ୍ଲୀଫୁଲ ପରି । ଅତି ସୁନ୍ଦରୀ, ସେ ମୋଟେ ଭଲ ପଢ଼େନା । ମୁଁ ତାକୁ ଗଧ ଗଧ ବୋଲି ଚିଡ଼ାଏ । ସେ ଭାରି ଚିଡ଼େ । ତା’ର ବାପ ମା ମୋତେ ଅତି ଶରଧା କରନ୍ତି । ମଲ୍ଲୀ ମଧ୍ୟ ରୁମୁଭାଇ, ରୁମୁଭାଇ ବୋଲି ପାଣି ପିଏନା, ରୂପବତୀ ବୋଲି ଭାରି ତା’ର ଗର୍ବ–ସେଥିପାଇଁ ମୁଁ ମୋଟେ ତାକୁ ଭଲ ପାଏନା, କଷ୍ଟେମଷ୍ଟେ ସେ ବର୍ଷ ସେ ମାଇନର ପାଶ୍ କଲା । ଗଲା ସନ ତା’ ସହିତ ମୋର ବାହାଘର ଲାଗିଥିଲା । ବାପା, ବୋଉ, ରାଜି ହେଲେନି–ମୋର ମଧ୍ୟ ଇଚ୍ଛା ନଥିଲା । ଆମ ଦୁହିଁଙ୍କର ସମସ୍ତ ସୁଖ ସରଧା ସେହିଦିନଠୁ ମଉଳିଯାଇଛି । ଆଜି ସେ ବାହା ହେଲାଣି–ଟିକକ କଥାକୁ ତାଳକରି କହିବା ଫୁଟାଣି ଆଜି ବି ତା’ର ଛାଡ଼ିଯାଇନି । ଇମିତି ଅତୀତର କେତେ ସାଙ୍ଗସାଥୀ ଆଜି ଦୁରେଇ ଗଲେଣି–କେତେ ମଧ୍ୟ କତିରେ ଥାଇ କରଛଡ଼ା ।

 

ଏଇ ଗାଁ–ଏହାର ଧୂଳିମାଟି, ଏହାରି ଭାଗବତଟୁଙ୍ଗୀ, ସପ୍ତାଘର ଏହାରି ମଞ୍ଜୁଳ ଦୃଶ୍ୟରାଜି କେଡ଼େ ମହାନ୍, କେଡ଼େ ଉଚ୍ଚ । ଗାଁକୁ ଲାଗି ବିରୂପା ନଈ, ସେମିତି କୁଳୁ କୁଳୁ ଗାନରେ ବହି ଯାଉଚି । ଶରତ ଆସିଲେ ନଈ ପଠାରେ ଛଣ ଫୁଲର ହାଟ ବିସେ । ବସନ୍ତ ଆସିଲେ ସେପାରି ଆମ୍ବବଣରୁ କୋଇଲିର ମନ ମତାଣିଆ ଗୀତ ଶୁଭେ । ଶୀତ ଆସିଲେ ସୋରିଷ ଫୁଲ ମୁକୁଳା ଶୋଭାରେ ସମୀରର ଢେଉ ଛୁଟେ । ବସନ୍ତର ଫଗୁଖେଳ, ବୈଶାଖର ଖଇଫୁଟା ଖରା; ବରଷାର ବାରିଧାରା, ଶରତର ବିମଳ ଜ୍ୟୋସ୍ନା, ହେମନ୍ତର ସୁଲୁ ସୁଲିଆ ବାଆ, ପୁଷର ହାଡ଼ଭଙ୍ଗା ଶୀତ ଦେଇ ଏଇଗାଁ କେତେ ରୂପ ଧରେ । ଏହାରି ପ୍ରତ୍ୟେକ ଦୃଶ୍ୟ ସହିତ ଅନ୍ତରର ଅତୀତ ସ୍ମୃତି ଯେପରି ସଜୀବ ହୋଇଉଠେ । ଦିନ ଗଡ଼ି ଚାଲେ–ବାଲ୍ୟ ଯାଇ କୌଶୋର ଆସେ । କୌଶୋର ପରେ ଯୌବନ । ଯୌବନ ପରେ ଜୀବନ ଭାଙ୍ଗିପଡ଼େ–ଜରା ଉପସ୍ଥିତ ହୁଏ ।

 

ଅତୀତ ଯାଏ–ନୂଆ ଆସେ । ଜୀବନର ଅନୁଭୂତିମୟ ସ୍ୱପ୍ନ ଦୂରେଇ ଯାଏ । ଜୀବନ ଆଗକୁ ଚାଲେ, ଅତୀତର ସ୍ମୃତି ଖାଲି ଉଙ୍କିମାରେ, କିନ୍ତୁ ଜୀବନର ଯା’ ଅତ୍ୟନ୍ତ ସତ୍ୟ ସଜୀବ ଅନୁଭୂତିମୟ, ସେ ଆଉ ପୁଣିଥରେ ମିଳେନା । ସେଇ ସ୍ମୃତିର ଶେଷଧୂପ ଅନ୍ତରକୁ ସଉରଭରେ ଆମୋଦିତ କରେ । ମନ କୁହେ ହାୟ ସେଦିନ ଆଜି କାହିଁ ?

 

ଛୁଟି ପୂରିବାକୁ ଆଉ ଆଠଦିନ ବାକି ଥାଏ; ଶରତ ଲେଖିଥାଏ, ପ୍ରଭାତ, ଛୁଟି ପୂରିବାକୁ ଆଉ ଅଳ୍ପଦିନ ତ ଅଛି । ମୋର ଅନୁରୋଧ ତୁ ଏ ଚିଠି ପାଇ ଆମ ଘରକୁ ନିଶ୍ଚୟ ଆସିବୁ । ଅବଶିଷ୍ଟ ଛୁଟିଟା ବିତାଇଦେଇ ସାଥୀହୋଇ ପୁଣି କଲେଜକୁ ଫେରିଯିବା । ସନ୍ଧ୍ୟାର ବାରବାର ତାଗିଦ୍ ତୁ ନିଶ୍ଚୟ ଆସିବୁ–ତା’ର ପ୍ରଣାମ ନେବୁ ।

 

ଚିଠି ପାଇ ମନଟା ଆଉ କେଉଁଥିରେ ଲାଗିଲା ନାହିଁ । ବାପା, ବୋଉଙ୍କୁ ମିଛରେ କହିଲି, ମୋର ପଢ଼ାପଢ଼ି ଯଥେଷ୍ଟ ବାକି ପଡ଼ିଚି । ଏଣୁ ଆଗରୁ କଟକ ଯିବାକୁ ହେବ । ସେମାନେ ବିନା ଆପତ୍ତିରେ ରାଜି ହେଲେ । ଜନ୍ମମାଟିର ମାୟା ମମତା, ପିତାମାତାର ସ୍ନେହ ପଡ଼ିରହିଲା ପଛରେ ।

 

ଶରତ ମୋତେ ଦେଖି ହଠାତ୍ ଆବେଗରେ ଆଲିଙ୍ଗନ କରି କହିଲା, ସତେ ପ୍ରଭାତ ତୁ ଆସିବୁ ବୋଲି ମୋର ମୋଟେ ବିଶ୍ୱାସ ନଥିଲା, ଘର ଭିତରକୁ ପଶି ଯାଉଁ ଯାଉଁ ସନ୍ଧ୍ୟା ହସି ହସି ଆସି ନମସ୍କାର କଲା । କହିଲି, ଶରତ, ସନ୍ଧ୍ୟାର ସୁମଧୁର ସଙ୍ଗୀତ ପୁଣି ମୋତେ ଏଠାକୁ ଟାଣିଆଣିଚି । ତୋର ଅନୁରୋଧ ବା ବନ୍ଧୁତ୍ୱ ନୁହେ ।

“ତେବେ ସନ୍ଧ୍ୟାରେ ସଙ୍ଗୀତ ପାଖରେ ମୋର ଅନୁରୋଧ କ’ଣ ହାର ମାନିଛି ।” କହିଲି, ନିଶ୍ଚୟ । ସନ୍ଧ୍ୟାର ମୁଖ ପରିତୃପ୍ତିର ଆବେଗରେ ଉଜ୍ଜ୍ୱଳ ହୋଇ ଉଠିଲା ।

ଶରତର ସୁରଭିତ ସନ୍ଧ୍ୟା । ଆକାଶରେ ମେଘ ନାହିଁ, କେତେବେଳୁ ଜହ୍ନ ଉଠିଲାଣି, ସନ୍ଧ୍ୟା ଆଜି ନିଜକୁ ଟିକେ ସଜାଇଚି–ସୁନ୍ଦରକରି ତା’ ଆଡ଼କୁ ଚାହିଁଲେ ଲାଜ ଲାଜ ହୁଏ–କ’ଣ ଯେପରି ଲୁଚାଇବାକୁ ଚେଷ୍ଟା କରେ ।

ଶରତ ବାହାରକୁ ବୁଲିଯାଇଥାଏ । ତାଙ୍କର ଘରେ ସନ୍ଧ୍ୟା ଓ ମୁଁ । ସନ୍ଧ୍ୟା କହିଲା, ‘ପ୍ରଭାତବାବୁ, ଭାଇ ତମକୁ ଭାରି ଭଲ ପାଆନ୍ତି, ତମେ ଗଲାପରେ ସେ ସବୁବେଳେ ଯେପରି ବିରସ ଓ ଶୁଷ୍କ ଦେଖାଯା’ନ୍ତି । କୁହନ୍ତି ସନ୍ଧ୍ୟା ପ୍ରଭାତଟା ଚାଲିଗଲା, ମୋର ହୃଦୟଟି ସେ ନେଇଗଲା । ଏଡ଼େ ବଡ଼ ଛୁଟିଟା ମୁଁ ଉପଭୋଗ କରିବି କିପରି ? ମୁଁ କହେ, ଭାଇ ତୁମେ ସିନା ଏତେ ପ୍ରଭାତ ବାବୁଙ୍କ କଥା ଭାବୁଚ, ସେ କ’ଣ ତୁମ କଥା ଟିକିଏ ମନେ କରୁଥିବେ । ଦେଖୁନା, ସେଦିନୁ ଗଲେଣି । ଚିଠି ବି ଖଣ୍ଡେ ଦେଇ ନାହାନ୍ତି । ଭାଇ କୁହନ୍ତି, ନାଁ ସନ୍ଧ୍ୟା ପ୍ରଭାତ କେବେ ଭୁଲିବନି । ଜୀବନର ସେ ଏକ ଅଜଣା ମୁହୂର୍ତ୍ତ–ବସନ୍ତର ମଧୁର ଗୋଧୂଳି, ଚୋରା ଚଇତାଳି ଓ ବଉଳ ଫୁଲର ମହୁଆ ମହକ ମନରେ ସଜିଥିଲା କଳ୍ପନାର ସୁନାର ସଉଧ । ମନ କହୁଥାଏ ସେହି ଗୋଟାଏ ସାଥୀ ଯୁଟନ୍ତା କି, ବସନ୍ତ ୠତୁଟା ପ୍ରାଣ ଭରି ଉପଭୋଗ କରନ୍ତି । ସେହି ସମୟରେ ମୋର ପ୍ରଭାତ ସହିତ ପ୍ରଥମ କରି ପରିଚୟ । ତା’ ପରେ ବସନ୍ତର ମଧୁ ମାଦକତା’ ଭିତରେ ଆମ ଦୁହିଙ୍କର ବନ୍ଧୁତ୍ୱ ମଧୁମୟ ହୋଇ ଉଠିଲା । ସେ ମୋତେ ଅତି ଭଲପାଏ ସନ୍ଧ୍ୟା, ସେ କି କେବେ ଭୁଲିପାରିବ ? ପ୍ରଭାତ ଭଲ ଲେଖିପାରେ, କବି କି ନା, ପଲ୍ଲୀର ସୋନ୍ଦର୍ଯ୍ୟ ଦେଖୁ ଦେଖୁ ବାସ୍ତବତା ଭୁଲି ଯାଇଥିବ ।

କହିଲି, ସତେ ସନ୍ଧ୍ୟା, ପଲ୍ଲୀର ଅପରୂପ ସୁଷମା ମୋତେ ପାଗଳ କରି ଦେଇଥିଲା । କିନ୍ତୁ ସେହି ସୋନ୍ଦର୍ଯ୍ୟ ଭିତରେ ବି ତୋର ଓ ଶରତର ମୁଖ ଛବି ହସି ଉଠୁଥିଲା । ଦିନ ଗୁଡ଼ାଏ କୁଆଡ଼େ ସ୍ଵପ୍ନ ପରି ମିଳାଇ ଗଲା, ତା’ର ହିସାବ ଆଜି ମିଳେନା । ଜୀବନର ସେହି ଅଭୁଲା ସନ୍ଧ୍ୟାରେ ତୋ’ ସହିତ ମୋର ଦେଖା । ତା’ ପରେ କେଇଟା ଦିନ ତୋର ସ୍ନେହ, ସେ ଯେପରି ମତେ ଯୁଗ ଯୁଗ ପାଇଁ ଋଣୀ କରିଦେଲା । ତୋତେ ଭୁଲିପାରିଲିନି ସନ୍ଧ୍ୟା, ପାଗଳ ପରି ଦଉଡ଼ି ଆସିଲି, ପୁଣି ତୋରି ସ୍ନେହର ଆକର୍ଷଣରେ । ମୋର ଏଇ କଥା ପଦକରେ ସନ୍ଧ୍ୟାର ଗୋଲାପି ମୁଖରେ ସରମର ଆଭା ଫୁଟିଉଠିଲା । କଥା ବାଆଁରେଇ ସନ୍ଧ୍ୟାକୁ ଗୋଟିଏ ଗୀତ ଗାଇବାକୁ ଅନୁରୋଧ କଲି, ସେ ଗାଇଲା ।

ବାତାୟନ ଦେଇ ଶୁଭ୍ର ଜ୍ୟୋତ୍ସ୍ନା ଘର ଭିତରେ ବିଛାଡ଼ିହୋଇ ପଡ଼ିଥିଲା । ସନ୍ଧ୍ୟାରେ ସଙ୍ଗୀତର ମୂର୍ଚ୍ଛନା ମୋର ହୃଦୟ ତନ୍ତ୍ରୀକୁ ଥରାଇ ଦେଉଥିଲା । ସ୍ଵପ୍ନବିଭୋର ହୋଇପଡ଼ିଲି । ହଠାତ୍ ସନ୍ଧ୍ୟାର ରାଗିଣୀ ବନ୍ଦ ହୋଇଗଲା । ମୁଗ୍ଧକଣ୍ଠରେ କହିଲି, ସନ୍ଧ୍ୟା ତମେ ଯେପରି ସଜଫୁଟା ପଦ୍ମପରି ସୁନ୍ଦର, ତୁମର ସଙ୍ଗୀତ ମଧ୍ୟ ତା’ଠାରୁ ଢେର ଲଳିତ । ତମକୁ ଯେ ପାଇବ ସେ ଭାରି ଭାଗ୍ୟବାନ । ତା’ର ହାତ ଧରି କୋଳକୁ ଆଉଯାଇ ଆଣିଲି, ମୁହଁଟା ନଇଁପଡ଼ିଲା ତା’ର ଗୋଲାପି ଗଣ୍ଡକୁ ଲାଗି । ସନ୍ଧ୍ୟା ଲାଜରେ ଝାଉଁଳି ପଡ଼ିଲା । ତରବର ହୋଇ ମୋ କୋଳରୁ ବାହାରକୁ ପଳାଇଗଲା । ମୁଁ ଏକଲା ବସି ରହିଲି, ସନ୍ଧ୍ୟା ଆଉ ଆସିଲା ନାହିଁ । ମନରେ ମୋର ଆଶଙ୍କା, ସନ୍ଧ୍ୟା ମୋର ବ୍ୟବହାରରେ ନିଶ୍ଚୟ କ୍ଷୁର୍ଣ୍ଣ ହୋଇଛି ।

ଦୁଇ ଦିନ ବିତିଗଲା । ତଥାପି ସନ୍ଧ୍ୟା ମୋତେ ଧରାଛୁଆଁ ଦେଲାନି କି ପଦଟିଏ କଥା କହିଲା ନାହିଁ । ଦୁଃଖ ହେଲା ମନରେ, ସନ୍ଧ୍ୟା ମୋତେ ଭୁଲ ବୁଝିଲା । ସନ୍ଧ୍ୟା ମୋର ସ୍ନେହର ମୂଲ୍ୟ ରହିଲା ନାହିଁ । ଆଉ ତାଙ୍କ ଘରେ ରହିବାକୁ ଭଲ ଲାଗିଲା ନାହିଁ । ଶରତକୁ କହିଲି, ମୁଁ କାଲି କଟକ ଚାଲିଯାଉଚି, ତୁ ପଛରେ ଆସିବୁ । ନିହାତି ଜିଦ୍‍ରେ ଶରତ ରାଜି ହେଲା । ତା’ପରେ ଦିନ ସକାଳେ । ଭୋରୁ ଉଠିପଡ଼ିଲି । କଟକ ଗାଡ଼ି ଧରିବାକୁ ହେବ । ଶରତ ଗାଁ ଠାରୁ ଦଶ ମାଇଲ ପରେ ଖୋର୍ଦ୍ଧାରୋଡ଼ ଷ୍ଟେସନ । ଶତର ମନ ଭାରି ଦୁଃଖ, ମୁଁ ତାକୁ ଛାଡ଼ି ଚାଲିଆସୁଥାଏ ବୋଲି । ଅଭିମାନରେ ମୋତେ କଥା କହୁ ନଥାଏ । ସେ ପାଖ ଘରୁ ମାଉସୀ (ଶରତର ମା) କହିଲେ, ସନ୍ଧ୍ୟା ଡାକୁଚି, ଇଚ୍ଛା ନ ଥିଲେବି ବାଧ୍ୟ ହୋଇ ଦେଖା କରିବାକୁ ଗଲି । ଭାବିଲି, କ୍ଷଣିକ ଦୁର୍ବଳତା ପାଇଁ ସନ୍ଧ୍ୟାଠାରେ କ୍ଷମା ମାଗିନେବି । ପାଖକୁ ଯାଇଁ କହିଲି, ସନ୍ଧ୍ୟା ଆଜି ମୁଁ ଯାଉଚି, କ୍ଷଣିକ ମୋହର ତମ ମନରେ ଅନେକ କଷ୍ଟ ଦେଇଚି, ସେଥିପାଇଁ ମୋତେ କ୍ଷମା ଦେବ । ଜାଣି ଜାଣି ମୁଁ ଭୁଲ କରିନି ସନ୍ଧ୍ୟା, ମୋତେ ଭୁଲ ବୁଝିବନି ।

ଏତିକି କହି ଚାଲି ଆସିଲା ବେଳେ ସନ୍ଧ୍ୟା ମୋର ହାତଟା ଧରି ଅଟକାଇ ଗୋଟିଏ କାଗଜ ପ୍ୟାକେଟ ମୋତେ ଦେଇ କହିଲା, ଏ ମଧ୍ୟରେ ଯା ଅଛି ସେ ସବୁ ମୋର ତମକୁ ସ୍ନେହ ଉପହାର । ତମେ ନିଶ୍ଚୟ ଆକୁ ଗ୍ରହଣ କରିବ । ତା’ର ସ୍ନେହର ପୁଟୁଳାଟି ରାଗରେ ଫେରାଇଦେଇ କହିଲି । ସନ୍ଧ୍ୟା ମୁଁ କ’ଣ ତମଠାରୁ ଉପହାର ପାଇବାର ଯୋଗ୍ୟ । କାହିଁକି ମୋତେ ଉପହାର କରୁଚ । ଏ ଉପହାର ତମେ ଆଉ କାହାକୁ ଦିଅ ସନ୍ଧ୍ୟା, ଯିଏ ତମରି ପରି ହୋଇଥିବ ଭାଗ୍ୟବାନ । ଏତିକି କହି ପଳାଇ ଆସିଲି । ଆଖି ମୋର ଅଶ୍ରୁ ସଜଳ ହୋଇ ଆସିଲା । ଶରତ ମୋତେ ଷ୍ଟେସନରେ ବିଦାୟ ଦେଇ ଫେରିଗଲା ।

ସେଇ ପୁରୁଣା କଟକ, ଟାଉନବସ୍ ହର୍ଣ୍ଣ ଦେଇ ଛୁଟି ଚାଲିଛି । ଦୁଇପାଖ ଦୋକାନରେ ଲୋକ ଗହଳି । ତା’ର ଭିତରେ ରେକ୍ସା ଘୋଡ଼ାଗାଡ଼ିର ଦୌଡ଼ । ହଷ୍ଟେଲରେ ଆସି ପହଞ୍ଚି ଦେଖେ ଅଧିକାଂଶ ପିଲା ଆସି ନାହାନ୍ତି । ୱେଷ୍ଟ ହଷ୍ଟେଲର ୭୨ନମ୍ବର ରୁମରେ ମୁଁ ଥାଏ । ପ୍ରଫୁଲ୍ଲ ଆସିଥାଏ । ମୋ ଆସିବାର ପାଞ୍ଚଦିନ ପରେ ଶରତ ଆସିଲା । ମୋତେ କିଛି କହୁ ନଥାଏ, ମୁହଁଟା ତା’ର ଶୁଖି ଯାଇଥାଏ । ତା’ ହାତଧରି ପଚାରିଲି, ଶରତ ମୋ ଉପରେ ସତ ସତ କ’ଣ ରାଗିଚୁ । ତା’ର ମଉଳା ମୁହଁରେ ହସର ରେଖା ଫୁଟି ଉଠିଲା । କହିଲା, ନାଁରେ ପ୍ରଭାତ ତୋ’ ଉପରେ ରହିବି କାହିଁକି । ଆସିଲାବେଳେ ସନ୍ଧ୍ୟାରେ ଦେହ ଅସୁସ୍ଥ ଥିଲା, ସେଇଥି ପାଇଁ ମନଟା ମୋର ସୁଖ ନାହିଁ-। ପଚାରିଲି, କ’ଣ ହୋଇଚି ? ତୋ’ ଆସିବା ଦିନ ସନ୍ଧ୍ୟାବେଳେ ତାକୁ ଜର ଆସିଲା । ତା’ପରେ ଦୁଇଦିନ ଧରି ଜରର ପ୍ରକୋପ ବାଢ଼ି ଚାଲିଲା । ସେଇ ଜର ବାଉଳାରେ ତୋତେ ସେ ଅନେକ ଖୋଜିଛି । ଡାକ୍ତର ଆସି ଔଷଧ ବ୍ୟବସ୍ଥା କଲେ, ତାପରେ ଜର ଆସ୍ତେ ଆସ୍ତେ କମି ଆସିଲା-। ମୁଁ ଆସିଲା ବେଳେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥିଲା, ବହୁତ କାନ୍ଦିଲା । କହିଲା, ପ୍ରଭାତ ବାବୁଙ୍କୁ କହିବେ ଚିଠି ଦେବେ ।

ଏତିକି କହି ସୁଟକେଶରୁ ଗୋଟିଏ ପ୍ୟାକେଟ ଓ ଚିଠିଖଣ୍ଡେ ମୋ ହାତକୁ ବଢ଼ାଇଦେଲା-। କହିଲା, ସନ୍ଧ୍ୟା ହୋଇଚି । ପ୍ୟାକେଟ ଦେଖିଲି, ଗୋଟିଏ ହାତ ତିଆରି ଗେଞ୍ଜି ଓ ଗୋଟିଏ ଫୁଲ ପଡ଼ିଥିବାର ରୁମାଲ । ରୁମାଲର ଗୋଟିଏ କରରେ ଲେଖା ଅଛି ‘ଭୁଲିବିନି’ ସନ୍ଧ୍ୟା-। ଚିଠି ଖୋଲି ପଢ଼ିଲି ।

ଆଦରର ପ୍ରଭାତ ବାବୁ,

ପ୍ରଣତି ନେବ, ମୋ ଉପରେ ରାଗି ଭାଇଙ୍କ ମନରେ କଷ୍ଟ ଦେଇ ସେ ଦିନ ତମେ ଚାଲିଗଲ । ତମେ ଯିବାପରେ ତମରି କଥା ଭାବି ଭାବି ମୋତେ ଆସିଲା ଜର । ମୋତେ ଭାରି କଷ୍ଟ ଲାଗିଲା । ତମେ ମୋର ସ୍ନେହ ଉପହାରଟି ଫେରେଇ ଦେଇଗଲ ।

ସେଦିନ ସେଇକଥାରେ ଯଦି ମୁଁ ଭୁଲ ବୁଝିଥାନ୍ତି ତେବେ ଉପହାରଟି ବା ଦେଇଥାନ୍ତି କାହିଁକି ? ସେଦିନ ରାତିର ଘଟଣା ପରେ ମୋତେ ତୁମ ପାଖକୁ ଯିବାକୁ ଭାରି ଲାଜ ମାଡ଼େ । କ’ଣ ଗୋଟାଏ ମୋର ଗତିପଥ ରୁଦ୍ଧ କରିଦେଇଥିଲା, ଏପରି କି ତମକୁ ଚାହିଁବାକୁ ବି ଲାଜ ମାଡ଼ୁଥିଲା, କିନ୍ତୁ ତୁମେ ଓଲଟା ବୁଝ ମୋ ମନରେ ଦାରୁଣ ଆଘାତ ଦେଲ, ଏପରିକି ମୋର ସ୍ନେହ ରଖିଲନି, କାଟିଦେଇ ଚାଲିଗଲ । ତୁମ ଭଳି ଉଚ୍ଚଶିକ୍ଷିତ ବାବୁଙ୍କ ଯୋଗ୍ୟ ନୁହେଁ ବୋଲି ସିନା, ମୋତେ ଘଟଣାରେ ଦୂରକୁ ଠେଲିଦେଲ, କିନ୍ତୁ ମୁଁ ତୁମ ଉପରେ ଟିକିଏ ହେଲେ ସନ୍ଦେହ କରିନି । ବରଂ ଅନ୍ତର ଦେଇ ଭଲ ପାଇଚି, ଦେଖିଲି ଦିନୁ ତମରି ସ୍ନେହ ରଜ୍ଜୁରେ ଆପେ ଆପେ ବାନ୍ଧିହୋଇ ଯାଇଚି । ହଉ ଆଜି ଏତିକି । ଦୁର୍ବଳ ହେତୁ ଆଉ କିଛି ଲେଖିପାରୁନି । ଭାଇଙ୍କ ଠାରୁ ମୋ ଉପହାର ଗ୍ରହଣ କରିବ ।

ସ୍ନେହର ସନ୍ଧ୍ୟା

ଚିଠିଟି ପଢ଼ି ସନ୍ଧ୍ୟା ଉପରୁ ସବୁ ରାଗ ଅଭିମାନ କୁଆଡ଼େ ମିଳାଇଗଲା । ସନ୍ଧ୍ୟାର ଅସୁସ୍ଥ ଖବର ଶୁଣି ଅନ୍ତରଟା ମୋର ବ୍ୟଥାରେ ଗୁମୁରି ଗୁମୁରି କାନ୍ଦି ଉଠିଲା । ମନ କହିଲା, ସନ୍ଧ୍ୟା ତୁ କ’ଣ ସତେ ସତେ ଶରତର ମଧୁମୟ ସନ୍ଧ୍ୟା ପରି ନିର୍ମଳ ଓ ମନୋହର । ତୋତେ କ’ଣ ମୁଁ ଭୁଲି ପାରିବି ।

ସନ୍ଧ୍ୟା କଥା ଭାବୁ ଦିନ ବିତି ଚାଲିଲା । ଚାରି ଦିନ ପରେ ଶରତ ପଚାରିଲା, ପ୍ରଭାତ, ସନ୍ଧ୍ୟା କତିକି ଚିଠି ଦେଇଚୁ । ମନାକଲି, ଶରତ କହିଲା, ରୋଗ ଶଯ୍ୟାରେ ସନ୍ଧ୍ୟା ମୋତେ ବାର ବାର କରି କହିଥିଲା । ମୋ ରାଣ ପ୍ରଭାତ ତୁ ଖଣ୍ଡେ ଚିଠି ଦେ । କେଜାଣି କାହିଁକି ମୋଠୁ ତୋତେ ଅଧିକ ଭଲ ପାଏ । ଚିଠିଦେବି ବୋଲି ଶରତକୁ ପ୍ରତିଶ୍ରୁତି ଦେଲି । ତା’ ପର ଦିନ ସନ୍ଧ୍ୟା ପାଖକୁ ଚିଠି ଖଣ୍ଡେ ଲେଖିଲି ।

ସପନ ରାଇଜର ରାଣୀଟି ମୋର,

ତୁ ଏଡ଼େ ସଜଫୁଟା ପଦ୍ମଫୁଲ ପରି ନିର୍ମଳ ବୋଲି ମୁଁ ଜାଣି ନଥିଲି । ସତେ ସନ୍ଧ୍ୟା ତୋର ସେଇ ଚିଠି ଖଣ୍ଡିକ ମୋର ସବୁ ରାଗ ଅଭିମାନକୁ ଚୂରମାର କରିଦେଇଚି । କାଲିପରି ଲାଗୁଚି, ଦେଖୁ ଦେଖୁ ଏହା ଭିତରେ ଦିନ ଏଗାରଟା କୁଆଡ଼େ ହସାଇ କନ୍ଦାଇ ହଜିଗଲାଣି । ଭାବି ବସିଲେ ଅତୀତରେ ଅଭୁଲା କଥା ମଣିଷ ଖାଲି ଭାବୁଥିବ ।

ସତେ ସନ୍ଧ୍ୟା ଏହି ସୁଦୂର ବିଦେଶରେ ତୋରି ସ୍ମୃତି ମୋର ହୋଇଚି ଆଗଚଲା ପଥର ପାଥେୟ । ତୋତେ ଛାଡ଼ି ଯେଉଁଦିନ ଚାଲିଆସିଲି, ନିତିଦିନିଆ ଏଇ ପୁରୁଣା କଟକରେ ପହଞ୍ଚି ମୋର ମନେ ହେଲା ଜୀବନ ବସନ୍ତର ସବୁ ସୁଷମା, ସବୁ ଗୌରବ ସତେ ଯେପରି କେଉଁଠି ହରାଇଆସିଲି । କେବେ ତୋ’ ସହିତ ଭେଟିବି ଜାଣେନା–ମୋ ରାଣ ଚିଠି ଦେବୁ ।

ତୋର ପ୍ରଭାତ

 

ଦେଖୁ ଦେଖୁ ଆଖି ପିଛୁଡ଼ା ପରି ଦିନଗୁଡ଼ା କୁଆଡ଼େ ଗଡ଼ିଗଲା । ସନ୍ଧ୍ୟା ବରାବର ଚିଠି ଦିଏ–ମୁଁ ମଧ୍ୟ ଚିଠି ଦେବାକୁ ଭୁଲେନା ।

 

ଛମାସ ପରେ–

 

ଦିନେ ରାତିରେ ଶରତ କହିଲା, ପ୍ରଭାତ କାଲି ଟିକେ ଏକ୍ସପ୍ରେସକୁ ଷ୍ଟେସନ ଯିବାକୁ ହେବ । ପଚାରିଲି, କାହିଁକି ? ଶରତ କହିଲା, ବାପା, ବୋଉ ଓ ସନ୍ଧ୍ୟା କାଲି କଟକ ଆସୁଛନ୍ତି ବୁଲି-। ସେ ଏଠି ମାସେ ପର୍ଯ୍ୟନ୍ତ ରହିବେ । ହଠାତ୍ ଅନ୍ତରଟା ମୋର ଅଜଣା ଆନନ୍ଦରେ ନାଚି ଉଠିଲା-

 

ଅନେକ ଦିନପରେ ସନ୍ଧ୍ୟା ସହିତ ସାକ୍ଷାତ ହେବ । ପ୍ରଥମ ଦେଖାରେ କ’ଣ କହିବି ଇମିତି ନାନାଆଡ଼ୁ ନାନା କଥା ଭାବୁ ଭାବୁ କେତେବେଳେ ଶୋଇପଡ଼ିଲି ଜାଣେନା, ତା’ ପରଦିନ ଏକ୍ସପ୍ରେସ ଗାଡ଼ିକୁ ଶରତ ଓ ମୁଁ ସାଥୀ ହୋଇ ଷ୍ଟେସନ ଆସିଲୁ । ସନ୍ଧ୍ୟା, ସନ୍ଧ୍ୟାର ବାପା ବନବିହାରୀ ବାବୁ ଓ ମା’ ସୁମିତ୍ରା ଦେବୀ ଠିକ୍ ସମୟରେ ଆସି ଷ୍ଟେସନରେ ପହଞ୍ଚିଲେ । ସାଥୀରେ ଗୋଟିଏ ଚାକର ଟୋକା ଆସିଥାଏ । ମୁଁ ମଉସା ମାଉସୀଙ୍କୁ ପ୍ରଣାମ କରି ପଦଧୂଳି ନେଲି । ସନ୍ଧ୍ୟା ହସି ହସି ମୋତେ ନମସ୍କାର ଜଣାଇଲା । ଶରତ ଏ ମଧ୍ୟରେ ଆସି ଘୋଡ଼ାଗାଡ଼ି ଠିକ୍ କରି ସାରିଥିଲା । ସମସ୍ତେ ବସି କାଠଗଡ଼ା ସାହି ଅଭିମୁଖେ ଚାଲିଲୁ । ମଉସା ମାଉସୀ ଶରତକୁ ମୋତେ ହଷ୍ଟେଲରେ ଖାଇବା ପିଇବା ପଢ଼ାପଢ଼ି କଥା ପଚାରୁଥାନ୍ତି; ଆମେ ସବୁ ଉତ୍ତର ଦେଉଥାଉ ।

 

ଗାଡ଼ିଆସି କାଠଗଡ଼ା ସାହି ବସା ପାଖରେ ଠିଆହେଲା । ସମସ୍ତେ ଭିତରକୁ ଗଲୁ, ସେ ଦିନ ଶରତକୁ ଓ ମୋତେ ସେଇଠି ରହିବାକୁ ପଡ଼ିଲା । ତା’ପରଦିନ ସକାଳେ ହଷ୍ଟେଲକୁ ଫେରି ଆସିଲୁ, ଆସିଲା ବେଳେ ମଉସା ମାଉସୀ କହିଲେ ସନ୍ଧ୍ୟା ବେଳକୁ ଦୁହେଁ ଆସିବ ।

 

କଲେଜ ସାରି ପାଞ୍ଚଟା ବେଳକୁ ଶରତ କହିଲା, ପ୍ରଭାତ ଚାଲ, ମୁଁ ମନାକଲି । କହିଲି, ପଢ଼ାପଢ଼ି ଅଛି–ତୁ ଏକା ଯା ଶରତ, କେଜାଣି କାହିଁକି ଶରତ ଆଉ ମୋତେ ବାଧ୍ୟ ନକରି ଚାଲିଗଲା । ମନାକଲି ସିନା କିନ୍ତୁ ମନଟା ପଡ଼ିଥାଏ ସନ୍ଧ୍ୟା କତିରେ, ତା’ର ସେଇ ଯଉବନର ତଳତଳ ରୂପ ଆଖି ଆଗରେ ବରାବର ଭାସି ଉଠୁଥିଲା । ରୁମ୍‍କୁ ଆସି ବହିଖୋଲି ପଢ଼ିବାକୁ ବସିଲି । ପଢ଼ିହେଲା ନାହିଁ–ପ୍ରତ୍ୟେକ ଅକ୍ଷର ଭିତରେ ଯେପରି ସନ୍ଧ୍ୟାର ଛବି ନାଚି ଉଠିଲା । ଭାବିଲି, ସନ୍ଧ୍ୟା କିଏ ସେ–କାହିଁକି ତାକୁ ମୁଁ ଭଲ ପାଇ ବସିଲି, ସେ କ’ଣ ସତେ ସତେ ମୋତେ ଭଲପାଏ ? ତାକୁ ନେଇ ମୁଁ କ’ଣ ସୁନାର ସଂସାର ଗଢ଼ିପାରିବି ? ପାଖରେ ଥିବା ଛାତ୍ରବନ୍ଧୁ ପ୍ରଫୁଲ୍ଲ ହଠାତ୍ ଚିତ୍କାର କରି ଉଠିଲା; କି ହୋ ବନ୍ଧୁ କ’ଣ ଭାବୁଚ ? ଭାବନାଟା ମୋର ଗୋଳମାଳ ହୋଇଗଲା ।

 

ତା’ ପରଦିନ ସକାଳେ, ଶରତ କହିଲା, ପ୍ରଭାତ ତୁ କାଲି ଗଲୁନୁ । ବୋଉ ଏବଂ ସନ୍ଧ୍ୟା ବାର ବାର ତୋ’ କଥା ପଚାରୁଥିଲେ । ଆଜି ତୋତେ ନିଶ୍ଚୟ ଯିବାକୁ ହେବ ।

 

ସନ୍ଧ୍ୟାବେଳକୁ ଦୁହେଁ ଖଣ୍ଡେ ସାଇକେଲରେ ରେକ୍ସା କରି ବସାରେ ପହଞ୍ଚିଲୁ । ମାଉସୀ କହିଲେ, କିରେ ପ୍ରଭାତ କାଲି ଆସିଲୁନି କାହିଁକି ? ସନ୍ଧ୍ୟା ପଚାରିଲା, ପ୍ରଭାତବାବୁ କାଲି କୁଆଡ଼େ ଥିଲେ କି ? ଏକାବେଳେକେ ଦୁଇଟା ପଶ୍ନର ଉତ୍ତର ଦେବାକୁ ଯାଇ ଅନ୍ୟୋପାୟ ନ ଦେଖି କହିଲି, ଦେହ ଭଲ ନଥିଲା । ସନ୍ଧ୍ୟା କହିଲା, ମିଛ, କଥା ମିଛ । ମାଉସୀ ଓ ଶରତ ହସିଲେ ।

 

କେଜାଣି ସେହିଦିନୁ ତୋତେ ଭୁଲିପାରିଲିନି, ବେଳେ ବେଳେ ମନହୁଏ ପଢ଼ା ସବୁ ଛାଡ଼ି ଛୁଟି ଯାଆନ୍ତି ତୋରି କତିକି, ସାଥୀରେ ଥାଆନ୍ତୁ ତୁ, ଆଉ ତୋରି ସୁନ୍ଦର ସଙ୍ଗୀତର ତାଳେ ତାଳେ ଜୀବନର ରିକ୍ତ ଅବସାଦ କେଉଁଆଡ଼େ ଉଭାଇଯାଆନ୍ତା, ଜୀବନ ସାଗରରେ ଭାସିଚାଲନ୍ତେ ଦୁହେଁ–ଦୂରରୁ ଦୂରକୁ । ଆହୁରି ଦୂରକୁ...ଦିଗବଳୟର ଆହୁରି ଅନ୍ତରାଳକୁ । ଯେଉଁଠି ନଥାନ୍ତା ଦୁଃଖ ଶୋକ, ବିରହ, ବିଚ୍ଛେଦ । ଥାଆନ୍ତା ଖାଲି ନବ ବସନ୍ତର ପୁଷ୍ପାଞ୍ଜଳି–ଆଉ ମିଳନର ମଧୁଭରା ଛନ୍ଦ-। ସନ୍ଧ୍ୟା କହିଲା ପ୍ରଭାତ ବାବୁ, ଆପଣ ଭାରିଦୁଷ୍ଟ, କ’ଣ ସବୁ କହୁଛନ୍ତି । ତା’ର ଅଧରରେ ସ୍ମିତ ହାସର ସଲାଜ ରେଖା, ସ୍ନେହର ସିକ୍ତ ତାଡ଼ନାରେ ତାକୁ ପାଖକୁ ଆଉଜାଇ ଆଣିଲି-। ମୁକ୍ତ ହେବାକୁ ସେ ଚେଷ୍ଟା କଲା । ମୁକ୍ତ ହେବା ପୂର୍ବରୁ ତା’ର ଗୋଲପୀ ମୁହଁର ସଜଶିରା ଲାଜରେ ନଇଁ ପଡ଼ିଲା ।

 

ତା’ପରେ ଜୀବନର ସୁଖଦୁଃଖ ଅନୁଭୂତିର କେତେ କଥା ପଡ଼ିଲା । ଘଡ଼ିରେ ଟଂ ଟଂ ହୋଇ ଦଶଟା ବାଜିଲା । ଏ ମଧ୍ୟରେ ଶରତ ଆସି ପହଞ୍ଚିଲା, ବିଦାୟ ନେଇ ହଷ୍ଟେଲକୁ ଫେରିଲି । ସେଦିନ ରାତିରେ ମୋଟେ ନିଦ ହେଲା ନାହିଁ–ସନ୍ଧ୍ୟା କଥା ଭାବୁ ଭାବୁ ରାତି ପାହିଗଲା । ପାହାନ୍ତାର ଶାନ୍ତ–ଶୀତଳ ବାଆ ମୋର ଯୌବନ ଜାଗ୍ରତ ପ୍ରାଣରେ ମୋହନ ପରଶ ବୁଲାଇ ଦେଇଗଲା ।

 

ତା’ ପରଦିନ ପାଞ୍ଚଟା ବେଳକୁ ଶରତ କହିଲା ଚାଲ ଆଜି ବୋଉ ଓ ସନ୍ଧ୍ୟା ପ୍ରଭୃତି ସିନେମା ଦେଖିଯିବେ । ତୋତେ ସାଥିରେ ନେବାକୁ ମୋତେ ବାର ବାର କରି କହିଛନ୍ତି । ବିନା ଅପତ୍ତିରେ ବାହାରି ପଡ଼ିଲି । କାରଣ ସନ୍ଧ୍ୟା ମଧ୍ୟ ମୋତେ ପୂର୍ବଦିନ ଅନୁରୋଧ କରିଥିଲା ।

 

ମାଉସୀ, ସନ୍ଧ୍ୟା, ଶରତ ଓ ମୁଁ ସମସ୍ତେ ସାଥୀ ହୋଇ ପ୍ରଭାତ ସିନେମାରେ ଫାଷ୍ଟ ସୋ ‘ମେଲା’ ଦେଖି ଫେରିଲୁ । ଛବିଟି ଅତି ହୃଦୟସ୍ପଶୀ ହୋଇଥିଲା । ବସାରେ ଆସି ପହଞ୍ଚିଲୁ । ସନ୍ଧ୍ୟା ଖାଇବାର ଯୋଗାଡ଼ କଲା । ଖାଇସାରି ଶରତ କହିଲା, ଆଜି ଏଇଠି ରହିଯିବା । ହଷ୍ଟେଲକୁ ଯିବା ନାହିଁ । ସନ୍ଧ୍ୟା ମଧ୍ୟ ଅନୁରୋଧ କଲା, ପ୍ରଭାତ ବାବୁ ଆଜି ଦିନକ ଏଇଠି ରହି ଯାଆନ୍ତୁ । ବାଧ୍ୟହୋଇ ରହିବାକୁ ପଡ଼ିଲା । ଶରତ ସହିତ ଗପ ସପ କରୁ କରୁ ଏଗାର ବାଜିଗଲା । ମାଉସୀ ସେପାଖ ଘରୁ ଡାକି କହିଲେ, ରାତି ଏଗାରଟା ବାଜିଲାଣି, ଗପ କ’ଣ ସରିବନି, ଶୋଇବ ଯାଅ । ସନ୍ଧ୍ୟାର ପାଖ ରୁମରେ ଶରତ ଓ ମୁଁ ଦୁହେଁ ଆସି ଶୋଇପଡ଼ିଲୁ । ଅଧଘଣ୍ଟା ପରେ ଶରତ ଗାଢ଼ନିଦ୍ରାରେ ଶୋଇ ପଡ଼ିଲା ।

 

ମୋତେ ନିଦ ହେଉ ନଥାଏ, ମନ ଭିତରେ ଚାଳିଥାଏ କେତେ–କେତେ ଭାବନାର ଝଡ଼ ତୋଫାନ, ସନ୍ଧ୍ୟା କ’ଣ ସତେ ସତେ ମୋତେ ଭଲ–ପାଏ, ଯଦି ମୋତେ ସେ ପର କରିଦିଏ, ତେବେ କାହିଁକି ଜାଣି ଜାଣି ମରୀଚିକା ପଛରେ ଦଉଡ଼ଛି । ପରକ୍ଷଣରେ ପୁଣି ଭାବେ, ନାଁ ସନ୍ଧ୍ୟା ମୋତେ ଏତେ ଭଲପାଏ । ସେ କ’ଣ ଏଡ଼େ ହୃଦୟହୀନ ହୋଇ ପଡ଼ିବ । ଶରତ ମୋର ଅତି ଆପଣାର ବନ୍ଧୁ–ସନ୍ଧ୍ୟାକୁ ଭଲପାଏ ବୋଲି । ସେ କ’ଣ ଜାଣେନାଁ ସେ କ’ଣ ଆମ ଦୁହିଁଙ୍କର ସ୍ନେହର ମୂଲ୍ୟ ବୁଝିବନି, ଭାବୁ ଭାବୁ ନିଦ ମୋଟେ ହେଲାନି–ଗରମ ବୋଧହେଲା, ବିଛଣାରୁ ଉଠି କୋଠାଛାତ ଉପରକୁ ପଳାଇ ଆସିଲି ।

 

ସେତେବେଳକୁ ଦଶମୀର ଚାନ୍ଦ ଆଡ଼ରୁଷା ଦେଇ ହସି ଉଠିଲାଣି, ଅନ୍ଧାର ଉପରେ ଆଲୁଅର ଲହଡ଼ି ଖେଳିଗଲାଣି । ରାତି ନିଶୂନ୍ । କେତେବେଳେ କେମିତି ଚନ୍ଦ୍ର ବିହ୍ୱଳିତ ପକ୍ଷୀର ରାବ ଶୁଣାଯାଉଚି, ଶାନ୍ତ ଶୀତଳ ସମୀର ବହି ଆଣୁଚି ପାଖ ଫୁଲକୁଞ୍ଜରୁ ସଜ–ସଉରଭ । ଭାରି ଭଲ ଲାଗିଲା ! ମୋତେ–ଛାତ ଉପରେ ବସି ଚାନ୍ଦିନୀରାତିର ଅପରୂପ ସୁଷମା ଦେଖି ମୁଗ୍ଧ ହୋଇପଡ଼ିଲି । ମନ କହିଲା, କି ସୁନ୍ଦର ରାତି–ସନ୍ଧ୍ୟା ଆସନ୍ତା କି ଏହି ମଧୁର ଚାନ୍ଦିନୀରାତି ଆହୁରି ମଧୁମୟ ହୋଇଉଠନ୍ତା । ସନ୍ଧ୍ୟାକୁ ପାଇବାକୁ ମନହେଲା । ମୋର ସାରା ଶରୀରରେ ଗୋଟାଏ କି ଉତ୍ତେଜନା ଖେଳିଗଲା ।

 

ତଳକୁ ଓହ୍ଲାଇ ଆସି ଦେଖେ ସନ୍ଧ୍ୟା ରୁମ୍‍ର ଦରଜା ଖୋଲା ଅଛି । ସ୍କ୍ରିନଟା ଟଣା ହୋଇଚି, ସ୍କ୍ରିନ ଟେକି ଭିତରକୁ ଗଲି । ବାତାୟନ ଦେଇ ମଲ୍ଲୀଫୁଲ ପରି ଶୁଭ୍ର ଚାନ୍ଦିନୀ ସନ୍ଧ୍ୟା ବଦନ ମଣ୍ଡଳରେ ବିଛାଡ଼ି ହୋଇ ପଡ଼ିଥାଏ । ସେ ଦିଶୁଥାଏ ଯେପରି ରୂପେଲି ରାଇଜର ଘୂମନ୍ତ ରାଜକୁମାରୀ । ଜୋଛନା ପରଶରେ ତା’ର ବଦନ ମଣ୍ଡଳରେ ଅସୀମ ରୂପର ଛଟା, ମନଟା ମୋର ପାଗଳ ହୋଇଉଠିଲା–ବିବେକ ଭୁଲିଗଲା, ତା’ର ଘୂମନ୍ତ ଗଣ୍ଡଦେଶରେ ଆଙ୍କିଦେଲି ସ୍ନେହର ସରୁ ଚୁମ୍ବନ । ସନ୍ଧ୍ୟାର ନିଦ ଭାଜିଗଲା । ସେ ଉଠିପଡ଼ି ମୋ ଆଡ଼କୁ ସନ୍ଦେହ ଦୃଷ୍ଟିରେ ଅନାଇଲା । କହିଲି ସନ୍ଧ୍ୟା ଚିହ୍ନି ପାରୁନା । ସନ୍ଧ୍ୟା କହିଲା, ପ୍ରଭାତବାବୁ ଆପଣ, କହିଲି, ସନ୍ଧ୍ୟା ନିଦ ହେଲାନି–ଛାତ ଉପରକୁ ପଳାଇ ଆସିଲି, ଚାନ୍ଦିନୀ ନିଶୀଥର ଅପୂର୍ବ ଶୋଭା ଦେଖୁ ଦେଖୁ ମନଟା ମୋର କ’ଣ ପାଇବାକୁ ପାଗଳ ହୋଇଉଠିଲା । ଦେଖେ ଦରଜା ଖୋଲା ଅଛି–ଚାଲି ଆସିଲି, ସନ୍ଧ୍ୟା ଭୟ ବିହ୍ୱଳିତ ସ୍ୱରରେ କହିଲା, କେହି ଦେଖି ନାହାନ୍ତି–ଭାଇ ପରା ଶୋଇଥିଲେ ଆପଣଙ୍କ ପାଖରେ, କହିଲି ଶରତ ଗାଢ଼ ନିଦରେ ଶୋଇ ପଡ଼ିଛି–ସେମାନେ ଦେଖିପାରିନି, ସତ କୁହ ସନ୍ଧ୍ୟା ମୋର ବ୍ୟବହାରରେ କ’ଣ କ୍ଷୁର୍ଣ୍ଣ ହୋଇଚ ?–ମୋତେ କ’ଣ ତମେ ପ୍ରାଣଭରି ଭଲ ପାଅନା ? ସନ୍ଧ୍ୟା କହିଲା, ମୁଁ ତୁମକୁ ଭଲପାଏ ବୋଲି ପଚାରି ମୋତେ ଲଜ୍ଜା ଦିଅନ୍ତୁ ନାହିଁ ପ୍ରଭାତବାବୁ, ସତକୁହ ମୋତେ ଆଜି ଯେପରି ତମେ ନିକଟରେ ପାଇବାକୁ ଜୀବନସଙ୍ଗିନୀ ରୂପେ ଗ୍ରହଣ କରିବ ତ ? କହିଲି, ସନ୍ଧ୍ୟା ତୋର ଦେହଛୁଇଁ ମୁଁ କହୁଚି ସବୁ ବାଧାବିଘ୍ନ ଏଡ଼ି ତୋତେ ମୁଁ ପାଇବାକୁ ଆଗେଇଯିବି–କିନ୍ତୁ ଜାଣି ଜାଣି ତମେ ଯଦି ମୋତେ ପର କରିଦିଅ–ତେବେ ? ସନ୍ଧ୍ୟା କିଛି କହିଲାନି–ଲାଜରେ ମୋ କୋଳକୁ ଢଳିପଡ଼ିଲା, ସନ୍ଧ୍ୟାର ଯା’ କିଛି ସବୁ ସେ ଆକୁଣ୍ଠିତ ଚିତ୍ତରେ ମୋତେ ଦାନ କରିଦେଲା ।

 

ସେହି ଚାନ୍ଦିନୀ ରାତିରେ ଜୀବନର ଲୁଚାଛପା ବେଦୀମୂଳେ ଦୁହେଁ ପ୍ରଥମଥର ପାଇଁ ଏକ ହୋଇ ମିଶିଗଲୁ । ଆମରି ମିଳନକୁ ସ୍ଵାଗତ କରି ଆକାଶରେ ଅଗଣନ ତାରା ପ୍ରଦୀପ ପରି ଜଳି ଉଠିଲା । ଚାନ୍ଦ ହସିଲା ମନଖୋଲା ହସ–ମାଙ୍ଗଳିକ ଗାଇ ଶାନ୍ତ ସମୀର ବହିଗଲା ଦୂରରୁ ଦୂରକୁ–ଯେଉଁଠି ଜନମାନବର ଠାବ ନାହିଁକି କୁଆ କୋଇଲିର ରାବ ନାହିଁ । ରାତି ଚାରିଟାବେଳକୁ ନିଜ ବିଛଣାକୁ ଫେରି ଆସି ଦେଖେ ଶରତ ସେମିତି କୁମ୍ଭକର୍ଣ୍ଣ ପରି ଶୋଇଚି । ଦେହ ଅବଶ ଲାଗିଲା–ଶୋଇ ପଡ଼ିଲି ।

 

ଇମିତି ଆମର ଲୁଚାଛପା ପ୍ରଣୟର ଗନ୍ଧବିଭୋର ଦିନଗୁଡ଼ା ବିତି ଚାଲିଲା । ସନ୍ଧ୍ୟା ପ୍ରଭୃତି କଟକ ଆସିବାର ମାସେ ହୋଇଗଲାଣି । ଦି’ଦିନ ପରେ ସେମାନେ ପୁଣି ବିଦାୟ ନେଇ ଫେରିଯିବେ ଗାଁକୁ । ମନଟା ଭଲ ଲାଗୁ ନଥାଏ, ସବୁବେଳେ ସନ୍ଧ୍ୟା କଥା ଭାବୁ ଭାବୁ ସମୟ ଗଡ଼ିଯାଉଥାଏ । ଯିବା ପୂର୍ବଦିନ ଛ’ଟା ବେଳକୁ ସନ୍ଧ୍ୟା ପାଖରେ ଯାଇ ପହଞ୍ଚିଲି । ସନ୍ଧ୍ୟା ମନ ମଧ୍ୟ ଭଲ ନଥାଏ, ମୋତେ ଦେଖି ତା’ର ମଉଳା ମୁହଁ ସତେଜ ହୋଇ ଉଠିଲା । ହସି ହସି କହିଲା, ପ୍ରଭାତବାବୁ କାଲିଠୁ ଆମକୁ ଭୁଲିଯିବେ, ଆଉ କ’ଣ ଆମ କଥା ମନେପଡ଼ିବ ? ମୁଁ କହିଲି, ସତେ ସେଇଥି ପାଇଁ ପର କରିଦେଇ ଚାଲିଯାଉଚ ଆଗତୁରା । ମାଉସୀ ଆସି ପହଞ୍ଚିଲେ । କହିଲେ, ପ୍ରଭାତ ଆମେତ କାଲି ଚାଲିଯିବୁ ଆଜି ଟିକେ ସନ୍ଧ୍ୟାକୁ ନେଇଯା ବୁଲେଇ ଆଣିବୁ । ସନ୍ଧ୍ୟା ଯିବା ପାଇଁ ବ୍ୟଗ୍ର ହୋଇପଡ଼ିଲା । ମାଉସୀ ଅନ୍ୟଆଡ଼େ ଚାଲିଗଲେ ।

 

ସୁନ୍ଦର ଗୋଲାପୀ ରଙ୍ଗର ଶାଢ଼ୀଟିଏ ପିନ୍ଧି ସନ୍ଧ୍ୟା ଆସିଲା, ଭାରି ସୁନ୍ଦର ମାନୁଥାଏ ତାକୁ, ସତେ ଯେପରି ସପନ ରାଇଜର ଅପରୂପ ଶିରୀ ନେଇ କେଉଁ ରାଜଜେମା ଆସି ପହଞ୍ଚିଲାକି-। ତା’ର ମୁଗ୍ଧ ଚକ୍ଷୁର ଚାହାଣୀ ମୋର ଯୌବନ ଜାଗ୍ରତ ପ୍ରାଣରେ ବୋଳିଦେଲା ମଧୁ ମାଦକତା-। ଦୁହେଁ ଆସି ଖଣ୍ଡେ ସାଇକେଲ ରିକ୍ସାରେ ବସିପଡ଼ିଲୁ । ରେକ୍ସା ଛୁଟିଲା କାଠଯୋଡ଼ି ଆଡ଼େ-। ସେତେବେଳକୁ ଦୂର ସେହି ଝଙ୍କାଳିଆ ବରଗଛ ସେପଟରୁ ଜହ୍ନ ହସି ଉଠିଲାଣି ।

 

କାଠଯୋଡ଼ି କୂଳରେ ରେକ୍ସା ଆସି ପହଞ୍ଚିଲା । ଦୁହେଁ ରେକ୍ସାରୁ ଓହ୍ଲେଇପଡ଼ି ନିଛାଟିଆ ନଦୀକୂଳରେ ଆସି ବସି ପଡ଼ିଲୁ । ଆକାଶରୁ ଜୋଛନାର ଅମୀୟ ପରଶ ଝରିପଡ଼ୁଥାଏ; କୁଳୁ କୁଳୁ ତାନରେ ଗାଇ ଯାଉଥାଏ ନଈ । ଶୀତଳ ସମୀର ବହି ଆସୁଥାଏ, ହୃଦୟର ସବୁ ଆବିଳତା ପୋଛିଦେଇ କହିଯାଇଥାଏ, ଜୀବନଟା ଶାନ୍ତି ଓ ସୌନ୍ଦର୍ଯ୍ୟର ଉତ୍ସ । ଦୂରରେ ଜ୍ୟୋତ୍ସ୍ନାସ୍ନାତ ପାହାଡ଼ ସବୁ ଅସ୍ପଷ୍ଟ ଦେଖା ଯାଉଥାଏ । ପ୍ରକୃତିର ସୌନ୍ଦର୍ଯ୍ୟ ଦେଖୁ ଦେଖୁ ମୁଗ୍ଧ ହୋଇପଡ଼ିଲି । ସନ୍ଧ୍ୟାକୁ ପାଖକୁ ଆଉଜାଇ ଆଣିଲି । ସନ୍ଧ୍ୟା ଲତାଟି ପରି ମୋ କୋଳରେ ଛନ୍ଦିହୋଇ ପଡ଼ିଲା । ଦୁଇଟି ଆତୃପ୍ତ ପ୍ରାଣର କେତେ ଅଫୁରନ୍ତ ଚିନ୍ତା, କେତେ ଉତ୍ତେଜନା ସେଇ ମୁହୂର୍ତ୍ତରେ ଏକାକାର ହୋଇଗଲା ।

 

ରାତି ଦଶଟା ବେଳକୁ ଦୁହେଁ ବସାକୁ ଫେରି ଆସିଲୁ । ମଉସା ମାଉସୀଙ୍କ ଠାରୁ ବିଦାୟ ନେଇ ପାଦଧୂଳି ନେଲି । ସନ୍ଧ୍ୟା ବିଦାୟ ନମସ୍କାର ଜଣାଇଲା । ଆଖି ତା’ର ଲୁହ ଛଳଛଳ । ସତେ ଯେପରି ମଝିରେ ପାହାଡ଼ ପରି ଗୋଟାଏ ଧକ୍କାରେ ଆମେ ଦୁହେଁ ହୋଇଗଲୁ ବିଚ୍ଛିନ୍ନ । ରାସ୍ତାରେ ଆସି ପହଞ୍ଚିଲା ବେଳକୁ ଆଖି ମୋର ହୋଇଥିଲା ଅଶ୍ରୁସିକ୍ତ, ଅନ୍ତରରୁ ବାହାରି ଆସିଲା ବୁକୁଭଟା ତପ୍ତ–ଦୀର୍ଘଶ୍ଵାସ ।

 

ତା’ପରଦିନ ଗାଡ଼ିରେ ସନ୍ଧ୍ୟା ଚାଲିଗଲା ଆଖିର ବହୁତ ଦୂରକୁ । ଲୁଚିଗଲା ତା’ର ଶାନ୍ତ ସ୍ନିଗ୍ଧ ସୌମ୍ୟ ବଦନ । ଯେଉଁଠିକି ଅନାଇଲେ ଆଖି ପାଇବ ନାହିଁ । ଖାଲି ଆଶା ହେବ ସାର–ସ୍ଵପ୍ନ ହେବ ଜୀବନର ଶାନ୍ତି ।

 

ଦିନପରେ ଦିନ ବିତିଗଲା–ପାଞ୍ଚଦିନ ।

 

ସନ୍ଧ୍ୟାର ଚିଠି ମୋର ବିରହ–ତପ୍ତ ପ୍ରାଣରେ ଆଣିଦେଲା ଟିକିଏ ଶାନ୍ତି । ଫାଇନାଲ ପରୀକ୍ଷାଟା ଖୁବ୍ ନିକଟହୋଇ ଆସୁଥାଏ–ସେଥିପାଇଁ ପଢ଼ାପଢ଼ିରେ ଟିକିଏ ଯତ୍ନ ନେବାକୁ ପଡ଼ୁଥାଏ ।

 

ମାସକ ପରେ । ଶରତ ଦିନେ ଘରକୁ ବାହାରିଲା । ପଚାରିଲ, କିରେ ଅସମୟରେ ଘରକୁ ଯିବାର ଉଦ୍ଦେଶ୍ୟ । ସେ କହିଲା, ଆମ ଗାଁରେ ‘ସମାଜ ସଂସ୍କାର ସମିତି’ର ତୃତୀୟ ବାର୍ଷିକ ଅଧିବେଶନ ବସିବ–ସେଥିପାଇଁ ମୋତେ ଯିବାକୁ ପଡ଼ିବ, ଚିଠି ଆସିଚି–ମୁଁ ନଗଲେ ଏଡ଼େବଡ଼ କାମଟା ହୋଇପାରିବ ନାହିଁ । ଆଗରୁ ଜାଣିଥିଲି ବନ୍ଧୁ ଶରତ ଆମର ଜଣେ ସମାଜ ସସ୍କାରକ ବିପ୍ଳବୀ ନେତା । ନିଜେ ସେ ଗାଆଁରେ ବହୁଶ୍ରମ ସ୍ଵୀକାର କରି ସମାଜ ସଂସ୍କାର ସମିତି ଗଢ଼ିଚି ଓ ନିଜେ ମଧ୍ୟ ତା’ର ପରିଚାଳକ । ଆଜି ପ୍ରକୃତରେ ବିପ୍ଳବୀ ନେତାଙ୍କର ପରିଚୟ ପାଇ ଭାରି ହସ ମାଡ଼ିଲା । ଶରତ କହିଲା, କିରେ ହସୁଚୁ–ଥଟ୍ଟା କରୁଚୁ ନା କ’ଣ । କହିଲି, ନାଁରେ ଭାଇ ଥଟ୍ଟା ନୁହେଁ–ତୋର ଆଜି ଏହି ଦୁର୍ବାର ଅଭିଯାନରେ ମୋର ଅନ୍ତରରେ ଆନନ୍ଦ ଆପେ ଆପେ କୂଳଲଙ୍ଘି ଆସୁଚି । ଶରତ ରାଗିଗଲା–କହିଲା, ଫାଜିଲି ତୋର ସବୁବେଳେ ସେଇ ପରିହାସ । କ୍ଷିପ୍ରଗତିରେ ପଳାଇଗଲା–ସତେ ଯେପରି ସେ ସମାଜର ସବୁ କୁସଂସ୍କାର ନେଇ ଅଳିଆ ଗଦାରେ ଫୋପାଡ଼ି ଦେବ ।

 

ଶରତ ଚାଲିଗଲାରୁ ମୋତେ ଖାଲି ଖାଲି ଲାଗୁଥାଏ ।

 

ଚାରିଦିନ ପରେ ସନ୍ଧ୍ୟାର ଚିଠି ପାଇଲି । ସେ ଲେଖିଥାଏ, ଭାଇଙ୍କୁ କାଲିଠୁ ଭାରି ଜର–ଘରେ କାହାରି ମନ ସୁଖ ନାହିଁ । ତମକୁ ଦେଖିବାକୁ ସବୁବେଳେ ଖୋଜୁଛନ୍ତି । ତମକୁ ନ ଦେଖି ମୋତେ ମଧ୍ୟ କିଛି ଭଲ ଲାଗୁନି । ଇମିତି କେତେ କଥା । ଶରତ ଅସୁସ୍ଥ ଖବର ଶୁଣି ମନ ବଡ଼ ବ୍ୟଗ୍ର ହୋଇଉଠିଲା । କ’ଣ ଗୋଟାଏ କାରଣ ନେଇ ତିନିଦିନ ପରେ କଲେଜ ଦି’ଦିନ ବନ୍ଦ ହେଲା । ଛୁଟି ପରଦିନକୁ ରବିବାର ପଡ଼ୁଥାଏ । ଏ ମଧ୍ୟରେ ଶରତର ଅବସ୍ଥା ନେଇ ଆଉ କିଛି ଖବର କିମ୍ଵା ଚିଠି ପାଇ ନଥାଏ । ବ୍ୟାକୁଳ ମନକୁ ଶାନ୍ତି ଦେବା ପାଇଁ ସେହିଦିନ ଗାଡ଼ିରେ ଶରତକୁ ଦେଖିବାକୁ ପଳାଇ ଆସିଲି ।

 

ଶରତ ମୋତେ ଦେଖି କୁଣ୍ଢାଇ ପକାଇଲା । ପଚାରିଲି, କିରେ ଦେହ ପରା ଅସୁସ୍ଥ ଥିଲା-?

 

ସାମାନ୍ୟ ଦି’ଦିନର ଜର ଛାଡ଼ିଗଲାଣି । ତଥାପି ଦୁର୍ବଳତା ଯାଇ ନାହିଁ ।

 

ସନ୍ଧ୍ୟା ଚିଠିରୁ ତୋର ଅସୁସ୍ଥ ଖବର ଶୁଣି ମନ ବଡ଼ ବ୍ୟାକୁଳ ହୋଇଉଠିଲା ତୋତେ ଦେଖିବାକୁ । ଯୋଗକୁ କଲେଜ ଦି’ଦିନ ପାଇଁ ଛୁଟିହେଲା, ପଳାଇ ଆସିଲି ।

 

ବେଶ୍ ଭଲକଲୁ । ସାଥିହୋଇ ଫେରିଯିବା । ସନ୍ଧ୍ୟାକୁ ଡାକି ଶରତ ମୋ ଖବର ବୁଝିବାକୁ କହି ଚାଲିଗଲା । ସନ୍ଧ୍ୟା ଆସି ନମସ୍କାର କଲା–ମୁହଁରେ ତା’ର ଛପିଲା ହସ । ମୁଣ୍ଡରେ ଶାଢ଼ୀ ଦେଇଥିବାରୁ ନବ ବଧୂପରି ଦେଖା ଯାଉଥାଏ । ତାହାର ଯୌବନ ଓ ମନରେ ଆସିଥାଏ ନୂତନ ପରିବର୍ତ୍ତନ । ହସ ମାଡ଼ିଲା ମତେ । କହିଲି, ବାଃ ଆଜିଠୁ ଏତେ ନବବଧୂ ପରି ବେଶ୍ କାହିଁକି ମ ? ସନ୍ଧ୍ୟା କହିଲା, ଯା ସବୁବେଳେ ଆପଣଙ୍କର ସେଇକଥା । ଆସନ୍ତୁ ସେ ଘରକୁ–ବୋଉ ଡାକୁଚନ୍ତି, ହାତଧରି ଟାଣି ଟାଣି ନେଇଗଲା ।

 

ମାଉସୀଙ୍କୁ ପ୍ରଣାମ କଲି । ମାଉସୀ ମୋର ଭଲମନ୍ଦ ବୁଝି ଶେଷକୁ ସନ୍ଧ୍ୟାକୁ କହିଲେ, ମା ପ୍ରଭାତର ଖାଇବା ପାଇଁ ଯୋଗାଡ଼ କର । ମାଉସୀ ଅନ୍ୟଆଡ଼େ ଚାଲିଗଲେ । ସନ୍ଧ୍ୟାକୁ ଆଡ଼ୁସାଡ଼ୁ କେତେ କଥା ପଚାରିଲି । ସନ୍ଧ୍ୟା ମୋ କଥାରେ ମୁଗ୍ଧରହି ଖାଇବାକୁ ଦେବାକଥା ଏକବାରେ ଭୁଲିଗଲା । କହିଲି, ସନ୍ଧ୍ୟା ଆଜି ତମେ ଯେପରି ସୁନ୍ଦର ଦେଖାଯାଉଚ–ଇମିତି କେବେ ମୁଁ ଦିନେ ପରିଚୟ ପାଇଲା ଦିନୁ ଦେଖିନି । ସତେ ସନ୍ଧ୍ୟା ତମେ ଯେପରି ଅଜଣା ଅଶୁଣା ଘରର ନବବଧୂପରି ଦେଖାଯାଉଚ । ମୋତେ ପରକରି ଅନ୍ୟ କାହାରି ଆପଣାର ହୋଇଯିବାକୁ ସଜ ହେଲଣି ନାଁ କ’ଣ ? ମୋର ଏହି କଥା ପଦକରେ ଅଭିମାନରେ ସନ୍ଧ୍ୟା ପଳାଇଯିବାକୁ ବସିଲା । ତା’ର କାନିଧରି ପାଖକୁ ଆଉଜାଇ ଆଣିଲି । କହିଲି, ସନ୍ଧ୍ୟା ଶୁଣ ମ । କ’ଣ କହୁନା–ତାର ଅଭିମାନ ଭରା ମୁହଁରେ ହସ ଫୁଟିଉଠିଲା । ସେପାଖ ଘରୁ ମାଉସୀ ଡାକିଲେ, ସନ୍ଧ୍ୟା ପ୍ରଭାତକୁ ଖାଇବାକୁ ଦେଲୁ । ସନ୍ଧ୍ୟା ପଳାଇଲା–କଥା ମୋର ଗଲା ଅଟକି ।

 

ଇମିତି ଦୁନିଆର ସବୁକଥା ରହିଯାଏ ଅଟକି–ତାର ଆଉ ପରିସମାପ୍ତି ଘଟେନା ।

 

ଦି’ଦିନ ପରେ । ବାହାରୁ ବୁଲିଆସି ଦେଖେ ଶରତ ଘରେ କେତୋଟି ଭଦ୍ରଅତିଥି ଆସି ପହଞ୍ଚିଛନ୍ତି । ମଉସା, ମାଉସୀ ଶରତ ତାଙ୍କରି ପରିଚର୍ଯ୍ୟାରେ ବ୍ୟସ୍ତ । ମନରେ ପ୍ରଶ୍ନ ଉଠିଲା ଏମାନେ ପୁଣି କିଏ ? ବୁଝିଲି ସନ୍ଧ୍ୟାର ବାହାଘର ଏଇ ଫାଲ୍ଗୁନରେ–ବରପିତା ଓ ତା’ର ଦାଦା ଏବଂ ଗାଁର କେତେକ ଭଦ୍ରବ୍ୟକ୍ତି ସନ୍ଧ୍ୟାକୁ ଦେଖିବାକୁ ଆସିଚନ୍ତି । ମାଉସୀ ଆସି କହିଲେ ସନ୍ଧ୍ୟା ବର କୁଆଡ଼େ ଦେଖିବାକୁ ଭାରୀ ସୁନ୍ଦର, ଗଲାବର୍ଷ ସେ ଆଇ.ଏ ପାଶକରି ଚାକିରୀ କରିଚି । ଏତେକଥା ଶୁଣିବାକୁ ମୋ’ର ଧୈର୍ଯ୍ୟଚ୍ୟୁତି ଘଟିଥିଲା । ସାରା ଶରୀର ମୋର ବ୍ୟଥାରେ ଅବଶ ହୋଇ ପଡ଼ିଲା । ଚାରିଆଡ଼ ଦିଶିଲା ଅନ୍ଧାର କିଟିକିଟି–ସତେ ଯେପରି ବାଟ ନାହିଁ–କେଉଁ ଅମୁହାଁ ଗହ୍ଵରରେ ପଥଭୁଲି ପଡ଼ିଯାଇଚି । ଆଖିରୁ ମୋର ଅଜଣାରେ ଅଶ୍ରୁ ଗଡ଼ିପଡ଼ିଲା ।

 

ମୋରି ଆଖି ଆଗରେ ସନ୍ଧ୍ୟାଆସି ସେମାନଙ୍କୁ ଦେଖା ଦେଲା । ସନ୍ଧ୍ୟାକୁ ଦେଖି ସେମାନେ ଖୁସି ହୋଇ ବାହୁଡ଼ିଗଲେ । ତା’ପର ଦିନ ମନର ସବୁ ସରାଗ ସବୁ ଉତ୍ତେଜନା ମଉଳି ଯାଇଥାଏ । ମାଉସା ମାଉସୀଙ୍କଠାରୁ ବିଦାୟ ନେଲି । ସନ୍ଧ୍ୟାର ବାହାଘରକୁ ଆସିବାକୁ ସେମାନେ ବାରବାର ତାଗିଦ୍ କରି କହିଲେ । ହଉ ବୋଲି କହିଲି ।

 

ସନ୍ଧ୍ୟାଠୁଁ ଶେଷ ବିଦାୟ ନେବାକୁ ଗଲି । ସେ ଶୁଖି କଳାକାଠ ପଡ଼ିଯାଇଥାଏ । ମୋତେ ଦେଖି କଇଁ କଇଁ ହୋଇ କାନ୍ଦି ଉଠିଲା । ହାତଧରି କହିଲି, ସନ୍ଧ୍ୟା ଦୁଃଖ କାହିଁକି କରୁଚ–ସତେ ସତେ ତମେ ଆଜି ଜିତିଚ–ମୁଁ ହାରିଚି । ମୋ ପାଦଧରି ସେ ଲୋଟିପଡ଼ିଲା । ତା’ କବଳରୁ ମୁକ୍ତହୋଇ ବାହାରକୁ ଆସିଲା ବେଳକୁ ଆଖି ମୋର ଅଶ୍ରୁ ସମ୍ବରଣ କରିପାରି ନଥିଲା ।

 

ଶରତ ଓ ମୁଁ ସେଇଦିନ କଟକ ଫେରି ଆସିଲୁ । ବାଟରେ ମୋତେ ଶରତ ବାରବାର ପଚାରିଲା, ପ୍ରଭାତ ସତକହ ତୋର କ’ଣ ହୋଇଚି ?–ତୁ ମନମାରି ବସିଲା ପିଲା ନୁହଁ ? କହିଲି, ନାଁରେ ହେବ କ’ଣ–ଦେହ ଭଲ ଲାଗୁନି । ଅନ୍ତର କହି ଉଠୁଥିଲା, ନିର୍ବୋଧ ବନ୍ଧୁ ପୁଣି ଏ ମୋର । ବନ୍ଧୁ ହୋଇ ଯେ ବନ୍ଧୁର ଅନ୍ତରକୁ ଚିହ୍ନି ନପାରେ ସେ ପୁଣି କି ବନ୍ଧୁ ।

 

ବାଇଶି ଦିନ ପରେ ଶରତ ଗାଆଁକୁ ଫେରିଗଲା । ସନ୍ଧ୍ୟାର ବାହାଘରକୁ ଯିବାକୁ ମୋତେ ବାର ବାର କରି ଅନୁରୋଧ କରିଗଲା । ଭାରି ରାଗ ହେଲା ମୋର ଶରତ ଉପରେ–ଯିବା ପର ଦିନ ଚିଠି ଖଣ୍ଡେ ଲେଖି ବସିଲି । ପ୍ରିୟ ଶରତ,

 

ତୁ ମୋ ଜୀବନର ସବୁଠାରୁ ଅନ୍ତରଙ୍ଗ ବନ୍ଧୁ । କିନ୍ତୁ ବନ୍ଧୁ ହୋଇ ତୁ ଆଜି ବନ୍ଧୁର ହୃଦୟ ଚିହ୍ନିପାରିଲୁ ନାହିଁ । ନିର୍ବୋଧ–ଜାଣି ଜାଣି ମୋ ଜୀବନରେ ତୁ ହା’ହୁତାଶ ଜାଳିଦେଲୁ । ତୁ କ’ଣ ଜାଣୁନାଁ ସନ୍ଧ୍ୟାକୁ ମୁଁ କେତେ ଭଲପାଏ ଓ ସନ୍ଧ୍ୟା ମଧ୍ୟ ମୋତେ ପ୍ରାଣଦେଇ ତା’ର ସବୁ କିଛି ମୋତେ ଦାନ କରିବାକୁ କୁଣ୍ଠାବୋଧ କରି ନାହିଁ । କାହିଁକି କେବଳ ତୋରି ଭରସାରେ । ତା’ର ଧାରଣା ଭାଇ ନିଶ୍ଚୟ ଭଉଣୀର ଜୀବନର କଥା ବୁଝିବ ।

 

କାହିଁ–ତୁ ଆଜି ଆମ ଦୁହିଁଙ୍କ ଜୀବନର ଏ ଜଟିଳ ପ୍ରଶ୍ନର ମୀମାଂସା କ’ଣ କଲୁ ? ଏବେ ବି ସମୟ ଅଛି ଶରତ–ତୁ ଏ ବିବାହ ବନ୍ଦ କର । ସନ୍ଧ୍ୟାକୁ ମୁଁ ବିବାହ କରିବାକୁ ପ୍ରସ୍ତୁତ ଅଛି । ପ୍ରକୃତ ବନ୍ଧୁ ହୋଇଥିଲେ ତୁ ହୃଦୟହୀନ ହେବୁ ନାହିଁ ।

 

ଚିଠିର ଉତ୍ତର ତା’ ଦିନପରେ ଶରତ ଠାରୁ ପାଇଲି । ସେ ଲେଖିଥାଏ–

 

ପ୍ରଭାତ,

 

ତୁ ଏଡ଼େ ସଂକୀର୍ଣ୍ଣ–ଘୃଣ୍ୟ ବୋଲି ମୁଁ ଜାଣି ନଥିଲି । ସନ୍ଧ୍ୟା ସହିତ ତୋର ବିବାହ ଅସମ୍ଭବ–ଏହା କଦାପି ହୋଇପାରେନା । ସନ୍ଧ୍ୟା ତୋତେ ଭଲପାଏନାଁ ମୁଁ ଭଲକରି ଜାଣେ । ତୁ ଆଡ଼ୁସାଡ଼ୁ ଲେଖିଦେଲେ ମୁଁ ବିଶ୍ୱାସ କରିବି–ଏହା କଳ୍ପନାତୀତ । ତା’ ଛଡ଼ା ତୁ ଆମଠାରୁ ଜାତିରେ କେଡ଼େ ଛୋଟ ଏହା ଜାଣିଚୁ କି ? ଆଜିଠାରୁ ତୋର ଆମ ଘର ମାଡ଼ିବା ସବୁଦିନ ପାଇଁ ବନ୍ଦ । କେବେ ହେଲେ ସାହସ କରି ସନ୍ଧ୍ୟାର ଶାନ୍ତିପଥରେ ଅନ୍ତରାୟ ସୃଷ୍ଟି କରନାହିଁ ବନ୍ଧୁ । ସାବଧାନ ।

 

ଶରତର ଚିଠି ପାଇ ମୋତେ ଭାରି ହସ ମାଡ଼ିଲା । ମୁଁ ଛୋଟଲୋକ–ସେ ବଡ଼ ଲୋକ-। ଏକ ଜାତି–ତହିଁରେ ପୁଣି ବଡ଼ ଛୋଟ । ହାୟରେ ଦୁର୍ଭାଗ୍ୟ । ମନ କହୁଥିଲା ଶରତ ଆଜି ଯଦି ସମ୍ମୁଖରେ ପଡ଼ନ୍ତା–ତେବେ ତା’ର କାନଧରି ପଚାରନ୍ତି, ତୁ ପରା ସମାଜ ସଂସ୍କାରକ ବିପ୍ଳବୀ ନେତା । ତୋଠାରେ ପୁଣି ବଡ଼ ଛୋଟ ବିଚାର ଅଛି ?

 

ସେହିଦିନ ସନ୍ଧ୍ୟାର ଗୋଲାପି ରଙ୍ଗର ଲଫାପାରେ ଥିବା ବିବାହର ନିମନ୍ତ୍ରଣ ପତ୍ରଟି ମିଳିଲା । ସତେ ଯେପରି ସେଇ ନିମନ୍ତ୍ରଣ ପତ୍ର ମୋତେ ଉପହାସ କରି ଉଠିଲା । ଭାରି ରାଗ ହେଲା ମୋର–ଟିକି ଟିକି କରି ଚିରି ଫୋପାଡ଼ି ଦେଲି ।

 

ସନ୍ଧ୍ୟାର ବାହାଘର ହୋଇଗଲା । ମୋର ବଡ଼ ବଡ଼ କଳ୍ପନା ପାଣି ଫୋଟକା ପରି ମିଳାଇ ଗଲା । ମନ କୁହେ, ସନ୍ଧ୍ୟା କ’ଣ ସତେ ସତେ ମୋତେ ଭୁଲିଗଲା । ଅନ୍ତରରୁ କିଏ ଯେପରି ଉତ୍ତର ଦିଏ–ସନ୍ଧ୍ୟା ଭୁଲିପାରିବ ନାହିଁ–ସେ ତୁମର ।

 

ଇମିତି ଦୁଃଖ ନୈରାଶ୍ୟରେ ଦିନ ଗଡ଼ିଚାଲିଗଲା ।

 

ଶରତ ଏ ମଧ୍ୟରେ ଫେରି ଆସିଥାଏ । କଥା ବି ପଦେ କୁହେନା । ମୋର ଜଳିଲା ହୃଦୟ ବି ତା’ ସହିତ ଆଉ ବନ୍ଧୁତା କରିବାକୁ ଚାହେଁନା ।

 

ପରୀକ୍ଷା ଖୁବ୍ ପାଖେଇ ଆସିଲା । ଭଲ ପଢ଼ିପାରିଲି ନାହିଁ । ସନ୍ଧ୍ୟା ବିରହରେ ମୋର ଭଗ୍ନପ୍ରାଣ ସବୁବେଳେ ସାଥୀହରା କପୋତ ପରି ବାହୁନୀ ଉଠିଲା । । ପରୀକ୍ଷା ଦେବି କି ଦେବି ନାହିଁ–ଇମିତି ପରିସ୍ଥିତିରେ ପଡ଼ି ପରୀକ୍ଷାଟା ଦେଇଦେଲି ।

 

ମୁଣ୍ଡ ଉପରେ ମସ୍ତବଡ଼ ବୋଝ ପରୀକ୍ଷା ଶେଷ କରି ଗାଁକୁ ଫେରିବା ପଥରେ ଯାତ୍ରୀ ହେଲି ।

 

ଗାଁ ନିକଟ ହୋଇ ଆସିଲା–ଅନ୍ତର ମୋର ଅଜଣା ପୁଲକରେ ନାଚି ଉଠିଲା । ଦୁର ଆମ୍ବ ପୁଲଙ୍ଗ ବନରେ ଲୁଚିଯାଇଥିବା ଗାଁର ସେହି ରାସ୍ତା ଉପରେ ଚାଲିଥାଏ ପଲ୍ଲିଶ୍ରୀର ଅପରୂପ ବିଭବ ଦେଖି ଦେଖି । ସେ ପାଖରେ ନଈର ମୃଦୁ ମୃଦୁ କୁଳୁ କୁଳୁ ତାନ–ନଈପଠାରେ ଛଣଫୁଲର ମନଖୋଲା ହସ–ଏପାଖରେ ଗାଁର ଘେରିବନ୍ଧ–କରରେ ସୁନ୍ଦର ଦେବଦାରୁ କୁଞ୍ଜ ଦୂରକୁ ଆଖି ପକାଇଲେ ଦେଖାଯାଏ ଶାସନ ଗାଁ–ବ୍ରାହ୍ମଣ ବସ୍ତି । ଆଉ ସେଇ ମଶାଣି–ଯେଉଁଠି ଜୀବନ ଫୁଲ ନିତି ଝଡ଼େ, ଆଉ, ଆଉ ଫୁଟେନା । ପ୍ରକୃତିର ଶରତ ଚିତ୍ରଣ ଦେଖୁ ଦେଖୁ ଆଗେଇ ଚାଲିଲି ଗାଁ ଭିତରକୁ ।

 

ଗାଁ ମୁଣ୍ଡ ଝଙ୍କା ବରଗଛ । ବରଗଛକୁ ଲାଗି ଏକ ବଡ଼ ପୋଖରୀ । ପୋଖରୀ ହୁଡ଼ା କରକୁ ଲାଗି ରାସ୍ତା । ସେହି ରାସ୍ତା ଉପରେ ଚାଲୁ ଚାଲୁ ହଠାତ୍ ଗତି ମୋର ମନ୍ଥର ହୋଇ ଆସିଲା । ଚାହିଁଦେଖେ ସଦ୍ୟ ବିକଚ ଶିଶିର ସ୍ନାତା’ ଶତଦଳ ପରି ଗୋଟିଏ ସୁନ୍ଦରୀ କିଶୋରୀ ମୋ ଆଡ଼କୁ ଅନାଇ ରହିଚି । ମୁଗ୍ଧଚକ୍ଷୁରେ ତାରି ଆଡ଼କୁ ଚାହିଁବା ମାତ୍ରେ ତା’ର ଚକ୍ଷୁ ସହିତ ମୋର ଚକ୍ଷୁ ବିନିମୟ ହୋଇଗଲା । ଲାଜରେ ସେ ମୁହଁ ତଳକୁ କଲା । ତୁଠ ଉପରେ ବସିଥିବା ସାନ ଝିଅଟି ଡାକିଲା । ଲତା ଅପା ଆସ ମ, ଭାରି ଉଛୁର ହେଲାଣି–ବୋଉ ଗାଳିଦେବ । ଯୁବତୀଟି ଗାଧୋଇ ସାରିଥିଲା–ତର ତର ହୋଇ ଲୁଗା ଚିପୁଡ଼ି ମୋରି ଆଗେ ଚାଲିଗଲା ।

 

ମନରେ ପ୍ରଶ୍ନ ଉଠିଲା ବିଦ୍ୟୁତ୍ ବରନା କମନୀୟ–କାନ୍ତି ନେଇ ଫୁଲ୍ଲ କମଳିନୀ ପରି ଏ କିଶୋରୀଟି ପୁଣି କିଏ ? ଆକୁ ତ କେବେ ମୁଁ ଦେଖି ନାହିଁ । ଭାବୁ ଭାବୁ ଘରେ ଆସି ପାଦଦେଲି । ମୋତେ ଦେଖି ବୋଉ ମୋର ଆନନ୍ଦରେ ଫୁଲିଉଠିଲା–ସାନ ଭଉଣୀ ମିନା ଭାଇଭାଇ ବୋଲ କହି କୁଣ୍ଡେଇ ପକାଇଲା । ସତେ ଯେପରି ସେ ତା’ର ବହୁ ଦିନର ଇପ୍ସିତ ଧନ ଆଜି ଫେରିପାଇଚି-। ମିନାକୁ କୋଳକୁ ନେଇ ସବୁ ସରାଗ ଅଜାଡ଼ିଦେଲି ।

 

ଦିନପରେ ଦିନ ଗଡ଼ିଗଲା–ଚାରିଦିନ ।

 

ଖରାବେଳେ ମୁଁ ଖାଇସାରି ଖଟଉପରେ ଆରାମ ନେଉଥାଏ । ବୋଉ ଆସି ହସି ହସି କହିଲା, ପ୍ରଭାତ ତୋର ବାହାଘର ମୁଁ ଠିକ୍ କରିଚି । ବାପା କହୁଥିଲେ, ଏଇ ଆସନ୍ତା ଫଗୁଣରେ ବାହାଘର ଶେଷ କରିବାକୁ । ତୋର ମତ କ’ଣ ? ବାହାଘର ନାଁ ଟା ଶୁଣି ମୋର ସାରା ଶରୀର ତୀବ୍ର ବେଦନାରେ ଅବଶ ହୋଇଗଲା । ମନରେ ଉଇଁ ଆସିଲା ସନ୍ଧ୍ୟା ଯା’କୁ ନେଇ ମୁଁ ସାରା ଜୀବନକୁ ସୁନାର ସୌଧ ଗଢ଼ୁଥିଲି, ସେ ପୁଣି ଗୋଟାଏ ଧକ୍କାରେ ମୋର ସୁନାର କଳପନାକୁ ଭାଙ୍ଗି ଚୁରମାର କରିଦେଲା । ପୁଣି ସେଇ ବାହାଘର । ଅନ୍ତରରେ ବ୍ୟଥା ଚାପି ହସି ହସି କହିଲି, ଛି ବୋଉ ଏତେ ଚଞ୍ଚଳ ବାହାଘର ପାଇଁ କାହିଁକି ବ୍ୟସ୍ତ ହେଉଚୁ । ଦିନ କ’ଣ ପଳାଇଯାଉଚି । ବୋଉ କହିଲା, ଦିନ ପଳାଇ ଯାଉନି ଯେ–ଯେଉଁଠି ତୋର ବାହାଘର ଲାଗିଚି ସେମାନେ ବଡ଼ବ୍ୟସ୍ତ କରୁଛନ୍ତି । ଅନେକ ଦିନ ଅପେକ୍ଷା କଲେଣି । ଆଉ ବେଶୀ ଡେରି କଲେ ସେମାନେ ଅନ୍ୟଠି ବାହାଘର କରିଦେବେ । ହସି ହସି କହିଲି, କିନ୍ତୁ ତୋ’ ପୁଅକୁ କ’ଣ କେଉଁଠି ଝିଅ ମିଳିବନି । ବୋଉ କହିଲା, ମିଳିବ ନାହିଁ କି ତେବେ ଲତାପରି ଝିଅଟା ଆଉ ପାଇବି ନାହିଁ–କି ସୁନ୍ଦର କଥା–ଡଉଲ ଡାଉଲ ରୂପଲକ୍ଷ୍ମୀଟି ପରି–ତାକୁ ମୁଁ ବହୁ ରୂପେ ପାଇଲେ ଭାରି ଖୁସୀ ହେବି ପ୍ରଭାତ–ମନାକରନାଁ । ଦେଖିଲି ବୋଉର ହୃଦୟ ଲତା ପ୍ରତି ଭାରି ଆସକ୍ତ । ଆଉ ମୁଖରୁ ସୁନ୍ଦରୀ ବାଳିକାଟିର ପ୍ରଶଂସା ଶୁଣି ଅନ୍ତର ପରିଚୟ ପାଇଁ ତୀବ୍ର ତାଡ଼ନା ଦେଲା । ପଚାରିଲି ଲତା କିଏ ? କେଉଁଠି ତାଙ୍କ ଘର ?

 

ଏଇ ଆମ ସୁରବାବୁଙ୍କ ନାତୁଣୀ ମ । ତାଙ୍କ ପୁଅ ଗୌରମୋହନ କଟକର ବଡ଼ ଡାକ୍ତର-। ତାଙ୍କରି ଝିଅ ଲତା । ତୁ ତାକୁ ଦେଖିବୁ କେଉଁଠୁ । ସେ ତ ସବୁବେଳେ ସେଇ କଟକରେ ଥାଆନ୍ତି-। ଲତାର ଜନ୍ମ ମଧ୍ୟ ସେଇ କଟକରେ । ଏଇ ମାସେ ହେବ ଲତା ଓ ତା’ ମା ଗାଁକୁ ଆସିଛନ୍ତି-। ସୁରବାବୁଙ୍କ ଭାରି ଇଚ୍ଛା ତୋ’ ସହିତ ଲତାର ବାହାଘର କରିବାକୁ । ବଳେ ବଳେ ସେମାନେ କେତେ ଜିଗର ଆସି ଲଗାଉଛନ୍ତି–କହିନି ବାପା ଏ ସୁଯୋଗ କିଏ ଛାଡ଼େ ?

 

ବୋଉ କଥା ଶୁଣି ମୋର ସେଦିନ ପୋଖରୀତୁଠ କଥା ମନେ ପଡ଼ିଲା–ମନ କହି ଉଠିଲା ବୋଧହୁଏ ସେଇ ଝିଅଟି ଲତା, ବୋଉକୁ କହିଲି, ହଉ ସେ ବେଳେ ତ ଅଛି । ତୁ ଯେଉଁଥିରେ ଏତେ ସୁଖୀ ହେବୁ ଭାବୁଚୁ–ସେଥିରେ ମୋର କିଛି ଆପତ୍ତି କରିବାର ନାହିଁ । ବୋଉ ହୃଦୟ ଅଜଣା ପୁଲକରେ ଭରି ଉଠିଲା । ମୋତେ କୋଳକୁ ନେଇ କହିଲା, ସୁନା ପୁଅଟି ମୋର–

 

ଦି’ଦିନ ପରେ । ସେଦିନ ଥାଏ ଲତାର ଜନ୍ମଦିନ । ସୁରବାବୁ ଅନେକ କରି କହିଯାଇଛନ୍ତି ମୋତେ ତାଙ୍କ ଘରକୁ ଯିବାକୁ । ଇଚ୍ଛା ନଥିଲେ ବି ସଧ୍ୟାବେଳେ ବୋଉ ଆସି ବାଧ୍ୟକରି କହିଲା, ବାପଟା ପରା ଯା, ନ ଗଲେ ସେମାନେ ଭାରି ଦୁଃଖ କରିବେ ।

 

ତାଙ୍କଘରେ ପହଞ୍ଚିବା ମାତ୍ରେ ସୁରବାବୁ ଆସି ହସି ହସି ମୋତେ ଘରକୁ ଡ଼ାକିନେଲେ । ଲତାର ମା’ ଆସି ପହଞ୍ଚିଲେ, ପ୍ରଣାମ କରି ପଦଧୂଳି ନେଲି । ସେ ହସି ହସି କହିଲେ, ଏତେଦିନ ହେବ ଆସିଲାଣି, ଆଜି ମନେପଡ଼ୁଚି ନା । ଏତିକି କହି ଡାକିଲେ, ଲତା, ଲତା । ସରଗର ଅମୀୟ ସୁଷମା ଝରାଇ ଲତା ଆସି ମୋତେ ପ୍ରଣାମ କଲା । ତା’ର ସ ସ୍ନିଗ୍ଧ କୋମଳ ମୁଖରେ ଲାଜ ବିଜଡ଼ିତ ହସଟିଏ ଖେଳିଗଲା । ତା’ ଆଡ଼କୁ ଅନାଇବା ମାତ୍ରେ ତା’ର ବିଦ୍ୟୁତ୍ କମଳ ଦୃଷ୍ଟି ସହିତ ମୋର ଚକ୍ଷୁର ମିଳନ ହୋଇଗଲା । ଲାଜ ଲାଜ ହୋଇ ସେ ଡାକିଲା, ଆସନ୍ତୁ, ପଛେ ପଛେ ଚାଲିଲି ।

 

ସେପାଖ ଘରେ ଖାଇବାର ଯୋଗାଡ଼ ହୋଇଥାଏ । ଲତା ଅନୁରୋଧ କଲା ଖାଇବାକୁ-। ଯନ୍ତ୍ରଚାଳିତ ପରି ଖାଇସାରି ଉଠିପଡ଼ିଲି । ଲତା ପାନ ଆଣି ଯାଚିଲା । ମନାକଲି, ମୁଁ ଖାଏନା-। ସେ ହସି ହସି କହିଲା, ଏତେ କଷ୍ଟ କରି ଆପଣଙ୍କ ପାଇଁ ପାନ ଖଣ୍ଡ ଭାଙ୍ଗିଆଣିଚି, ଖାଇବେ ନାହିଁ, ମୁଁହରେ ତା’ର ଅଭିମାନର ଛାପ । କହିଲି, ହଉ ଦେ ଲତା । ସେ ପାନ ଖଣ୍ଡ ମୋ ପାଟିରେ ଖୁଆଇଦେଇ ଖାଲି ମୁଗ୍ଧଦୃଷ୍ଟିରେ ଅନାଇ ରହିଲା । ତାରି ମୁହଁକୁ ଚାହିଁବା ମାତ୍ରେ ଆଉଜଣଙ୍କ କଥା ମନେପଡ଼ିଲା । ଇମିତି ସେ ମୋତେ ତାରି ମୁଗ୍ଧ ଚାହାଣୀରେ ଦିନେ ପାଗଳ କରି ଦେଇଥିଲା-। ନିଜର ବିବେକ ସମ୍ମାନ ସବୁ କିଛି ବଳି ଦେଇଥିଲି ତା’ର ପଦତଳେ । କିନ୍ତୁ ପରିଣାମରେ ପାଇଲି ଧକ୍କା, ଗୁରୁ ଆଘାତ । ଜୀବନ ଇତିହାସର ସେ ବି ଗୋଟାଏ ବଡ଼ ଅଧ୍ୟାୟ ।

 

ଲତା ସନ୍ଧ୍ୟାରୁ ତେର ସୁନ୍ଦରୀ । ଯେ କୌଣସି ଯୁବକ ଲତାକୁ ଚାହିଁବା ମାତ୍ରେ ଭୁଲିଯିବ-। କହିଲି, ଲତା ମନେ ଅଛି ସେଦିନ କଥା, ତମ ସାଥୀରେ ମୋର ସେଇ ପୋଖରୀ ତୁଠରେ ପ୍ରଥମ ମଧୁର ଆଖିର ପରିଚୟ । ଲତା ହସିଲା ।

 

“ମୋର ମନେ ହେଲା ସୌନ୍ଦର୍ଯ୍ୟର ଅପରୂପ ବିଭବନେଇ ଏ ଷୋଡ଼ଶୀଟି ପୁଣି କିଏ ? ଆକୁ ତ କେବେ ମୁଁ ଦେଖି ନାହିଁ । ଯେଉଁଦିନ ବୋଉଠୁ ତମ ପରିଚୟ ପାଇଲି, ସେଦିନ ମୋର ଯେପରି ମନେହେଲା, ଆମେ ଦୁହେଁ ଦୁହିଁଙ୍କୁ ଦେଖିବା ପାଇଁ ଯେପରି ହୃଦୟରେ ଥିଲା ଏକ ବ୍ୟାକୁଳ ପ୍ରତୀକ୍ଷା । ଲତା କହିଲା, ବୋଉଠୁ କେତେ ଆପଣଙ୍କର ଯଶୋଗାନ ଶୁଣିଚି, ମନେ ମନେ ଭାବେ କେବେ କେଉଁ ଦିନ ଆଉ ଦେଖାହେବ । ଦେଖିବି କିପରି ସେ ।” ମୋର ପରିଚୟ ଓ ମୋତେ ବନ୍ଧୁରୂପେ ପାଇ ତମେ ସୁଖୀ ହୋଇଚ ଲତା ? ପଚାରିଲି । ସେ ମୁରୁକି ମୁରୁକି ହସିଲା, ଉତ୍ତର ଦେବାକୁ ଲାଜ ଲାଜ ହେଲା । ଏହାପରେ ସୁଖଦୁଃଖ ଆଳାପ ଆଲୋଚନା ଭିତରେ କେତେ ଘଣ୍ଟା ବିତିଗଲା ।

 

ବିଦାୟ ନେଇ ଫେରିଆସିଲି ମୋର ଯୌବନ ଭାରାକ୍ରାନ୍ତ ଜୀବନରେ ଆଉ ଏକ ରୂପସୀର ସ୍ମୃତିକୁ ଆଗଚଲା ପାଥେୟ କରି ।

 

ଏହାପରେ ମୁଁ ନ ଗଲେ ମଧ୍ୟ ଲତା ଆପଣା ଇଚ୍ଛାରେ ଆମ ଘରକୁ ଚାଲିଆସେ । ବୋଉ ଭାରି ଖୁସିହୁଏ । ଲତା ବି ବଳେ ବଳେ ବୋଉକାମରେ ସାହାଯ୍ୟ କରେ–ମୋ ଖବର ବୁଝେ । ଯଉବନ ପରଦା ଉପରେ ଲତାର ସ୍ନେହ–ସହାନୁଭୂତିର ଦାନ ଛବିଳ ହୋଇଉଠେ । ଇମିତି ବଳେ ବଳେ ପର ଆପଣାର ହୋଇଯାଏ । ମଣିଷ ଭୁଲିଯାଏ–କ୍ଷଣିକ ମୋହରେ; ଅନ୍ଧ ହୋଇ ପରକୁ ନିଜର କରିନିଏ ।

 

ପରୀକ୍ଷା ଫଳ ବାହାରିଲା । କିନ୍ତୁ ଦୁର୍ଭାଗ୍ୟ ମୋର । ଯା କଳ୍ପନା କରିଥିଲେ ସେଇଆ ହେଲା–ବି. ଏ. ପରୀକ୍ଷାରେ ଫେଲ ହେଲି । ମୋର ଛାତ୍ର ଜୀବନରେ ଗୋଟିଏ ମସ୍ତବଡ଼ କଳାଦାଗ ପଡ଼ିଲା । ବାପା, ବୋଉ ଭାରି ଦୁଃଖିତ ହେଲେ । ମୋତେ ମଧ୍ୟ ଭାରି କାନ୍ଦ ମାଡ଼ିଲା । ଲତାଙ୍କ ଘରେ ଏ ଖବର କେହି ପାଇନଥାନ୍ତି । ଫଳ ବାହାରିବା ପରଦିନ ସକାଳେ ମୁଁ କଟକ ପଳାଇ ଆସିଲିପୁଣି ସପ୍ଲିସେଣ୍ଟାରୀ ପରୀକ୍ଷା ଦେବା ସ୍ଥିର କଲି ।

 

ଶରତ ବି.ଏ. ପାସ୍ କରି ଏମ୍.ଏ. ପଢ଼ିବାକୁ ଆଲାହାବାଦ ଚାଲିଗଲା । ତା’ ସହିତ ପରୀକ୍ଷା ପରେ ଆଉ ଦେଖା ହେବାର ସୁଯୋଗ ବି ଜୁଟିଲା ନାହିଁ ।

 

ମନେ ମନେ ଭାବୁଥାଏ କାହାପାଇଁ ମୁଁ ଆଜି ଫେଲ ହେଲି । ନିର୍ବୋଧ ଶରତ ଏହା ବି ଟିକେ ବୁଝିଲା ନାହିଁ–କି ଆଲାହାବାଦ ଯିବା ପୂର୍ବରୁ ବନ୍ଧୁବୋଲି ଥରେ ସାକ୍ଷାତ ବି କଲା ନାହିଁ । ଏହା କ’ଣ ସେଇ ନିବିଡ଼ ବନ୍ଧୁତାର ପରିଚୟ !

 

ଆଉ ସନ୍ଧ୍ୟା । ବାହାଘର ପରେ ସେ କ’ଣ ସବୁ ସ୍ମୃତି ମନରୁ ପୋଛି ପକାଇଲା । ଖଣ୍ଡେ ଚିଠି ବି ସୁଦ୍ଧା ଦେଲା ନାହିଁ । ହାୟରେ ନିର୍ବୋଧ ନାରୀ, ଏଇ କ’ଣ ତୋର ଭଲ ପାଇବାର ନିଦର୍ଶନ-। ତୋରି ପାଇଁ ଆଜି ଜୀବନରେ କଳାଦାଗ ପଡ଼ିଲା, ତୋରି ପାଇଁ ଆଜି ବନ୍ଧୁ ଚକ୍ଷୁରେ ମୁଁ ହେଲି ନଗଣ୍ୟ, ଘୃଣ୍ୟ । ଭଲ ପାଇବାର ପ୍ରତିଦାନରେ ଏହି କ’ଣ ହେଲ ଉପହାର । ହଉ ସନ୍ଧ୍ୟା ତୁମେ ସୁଖୀ ହୁଅ । ମୁଁ ମଧ୍ୟ ତୁମକୁ ଭୁଲି ଯିବାକୁ ଚେଷ୍ଟା କରୁଚି । କିନ୍ତୁ କାହିଁକି କେଜାଣି ଆଖିରେ ମୋର ଅଜାଣରେ ଲୁହ ଭରି ଆସିଲା । ଅନ୍ତର କହିଲା, ସନ୍ଧ୍ୟାକୁ ତୁମେ ଭୁଲିପାରିବନି, ସନ୍ଧ୍ୟା ଯେ ତୁମର-

 

ମନଟା ଗୁମୁରି ଗୁମୁରି କାନ୍ଦି ଉଠିଲା । ଭାବିଲି କିଛି ଲେଖିବି । ବସି ବସି କବିତାଟିଏ ଲେଖି ପକାଇଲି, ସନ୍ଧ୍ୟା ଉଦ୍ଦେଶ୍ୟରେ । କବିତାଟିର ନାମ ଦେଲି, “ ପ୍ରିୟକି ପଡ଼େନି ମନେ” । ପ୍ରକାଶ ପାଇଁ ‘ସହକାର’କୁ ପଠାଇ ଦେଲି ।

 

ସେଇ ମାସ ‘ସହକାର’ ରେ କବିତାଟି ବାହାରିଲା । ଭାବିଲି ଯଦି ସନ୍ଧ୍ୟା ମୋର କବିତାଟି ପଢ଼ିବ, ନିଶ୍ଚୟ ତେବେ ତା’ର ପାଷାଣ ହୃଦୟ ତରଳିବ ।

 

ଲତା ସବୁବେଳେ ଚିଠିଦିଏ । ପ୍ରତି ଚିଠିରେ ତା’ର ବିରହ ବେଦନା ଫୁଟି ଉଠୁଥାଏ | ମୁଁ ମଧ୍ୟ ଚିଠି ପାଇ ବିଳମ୍ବ କରେନି । ସଙ୍ଗେ ସଙ୍ଗେ ଉତ୍ତର ଦେଇଦିଏ । ଦୁଇଟି ଅତୃପ୍ତ ପ୍ରାଣର ଅଫୁରନ୍ତ ଚିନ୍ତା ସରେନା, ଖାଲି ଚିଠି ଉପରେ ଚିଠି ଚାଲେ । ସେ ଲେଖେ, ମୁଁ ପଢ଼େ । ମୁଁ ଲେଖେ, ସେ ଉତ୍ତର ଦିଏ | ପ୍ରଣୟର ଗୋପନ ପରିଭାଷା ପ୍ରାଣେ ପ୍ରାଣେ ଆଣେ ଅଭିନବ ପରିତୃପ୍ତି, ଆଉ ମନଖୋଲା ଶାନ୍ତି ।

 

ସେଦିନ ସକାଳେ । ସୁନ୍ଦର ରଙ୍ଗିନ ଚିଠି ଖଣ୍ଡି ପାଇ ହଠାତ୍ ଖୋଲି ପକାଇଲି, ଲେଖାଅଛି,

 

ଆଦରର ପ୍ରଭାତବାବୁ;

 

ତମର ଲେଖା “ପ୍ରିୟକି ପଡ଼େନି ମନେ” ପଢ଼ିଲି । ତମେ ମୋତେ ଭୁଲ ବୁଝିଛ । ମୁଁ ଯେଉଁଠି ଥାଏ–ଚିରଦିନ ମୁଁ ତମର, ତମର ସ୍ମୃତି ଛାଇ ପରି ମୋର ପାଖେ ପାଖେ ରହିଚି ।

 

ଜୀବନର ସବୁକଥା ଅଦଳ ବଦଳ ହୋଇଯାଇଛି ବୋଲି ତମେ ଭାବିଥିବ ସନ୍ଧ୍ୟା ସୁଖରେ ଅଛି । କିନ୍ତୁ ତାହା ନୁହେଁ । ଜୀବନରେ ତମର ସ୍ନେହର ପ୍ରତିଦାନର ମୁଁ ତମକୁ ଦେଲି ଖାଲି ପ୍ରତାରଣା–ବଞ୍ଚନା । ଏଇକଥା ଭାବିଲେ ଆଖିରେ ଲୁହ ଆସେ–ସବୁ କାମଯାଏ ଅଟକି–ହାତରୁ ଆପେ ଆପେ ସବୁକଥା ଖସିପଡ଼େ । ମୋ ରାଣ–ମୋତେ ଭୁଲ ବୁଝିବନି–ମୋର ସ୍ମୃତିକୁ ଜାଳିପୋଡ଼ି ପାଉଁଶ କରି ହେବନି । ମୁଁ ତୁମର ପର ନୁହେଁ–ଦୂରରେ ଥିଲେ ବି ମୁଁ ତମର ଅତି ଆପଣାର–ସେଇ ସ୍ନେହର ସନ୍ଧ୍ୟା ।

 

ଚିଠିଟି ପାଇ ଅନ୍ତର ଏକ ଅଭିନବ ଆନନ୍ଦରେ ଉଦ୍‍-ବେଳିତ ହୋଇ ଉଠିଲା । ସନ୍ଧ୍ୟା ମୋତେ ଭୁଲିନି–ଭୁଲିବ ବା ସେ କିପରି ? ଚିଠିର ଉତ୍ତର ଦେବାକୁ ମନ ବଡ଼ ବ୍ୟଗ୍ରହୋଇ ଉଠିଲା–କିନ୍ତୁ ଦେଖେ ଠିକଣା ନାହିଁ, ମନଟା ମୋର ଫିକା ପଡ଼ିଗଲା ।

 

ସପ୍ଲିମେଣ୍ଟାରୀ ପରୀକ୍ଷାରେ ବି.ଏ. ପାଶକରି ଜୀବନର ଏକ ଲଜ୍ଜିତ ବିଧୂର ଲଗ୍ନରେ ପୂତ ହୋମ ଅଗ୍ନି ସାକ୍ଷୀକରି ଲତା ସହିତ ମୋର ବେଦୀଉପରେ ହସ୍ତଗଣ୍ଠି ପଡ଼ିଲା । ମିଳନର ଛନ୍ଦ ଗୁଞ୍ଜରି ଉଠି ଦୁହିଙ୍କୁ ଏକାଠି କରିଦେଲା ଯୁଗ ଯୁଗ ପାଇଁ ।

ମଧୁଶଯ୍ୟା ରାତିରେ ଲତାକୁ ପଚାରିଲ, ଲତା, ତମେ ଆଜି ସୁଖୀ ତ ? ମୋ କୋଳରେ ସେ ଢଳିପଡ଼ି ସମ୍ମତି ଜଣାଇ କହିଲା, ଆଉ ତମେ ? କହିଲା ଏ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ବଡ଼ ଦୁର୍ବଳ ଲତା, ଆଖିରି ମୋର ଅଜଣାରେ ଅଶ୍ରୁ ଗଡ଼ିପଡ଼ିଲା । ଲତା ଚମକି ପଡ଼ି କହିଲା, ତମେ କାନ୍ଦୁଚ–ସତ କୁହ ମୋତେ କ’ଣ ଜୀବନସାଥୀ ରୂପେ ପାଇ ତୁମେ ସୁଖୀ ହୋଇ ନାହିଁ ? ପ୍ରଶ୍ନରେ ତା’ର ବ୍ୟାକୁଳତା । କହିଲା, ନାଁ ଆଜି ଏଇ ଦିନରେ ତୋରି ପରି ଆଉ ଗୋଟିଏ ବାଳିକାର ସ୍ମୃତି ମୋ ଜୀବନ ପରଦାରେ ଆଲୋକ ଝଲମଲ୍ ହୋଇ ଉଠୁଚି । ଲତା ପଚାରିଲା, ସେ କିଏ ? ସେ ହେଉଚି ସଧ୍ୟା । ଅତୀତ ଜୀବନର ସବୁକଥା ତାକୁ ଗୋଟି ଗୋଟି ହୋଇ କହିଲି । ଲତା ସବୁ ବୁଝିପାରି କହିଲା, ସନ୍ଧ୍ୟା ଭାରି ନିଷ୍ଠୁର–ହୃଦୟହୀନ ତା’ କଥା ଭାବି ବୃଥାରେ ଦୁଃଖ କରନ୍ତୁ ନାହିଁ ।

ପଣତକାନିରେ ଆଖିରୁ ମୋର ସେ ଲୁହ ପୋଛିଦେଲା, ଜୀବନର ଶତ ଅବସାଦ ଅପସରି ଗଲା ଦୂରକୁ ଦୂରକୁ । ମେଘମୁକ୍ତ ଭାବନାକାଶରେ ଉଇଁ ଆସିଲା ନୂତନ ଶଶୀ । ହୃଦୟବୀଣା ତନ୍ତ୍ରୀ ପ୍ରେମ–ରାଗରେ ଥରି ଉଠିଲା ।

ଘରର ପାରିବାରିକ ଅବସ୍ଥା ଆମର ତେତେ ଭଲ ନଥିଲା । ପଢ଼ାପଢ଼ିରେ ଡୋରି ବନ୍ଧାହେଲା । ବିବାହର ଚାରିମାସ ପରେ ଚାକିର ଅନ୍ୱେଷଣରେ କଟକ ପଳାଇ ଆସିଲି । ମୋର ଶୁଶୁର ଗୌରମୋହନ ବାବୁଙ୍କ ଚେଷ୍ଟାରେ ବମ୍ବେ ଲାଇଫ ଇନସୁରେନ୍ସରେ ଚାକିରୀଟିଏ ମିଳିଲା ।

 

ଚାକିରୀ ପାଇବା ପନ୍ଦରଦିନ ପରେ ଗୋଟିଏ ବସାଘର ଭଡ଼ାରେ ଠିକ୍ କରି ଲତାକୁ କଟକ ନେଇ ଆସିଲି । ଖାଇବା ପିଇବାରେ ଅସୁବିଧା ହେବ ଭାବି ଘରେ ବୋଉ ମଧ୍ୟ ଆପତ୍ତି କଲା ନାହିଁ ।

 

ଚାକିରୀ ଜୀବନରୁ ଦିନଗୁଡ଼ା ଗଡ଼ିଚାଲିଥାଏ । ଇତି ମଧ୍ୟରେ ଅଫିସରେ ମୋର ସହକର୍ମୀ ରମେଶବାବୁଙ୍କର ସହିତ ବନ୍ଧୁତା ଖୁବ୍ ବଢ଼ିଯାଇଥାଏ । ଦୁହେଁ ଅଫିସପରେ ସାଥୀ ହୋଇ ବୁଲୁ–ସିନେମା ଦେଖୁ । ଇମିତି ଦିନ କଟିଯାଏ । ରମେଶବାବୁକୁ ମୁଁ ବରାବର ଆମ ବସାକୁ ନେଇ ଆସେ । ଦୁହେଁ ଖାଉ ପିଉ–ଗପକରୁ । ଗପ ସରେ–ସେ ଚାଲିଯାଏ–ଲତା ମଧ୍ୟ ତାକୁ ଲାଜକରେ ନାହିଁ–ଆସିଲେ ଆଦର ସମ୍ମାନ ଦେଖାଏ ।

 

ରମେଶ ବରାବର କୁହେ, ଚାଲ–ଆମ ବସାଆଡ଼େ ଯିବା । ତା’ ବସା କଟକ ସହରଠାରୁ ଟିକିଏ ଦୂରରେ–ଦେଉଳସାହି । ଯିବି ଯିବି ବୋଲି କହି ରୋଜ ତାକୁ ଠକେ–ଯାଏ ନାହିଁ । ନିହାତି ସେଦିନ ରମେଶ ଭାରି ଜିଦ୍ କଲା ବାଧ୍ୟ ହୋଇ ତା’ ସାଥିରେ ଗଲି ।

 

ବସାରେ ପହଞ୍ଚିଲୁ । ମୋତେ ତା’ ଗେଷ୍ଟରୁମରେ ବସାଇ ଦେଇ ଭିତରେ ଅନ୍ୟ ରୁମ୍ ରମେଶ ଚାଲିଗଲା । କହିଗଲା ପ୍ରଭାତ ତୁ ବସ, ମୁଁ ଦେଖେ ଗୃହିଣୀ ତେଣେ କେତେଦୂର ଖାଇବାର ଯୋଗାଡ଼ କରିଛନ୍ତି । ମୁଁ ଇକି ଚେୟାରଟାରେ ବସିପଡ଼ି ସଦ୍ୟ ପ୍ରକାଶିତ ‘ଡଗର’ଟା ଦେଖି ବସିଲି । କିଛି ସମୟପରେ ଥାଳିଆରେ ପାନ ଦେଇ ଲାଜଲାଜ ହୋଇ ଯୁବତୀଟି ଆସିଲା । ଭାବିଲି, ରମେଶ ସ୍ତ୍ରୀ, ଭଲକରି ତା’ ଆଡ଼କୁ ଚାହିଁବି ଆଖି ମୋର ସହଜରେ ବିଶ୍ୱାସ କରିପାରିଲା ନାହିଁ । ପାଟିରୁ ବାହାରି ପଡ଼ିଲା, ସନ୍ଧ୍ୟା, ତମେ । ହଠାତ୍ ତା’ପାନ ଥାଳିଆଟା ଖସିପଡ଼ିଲା । କହିଲା ପ୍ରଭାତବାବୁ ଆପଣ–ଆପଣ ଏଠି କିପରି ? ଆଖି ତା’ର ଲୁହ ଛଳଛଳ, ଥରିଲା କଣ୍ଠସ୍ଵର-। କହିଲି, ରମେଶ ମୋର ବନ୍ଧୁ, ପଢ଼ା ଛାଡ଼ି ଚାକିରି ଜୀବନରେ ତା’ ସହିତ ମୋର ଘନିଷ୍ଠତା, ଦୁହେଁ ଏକା ଅଫିସରେ କାମ କରୁଁ । ଆଜି ତା’ର ଅନୁରୋଧ ଏଡ଼ି ନପାରି ଆସିଥିଲି ବୁଲି, ରମେଶର ସ୍ତ୍ରୀ ବୋଲି ଜାଣିଥିଲେ ହୁଏତ ଆସି ନଥାନ୍ତି । ଅକସ୍ମାତ୍‍ ଆଜି ତୋ’ ସହିତ ଦେଖା-। ଦୀର୍ଘ ଦେଢ଼ବର୍ଷ ପରେ ଆଜି ପୁଣି ଏ ଗୋଟାଏ ଦିନ ସ୍ମୃତି ଅଲିଭା ଅକ୍ଷରରେ ଲେଖା ରହିବ ସନ୍ଧ୍ୟା । ସନ୍ଧ୍ୟା ଥାଳିଆଟା ଉଠାଇ ପାନ ଯାଚିଲା । ଦରଦୀଭରା କଣ୍ଠରେ କହିଲି, ତୋର ପ୍ରଭାତ ବାବୁ ଆଗେ ଯେମିତି, ଆଜି ମଧ୍ୟ ସେହିପରି, ପାନ କ’ଣ ମୁଁ ଖାଏ । ସ୍ୱାମୀର ବନ୍ଧୁ ହିସାବରେ ତୋର ସ୍ନେହ ସମ୍ମାନ ମୁଁ ଗ୍ରହଣ କରିବାକୁ ବାଧ୍ୟ, ଦେ ପାନ ଦେ । ପାନଖଣ୍ଡେ ଆଣିବା ପୂର୍ବରୁ ସନ୍ଧ୍ୟା ମୋ ପାଟିରେ ଖୁଆଇଦେଲା । ସ୍ମିତ ହସି କହିଲି, ଯା ହେଉ ସନ୍ଧ୍ୟା, ରମେଶକୁ ସ୍ୱାମୀରୂପେ ପାଇଥିବାରୁ ମୁଁ ଖୁବ୍ ସୁଖୀ, ମୋ ଭଳି ଅପଦାର୍ଥ ନଗଣ୍ୟ ଜୀବକୁ ସ୍ୱାମୀରୂପେ ପାଇଥିଲେ ତୁ କ’ଣ ଏହାଠୁ ବଳି ଅଧିକ ସୁଖୀ ହୋଇପାରିଥାନ୍ତୁ । ସନ୍ଧ୍ୟା ଆଖିରୁ ଲୁହ ପୋଛିଲା ।

 

ରମେଶ ଆସି ପହଞ୍ଚିଲା । ହସି ହସି କହିଲା, ବାଃ ଏ ମଧ୍ୟରେ ଦୁହିଁଙ୍କର ପରିଚୟ ହୋଇଗଲାଣି । କହିଲି, ନିଶ୍ଚୟ ବନ୍ଧୁପତ୍ନୀ ଯେତେବେଳେ ହେଲେ ତେଣୁ ଲାଜଟା କ’ଣ ଶୋଭାପାଏ । ସନ୍ଧ୍ୟା ଚାଲିଗଲା, ରମେଶ ଡାକିଲା ଖାଇବାକୁ । କହିଲି, ଖାଇବି କ’ଣ–ଖାଇବା ପୂର୍ବରୁ ସନ୍ଧ୍ୟା ସହିତ କ୍ଷଣିକ ଆଳାପରେ ଯେଉଁ ଶାନ୍ତି ପାଇଚି–ତାଠୁଁ ଖାଇବା କ’ଣ ବେଶୀ ଶାନ୍ତି ଦେବ ରମେଶ, ସନ୍ଧ୍ୟାପରି ସ୍ତ୍ରୀ ପାଇ ତମେ ବାସ୍ତବିକ ଭଗ୍ୟବାନ । ରମେଶ ହସିହସି କହିଲା, ଏହା ଭିତରେ ନାଁ ଟା ବି ଜାଣିପାରିଚ, ସନ୍ଧ୍ୟା ସହିତ ଅତୀତର ପରିଚୟ ରମେଶ ନିକଟରେ ଗୋପନ ରଖିଲି । ସବୁକଥା କହିଲେ ହୁଏତ ସନ୍ଧ୍ୟାର ସୁନାର ସଂସାର ଜଳିପୋଡ଼ି ପାଉଁଶ ହୋଇଯିବ । ଆଉ ରମେଶ ମଧ୍ୟ ଶରତ ପରି ଦିନେ ଘୃଣ୍ୟ ବୋଲି କହି ଦୂରକୁ ଠେଲିଦେବ । ମଧୁ ଆଳାପ ପରେ ଖାଇବା ଶେଷକରି ବିଦାୟ ନେଇ ଫେରିଲି । ସନ୍ଧ୍ୟା ଅନୁରୋଧ କଲା, ନିତି ଆସିବେ ପ୍ରଭାତବାବୁ ଅଫିସ ଫେରନ୍ତା ଏଇ ବାଟରେ । ହସି ହସି ସେ ବିଦାୟ ନମସ୍କାର ଜଣାଇଲା, ସତେ ଯେପରି ମୁଁ ତା’ର ନୂତନ ପରିଚିତ ବନ୍ଧୁ; ଅତୀତର କେହି ନୁହେଁ ।

 

ବ୍ୟଥାର ଗୁରୁଭାର ନେଇ ଫେରିଲି ବସାକୁ । ସେଦିନ ରାତିରେ ଭଲ ଭାବରେ ନିଦ ହେଲା ନାହିଁ । ଘଡ଼ିରେ ଟଂ ଟଂ ହୋଇ ଦୁଇଟା ବାଜିଲା । ବାହାରକୁ ଆସି ଦେଖେ ମଲ୍ଲିଫୁଲ ପରି ଶୁଭ୍ର ଜ୍ୟୋତ୍ସ୍ନା ବିଛାଡ଼ି ହୋଇ ପଡ଼ିଚି । ଆକାଶରେ ଦୁଷ୍ଟ ଜହ୍ନର ହସରେ ମିଳନର ବେସୁର ଛନ୍ଦର ରାଗିଣୀ । ମନେ ପଡ଼ିଲା ଇମିତି ଆଉ ଗୋଟିଏ ଦିନର କଥା । ମଲ୍ଲିଫୁଲ ପରି ଗନ୍ଧ ଉଚ୍ଛୁଳା ପ୍ରୀତି ସଉରଭ ନେଇ ସନ୍ଧ୍ୟା ସହିତ ଗୋଟିଏ ରାତି ପ୍ରୀତି ଓ ପୁଲକ ଶିହରଣରେ ବିତି ଯାଇଥିଲା ।

 

ଆଜି ସେ ସବୁ ସ୍ମୃତି ବହୁଦୂରରେ । ସ୍ମୃତିକୁ ନେଇ ବଞ୍ଚିବାର କଥା ମଣିଷ ଖାଲି ଶିଖିଛି–ତାକୁଇ ନେଇ ସେ ଆଗକୁ ବାଟ ଚାଲେ । ସାଥୀହୀନ ଜୀବନରେ ଚାଲିଯାଇଥିବା ରଙ୍ଗିନ ଦିନଗୁଡ଼ିକ–ତାରି ଭିତରେ ସୁଖ ସୁଆଦଭରା ଅନୁଭୂତିର ଛବି ଦେଖେ । ସେଇଥିରେ ଦରଦୀ ମନରେ ଫିଟେ ଆନନ୍ଦର ଉତ୍ସ–ସାରା ଶରୀରରେ ଅଭିନବ ଶିହରଣ ଓ ତୃପ୍ତି । ବିଛଣାକୁ ଫେରି ଆସିଲି ।

 

ଘୁମନ୍ତ ରାଜକୁମାରୀର ନିଦ ଭାଜିଗଲା । ଲତା ପଚାରିଲା, ଏତେବେଳଯାଏ ଶୋଇ ନାହାନ୍ତି–କ’ଣ ଭାବୁଛନ୍ତି ? ଲତାର ପ୍ରଶ୍ନରେ ସନ୍ଦେହର ସୂଚନା । ସନ୍ଧ୍ୟା ସହିତ ସାକ୍ଷାତ କଥା ଗୋପନ ରଖି ମିଛରେ କହିଲି, ଶୋଇଥିଲି ଯେ ହଠାତ୍ ଗୋଟାଏ ସ୍ଵପ୍ନ ଦେଖି ନିଦଟା ଚାଉଁକରି ଭାଜିଗଲା । କି ସ୍ଵପ୍ନ ଦେଖିଲ କି ?

 

“ସୁନ୍ଦର ସ୍ଵପ୍ନଲତା–ଦେଖିଲି ତମ କୋଳରେ ଏକ ନବଜାତ ଶିଶୁ” ଲତା ମୁହଁରେ ଅସ୍ୱାଭାବିକ ହସ ଫୁଟି ଉଠିଲା । କହିଲା ଆଜିଠୁ ବାପ ହେବାକୁ ଏତେ ମନ । ଲତାକୁ କୋଳକୁ ଆଉଜାଇ ଆଣି କହିଲି, ଆଉ ତମର କ’ଣ ମାଆ ହେବା ପାଇଁ ମୋଟେ ମନ ଥିବକି । ଲତା ସଲାଜ ହସି ମୋ କୋଳରେ ମୁହଁ ଲୁଚାଇଲା । ଦୁଇଟି ଅଧର ଏକ ହୋଇଗଲା–ମିଳନର ମଧୁଭରା ଛନ୍ଦ ପ୍ରାଣେ ପ୍ରାଣେ ଗୁଞ୍ଜରି ଉଠିଲା । ସେତେବେଳକୁ ଏକାଦଶୀ ଚାନ୍ଦର ସ୍ନିଗ୍ଧାଲୋକ ବାତାୟନ ଦେଇ ତା’ର ଅଳସ ଦେହଟାକୁ ବିଛାଇ ଦେଇଥାଏ ଆମ ଶଯ୍ୟା ଉପରେ । ରାତି ଓ–ନିଶୂନ । ଆଖିରେ ତନ୍ଦ୍ରାର ଅଧୁର ରେଖା ଲାଗି ଆସିଲା ।

 

ସେହି ଦିନଠୁଁ ପ୍ରତିଦିନ ଅଫିସରୁ ଫେରି ସନ୍ଧ୍ୟା କତିକି ଯାଏ ତା’ ସ୍ଵାମୀର ବନ୍ଧୁ ହିସାବରେ ଆଦର ସମ୍ମାନ ଦେଖାଏ–କିନ୍ତୁ ସନ୍ଧ୍ୟାର ଏ ବ୍ୟବହାର ମୋତେ ଭାରି ବାଧେ ।

 

ଦିନେ ସନ୍ଧ୍ୟାକୁ ପଚାରିଲି, ସନ୍ଧ୍ୟା ସବୁ ସ୍ମୃତି କ’ଣ ମନରୁ ପାଶୋରି ପଳାଇଲ । ଗୋଟିଏ ରାତିର ସାଥୀ ତମେ–କିନ୍ତୁ ମୋର ମନହୁଏ ଯୁଗ ଯୁଗ ପାଇଁ ତୁମେ ଯେପରିର ମୋ ପାଖରେ ରହିଚ, ଅଜଣା ସ୍ରୋତରେ ଚାଲିଚେ ଆମେ ଦିହେଁ–ଏକ ନୂତନ ରାଇଜ ସନ୍ଧାନରେ । ସନ୍ଧ୍ୟା କହିଲା, ଛିଃ ପ୍ରଭାତ ବାବୁ ଏସବୁ କଥା କହିବା ଭାରି ଅନ୍ୟାୟ–ଜାଣନ୍ତି ମୁଁ ବର୍ତ୍ତମାନ ପର ସ୍ତ୍ରୀ । ଅତୀତର ସ୍ମୃତିକୁ ଭୁଲିଯିବାକୁ ମୋତେ ହେବ–ନଚେତ ଦୁନିଆର ଏଇ ପିଛିଳ ପଥରେ ଚାଲିବା ବଡ଼ କଷ୍ଟକର ହୋଇ ପଡ଼ିବ । ସେ ସବୁ କଥା ଭୁଲିଯାଆନ୍ତୁ ପ୍ରଭାତ ବାବୁ ।

 

ପଚାରିଲି ତେବେ କ’ଣ ଅତୀତର ସବୁକଥା ସ୍ୱପ୍ନ ଅଳୀକ । ହିଁ ପ୍ରଭାତ ବାବୁ ସବୁ ଅଳୀକ । ସେଦିନର ସନ୍ଧ୍ୟା ତମର ମରିଯାଇଚି ଅନେକ ଦିନୁଁ । ଆଜି ଯାକୁ ଦେଖୁଚ–ସେ ରମେଶବାବୁଙ୍କର । ତମର କିଛି ଅଧିକାର ନାହିଁ ତା’ ଉପରେ–କିଛି କହିବାର ବି ନାହିଁ । ସନ୍ଧ୍ୟାର ଆଖି ଲୁହ ଛଳ ଛଳ ହୋଇ ଆସିଲା । ସେ ଆଖିରୁ ଲୁହପୋଛି ଆଉ କିଛି ନ କହି ଚାଲଗଲା । ବ୍ୟଥିତ ହୃଦୟ କରୁଣ ମୂର୍ତ୍ତି ପରି ମୁଁ ଫେରିଲି ବସାକୁ ।

 

ଅଫିସରୁ ସନ୍ଧ୍ୟା ବସାଦେଇ ଫେରିବାକୁ ଟିକିଏ ଡେରି ହୁଏ । ଲତା ମୋର ଡେରି ଦେଖି ଭାରି ଅସ୍ଥିର ହୋଇପଡ଼େ । ସେ ଦିନ ଭାରି ବ୍ୟସ୍ତ ହୋଇ ପଚାରିଲା କୁଆଡ଼େ ଯାଉଛନ୍ତି, ନିଇତି ଏତେ ଡେରି ହେଉଚି । ହସି ହସ କହିଲି, ସନ୍ଧ୍ୟା ଅଛି କଟକରେ–ସେ ମୋର ଅତି ଆପଣାର ବନ୍ଧୁ–ରମେଶର ସ୍ତ୍ରୀ । ତାରି ବସାଦେଇ ଆସୁଆସୁ ଡେରି ହୋଇଯାଏ । ଦିନେ ସେଠକି ନଗଲେ ମନଟା ଛଟପଟ ହୁଏ । ସନ୍ଧ୍ୟାକୁ ଏ ଯାଏ ଭୁଲିପାରି ନାହାନ୍ତି–ସେ ପରା ପର ସ୍ତ୍ରୀ । ରୋଜ ତା’ ପାଖରେ କ’ଣ ଏତେ କାମ ଥାଏ, ଲତା ପଚାରିଲା । ମୋତେ ଭୁଲ ବୁଝିଲ ଲତା, ମୁଁ କହିଲି । ମୋ କଥାର କୌଣସି ଉତ୍ତର ନ ଦେଇ ରାଗ ଓ ଅଭିମାନରେ ଲତା ପଳାଇ ଗଲା ।

 

ରାତିରେ ଶୋଇଲାବେଳେ ଲତା ଅଭିମାନରେ ମୋତେ କିଛି କହୁ ନ ଥାଏ । ରାତି ଅଧ...ମୁଁ ଶୋଇପାରୁ ନ ଥାଏ । ମନ ଭିତରେ କେତେ କ’ଣ ଦ୍ଵନ୍ଦ୍ଵ...ଲତା ମୌନ...କିନ୍ତୁ ମୋର ଧୈର୍ଯ୍ୟର ବାଲିବନ୍ଧ ଟଳମଳ ହେଉଥାଏ । ଶେଷକୁ ତା’ ହାତଧରି କୋଳକୁ ଆଣିବାକୁ ଚେଷ୍ଟା କଲି-। ସେ ହାତଟା ଫୋପାଡ଼ି ଦେଇ କହିଲା, ମୋ ସାଥୀରେ ଲାଗନା । ସନ୍ଧ୍ୟା ତ ଗୋଟିପଣେ ତମର–ତା’ ପାଖକୁ ଯାଉ ନାଁ । ଛି’ ଲତା ଏ ତମେ କ’ଣ କହୁଚ–ସନ୍ଧ୍ୟା ମୋର ଆଉ ତମେ କ’ଣ ମୋର ପର ? କେଜାଣି ସେ କଥା ତମେ ଜାଣ । ଲତାର ହୃଦୟରେ ସକରୁଣ ବିରକ୍ତ–ଆଖିରେ ଲୁହ । ତାକୁ କୋଳକୁ ଟାଣି ଆଣି ଲୁହ ପୋଛିଦେଲି । ସ୍ନେହର ଚୁମ୍ବନ ଦେଇ କହିଲି, ଛି, ଲତା ତୁମେ ସବୁ ଜାଣିଶୁଣି ଯଦି... । କେତେ ପ୍ରବୋଧନାରେ ଲତା ଶାନ୍ତି ହେଲା । କହିଲା ମୋ ଦେହଛୁଇଁ କୁହ କାଲିଠୁ ସନ୍ଧ୍ୟା ପାଖକୁ ଯିବନି । ବୁଝିଲ ସନ୍ଧ୍ୟା ପ୍ରତି ଲତାର ହିଂସା ଦ୍ଵିଗୁଣ ବଢ଼ି ଉଠିଛି । ଶାନ୍ତି ଦେବାକୁ ଯାଇ ଦେହଛୁଇଁ କହିଲି, ହେଉ କାଲିଠୁ ଆଉ ଯିବିନି ।

 

ତା’ପରେ ଲତା ଲତାଟି ପରି ମୋ କୋଳରେ ଛନ୍ଦି ହୋଇପଡ଼ିଲା । ନିର୍ବୋଧ ସରଳା ମୋର ବୁଝିପାରିଲାନି ତା’ର ନାରୀ ହୃଦୟ ନେଇ ମୁଁ ଏଥିରେ କେତେଦୂର ମର୍ମାହତ ହେଲି ।

 

ପାଞ୍ଚଦିନ ପରେ । ରମେଶ କହିଲା, କି ପ୍ରଭାତବାବୁ ଆମ ବସାଆଡ଼େ କାହିଁକ ଯାଉ ନାହାନ୍ତି–ରାଗିଛନ୍ତି ନା କ’ଣ ?

 

“ନାଁରେ ରାଗିବି କାହିଁକି । ଲତାର ଦେହ ଅସୁସ୍ଥ ହେତୁ ଯାଇପାରୁନି ।

 

“କ’ଣ ହୋଇଚି–ଜର ।

 

ହଁ ବୋଲି ଉତ୍ତର ଦେଇ ରମେଶଠାରୁ କ୍ଷାନ୍ତ ପାଇଲି । ନଚେତ ସେ, ଯେଉଁ ଲୋକ ହୁଏତ ଟାଣି ଟାଣି ବସାକୁ ନେଇଯିବ–ମନା କରିହେବନି । ଏଣେ ଲତା ମୋ ଉପରେ ଏଡ଼େ ମୁହଁ କରି ବସିବ ।

 

ସେଦିନ ପୂର୍ଣ୍ଣିମା । ଆକାଶରେ ସୁନ୍ଦର କଉତୁକିଆ ଜହ୍ନ ହସି ଉଠିଲେ–ଧରଣୀରେ ବୋଳିଦେଇ ଜୋଚ୍ଛନାର ମଧୁମାଦକତା । ଦୂରରୁ ସଦ୍ୟ କୁସୁମର ଗନ୍ଧଭରା ପବନଟା ଛୁଇଁ ଛୁଇଁ ଚାଲିଗଲା–ମନରେ କି ଅପୂର୍ବ ଖିଆଲ ଭରିଦେଇ । ସନ୍ଧ୍ୟା କଥା ମନେପଡ଼ିଲା । ଲତାର ନିକଟରେ ସବୁ ପ୍ରତିଜ୍ଞା ପାଣିରେ ମିଳାଇଗଲା । କି ଏକ ଅପୂର୍ବ ମାଦକତାରେ ସନ୍ଧ୍ୟାକୁ ଦେଖିବା ପାଇଁ ଦେଉଳସାହି ଚାଲିଲି ।

 

ପହଞ୍ଚିଲାବେଳକୁ ରାତି ଆଠଟା ବାକି ଯାଇଥାଏ । ରମେଶ ଘରେ ନଥାଏ । ସନ୍ଧ୍ୟା ମୋତେ ଦେଖି ହସି ହସି ମୋତେ କହିଲା, ଏତେ ଦିନ ପରେ ମନେପଡ଼ିଲା ନା କ’ଣ ?

 

ନା ମନେ ସବୁଦିନେ ପଡ଼େ, ଲତାର ଅସୁସ୍ଥତା ହେତୁ ଆସିପାରୁନଥିଲି । କାହିଁ ଆଜିଯାଏ ତୁମର ତାଙ୍କୁ ଟିକେ ଦେଖାଇଲେ ନାହିଁ ତ ? ସନ୍ଧ୍ୟା କହିଲା । “ସମୟର ଉଜାଣି ଢେଉରେ ବଳେ ସାକ୍ଷାତ ହେବ ସନ୍ଧ୍ୟା ।” ସନ୍ଧ୍ୟା କିଛି କହିଲା ନାହିଁ । ମୁଁ କହିଲି, ଆଜି ଏଇ ସୁନ୍ଦର ରାତିରେ ମନଟା କି ଏକ ସ୍ଵପ୍ନ ରାଇଜକୁ ଚାଲିଯାଏ । ସତ କୁହ ସନ୍ଧ୍ୟା ଏହିପରି ଜୋଛନା ପ୍ଳାବିତ ଆଉ ଏକ ଅତୀତର କଥା ତୁମର କ’ଣ ମନେ ପଡ଼େନାଁ ।

 

ସେ ସବୁ କଥା ଭୁଲିଯାଉନ୍ତୁ ପ୍ରଭାତବାବୁ । ଯେଉଁ ଦିନ ତୁମର ବନ୍ଧୁଙ୍କ ଘରେ ପାଦ ଦେଲ ସେହିଦିନ ନିଜର ଅତୀତ ଜୀବନକୁ ଜଳାଞ୍ଜଳି ଦେଇଚି । ସମାଜର ଲାଇସେନ୍ସ ନେଇ ଯିଏ ମୋତେ ଜୀବନ ସଉଦା କଲେ, ତାଙ୍କ ପାଇଁ ଦେହ ମନ ପ୍ରାଣ ସବୁହିଁ ଅର୍ପଣ କରିଦେଇଛି । ନଚେତ ଦୁନିଆ ଆଗରେ ସୁନାର ସଂସାର ଗଢ଼ିବା ସମ୍ଭବପର ହୋଇପାରିନଥାନ୍ତା । ସନ୍ଧ୍ୟା କହିଗଲା । ମୁଁ କହିଲି, ଏ କ’ଣ ତୁମର ମନଗଢ଼ା କଥା ନା ଅନ୍ତରର କଥା–କିନ୍ତୁ ସୁନାର ସଂସାର ଗଢ଼ିବାପରେ ବି ମୋରି କବିତା ଦିନେ ତମକୁ ପାଗଳ କରିଦେଇଥିଲା । ସେହି କବିତାର ଉତ୍ତରରେ କ’ଣ ଲେଖିଥିଲ । ସତେ ସନ୍ଧ୍ୟା ମୁଁ କିନ୍ତୁ ଅତୀତକୁ ଭୁଲିପାରିନି–ସବୁବେଳେ ତୁମର ଏହି ସୁନ୍ଦର ହସହସ ମୁହଁକୁ ଦେଖିବାକୁ ଇଚ୍ଛା ହୁଏ, ଆଉ ଇଚ୍ଛା ହୁଏ ଜୀବନର ମଧୁ ମାଦକତା ଭିତରେ ତମରି କୋଳରେ ନିଜକୁ ହଜାଇ ଦେବାକୁ ।

 

ଏତିକି କହି ସ୍ନେହରେ ତୀବ୍ର ତାଡ଼ନାରେ ଜୋରକରି ସନ୍ଧ୍ୟାକୁ କୋଳକୁ ଆଉଜାଇ ଆଣି ତା’ର ଗଣ୍ଡ ଦେଶରେ ଆଙ୍କିଦେଲି ଗୋଟିଏ ପ୍ରୀତିର ଚୁମ୍ବନ । ହଠାତ୍ ସନ୍ଧ୍ୟା ରାଗରେ ଜଳିଉଠିଲା ଓ ମୋ ଗାଲରେ ଠୋକରି ଚାପୁଡ଼ା ବସାଇଦେଇ କହିଲା, ଅଭଦ୍ର ! ଆଖି ମୋର ଅଶ୍ରୁସିକ୍ତ ହୋଇ ଆସିଲା, ଗଳାଟା ମୋର ଲାଲ ପଡ଼ିଗଲା । କହିଲି, ସନ୍ଧ୍ୟା ଏଇ କ’ଣ ମୋର ସ୍ନେହର ଶ୍ରେଷ୍ଠ ପୁରସ୍କାର । ଆଖିରେ ତା’ର ଲୁହ ପୂରିଆସିଲା–ଉତ୍ତର ନଦେଇ ସେ ବ୍ୟତିବ୍ୟସ୍ତ ହୋଇ ପଳାଇଗଲା ।

 

ବସାରେ ଦେଖେ, ଲତା ଘରେ ନାହିଁ । ଚାକର ଟୋକା ରମାକୁ ପଚାରିଲି, ମା କୁଆଡ଼େ ଯାଇଛନ୍ତି । ସେ କହିଲା, ମା ଆପଣଙ୍କ ଉପରେ ଘୋଷାହୋଇ ତାଙ୍କ ବାପଘର ବସାକୁ ପଳାଇଛନ୍ତି । ମୁଣ୍ଡଟା ମୋର ଘୁରିଗଲା । ତେବେ କ’ଣ ଲତା ମୋତେ ଭୁଲ ବୁଝିଲା, ଥକ୍କା ହୋଇ ବସିପଡ଼ିଲି–ଚାରିଆଡ଼େ ମୋତେ ଅନ୍ଧାର ଦିଶିଲା ।

 

ତା’ ପରଦିନ ସକାଳୁ ।

 

ଲତାକୁ ଆଣିବାକୁ ଶ୍ଵଶୁର ଘର ବସା ରାଣୀହାଟକୁ ଚାଲିଲି । କେତେ ବୁଝାଇ ସୁଝାଇ ଲତାକୁ ଆଣିଲି । ସନ୍ଧ୍ୟା ପାଖକୁ ଯାଇଥିବା ଭୁଲ ପାଇଁ କ୍ଷମା ମାଗିଲି–ତଥାପି ସନ୍ଦେହର ଛାୟା ଲତାର ମନରୁ ଦୂରୀଭୂତ ହେଲା ନାହିଁ ।

 

ସୁଖଦୁଃଖ ଧାରଣା ମଝିରେ ଦିନଗୁଡ଼ା ବିତିଚାଲିଲା । ସନ୍ଧ୍ୟା କଥା ମୁଁ ଭୁଲିଯିବାକୁ ବସିଲି ।

 

ପନ୍ଦର ଦିନପରେ । ରମେଶ ମୁହଁଟା କାହିଁକି ଶୁଖିଯାଇଥାଏ । ପଚାରିଲି, ରମେଶ ବାବୁ ଆଜି କାହିଁକି ବିରସ ଦେଖା ଯାଉଛନ୍ତି କାରଣ କ’ଣ ? ରମେଶ କହିଲା, ସନ୍ଧ୍ୟା ଦେହ ଆଜିକୁ ସାତଦିନ ହେଲାଣି ଖରାପ । ବରାବର ଜର ଦେହରେ ରହିଚି । କେତେବେଳେ ବଢ଼ୁଚି ଓ–କେତେବେଳେ କମୁଚି । ଅନେକ ଚିକିତ୍ସା ହେଲାଣି ତଥାପି ଜର ଛାଡ଼ୁନାହିଁ । ଜର ବାଉଳାରେ ବେଳେ ବେଳେ ତୁମକୁ ଖୋଜୁଚି । ଆଜି ସନ୍ଧ୍ୟାକୁ ଟିକେ ଦେଖିବାକୁ ଯିବ ? କହିଲି, ଅଫିସ ପରେ ବସାରେ ଟିକିଏ କାମ ଅଛି–କାମପରେ ହୁଏତ ଯିବି । ରମେଶ କହିଲା, ନିଶ୍ଚୟ ଆସିବ–ମୁଁ ଅପେକ୍ଷାରେ ଥିବି । ଅଫିସ ଛୁଟି ପରେ ବସାକୁ ଫେରି ଆସିଲି । ସନ୍ଧ୍ୟାକୁ ଦେଖିବାକୁ ଆଗକୁ ପାଦ ଚଳିଲା ନାହିଁ । ଲତା ହିମାଳୟ ପରି ମଝିରେ ଛିଡ଼ାହେଲା । ବିବେକ କହିଲା, ଛିଃ ପ୍ରଭାତବାବୁ ଯା’ କୁ ତୁମେ ଏତେ ଭଲପାଅ–ସେ ତୁମକୁ ପ୍ରତିଦାନରେ ଦେଲା କ’ଣ । ଅପମାନ–ପ୍ରତିଦାନରେ ପ୍ରତାରଣା । ମନ କହିଲା, ଏହି ତୁମର ପ୍ରତିଶୋଧ ନେବାର ବେଳ ଆସିଛି । ସନ୍ଧ୍ୟା ତା’ ଭୁଲ ପାଇଁ ନିଶ୍ଚୟ ଅନୁତାପ କରିବ–ତୁମକୁ କ୍ଷମା ମାଗିବ । ତୁମେ ଧୈର୍ଯ୍ୟ ଧରି ଅପେକ୍ଷା କର ।

 

ରାତି ଦଶଟା । ଖାଇ ବସିଚି ଲତା ବିଞ୍ଚି ଦେଉଚି । ହଠାତ୍ ରମେଶ ଯାଇ ପହଞ୍ଚିଲା । ଆଶ୍ଚର୍ଯ୍ୟ ହୋଇ ପଚାରିଲି, ହଠାତ୍ ଏତେବେଳେ ? ସନ୍ଧ୍ୟା ଦେହ ଭାରି ଖରାପ, ତମକୁ ସେ ଦେଖିବାକୁ ବଡ଼ ବ୍ୟାକୁଳ, ଶୀଘ୍ର ଚାଲ ପ୍ରଭାତ । ରମେଶ କଣ୍ଠରେ କାତରତାର ସ୍ପର୍ଶ । କହିଲି, ବାହାର ଘରେ ଅପେକ୍ଷା କର ରମେଶ, ମୁ ଯାଉଚି । ରମେଶ ଚାଲିଗଲା । ମୁଁ ଭାତ ଥାଳିଆ ପାଖରୁ ଉଠିପଡ଼ିଲି । ଲତା କହିଲା, ନଖାଇ ଉଠିଗଲେ ।

 

ସନ୍ଧ୍ୟା ଦେହ ବଡ଼ ଖରାପ ଲତା, ମନ ବଡ଼ ବ୍ୟାକୁଳ ହେଲାଣି, ଟିକେ ଯାଇଁ ଦେଖି ଆସେ ।

 

ଲତା କହିଲା, ପ୍ରତିଜ୍ଞା କଥା କ’ଣ ଭୁଲିଗଲେ ।

 

“ବିପଦ ବେଳେ ଶତ୍ରୁ ସହିତ ବନ୍ଧୁତା କରିବାକୁ ହୁଏ ଲତା ।”

 

“ନା ଆପଣ ସନ୍ଧ୍ୟା ପାଖକୁ ଯାଇପାରିବେ ନାହିଁ ।”

 

“ବାଧା ଦିଅନା ଲତା–ବାରବାର କରି କହୁଚି ।”

 

“ସନ୍ଧ୍ୟା ଯଦି ଏତେ ଭଲପାଅ–ସନ୍ଧ୍ୟାକୁ ଦେଖିବା ପାଇଁ ଯଦି ପାଗଳ ହୋଇ ଉଠ, ତେବେ ମୋ ହାତଧରି ଚିରଦିନ ପାଇଁ ମୋ ମନରେ କାହିଁକି ହନ୍ତସନ୍ତର ନିଆଁ ଜାଳିଲେ–କହିପାରିବେ କି ?”

 

“ସନ୍ଧ୍ୟା ।”

 

“ନା ଆଜି ଏ ପ୍ରଶ୍ନର ଉତ୍ତର ଦିଅ–ନଚେତ୍ ଛାଡ଼ିବି ନାହିଁ ।”

 

“ବିରକ୍ତ କରନା ଲତା”–ତଥାପି ଲତା ମୋ ଆଗରୁ ଦୂରକୁ ଘୁଞ୍ଚିଗଲା ନାହିଁ । ଆଖିରେ ତା’ର ପ୍ରତିହିଂସାର ବହ୍ନି । ପାଗଳ ପରି ମୁଁ ଲତାକୁ ଠେଲିଦେଇ ପଳାଇଆସିଲି । ଲତା ତଳେ କଚାଡ଼ି ହୋଇ ପଡ଼ି ଭୋ ଭୋ ହୋଇ କାନ୍ଦି ଉଠିଲା ।

 

ରମେଶ ସାଥିରେ ବସାରେ ଆସି ପହଞ୍ଚିଲି । ସନ୍ଧ୍ୟା ରୋଗଶଯ୍ୟାରେ ପଡ଼ି ଛଟପଟ ହେଉଥାଏ । ହଠାତ୍ ତାକୁ ଦେଖି ଚିହ୍ନିପାରିଲି ନାହିଁ । ତାରି ଶଯ୍ୟାରେ ବସି ମୁଣ୍ଡ ଆଉଁସି ଦେଇ ଡାକିଲି, ସନ୍ଧ୍ୟା । ସନ୍ଧ୍ୟା ଲିଭିଲା ମଳିନ ଦୀପ ପରି ମୋ ଆଡ଼କୁ ଚାହିଁଲା । ଆଖିରେ ତା’ର ଲୁହ ପୂରି ଉଠିଲା । ମୋ ହାତ ଧରି ଥରିଲା କଣ୍ଠରେ କହିଲା–ମୋତେ କ୍ଷମା କର ପ୍ରଭାତ ବାବୁ–ମରିଲା ବେଳେ ଆଜି ଏତିକି ମୋର କାମନା । ତମକୁ ଦେଖି ମୁଁ ମରିବି ଏତିକି ମୋ ଶେଷ ଜୀବନରେ ଢେର ଶାନ୍ତ । ପ୍ରବୋଧ ଦେଇ କହିଲି, ଛି’ ସନ୍ଧ୍ୟା ଏ କ’ଣ କହୁଚ, ତୁମେ ନିଶ୍ଚୟ ଭଲ ହେଇଯିବ । ସନ୍ଧ୍ୟା ହସିଲା–ସେ ହସ ଏକ ଅସ୍ୱାଭାବିକ କରୁଣ ହସ ।

 

ଶତ ଚେଷ୍ଟାକୁ ବିଫଳ କରି ସନ୍ଧ୍ୟା ସେହିଦିନ ଦୁଇଟା ବେଳକୁ ଆଖି ବୁଝିଲା । ରମେଶ ପାଗଳ ପରି ମୁଣ୍ଡ ବାଡ଼େଇ କାନ୍ଦି ଉଠିଲା । ସେ ଦୃଶ୍ୟ ଦେଖି ମୁଁ ଭୋ ଭୋ ହୋଇ କାନ୍ଦିଉଠିଲି । ସେହିଦିନ ରାତ୍ରିର ଶେଷ ଅନ୍ଧକାରରେ ସନ୍ଧ୍ୟାର ମରଦେହଟାକୁ ଜାଳି ପାଉଁଶ କରିଦେଲୁ ।

 

ବସାକୁ ଫେରି ଦେଖେ ଲତା ନାହିଁ । ଭାବିଲି ହୁଏତ ରାଗି ତାଙ୍କ ନିଜ ବସାକୁ ପୂର୍ବପରି ଚାଲିଯାଇଥିବ । ଶୋକ ସନ୍ତପ୍ତ ହୃଦୟରେ ଟିକିଏ ଶାନ୍ତି ପାଇବା ପାଇଁ ବିଶ୍ରାମ ନେଲି । ନିଦ ଭାଙ୍ଗିଲା ବେଳକୁ ଦିନ ନଅଟା ବାଜି ଗଲାଣି ।

 

ପ୍ରାତଃକୃତ୍ୟ ସାରି ଲତାକୁ ଆଣିବାକୁ ଶ୍ୱଶୁର ବସାକୁ ଚାଲିଲି । କିନ୍ତୁ ସେଠି ଲତାକୁ ପାଇଲି ନାହିଁ । ମୁଣ୍ଡଟା ମୋର ଘୂରିଗଲା । ଅନ୍ତରରୁ ପ୍ରଶ୍ନ ଉଠିଲା, ତେବେ ଗଲା କୁଆଡ଼େ ?

 

ସେହି ଦିନଠୁ ଲତାକୁ କେତେ ଖୋଜିଚି, ଭାରତର ଅଳି, ଗଳି, ସବୁ ଜାଗାରେ । କିନ୍ତୁ ତଥାପି ତା’ର ସନ୍ଧାନ ପାଇଲି ନାହିଁ । ଦୁନିଆ ଯାକର ସବୁଦୋଷ ଲଦାହେଲା ଆସି ମୋ ଉପରେ-। ସଂସାର ଆଖିରେ ମୁଁ ଗୋଟାଏ କଳଙ୍କ ପରି ଦେଖାଗଲି । ଜୀବନର ସବୁ ସୁଖ, ଆନନ୍ଦ ସେହି ଦିନଠୁ ଉଭାଇଗଲା ଦୂରକୁ । ମୁଁ କଚାଡ଼ି ହୋଇ ପଡ଼ିଗଲି–ଦେଖିଲି ଆଗକୁ ବାଟ ନାହିଁ-। ଆତ୍ମହତ୍ୟା କରିବାକୁ ଇଚ୍ଛା ଥିଲେ ବି ମନ ବଲିଲା ନାହିଁ । “ନାଁ ଆଜି ମୋ ପ୍ରଶ୍ନର ଉତ୍ତର ଦେବାକୁ ହେବ–ସନ୍ଧ୍ୟାକୁ ଯଦି ଏତେ ଭଲ ପାଅ ତେବେ ମୋ ମନରେ ହନ୍ତସନ୍ତର ନିଆଁ ଜାଳିଲ କାହିଁକି-?” ସବୁବେଳେ ଗୋଟାଏ ବିରାଟ ପ୍ରଶ୍ନବାଚକ ମୋ ଆଖି ଆଗରେ ନାଚି ନାଚି ଗଲା ।

 

ସେହି ଦିନଠୁ ଶୟନେ, ସପନେ, ଜାଗରଣେ ଲତାର ବିଦ୍ରୂପ ଅଟ୍ଟହାସ ମୋ କାନରେ ବାଜେ । ସବୁଦିନେ ରାତିରେ ତାରି ରୂପଟା ଦେଖି ଚମକି ଉଠେ–ନିଦ ଭାଙ୍ଗିଯାଏ । ଦେଖେ–କେହି ନାହିଁ–ଖାଲି ଅନ୍ଧାର–କିଟିକିଟି ଅନ୍ଧାର, ଆହୁରି ଅନ୍ଧାର…..ଚିରନ୍ତନ ଅନ୍ଧାର…..

Image